ଏସଆଇଆର ରଦ୍ଦ, ତ୍ରୁଟିପୂର୍ଣ୍ଣ ବହି ପ୍ରତ୍ୟାହାର ଓ ବନ୍ୟା ବିପନ୍ନଙ୍କୁ ଆବଶ୍ୟକ ସହାୟତା ଦାବିରେ ଏସୟୁସିଆଇ(କମ୍ୟୁନିଷ୍ଟ) ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ରାଜ୍ୟବ୍ୟାପୀ ଆନ୍ଦୋଳନ

SK Dated 04.11.2026 –

ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା, ଏସଆଇଆର(SIR) ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ରଦ୍ଦ କରିବା, ଷଡ଼ଯନ୍ତ୍ରପୂର୍ଣ୍ଣ ଭାବରେ ସମଗ୍ର ଦେଶରେ ଭୋଟର ତାଲିକାରୁ ବାଦ୍ ଦିଆଯାଇଥିବା ପ୍ରାୟ ୧୪ କୋଟି ଲୋକଙ୍କ ନାମ ପୁନର୍ବାର ଭୋଟର ତାଲିକାରେ ଯୁକ୍ତ କରିବା, ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନଙ୍କ ପାଇଁ ପ୍ରଣୀତ ତ୍ରୁଟିପୂର୍ଣ୍ଣ ଓ ଅବୈଜ୍ଞାନିକ ପାଠ୍ୟ ପୁସ୍ତକ ତୁରନ୍ତ ପ୍ରତ୍ୟାହାର କରିବା, ରାଜ୍ୟ ସରକାରଙ୍କ ଅପରାଧୀସୁଲଭ ଅବହେଳା ପାଇଁ ଚଳିତବର୍ଷ ବାରମ୍ବାର ସୃଷ୍ଟି ହୋଇଥିବା ବନ୍ୟାରେ କ୍ଷତିଗ୍ରସ୍ତ ଲୋକଙ୍କ ନିମନ୍ତେ ତୁରନ୍ତ ଆବଶ୍ୟକ କ୍ଷତିପୂରଣ ଓ ଉପଯୁକ୍ତ ଥଇଥାନ ବ୍ୟବସ୍ଥା କରିବା ସଙ୍ଗେସଙ୍ଗେ ବନ୍ୟା, ମରୁଡ଼ି ଓ ବାତ୍ୟାର ସ୍ଥାୟୀ ପ୍ରତିକାର କରିବା ଦାବିରେ ଏସ୍‌ୟୁସିଆଇ(କମ୍ୟୁନିଷ୍ଟ), ଓଡିଶା ରାଜ୍ୟ କମିଟି ପକ୍ଷରୁ ଅକ୍ଟୋବର ୬ ରୁ ୧୨ ତାରିଖ ପର୍ଯ୍ୟନ୍ତ ଆଞ୍ଚଳିକ ସ୍ତରରେ ବ୍ୟାପକ ସଂଖ୍ୟକ ସାଧାରଣ ଲୋକଙ୍କୁ ଜଡ଼ିତକରି ଆନ୍ଦୋଳନ ଗଢ଼ିତୋଳିବା ପାଇଁ ଆହ୍ୱାନ ଦିଆଯାଇଥିଲା ।
ଏଠାରେ ସୂଚନାଯୋଗ୍ୟ ସମଗ୍ର ଦେଶର ଭୋଟର ତାଲିକାକୁ ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ କରିବା ଆଳରେ ଜ୍ଞାନେଶ କୁମାରଙ୍କ ନେତୃତ୍ୱରେ ପରିଚାଳିତ ନିର୍ବାଚନ କମିଶନ ପକ୍ଷରୁ ୨୦୨୫ ମସିହା ଜୁନ ମାସ ୨୪ ତାରିଖରେ ଦେଶର ନିର୍ବାଚନୀ ଇତିହାସରେ ପ୍ରଥମଥର ପାଇଁ ଭୋଟର ତାଲିକାର ବିଶେଷ ସଘନ ଯାଞ୍ଚ ବା ଏସ୍‌ଆଇଆର ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ଏହି ଏସଆଇଆର ପର୍ଯ୍ୟାୟ କ୍ରମେ ସମଗ୍ର ଦେଶରେ ଲାଗୁ କରାଯିବ ବୋଲି ମଧ୍ୟ ସେହି ସମୟରେ ହିଁ ନିର୍ବାଚନ କମିଶନ ପକ୍ଷରୁ ଘୋଷଣା କରଯାଇଥିଲା । ଏସଆଇଆର ପ୍ରକ୍ରିୟାର ସମର୍ଥନରେ କେନ୍ଦ୍ର ଗୃହମନ୍ତ୍ରୀ ଓ ବିଜେପି ଦଳର ଅନ୍ୟାନ୍ୟ ମନ୍ତ୍ରୀ ଓ ନେତା ମାନେ କହିଥିଲେ ଯେ, ଜାଲିଆତି କରି ଆଧାର କାର୍ଡ, ଭୋଟର କାର୍ଡ ଓ ଅନ୍ୟାନ୍ୟ ସରକାରୀ କାଗଜପତ୍ର ହାସଲକରି ଭୋଟର ତାଲିକାରେ ନାମ ଉଠାଇବା ସହିତ ବେଆଇନ ଭାବରେ ଦେଶରେ ରହିଥିବା ଅବୈଧ ଅନୁପ୍ରବେଶକାରୀ ମାନଙ୍କୁ ଚିହ୍ନଟ କରି ଦେଶରୁ ବିତାଡ଼ିତ କରିବା ଉଦ୍ଦେଶ୍ୟରେ ଏସଆଇଆର କରାଯାଉଛି । ତେବେ ବିହାରରେ ଏସଆଇଆର ଲାଗୁହେବା ସମୟରେ ହିଁ ଏସୟୁସିଆଇ(କମ୍ୟୁନିଷ୍ଟ) ପାର୍ଟି ପକ୍ଷରୁ ନିର୍ବାଚନ କମିଶନରଙ୍କ ଏହି ପଦକ୍ଷେପକୁ ଦୃଢ଼ ବିରୋଧ କରାଯାଇଥିଲା । କୁହାଯାଇଥିଲା ଯେ, ଏସଆଇଆର୍ ପ୍ରକ୍ରିୟାରେ ଦେଶର ସମସ୍ତ ନାଗରିକଙ୍କୁ ପ୍ରଥମ ଦୃଷ୍ଟିରେ ଅବୈଧ ବୋଲି ଧରିନିଆଯାଉଛି ଏବଂ ପ୍ରତ୍ୟେକ ବ୍ୟକ୍ତିଙ୍କୁ ନିଜର ନାଗରିକତା ପ୍ରମାଣ କରିବାକୁ ବାଧ୍ୟ କରାଯାଉଛି । ଏହା ଫଳରେ ସ୍ୱାଭାବିକ ନ୍ୟାୟ (Natural Justice)ର ସିଦ୍ଧାନ୍ତକୁ ଓଲଟାଇ ଦିଆଯାଇଛି । ଅବୈଧ ଅନୁପ୍ରବଶକାରୀ ଖୋଜି ବାହାର କରିବା ଓ ସେମାନଙ୍କୁ ଆଇନସମ୍ମତ ଭାବରେ ବହିଷ୍କାର କରିବା ଦାୟିତ୍ୱ କେନ୍ଦ୍ର ଗୃହ ମନ୍ତ୍ରାଳୟର । ଏଥିପାଇଁ ସୁନିର୍ଦ୍ଦିଷ୍ଟ ଆଇନଗତ ବିଧି ବ୍ୟବସ୍ଥା ରହିଛି । ମାତ୍ର ନିର୍ବାଚନ କମିଶନଙ୍କୁ ବ୍ୟବହାର କରି ସମସ୍ତ ନାଗରିକ ମାନଙ୍କର ଦଲିଲ ଦସ୍ତାବିଜ ଖୋଜିବା ଓ ଆବଶ୍ୟକ କାଗଜପତ୍ର ନଥିଲେ ସେମାନଙ୍କ ନାମ ଭୋଟର ତାଲିକାରୁ ବାଦ୍ ଦେଇ ସେମାନଙ୍କର ନାଗରିକତା ଉପରେ ପ୍ରଶ୍ନଚିହ୍ନ ଲଗାଇବା କେବଳ ଆଇନ ବିରୋଧୀ ନୁହେଁ, ଅନ୍ୟାୟ ଓ ଜନବିରୋଧୀ ମଧ୍ୟ । ସ୍ୱାଭାବିକ ଭାବରେ ଏହି ପ୍ରକ୍ରିୟାରେ ବିପୁଳ ସଂଖ୍ୟକ ଭାରତୀୟ ନାଗରିକ ଆବଶ୍ୟକ କାଗଜପତ୍ର ଦେଖାଇ ନପାରି ନିଜର ଭୋଟ ଦେବାର ଅଧିକାର ହରାଇବେ ବୋଲି ଆଶଙ୍କା ପ୍ରକାଶ କରାଯାଇଥିଲା । ଏହି ପ୍ରକ୍ରିୟାରେ ସଂଖ୍ୟାଲଘୁ, ମହିଳା, ସାମାଜିକ ଓ ଅର୍ଥନୈତିକ ଭାବରେ ଦୁର୍ବଳ ଜନ ଗୋଷ୍ଠି ତଥା ପ୍ରବାସୀ ଶ୍ରମିକ ମାନେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେବେ ବୋଲି ଦଳ ପକ୍ଷରୁ ଆଶଙ୍କା ପ୍ରକାଶ କରଯାଇଥିଲା । ଆମର ଆଶଙ୍କାକୁ ସତ୍ୟ ପ୍ରମାଣିତ କରି ବିହାରରେ ଭୋଟର ତାଲିକାରୁ ୪୭ ଲକ୍ଷ ଲୋକଙ୍କ ନାମ ଭୋଟର ତାଲିକାରୁ ବାଦ୍ ଦିଆଗଲା । ମାତ୍ର ଏହି କସରତ ଜରିଆରେ କେତେ ଜଣ ବଙ୍ଗଳାଦେଶୀ ଓ ରୋହିଙ୍ଗିଆ ଅନୁପ୍ରବେଶକାରୀଙ୍କ ନାମ ଭୋଟର ତାଲିକାରୁ ବାଦ୍ ପଡ଼ିଲା ସେକଥା ନିର୍ବାଚନ କମିଶନ କିମ୍ବା କେନ୍ଦ୍ର ସରକାର ପ୍ରକାଶ କଲେନାହିଁ । ବିହାର ପରେ ଦ୍ୱିତୀୟ ଦଫାରେ ପଶ୍ଚିମବଙ୍ଗ ସମେତ ୯ ଟି ଓ ତୃତୀୟ ଦଫାରେ ଓଡ଼ିଶା ସମେତ ୧୬ ଟି ରାଜ୍ୟ ଓ ୩ ଟି କେନ୍ଦ୍ରଶାସିତ ଅଞ୍ଚଳରେ ଏସଆଇଆର୍ ପ୍ରକ୍ରିୟା ଶେଷ ହୋଇଛି । ଅର୍ଥାତ ବର୍ତ୍ତମାନ ପ୍ରାୟ ସମଗ୍ର ଦେଶରେ ଏହି ପ୍ରକ୍ରିୟା ଶେଷ ହୋଇଛି ଓ ସମଗ୍ର ଦେଶରୁ ପ୍ରାୟ ୧୪ କୋଟି ଲୋକଙ୍କ ନାମ ଭୋଟର ତାଲିକାରୁ ବାଦ୍ ଦିଆଯାଇଛି । ତେବେବି ସମଗ୍ର ଦେଶରୁ କେତେ ବଙ୍ଗଳାଦେଶୀ ଓ ରୋହିଙ୍ଗିଆ ଅନୁପ୍ରବେଶକାରୀ ବାହାରିଲେ ତାର ହିସାବ କେହି ଜାଣିନାହିଁ ।
ଏଠାରେ ସୂଚନାଯୋଗ୍ୟ ବିଧାନସଭା ନିର୍ବାଚନ ମୁହାଁ ପଶ୍ଚିମବଙ୍ଗ ସମେତ ଦ୍ୱିତୀୟ ଦଫାରେ ଏସଆଇଆର କରାଯାଇଥିବା ରାଜ୍ୟ ମାନଙ୍କର ନିର୍ବାଚନ କମିଶନ ଗୋଟିଏ ନୂଆ ବ୍ୟବସ୍ଥା ଲଗୁକଲେ, ଏହାକୁ ଲଜିକାଲ ଡିସକ୍ରିପାନ୍‌ସି (logical discrepancy) କୁହାଯାଏ । ଏହି ବ୍ୟବସ୍ଥା ଲଗୁକରି ପଶ୍ଚିମବଙ୍ଗର ୨୭. ୧୬ ଲକ୍ଷ ଭୋଟରଙ୍କ ନାମ ଭୋଟର ତାଲିକାରୁ କାଟି ଦିଆଗଲା । ନାମ କାଟି ଦିଆଯାଇଥିବା ଲୋକ ନିଜ ନାମ ପୁନର୍ବାର ଭୋଟର ତାଲିକାରେ ଯୁକ୍ତ କରିବା ପାଇଁ ଟ୍ରିବ୍ୟୁନାଲ ଆବେଦନ କରିଛନ୍ତି ଏବଂ ସେମାନଙ୍କ ଆବେଦନ ବିଚାରାଧୀନ ରହିଛି । ଏହିଭଳି ବିପୁଳ ସଂଖ୍ୟକ ଭୋଟରଙ୍କ ଆବେଦନ ବିଚାରାଧୀନ ଥିବାବେଳେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ କରାଗଲା । ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଭାବରେ ସୁପ୍ରିମ କୋର୍ଟ ମଧ୍ୟ ଏହିଭଳି ଏକ ସମ୍ପୁର୍ଣ୍ଣ ବେଆଇନ କାମପାଇଁ ନିର୍ବାଚନ କମିଶନଙ୍କ ପଦକ୍ଷେପକୁ ଅନୁମୋଦନ କଲା । ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗଣତାନ୍ତ୍ରିକ ମୂଲ୍ୟବୋଧ, ପରମ୍ପରା ଓ ନିର୍ବାଚନ ପରିଚାଳନାରେ ଘୋଷିତ ନିରପେକ୍ଷତାକୁ ପଦଦଳିତ କରି, ନିର୍ବାଚନକୁ ସମ୍ପୂର୍ଣ୍ଣ ପ୍ରହସନରେ ପରିଣତ କରି, ବିଜେପି ଦଳକୁ ନିର୍ବାଚନରେ ବିଜୟୀ କରାଗଲା ।
ଏହିଭଳି ଭାବରେ ବିଭିନ୍ନ ରାଜ୍ୟରେ ଆସନ୍ତା ବର୍ଷ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ଓ ୨୦୨୯ ମସିହା ସାଧାରଣ ନିର୍ବାଚନରେ ବିଜେପିକୁ ଜୟଯୁକ୍ତ କରାଇବା ଉଦ୍ଦେଶ୍ୟରେ ସମଗ୍ର ଦେଶର ଭୋଟର ତାଲିକାରୁ ୧୪ କୋଟି ଲୋକଙ୍କ ଭୋଟ ଅତ୍ୟନ୍ତ ମନମୁଖୀ ଭାବରେ କାଟି ଦିଆଯାଇଛି । ଏହା ବ୍ୟତୀତ ୧୮ ବର୍ଷରେ ପଦାର୍ପଣ କରିଥିବା ନୂଆ ଭୋଟର ମାନଙ୍କ ନାମ ଭୋଟର ତାଲିକାରେ ଉଠାଇବା ପାଇଁ ଉଦ୍ଦିଷ୍ଟ ଫର୍ମ ୬ରେ ପରିବର୍ତ୍ତନ କରିବା ଓ ଫର୍ମ ସହିତ ପୂର୍ବରୁ ନଥିବା କେତେକ ତଥ୍ୟ ପ୍ରଦାନ କରିବା ବାଧ୍ୟତାମୂଳକ କରାଯାଇଛି । ମୁଖ୍ୟ ନିର୍ବାଚନ କମିଶନରଙ୍କ ଜ୍ଞାତସାରରେ ଭୋଟର ତାଲିକାରୁ ନାମ କାଟିବା ପାଇଁ ବ୍ୟବହାର କରାଯାଉଥିବା ଫର୍ମ ୭ କୁ ହଜାର ହଜାର ସଂଖ୍ୟାରେ ବିଜେପି ବିରୋଧୀ ଲୋକଙ୍କ ଭୋଟ କାଟିବା ପାଇଁ ଅଜଣା ଲୋକଙ୍କଦ୍ୱରା ଦାଖଲ କରାଯାଉଛି । ଏହା ବ୍ୟତୀତ ରମସ.ଦ୍ଭରଗ୍ଧ ନାମକ ଏକ ସଫ୍ଟୱେଆର ବ୍ୟବହାର କରି ସମଗ୍ର ଦେଶର ଭୋଟର ତାଲିକାକୁ ମୁଖ୍ୟ ନିର୍ବାଚନ କମିଶନର ଓ ତାଙ୍କର କେତେଜଣ ବିଶ୍ୱସ୍ତ କର୍ମଚାରୀ ମାନଙ୍କ ହାତରେ ରଖାଯାଇଛି । ଏପରିକି ବୁଥ ସ୍ତରରେ ବିଏଲ୍‌ଓ ଏବଂ ନିର୍ବାଚନ ମଣ୍ଡଳୀ ସ୍ତରରେ ଇଆରଓ ମାନେ ମଧ୍ୟ ଆବଶ୍ୟକ ବେଳେ ସେହି ରମସ.ଦ୍ଭରଗ୍ଧ ୱେବସାଇଟ ଖୋଲି ପାରୁ ନାହାନ୍ତି । ଏହିଭଳି ଅତ୍ୟନ୍ତ ଯୋଜନାବଦ୍ଧ ଓ ପରିକଳ୍ପିତ ଭାବରେ ସମଗ୍ର ଦେଶର ନିର୍ବାଚନ ବ୍ୟବସ୍ଥାକୁ ବିଜେପି ସପକ୍ଷରେ ପରିଚାଳିତ କରିବା ପାଇଁ ମୁଖ୍ୟ ନିର୍ବାଚନ କମିଶନର ସମସ୍ତ ବ୍ୟବସ୍ଥା କରିଥିବାବେଳେ ଦୈନିକ ଇଂରାଜୀ ଖବର କାଗଜ ଦି ଇଣ୍ଡିଆନ୍ ଏକ୍ସପ୍ରେସ ରେ ପ୍ରକାଶିତ ଏକ ଗବେଷଣାମୂଳକ ଲେଖା ଦେଶରେ ଚହଳ ପକାଇଦେଇଛି । ଏସଆଇଆର୍ ନାମରେ ଜ୍ଞାନେଶ କୁମାର କମିଶନର ଅନ୍ୟ ଦୁଇଜଣ କମିଶନର ଙ୍କୁ ବିଭିନ୍ନ ବିଷୟରେ ଅନ୍ଧାରରେ ରଖି ମନମୁଖୀ ଓ ଏକତରଫା ଭାବରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ବର୍ତ୍ତମାନ ପ୍ରମାଣିତ ହୋଇଛି । ‘ଦି ଇଣ୍ଡିଆନ ଏକ୍ସପ୍ରେସ୍‌’ର ଏହି ରିପୋର୍ଟକୁ ମୁଖ୍ୟ ନିର୍ବାଚନ କମିଶନର କିମ୍ବା କେନ୍ଦ୍ର ସରକାର କେହିହେଲେ ଖଣ୍ଡନ କରିପାରି ନାହାନ୍ତି । ପ୍ରତ୍ୟେକ ଦିନ ଦେଶର ବିଭିନ୍ନ ରାଜ୍ୟରୁ ଏସ୍‌ଆଇଆର କେଳେଙ୍କାରୀ ସଂପର୍କିତ ନୂଆ ନୂଆ ଖବର ଆସୁଛି । ଏହି ପରିସ୍ଥିତିରେ ସ୍ୱାଭାବିକ ଭାବରେ ଜ୍ଞାନେଶ କୁମାରଙ୍କ ଇସ୍ତଫା, ସମଗ୍ର ଏସଆଇଆର୍ ପ୍ରକ୍ରିୟା କୁ ରଦ୍ଦ କରି ୨୦୨୫ ମସିହା ଭୋଟର ତାଲିକାକୁ ବୈଧ ବୋଲି ଧରିବା ଓ ବେଆଇନ ଓ ମନଇଚ୍ଛା କାଟି ଦିଆଯାଇଥିବା ସମସ୍ତ ଲୋକଙ୍କ ନାଁ ପୁନର୍ବାର ଭୋଟର ତାଲିକାରେ ଯୁକ୍ତ କରିବା ପାଇଁ ସମଗ୍ର ଦେଶରେ ଆନ୍ଦୋଳନ ଚାଲିଛି ।
ଗୋଟିଏ ଦିଗରେ ନିର୍ବାଚନ କମିଶନ କେନ୍ଦ୍ର ବିଜେପି ସରକାରର ଗୋଡ଼ାଣିଆ ଭଳି କାମକରି ଦେଶର କୋଟି କୋଟି ଲୋକଙ୍କୁ ଅତ୍ୟନ୍ତ ଅନିଶ୍ଚିତ ପରିସ୍ଥିତି ମଧ୍ୟକୁ ଠେଲି ଦେଇଥିବାବେଳେ ଅନ୍ୟଦିଗରେ ରାଜ୍ୟ ବିଜେପି ସରକାର ସ୍କୁଲ ଶିକ୍ଷା କ୍ଷେତ୍ରରେ ଅଚିନ୍ତନୀୟ ସଙ୍କଟ ସୃଷ୍ଟି କରିଛି । ସରକାର ପ୍ରକାଶ କରିଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ପୁସ୍ତକରେ ହଜାର ହଜାର ତ୍ରୁଟି । କେବଳ ବନାନ ଗତ ତ୍ରୁଟି କିମ୍ବା ତଥ୍ୟଗତ ତ୍ରୁଟି ନୁହେଁ, ସମଗ୍ର ଶିକ୍ଷା ବ୍ୟବସ୍ଥାକୁ ପ୍ରହସନରେ ପରିଣତ କରିବା ପାଇଁ ଯୋଜନାବଦ୍ଧ ଭାବରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ବିକୃତ ଭାବରେ ଉପସ୍ଥାପିତ କରାଯାଇଛି । ବିଜ୍ଞାନ ଭୂଗୋଳ, ଇଂରାଜୀ, ମାତୃଭାଷା ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଯାହା ଅନ୍ତର୍ଭୁକ୍ତ କରାଯାଇଛି ସେଥିରେ ପିଲଙ୍କ ମଧ୍ୟରେ ବିଭିନ୍ନ ଧରଣର ସଂକୀର୍ଣ୍ଣତା, ଅନ୍ଧତା ଓ କୁସଂସ୍କାର ସୃଷ୍ଟିହେବା ନିଶ୍ଚିତ । କେବଳ ଏତିକି ନୁହେଁ, ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପୁସ୍ତକରେ ଯାହା ନିଶ୍ଚିତ ଭାବରେ ଅନ୍ତର୍ଭୁକ୍ତ ହେବା ଆବଶ୍ୟକ ଏବଂ ଯାହା ନପଢ଼ିଲେ ଉଚ୍ଚତର ଶ୍ରେଣୀ ମାନଙ୍କରେ ଶିକ୍ଷା ଲାଭ ସମ୍ଭବ ନୁହେଁ ସେସବୁ ଚାପ୍ଟର ବହିରୁ ବାଦ୍ ଦିଆଯାଇଛି । ଭାରତୀୟ ଜ୍ଞାନ ବ୍ୟବସ୍ଥା ଶିକ୍ଷା ଦେବା ଓ ଶିକ୍ଷାର ଭାରତୀୟକରଣ ଆଳରେ ଅତ୍ୟନ୍ତ ଅବୈଜ୍ଞାନିକ ଭାବରେ ରଚିତ ଏନ୍‌ସିଇଆରଟି ପୁସ୍ତକକୁ ସିଧା ସଳଖ ଅନୁବାଦ କରି ଏହି ପୁସ୍ତକ ପ୍ରକାଶ କରାଯାଇଛି । ଏହି ଧରଣର ତ୍ରୁଟିପୂର୍ଣ୍ଣ ଓ ଅବୈଜ୍ଞାନିକ ପୁସ୍ତକ ପ୍ରତ୍ୟାହର କରି ପୁରୁଣା ବହିରେ ଚଳିତବର୍ଷ ଶିକ୍ଷାଦାନ କରିବା ପାଇଁ ରାଜ୍ୟର ବିଭିନ୍ନ ବର୍ଗର ଜନସାଧାରଣ ଦାବି କରିବା ସତ୍ତ୍ୱେ ମଧ୍ୟ ସରକାର ତାହା କଲେ ନାହିଁ କିମ୍ବା ତ୍ରୁଟିମୁକ୍ତ ନୂଆ ବହି ଯୋଗାଇଲେ ନାହିଁ । ଇତିମଧ୍ୟରେ ସ୍କୁଲ୍‌ରେ ଛମାସିଆ ପରୀକ୍ଷା ଶେଷ ହୋଇଛି ମାତ୍ର ପିଲା ବହି ପାଇନାହାନ୍ତି । ବହି କେବେ ପହଂଚିବ ତାର ଠିକଣା ନାହିଁ । ପୁଣି ତ୍ରୁଟିପୂର୍ଣ୍ଣ ବହିର ତ୍ରୁଟି ସୁଧାରି ସରକାର ଶିକ୍ଷକ ମାନଙ୍କ ପାଇଁ ଯେଉଁ ପୁସ୍ତିକା ଜାରି କଲେ ସେଥିରେ ବି ଅସଂଖ୍ୟ ତ୍ରୁଟି । ଏହିଭଳି ଭାବରେ ରାଜ୍ୟ ସରକାର ସଧାରଣ ଘରର ପିଲାଙ୍କ ଭବିଷ୍ୟତ ନଷ୍ଟ କରିଦେଇଛନ୍ତି ।
ରାଜ୍ୟବାସୀଙ୍କ ଦୁଃଖ ଏତିକିରେ ସରି ନାହିଁ, ରାଜ୍ୟର ଡ୍ୟାମ ଗୁଡିକର କୁପରିଚାଳନା, ନଦୀ ବନ୍ଧ ଗୁଡ଼ିକର ଉପଯୁକ୍ତ ଓ ସମୟୋପଯୋଗୀ ରକ୍ଷଣାବେକ୍ଷଣର ଅଭାବ, ନଦୀବନ୍ଧ ମରାମତି କ୍ଷେତ୍ରରେ ବ୍ୟାପକ ଦୁର୍ନୀତି, ବନ୍ୟା ପରିସ୍ଥିତିର ମୁକାବିଲା କ୍ଷେତ୍ରରେ ସରକାର ଓ ସରକାରୀ କଳର ଅପରାଧୀ ସୁଲଭ ଉଦାସୀନତା ପାଇଁ ରାଜ୍ୟର ଲକ୍ଷ ଲକ୍ଷ ବନ୍ୟା କ୍ଷତିଗ୍ରସ୍ତ ଲୋକ ନାହିଁ ନଥିବା ଦୂରାବସ୍ଥା ମଧ୍ୟରେ କାଳାତିପାତ କରିବାକୁ ବାଧ୍ୟ ହେଲେ । ଏବେବି ବନ୍ୟକ୍ଳିଷ୍ଟ ଲୋକଙ୍କ ଦୁଃଖ ଦୂର ହୋଇନାହିଁ । କ୍ଷତିଗ୍ରସ୍ତ ମାନଙ୍କୁ ସରକାରୀ ସହାୟତା ଆଜିବି ମିଳି ନାହିଁ । ପ୍ରତିବର୍ଷ ବନ୍ୟା, ମରୁଡ଼ି ଓ ବାତ୍ୟା ଫଳରେ ରାଜ୍ୟବାସୀଙ୍କ ଆର୍ôଥକ ମେରୁଦଣ୍ଡ ଭାଙ୍ଗିପଡିଥିଲେ ମଧ୍ୟ ଆଧୁନିକ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ଏସବୁର ସ୍ଥାୟୀ ପ୍ରତିକାର ପାଇଁ କୌଣସି ଦୀର୍ଘମିଆଦୀ ଯୋଜନା ଗ୍ରହଣ କରାଯାଉନାହିଁ । ସରକାର ଆସୁଛି ଯାଉଚି, ମାତ୍ର ଏ ଦିଗରେ କୌଣସି ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁନାହିଁ । ବନ୍ୟା , ମରୁଡ଼ି ଓ ବାତ୍ୟା ଆଉ ପ୍ରାକୃତିକ ବିପର୍ଯ୍ୟୟ ନୁହେଁ, ଏ ସବୁକୁ ମନୁଷ୍ୟକୃତ ବୋଲି କହିବା ଅଧିକ ଯୁକ୍ତିଯୁକ୍ତ ହେବ । ବରଂ ଏହି ଧରଣର ବିପର୍ଯ୍ୟୟ ଅସାଧୁ ବ୍ୟବସାୟୀ, କଳାବଜାରୀ, ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀ ଓ ଅସାଧୁ ରାଜନେତା ମାନଙ୍କ ପାଇଁ ପୁଷମାସ ।
ଉପରୋକ୍ତ ଗୁରୁତର ସମସ୍ୟା ଉପରେ ଏସୟୁସିଆଇ(କମ୍ୟୁନିଷ୍ଟ) ପାର୍ଟି ପକ୍ଷରୁ ବିଭିନ୍ନ ସମୟରେ ଓ ବିଭିନ୍ନ ଭାବରେ ଲଗାତର ଆନ୍ଦୋଳନ ସଂଗଠିତ କରାଯାଉଛି । ସାମ୍ପ୍ରତିକ ପରିସ୍ଥିତିରେ ସମସ୍ୟାର ଗମ୍ଭୀରତାକୁ ଉପଲବ୍ଧି କରି ଉପରୋକ୍ତ ଚାରୋଟି ଦାବିକୁ ନେଇ ଦାବି ସପ୍ତାହ ପାଳନ କରିବା ପାଇଁ ଆହ୍ୱାନ ଦିଆଯାଇଥିଲା । ଏହି ଆହ୍ୱାନକ୍ରମେ ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ଏବଂ ଜ୍ଞାନେଶ କୁମାରଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି । ରାଜ୍ୟବ୍ୟାପୀ ଆନ୍ଦୋଳନର ନିର୍ବାଚିତ ଫଟୋ ଏଠାରେ ସ୍ଥାନିତ କରାଯାଇଛି ।

Leave a Reply

Your email address will not be published. Required fields are marked *