ଏସ.ୟୁ.ସି.ଆଇ(କମ୍ୟୁନିଷ୍ଟ)ର କେନ୍ଦ୍ର ସରକାରଙ୍କର ନୂତନ ଜାତୀୟ ଶିକ୍ଷାନୀତିକୁ ଦୃଢ ବିରୋଧ

କେନ୍ଦ୍ର ସରକାରଙ୍କର ନୂତନ ଜାତୀୟ ଶିକ୍ଷାନୀତିକୁ ଦୃଢ ବିରୋଧ କରି ଏସ.ୟୁ.ସି.ଆଇ (କମ୍ୟୁନିଷ୍ଟ) ସାଧାରଣ ସମ୍ପାଦକ କମ୍ରେଡ ପ୍ରଭାସ ଘୋଷ ଏକ ପ୍ରେସ ବିବୃତିରେ କହିଛନ୍ତି ଯେ,
ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ସମସ୍ତ ସ୍ତରର ଶିକ୍ଷକ, ବୁଦ୍ଧିଜୀବୀ, ଶିକ୍ଷାବିଦ୍‌, ଅଭିଭାବକ ଓ ଛାତ୍ରମାନଙ୍କ ଦୃଢ ବିରୋଧକୁ ବେଖାତିର କରି କୋଭିଡ – ୧୯ ମହାମାରୀ କାଳରେ ଚଞ୍ଚକତାପୂର୍ଣ୍ଣଭାବେ ସାମଗ୍ରିକ ଭାବେ ଶିକ୍ଷାର ଘରୋଇକରଣ, ବ୍ୟବସାୟୀକରଣ, ସାମ୍ପ୍ରଦାୟୀକରଣ ଓ ଫାସିବାଦୀକରଣ କରିବାକୁ ଯାଇ ଏକ ବିଧ୍ୱଂସୀ ଜାତୀୟ ଶିକ୍ଷାନୀତି୨୦୨୦ ଘୋଷଣା କରିଛନ୍ତି ।
ଜାତୀୟ ଶିକ୍ଷାନୀତି ୨୦୨୦ର ଘୋଷିତ ଲକ୍ଷ୍ୟ ହେଲା,
୧/ ଶିକ୍ଷା ସଂସ୍ଥାଗୁଡିକର ଗଣତାନ୍ତ୍ରିକ ପରିଚାଳନାର ଯେଉଁଟିକକ ଧ୍ୱଂସାବଶେଷ ଥିଲା ତାହାକୁ ସମୂଳେ ବିଲୋପ କରି ଶିକ୍ଷା ଉପରେ ସମ୍ଫୂର୍ଣ୍ଣଭାବେ ଅମଲାତାନ୍ତ୍ରିକ ନିୟନ୍ତ୍ରଣ ପ୍ରତିଷ୍ଠା କରିବା ,
୨/ ଭାରତୀୟ ନବ ଜାଗରଣର ମହାନ ପୁରୋଧା ରାଜା ରାମମୋହନ ରାୟ, ଈଶ୍ୱରଚନ୍ଦ୍ର ବିଦ୍ୟାସାଗର, ଜ୍ୟୋତିବା ରାଓ ଫୁଲେ ତଥା ଅନ୍ୟାନ୍ୟ ଅଗ୍ରଣୀ ମନୀଷୀମାନଙ୍କର ବିଜ୍ଞାନସମ୍ମତ, ଗଣତାନ୍ତ୍ରିକ, ଧର୍ମ ନିରପେକ୍ଷ, ଚିନ୍ତା ଚେତନାକୁ ଧୂଳିସାତ୍ କରି ସେହି ଶିକ୍ଷାର ବିପରୀତରେ ଛାତ୍ରଛାତ୍ରୀମାନଙ୍କ ଭିତରେ ଅନ୍ଧତା, କୁସଂସ୍କାରାଚ୍ଛନ୍ନ ମଧ୍ୟଯୁଗୀୟ ଧର୍ମୀୟ ମାନସିକତାକୁ ପ୍ରୋତ୍ସାହିତ କରିବା
୩/ ଦେଶୀୟ ଓ ବିଦେଶୀ କର୍ପୋରେଟ ହାଉସ ହାତରେ ଶିକ୍ଷାବ୍ୟବସ୍ଥାକୁ ଲାଭ ଲୁଟିବାର ଏକ ବ୍ୟବସାୟ ଭାବେ ଅର୍ପଣ କରିଦେବାର ପରିଣତିରେ ଶିକ୍ଷାର ବ୍ୟୟଭାର ଏତେ ଅଧିକ ହେବ ଯାହା ସାଧାରଣ ମଣିଷର ଅପହଞ୍ଚ ସ୍ତରକୁ ଚାଲିଯିବ, ଫଳରେ ଦେଶର ଅଧିକାଂଶ ଛାତ୍ରଛାତ୍ରୀ ଶିକ୍ଷାର ସୁଯୋଗରୁ ବଞ୍ଚିତ ହେବେ ।
୪/ ଶିକ୍ଷା ବ୍ୟବସ୍ଥାକୁ କର୍ପୋରେଟ ମାନଙ୍କ ହାତରେ ଅର୍ପଣ କରି ବସ୍ତୁତଃ ସରକାର ଶିକ୍ଷା କ୍ଷେତ୍ରରୁ ତାର ସମସ୍ତ ଆର୍ôଥକ ଦାୟିତ୍ୱ ଖସାଇଦେବ ।
୫/ ‘ଶିକ୍ଷିତ ସମ୍ପ୍ରଦାୟ’କୁ ସମସ୍ତ ମାନବିକ ମୂଲ୍ୟବୋଧ ଓ ସଂସ୍କୃତି ବିବର୍ଜିତ- ଆଇନଷ୍ଟାଇନଙ୍କ ଭାଷାରେ ‘ଶିକ୍ଷିତ ମେସିନ’ରେ ପରିଣତ କରି ଦିଆଯିବ ।
କେନ୍ଦ୍ର ବି.ଜେ.ପି ସରକାରଙ୍କର ନୂତନ ଜାତୀୟ ଶିକ୍ଷାନୀତି ସମ୍ପୂର୍ଣ୍ଣ ଜନବିରୋଧୀ, ଶିକ୍ଷା ବିରୋଧୀ ଏବଂ ଶାସକ ପୁଞ୍ଜିପତି ଶ୍ରେଣୀର ସ୍ୱାର୍ଥ ରକ୍ଷାକାରୀ ଏକ ଫାସିବାଦୀ ପଦକ୍ଷେପ ।
ଆମେ ସମସ୍ତ ସ୍ତରର ଶିକ୍ଷକ, ଶିକ୍ଷାବିଦ୍‌, ବୁଦ୍ଧିଜୀବୀ, , ଅଭିଭାବକ, ଛାତ୍ର ଓ ଜନସାଧାରଣଙ୍କୁ ଏହି ମାରାତ୍ମକ ଜାତୀୟ ଶିକ୍ଷାନୀତିକୁ ପ୍ରତିରୋଧ କରିବା ଓ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିବା ପାଇଁ ଆହ୍ୱାନ କରୁଛୁ ।

Leave a Reply

Your email address will not be published. Required fields are marked *