ପାର୍ବଣର ଶରଦରେ ମହଙ୍ଗା ମାଡ

SK Dated 04.11.2026 –

ଅକ୍ଟୋବର-ନଭେମ୍ବର ମାସକୁ କୁହାଯାଏ ପାର୍ବଣ ରୁତୁ । ଦୁର୍ଗାପୂଜା, କାଳୀ ପୂଜା, ଗଜଲକ୍ଷ୍ମୀ ପୂଜା ଦିପାବଳୀ ପରକୁ ପର ଅଳ୍ପ ସମୟ ବ୍ୟବଧାନରେ ଆସିଥାଏ । ଏହି ସମୟରେ ବିଭିନ୍ନ ଭୋଟସର୍ବସ୍ୱ ଦଳ ଓ ସେମାନଙ୍କର ନେତାମାନଙ୍କ ବିରାଟ ବିରାଟ ଦାମୀ ରଙ୍ଗୀନ ହୋଡିଂ, କଟଆଉଟ୍ ଚାରିଆଡେ ଭରିଯାଏ । ଜୁଆଡେ ଚାହିଁଲେ ନେତାମାନଙ୍କ ବିଭିନ୍ନ ମୁଦ୍ରାରେ ହସ ହସ ମୁହଁର ଛବିସବୁ ନଜରରେ ପଡେ । ଖବର କାଗଜ, ଟେଲିଭିଜନରୁ ଆରମ୍ଭ କରି ବର୍ତ୍ତମାନ କୁହାଯାଉଥିବା ସାମାଜିକ ଗଣମାଧ୍ୟମରେ ଲୋକଙ୍କୁ ପୂଜା ଅଭିନନ୍ଦନର ସୁଅ ଛୁଟେ । କମ୍ପାନୀମାନଙ୍କ ମଧ୍ୟରେ କିଏ କେତେ ଅଫର ଦେଇ ଗ୍ରାହକମାନଙ୍କୁ ଆକର୍ଷିତ ଓ ପ୍ରଲୋଭିତ କରିପାରିବ, ତା’ର ପ୍ରତିଯୋଗିତା ଚାଲେ । କରଦାତା ଜନଗଣଙ୍କ କଷ୍ଟାର୍ଜିତ ଅକରେ ଗଠିତ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ସରକାର ନିଜର ସଫଳତାର ମନଗଢା କାହାଣୀ ପ୍ରଚାର କରନ୍ତି । ଚଳିତ ବର୍ଷ ରାଜ୍ୟରେ ୮ଥର ପ୍ରଳୟଙ୍କାରୀ ବନ୍ୟା ଓ ବିଭିନ୍ନ ସ୍ଥାନରେ ଦେଖାଦେଇଥିବା ମରୁଡିରେ ଜର୍ଜରିତ ଜନଗଣଙ୍କ ଦୁଃଖ ଅବସାଦକୁ ପୂଜାମଣ୍ଡପର ସ୍ୱର ଝଙ୍କାର, ସୁଶୋଭିତ ତୋରଣ, ମନଲୋଭା ବିଜ୍ଞାପନ କ’ଣ ଦୂର କରିପାରିବ? ପ୍ରାକୃତିକ ବିପର୍ଯ୍ୟୟ ଲୋକଙ୍କ ଅଣ୍ଟା ଭାଙ୍ଗି ଦେଇଛି । ଅଣ୍ଟା ଟିକେ ସଳଖ କରି ନିଜର ଉଜୁଡା ସଂସାରକୁ ସଜାଡିବା ପୂର୍ବରୁ ହିଁ ଆଉ ଏକ ମହା ଦୁର୍ଯୋଗ ମାଡି ଆସିଛି । ତା’ହେଲା ମହାଙ୍ଗା ମାଡ । ସେହି ବନ୍ୟା ସମୟରୁ ହିଁ ଦରଦାମ ବିଶେଷକରି ଖାଦ୍ୟ ସାମଗ୍ରୀ ଓ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦରବୃଦ୍ଧିରେ ଯେଉଁ ବନ୍ୟା ଆସିଥିଲା ତା’ ଥମିବାର ନାଁ ଧରୁନାହିଁ । ବନ୍ୟା ପ୍ରାକୃତିକ ନିୟମରେ ସାମୟିକ ହେଲେ ବି କମିଯାଇଛି କିନ୍ତୁ ବଜାରରେ ସୃଷ୍ଟି ହେଉଥିବା ଦରବୃଦ୍ଧିର ବନ୍ୟା ଫୁଲି ଫୁଲି ଚାଲିଛି । ବନ୍ୟା ସମୟରେ ଚିନି କେଜି ୮୦ଟଙ୍କା ହୋଇଯାଇଥିଲା । ମଝିରେ ୫ରୁ ୧୦ ଟଙ୍କା କମିଥିଲା । ବର୍ତ୍ତମାନ ପୁଣି ୭୦ଟଙ୍କା ହେଲାଣି । ଚାଉଳ କୁଇଣ୍ଟାଲ ପିଛା ଏକାଥରେ ୩୦୦ରୁ ୫୦୦ଟଙ୍କା ବୃଦ୍ଧି ପାଇଛି । ସବୁ ପ୍ରକାର ଡାଲିର ଦର କୁଇଣ୍ଟାଲ ପିଛା ୫୦୦ରୁ ୭୦୦ଟଙ୍କା ବୃଦ୍ଧି ହୋଇଛି । ହରଡ ଡାଲି କୁଇଣ୍ଟାଲ ୧୩,୫୦୦ ଟଙ୍କାରୁ ୧୪୦୦୦କୁ ବୃଦ୍ଧି ପାଇଛି । ରନ୍ଧନ ଗ୍ୟାସ ଦର ବୃଦ୍ଧି ହୋଇଛି । ସାଧାରଣ ସରୁ ଚାଉଳ ଏକାଥରକେ କ୍ୱିଣ୍ଟାଲ ୮୦୦ରୁ ୧୦୦୦ ଟଙ୍କା ଓ ସୁପର ଫାଇନ ଚାଉଳ ୧ହଜାରରୁ ୧୫ଶହ ଟଙ୍କା ବୃଦ୍ଧି ପାଇଛି । ଅଟାଦର ବି ବଢିଛି । ପୁଣି ଚଳିତ ମାସରୁ ଓମଫେଡ୍ କ୍ଷୀର ଲିଟର ପିଛା ୨ରୁ ୪ଟଙ୍କା ବୃଦ୍ଧି ହୋଇଛି । ବିଭିନ୍ନ ଦୁଗ୍ଧ କମ୍ପାନୀମାନେ ମଧ୍ୟ ଅନୁରୂପ ଦରବୃଦ୍ଧି କରିଛନ୍ତି । ପରିବା ବଜାରରେ ଏମିତି ନିଆଁ ଲାଗିଛି ଯେ, ସାଧାରଣ ଲୋକ ପରିବାରେ ହାତ ମାରିପାରୁନି । ମଧ୍ୟବିତ୍ତ ଲୋକ ଖୁବ ହିସାବ କରି ସାମାନ୍ୟ ପରିମାଣରେ ଯାହା କିଛି କିଣୁଛି । ଗରିବ ଲୋକର ଭାତ ଥାଳି ପାଖରୁ ତିଅଣ ଗିନା ଉଠିଗଲାଣି । ବଜାରରୁ ଚାଉଳ କିଣି ଖାଇବା କି କଷ୍ଟକର ଲୋକେ ତା ଅଙ୍ଗେ ନିଭାଉଛନ୍ତି । ଯେଉଁମାନେ ସରକାରୀ ଚାଉଳ ପାଉଛନ୍ତି ସେମାନଙ୍କ ପୁରା ପରିବାର ଦୁଇବେଳା ପେଟପୁରା ଖାଇ ବଂଚିବା ସମ୍ଭବ ନୁହେଁ । ଏଣେ ମାଗଣା ଚାଉଳ ତେଣ ମହଙ୍କା ଚାଉଳ, ମାଗଣା ଚାଉଳ ଦେବା କଥା କହି ଲୋକଙ୍କୁ ଭୁଆଁ ବୁଲା ଚାଲିଛି । ମାଗଣା ଚାଉଳ କଥାଟି ଭୁଲ୍ । କାରଣ ଲୋକଙ୍କ ପଇସାରେ ହିଁ ସରକାର ବଜାରରୁ ଚାଉଳ କ୍ରୟ କରନ୍ତି, ବିଜେପି ଦଳ ବା କୌଣସି ଦଳର ଦଳୀୟ ପାଣ୍ଠିରୁ ନୁହେଁ । ତେଣୁ ବିଜେପି ଦଳ ବା ବିଜେଡି ଦଳ ବା ଅନ୍ୟକୌଣସି ଦଳ ମାଗଣା ଚାଉଳ ଦେଉଛି, ତା’ ନୁହେଁ । ଅନ୍ୟପଟରେ ପ୍ରତିବର୍ଷ ପରି ଯେଉଁ ଚାଷୀ ୨ଟଙ୍କା, ୫ଟଙ୍କାରେ ଟମାଟର ବିକିଥିଲା, ସେ ଆଜି ଟମାଟର ୬୦,୭୦ଟଙ୍କା କେଜିରେ କିଣିବାକୁ ସାହସ କରିପାରୁନି । ପିଆଜ, ଅଦା, ରସୁଣର ଦରବୃଦ୍ଧି ତ ଆଉ ଆକାଶ ଛୁଆଁ ନୁହେଁ, ମହାକାଶ ଛୁଆଁ । ଛୋଟିଆ ଲେମ୍ବୁଟିଏର ଦାମ ବି ୧୦ଟଙ୍କା, ରୋଗୀଟିଏ ପାଇଁ ସାମାନ୍ୟ ଲେମ୍ବୁ ଟିଏ ବି ମିଳୁନି । ଆପେଲ, ଅଙ୍ଗୁର, ନାସପାତି ତ ବଡ ଲୋକଙ୍କ ଫଳ! ଏହାରି ଭିତରେ ଅତି ନିରବରେ ଘରୋଇ ତୈଳ ଓ ଗ୍ୟାସ କମ୍ପାନୀ ନାୟାରା ଏବଂ ଜିଓ-ବିପି ଉଭୟ ପେଟ୍ରୋଲ ଦର ଲିଟର ପିଛା ୫ଟଙ୍କା ଓ ଡିଜେଲ ଦର ଲିଟର ପିଛା ୩ଟଙ୍କା ବୃଦ୍ଧି କରିଛି । ଏହି ଦରବୃଦ୍ଧି ଅକ୍ଟୋବର ୧୧ତାରିଖ ସକାଳ ୬ଟାରୁ କାର୍ଯ୍ୟକାରୀ ହୋଇଛି । ପୂର୍ବରୁ କୌଣସି ସୂଚନା ନାହିଁ । ହଠାତ୍ ସକାଳୁ ଗ୍ରାହକମାନଙ୍କ ଉପରେ ଏହି ବଜ୍ରପାତ । ଏହାପରେ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ବି ଦର ବଢେଇବେ ତା’ର ଆଭାସ ମିଳିଗଲାଣି । ତେଣୁ ପରିବହନ ଖର୍ଚ୍ଚ ଦରଦାମ ବୃଦ୍ଧି ନିଆଁରେ ଆହୁରି ଘିଅ ଢାଳି ଦେଇଛି । ଅନ୍ୟପଟରେ ଲୋକଙ୍କ ଯାତାୟତ ଖର୍ଚ୍ଚ ବି ଦିନକୁ ଦିନ ବଢି ବଢି ଚାଲିଛି । ସରକାରୀ ଘୋଷିତ ଭଡାଠୁ ବି ଘରୋଇ ବସମାଲିକ ମାନେ ମନଇଚ୍ଛା ଭଡା ଆଦାୟ କରୁଛନ୍ତି । ସରକାରଙ୍କ ପରିବହନ ବିଭାଗ ଖାଲି ଆଖି ବୁଜି ଦେଇନି, ଏହାକୁ ପ୍ରଶ୍ରୟ ଦେଇଚାଲିଛି । ପୂଜା ସମୟରେ ତ ଯାତ୍ରୀମାନଙ୍କ ପାଖରୁ ଭଡା ଆଦାୟ ନାଁରେ ଲୁଟତରାଜ ଚାଲେ ।
ବିଜେପିର ଡବଲ ଇଂଜିନ ସରକାର ଶାସିତ ଓଡିଶା ଭାରତର ଦ୍ୱିତୀୟ ମହଙ୍ଗା ବଜାର । ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଗତ ସେପ୍ଟେମ୍ବର ମାସରେ ଖୁଚୁରା ମୁଦ୍ରସ୍ପିତି ୬% ପାର କରି ୬.୭% ଛୁଇଁଛି । ଏହା ଜାତୀୟ ମୁଦ୍ରସ୍ଫିତି ହାର ୫.୫୪% ରୁ ୧.୧୬% ଅଧିକ । ଅଗଷ୍ଟ ମାସରୁ ଉପରମୁହାଁ ଥିବା ମୁଦ୍ରସ୍ଫିତି ବଢି ବଢି ଚାଲିଛି । ଏହାର ଅର୍ଥ, ଟଙ୍କାର ମୂଲ୍ୟ କମୁଛି । ସମାନ ପରିମାଣର ଜିନିଷ କିଣିବା ପାଇଁ ପୂର୍ବ ତୁଳନାରେ ଅଧିକ ଟଙ୍କା ବ୍ୟୟ କରିବାକୁ ପଡୁଛି । କିନ୍ତୁ ଲୋକଙ୍କ ପକେଟକୁ ଅଧିକ ଟଙ୍କା ଆସୁନି ବରଂ ଟଙ୍କା କମି କମି ଯାଉଛି । କାରଣ ବି ଜଣା । ନା କାମ ମିଳୁଛି, ନା କୌଣସି ସ୍ଥାୟୀ ରୋଜଗାର ଅଛି, ନା ଯେଉଁମାନଙ୍କର କିଛି ରୋଜଗାର ଅଛି, ସେଠି ମିଳୁଥିବା ପଇସା ବଢୁଛି । ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟର ତଥ୍ୟ ଅନୁସାରେ ନିତ୍ୟବ୍ୟବହାର୍ଯ୍ୟ ତଥା ଖାଦ୍ୟ ସାମଗ୍ରୀର ମୁଦ୍ରସ୍ଫିତି ସର୍ବାଧିକ । ରକେଟ ଗତିରେ ଏହା ବୃଦ୍ଧି ପାଇ ଚାଲିଛି । ସେପ୍ଟେମ୍ବର-ଅକ୍ଟୋବର ମାସରେ ଖାଦ୍ୟ ସାମଗ୍ରୀର ମୁଦ୍ରାସ୍ଫିତି ୫.୯୭ ପ୍ରତିଶତରୁ ୭.୯୪ ପ୍ରତିଶତକୁ ବୃଦ୍ଧି ପାଇଛି । ଅଗଷ୍ଟ ମାସରେ ଯାହା ଥିଲା ୫.୯୭ ପ୍ରତିଶତ । ତେବେ ଲକ୍ଷଣୀୟ ବିଷୟ ହେଲା, ଗ୍ରାମାଂଚଳରେ ଖାଦ୍ୟ ସମାଗ୍ରୀର ଦରଦାମ ବୃଦ୍ଧି ଅଧିକ । ଅନ୍ୟଦିଗରେ କଂଜ୍ୟୁମର ଫୁଡ୍ ପ୍ରାଇସ୍ ଇଣ୍ଡେକ୍ସ ବା ଉପଭୋକ୍ତା ଖାଦ୍ୟ ମୂଲ୍ୟ ସୂଚକାଙ୍କ(ସି.ଏଫ୍‌.ପି.ଆଇ) ୧୦୮.୭୪ ପ୍ରତିଶତରୁ ବୃଦ୍ଧି ପାଇ ୧୦୯.୪୯ ପ୍ରତିଶତରେ ପହଞ୍ôଚଛି । ବିଶେଷକରି ୪ଟି ଖାଦ୍ୟ ସାମଗ୍ରୀ ପିଆଜ, ରସୁଣ, ଅଦା ଓ ଲେମ୍ବୁରେ ମୁଦ୍ରାସ୍ଫିତି ସର୍ବାଧିକ ୧୦୮.୦୯ ପ୍ରତିଶତ । ସେପ୍ଟେମ୍ବର ଶେଷ ସପ୍ତାହରୁ ଚିନି ୧୦.୧୬ ପ୍ରତିଶତ, କ୍ଷୀର ୬.୧୭ ପ୍ରତିଶତ, ଡାଲି ୪.୬୮ ପ୍ରତିଶତ, ଅଟା ୬.୬୭ ପ୍ରତିଶତ ମହଙ୍ଗା ହୋଇଛି । ବ୍ୟବସାୟୀମାନେ ମଧ୍ୟ ସୂଚନା ଦେଲେଣି, ଆଗକୁ ଏହା ଆହୁରି ବୃଦ୍ଧି ପାଇବ । ରାଜ୍ୟ ବ୍ୟବସାୟୀ ସଂଘ ସତ କଥାଟିଏ କହିଛି, ବର୍ତ୍ତମାନ ପୁରା ବଜାରକୁ ବୃହତ କର୍ପୋରେଟ ସଂସ୍ଥାମାନେ ନିୟନ୍ତ୍ରଣ କରୁଛନ୍ତି । ଏହି ବୃହତ କର୍ପୋରେଟମାନେ କିଏ? ସେମାନେ ହେଲେ ଏକଚାଟିଆ ପୁଞ୍ଜିପତି । ବଜାର ବିଶେଷକରି ଖାଦ୍ୟ ବଜାରର କେନ୍ଦ୍ରୀକରଣ ବୃଦ୍ଧିପାଇଛି । ଅର୍ଥାତ୍ ଦେଶର ସମଗ୍ର ଖାଉଟି ବଜାର ମୁଷ୍ଟିମେୟ ଏକଚାଟିଆ ପୁଞ୍ଜିପତିମାନଙ୍କ ନିୟନ୍ତ୍ରଣକୁ ଚାଲିଯାଇଛି । ରାଜ୍ୟର ଯୋଗାଣ ମନ୍ତ୍ରୀଙ୍କର କୌଣସି ପ୍ରତିକ୍ରିୟା ଏପର୍ଯ୍ୟନ୍ତ ଶୁଣିବାକୁ ମିଳିନି । ତେବେ ଗତବର୍ଷ ଦରବୃଦ୍ଧି ସମୟରେ ଅଳ୍ପ ଖାଇ ସଂସାର ଚଳାଇବାକୁ ସେ ପରାମର୍ଶ ଦେଇଥିଲେ । ଯେମିତି ପିଆଜର ଅହେତୁକ ଅସ୍ୱାଭାବିକ ଦରବୃଦ୍ଧି ସମୟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିଜେ ନିରାମିଶ ଖାଆନ୍ତି, କେବେ ପିଆଜ କିଣନ୍ତିନି, ଲୋକେ ବି ତାଙ୍କୁ ଅନୁକରଣ କରିବାକୁ ପାର୍ଲିଆମେଣ୍ଟ ଭିତରେ ହିଁ ଅତି ନିର୍ଲଜ ଦାୟିତ୍ୱହୀନ ମନ୍ତବ୍ୟ ଦେଇଥିଲେ । ସାଧ।।ରଣ ଲୋକଙ୍କ ପ୍ରତି ଏହା କ୍ରୁର ଉପହାସ ଛଡା କ’ଣ ହୋଇପାରେ? ତେବେ ୨୦୧୪ରେ ତତ୍‌କାଳୀନ କଂଗ୍ରେସ ପରିଚାଳିତ ଉପା ସରକାର ସମୟରେ ଦରଦାମ ବୃଦ୍ଧିରେ ଅତିଷ୍ଠ ଜନସାଧାରଣଙ୍କୁ ବିଜେପି ଆଶାପୂର୍ଣ୍ଣ ମନଲୋଭା ପ୍ରତିଶୃତି ଦେଇଥିଲା । ‘ବହତ ହୁଆ ମହଙ୍ଗାଇ କା ମାର, ଅବକି ବାର ମୋଦି ସରକାର’ । ଆଉ ସରକାରକୁ ଆସିଲା ପରେ ଜନଗଣଙ୍କ ପ୍ରତି ଏହିଭଳି ଉପହାସପୂର୍ଣ୍ଣ ମନ୍ତବ୍ୟ ଦେଇ ଚାଲିଛନ୍ତି । ବିଜେପି ଦଳର କିଛି ନେତା ମନ୍ତ୍ରୀ ତଥା ତାଙ୍କର ବୋଲକରା ବୁଦ୍ଧିଜୀବୀ ସେହି ‘ଯୋଗାଣ-ଚାହିଦା’(ଊରଜ୍ଞବଦ୍ଭୟ ଌ ଝଙ୍କକ୍ଟ୍ରକ୍ଟ୍ରକ୍ଷଚ୍ଚ) ତତ୍ତ୍ୱର ଦ୍ୱାହି ଦେଉଛନ୍ତି । ଯୋଗାଣ କମ ଅଛି, ଚାହିଦା ଅଧିକ । ତେଣୁ ଦରବୃଦ୍ଧି ସ୍ୱାଭାବିକ, ଏହାକୁ ସହିନେବାକୁ ହେବ । ଯୋଗାଣ ବଢିଲେ ଦର କମିବ । ଏହାର ଅର୍ଥ ହେଲା, ଯେତେବେଳେ ଚାଷୀ ଉତ୍ପାଦନ କରିବ, ବଜାରରେ ଆଳୁ ପିଆଜ ଟମାଟର ଭଳି କୃଷିଜାତ ଦ୍ରବ୍ୟ ପ୍ରଚୁର ପରିମାଣରେ ଆସିବ, ସେତେବେଳେ ଶସ୍ତା ହେବ । ତେବେ ଏହା ସମସ୍ତଙ୍କୁ ଜଣା, ଦିନେ ଦୁଇଦିନ ବଜାର ଶସ୍ତା ହୁଏ । କରଜ କରି ବନ୍ୟା, ବାତ୍ୟାକୁ ସାମ୍ନାକରି, ଗାଈ ଗୋରୁ ତଥା ଜଙ୍ଗଲୀ ଜାନୁଆର ସହିତ ସଂଘର୍ଷ କରି ଫଳାଇଥିବା ଫସଲକୁ ଚାଷୀ ଅଦର ଦରରେ କାନ୍ଦି କାନ୍ଦି ବଜାରରେ ବିକ୍ରୀ କରେ । ସାଧାରଣ ଲୋକ କେତେ ବା କିଣିବେ? ବଡ ବଡ ପୁଞ୍ଜିପତିଙ୍କ ଗୋଦାମକୁ ସମସ୍ତଙ୍କ ଆଖି ଆଗରେ ସବୁ ଚାଲିଯାଏ । ସେମାନଙ୍କ ମୁହଁରେ ହସ ଫୁଟେ । ଚାଷୀ କାନ୍ଦି କାନ୍ଦି ମରେ । କେତେବେଳେ ନିଜେ ତ କେତେବେଳେ ସପରିବାର ଆତ୍ମହତ୍ୟା କରେ । ବିଜେପି ଦଳ ରାଜ୍ୟର ସରକାରୀ କ୍ଷମତାକୁ ଏକକ ଭାବେ ଆସିବା ପୂର୍ବରୁ ୨୦୨୪ରେ ନିର୍ବାଚନୀ ପ୍ରତିଶ୍ରୁତି ଦେଇଥିଲା, ସମସ୍ତ ବ୍ଲକ୍‌ରେ ସରକାରୀ ଶୀତଳ ଭଣ୍ଡାର ନିର୍ମାଣ ହେବ, ଚାଷୀମାନେ ସେଠି ସୁଲଭ ମୂଲ୍ୟରେ ନିଜର କୃଷି ଜାତ ଦ୍ରବ୍ୟ ଗଚ୍ଛିତ ରଖିପାରିବେ । ଚାଷୀ ଶୋଷଣ ବନ୍ଦ ହେବ । ଡବଲ ଇଂଜିନ ସରକାର ତ ୩ବର୍ଷ ପୂରଣ କରିବାକୁ ଯାଉଛି । ୩୦ଟା ଛାଡନ୍ତୁ, ୩ଟି ବ୍ଲକ୍‌ରେ ଶୀତଳ ଭଣ୍ଡାର ହୋଇଛି କି?
ତେଣୁ ପାର୍ବଣ ଋତୁରେ ବିଜେପି ଦଳ ଓ ଏହାର ନେତାମାନେ, ସରକାରରେ ଥିବା ମନ୍ତ୍ରୀମାନେ ଯେତେ ଦୁର୍ଗା, ଲକ୍ଷ୍ମୀଙ୍କ ମୂଲ୍ୟବାନ ପେଣ୍ଟାଲ ଆଗରେ ଧର୍ମର ବାଣୀ ଶୁଣାଇଲେ ବି ଏମାନଙ୍କ ପ୍ରକୃତ କର୍ମ କାହାରିକୁ ଅଛପା ନାହିଁ । ଲୋକେ ତ ବୁଝୁଛନ୍ତି । ପର୍ବବେଳେ ସେମାନେ ଯା’ ହେଲେ ବି, ଧାର କରଜ କରି ପଛେ ହେଉ ବଜାରରୁ ଅଧିକ କିଛି କିଣିବେ, ବଜାରରେ ମିଠା ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀର ଚାହିଦା ବଢିବ । ଏହି ସମୟ ହେଉଛି ଲୋକଙ୍କ ପକେଟକାଟି କମ୍ପାନୀଙ୍କର ପକେଟ ଭରିବାର ପ୍ରକୃଷ୍ଟ ସମୟ । ସବୁବେଳେ ତ ଲୁଟ ଚାଲେ କିନ୍ତୁ ପର୍ବପର୍ବାଣୀ ସମୟରେ ଲୁଟର ଅପୂର୍ବ ସୁଯୋଗ ଆସିଥାଏ । ଏହାକୁ କଣ ହାତଛଡା କରାଯାଇପାରେ? ଡବଲ ଇଂଜିନ ସରକାର ଏହି କମ୍ପାନୀମାନଙ୍କ ଦୟାରେ ତ କ୍ଷମତାକୁ ଆସିଛି । ଏ ତ ଲୋକଙ୍କ ସରକାର ନୁହେଁ, ଲୋକଙ୍କ କଥା ବୁଝିବ? ଧର୍ମ ଫର୍ମ ସବୁ ତ ସେହି ଭୋଟ ପାଇଁ । କମ୍ପାନୀକୁ ସୁରକ୍ଷା ଦେବାପାଇଁ, ଗରିବଙ୍କୁ ଲୁଟି ସେମାନଙ୍କ ଲାଭର ପାହାଡ ବୃଦ୍ଧି କରିବା ପାଇଁ ଯେ ଏମାନଙ୍କ ଏକମାତ୍ର ଲକ୍ଷ୍ୟ । ଏହି ବେଲଗାମ ଦରବୃଦ୍ଧି ସରକାରଙ୍କ ସେହି କମ୍ପାନୀ ତୋଷଣ, ଗରୀବ ମାରଣ ନୀତିର ହିଁ ନମୂନା । ତେଣୁ କିଛି ସଚେତନ ଲୋକ କହୁଛନ୍ତି । ଏହା ହେଲା ପାର୍ବଣ ଶୋଷଣ । ପାର୍ବଣର ଶରଦରେ ମହଙ୍ଗା ମାଡ ।

Leave a Reply

Your email address will not be published. Required fields are marked *