ସିଜିମାଳିର ପ୍ରତିରୋଧ ନିଚ୍ଛକ ପ୍ରତିବେଦନ ନୁହେଁ ଏକ ଆହ୍ୱାନ
Dated 06.05.2026 –
ପରିତ୍ୟକ୍ତ ଭଗ୍ନପ୍ରାୟ ସରକାରୀ ପ୍ରାଥମିକ ବିଦ୍ୟାଳୟ । ଏହାରି କାନ୍ଥରେ ସୁନ୍ଦର ଅକ୍ଷରରେ ଅଙ୍କିତ ଓଡିଶା ସରକାରଙ୍କ ବିଜ୍ଞାପନ – ବିକଶିତ ଭାରତ, ବିକଶିତ ଓଡିଶା । ଆଉ ଠିକ୍ ତା’ ତଳେ ଅଙ୍କା ବଙ୍କା ଅକ୍ଷରରେ ଲେଖା, ବେଦାନ୍ତ, ‘ଗୋ ବ୍ୟାକ୍’, ମଇତ୍ରି ଗୋ ବ୍ୟାକ୍ । ଘରର ଭଙ୍ଗା କାନ୍ଥ ହେଉ ବା ରାସ୍ତା କଡର ଧଳା ରଙ୍ଗର ବ୍ରିଜ କଲଭଟ ହେଉ, ସବୁଠି ଏହି ଲେଖା ‘ବେଦାନ୍ତ ଗୋ ବ୍ୟାକ୍’, ‘ଆଦାନୀ ଗୋ ବ୍ୟାକ୍’ । ପୁଣି ବିସ୍ତୀର୍ଣ୍ଣ ମାଳି ପର୍ବତ, ଆକାଶ ବତାଶରେ ପ୍ରକମ୍ପିତ ହେଉଛି ବଜ୍ର କଣ୍ଠର ଶକ୍ତ ଚିତ୍କାର –
“ସୁନ ସରକାର କାନ ଖୁଲିକର,
ସିଜିମାଳି ଆମରଟା,
ନେଇ ସେ କାହାର ବୁଆର ଟା ।
ଜାନ ଯାଉ ଯାଉ ଜୀବନ ଯାଉ,
ସିଜିମାଳି ବଂଚିଥାଉ ।”
ସଂପ୍ରତି ସିଜିମାଳି ପର୍ବତ ଉପରକୁ ବକ୍ସାଇଟ ଖନନ ପାଇଁ ବେଦାନ୍ତ କମ୍ପାନୀ ପକ୍ଷରୁ ରାସ୍ତା ନିର୍ମାଣ ଓ ଜମି ଅଧିଗ୍ରହଣକୁ କେନ୍ଦ୍ର କରି ଯେଉଁ ଘଟଣା ଘଟିଗଲା ଓ ତା’ର ପରବର୍ତ୍ତୀ ଘଟଣା ପ୍ରବାହ ବହୁ ପ୍ରଶ୍ନ ଉତ୍ଥାପନ କରିବା ସହିତ ଭାରତୀୟ ରାଷ୍ଟ୍ରର ଚରିତ୍ରକୁ ପୁଣିଥରେ ନଗ୍ନ ଭାବେ ଉନ୍ମୋଚିତ କରିଛି । ସିଜିମାଳି ଜନଗଣଙ୍କ ପ୍ରତିରୋଧ ନିଚ୍ଛକ ଏକ ରୋଚକ ଖବର ବା ପ୍ରତିବେଦନ ନୁହେଁ, ଏକ ଆହ୍ୱାନ । ସେହି ଦୃଷ୍ଟିଭଙ୍ଗୀରେ ଏହି ଆଲେଖ୍ୟଟି ପ୍ରସ୍ତୁତ କରାଯାଇଛି ।
ଅତ୍ୟାଚାରିତଙ୍କ ମୁହଁରୁ
ସେହି ଘଟଣାରୁ କିଛି
କଣ୍ଟାମାଳ ଗାଁର ଆନିଦେଇ ମାଝୀ । ଏପ୍ରିଲ ୬ ତାରିଖ, ଅମାନୁଷିକ ଦମନର ସେହି କାଳ ରାତିର ବର୍ବରତା ତାଙ୍କର ଅଙ୍ଗେ ଅଙ୍ଗେ ଆଜି ବି ଅକ୍ଷତ । ବୟସ ବୋଧେ ୫୫ ହେବ । ଜଡିବୁଟି ଔଷଧ ଦେଇ ପୁରା ମଥା, ଆଖିପତା ବ୍ୟାଣ୍ଡେଜ କପଡାରେ ବନ୍ଧା । ଜୀର୍ଣ୍ଣ ଶୀର୍ଣ୍ଣ ଶରୀର, ହେଲେ ତା’ର ତେଜଭରା କଣ୍ଠରୁ ଆଜି ବି ଶୁଭୁଛି ‘ମୋତେ ବନ୍ଧୁକରେ ମାରିଛି । ସମସ୍ତଙ୍କୁ ଗୋଡେଇ ଗୋଡେଇ ମାରିଲା । ରାତି ଦୁଇଟାରେ ପୋଲିସ ପଶିଲା । ସିଜିମାଳିର ଚେରିମୂଳୀ ଆଣି ପଟିରେ ଭିଡିଛି । ହେଲେ ଆମେ ଛାଡିବୁ ନାହିଁ ।’
ଏହି ଗାଁର ଆଉ ଜଣେ ଆହତ ବୃଦ୍ଧା ରୂମା ମାଝୀ । ତାଙ୍କ କଣ୍ଠରେ ବି ସେହି ସ୍ୱର । ‘ସେ ରାତିରେ ଗ୍ୟାସ ପାଇପରେ ଆମକୁ ମାରିଲା । ଧୁଆଁ ଆଖି ମୁହଁ ପାଟିରେ ପଶିଲା । ଗାଈଟିଏ ବି ମରିଗଲା । ଛୋଟ ଛୋଟ ପିଲା ମଲା ପରି ହୋଇଗଲେ । ପାଣି ପକାଇବାରୁ ଶତିଳା ହେଲେ । ୨୦୨୩ରୁ ଆମେ ଆନ୍ଦୋଳନ କରୁଛୁ, କ’ଣ ଛାଡିଦେବୁ? ଆମ ଦେବତା ‘ତେଜମାଳି’(ଏ ଅଂଚଳର ଲୋକ ସିଜିମାଳିକୁ ତେଜମାଳି କହନ୍ତି)କୁ ବେଦାନ୍ତ ରାକ୍ଷାସ ଖୋଳି ନେବ, ଆମେ କ’ଣ ସହିବୁ?’
ମା ମାଟି ସୁରକ୍ଷା କମିଟିର ସଭାପତି ସୁଭାଷ ସିଂ ମାଝୀ କୁହନ୍ତି- “ସିଜିମାଳି ପାଦ ଦେଶରେ ଥିବା ୧୫୦ଟି ଗ୍ରାମର ଲୋକ ଜୀବନ ଦେବାକୁ ତିଆର ।” ଲଢେଇର ଅନ୍ୟ ଏକ ଅଗ୍ରଣୀ ଗ୍ରାମ ଶାଗବାଡିର ନାରଙ୍ଗି ଦେଇ ମାଝୀ । ଆସନ୍ନ ପ୍ରସବା ବୋହୂକୁ ରାୟଗଡା ମେଡିକାଲରେ ଭତ୍ତି କରୁ କରୁ ପୋଲିସ ହାତରେ ଗିରଫ ହୋଇ ୭ମାସ ଜେଲ ଖଟି ଫେରିଛନ୍ତି, କିନ୍ତୁ ଡରିନାହାନ୍ତି । ପୁଣି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ସେ କୁହନ୍ତି, “ମେଡିକାଲରୁ ମୋର ଓଡଣୀ ଧରି ଜବର ଦସ୍ତ ଉଠାଇ ନେଲେ । ସ୍କୁଲରେ ପଢୁଥିବା ମୋ ସାନ ପୁଅ ଛଡାଇବାକୁ ଆସିବାରୁ ତାକୁ ବି ଠେଲି ଦେଲେ, ମାରିଲେ । ‘ତୁ ଆନ୍ଦୋଳନ କରୁଛୁ?’ ମୋତେ କାଶୀପୁର ଥାନାକୁ ନେଇ କେତେ ଧମକାଇଲେ, କେତେ କଷ୍ଟ ଦେଲେ । ୩୩୦, ୨୦୭, ୨୪୨, ୨୪୪, ଆଦି ୬-୭ ଟା କେସ୍ ଦେଲେ । ମାଜିଷ୍ଟ୍ରେଟ ବି କହିଲେ, ଇଏ କ’ଣ ମଣିଷ ମାରିଛି । ସାତ ମାସ ଜେଲରେ ରହିଲି । ଏବେ ଖଲାସ ହୋଇଛି । ଏଇ ସାତ ମାସ ମୋ ସାନ ପୁଅ କାନ୍ଦି କାନ୍ଦି ସ୍କୁଲରେ ପାଠ ପଢି ପାରିନାହିଁ । ତେବେ କଷ୍ଟ ହେଲେ ବି ଖୁସି । ମୋ ମାଟି, ପାହାଡ, ମୋ ଦେଶ ପାଇଁ ଜେଲ ଯାଇଛି, ମୁଁ ଲଢିବି, ପଛକୁ ହଟିବି ନାହିଁ ।”
ଅମାନୁଷିକ ପୋଲିସ ଅତ୍ୟାଚାରକୁ ସାମ୍ନା କରିଥିବା ଆଉ ଏକ ଗାଁ ତଲଆମପଦର । ଗତ ମାର୍ଚ୍ଚ ୧୦ ତାରିଖ ରାତି ଅଧରେ ସଶସ୍ତ୍ର ପୋଲିସ, କୋବ୍ରା ବାହିନୀର ଏକ ବିରାଟ ପଟୁଆର ଛୋଟ ଏହି ଗାଁକୁ ଚାରିଆଡୁ ଘେରାବନ୍ଦୀ କରି ସକାଳ ଯାଏ ବର୍ବର ଅତ୍ୟାଚାର କରିଥିଲା । ଘର ଭାଙ୍ଗିଥିଲା । ଗୋଡେଇ ଗୋଡେଇ ଲୋକଙ୍କୁ ପିଟିଥିଲା । ନିଦରେ ଶୋଇଥିବା କଅଁଳା ଛୁଆକୁ ବି ଛାଡି ନଥିଲା । ଲୁହାବୁହା ଗ୍ୟାସ ଛାଡିବା, ଗୁଳି ଫୁଟାଇବା ସବୁକିଛି କରିଥିଲା । ବହୁ ଲୋକଙ୍କୁ ମାରି ଲହୁଲୁହାଣ କରି ୨୧ ଜଣଙ୍କୁ ଉଠାଇ ଆଣିଲା । ପୋଲିସକୁ ହତ୍ୟା କରିବା ପାଇଁ ଉଦ୍ୟମ ଭଳି ବହୁ ସଂଗୀନ ମାମଲା ଲଗାଇ ଏମାନଙ୍କୁ ଜେଲରେ ଭର୍ତ୍ତି କରିଦେଲା । ଏମାନଙ୍କ ମଧ୍ୟରେ ଅଛନ୍ତି ୧୧ଜଣ ମହିଳା, ତା’ ଭିତରୁ ଜଣେ ଗର୍ଭବତୀ । ୩ଜଣ ନାବାଳିକା । ୮ମ ୯ମର ଛାତ୍ରୀ । ଗିରଫ ନବମ ଶ୍ରେଣୀ ଛାତ୍ରୀ ସୂର୍ଯ୍ୟକାନ୍ତି ମାଝୀର ମା ଗୁନ୍ତି ଦେଇ ମାଝୀ । ମୁହଁରେ ନାହିଁ ତିଳେମାତ୍ର ଆତଙ୍କ ବା ଉଦ୍ବେଗର ଚିହ୍ନ । ଅତି ସହଜରେ କିନ୍ତୁ ବଳିଷ୍ଠ ଭାବେ କହିଲେ, ‘ଲଢିଲେ ତ ଜେଲ ହେବ, ପୋଲିସ ପିଟିବ, ଏଥିରେ ନୂଆ କଥା କ’ଣ? ସେମାନେ ଆମକୁ ଡରାଇବେ, ଆମେ କିନ୍ତୁ ଡରିବୁ ନାହିଁ । ଆମର ଜଙ୍ଗଲ, ଝରଣା ପାଣି, ପବନକୁ ବଂଚାଇବା ପାଇଁ ଆମେ ଲଢିବୁ ।” ଏହି ଗାଁର ବହୁ ଅତ୍ୟାଚାରକୁ ମୁକାବିଲା କରିଥିବା ଆନ୍ଦୋଳନର ସଂଗ୍ରାମୀ ନେତା ଲାଇ ମାଝୀ କଣ୍ଠରୁ ସେହି ବୀରତ୍ୱପୂର୍ଣ୍ଣ ଲଢେଇର କଥା ଯିଏ ଶୁଣିବ, ସିଏ ଚକିତ ଓ ଶିହରିତ ହେବ ।
ପୁଣି ଏପ୍ରିଲ ୬ତାରିଖ ଦିନ, ରାଜ୍ୟ ରାଜପଥ ୪୪ ସଂଲଗ୍ନ ସିଜିମାଳିକୁ ଏକ ପ୍ରବେଶ ପଥରେ ରାସ୍ତା ନିର୍ମାଣକୁ ବିରୋଧ କରି ବୀରତ୍ୱପୂର୍ଣ୍ଣ ରକ୍ତକ୍ଷୟୀ ଲଢେଇ କରିଥିବା କିଛି ଆଦିବାସୀ ମହିଳା ଓ ଅନ୍ୟାନ୍ୟ ଲୋକ ସେହି ଦିନର ଅଭିଜ୍ଞତା କୁହନ୍ତି – “ଆମକୁ ମାରି ରକ୍ତ ନଦୀ ବୁହାଇ ଯେମିତି ହେଲେ ବି ରାସ୍ତା ନିର୍ମାଣ ଆରମ୍ଭ କରିବାକୁ ପଣ କରି ଆସିଥିଲେ ସେମାନେ । ରାସ୍ତା ଉପରେ ହଜାର ହଜାର ବନ୍ଧୁକଧାରୀ ପୋଲିସ, କୋବ୍ରା ଓ ବେଦାନ୍ତ ଗୁଣ୍ଡା ବାହିନୀ । ସିଜିମାଳି ପାହାଡ ଉପରେ ଆମେ ବି କେତେ ହଜାର ଜୀବନକୁ ପାଣି ଛଡେଇ ଆସିଛୁ, ସିଜିମାଳିକୁ ବଂଚାଇବାର ପଣ କରି । ଜିଲ୍ଲାପାଳ ଗର୍ଜନ କଲେ, ‘ପଟ୍ଟା ଦେଖାଅ’, ଆମେ କହିଲୁ, ‘ବେଦାନ୍ତର ଗୁଣ୍ଡା ସର୍ଦ୍ଦାର, ତୁମେ ବି ପଟ୍ଟା ଦେଖାଅ’, ପୁଣି ଗର୍ଜନ ଶୁଭିଲା ‘ମାରି ଏମାନଙ୍କୁ ସାବାଡ କରିଦିଅ’ । ଆମେ ବି କହିଲୁ , ‘ଆମେ ତୈଆର’ । ଗୁଳି ଚାଲିଲା, ହିଂସ୍ର ଭଳି ସେମାନେ ମାଡି ଆସିଲେ । ଲଢେଇ ତ ନୁହେଁ, ଥିଲା ଯୁଦ୍ଧ । ଆମେ ଲଢିଲୁ , ଆମେ ଜିତିଲୁ । ସେମାନେ ପଛଘୁଞ୍ଚା ଦେଲେ, ଆମେ ଆଗେଇଲୁ । ଏବେ ବି ଦିନରାତି ଜଗି ରହିଛୁ । ଆମର ମା ଆମର ଜୀବନ ଏହି ସିଜିମାଳିକୁ । ସେଥିପାଇଁ ତ ରାଗରେ ଜଳି ସେ ରାତିରେ କଣ୍ଟାମାଳ ଉପରେ ଆକ୍ରମଣ କଲେ । ୭୦ ଜଣ ଏ ଲଢେଇରେ କ୍ଷତବିକ୍ଷତ ହେବା କଥା କୁହାଯାଉଛି, ହେଲେ ସଂଖ୍ୟା ବହୁତ ଅଧିକ ହେବ ।”
ଗତ ଏପ୍ରିଲ ୧୨ ତାରିଖ ଦିନ ଆନ୍ଦୋଳନକୁ ସଂହତି ତଥା ଆନ୍ଦୋଳନକାରୀ ମାନଙ୍କୁ ସଂଗ୍ରାମୀ ଅଭିବାଦନ ଜଣାଇବା ପାଇଁ ଏସ୍ୟୁସିଆଇ(କମ୍ୟୁନିଷ୍ଟ) ରାଜ୍ୟ କମିଟି ପକ୍ଷରୁ ଏକ ପ୍ରତିନିଧି ଦଳ ସିଜିମାଳ ଗସ୍ତ କରିଥିଲେ । ସେମାନଙ୍କ ସମ୍ମୁଖରେ ଏଭଳି ବହୁ ଲୋମହର୍ଷଣକାରୀ କଥା ଏମାନେ କହିଛନ୍ତି । ଏହାର ବିବରଣୀ ଖୁବ ଲମ୍ବା ହେବ, ଏଠାରେ କିଛି ଉଲ୍ଲେଖ କରାଗଲା ମାତ୍ର ।
ସଂକ୍ଷେପରେ ଘଟଣାର ପୃଷ୍ଠଭୂମି
କଳାହାଣ୍ଡି ଜିଲ୍ଲା ଓ ରାୟଗଡା ଜିଲ୍ଲାକୁ ବ୍ୟାପି ରହିଥିବା ଉନ୍ନତମାନର ବକ୍ସାଇଟ ସମୃଦ୍ଧ ସମଗ୍ର ମାଳି ପାହାଡକୁ ଖଣି ଖନନ ପାଇଁ ଆଦାନୀ, ବେଦାନ୍ତ ଓ ଏହାର ଏକ ଠିକାଦାର କମ୍ପାନୀ ମୈତ୍ରୀ ଭଳି କିଛି କମ୍ପାନୀକୁ ଦେଇଦେବା ପାଇଁ କେନ୍ଦ୍ରରେ ଥିବା ବିଗତ କଂଗ୍ରେସ ସରକାର ଅମଳରୁ ହିଁ ନୀତି ପ୍ରଣୟନ ହୋଇ ପଦକ୍ଷେପ ନେବା ଆରମ୍ଭ ହୋଇଛି । କିଛି କିଛି ସ୍ଥାନରେ କାର୍ଯ୍ୟକାରୀ ମଧ୍ୟ ହୋଇଛି । ସେହି ଧାରାରେ ଗତ ବିଜେଡି ସରକାର ଅମଳରେ ୨୦୨୩ ଫେବୃୟାରୀରେ ସିଜିମାଳି ପାହାଡର ନିଲାମ ହୁଏ ଓ ବେଦାନ୍ତଙ୍କୁ ‘ପସନ୍ଦଯୋଗ୍ୟ ନିଲାମଦାର’ ଭାବେ ଘୋଷଣା କରାଯାଏ । ଉଲ୍ଲେଖଯୋଗ୍ୟ ଯେ, ଏଠାରୁ ୪୦ ରୁ ୫୦ କିମି ଦୂରରେ ଅବସ୍ଥିତ ନିୟମଗିରି ପର୍ବତକୁ ବେଦାନ୍ତ କମ୍ପାନୀ ନେବା ବିରୁଦ୍ଧରେ ଦୀର୍ଘ ୧୦ବର୍ଷ ଧରି ଶକ୍ତିଶାଳୀ ପ୍ରତିରୋଧାତ୍ମକ ଆନ୍ଦୋଳନ ହୋଇଛି । ଆନ୍ଦୋଳନ ସଫଳ ହୁଏ ଓ ବେଦାନ୍ତ ଏଠୁ ହଟିଯିବାକୁ ବାଧ୍ୟ ହୁଏ । ସେହି ସମୟରେ ସୁପ୍ରିମ କୋର୍ଟ ଦେଇଥିବା ଏ ଗୁରୁତ୍ୱପୂର୍ଣ୍ଣ ରାୟ ଅନୁଯାୟୀ, ଏହି ସମସ୍ତ ମାଳି ଅଂଚଳ ସମ୍ବିଧାନର ୫ମ ଅନୁଚ୍ଛେଦ ଅନ୍ତର୍ଗତ । ତେଣୁ ପାହାଡ, ଜମି ଆଦି କୌଣସି କମ୍ପାନୀକୁ ଦେବା କ୍ଷେତ୍ରରେ ଗ୍ରାମସଭା କରି ୮୦ ପ୍ରତିଶତ ଲୋକଙ୍କ ସମ୍ମତି ଜରୁରୀ । ଏ କ୍ଷେତ୍ରରେ ପ୍ରଶାସନିକ ଜାଲିଆତିର ବି ପର୍ଦ୍ଦାଫାସ ହୋଇଛି । ମୃତ ଲୋକଙ୍କ ଦସ୍ତଖତ, ଶିକ୍ଷିତ ଲୋକଙ୍କ ଟିପ ଚିହ୍ନ, ଅଶିକ୍ଷିତ ଲୋକଙ୍କ ଦସ୍ତଖତ ବି ସାମ୍ନାକୁ ଆସିଛି । ଗୋଟିଏ ଦିନରେ ଗୋଟିଏ ସମୟରେ ଜଣେ ଅଫିସର ଦ୍ୱାରା ୮ଟି ଗ୍ରାମ ସଭା କରିବା ଯେ ଅସମ୍ଭବ ଓ ସଂପୂର୍ଣ୍ଣ ମିଥ୍ୟା, ଜାଲିଆତି, ତାହା ଅନ୍ଧ ବି କହିବ । ତେବେ ସେ ଯା’ହଉ, ସେହି ୨୦୨୩ରୁ ହିଁ ଆନ୍ଦୋଳନ ଚାଲିଛି । ୨୦୨୩ରେ ପୋଲିସ ଆକ୍ରମଣରେ ୨୩ଜଣ ଆହତ ହୋଇଥିଲେ ଓ ସେବେଠୁ ମିଥ୍ୟା ମାମଲା ଦେଇ ଆଖିବୁଜା ଗିରଫଦାରୀ ଚାଲିଛି । ଗତ ଏପ୍ରିଲ ୦୧ ତାରିଖ ଦିନ ଏ ଅଂଚଳରେ ପୋଲିସ ସାଇରନ ଗର୍ଜି ଉଠେ । ଏପ୍ରିଲ ୩ତାରିଖରୁ ମାସେ ଯାଏ ୧୪୪ ଧାରା, ବର୍ତ୍ତମାନର ଭାରତୀୟ ନ୍ୟାୟ ସଂହିତା ଧାରା ୧୬୩ ବଳବତ୍ତର ରହିବ ବୋଲି ଘୋଷଣା କରାଯାଏ । ୪ଜଣରୁ ଅଧିକ ଲୋକ କୌଣସି ସ୍ଥାନରେ ଏକାଠି ହୋଇପାରିବେ ନାହିଁ ବୋଲି କଡା ନିର୍ଦ୍ଦେଶ ଦିଆଗଲା । ଲୋକମାନେ ବି ନିଜ ଅଭିଜ୍ଞତାରୁ ଝଡର ପୂର୍ବାଭାସ ଅନୁଭବ କରିପାରିଲେ । ହଜାର ହଜାର ପୋଲିସ, ବିଭିନ୍ନ ଧରଣର ସଶସ୍ତ୍ର ବଳ ଦ୍ୱାରା ସମଗ୍ର ଅଂଚଳ ପୋଲିସ ଛାଉଣି ହୋଇଗଲା । ଲୋକଙ୍କୁ ନିଜ ଘରେ ବନ୍ଦୀ ଅବସ୍ଥାରେ ରଖିବାକୁ ସମସ୍ତ ଉପାୟ ଅବଲମ୍ବନ କରାଗଲା । ଲୋକେ ବି ବୁଝିପାରିଲେ, ରାସ୍ତା ନିର୍ମାଣର ପ୍ରସ୍ତୁତି ଆରମ୍ଭ ହୋଇଛି, ସବୁକିଛି ସରକାର ପ୍ରାୟୋଜିତ । ଲୋକେ ବି ସଂଘବଦ୍ଧ ହେଲେ, ୩ରୁ ୫ ତାରିଖ ଲଗାତର ଭାବେ ସବୁ ଆଇନକୁ ଭାଙ୍ଗି ଚାଲିଲେ ଓ ୬ ତାରିଖ ଦିନ ସକାଳୁ କମ୍ପାନୀର ସେବାଦାସ ପୁରା ରାଷ୍ଟ୍ର ଶକ୍ତି ସହିତ ସମ୍ମୁଖ ରଣରେ ଓହ୍ଲାଇଲେ । ସାମୟିକ ହୋଇପାରେ, ତଥାପି ରାଷ୍ଟ୍ର ଶକ୍ତି ପଛକୁ ହଟିବାକୁ ବାଧ୍ୟ ହେଲା ।
‘ଭୁଲର ପୁନରାବୃତ୍ତି ହେବନି’
ଏ ଘୋଷଣା କୁଆଡେ ଗଲା?
ଗତ ବିଜେଡି-ବିଜେପି ସରକାର ଅମଳରେ, ଏହି ରାୟଗଡା ଜିଲ୍ଲାରେ ହିଁ ଆଦିତ୍ୟ ବିରଲା ପରିଚାଳିତ ଉତ୍କଳ ଆଲୁମିନା କମ୍ପାନୀର ପ୍ରସ୍ତାବିତ ବକ୍ସାଇଟ୍ ଖନନ ବିରୁଦ୍ଧରେ ସ୍ଥାନୀୟ ଆଦିବାସୀ ଓ ଅନ୍ୟାନ୍ୟ ଅଧିବାସୀମାନେ ପୋଲିସ ଅତ୍ୟାଚାର ସତ୍ତ୍ୱେ ଜୋରଦାର ପ୍ରତିବାଦ ଆନ୍ଦୋଳନ କରୁଥିଲେ । ଏହି ଜିଲ୍ଲାର କାଶୀପୁର ବ୍ଲକ୍ର ମାଇକଂଚ ଗାଁରେ ରାତି ଅଧରେ ୨୦୦୦ ମସିହା ଡିସେମ୍ବର ୧୬ତାରିଖ ଦିନ ସଶସ୍ତ୍ର ପୋଲିସ ପଶି ଆଖିବୁଜା ଗୁଳି ଚଳାଇ ୩ଜଣଙ୍କୁ ହତ୍ୟା କରିବା ସହିତ ଅନେକଙ୍କୁ ଘାଏଲ କରିଥିଲା ଓ ଗିରଫ କରିଥିଲା । ରାଜ୍ୟବ୍ୟାପୀ ପ୍ରତିବାଦ ଫଳରେ ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଓଡିଶା ସରକାର ଓଡିଶା ଉଚ୍ଚ ନ୍ୟାୟାଳର ଜଣେ ବିଚାରପତି ଜଷ୍ଟିସ୍ ପି.କେ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ କମିଶନ ଗଠନ କରିଥିଲେ । ଏହି କମିଶନ ପୋଲିସର କାର୍ଯ୍ୟକୁ ‘ମାତ୍ରାଧିକ’ କହି ନିନ୍ଦା କରିଥିଲା ଓ ପୋଲିସ ପ୍ରଶାସନ ଦେଇଥିବା ‘ଜଣେ ଅପରାଧୀକୁ ଧରିବା ପାଇଁ ଗାଁକୁ ପଶିଥିଲୁ’ ଯୁକ୍ତିକୁ ଗ୍ରହଣ ନକରି ଏହା ଉଚିତ ନଥିଲା ବୋଲି କହିଥିଲା । ଗତ ସେପ୍ଟେମ୍ବର ୧ତାରିଖ, ୨୦୨୫ରେ ରାଜ୍ୟର ବିଜେପି ସରକାର ସେହି ପି.କେ ମିଶ୍ର ରିପୋର୍ଟକୁ ବିଧାନସଭାରେ ଉପସ୍ଥାପନ କରି କହିଥିଲେ, ‘ଏଭଳି ଭୁଲ ଭବିଷ୍ୟତରେ ହେବ ନାହିଁ ।’
ତେବେ ଏହି ଘୋଷଣାର ୬ମାସ ପରେ, ଠିକ ସେହି କାଇଦାରେ ଓ ସେହି ଯୁକ୍ତି ଦେଇ ଜଣେ ଆନ୍ଦୋଳନକାରୀ ‘ଅପରାଧୀ’କୁ ଧରିବା ପାଇଁ କଣ୍ଟାମାଳ ଗାଁରେ ପଶିବା ଓ ଲୋକଙ୍କ ଆକ୍ରମଣରୁ ଆତ୍ମରକ୍ଷା ପାଇଁ ଏହା କରିବାକୁ ପଡିଲା ବୋଲି ପୋଲିସ ପ୍ରଶାସନ ଯୁକ୍ତି ଦେଇଛନ୍ତି ।’ ଆଦିବାସୀ ମୁଖ୍ୟମନ୍ତ୍ରୀ, ରାଜ୍ୟର ଆଦିବାସୀ ମହିଳା ରାଷ୍ଟ୍ରପତି । ତେବେ ଏହା ପଛରେ ଥିବା ବିଜେପି ଦଳର ଅସଲ ଉଦ୍ଦେଶ୍ୟ ଆଉ ତ ଅଛପା ନାହିଁ । ଲୋକ ହିଁ କହୁଛନ୍ତି, ଆଦିବାସୀମାନଙ୍କ କାନ୍ଧରେ ବନ୍ଧୁକ ରଖି କମ୍ପାନୀ ସ୍ୱାର୍ଥରେ ଆଦିବାସୀ ଶୀକାର କରିବାର ଏହା ଏକ ଚାଲ ଛଡା ଅନ୍ୟ କିଛି ନୁହେଁ ।
ଏହା ଭିତରେ ପୁଣି କୁଟ୍ରୁମାଳିକୁ
ଦେବାର ଯୋଜନା
ଏପ୍ରିଲ ୬ ଓ ୭ ତାରିଖ ଘଟଣା ପରେ, ପୋଲିସ ପ୍ରଶାସନ ସାମୟିକ ପଛଘୁଞ୍ଚା ଦେଇଥିଲେ ବି କେନ୍ଦ୍ର ଓ ରାଜ୍ୟ ସରକାର ଖାଲି ସିଜିମାଳି ନୁହେଁ, ସମଗ୍ର ମାଳି ଅଂଚଳକୁ କମ୍ପାନୀ ହାତରେ ଦେବା ପାଇଁ କରିଥିବା ସାମଗ୍ରିକ ପରିକଳ୍ପନା ନଜରକୁ ଆସୁଛି । ରାସ୍ତା କାମ ବନ୍ଦ ହେବାର ଦୁଇ ତିନିଦିନ ପରେ ହିଁ କେନ୍ଦ୍ର ରେଳମନ୍ତ୍ରୀ ଘୋଷଣା କରିଛନ୍ତି ରାୟଗଡାରୁ କାଶୀପୁର ଦେଇ ଏହି ଖଣି ଅଂଚଳକୁ ଖୁବ ଶୀଘ୍ର ରେଳପଥ ନିର୍ମାଣ ହେବ । ୪ଲେନ, ୬ଲେନ ବିଶିଷ୍ଟ ରୋଡ କରିଡୋର ହେବ ଯଦ୍ୱାରା ବକ୍ସାଇଟ ପରିବହନ ସହଜ ହେବ । ଏଣେ ଆନ୍ଦୋଳନକାରୀ ଲୋକମାନଙ୍କ ଉପରେ କଡା ନଜର ରଖାଯାଇଛି । ଡ୍ରୋନ କ୍ୟାମେରା ମାଧ୍ୟମରେ ଲୋକଙ୍କ ବ୍ୟକ୍ତିଗତ ଜୀବନ ଯାତ୍ରା ଓ ଆନ୍ଦୋଳନାତ୍ମକ କାର୍ଯ୍ୟକଳାପ ଉପରେ ଗୁଇନ୍ଦାଗିରି ଚାଲିଛି । ଏହି ପରିସ୍ଥିତିରେ ସରକାର ସିଜିମାଳିକୁ ଲାଗି ରହିଥିବା ଅନ୍ୟ ଏକ ପାହାଡ କୁଟ୍ରୁମାଳି ଆଦାନୀ କମ୍ପାନୀର ମେସର୍ସ କଳିଙ୍ଗ ଆଲୁମିନାକୁ ତୁରନ୍ତ ହସ୍ତାନ୍ତର କରିବା ପାଇଁ ଯୋଜନା କରିଛନ୍ତି । ଏଥିପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଆସନ୍ତା ମେ ୧୩ତାରିଖ ଦିନ କାଶୀପୁର ବ୍ଲକ୍ କାର୍ଯ୍ୟାଳୟ ମଧ୍ୟରେ ପରିବେଶ ମଂଜୁରି ନିମନ୍ତେ ଏକ ଜନଶୁଣାଣିର ଆୟୋଜନ ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ଲୋକଙ୍କ ନାଁରେ ଶହ ଶହ ମିଥ୍ୟା ମାମଲା । ୩ ମାସ ହେଲାଣି ଚାଉଳ ଉଠାଇବାକୁ ବି ଲୋକେ ଆସିପାରୁ ନାହାନ୍ତି । ମେଡିକାଲ ଆସିବା, ହାଟବାଟ ସବୁ ବନ୍ଦ । ଏହି ପରିସ୍ଥିତିରେ ବାହାରୁ ଲୋକ, ନିଃସନ୍ଦେହରେ ଦଳୀୟ ଲୋକ ଆଣି ଜନଶୁଣାଣି କରି ଦେଇ ପରିବେଶ ମଂଜୁରୀ ସାଟିଫିକେଟ୍ କମ୍ପାନୀ ହାତରେ ଟେକି ଦେବାର ସମସ୍ତ ଯୋଜନା ପ୍ରସ୍ତୁତ । ସବୁକିଛି ପ୍ରାୟୋଜିତ । ଆଇନ ଖାଲି ଧର୍ମକୁ ଆଖିଠାର ।
ଓଡିଶାର ଆରାବଳୀ ଗନ୍ଧମାର୍ଦ୍ଦନ,
ସିଜିମାଳିରୁ ଦେଓମାଳି ଆଜି ବିପଦରେ
ସିଜିମାଳି ସମେତ ଏ ସମସ୍ତ ମାଳି ପାର୍ବତ୍ୟାଂଚଳ ଖାଲି ବକ୍ସାଇଟ ଖଣି ପାଇଁ ନୁହେଁ, ଏହା ବିଭିନ୍ନ ଦିଗରୁ କାହିଁକି ଅନନ୍ୟ, ପ୍ରଥମେ ଏ ଅଂଚଳର ଅଧିବାସୀ ମାନଙ୍କ ମୁହଁରୁ ଶୁଣାଯାଉ । ଜଣେ ଚାଷୀ ପାଇକ ମାଝି କୁହନ୍ତି- ‘ସିଜିମାଳି ଖାଲି ଏକ ନିର୍ଜୀନ ପାହାଡ ନୁହେଁ, ଏହା ଆମର ଜୀବନରେଖା । ଏଠୁ ଝରୁଥିବା ପାଣିରେ ଖରାବର୍ଷା ସବୁବେଳେ ଫସଲ ହୁଏ । ଏହି ଖରାଦିନେ ବି ସୂର୍ଯ୍ୟମୁଖୀ ଫୁଲର ଭଣ୍ଡାର । ରବି ଫସଲ ଆରମ୍ଭ ହେଲାଣି । ମକା, କାଜୁ, ଆମ୍ବ, ପଣସ, ଜାମୁକୋଳି, ସବୁଜ ପନିପରିବା ସବୁକିଛି ଏହାରି ପାଣିରୁ ହୁଏ । ପାହାଡର ବକ୍ସାଇଟ ପାଣିକୁ ଧରି ରଖେ, ଧିରେ ଧିରେ ଛାଡେ । ଖଣି ଖନନ ହେଲେ, ଏହି ପାଣି ଆଉ ଝରିବନି । ଚାଷ, ଚାଷୀ ସମସ୍ତେ ଲୋପ ପାଇବେ । ଚାଷୀ ଆତ୍ମହତ୍ୟା କରିବ । ଯେଉଁମାନେ ବଂଚିବେ ସେମାନେ ପରିଚୟହୀନ ବାସ୍ତୁହରା, ଯାଯାବରରେ ପରିଣତ ହେବେ । ମାଳି ପାହାଡର ଅସ୍ତିତ୍ୱ ସହିତ ଆମ୍ଭମାନଙ୍କ ଅସ୍ତିତ୍ୱ ମଧ୍ୟ ଲୋପ ପାଇବ ।” ଏହା ଜଣଙ୍କର କଥା ନୁହେଁ ଏହା ଏ ଅଂଚଳର ସବୁ ମଣିଷଙ୍କ କଥା ଓ ବ୍ୟଥାର ଅଭିବ୍ୟକ୍ତି ।
ଇଣ୍ଡିଆନ ବ୍ୟୁରୋ ଅଫ ମାଇନସର ତଥ୍ୟ ଅନୁଯାୟୀ ପୁରା ଦେଶର 53%ରୁ 59%ବକ୍ସାଇଟ୍ ଅର୍ଥାତ୍ 1, 800ନିୟୁତ ଟନ୍ ରୁ 2, 300 ନିୟୁତ ଟନ୍ ବକ୍ସାଇଟ୍ ଏହି ମାଲି ପାର୍ବତ୍ୟାଞ୍ଚଲ ରେ ଅଛି । ପୁଣି ଏଠି ରହିଛି ୩୦୦ରୁ ଅଧିକ ଚିରସ୍ରୋତା ଝରଣାର ଉତ୍ସ । ସମସ୍ତେ ମିଶୁଛନ୍ତି ଇନ୍ଦ୍ରାବତୀ, ନାଗାବଳୀ ନଦୀରେ । ପୁଣି ଏହି ନଦୀସବୁ ମିଶିଛି ଗୋଦାବରୀରେ । ତା’ ସହିତ ରହିଛି ବିସ୍ତିର୍ଣ୍ଣ ଘଞ୍ଚ ଅରଣ୍ୟ, ବହୁ କଷ୍ଟରେ ସୃଷ୍ଟି ଚାଷଜମି, ମୂଲ୍ୟବାନ ଔଷଧୀୟ ବୃକ୍ଷ, ପଶୁ ପକ୍ଷୀ ଏମିତି ଅନେକ କିଛି ।
ସିଜିମାଳି ପାହାଡ ଖନନରେ କମ୍ପାନୀ ସଫଳ ହେଲେ, ନିକଟରେ ଥିବା ଶାଶୁବୋହୁ ମାଳି, କୁଟ୍ରୁମାଳି ବି ଯିବ । ତା ସହିତ କଳାହାଣ୍ଡି ଜିଲ୍ଲାରେ ଏକ ବିସ୍ତୀର୍ଣ୍ଣ ଅଂଚଳବ୍ୟାପୀ ଥିବା ଖୁଣ୍ଡଆଳ ମାଳିର ଏକ ଅଂଶ ବେଦାନ୍ତ ପାଇବାରେ ସଫଳ ହୋଇଥିବାବେଳେ ସଂପୂର୍ଣ୍ଣ ପାହାଡକୁ ନିଲାମ କରିଦେବା ସମେତ ଏହିଭଳି ନିଲାମ ପ୍ରକ୍ରିୟାରେ ଥିବା ସମଗ୍ର ମାଳି ଅଂଚଳ ଧ୍ୱଂସ ହେବାର ପଥ ସୁଗମ ହେବ । ଗନ୍ଧମାର୍ଦ୍ଦନରୁ ଦେଓମାଳି, ଓଡିଶାର ଏହି ଆରାବଳୀ ଉପରେ ଦେଶୀ-ବିଦେଶୀ କମ୍ପାନୀର ଲୋଲୁପ ଦୃଷ୍ଟି ପଡିଛି । ଏଥିରେ ସଫଳ ହେଲେ ଖାଲି ଏ ଅଂଚଳର ଲୋକଙ୍କ ଜୀବନ-ଜୀବିକା ଧ୍ୱଂସ ପାଇବ ତା’ ନୁହେଁ, ପ୍ରକୃତି, ପରିବେଶ, ନଦ-ନଦୀ ଯେ କେତେ ପ୍ରଭାବିତ ହେବ, ଜୈବ ବିଭିଦତା ଧ୍ୱଂସ ହେବ, କ୍ରମବର୍ଦ୍ଧିଷ୍ଣୁ ତାପମାତ୍ର ବୃଦ୍ଧି କେତେ ଭୟାବୟ ହେବ, ତାହା ଲୋକେ ଏବେ ନବୁଝିଲେ ଆଉ କେବେ ବୁଝିବେ?
ଦ୍ୱିତୀୟ ଶିଳ୍ପ ବିପ୍ଳବ ଓ କିଛି ପ୍ରଶ୍ନ
ରାଜ୍ୟର ବିଜେପି ସରକାର ବିଭିନ୍ନ ସମୟରେ ଭୁବନେଶ୍ୱରରେ, ଦିଲ୍ଲୀ ଆଦି ସ୍ଥାନରେ ପ୍ରଚୁର ଅର୍ଥ ବ୍ୟୟକରି ବିଭିନ୍ନ ଧରଣର ଶିଳ୍ପ କନକ୍ଲେଭ ବା ଶିଳ୍ପ ମେଳା ଧୁମଧାମରେ କରୁଛନ୍ତି । ସଂପ୍ରତି ଏକ କନକ୍ଲେଭରେ ମୁଖ୍ୟମନ୍ତ୍ରୀ କହିଛନ୍ତି – ରାଜ୍ୟରେ ୪୦ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କାରେ ଶିଳ୍ପ ଓ ପ୍ରକଳ୍ପର ଭିତ୍ତିପ୍ରସ୍ତ ସ୍ଥାପିତ ହୋଇଛି । ବର୍ତ୍ତମାନ ଦ୍ୱିତୀୟ ଶିଳ୍ପ ବିପ୍ଳବର ଯୁଗ ଆରମ୍ଭ ହୋଇଛି । ଦେଶୀ, ବିଦେଶୀ ପୁଞ୍ଜିପତିମାନଙ୍କୁ ସେଥିପାଇଁ ସବୁ ସୁବିଧା ସୁଯୋଗ ଯୋଗାଇ ଦିଆଯିବ । ଖଣି, ଖାଦାନ, ପାହାଡ, ପାଣି ସବୁକିଛି ଯୋଗାଇ ଦିଆଯିବ । ଏପରିକି ଜଳସେଚିତ ଚାଷ ଜମିକୁ ବି ଶିଳ୍ପପାଇଁ ଯୋଗାଇ ଦେବା ନିମନ୍ତେ ଥିବା ଆଇନଗତ ବାଧା କଟକଣାକୁ ଉଠାଇ ଦେବା ପାଇଁ ନିକଟରେ ଏକ ବିଜ୍ଞପ୍ତି ଜାରୀ କରିଛନ୍ତି । ମାତ୍ର ଆମ ଦେଶ ତଥା ରାଜ୍ୟରେ ବର୍ତ୍ତମାନ କିଭଳି ଶିଳ୍ପ ବିପ୍ଳବ ଚାଲିଛି? ଗୋଟିଏ କାରଖାନା ତିଆରି ହେଲେ ୧୦୦ଟା କାରଖାନା ବନ୍ଦ ହେଉଛି । ତାଳଚେରର ସାରକାରଖାନା, ବଲାଙ୍ଗିର ଚିନିକଳ, ସୋନପୁରର ସୂତାକଳ ଭଳି ବହୁ ଉଦାହରଣ ଦିଆଯାଇପାରେ । ପୁଣି ବହୁ କ୍ଷେତ୍ରରେ କେଉଁଠି ନୋଟିସ ତ କେଉଁଠି ବିନା ନୋଟିସରେ ହଠାତ୍ କାରଖାନା ବନ୍ଦ କରିଦିଆଯାଉଛି । ଦେଶରେ ଆଜି ଭୟାବହ ବେକାରୀ ସମସ୍ୟା । ଶିଳ୍ପ ହେବ, ସେଥିପାଇଁ ଖଣି ନେବ କିନ୍ତୁ ଲୋକଙ୍କୁ ନିଯୁକ୍ତି ମିଳିବ କି? ନା ମିଳୁଛି? ସେହି ରାୟଗଡା ଜିଲ୍ଲାରେ ତ କିଛି ପାହାଡରେ ଖଣି ଖନନ ଚାଲିଛି । ଲାଂଜିଗଡରେ ଝାରସୁଗୁଡାରେ ବେଦାନ୍ତ କମ୍ପାନୀର ଆଲୁମିନିୟମ ରିଫାଇନାରୀ କାରଖାନା ଅଛି, ତଥ୍ୟରୁ ଜଣାପଡିଛି ଏଠି ବର୍ଷକୁ ୨ମିଲିୟନ ଟନ ବକ୍ସାଇଟ୍ ଦରକାର ହୁଏ, ଏବେ ସଂପ୍ରସାରଣ ହେବ, ଆବଶ୍ୟକ କରୁଛି ବର୍ଷକୁ ୬ମିଲିୟନ ଟନ । ତେଣୁ ନୂଆ ଖଣି ଦରକାର । ତେବେ ଏହି କାରଖାନାରେ କେତେ ସ୍ଥାୟୀ କାମ କେତେ ଜଣଙ୍କୁ ମିଳିଛି? ଅନୁଗୁଳ, ଯାଜପୁର ଆଦି ଜିଲ୍ଲାରେ ତ ଶିଳ୍ପର ଅଭାବ ନାହିଁ । କୋଇଲା, କ୍ରୋମାଇଟ୍ ଖଣି ନିର୍ବିଚାରରେ ଖୋଳା ଚାଲିଛି । ଛେଣ୍ଡିପଦା ବ୍ଲକ୍ ମାଟିଗର୍ଭକୁ ଯିବାକୁ ବସିଛି । କେତେ ଲୋକ ନିଯୁକ୍ତି ପାଇଛନ୍ତି? ପରିବେଶ ପ୍ରଦୂଷଣ, ଅସହନୀୟ ତାତି, ଧୂଳି ଧୁଆଁରେ ଲୋକ ଅତିଷ୍ଟ, ବିଭିନ୍ନ ରୋଗରେ ଆକ୍ରାନ୍ତ । ଶିଳ୍ପ ବିପ୍ଳବର କଥା କହୁଥିବା ସରକାରଙ୍କ ନିକଟରେ ବାରମ୍ବାର ଦାବି ହେଉଛି, ଯେତେ ଶିଳ୍ପ କାରଖାନା ହୋଇଛି, ସେଠି କେତେ ଲୋକ ନିଯୁକ୍ତି ପାଇଛନ୍ତି, ତାର ଏକ ଶ୍ୱେତପତ୍ର ଜାରୀ କରନ୍ତୁ । କାହିଁକି ଏ ପର୍ଯ୍ୟନ୍ତ କରିପାରୁ ନାହାନ୍ତି? ବରଂ ଦେଖାଯାଉଛି, ନିର୍ବିଚାରରେ ଛଟେଇ ଚାଲିଛି ଯାହାର ନାଁ ଦିଆଯାଇଛି ‘ଡାଉନ ସାଇଜିଂ’ । ରାଉରକେଲା, ନାଲକୋ ଭଳି ରାଷ୍ଟ୍ରାୟତ୍ତ କାରଖାନାରେ ଉତ୍ପାଦନ କ୍ଷମତା ବଢିଛି, କିନ୍ତୁ ସ୍ଥାୟୀ ନିଯୁକ୍ତି ମାରାତ୍ମକ ଭାବେ ହ୍ରାସ ପାଇଛି । ଠିକାରେ ଶ୍ରମିକମାନଙ୍କୁ କମ ମଜରୁୀ ଦେଇ ଗୋତି ଶ୍ରମିକ ଭଳି ଖଟା ଯାଉଛି । ଆହୁରି ବି ଦେଖାଯାଉଛି, ଶିଳ୍ପ ପାଇଁ ଜମି ଅଧିଗ୍ରହଣ ହୋଇ ଶିଳ୍ପ ପ୍ରତିଷ୍ଠା ହୋଇନି, କିନ୍ତୁ ଜମି ଜାଗା କମ୍ପାନୀ ଅଧିନରେ । ଏହା ହିଁ କ’ଣ ଶିଳ୍ପ ବିପ୍ଳବ? ପ୍ରକୃତ ଶିଳ୍ପ ବିପ୍ଳବର ଅର୍ଥ କ’ଣ? ଏ ଦେଶର ଜଣେ ଅଗ୍ରଗଣ୍ୟ ମାର୍କ୍ସବାଦୀ ଦାର୍ଶନିକ କମ୍ରେଡ ଶିବଦାସ ଘୋଷ କହିଛନ୍ତି – “ଯେତେବେଳେ କୌଣସି ଏକ ବିକାଶଶୀଳ ଦେଶ ଶିଳ୍ପୋଦ୍ୟୋଗ ପଥରେ ପାଦ ବଢାଉଛି, ସେତେବେଳେ ତ ସେ କ୍ରମାଗତ ଭାବେ ଶିଳ୍ପ କରାଖାନା ପ୍ରତିଷ୍ଠା କରିବ । ଏହି ରାସ୍ତା ଯଦି ଖୋଲାଥାଏ, ତା’ହେଲେ କୌଣସି ଦିନ ସେହି ଦେଶରେ ଲେ-ଅଫ ହୁଏ ନାହିଁ ।”ପୁଞ୍ଜିବାଦ ତା’ର ବିକାଶ ଯୁଗରେ ଯେଉଁ ଶିଳ୍ପ ବିପ୍ଳବର କଥା କହିଥିଲା ଓ କିଛି ଦୂର ଅଗ୍ରସର ହୋଇଥିଲା, ଆଜି ତା’ର ମରଣାସନ୍ନ ଯୁଗ ଅର୍ଥାତ୍ ସାମ୍ରାଜ୍ୟବାଦୀ ଯୁଗରେ ସେହି ଶିଳ୍ପ ବିପ୍ଳବର ପଥରେ ସେ ହିଁ ଇତିହାସର ନିୟମରେ ସବୁଠୁ ବଡ ବାଧା । ଏଠି ଆଉ ଶିଳ୍ପର ବିକାଶ ହୋଇପାରିବ ନାହିଁ । ତା’ର କାରଣ ହେଲା ବଜାର ସଂକୋଚନ । ସଂକୋଚନର ଅର୍ଥ ବଜାରରେ କ୍ରେତାର ଅଭାବ । କ୍ରମାଗତ ପୁଞ୍ଜିବାଦୀ ଶୋଷଣ ଫଳରେ ଲୋକଙ୍କର କ୍ରୟ କ୍ଷମତା କମୁଛି । ଆୟର ଉତ୍ସ କମି କମି ଆସୁଛି । ବେକାର ମାଳ ମାଳ । ଗରିବ ସଂଖ୍ୟା ବଢି ବଢି ଚାଲିଛି । ପୁଞ୍ଜିବାଦୀ ଉତ୍ପାଦନର ମୂଳ ନିୟମ ଓ ନୀତି ହେଲା ପୁଞ୍ଜିପତି ମାନଙ୍କର ସର୍ବୋଚ୍ଚ ଲାଭ ଓ ମାଲିକ-ଶ୍ରମିକ ସଂପର୍କ ଭିତ୍ତିରେ ଉତ୍ପାଦନ । ଏହି ନିୟମରେ ଶିଳ୍ପର ବିକାଶ ସମ୍ଭବ ନୁହେଁ । ସଂକଟ ନିଶ୍ଚିତ ଦେଖାଦେବ ଯାହା ଆମେ ପ୍ରତ୍ୟକ୍ଷ କରୁଛୁ । ଏହା ସତ ଏକ ଶିଳ୍ପୋନ୍ନତ ଦେଶ ହିଁ ଏକ ବିକଶିତ ଦେଶ । ଇତିହାସର ଅମୋଘ ନିୟମରେ ସାମ୍ରାଜ୍ୟବାଦୀ ଯୁଗର ପୁଞ୍ଜିବାଦ ସେହି କାମ କରିପାରିବ ନାହିଁ । କେବଳ ଏକ ସମାଜତାନ୍ତ୍ରିକ ବ୍ୟବସ୍ଥାରେ, ଯେଉଁଠି ଏହାର ବିପରୀତ ଉଦ୍ଦେଶ୍ୟରେ, ସର୍ବୋଚ୍ଚ ଲାଭ ପାଇଁ ନୁହେଁ, ଜନଗଣଙ୍କୁ କର୍ମସଂସ୍ଥାନ ଯୋଗାଇ ଦେଇ ସେମାନଙ୍କର ବୈଷୟିକ ଓ ସାଂସ୍କୃତିକ ଚାହିଦା ପୂରଣ ଲକ୍ଷ୍ୟରେ ଉତ୍ପାଦନ ହୁଏ, ସେହିଠାରେ ହିଁ ଶିଳ୍ପ ବିକାଶ ଓ ପ୍ରକୃତ ଶିଳ୍ପ ବିପ୍ଳବ ସମ୍ଭବ ।” ଉକ୍ତ ପ୍ରସଙ୍ଗରେ ଏହି କଥାଟି ବିଶେଷ ଭାବେ ଉଲ୍ଲେଖଯୋଗ୍ୟ ।
ତେଣୁ ଦେଖାଯାଉଛି ଶିଳ୍ପାୟନ ନାଁରେ କମ୍ପାନୀ ହାତରେ ସବୁ ସଂପଦ କେତେ ଶୀଘ୍ର ଟେକି ଦିଆଯାଇପାରେ ଓ ଖଣି ବିକି କେତେ ରାଜସ୍ୱ ସଂଗ୍ରହ କରାଯାଇପାରେ, ତା’ହିଁ ସରକାରଙ୍କ ନୀତି ହୋଇଛି । ସେଥିପାଇଁ ଦେଶ ବିଦେଶ ବୁଲି ବୁଲି କମ୍ପାନୀର ରାଜନୈତିକ ମ୍ୟାନେଜର ଭାବେ ଏହି ସରକାର ରାଜ୍ୟରେ ଥିବା ଖଣିଜ ପଦାର୍ଥର ମୂଲ୍ୟ ପ୍ରଚାର କରି ଓଡିଶାକୁ ଆମନ୍ତ୍ରଣ କରୁଛନ୍ତି । ସୁତରାଂ, ଶିଳ୍ପାୟନ ନାଁରେ ଖଣି ଲୁଟ କରି ଲୋକଙ୍କ ଜୀବନ ଜୀବିକା ତଥା ପ୍ରକୃତି ଓ ପରିବେଶକୁ ଧ୍ୱଂସ ମୁଖରେ ଠେଲି ଦେବାର ପଦକ୍ଷେପକୁ ମାନି ନିଆଯାଇପାରେନା । ବିକାଶ ନାଁରେ ମୁଷ୍ଟିମେୟ କମ୍ପାନୀମାନଙ୍କ ବିକାଶ ପାଇଁ ସାଧାରଣ ଲୋକଙ୍କ ଜୀବନ ଜୀବିକାର ସର୍ବନାଶକୁ ଗ୍ରହଣ କରାଯାଇ ପାରେନ ।
କୁମ୍ଭୀର କାନ୍ଦଣାରେ
ଭ୍ରମିତ ହେଲେ ସର୍ବନାଶ ହେବ
ସିଜିମାଳି ଆନ୍ଦୋଳନରେ ପୋଲିସ ଅତ୍ୟାଚାରରେ କୁମ୍ଭୀର କାନ୍ଦଣା କାନ୍ଦୁଥିବା ଦଳ ଓ ଭଦ୍ର ଲୋକମାନଙ୍କର ଅଭାବ ନାହିଁ । କଣ୍ଟାମାଳକୁ ଦାମି ଦାମି ଗାଡିର ସୁଅ ଛୁଟୁଛି । ଏ ଅଂଚଳରେ ଖଣି ଲିଜ ନେବାକୁ କଂଗ୍ରେସ-ବିଜେଡି-ବିଜେପି ସର୍ବଦଳୀୟ ବୈଠକରେ ସହମତି ପ୍ରକାଶ କରିଥିଲେ । ରାୟଗଡା କଂଗ୍ରେସ ବିଧାୟକ ଖଣି ଖନନ ପ୍ରକ୍ରିୟା ଆରମ୍ଭ କରିବା ଓ ଖଣି ଖନନକୁ ବିରୋଧ କରୁଥିବା ଲୋକମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କୁ ଦିଆଯାଇଥିବା ଦସ୍ତଖତ ପତ୍ରରେ ଅନ୍ୟତମ ଦସ୍ତଖତ କାରୀ ଥିଲେ । ପୁଣି କେନ୍ଦ୍ରର ବିଜେପି ସରକାର ଅମଳରେ ଗଣତାନ୍ତ୍ରିକ ଗଣ ଆନ୍ଦୋଳନକୁ ଦମନ କରିବାପାଇଁ ଉଦ୍ଦିଷ୍ଟ ଆଇନକୁ ଆହୁରି କଠୋର କରି ପୋଲିସ ହାତରେ ଅମାପ କ୍ଷମତା ଦେବାକୁ ଆସିଥିବା ଆଇନ, ତୋନୋଟି କଳା କୃଷି ଆଇନ, ଜଙ୍ଗଲ ସଂରକ୍ଷଣ ଆଇନ-୨୦୦୬ର ସଂଶୋଧନ ସମେତ ସମସ୍ତ କଳା ଆଇନ ପାସ କରାଇବା କ୍ଷେତ୍ରରେ ପାର୍ଲିଆମେଣ୍ଟର ଉଭୟ ଗୃହରେ ବିଜେଡି ବିଜେପି କରକାରକୁ ସମର୍ଥନ ଦେଇଥିଲା । ଏକଥା ମଧ୍ୟ ଭୁଲିଗଲେ ଚଳିବ ନାହିଁ ।
ବିସ୍ଥାପନ ବିରୋଧୀ ଆନ୍ଦୋଳନକୁ
ବ୍ୟାପକ ଓ ତୀବ୍ର କରିବାକୁ ହେବ
ଆଜି ରାଜ୍ୟରେ ପ୍ରତିଷ୍ଠିତ ବିଜେପିର ଡବଲ ଇଂଜିନ ସରକାରରେ କମ୍ପାନୀ ସ୍ୱାର୍ଥରେ ସମସ୍ତ ଦିଗରୁ ଶୋଷିତ ମଣିଷ ଉପରେ ଶୋଷଣର ବ୍ୟାପକତା ଓ ତୀବ୍ରତା ତଥା ଗଣତାନ୍ତ୍ରିକ ଗଣ ଆନ୍ଦୋଳନ ଉପରେ ରାଷ୍ଟ୍ରଶକ୍ତିର ଦମନର ନୃଶଂସତା ଭୟାବହ ରୂପ ଧାରଣ କରିଛି । ୭୦ବର୍ଷ ଧରି ଚାଲିଥିବା ବିସ୍ଥାପନ ସମସ୍ୟା ଆଜି ବିଷ୍ଫୋରକ ସ୍ଥିତିରେ ପହଞ୍ôଚଛି । କେନ୍ଦୁଝରର ପାଟଣା ବ୍ଲକ୍ର ୨୨ଟି ଗ୍ରାମର ଜଳସେଚିତ ଜମି ତଥା ଅନ୍ୟାନ୍ୟ ପ୍ରାକୃତିକ ସଂପଦ ଦଖଲ ପାଇଁ ଜିନ୍ଦଲ-ପୋସ୍କୋର ସେବାଦାସ ରାଜ୍ୟ ସରକାରଙ୍କ ପୋଲିସ ପ୍ରଶାସନ ସହିତ ଏ ଅଂଚଳର ଲୋକଙ୍କ ମୁକାବିଲାମୂଳକ ଲଢେଇ ଚାଲିଛି । ସୁନ୍ଦରଗଡର ଲାଂଜିବେର୍ଣ୍ଣାରେ ଡାଲମିଆଁ-ଓସିଏଲ୍ ବିରୁଦ୍ଧରେ ଲଢେଇ ଚାଲିଛି । ଅନୁଗୁଳ ଜିଲ୍ଲାରେ ଅଭୟାରଣ୍ୟ ପ୍ରକଳ୍ପ ତଥା କମ୍ପାନୀମାନଙ୍କ କୋଇଲା ଖଣି ଖନନ ଓ ବିଭିନ୍ନ ଶିଳ୍ପ ଯୋଗୁ କ୍ଷତିଗ୍ରସ୍ତ ଲୋକଙ୍କ ଆନ୍ଦୋଳନ ଚାଲିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଜନ ଆନ୍ଦୋଳନ ବିଭିନ୍ନ ଭାବରେ ଚାଲିଛି । ସଠିକ ଦୃଷ୍ଟିଭଙ୍ଗିରେ, ସଠିକ ଦିଗନିର୍ଦ୍ଦେଶରେ ସମସ୍ତ ଆନ୍ଦୋଳନକୁ ସମନ୍ୱିତ କରି ଏକ ସାମଗ୍ରିକ ଶକ୍ତିଶାଳୀ ଗଣଆନ୍ଦୋଳନ ହିଁ ଆଜି ସମୟର ଜରୁରୀ ଆହ୍ୱାନଭାବେ ଦେଖା ଦେଇଛି ।
