୪ ଟି ବାମପନ୍ଥୀ ଦଳର ଆହ୍ବାନରେ ସିଜିମାଳି, ପାଟଣା ଓ ଲାଞ୍ଜିବେର୍ଣ୍ଣା ସମେତ ରାଜ୍ୟରେ ସର୍ବତ୍ର କମ୍ପାନୀ ସ୍ୱାର୍ଥରେ ଜମି ଅଧିଗ୍ରହଣ ଓ ପୋଲିସ ଦମନ ବିରୁଦ୍ଧରେ ଏପ୍ରିଲ -୧୭ , ରାଜ୍ୟବ୍ୟାପୀ ପ୍ରତିବାଦ ଦିବସ ପାଳିତ

Dated 18.04.2026 –

ଗତ ଏପ୍ରିଲ ୬ ଓ ୭ ମଧ୍ୟରାତ୍ରରେ ରାୟଗଡ଼ା ଜିଲ୍ଲା ସିଜିମାଳି ଅଞ୍ଚଳରେ ବେଦାନ୍ତ କମ୍ପାନୀ ସ୍ୱାର୍ଥରେ ରାଜ୍ୟର ଡବଲ ଇଞ୍ଜିନ୍ ବିଜେପି ସରକାରର ସଶସ୍ତ୍ର ପୋଲିସ ବାହିନୀ ଆଖିବୁଜା ଲାଠିଚାଳନା ଓ ଲୁହବୁହା ଗ୍ୟାସ ପ୍ରୟୋଗ କରି ମହିଳା ଓ ବୟସ୍କ ବ୍ୟକ୍ତିଙ୍କ ସମେତ ବହୁ ଲୋକଙ୍କୁ ଅତ୍ୟନ୍ତ ବର୍ବରଭାବେ ଗୁରୁତର ଆହତ କରିଛି ଏବଂ ମିଥ୍ୟା ମାମଲାରେ ୨୧ ଜଣଙ୍କୁ ଗିରଫ କରିଛି। ଆନ୍ଦୋଳନର ନେତା ମାନଙ୍କ ସମେତ ଗର୍ଭବତୀ ମହିଳା ଓ ନାବାଳିକା ସ୍କୁଲ ଛାତ୍ରୀଙ୍କୁ ମଧ୍ୟ ଗିରଫ କରାଯାଇଛି। ସିଜିମାଳିରେ ପୋଲିସର ଏତାଦୃଶ ଦମନଲୀଳା ସାଙ୍ଗକୁ କେନ୍ଦୁଝର ଜିଲ୍ଲାର ପାଟଣା, ସୁନ୍ଦରଗଡ଼ ଜିଲ୍ଲାର ଲାଞ୍ଜିବେର୍ଣ୍ଣାରେ ପୋଲିସର ଅକଥନୀୟ ଅତ୍ୟାଚାର କୁ ଏସ୍ ୟୁ ସି ଆଇ (କମ୍ୟୁନିଷ୍ଟ), ସିପିଆଇ (ଏମ୍ ଏଲ୍) ରେଡ୍ ଷ୍ଟାର, ସିପିଆଇ ( ଏମ୍ ଏଲ୍) ଏବଂ ସିପିଆଇ (ଏମ୍ ଏଲ୍) ନିଉ ଡେମୋକ୍ରାସି ପକ୍ଷରୁ ଦୃଢ଼ ନିନ୍ଦା କରାଯିବା ସହିତ ଆଜି ସାରା ରାଜ୍ୟରେ ପ୍ରତିବାଦ ଦିବସ ପାଳନ କରାଯାଇ ରାଜ୍ୟର ବିଭିନ୍ନ ଜିଲ୍ଲା ଏବଂ ବ୍ଲକ ଅଧିକାରୀ ଙ୍କ ଜରିଆରେ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ପ୍ରେରଣ କରାଯାଇଛି। ଗତ ଏପ୍ରିଲ ୧୩ ତାରିଖ ରେ ମଧ୍ୟ ଉକ୍ତ ୪ଟି ଦଳର ପ୍ରତିନିଧିମାନେ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରି ନ୍ୟାୟ ବିଚାର ଦାବି କରିଥିଲେ।
ଏହି ପରିପ୍ରେକ୍ଷୀରେ ଏଠାରେ ଉଲ୍ଲେଖ କରିବାକୁ ଚାହୁଁଯେ ୨୦୨୩ ରେ‌ ସିଜିମାଳି ଅଞ୍ଚଳରେ ଖଣି ଖନନ ଆରମ୍ଭ ପର ଠାରୁ ଏହା କୁ ବିରୋଧ କରୁଥିବା ସ୍ଥାନୀୟ ଲୋକଙ୍କ ଉପରେ ପୋଲିସ ପ୍ରଶାସନ ଲଗାତର ଦମନ ଅତ୍ୟାଚାର ଚଳାଇ ଆସୁଛି। ଗତ ୮ ଡିସେମ୍ବର ୨୦୨୩ ରେ ଏକା ସାଙ୍ଗରେ ଏକା ଅଧିକାରୀ ଙ୍କ ଉପସ୍ଥିତି ରେ ୮ ଟି ଗ୍ରାମରେ ଜାଲ ଗ୍ରାମସଭା ଦର୍ଶାଇ ୫ମ ଅନୁସୂଚୀ ଅଞ୍ଚଳରେ ଆଦିବାସୀମାନଙ୍କ ପାଇଁ ରହିଥିବା ସ୍ବତନ୍ତ୍ର ଅଧିକାର, ଜଙ୍ଗଲ ଅଧିକାର ଆଇନ ୨୦୦୬ ଏବଂ ପେସା ଆଇନ ୧୯୯୬ କୁ ଖୋଲାଖୋଲି ଉଲଂଘନ କରିବା ସହ ବେଦାନ୍ତ କମ୍ପାନୀ ସ୍ୱାର୍ଥରେ ପ୍ରାକୃତିକ ପରିବେଶ,ଜମି, ଜଙ୍ଗଲ ଓ ଜଳ ସମ୍ପଦକୁ ନଷ୍ଟ କରି ସ୍ଥାନୀୟ ଜନସାଧାରଣଙ୍କୁ ସମ୍ପୂର୍ଣ୍ଣ ଧ୍ୱଂସ ମୁହଁକୁ ଠେଲି ଦିଆ ଯାଉଛି ।
ସେହିପରି କେନ୍ଦୁଝର ଜିଲ୍ଲାର ପାଟଣା, ସୁନ୍ଦରଗଡ଼ ଜିଲ୍ଲାର ଲାଞ୍ଜିବେର୍ଣ୍ଣା ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ କମ୍ପାନୀ ସ୍ୱାର୍ଥରେ ବଳ ପୂର୍ବକ ଜମି ଅଧିଗ୍ରହଣ ପାଇଁ ମସୁଧା ପୂର୍ଣ୍ଣମାତ୍ରାରେ ଜାରି ରହିଛି।
ଏହି ପରିପ୍ରେକ୍ଷୀରେ ଆଜି ଭୁବନେଶ୍ୱର ମାଷ୍ଟର କ୍ଯାଣ୍ଟିନ୍ ଠାରେ ଉକ୍ତ ୪ ଟି ଦଳ ପକ୍ଷରୁ ଅନୁଷ୍ଠିତ ବିକ୍ଷୋଭ ସମାବେଶରେ ସଭାପତିତ୍ବ କରିଥିଲେ ଏସ୍ ୟୁ ସି ଆଇ (କମ୍ୟୁନିଷ୍ଟ) ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ତଥା ଅଫିସ ସମ୍ପାଦକ କମ୍ରେଡ ସ୍ବୟଂପ୍ରଭା ନାୟକ ଏବଂ ବକ୍ତବ୍ୟ ରଖି ଥିଲେ ଏସ୍ ୟୁ ସି ଆଇ (କମ୍ୟୁନିଷ୍ଟ) ରାଜ୍ୟ କମିଟି ସଦସ୍ୟ କମ୍ରେଡ ପୂର୍ଣ୍ଣଚନ୍ଦ୍ର ବେହେରା, ସିପିଆଇ (ଏମ୍ ଏଲ୍) ରେଡ୍ ଷ୍ଟାର ର ରାଜ୍ୟ ସମ୍ପାଦକ କମ୍ରେଡ ପ୍ରମିଳା, ରାଜ୍ୟ କମିଟି ସଦସ୍ୟ କମ୍ରେଡ ବିଚିତ୍ର, ସିପିଆଇ (ଏମ୍ ଏଲ୍) ରାଜ୍ୟ ସମ୍ପାଦକ କମ୍ରେଡ ଶ୍ରୀକାନ୍ତ ମହାନ୍ତି, ରାଜ୍ୟ କମିଟି ସଦସ୍ୟ କମ୍ରେଡ ଜୟରାମ ଜେନା, ସିପିଆଇ (ଏମ୍ ଏଲ୍) ନିଉ ଡେମୋକ୍ରାସି ରାଜ୍ୟ କମିଟି ସଦସ୍ୟ କମ୍ରେଡ ପ୍ରତାପ ‌ପ୍ରଧାନ ପ୍ରମୁଖ ନେତାମାନେ।ବକ୍ତାମାନେ ସିଜିମାଳି ଘଟଣାର ବିଚାର ବିଭାଗୀୟ ତଦନ୍ତ ,ଗିରଫ କରାଯାଇଥିବା ସମସ୍ତ ନେତା ଓ ଅଧିବାସୀ ଙ୍କୁ ନିଃସର୍ତ୍ତ ଖଲାସ ଏବଂ ସମସ୍ତ ମିଥ୍ୟା ମକଦ୍ଦମା ପ୍ରତ୍ୟାହାର, ୫ ମ ଅନୁସୂଚୀ ଅଞ୍ଚଳରେ ଆଦିବାସୀମାନଙ୍କ ସ୍ବତନ୍ତ୍ର ଅଧିକାର, ଜଙ୍ଗଲ ଅଧିକାର ଆଇନ ୨୦୦୬ ଓ ପେସା ଆଇନ ୧୯୯୬ କୁ‌ କଡ଼ାକଡ଼ି ଲାଗୁ କରିବା ସହ ସିଜିମାଳି ସମେତ ରାଜ୍ୟରେ ସର୍ବତ୍ର କମ୍ପାନୀ ସ୍ୱାର୍ଥରେ ଲୋକଙ୍କୁ ଉଚ୍ଛେଦ ବନ୍ଦ କରିବା ପାଇଁ ଦାବି କରିବା ସହ ରାଜ୍ୟବ୍ୟାପୀ ଉକ୍ତ ଆନ୍ଦୋଳନ କୁ ଆହୁରି ଶକ୍ତିଶାଳୀ କରି ଗଢ଼ି ତୋଳିବା ପାଇଁ ସର୍ବ ସ୍ତରର ଶୁଭ ବୁଦ୍ଧି ସମ୍ପନ୍ନ ଜନସାଧାରଣ ଆଗେଇ ଆସିବାକୁ ଆହ୍ବାନ ଜଣାଇଥିଲେ।
‌ଏହି ଅବସରରେ ରାୟଗଡ଼ା ଜିଲ୍ଲାର ରାୟଗଡ଼ା , ଗୁଣୁପୁର, କୋରାପୁଟ ଜିଲ୍ଲାର କୋରାପୁଟ, ବୈପାରିଗୁଡାର, ଜୟପୁର, ବନ୍ଧୁଗାଁ, ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି, ଭଞ୍ଜନଗର, ପୁରୀ ଜିଲ୍ଲାର ପୁରୀ, ସତ୍ୟବାଦୀ, ଡେଲାଙ୍ଗ, ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର , ଧରାକୋଟ, ଖୋର୍ଦ୍ଧା , କଟକ ଜିଲ୍ଲାର କଟକ, କିଶୋର ନଗର,ବାରଙ୍ଗ, ଜଗତସିଂହପୁର, ନାଉଗାଁ, କେନ୍ଦ୍ରାପଡ଼ା, ରାଜକନିକା, ଯାଜପୁର ଜିଲ୍ଲାପାଳ, ଭଦ୍ରକ, ଭଣ୍ଡାରିପୋଖରୀ, ବାଲେଶ୍ଵର, ଭୋଗରାଇ, ଜଳେଶ୍ଵର, ମୟୁରଭଞ୍ଜ ଜିଲ୍ଲାର କପ୍ତିପଦା, ଠାକୁରମୁଣ୍ଡା, ବାରିପଦା, ବାଙ୍ଗିରିପୋଷି,ବିଶୋଇ , ଯଶିପୁର,ରରୁଆ , କେନ୍ଦୁଝର ଜିଲ୍ଲାର କେନ୍ଦୁଝର, ପାଟଣା, ହରିଚନ୍ଦନପୁର, ହାଟଡିହି,ସାହାରପଡା, ଢେଙ୍କାନାଳ ର ଗଅଦିଆ , ଢେଙ୍କାନାଳ ସଦର, ଅନୁଗୁଳ ଜିଲ୍ଲା ଏବଂ ଅନୁଗୁଳ ଜିଲ୍ଲାର କଣିହାଁ, କିଶୋର ନଗର, ଆଠମଲ୍ଲିକ, ଛେଣ୍ଡିପଦା, ତାଳଚେର , ବଲାଙ୍ଗୀର, ବେଲପଡ଼ା, ଖପ୍ରାଖୋଲ, ବରଗଡ଼, ସମ୍ବଲପୁରର ରେଢ଼ାଖୋଲ, ବାମରା,ବୈ।ଦ , ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର, ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା , ରାଜଗାଙ୍ଗପୁର,ବିଶ୍ରା , କୁତ୍ରା,ବଡ଼ଗାଁ ପ୍ରଭୃତି ସ୍ଥାନରେ ବିକ୍ଷୋଭ, ପ୍ରତିବାଦ ଶୋଭାଯାତ୍ରା, ସଭା କରାଯାଇ ସ୍ଥାନୀୟ କର୍ତ୍ତୁପକ୍ଷଙ୍କ ଜରିଆରେ ରାଜ୍ୟପାଳଙ୍କ‌ ଉଦେଶ୍ୟ ରେ ସ୍ମାରକ ପତ୍ର ପ୍ରେରଣ କରାଯାଇଛି।

Leave a Reply

Your email address will not be published. Required fields are marked *