ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଚରମ ଜନବିରୋଧି ନୀତି ପ୍ରତିବାଦରେ ୨୯ ସେପ୍ଟେମ୍ବର ରାଜ୍ୟସ୍ତରୀୟ ଗଣ ବିକ୍ଷୋଭକୁ ସଫଳ କରନ୍ତୁ – ଏସ୍‌ୟୁସିଆଇ(କମ୍ୟୁନିଷ୍ଟ)

ଭୁବନେଶ୍ବର ତା ୧୫.୦୯.୨୦୨୨ – କେନ୍ଦ୍ର ବିଜେପି ଓ ରାଜ୍ୟ ବିଜେଡି ସରକାର ପକ୍ଷରୁ ମହା ଆଡମ୍ବରରେ “ଆଜାଦିକି ଅମୃତ ମହୋତ୍ସବ” ପାଳନ କରାଯାଉଛି । ମାତ୍ର କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଏହି ଧରଣର ଆଡମ୍ବରପୂର୍ଣ୍ଣ କାର୍ଯ୍ୟକ୍ରମ କରାଯାଉଥିଲାବେଳେ ଦେଶର ସାଧାରଣ ଲୋକଙ୍କ ଅବସ୍ଥା ଶୋଚନୀୟ । ପନିପରିବା, ଚାଉଳ, ଡାଲି, ତେଲ, ଅଟା ଆଦି ଖାଦ୍ୟ ସାମଗ୍ରୀ, ପେଟ୍ରୋଲ୍‌, ଡିଜେଲ, ରନ୍ଧନଗ୍ୟାସ ଓ ଔଷଧ ସମେତ୍ ସମସ୍ତ ପ୍ରକାରର ଖାଉଟି ସାମଗ୍ରୀର ଦର ବୃଦ୍ଧି ଆଜି କେବଳ ଦରିଦ୍ର ଲୋକଙ୍କୁ ନୁହେଁ, ଏପରିକି ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତତ୍ତ ଲୋକଙ୍କୁ ମଧ୍ୟ ଅସହ୍ୟ ହେଉଛି । ବସ୍ ଓ ଟ୍ରେନ୍ ଭଡ଼ା ଆକାଶଛୁଆଁ ହୋଇଛି । ପୂର୍ବରୁ ବରିଷ୍ଠ ନାଗରିକମାନଙ୍କୁ ରେଳଯାତ୍ରା କ୍ଷେତ୍ରରେ ଦିଆଯାଉଥିବା ସବ୍‌ସିଡି ଉଠାଇ ଦିଆଯାଇଛି । ୧ବର୍ଷର ଶିଶୁପାଇଁ ମଧ୍ୟ ରେଳଟିକଟ ଲାଗୁ ହୋଇଛି । ସୀମାହୀନ ବେକାରୀ ଫଳରେ କି ଶିକ୍ଷିତ କି ଅଶିକ୍ଷିତ ଯୁବକ ଯୁବତୀ କାମର ସନ୍ଧାନରେ ଦେଶ ସାରା ବାତଚକ୍ର ଭଳି ଘୁରି ବୁଲୁଛନ୍ତି । ଦେଶର ଯୁବସମାଜ ଚରମ ହତାଶାର ଶୀକାର । ହତାଶାଗ୍ରସ୍ତ ଯୁବକ ଅନୈତିକ ଜୀବନଯାପନ କରିବାକୁ ବାଧ୍ୟ ହେଉଛି । ସାଧାରଣ ଲୋକଙ୍କ କ୍ରୟକ୍ଷମତା ମାରାତ୍ମକଭାବରେ ହ୍ରାସ ପାଇବା ଫଳରେ ତୀବ୍ର ମାନ୍ଦାବସ୍ଥା ଏବଂ ବଜାର ସଂକଟ ସୃଷ୍ଟି ହୋଇଛି । କଳକାରଖାନା ବନ୍ଦ ହେଉଛି, ଶ୍ରମିକ ଛଟେଇ ହେଉଛି, ଶ୍ରମିକମାନଙ୍କର ମଜୁରୀ ହ୍ରାସ ହେଉଛି । କର୍ମହୀନ ଯୁବକ ଯୁବତୀମାନଙ୍କ ବାହିନୀରେ ଛଟେଇ ଶ୍ରମିକମାନେ ମିଶି ଦେଶରେ ଏକ ବିଶାଳ ବେକାର ବାହିନୀ ସୃଷ୍ଟି ହୋଇଛି । କୋଟି କୋଟି ଲୋକେ କାମ ପାଇଁ ହାହାକାର କରୁୁଛନ୍ତି । ସ୍ଥାୟୀ ନିଯୁକ୍ତି ସ୍ଥାନରେ ନିର୍ଦ୍ଦିଷ୍ଟ ସମୟ ପାଇଁ ନିଯୁକ୍ତି (ଲସଙ୍ଘରୟ ଗ୍ଧରକ୍ସଜ୍ଞ ରଜ୍ଞକ୍ଟ୍ରକ୍ଷକ୍ଟଚ୍ଚଜ୍ଞରଦ୍ଭଗ୍ଧ) ଦିଆଯାଉଛି । ସମସ୍ତ ଶ୍ରମ ଆଇନ୍‌କୁ ଅକାମୀ କରି ଶ୍ରମକୋଡ ଲାଗୁ କରାଯାଇଛି ଏବଂ ଶ୍ରମିକମାନଙ୍କୁ ଅମାନୁଷିକ ଭାବରେ ଶୋଷଣ କରିବାର ସମସ୍ତ ରାସ୍ତା ଖୋଲି ଦିଆଯାଇଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧିନରେ ବିଭିନ୍ନ ସ୍କିମରେ କାମ କରୁଥିବା ଅଙ୍ଗନୱାଡ଼ି କର୍ମୀ, ଆଶାକର୍ମୀ, ପାଚିକା ଓ ସହାୟିକାମାନଙ୍କ ଅବସ୍ଥା ଅତ୍ୟନ୍ତ ଦୁର୍ବିସହ । ପ୍ରବାସୀ ଶ୍ରମିକମାଙ୍କର ଅବସ୍ଥା ହୃଦୟ ବିଦାରକ । କେନ୍ଦ୍ର ସରକାରଙ୍କ ଦ୍ୱାରା ମାରାତ୍ମକ ବିମୁଦ୍ରିକରଣ ଓ ଜି.ଏସ୍‌.ଟି ପ୍ରଚଳନ ଫଳରେ କୋଟି କୋଟି ମଧ୍ୟମ ତଥା କ୍ଷୁଦ୍ର ଶିଳ୍ପରେ ତାଲା ପଡ଼ିଛି । କରୋନା ପରିସ୍ଥିତି ସୁଯୋଗରେ ସରକାରୀ ପଦକ୍ଷେପ ଅବସ୍ଥାକୁ ଆହୁରି ଶୋଚନୀୟ କରିଛି । ଏହାଫଳରେ କୋଟି କୋଟି ଲୋକ ବେକାର, ଅର୍ଦ୍ଧବେକାରରେ ପରିଣତ ହୋଇଛନ୍ତି ।
ଚାଷପାଇଁ ଆବଶ୍ୟକ ବିହନ, ସାର, ପୋକମରା ଔଷଧ, କୃଷି ଯନ୍ତ୍ରପାତିର ଦାମ କ୍ରମାଗତ ବୃଦ୍ଧି ପାଉଛି । ରାଜ୍ୟରେ ଜଳସେଚନର ସୁଯୋଗ ନାହିଁ । ବର୍ଷ ପରେ ବର୍ଷ ଫସଲର ଅଭାବୀ ବିକ୍ରି କରି ଋଣଗ୍ରସ୍ତ ଚାଷୀ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛି । ଲକ୍ଷ ଲକ୍ଷ ଚାଷୀ ଆତ୍ମହତ୍ୟା କରୁଛନ୍ତି ମାତ୍ର ତାର ପରିସଂଖ୍ୟାନ ପ୍ରକାଶକୁ କେନ୍ଦ୍ର ସରକାର ନିଷିଦ୍ଧ ଘୋଷଣା କରିଛି । ରାଜ୍ୟରେ ବିଦ୍ୟୁତ୍ କ୍ଷେତ୍ରର ଘରୋଇକରଣ ଫଳରେ ବିଜୁଳି ଶୁଳ୍କ ସାଧାରଣ ଲୋକଙ୍କ ପଇଠ କରିବା କ୍ଷମତା ବାହାରକୁ ଚାଲିଯାଉଛି । ଘରୋଇ ବିଜୁଳି କମ୍ପାନୀମାନେ ଶୁଳ୍କ ଆଦାୟ ପାଇଁ ଜନସାଧାରଣଙ୍କ ଉପରେ ରିତିମତ ଜୁୁଲୁମ ଚଳାଇଛନ୍ତି । ବିଜୁଳି ବିଲରେ ହେର୍‌ଫେର୍ ଏକ ସାଧାରଣ ଘଟଣାରେ ପରିଣତ ହୋଇଛି । ଚାଷୀ ଆନ୍ଦୋଳନ ଚାପରେ ପ୍ରତ୍ୟାହୃତ ହୋଇଥିବା ବିଜୁଳି ବିଲ୍‌-୨୦୨୦ ପାର୍ଲାମେଣ୍ଟରେ ପୁନର୍ବାର ଆଗତ ହୋଇଛି ।
ସାଧାରଣ ଘରର ପିଲାମାନଙ୍କ ଠାରୁ ଶିକ୍ଷାର ସୁଯୋଗ ଛଡ଼ାଇ ନେବା ପାଇଁ କେନ୍ଦ୍ର ସରକାର ଜାତୀୟ ଶିକ୍ଷା ନୀତି-୨୦୨୦ ପ୍ରଚଳନ କରିଛନ୍ତି । ଏହାକୁ କାର୍ଯ୍ୟକାରୀ କରିବାକୁ ଯାଇ ରାଜ୍ୟ ସରକାର ହଜାର ହଜାର ସ୍କୁଲ ବନ୍ଦ କରିଛନ୍ତି । ସ୍ୱାସ୍ଥ୍ୟସେବାର ଆର୍ଥିକ ଦାୟିତ୍ୱରୁ କେନ୍ଦ୍ର ଓ ରାଜ୍ୟ ସରକାର ଓହରି ଯିବା ଫଳରେ ସରକାରୀ ସ୍ୱାସ୍ଥ୍ୟ ଭିତ୍ତି ଭୂମି ସମ୍ପୂର୍ଣ୍ଣ ଭୁଷୁଡ଼ି ପଡ଼ିଛି । କରୋନା ସମୟରେ ସାମାନ୍ୟ ଅକ୍ସିଜେନ୍ ଟିକିଏ ଅଭାବରୁ ହଜାର ହଜାର ଲୋକ ମୃତ୍ୟୁବରଣ କରିବା ପରେ ସରକାରୀ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକଟ ଚିତ୍ର ଲୋକଲୋଚନକୁ ଆସିଛି । ଏହାଫଳରେ ସାଧାରଣ ଲୋକ ମାମୁଲି ଚିକିତ୍ସା ପାଇଁ ମଧ୍ୟ ଜମିବାଡ଼ି କଂସା ପିତ୍ତଳ ବିକ୍ରି କରି ସର୍ବସ୍ୱାନ୍ତ ହେଉଛନ୍ତି । କର ଟିକସ ବୋଝରେ ଦେଶର ସାଧାରଣ ଲୋକଙ୍କ ଅଣ୍ଟା ବଙ୍କା ହୋଇଯାଉଛି । ଚୁଡ଼ା, ମୁଢି ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଉପରେ ମଧ୍ୟ ଜିଏସ୍‌ଟି ଲାଗୁ କରାଯାଇଛି । ଆବାହମାନକାଳରୁ ପୁରୁଷ ପୁରୁଷ ଧରି ବଣ ଜଙ୍ଗଲରେ ବସବାସ କରୁଥିବା ଆଦିବାସୀ ଓ ଜଙ୍ଗଲ ଅଧିବାସୀମାନଙ୍କୁ ଉନ୍ନୟନ, ଶିଳ୍ପାୟନ ଓ ବିକାଶ ଆଳରେ ସେମାନଙ୍କର ଭିଟା ମାଟିରୁ ବନ୍ଧୁକ ମୁନରେ ଉଚ୍ଛେଦ କରାଯାଉଛି । ସୁପ୍ରିମ୍ କୋର୍ଟର ନିର୍ଦ୍ଦେଶ ଅନୁଯାୟୀ ଦେଶର ୧୧ ଲକ୍ଷରୁ ଉର୍ଦ୍ଧ୍ୱ ଆଦିବାସୀ ଜନସାଧାରଣ ବାସ୍ତୁହରା ହେବାର ଦ୍ୱାରଦେଶରେ ।
ଏହି ପରିସ୍ଥିତିରେ ବିଶ୍ୱ ଦାରିଦ୍ର‌୍ୟ ସୂଚକାଙ୍କରେ ଭାରତ ତଳକୁ ତଳକୁ ଯାଉଛି । ବିଶ୍ୱ ଖାଦ୍ୟ ସଂସ୍ଥାର ରିପୋର୍ଟ ଅନୁଯାୟୀ ଭାରତରେ କ୍ଷୁଧାର ତାଡନା ଆଫ୍ରିକାର ସାହାରା ମରୁଭୂମିର ପାଦଦେଶରେ ଅବସ୍ଥିତ ଅତ୍ୟନ୍ତ ଦରିଦ୍ର ଦେଶମାନଙ୍କ ଠାରୁ ମଧ୍ୟ ଆହୁରି ଉତ୍କଟ । ଶିଶୁ ମୃତ୍ୟୁହାର, ମାତୃ ମୃତ୍ୟୁହାର, ପୁଷ୍ଟିିହୀନତା, ପାଞ୍ଚବର୍ଷ ପର୍ଯ୍ୟନ୍ତ ଶିଶୁମାନଙ୍କ ପାଇଁ ଆବଶ୍ୟକ ପୋଷଣ କ୍ଷେତ୍ରରେ ଭାରତର ସ୍ଥାନ ପୃଥିବୀର ଅତ୍ୟନ୍ତ ଦରିଦ୍ର ଦେଶମାନଙ୍କ ତୁଳନାରେ ଯଥେଷ୍ଟ ନିମ୍ନରେ । ଆଜିବି ବିଶ୍ୱର ସବୁଠାରୁ ଅଧିକ ନିରକ୍ଷର ଏବଂ ଗୃହହୀନଙ୍କ ଦେଶ ହେଉଛି ଭାରତ । ଆଉ ଏ ସମସ୍ତ କ୍ଷେତ୍ରରେ ଓଡ଼ିଶାର ସ୍ଥିତି ଜାତୀୟ ସ୍ତରରେ ଅତ୍ୟନ୍ତ ଦୟନୀୟ । ରାଜ୍ୟରେ ଲକ୍ଷ ଲକ୍ଷ ଲୋକ ଅନାହାର, ଅର୍ଦ୍ଧାହାରରେ କାଳାତିପାତ କରନ୍ତି । ଏସବୁ ସତ୍ତ୍ୱେ କେନ୍ଦ୍ର ବି.ଜେ.ପି ଏବଂ ରାଜ୍ୟ ବି.ଜେ.ଡି ସରକାର କହୁଛନ୍ତି ଦେଶରେ ଅମୃତକାଳ ଚାଲିଛି ।
ତେବେ ଦେଶର ସାଧାରଣ ଲୋକ ହାହାକାରମୟ ପରିସ୍ଥିତିରେ କାଳାତିପାତ କରୁଥିଲେ ମଧ୍ୟ ଦେଶର ଏକଚାଟିଆ ପୁଞ୍ଜିପତି, କର୍ପୋରେଟ୍ ହାଉସ୍ ପାଇଁ ପ୍ରକୃତରେ ଆଚ୍ଛେ ଦିନ ଆସିଛି, ଅମୃତକାଳ ଆସିଛି । ସମସ୍ତ ପ୍ରକାର ଖାଉଟି ସାମଗ୍ରୀ ଉପରେ ଏପରିକି ଖାଦ୍ୟ ସାମଗ୍ରୀ ଉପରେ କର ଟିକସ୍ ଲଦିଦିିଆ ଯାଉଥିଲା ବେଳେ ଏକଚାଟିଆ ପୁଞ୍ଜିପତିମାନଙ୍କଠାରୁ ଆଦାୟ କରାଯାଉଥିବା ଟିକସ ହ୍ରାସ କରାଯାଉଛି । ଗତ ପାଞ୍ଚବର୍ଷ ମଧ୍ୟରେ ଏକଚାଟିଆ ପୁଞ୍ଜିପତି ମାନଙ୍କୁ ୫ଲକ୍ଷ କୋଟି ଟଙ୍କାର ଟିକସ ଛାଡ କରାଯାଇଛି । ସମ୍ପ୍ରତି କେନ୍ଦ୍ର ସରକାରଙ୍କ ପରିସଂଖ୍ୟାନ ଅନୁଯାୟୀ ଗତ ୫ ବର୍ଷ ମଧ୍ୟରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ଇଚ୍ଛାକୃତ ଋଣ ଖିଲାପକାରୀ ଏକଚାଟିଆ ପୁଞ୍ଜିପତିମାନଙ୍କୁ ୧୦ଲକ୍ଷ କୋଟି ଟଙ୍କା ଋଣ ଛାଡ଼ କରିଛନ୍ତି । ଆତଙ୍କଜନକ ଭାବରେ ଜିଏସ୍‌ଟି ଜରିଆରେ ସାଧାରଣ ଲୋକଙ୍କ ଠାରୁ ବିପୁଳ ପରିମାଣର ପରୋକ୍ଷ କର ଆଦାୟ କରାଯାଉଛି । ଦେଶର ଅନାହାରକ୍ଲିଷ୍ଟ ଅଭୁକ୍ତ ଜନସାଧାରଣଙ୍କ ରକ୍ତ ଶୋଷି ଆଦାୟ କରାଯାଉଥିବା ଟିକସ୍ ଅର୍ଥକୁ ଏକଚାଟିଆ ପୁଞ୍ଜିପତିମାନଙ୍କ ହାତକୁ ଟେକି ଦିଆଯାଉଛି । ଅନ୍ୟପଟରେ ସାଧାରଣ ଲୋକଙ୍କ ସାମାଜିକ ସୁରକ୍ଷା ପାଇଁ ପୂର୍ବରୁୁ ଦିଆଯାଉଥିବା ସାମାନ୍ୟ ସହାୟତା କାଟ କରାଯାଉଛି । ଏପରିକି ଅବସର ପରେ ସରକାରୀ କର୍ମଚାରୀମାନଙ୍କର ପେନ୍‌ସନ୍ ମଧ୍ୟ ବନ୍ଦ କରିଦିଆଯାଇଛି । ସମସ୍ତ କ୍ଷେତ୍ରରେ ଦିଆଯାଉଥିବା ସବ୍‌ସିଡି ଉଠାଇ ଦିଆଯାଇଛି । ପୁଞ୍ଜିବାଦୀ ଶୋଷଣ ଫଳରେ ଅତ୍ୟନ୍ତ ଦୁର୍ଦ୍ଦଶାଗ୍ରସ୍ତ ଲୋକଙ୍କ ଖାଦ୍ୟ ସୁରକ୍ଷା ଓ ଫସଲପାଇଁ ଚାଷୀମାନଙ୍କୁ ଦିିଆଯାଉଥିବା ସର୍ବନିମ୍ନ ସହାୟକ ଦରକୁ ଆଇନ୍ ସିଦ୍ଧ କରିଦେଲେ ଦେଶ ଦେବାଳିଆ ହୋଇଯିବ ବୋଲି ପ୍ରଚାର ଚାଲିଛି । ସ୍ୱୟଂ ପ୍ରଧାନମନ୍ତ୍ରୀ ଏହାକୁ ‘ରାବିଡି ସଂସ୍କୃତି’ ବୋଲି ବର୍ଣ୍ଣନା କରିଛନ୍ତି । ମାତ୍ର ଏକଚାଟିଆ ପୁଞ୍ଜିପତିମାନଙ୍କୁ ଦିଆଯାଉଥିବା ଏହି ଧରଣର ହାତ ଖୋଲା ଦାନ ବିରୁଦ୍ଧରେ ଏମାନଙ୍କ ମଧ୍ୟରୁ କେହି ପାଟି ଖୋଲୁ ନାହାନ୍ତି ।
କେବଳ ସେତିକି ନୁହେଁ, ଏହି ଏକଚାଟିଆ ପୁଞ୍ଜିପତିମାନଙ୍କୁ ସାଧାରଣ ଲୋକଙ୍କ ଟିକସ୍ ଅର୍ଥରେ ଗଢି ଉଠିଥିବା ରାଷ୍ଟ୍ରାୟତ୍ତ କଳକାରଖାନା, ବନ୍ଦର, ବିମାନ ବନ୍ଦର, ବ୍ୟାଙ୍କ, ବୀମା କ୍ଷେତ୍ରକୁ ଶାଗମାଛ ଦରରେ ଟେକି ଦିଆଯାଉଛି । ରେଳବାଇ ମଧ୍ୟ ଏମାନଙ୍କ ହାତରେ । ପ୍ରତିରକ୍ଷା କ୍ଷେତ୍ରରେ ଦେଶୀ ବିଦେଶୀ ଘରୋଇ ପୁଞ୍ଜିର ଅନୁପ୍ରବେଶ ଘଟିଛି । ପ୍ରତିରକ୍ଷା ସାମଗ୍ରୀ ନିର୍ମାଣ କାରଖାନା ଏକଚାଟିଆ ପୁଞ୍ଜିପତିମାନଙ୍କ ମାଲିକାନାକୁ ଯାଉଛି । ଖଣି ଖାଦାନ, ପାହାଡ଼ ପର୍ବତ, ରାସ୍ତାଘାଟ, ନଦୀ ନାଳ ସବୁକିଛି ଦ୍ରୁତ ଏମାନଙ୍କ ମାଲିକାନାଧୀନ ହେଉଛି ।
ଏହି ପ୍ରକ୍ରିୟାରେ ଦେଶରେ ଆରବପତିମାନଙ୍କର ସଂଖ୍ୟା ବଢି ଚାଲିଛି । ଏସିଆ ମହାଦେଶର ୧୦୦ ଜଣିଆ ଧନୀ ତାଲିକାରେ ଭାରତର ୪୫ ଜଣ ସ୍ଥାନ ପାଇଛନ୍ତି । ବିଶ୍ୱର ଦ୍ୱିତୀୟ ଧନୀ ବ୍ୟକ୍ତି ଜଣେ ଭାରତୀୟ । କରୋନା ମହାମାରୀ ସମୟରେ ଦେଶର କୋଟି କୋଟି ଲୋକ କାମଧନ୍ଦା ହରାଇଥିଲେ, କୋଟି କୋଟି ଲୋକଙ୍କର ଆୟ ମାରାତ୍ମକଭାବରେ ହ୍ରାସ ପାଇଥିଲା । ପ୍ରବାସୀ ଶ୍ରମିକମାନଙ୍କର ଅବସ୍ଥା ଦୟନୀୟ ହୋଇଥିଲା । କିନ୍ତୁ ଦେଶରେ ଏହିଭଳି ହାହାକାର ପରିସ୍ଥିତି ଲାଗି ରହିଥିଲା ବେଳେ ଭାରତର ଏକଚାଟିଆ ପୁଞ୍ଜିପତିମାନଙ୍କର ମୁନାଫା ବହୁଗୁଣିତ ହୋଇଥିଲା । କରୋନା କାଳରେ ହିଁ ଦେଶରେ ୩୦ ଜଣ ନୂଆ ଆରବପତି ସୃଷ୍ଟି ହୋଇଥିଲେ । ଗୋଟିଏ ଦିଗରେ ମୁଷ୍ଟିମେୟ ଲୋକଙ୍କ ପାଖରେ ସମ୍ପଦର ପାହାଡ଼ ହିମାଳୟର ଆକାର ଧାରଣ କରୁଥିବା ବେଳେ ଅନ୍ୟଦିଗରେ ଆପାମାର ଜନସାଧାରଣ ସୀମାହୀନ ଦାରିଦ୍ର‌୍ୟ, କ୍ଷୁଧା, ବେକାରୀ, ରୋଗ ଓ ନିରକ୍ଷରତାରେ ଜର୍ଜରିତ । ଦେଶର ମୋଟ୍ ସମ୍ପଦର ସିଂହଭାଗ ମୁଷ୍ଟିମେୟ ଲୋକଙ୍କ ହାତରେ ଠୁଳ ହୋଇଛି । ଅନ୍ୟପଟରେ ସହାୟ ସମ୍ବଳହୀନ ଜନସମୁଦ୍ର । ଧନୀ ଦରିଦ୍ର ମଧ୍ୟରେ ବ୍ୟବଧାନ ଅତ୍ୟନ୍ତ ଦ୍ରୁତ ବଢିଚାଲିଛି । ସ୍ୱାଧୀନତା ପରଠାରୁ ଏହିି ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ୨୦୧୪ ମସିହାରେ କେନ୍ଦ୍ରରେ ବିଜେପି ଏକକ ସଂଖ୍ୟାଗରିଷ୍ଠତା ନେଇ ସରକାର ଗଠନ କରିବା ପରେ ଏହି ପ୍ରକ୍ରିୟା ତ୍ୱରାନ୍ୱିତ ହୋଇ ରକେଟ୍ ଗତିରେ ଚାଲିଛି । ଦେଶର ସମସ୍ତ ସମ୍ପଦ ମୁଷ୍ଟିମେୟ ଏକଚାଟିଆ ପୁଞ୍ଜିପତିଙ୍କ ହାତରେ ଠୁଳ ହେଉଛି । ଏହା ନିଃସନ୍ଦେହରେ ଏକଚାଟିଆ ପୁଞ୍ଜିପତିଙ୍କ ପାଇଁ ଅମୃତକାଳ!
ଏଠାରେ ପ୍ରଶ୍ନ ହେଉଛି ଦେଶରେ ସୃଷ୍ଟି ହୋଇଥିବା ଏହି ପରିସ୍ଥିତି ପାଇଁ ଦାୟୀ କିଏ? ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁଙ୍କ ସମାଜବାଦୀ ଢାଞ୍ଚାର ସମାଜଠାରୁ ଆରମ୍ଭ କରି ମୋଦିଙ୍କର ଆଚ୍ଛେଦିନ ପର୍ଯ୍ୟନ୍ତ ସମସ୍ତ ସରକାର, ଦେଶର ଜନସାଧାରଣଙ୍କ ଉନ୍ନତିର ସ୍ଲୋଗାନ ଦେଇଆସୁଛନ୍ତି । ହେଲେ ଦେଶର ସାଧାରଣ ଲୋକ ସ୍ୱାଧୀନତାର ୭୫ ବର୍ଷ ପରେ ମଧ୍ୟ ଏହି ଧରଣର ଦୁର୍ଦ୍ଦଶାର ଶୀକାର ହୋଇଛନ୍ତି କାହିଁକି? ଏହାର କାରଣ ନିହିତ ରହିଛି ସ୍ୱାଧୀନୋତ୍ତର ଭାରତରେ ପ୍ରତିଷ୍ଠିତ ହୋଇଥିବା ଅବକ୍ଷୟୀ ମରଣମୁଖୀ ପୁଞ୍ଜିବାଦୀ ଶାସନ ବ୍ୟବସ୍ଥା ମଧ୍ୟରେ । ସ୍ୱାଭାବିକ ନିୟମରେ ହିଁ ଏହି ବ୍ୟବସ୍ଥା ସାବାଳକ ଭୋଟ ଜରିଆରେ ସରକାର ଗଠନ ଓ ପରିବର୍ତ୍ତର୍ନ ଆଢୁଆଳରେ ଦେଶର ସାଧାରଣ ଲୋକଙ୍କୁ ଅମାନୁଷିକ ଭାବରେ ଶୋଷଣ କରୁଛି । ପୁଞ୍ଜିବାଦୀ ବ୍ୟବସ୍ଥା ଯେତେ ମରଣମୁଖୀ ଏବଂ ପଚନଶୀଳ ହେଉଛିଏହି ଅର୍ଥନୈତିକ ଶୋଷଣ ସେତେ ତୀବ୍ର ହେଉଛି । ଧନକୁବେରମାନଙ୍କ ହାତରେ ଦ୍ରୁତ ଅଧିକରୁୁ ଅଧିକ ସମ୍ପଦ ଠୁଳ ହେଉଛି ।
ପୁଞ୍ଜିବାଦ କେବଳ ଅର୍ଥନୈତିକଭାବରେ ଶୋଷଣ କରୁନାହିଁ । ନିର୍ମମ ଅର୍ଥନୈତିକ ଶୋଷଣ ଫଳରେ ସମ୍ପୂର୍ଣ୍ଣ ଦୟନୀୟ ସ୍ଥିତିରେ ରହିଥିବା ଜନସାଧାରଣଙ୍କର ନୈତିକ ମେରୁଦଣ୍ଡକୁ ଧ୍ୱଂସ କରିବା ପାଇଁ ପୁଞ୍ଜିବାଦର ସେବାଦାସ ସରକାରମାନେ ଯୋଜନାବଦ୍ଧ ଭାବରେ ଉଦ୍ୟମ କରୁଛନ୍ତି । ପୁଞ୍ଜିବାଦୀ ଶୋଷଣରେ ଅତିଷ୍ଠ ଜନସାଧାରଣ ଯେଭଳି ସଂଘବଦ୍ଧ ଭାବରେ ଶୋଷଣମୂଳକ ପୁଞ୍ଜିବାଦୀ ବ୍ୟବସ୍ଥା ବିରୁଦ୍ଧରେ ଠିଆ ନହୁଅନ୍ତି ସେଥିପାଇଁ ଶୋଷିତ ଜନସାଧାରଣଙ୍କର ନୈତିକ ମେରୁଦଣ୍ଡଙ୍କୁ ଧ୍ୱଂସ କରିବା ପାଇଁ ସରକାରୀ ପ୍ରୋତ୍ସାହନରେ ମଦ, ମାଦକଦ୍ରବ୍ୟ, ଅଶ୍ଳୀଳ ସିନେମା, ଭିଡିଓ, ସାହିତ୍ୟର ପ୍ରଚାର ପ୍ରସାର କରାଯାଉଛି । ନାରୀ ନିର୍ଯାତନା, ଧର୍ଷଣ, ଗଣଧର୍ଷଣ ଓ ହତ୍ୟା ଉଦ୍‌ବେଗଜନକ ଭାବରେ ବଢି ଚାଲିଛି । ଏହିଭଳି ପରିସ୍ଥିତିରେ ସଂପ୍ରତି ଗୁଜୁରାଟ ବିଜେପି ସରକାର ବିଲକିସ୍ ବାନୋର ଗଣଧର୍ଷଣ ଓ ଗଣହତ୍ୟାକାରୀମାନଙ୍କୁ ରାଜକ୍ଷମା ପ୍ରଦାନକରି ଏକ କଳଙ୍କିତ ଇତିହାସ ସୃଷ୍ଟି କରିଛନ୍ତି । ସମଗ୍ର ସମାଜ ନୈତିକତାର ସଂକଟରେ ଜର୍ଜରିତ ।
ମାତ୍ର ଦେଶର ଏକଚାଟିଆ ପୁଞ୍ଜିପତିମାନଙ୍କ ଅର୍ଥବଳ ଓ ପ୍ରଚାର ବଳରେ ଗଢିଉଠିଥିବା ଜାତୀୟ ଓ ଆଞ୍ଚଳିକ ଦଳଗୁଡ଼ିକ ଏକଚାଟିଆ ପୁଞ୍ଜିପତି ଶ୍ରେଣୀର ରାଜନୈତିକ ମ୍ୟାନେଜର ଭାବରେ କାମ କରୁଛନ୍ତି । ଏହି ଦଳମାନେ ଜନସାଧାରଣଙ୍କୁ ନାନା ଭାବରେ ପ୍ରତାରିତ ଓ ବିଭ୍ରାନ୍ତ କରି ଦେଶରେ ପୁଞ୍ଜିବାଦୀ ଶାସନ ଶୋଷଣକୁ ଦୀର୍ଘସ୍ଥାୟୀ କରିବା ପାଇଁ ଉଦ୍ୟମ କରୁଛନ୍ତି । ଗୋଟିଏ ପଟରେ ଭୋଟ ଜରିଆରେ ସରକାର ପରିବର୍ତ୍ତନ ମାଧ୍ୟମରେ ଦେଶର ଜନସାଧାରଣଙ୍କର ଅବସ୍ଥାର ପରିବର୍ତ୍ତନ କରାଯାଇ ପାରିବ ବୋଲି ଏହି ଦଳମାନେ ମିଥ୍ୟା ପ୍ରଚାର କରୁଛନ୍ତି । ଅନ୍ୟଦିଗରେ ଜାତି, ଧର୍ମ, ଅଞ୍ଚଳ, ଭାଷା ଓ ସମ୍ପ୍ରଦାୟକୁ ଭିତ୍ତିକରି ଜନସାଧାରଣଙ୍କୁ ଭାଗ ଭାଗ କରୁଛନ୍ତି । ସେମାନଙ୍କ ମଧ୍ୟରେ ଭାତୃଘାତୀ ସଂଘର୍ଷ ସୃଷ୍ଟି କରୁଛନ୍ତି ଏବଂ ନିର୍ମମ ପୁଞ୍ଜିବାଦୀ ଶୋଷଣ ଅତ୍ୟାଚାର ବିରୁଦ୍ଧରେ ଶୋଷିତ ଜନସାଧାରଣଙ୍କ ଐକ୍ୟବଦ୍ଧ ଲଢେଇକୁ ବିପଥଗାମୀ କରୁଛନ୍ତି । ବହୁ ଦଶଂଧି ଧରି କଂଗ୍ରେସ ଦଳ କେନ୍ଦ୍ର ଶାସନରେ ଅଧିଷ୍ଠିତ ହୋଇ ଧର୍ମନିରପେକ୍ଷତାର ଆଢୁଆଳରେ ଏହା କରିଛି । ବର୍ତ୍ତମାନ ବି.ଜେ.ପି ହିନ୍ଦୁ ଭୋଟ ବ୍ୟାଙ୍କ ସୃଷ୍ଟି କରିବା ପାଇଁ ଅତ୍ୟନ୍ତ ନଗ୍ନ ଓ ଉଗ୍ର ଭାବରେ ସାମ୍ପ୍ରଦାୟିକ ରାଜନୀତି ଚଳାଇଛି । ବି.ଜେ.ପି-ଆର୍‌.ଏସ୍‌.ଏସ୍‌. ଦ୍ୱାରା ଇତିହାସର ପୁନଃଲିଖନ ଆଳରେ ଇତିହାସର ବିକୃତିକରଣ କରାଯାଉଛି ଏବଂ ସମସ୍ତ ପ୍ରକାର କୁସଂସ୍କାର ଓ ଅନ୍ଧତାର ପ୍ରଚାର ପ୍ରସାର କରାଯାଉଛି । ଉଗ୍ର ଦେଶପ୍ରେମ, ଅନ୍ଧ ଜାତୀୟତାବାଦ ଓ ସାମ୍ପ୍ରଦାୟିକ ରାଜନୀତି ଆଜି ଦେଶରେ ଅତ୍ୟନ୍ତ ବିଷ୍ଫୋରକ ପରିସ୍ଥିତି ସୃଷ୍ଟି କରିଛି ।
ସମସ୍ତ ରାଜନୈତିକ କ୍ଷମତା ପୁଞ୍ଜିବାଦୀ ରାଷ୍ଟ୍ରହାତରେ କେନ୍ଦ୍ରୀକୃତ ହେଉଛି । ସଂସଦ ଏବଂ ନିର୍ବାଚନ ପ୍ରହସନରେ ପରିଣତ ହୋଇଛି । ବିଜ୍ଞାନର କାରିଗରୀ ଦିଗ ସହିତ ଆଧ୍ୟାତ୍ମବାଦର ବିଚିତ୍ର ସମ୍ମିଶ୍ରଣ ଘଟାଇ ଏକଚାଟିଆ ପୁଞ୍ଜିପତିଶ୍ରେଣୀର ଶ୍ରେଣୀ ସ୍ୱାର୍ଥରେ ଦେଶରେ ଦ୍ରୁତ ସର୍ବାତ୍ମକ ଫାସିବାଦ ପ୍ରତିଷ୍ଠା କରିବା ପାଇଁ ବି.ଜେ.ପି -ଆର୍‌.ଏସ୍‌.ଏସ୍ ପକ୍ଷରୁ ଉଦ୍ୟମ ଚାଲିଛି । ବିରୋଧି ମତବାଦକୁ ଫାସିବାଦୀ କାଇଦାରେ ଦମନ କରାଯାଉଛି । ସି.ବି.ଆଇ ଓ ଇ.ଡି ଆତଙ୍କ ସୃଷ୍ଟିକରି ବିରୋଧି ରାଜନୈତିକ ଦଳ ଓ ଏହି ଦଳମାନଙ୍କ ନେତୃତ୍ୱରେ ଗଠିତ ସରକାରକୁ ଭଙ୍ଗା ଯାଉଛି ।
ଆମ ରାଜ୍ୟରେ ଦୀର୍ଘ ୨୨ ବର୍ଷ ଧରି କ୍ଷମତାସୀନ ବିଜେଡି ଦଳ, ବିଜେପି-ଆର୍‌ଏସ୍‌ଏସ୍‌ର ସମସ୍ତ କୁକର୍ମ ଓ ଜନବିରୋଧି ଆଇନ ପ୍ରଣୟନରେ ସହାୟକ ଭୂମିକା ପାଳନ କରୁଛି । ଠିକ୍ କେନ୍ଦ୍ରର ବି.ଜେ.ପି ସରକାର ଭଳି ଢିଙ୍କିଆରେ ପ୍ରତିବାଦୀ ଜନସାଧାରଣଙ୍କ ଉପରେ ଅକଥନୀୟ ଅତ୍ୟାଚାର କରାଯାଉଛି । କଳିଙ୍ଗ ନଗରରେ ନିରୀହ ଆଦିବାସୀମାନଙ୍କୁ ଗୁଳି କରି ହତ୍ୟା କରାଯାଇଛି । କେନ୍ଦ୍ର ବି.ଜେ.ପି ସରକାରର ପ୍ରତ୍ୟେକ ଜନବିରୋଧି ନୀତିକୁ ବିଜେଡି ଅବିଳମ୍ବେ ରାଜ୍ୟରେ ଲାଗୁ କରିଛି । ଏହି ଦୁଇ ଦଳ ମଧ୍ୟରେ ଘନିଷ୍ଠତା ସମ୍ପ୍ରତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଓଡିଶା ଗ୍ରସ୍ତ ସମୟରେ ଆହରି ସ୍ପଷ୍ଟ ହୋଇଛି ।
ସ୍ୱାଭାବିକଭାବରେ ଏହିଭଳି ହାହାକାରମୟ ପରିସ୍ଥିତିରେ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଓ କ୍ରୋଧ ସୃଷ୍ଟି ହେଉଛି । ଜନସାଧାରଣଙ୍କର ପୁଞ୍ଜିଭୂତ ଅସନ୍ତୋଷ ଦେଶର ବିଭିନ୍ନ ସ୍ଥାନରେ ବିକ୍ଷିପ୍ତ ଓ ବିଚ୍ଛିନ୍ନ ଆନ୍ଦୋଳନ ରୂପରେ ମୁଣ୍ଡ ଟେକୁଛି । ଦେଶରେ ଦେଖାଦେଇଥିବା ଐତିହାସିକ କୃଷକ ଆନ୍ଦୋଳନ ଏବଂ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ଅଗ୍ନିପଥ ଯୋଜନା ବିରୁଦ୍ଧରେ ଗଢି ଉଠିଥିବା ଆନ୍ଦୋଳନ ଏହାର ପ୍ରକୃଷ୍ଟ ଉଦାହରଣ । ଆନ୍ଦୋଳନ ଚାପରେ ଅତ୍ୟନ୍ତ ଉଦ୍ଧତ କେନ୍ଦ୍ର ବି.ଜେ.ପି ସରକାର ୩ଟି ଜନବିରୋଧି କୃଷି ବିଲ୍ ଏବଂ ପ୍ରସ୍ତାବିତ ବିଦ୍ୟୁତ୍ ସଂଶୋଧନ ବିଲ୍ ପ୍ରତ୍ୟାହାର କରିବାକୁ ବାଧ୍ୟ ହେଲା । ଅଗ୍ନିପଥ ବିରୋଧି ଆନ୍ଦୋଳନ ମଧ୍ୟ ସ୍ୱତଃସ୍ଫୁର୍ତ୍ତ ଭାବରେ ବିନା ନେତା, ବିନା ସଂଗଠନରେ ଜଙ୍ଗଲର ନିଆଁ ଭଳି ଦେଶର ବ୍ୟାପକ ଅଞ୍ଚଳରେ ବ୍ୟାପିଗଲା । ଜନସାଧାରଣଙ୍କ ମଧ୍ୟରେ ବିଶେଷକରି ଦେଶର ଯୁବ ବର୍ଗ ମଧ୍ୟରେ ଅସନ୍ତୋଷ ଓ କ୍ରୋଧର ତୀବ୍ରତା ଏଥିରୁ ହିଁ ପ୍ରମାଣିତ ହେଉଛି ।
ଏହି ପରିସ୍ଥିତିରେ ଦେଶର ବାମପନ୍ଥୀ ଦଳମାନଙ୍କ ପକ୍ଷରୁ ଜନସାଧାରଣଙ୍କର ଜ୍ୱଳନ୍ତ ଦାବିକୁ ନେଇ ଐକ୍ୟବଦ୍ଧ, ଦୀର୍ଘସ୍ଥାୟୀ ଶକ୍ତିଶାଳୀ ଗଣଆନ୍ଦୋଳନ ଗଢିତୋଳିବାର ଅପରିହାର୍ଯ୍ୟ ଆବଶ୍ୟକତା ରହିଛି । ମାତ୍ର ସି.ପି.ଆଇ(ଏମ୍‌), ସି.ପି.ଆଇ ଓ ସି.ପି.ଆଇ(ଏମ୍‌-ଏଲ୍‌) ଭଳି ଭୋଟସର୍ବସ୍ୱ ବାମପନ୍ଥୀ ଦଳମାନେ ଆନ୍ଦୋଳନର ରାସ୍ତା ପରିତ୍ୟାଗ କରି ସଂସଦ ଓ ବିଧାନସଭାରେ ମାମୁଲି କେତୋଟି ଆସନ ପାଇଁ କଂଗ୍ରେସ ସମେତ ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ଆଞ୍ଚଳିକ ରାଜନୈତିକ ଦଳମାନଙ୍କର ଶରଣାପନ୍ନ ହେଉଛନ୍ତି । ଜନସାଧାରଣ ଆନ୍ଦୋଳନ ମୁହାଁ, ଆନ୍ଦୋଳନ ଚାହୁଁଛନ୍ତି । ମାତ୍ର ଏହି ଆନ୍ଦୋଳନକୁ ନେତୃତ୍ୱ ଦେବା ପରିବର୍ତ୍ତେ ଏହି ବାମପନ୍ଥୀ ଦଳମାନେ ଠିକ୍ ବୁର୍ଜୁଆ ଦଳମାନଙ୍କ ଭଳି ସଂସଦ ଓ ବିଧାନସଭାରେ ଆସନ ହିସାବ କରୁଛନ୍ତି । ଭାରତ ଭଳି ଗୋଟିଏ ପୁଞ୍ଜିବାଦୀ ରାଷ୍ଟ୍ରରେ କେବଳ ଗଣଆନ୍ଦୋଳନର ଶକ୍ତି ବଳରେ ହିଁ ଜନସାଧାରଣ ସେମାନଙ୍କର ନ୍ୟାୟସଂଗତ ଅଧିକାର ଅର୍ଜନ କରିପାରିବେ । ପୁଣି ଗଣଆନ୍ଦୋଳନର ଶକ୍ତି ବଳରେ ଅର୍ଜିତ ଅଧିକାରର ସୁରକ୍ଷା ଓ ଏହାର ସମ୍ପ୍ରସାରଣ ପାଇଁ ମଧ୍ୟ ଲଗାତର ଗଣଆନ୍ଦୋଳନର ଆବଶ୍ୟକତା ରହିଛି । ପୁନଶ୍ଚ ସଠିକ୍ ଆଦର୍ଶ ଓ ନେତୃତ୍ୱର ପରିଚାଳନାରେ ଗଢି ଉଠୁଥିବା ଗଣଆନ୍ଦୋଳନ ଗର୍ଭରୁ ହିଁ ଜନସାଧାରଣଙ୍କର ବିକଳ୍ପ ରାଜନୈତିକ ହତିଆର ଗଢି ଉଠିବ ଏବଂ ଜନସାଧାରଣଙ୍କୁ ମୁକ୍ତ କରିବ । ଇତିହାସରେ ଏହାର ଭୁରି ଭୁରି ପ୍ରମାଣ ରହିଛି । ଗଣଆନ୍ଦୋଳନର ରାସ୍ତା ପରିହାର କରିବାର ଅର୍ଥ ହେଉଛି ଜନସାଧାରଣଙ୍କୁ ଚିରକାଳ ଭୋଟ୍ ରାଜନୀତି ଓ ଆଇନ୍ ସର୍ବସ୍ୱତାର ଗଣ୍ଡି ମଧ୍ୟରେ ବାନ୍ଧିରଖି ପୁଞ୍ଜିବାଦୀ ଶୋଷଣକୁ ଦୀର୍ଘାୟିତ କରିବା ।
ଏହିଭଳି ପରିସ୍ଥିତିରେ ମହାନ୍ ନେତା କମ୍ରେଡ୍ ଶିବଦାସ ଘୋଷଙ୍କ ଦ୍ୱାରା ପ୍ରତିଷ୍ଠିତ ଭାରତବର୍ଷର ମାଟିରେ ଏକମାତ୍ର ସଠିକ୍ ସାମ୍ୟବାଦୀ ଦଳ ଏସ୍‌.ୟୁ.ସି.ଆଇ(କମ୍ୟୁନିଷ୍ଟ) ଏହାର ସମସ୍ତ ଶକ୍ତି ଦେଇ ଏକକ ଭାବରେ ଦେଶର ଜନସାଧାରଣଙ୍କର ଜ୍ୱଳନ୍ତ ସମସ୍ୟା ଉପରେ ଗଣଆନ୍ଦୋଳନ ଗଢିତୋଳୁଛି । ପାର୍ଟି ପକ୍ଷରୁ ବିଭିନ୍ନ ଅଞ୍ଚଳ ଓ ଜିଲ୍ଲା ସ୍ତରରେ ସଂଗଠିତ ଗଣଆନ୍ଦୋଳନର ଧାରାବାହିକତାରେ ଆଗାମୀ ସେପ୍ଟେମ୍ବର ୨୯ ତାରିଖରେ ରାଜଧାନୀ ଭୁବନେଶ୍ୱର ଠାରେ ଜନସାଧାରଣଙ୍କର ଜ୍ୱଳନ୍ତ ୧୨ ଦଫା ଦାବି ଉପରେ ଏକ ବିଶାଳ ଗଣବିକ୍ଷୋଭର ଡାକରା ଦିଆଯାଇଛି । ଏହି ଗଣବିକ୍ଷୋଭରେ ହଜାର ହଜାର ସଂଖ୍ୟାରେ ଯୋଗ ଦେଇ ରାଜ୍ୟର ମେହେନତୀ ଜନସାଧାରଣଙ୍କର ପ୍ରତିବାଦ ଓ ପ୍ରତିରୋଧର ସ୍ୱରକୁ ଶକ୍ତିଶାଳୀ କରିବା ପାଇଁ ଆମେ ସମାଜର ସମସ୍ତ ବର୍ଗର ଜନସାଧାରଣଙ୍କ ସମେତ ଅନ୍ୟାନ୍ୟ ବାମପନ୍ଥୀ ଦଳମାନଙ୍କର ତୃଣମୂଳ ସ୍ତରର କର୍ମୀ, ସମର୍ଥକ ଓ ଦରଦୀମାନଙ୍କୁୁ ନିବେଦନ କରୁଛୁ ।

Leave a Reply

Your email address will not be published. Required fields are marked *