ମହାନ ନଭେମ୍ବର ବିପ୍ଳବର ୧୦୩ତମ ବାର୍ଷିକୀ ଅବସରରେ ଏସୟୁସିଆଇ(ସି)ର ସାଧାରଣ ସଂପାଦକ କମ୍ରେଡ଼ ପ୍ରଭାସ ଘୋଷଙ୍କର ଆହ୍ୱାନ

ପ୍ରିୟ କମ୍ରେଡ଼,
ଆପଣ ଜାଣନ୍ତି ମହାନ ନଭେମ୍ବର ବିପ୍ଳବର ୧୦୩ତମ ବାର୍ଷିକୀ ପାଖେଇ ଆସୁଥିଲାବେଳେ କେବଳ ମାତ୍ର ଆମ ଦେଶର ଜନସାଧାରଣ ନୁହଁନ୍ତି, ସମଗ୍ର ବିଶ୍ୱର ଜନସାଧାରଣ ଇତିମଧ୍ୟରେ ଲକ୍ଷ ଲକ୍ଷ ଲୋକଙ୍କର ଜୀବନ ନେଇସାରିଥିବା କୋଭିଡ଼୍‌-୧୯ର ଶେଷହୀନ ବିପଦର କବଳରେ ପଡ଼ିଛନ୍ତି । ଅନ୍ୟଦିଗରେ ନଜିରବିହୀନ ମାନ୍ଦାବସ୍ଥା ତୀବ୍ରରୁ ତୀବ୍ରତର ହେବାଫଳରେ ସମଗ୍ର ବିଶ୍ୱ ଜନସଂଖ୍ୟାର ପ୍ରାୟ ଅର୍ଦ୍ଧେକ ଛଟେଇ ହୋଇଛନ୍ତି ଓ କର୍ମନିଯୁକ୍ତି ହରାଇଛନ୍ତି । ଯାହାଫଳରେ ଲକ୍ଷ ଲକ୍ଷ ଲୋକ ଅନାହାରର ଶୀକାର ହୋଇଛନ୍ତି ଓ ମୃତ୍ୟୁ ମୁଖରେ ପଡ଼ିଛନ୍ତି ।
ସଂକ୍ଷେପରେ କହିଲେ, ସମଗ୍ର ମଣିଷ ଜାତି ଏକ ଅଭୁତପୂର୍ବ ସଂକଟର ସମ୍ମୁଖୀନ ହୋଇଛି । ଏହା ଅତ୍ୟନ୍ତ ସ୍ପଷ୍ଟ ଯେ, ସାମ୍ରାଜ୍ୟବାଦୀ-ପୁଞ୍ଜିବାଦୀ ଶାସକମାନେ ସେମାନଙ୍କର ମୁନାଫା ଅର୍ଜନ ଓ ଅର୍ଥନୈତିକ ସ୍ୱାର୍ଥର ଉର୍ଦ୍ଧ୍ୱକୁ ଉଠି ଠିକ୍ ସମୟରେ ଯଦି ଉଚିତ ପଦକ୍ଷେପ ଗ୍ରହଣ କରିଥାନ୍ତେ ଏବଂ ସାମରିକ ବ୍ୟୟ ବରାଦ ହ୍ରାସକରି ଲୋକଙ୍କୁ ପର୍ଯ୍ୟାପ୍ତ ସ୍ୱାସ୍ଥ୍ୟସେବା ଯୋଗାଇ ଦେଇଥାନ୍ତେ, ତାହେଲେ ଏହି ମାରାତ୍ମକ ଭୁତାଣୁ ଏହିଧରଣର ବ୍ୟାପକ ସଂକ୍ରମଣ ଓ ଏହା ଜନିତ ବିପୁଳ ସଂଖ୍ୟକ ଲୋକଙ୍କର ଜୀବନହାନୀକୁ ନିୟନ୍ତ୍ରଣ କରାଯାଇପାରିଥାନ୍ତା ।
ଏହା ମଧ୍ୟ ଜଣାଅଛି ଯେ, ଅର୍ଥନୈତିକ ମାନ୍ଦାବସ୍ଥା ଏବଂ ଏହା ସହିତ ଅଙ୍ଗାଙ୍ଗୀଭାବରେ ଯୁକ୍ତହୋଇ ରହିଥିବା ସମସ୍ୟାବଳୀ ହେଉଛି ସାମ୍ରାଜ୍ୟବାଦୀ-ପୁଞ୍ଜିବାଦୀ ଅର୍ଥନୀତିର ଅବଶ୍ୟମ୍ଭାବୀ ପରିଣତି । ଯେଉଁଠାରେକି ସର୍ବୋଚ୍ଚ ମୁନାଫା ଲୁଟ୍‌ପାଇଁ ପୁଞ୍ଜିପତି, ଏକଚାଟିଆ ପୁଞ୍ଜିପତି, ବହୁଜାତୀୟ କମ୍ପାନୀମାନେ ସେମାନଙ୍କର ଶୋଷଣ ଯନ୍ତ୍ରର ଶୋଷଣ ଚକ୍ରକୁ ଚଳାଇ ଶ୍ରମଜୀବୀ ଜନସାଧାରଣଙ୍କୁ ଚିରସ୍ଥାୟୀ ଭାବରେ ସର୍ବାଧିକ ସମ୍ଭବ ଶୋଷଣ କରି କୋଟି କୋଟି ଲୋକଙ୍କ ଜୀବନ ଦୁର୍ବିସହ କରନ୍ତି ।
ବହୁ ପୂର୍ବରୁ ମହାନ ମାର୍କ୍ସ ଓ ଏଙ୍ଗେଲ୍ସ ବିଜ୍ଞାନସମ୍ମତଭାବରେ ବିଶ୍ଳେଷଣ କରି ପୁଞ୍ଜିବାଦୀ ଅର୍ଥନୀତିର ଏହି ବିଧ୍ୱଂସକାରୀ ପରିଣାମର ଆବଶ୍ୟମ୍ଭାବୀତା ସଂପର୍କରେ ଚେତାଇ ଦେବା ସହ ସମଗ୍ର ବିଶ୍ୱର ଶ୍ରମିକମାନଙ୍କୁ ବିପ୍ଳବ ସଂଗଠିତ କରିବା ଉଦ୍ଦେଶ୍ୟରେ ଐକ୍ୟବଦ୍ଧ ହେବାପାଇଁ ଆହ୍ୱାନ ଦେଇଥିଲେ ଏବଂ ପୁଞ୍ଜିବାଦ ସ୍ଥାନରେ କମ୍ୟୁନିଜିମର ପ୍ରଥମ ପର୍ଯ୍ୟାୟ, ଅର୍ଥାତ୍ ସମାଜବାଦ ପ୍ରତିଷ୍ଠାପାଇଁ ଆହ୍ୱାନ ଦେଇଥିଲେ ।
ନଭେମ୍ବର ବିପ୍ଳବ ସଂଗଠିତ କରି ଏବଂ ମଣିଷ ଜାତିର ଇତିହାସରେ ପ୍ରଥମଥରପାଇଁ ସମସ୍ତ ପ୍ରକାର ଶ୍ରେଣୀ ଶୋଷଣରୁ ମୁକ୍ତ ସମାଜ ପ୍ରତିଷ୍ଠା କରି ମହାନ ଲେଲିନ୍ ଏବଂ ଷ୍ଟାଲିନ୍ ଏହି ଐତିହାସିକ ଲକ୍ଷ୍ୟକୁ ସାକାର କରିଥିଲେ । ମାର୍କ୍ସବାଦ-ଲେଲିନ୍‌ବାଦର ବିଶେଷ ପ୍ରୟୋଗକୁ ଭିତ୍ତିକରି ପ୍ରତିଷ୍ଠିତ ହୋଇଥିବା ସମାଜବାଦୀ ସମାଜ ଅର୍ଥନୈତିକ, ରାଜନୈତିକ ଓ ସାଂସ୍କୃତିକ ଭାବରେ ଏତେ ଉନ୍ନତ ଥିଲାଯେ ଏହି ସମାଜ ବ୍ୟବସ୍ଥା ସମସ୍ତଙ୍କୁ ନିଯୁକ୍ତି ଯୋଗାଇ ପାରିଥିଲା, ବେକାରୀ-କ୍ଷୁଧା ଓ ଭିକ୍ଷାବୃତ୍ତି କୁ ସଂପୂର୍ଣ୍ଣ ଦୂର କରିପାରିଥିଲା, ଜାତୀୟତା ଓ ବିଭିନ୍ନ ଜନଗୋଷ୍ଠିଗତ ସ୍ୱାର୍ଥକୈନ୍ଦ୍ରିକ ଦ୍ୱନ୍ଦ୍ୱ ଦୂର କରିପାରିଥିଲା, ନାରୀ-ପୁରୁଷ ମଧ୍ୟରେ ଅସମତା ଦୂର କରିପାରିଥିଲା ଏବଂ ସୁଲଭ ମୂଲ୍ୟରେ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ, ଶ୍ରମଜୀବୀ ଜନସାଧାରଣଙ୍କ ପାଇଁ ସ୍ୱାଧୀନତା ଓ ଗଣତାନ୍ତ୍ରିକ ଅଧିକାର ତଥା ସମସ୍ତ ନାଗରିକଙ୍କୁ ବିନାମୂଲ୍ୟରେ ଶିକ୍ଷା ଓ ସ୍ୱାସ୍ଥ୍ୟସେବା ଇତ୍ୟାଦି ଯୋଗାଇଦେଇ ପାରିଥିଲା । ଆହୁରି ମଧ୍ୟ ଏହି ସମାଜବାଦୀ ଦେଶ ଅସ୍ତ୍ରଶସ୍ତ୍ର ଉତ୍ପାଦନ ବନ୍ଦ କରିବା ଏବଂ ସମସ୍ତ ଔପନିବେଶିକ ଦଖଲଦାରୀର ଅବସାନ ଘଟାଇବା ଏବଂ ଯୁଦ୍ଧ ବନ୍ଦ କରିବାପାଇଁ ପ୍ରସ୍ତାବ ଦେଇଥିଲା, ସମସ୍ତ ଉପନିବେଶ ଓ ଅର୍ଦ୍ଧ ଉପନିବେଶମାନଙ୍କୁ ମୁକ୍ତ କରିବାପାଇଁ ସ୍ୱାଧୀନତା ଆନ୍ଦୋଳନ ଓ ମୁକ୍ତି ସଂଗ୍ରାମକୁ ସହାୟତା ଯୋଗାଇ ଦେଇଥିଲା । ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଭିତିପ୍ରଦ ଫାସିଷ୍ଟ ଶକ୍ତିମାନଙ୍କୁ ପରାସ୍ତକରି ମଣିଷ ଜାତିକୁ ରକ୍ଷା କରିବା କ୍ଷେତ୍ରରେ ଏହି ଦେଶ ବୀରତ୍ୱପୂର୍ଣ୍ଣ ଭୂମିକା ପାଳନ କରିଥିଲା ।
ବାସ୍ତବରେ ସମଗ୍ର ପୁଞ୍ଜିବାଦୀ ପଶ୍ଚିମୀ ସଭ୍ୟତାକୁ ଗଭୀର ଅନ୍ଧକାର ଗ୍ରାସ କରିଥିଲାବେଳେ ଏହି ନୂତନ ସମାଜବାଦୀ ସଭ୍ୟତା ପୂର୍ବ ଆକଶରେ ନୂତନ ସୂର୍ଯ୍ୟୋଦୟ ସଦୃଶ ଆତ୍ମପ୍ରକାଶ କରିଥିଲା । ଯାହାକି କେବଳମାତ୍ର ସମଗ୍ର ବିଶ୍ୱର ଶୋଷିତ ଜନସାଧାରଣଙ୍କର ଆଶାର ଆଲୋକବର୍ତ୍ତିକାରେ ପରିଣତ ହୋଇନଥିଲା, ପଶ୍ଚିମୀ ଦୁନିଆ ଓ ଔପନିବେଶିକ ଦେଶମାନଙ୍କର ମହାନ ମାନବତାବାଦୀମାନଙ୍କଦ୍ୱାରା ଉଚ୍ଚ ପ୍ରଶଂସିତ ମଧ୍ୟ ହୋଇଥିଲା ।
ଏହା ଇତିହାସର ଏକ ବେଦନାଦାୟକ ଘଟଣା ମାନବତାକୁ କିଛି ଦଶଂଧିଧରି ଆଲୋକିତ କରିବାପରେ ଏହି ନୂତନ ସଭ୍ୟତା ଧ୍ୱଂସପ୍ରାପ୍ତ ହୋଇଥିଲା ଏବଂ ଷ୍ଟାଲିନ୍ ପରବର୍ତ୍ତୀ ନେତୃତ୍ୱରେ କେତେକ ଗୁରୁତର ତ୍ରୁଟି ଏବଂ ବିଚ୍ୟୁତିର ସୁଯୋଗନେଇ ଦେଶ ବାହାର ସାମ୍ରାଜ୍ୟବାଦୀ ଶକ୍ତିମାନଙ୍କ ସହିତ ଗୋପନ ବୁଝାମଣାକରି ଅଭ୍ୟନ୍ତରୀଣ ଗୋପନ ଶତ୍ରୁମାନଙ୍କ ଦ୍ୱାରା ସଂଗଠିତ ହୋଇଥିବା ପ୍ରତିବିପ୍ଳବ ଜରିଆରେ ସେଠାରେ ପୁଞ୍ଜିବାଦ ପୁନଃ ପ୍ରତିଷ୍ଠିତ ହୋଇଥିଲା । ମାତ୍ର ଠିକ୍ ଯେଭଳି ପ୍ୟାରୀ କମ୍ୟୁନ୍‌ର ପତନରୁ ଆହରିତ ଅଭିଜ୍ଞତା ମାର୍କ୍ସବାଦକୁ ସମୃଦ୍ଧ କରିଥିଲା ଏବଂ ନଭେମ୍ବର ବିପ୍ଳବକୁ ପଥପ୍ରଦର୍ଶନ କରିଥିଲା ଠିକ୍ ସେହିଭଳି ଏହି ପ୍ରତିବିପ୍ଳବ ମଧ୍ୟ ଭବିଷ୍ୟତର ବିପ୍ଳବକୁ ପଥପ୍ରଦର୍ଶନ କରିବାପାଇଁ ଆହୁରି ଅଧିକ ଅଭିଜ୍ଞତା ପ୍ରଦାନ କରିଛି ଯାହାକୁ ମହାନ ମାର୍କ୍ସବାଦୀ ଚିନ୍ତାନାୟକ କମ୍ରେଡ଼ ଶିବଦାସ ଘୋଷ ଦର୍ଶାଇ ଯାଇଛନ୍ତି ।
ବର୍ତ୍ତମାନ ବିଶ୍ୱ ପରିସ୍ଥିତି ଅତ୍ୟନ୍ତ ଆତଙ୍କଜନକ ଓ କରୁଣ । ବିଶ୍ୱ ସାମ୍ରାଜ୍ୟବାଦ-ପୁଞ୍ଜିବାଦ ମୃତ୍ୟୁଶଯ୍ୟାରେ ଶାୟିତ ମାତ୍ର ଏହାର ମୃତ୍ୟୁ ଘଟୁନାହିଁ; କାରଣ କୌଣସି ସାମାଜିକ ବ୍ୟବସ୍ଥା ଅପଣାଛାଏଁ ମୃତ୍ୟୁବରଣ କରେନାହିଁ । ଏହା ପ୍ରାୟ ମୁମୁର୍ଷୁ ଏବଂ ଆସନ୍ନ ମୃତ୍ୟୁକୁ ଅପେକ୍ଷା କରିଥିବା ଏବଂ ସମାଜର ସମସ୍ତ କ୍ଷେତ୍ରରେ ଦୂର୍ଗନ୍ଧ ଭରିଦେଉଥିବା ଗୋଟିଏ ପଚମାନ ଶରୀର ଭଳି ।
ଏହି ପରିସ୍ଥିତିରେ ପୁଞ୍ଜିବାଦ ଅର୍ଥନୈତିକ, ଆଦର୍ଶଗତ, ରାଜନୈତିକ ଓ ନୈତିକ ଦିଗରୁ ସମଗ୍ର ମାନବତାକୁ ସଂପୂର୍ଣ୍ଣ ଧ୍ୱଂସ ମୁହଁକୁ ଠେଲି ଦେଉଛି । ଆଉଗୋଟିଏ ବିପ୍ଳବର ଭୟରେ ଭୟଭୀତ ପୁଞ୍ଜିବାଦର ସମର୍ଥକ, ଭଡାଟିଆ ବୁର୍ଜୁଆ ରାଜନେତା ଏବଂ ଅର୍ଥଶାସ୍ତ୍ରୀମାନେ ମୃତ୍ୟୁର ଦ୍ୱାରଦେଶରେ ଠିଆ ହୋଇଥିବା ରୋଗୀକୁ ବଞ୍ଚାଇବା ଉଦ୍ଦେଶ୍ୟରେ ରୋଗର ପ୍ରତିକାର ଖୋଜି ବାହାର କରିବାପାଇଁ ଦିନରାତି ପରିଶ୍ରମ କରୁଛନ୍ତି, ମାତ୍ର ସେମାନେ ଏହି ଉଦ୍ୟମରେ ଅସଫଳ ହୋଇଛନ୍ତି ଏବଂ ଅନ୍ଧାରରେ ବାଡ଼ି ବୁଲାଉଛନ୍ତି ।
ଅନ୍ୟଦିଗରେ ଗଣପ୍ରତିବାଦର ଉତ୍ତାଳ ଢ଼େଉ ଦେଖିବାକୁ ମିଳୁଛି । ଯାହାକୁ ସମସ୍ତ ଦେଶରେ ଫାସିବାଦୀ-ପୁଞ୍ଜିବାଦୀ ଶାସକମାନେ ନିର୍ଦ୍ଦୟ ଭାବରେ ଦମନ କରୁଛନ୍ତି । ଆନ୍ଦୋଳନକୁ ଦମନ କରିବାପାଇଁ ସେମାନେ ଯେତେ ଅଧିକ ନିଷ୍ଠୁର ଓ ନିର୍ମମ ହେଉଛନ୍ତି ସମସ୍ତ ପ୍ରକାର ପ୍ରଚଣ୍ଡ ଆକ୍ରମଣକୁ ବେଖାତିରକରି ଜନସାଧାରଣଙ୍କର ଅସନ୍ତୋଷ ଆନ୍ଦୋଳନ ରୂପରେ ସେତେ ଶକ୍ତିଶାଳୀ ରୂପରେ ମୁଣ୍ଡଟେକି ଉଠୁଛି । ନିପୀଡ଼ିତ ମଣିଷ ଶଙ୍କାମୁକ୍ତ, ସାହସୀ ଓ ସଂଗ୍ରାମରତ । ସେମାନେ ପରିବର୍ତ୍ତନ ଚାହାଁନ୍ତି, ମାତ୍ର ସେମାନଙ୍କ ସାମନାରେ କୌଣସି ବିପ୍ଳବୀ ଆଦର୍ଶ ଉଚ୍ଚ ସ୍ତରର ସଂସ୍କୃତି, ସଂଗଠନ ଏବଂ ନେତୃତ୍ୱ ନାହିଁ । ସୁତରାଂ, ମହାନ ନଭେମ୍ବର ବିପ୍ଳବର ଐତିହାସିକ ବାର୍ତ୍ତାକୁ ବ୍ୟସ୍ତବାୟିତ କରିବାପାଇଁ ପୃଥିବୀର ସମସ୍ତ ଦେଶରେ ମାର୍କ୍ସବାଦ-ଲେଲିନ୍‌ବାଦ କମ୍ରେଡ଼ ଶିବଦାସ ଘୋଷଙ୍କ ଚିନ୍ତାଶିକ୍ଷାରେ ଶିକ୍ଷିତ ଶ୍ରମିକ ଶ୍ରେଣୀ ଦଳ ଗଢ଼ିତୋଳିବା ହେଉଛି ବର୍ତ୍ତମାନ ସମୟର ସବୁଠାରୁ ଜରୁରୀ ଆବଶ୍ୟକତା ।
ଏହି ପୃଷ୍ଠଭୂମିରେ ମହାନ ମାର୍କ୍ସବାଦୀ ଚିନ୍ତାନାୟକ କମ୍ରେଡ଼୍ ଶିବଦାସ ଘୋଷଙ୍କ ଦ୍ୱାରା ପ୍ରତିଷ୍ଠିତ ଏସ୍‌.ୟୁ.ସି.ଆଇ(ସି) ଦଳର ବିପ୍ଳବୀ ଯୋଦ୍ଧା ଭାବରେ ଦେଶର ଅଭ୍ୟନ୍ତରରେ ବିସ୍ତାର ଘଟାଇବା ଓ ଦଳକୁ ସଂହତ କରିବା, ଉଚ୍ଚତର ବିପ୍ଳବୀ ଆଦର୍ଶ ଓ ସର୍ବହରା ସଂସ୍କୃତି ଭିତ୍ତିରେ ଶ୍ରେଣୀ ସଂଗ୍ରାମ ଓ ଗଣଆନ୍ଦୋଳନ ସଂଗଠିତ କରିବା ଓ ଏହି ଆନ୍ଦୋଳନକୁ ତ୍ୱରାନ୍ୱିତ କରିବା ଏବଂ ଏହିଭଳି କରିବା ମାଧ୍ୟମରେ ଅନ୍ୟାନ୍ୟ ଦେଶମାନଙ୍କର ସର୍ବହରା ଶ୍ରେଣୀକୁ ଉତ୍ସାହିତ କରିବା, ଶିକ୍ଷିତ କରିବା ଏବଂ ସହାୟତା କରିବା ହେଉଛି ଆମର ଐତିହାସିକ ଦାୟିତ୍ୱ । ଏହାହିଁ ହେଉଛି ମହାନ ନଭେମ୍ବର ବିପ୍ଳବର ୧୦୩ତମ ବାର୍ଷିକୀର ଆହ୍ୱାନ ।
ସଂଗ୍ରାମୀ ଅଭିନନ୍ଦନ ସହ
ପ୍ରଭାସ ଘୋଷ
ସାଧାରଣ ସଂପାଦକ
ଏସ୍‌.ୟୁ.ସି.ଆଇ(କମ୍ୟୁନିଷ୍ଟ)
୪୮ ଲେଲିନ୍ ସରଣୀ
କଲିକତା । 

Leave a Reply

Your email address will not be published. Required fields are marked *