ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଚରମ ଜନବିରୋଧି ନୀତି ପ୍ରତିବାଦରେ ଏସ୍‌ୟୁସିଆଇ(କମ୍ୟୁନିଷ୍ଟ) ନେତୃତ୍ୱରେ ୨୯ ସେପ୍ଟେମ୍ବର ରାଜ୍ୟସ୍ତରୀୟ ଗଣ ବିକ୍ଷୋଭ

ଭୁବନେଶ୍ୱର ତା ୧୭.୦୯.୨୦୨୨ – ଜନଗଣଙ୍କ ଜ୍ୱଳନ୍ତ ୧୨ଦଫା ଦାବିରେ ଆସନ୍ତା ସେପ୍ଟେମ୍ବର ୨୯ତାରିଖ ଦିନ ଏସ୍‌ୟୁସିଆଇ(କମ୍ୟୁନିଷ୍ଟ) ଓଡିଶା ରାଜ୍ୟ କମିଟି ନେତୃତ୍ୱରେ ଏକ ରାଜ୍ୟ ସ୍ତରୀୟ ବିଶାଳ ଗଣ ବିକ୍ଷୋଭ ରାଜ୍ୟ ସଚିବାଳୟ ସମ୍ମୁଖରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ବିକ୍ଷୋଭ ପରିପ୍ରେକ୍ଷିରେ ଏସ୍‌ୟୁସିଆଇ(କମ୍ୟୁନିଷ୍ଟ) ପକ୍ଷରୁ ଆଜି ଭୁବନେଶ୍ୱର ସ୍ଥିତ ଲୋହିଆ ଏକାଡେମୀ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଏସ୍‌ୟୁସିଆଇ(କମ୍ୟୁନିଷ୍ଟ) ପକ୍ଷରୁ କୁହାଯାଇଛି ଯେ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚରମ ଜନବିରୋଧି ନୀତି ଯୋଗୁ ସାଧାରଣ ମଣିଷ ମାନଙ୍କର ଜୀବନ ଆଜି ଦୁର୍ବିସହ ହୋଇପଡିଛି । ଔଷଧ ଠାରୁୁ ଆରମ୍ଭ କରି ସମସ୍ତ ନିତ୍ୟ ପ୍ରୟୋଜନୀୟ ସାମଗ୍ରୀର ଦର ପ୍ରତିଦିନ ଯେଭଳି ବଢୁୁଛି ତାହା କେବଳ ଗରିବ ଦିନ ମଜୁରିଆ ନୁହେଁ, ଏପରିକି ମଧ୍ୟବିତ୍ତମାନଙ୍କୁୁ ମଧ୍ୟ ଭୀଷଣ ବାଧୁଛି । ଲକ୍ଷ ଲକ୍ଷ ଯୁବକ ଦାଦନ ଖଟିବାକୁ ଦେଶର ଏକପ୍ରାନ୍ତରୁ ଅପର ପ୍ରାନ୍ତ ଘୁରି ବୁଲୁଛନ୍ତି । ଅନ୍ୟଦିଗରେ ହାତ ଗଣତି ଧନୀକ ଗୋଷ୍ଠୀଙ୍କର ପୁଞ୍ଜି ଅକଳ୍ପନୀୟ ଭାବରେ ବଢି ଚାଲିଛି; ଅଥଚ ସେମାନଙ୍କୁ କୋଟି କୋଟି ଟଙ୍କା ଟିକସ ଛାଡ କରାଯାଉଛି । କେନ୍ଦ୍ର ସରକାର ଶିକ୍ଷା, ସ୍ୱାସ୍ଥ୍ୟସେବା ଠାରୁ ଆରମ୍ଭ କରି ରେଳ, ବ୍ୟାଙ୍କ, ବୀମା,ପ୍ରତିରକ୍ଷା ଆଦି ସମସ୍ତ ରାଷ୍ଟ୍ରାୟତ୍ତ ଓ ସରକାରୀ ଉଦ୍ୟୋଗକୁ ଘରୋଇକରଣ କରିଛନ୍ତି । ରାଜ୍ୟ ବିଜେଡି ସରକାର ମଧ୍ୟ ଢିଙ୍କିଆ ଭଳି ବିଭିନ୍ନ ସ୍ଥାନରେ ଲାଠି ଗୁଳି ସାହାଯ୍ୟରେ ଉର୍ବର ଚାଷ ଜମି, ଜଙ୍ଗଲ ଆଦିକୁ କମ୍ପାନୀ ମାନଙ୍କୁ ଟେକି ଦେଉଛନ୍ତି । କେନ୍ଦ୍ର ସରକାରଙ୍କ ସମସ୍ତ ଜନବିରୋଧି ନୀତିକୁ ସମର୍ଥନ ଓ କାର୍ଯ୍ୟକାରୀ କରିବାରେ ଆମ ରାଜ୍ୟ ହେଉଛି ଆଗୁଆ । ବିଦ୍ୟୁତ୍‍ ସମ୍ପଦରେ ଓଡିଶା ବଳକା ରାଜ୍ୟ ହେବା ସତ୍ତ୍ୱେ ବିଦ୍ୟୁତ୍‍ ଶୁଳ୍କ ବୃଦ୍ଧି ଓ ଅନ୍ୟାନ୍ୟ ଉପାୟରେ ରାଜ୍ୟବାସୀଙ୍କୁ ଲୁଟିବା ପାଇଁ ସରକାର ଟାଟା କମ୍ପାନୀକୁ ସୁଯୋଗ କରିଦେଇଛନ୍ତି । କୃଷି, ଶିକ୍ଷା, ସ୍ୱାସ୍ଥ୍ୟ ସେବା ଅବସ୍ଥା ମଧ୍ୟ ଶୋଚନୀୟ । ଶିକ୍ଷା କ୍ଷେତ୍ରରେ ଯାହା ବି ସାମାନ୍ୟ ଅବଶିଷ୍ଟ ଥିଲା ନୂତନ ଶିକ୍ଷାନୀତି-୨୦୨୦ ତା’ର ସମାଧି ରଚନା କରିବ । ୧୯୯୧ ମସିହାରେ କଂଗ୍ରେସ ସରକାର ପ୍ରଚଳନ କରିଥିବା ଏବଂ ପରବର୍ତ୍ତି ସମୟରେ କ୍ଷମତାସୀନ ସରକାରମାନଙ୍କ ଦ୍ୱାରା ଅନୁସୃତ ହୋଇଥିବା ଘରୋଇକରଣ ଜଗତିକରଣ ନୀତି ଫଳରେ ସାଧାରଣ ଲୋକଙ୍କ ଅବସ୍ଥା ଦୁର୍ବିସହ ହୋଇଛି । ବିଶେଷକରି ୨୦୧୪ ମସିହାରେ କେନ୍ଦ୍ରରେ ବିଜେପି ସରକାର କ୍ଷମତାସୀନ ହେବାପରେ ଜନସାଧାରଣଙ୍କ ଉପରେ ଅର୍ଥନୈତିକ ଓ ସାଂସ୍କୃତିକ ଆକ୍ରମଣ ଭୟଙ୍କର ହୋଇଛି । ରାଜ୍ୟରେ ବିଜେଡି ସରକାର ମଧ୍ୟ ସେହି ଏକା ଜନବିରୋଧି ନୀତି ଅନୁସରଣ କରି ଚାଲିଛି ।
ଏହି ସମସ୍ତ ଆକ୍ରମଣକୁ ପ୍ରତିହତ କରିବା ପାଇଁ ଏସ୍‍.ୟୁ.ସି.ଆଇ(କମ୍ୟୁନିଷ୍ଟ) ତାର ଜନ୍ମ ଲଗ୍ନରୁ ସବୁ ବର୍ଗର ଜନଗଣଙ୍କ ଜୀବନ ଜୀବିକାର ଦାବି ନେଇ ବିଭିନ୍ନ ଅଞ୍ଚଳ ଓ ଜିଲ୍ଲା ସ୍ତରରେ ରାଜ୍ୟ ବ୍ୟାପୀ ଆନ୍ଦୋଳନ ଗଢ଼ି ତୋଳୁଛି । ଏହାରି ଧାରାବାହିକତାରେ ଆନ୍ଦୋଳନକୁ ଆହୁରି ବ୍ୟାପକ ଓ ଦୁର୍ବାର କରିବା ପାଇଁ ଆସନ୍ତା ସେପ୍ଟେମ୍ବର ୨୯ତାରିଖ ଦିନ ଏସ୍‌ୟୁସିଆଇ(କମ୍ୟୁନିଷ୍ଟ) ଓଡିଶା ରାଜ୍ୟ କମିଟି ନେତୃତ୍ୱରେ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ସମେତ ସମସ୍ତ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଓ ଔଷଧର ଆକାଶଛୁଆଁ ଦର ବୃଦ୍ଧି ବନ୍ଦ କରିବା, ଜାତୀୟ ଶିକ୍ଷାନୀତି-୨୦୨୦କୁ ସମ୍ପୂର୍ଣ୍ଣ ବାତିଲ କରିବା, ବନ୍ଦ କରାଯାଇଥିବା ସମସ୍ତ ପ୍ରାଥମିକ ବିଦ୍ୟାଳୟଗୁଡ଼ିକୁ ତୁରନ୍ତ ଖୋଲିବା, ସମସ୍ତ ମେଡିକାଲ କଲେଜ ଓ ହାସପାତାଳ ତଥା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଗୋଷ୍ଠୀ ଓ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରୟୋଜନ ମୁତାବକ ବିଶେଷଜ୍ଞ ଡାକ୍ତର, ସ୍ୱାସ୍ଥ୍ୟ କର୍ମୀ ନିଯୁକ୍ତ କରିବା, ସାର, ବିହନ, କୀଟନାଶକ ଓ କୃଷି ଉପକରଣର ଦରବୃଦ୍ଧି ବନ୍ଦ କରି ସୁଲଭ ମୂଲ୍ୟରେ ଏହା ଯୋଗାଇ ଦେବା ସହ ଜଳସେଚନର ସୁବ୍ୟବସ୍ଥା କରିବା, ପ୍ରତି ପଞ୍ଚାୟତରେ ସରକାରୀ ମଣ୍ଡି ପ୍ରତିଷ୍ଠା କରିବା, ଫସଲର ଉପଯୁକ୍ତ ସହାୟକ ମୂଲ୍ୟ ପ୍ରଦାନ କରି ଏହି ମଣ୍ଡି ଜରିଆରେ ଚାଷୀ ତଥା ଭାଗଚାଷୀ ଉଭୟଙ୍କଠାରୁ ବର୍ଷସାରା ସିଧାସଳଖ ସମସ୍ତ କୃଷିଜାତ ଦ୍ରବ୍ୟ କ୍ରୟ କରିବା, ସମସ୍ତ ବେକାର ଯୁବକ ଯୁବତୀଙ୍କୁ ସ୍ଥାୟୀ ଭିତ୍ତିରେ ସରକାରୀ ନିଯୁକ୍ତି ଦେବା, ରେଳ, ବ୍ୟାଙ୍କ, ବୀମା ସମେତ ସମସ୍ତ ରାଷ୍ଟ୍ରାୟତ୍ତ ଓ ସରକାରୀ ଉଦ୍ୟୋଗର ଘରୋଇକରଣ ବନ୍ଦ କରିବା, ପାଚିକା, ଆଶାକର୍ମୀ, ଅଙ୍ଗନୱାଡି କର୍ମୀ ଓ ସହାୟିକାଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ଦେବା ସହ ସେମାନଙ୍କୁ ସାମାଜିକ ସୁରକ୍ଷା ଓ ମାସିକ ସର୍ବନିମ୍ନ ୨୬ହଜାର ଟଙ୍କା ପ୍ରଦାନ କରିବା, ପରିଚାରିକା ଓ ସମସ୍ତ ପ୍ରକାର ଅଣସଂଗଠିତ ଶ୍ରମିକମାନଙ୍କୁ ସମସ୍ତ ପ୍ରକାର ସହାୟତା, ସାମାଜିକ ନିରାପତ୍ତା ଓ ବାସଗୃହ ଯୋଗାଇ ଦେବା, ସହରାଞ୍ଚଳର ବସ୍ତିବାସିନ୍ଦାମାନଙ୍କ ସମେତ ସମସ୍ତ ଭୂମିହୀନଙ୍କୁ ଘରଡିହ ଯୋଗାଇ ଦେବା, ଉପଯୁକ୍ତ ଥଇଥାନ ବିନା ଅଭୟାରଣ୍ୟ ତଥା ଅନ୍ୟାନ୍ୟ ପ୍ରକଳ୍ପ ନାଁରେ ବିସ୍ଥାପନ ବନ୍ଦ କରିବା, ଜଙ୍ଗଲ ଆଇନ ସଂଶୋଧନ ନିୟମାବଳୀ – ୨୦୨୨ ବିଜ୍ଞପ୍ତି ବାତିଲ କରିବା, ମଦ ଡିପୋ ଖୋଲିବା ବନ୍ଦ ସହ ମଦ, ଡ୍ରଗ୍‌ସ ସମେତ ସମସ୍ତ ନିଶାଦ୍ରବ୍ୟର ଉତ୍ପାଦନ ଓ ପ୍ରସାର ବନ୍ଦ କରିବା, ମୋବାଇଲ୍‌, ଇଣ୍ଟରନେଟ୍ ତଥା ବିଭିନ୍ନ ଗଣମାଧ୍ୟମରେ ଅଶ୍ଳୀଳତା, ନଗ୍ନତା ଓ ଅପସଂସ୍କୃତିର ପ୍ରଚାର ପ୍ରସାର ବନ୍ଦ କରିବା, ଗଣତାନ୍ତ୍ରିକ ଅଧିକାରର ସୁରକ୍ଷା ଓ ସାମ୍ପ୍ରଦାୟିକ ଶକ୍ତିକୁ ଦମନ କରିବା ପାଇଁ କାର୍ଯ୍ୟକାରୀ ପଦକ୍ଷେପ ଗ୍ରହଣ କରିବା, ସମସ୍ତ ବନ୍ୟା କ୍ଷତିଗ୍ରସ୍ତଙ୍କୁ ଉପଯୁକ୍ତ କ୍ଷତିପୁରଣ ଦେବାସହ ବନ୍ୟା କ୍ଷତିଗ୍ରସ୍ତ ଛାତ୍ରଛାତ୍ରୀଙ୍କ ଫିସ୍ ଛାଡ କରିବା, ବନ୍ୟା, ବାତ୍ୟା ଓ ମରୁଡିର ସ୍ଥାୟୀ ପ୍ରତିକାର କରିବା ଆଦି ଜନସାଧାରଣଙ୍କ ଜ୍ୱଳନ୍ତ ୧୨ଦଫା ଦାବିରେ ଏକ ରାଜ୍ୟସ୍ତରୀୟ ବିଶାଳ ଗଣ ବିକ୍ଷୋଭ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ରାଜ୍ୟ ସ୍ତରୀୟ ବିକ୍ଷୋଭରେ ରାଜ୍ୟର ୩୦ଟି ଜିଲ୍ଲାରୁ ହଜାର ହଜାର ସଂଖ୍ୟାରେ ଛାତ୍ର-ଯୁବକ, ମହିଳା, ଚାଷୀ-ମୂଲିଆ, ଶ୍ରମିକ-କର୍ମଚାରୀ ତଥା ସର୍ବ ସ୍ତରର ଜନଗଣ ସାମିଲ ହେବେ । ସକାଳ ୧୧ଘଟିକା ସମୟରେ ବିକ୍ଷୋଭକାରି ଜନଗଣ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ରାଜ୍ୟ ସଚିବାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବେ ।
ଏହି ଗଣବିକ୍ଷୋଭରେ ହଜାର ହଜାର ସଂଖ୍ୟାରେ ଯୋଗ ଦେଇ ରାଜ୍ୟର ମେହେନତୀ ଜନସାଧାରଣଙ୍କର ପ୍ରତିବାଦ ଓ ପ୍ରତିରୋଧର ସ୍ୱରକୁ ଶକ୍ତିଶାଳୀ କରିବା ପାଇଁ ସମାଜର ସମସ୍ତ ବର୍ଗର ଜନସାଧାରଣଙ୍କ ସମେତ ଅନ୍ୟାନ୍ୟ ବାମପନ୍ଥୀ ଦଳମାନଙ୍କର ତୃଣମୂଳ ସ୍ତରର କର୍ମୀ, ସମର୍ଥକ ଓ ଦରଦୀମାନଙ୍କୁୁ ଏସ୍‌ୟୁସିଆଇ (କମ୍ୟୁନିଷ୍ଟ) ରାଜ୍ୟ ସଂପାଦକ ଶଙ୍କର ଦାସଗୁପ୍ତ ଆଜି ସାମ୍ବାଦିକ ସମ୍ମିଳନୀରେ ନିବେଦନ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଏସ୍‌ୟୁସିଆଇ (କମ୍ୟୁନିଷ୍ଟ) ରାଜ୍ୟ ସଂପାଦକ ମଣ୍ଡଳୀ ସଦସ୍ୟ ବିଷ୍ଣୁ ଦାସ, ରଘୁନାଥ ଦାସ, ବିଶ୍ୱାବସୁ ଦାସ, ସ୍ୱଂୟପ୍ରଭା ନାୟକ, ଏସ୍‌ୟୁସିଆଇ(କମ୍ୟୁନିଷ୍ଟ) ରାଜ୍ୟ କମିଟି ସଦସ୍ୟ ପୂର୍ଣ୍ଣ ଚନ୍ଦ୍ର ବେହେରା, ରାଜେନ୍ଦ୍ର ବର୍ମ୍ମା, ସୁବାସ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *