୨୯ ସେପ୍ଟେମ୍ବର ରାଜ୍ୟ ସ୍ତରୀୟ ଗଣ ବିକ୍ଷୋଭ – ଏସୟୁସିଆଇ (କମ୍ୟୁନିଷ୍ଟ)

ଭୁବନେଶ୍ବର ତା 15.09.2022 – କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚରମ ଜନବିରୋଧି ନୀତି ଯୋଗୁ ସାଧାରଣ ମଣିଷର ଜୀବନ ଆଜି ଦୁର୍ବିସହ । ଔଷଧ ଠାରୁୁ ଆରମ୍ଭ କରି ସମସ୍ତ ନିତ୍ୟ ପ୍ରୟୋଜନୀୟ ସାମଗ୍ରୀର ଦରବୃଦ୍ଧି ପ୍ରତିଦିନ ଯେଭଳି ବଢୁୁଛି ତାହା କେବଳ ଗରିବ ଦିନ ମଜୁରିଆ ନୁହେଁ, ଏପରିକି ମଧ୍ୟବିତ୍ତମାନଙ୍କୁୁ ମଧ୍ୟ ଭିଷଣ ବାଧୁଛି । ଘରେ ଘରେ ଛଟେଇ ଶ୍ରମିକ, କର୍ମଚାରୀ ଓ ବେକାରୀର ତୀବ୍ର ଜ୍ୱାଳା । ଲକ୍ଷ୍ୟ ଲକ୍ଷ୍ୟ ଯୁବକ ଦାଦନ ଖଟିବାକୁ ଦେଶର ଏକପ୍ରାନ୍ତରୁ ଅପର ପ୍ରାନ୍ତ ଘୁରି ବୁଲୁଛନ୍ତି । ଅନ୍ୟଦିଗରେ ହାତ ଗଣତି ଧନୀକ ଗୋଷ୍ଠୀଙ୍କର ପୁଞ୍ଜି ଅକଳ୍ପନୀୟ ଭାବରେ ବଢି ଚାଲିଛି; ଅଥଚ ସେମାନଙ୍କୁ କୋଟି କୋଟି ଟଙ୍କା ଟିକସ ଛାଡ କରାଯାଉଛି । କେନ୍ଦ୍ର ସରକାର ଶିକ୍ଷା, ସ୍ୱାସ୍ଥ୍ୟସେବା ଠାରୁ ଆରମ୍ଭ କରି ରେଳ, ବ୍ୟାଙ୍କ, ବୀମା,ପ୍ରତିରକ୍ଷା ଆଦି ସମସ୍ତ ରାଷ୍ଟ୍ରାୟତ୍ତ ଓ ସରକାରୀ ଉଦ୍ୟୋଗକୁ ଘରୋଇକରଣ କରିଛନ୍ତି । ରାଜ୍ୟ ବିଜେଡି ସରକାର ମଧ୍ୟ ଢିଙ୍କିଆ ଭଳି ବିଭିନ୍ନ ସ୍ଥାନରେ ଲାଠି ଗୁଳି ସାହାଯ୍ୟରେ ଉର୍ବର ଚାଷ ଜମି, ଜଙ୍ଗଲ ଆଦିକୁ କମ୍ପାନୀ ମାନଙ୍କୁ ଟେକି ଦେଉଛନ୍ତି । କେନ୍ଦ୍ର ସରକାରଙ୍କ ସମସ୍ତ ଜନବିରୋଧି ନୀତିକୁ ସମର୍ଥନ ଓ କାର୍ଯ୍ୟକାରୀ କରିବାରେ ଆମ ରାଜ୍ୟ ହେଉଛି ଆଗୁଆ । ବିଦ୍ୟୁତ୍‍ ସମ୍ପଦରେ ଓଡିଶା ବଳକା ରାଜ୍ୟ ହେବା ସତ୍ତ୍ୱେ ବିଦ୍ୟୁତ୍‍ ଶୁଳ୍କ ବୃଦ୍ଧି କରି ରାଜ୍ୟବାସୀଙ୍କୁ ଲୁଟିବା ପାଇଁ ସରକାର ଟାଟା କମ୍ପାନୀକୁ ସୁଯୋଗ କରିଦେଇଛନ୍ତି । କୃଷି, ଶିକ୍ଷା, ସ୍ୱାସ୍ଥ୍ୟ ସେବା କଥା ନକହିବା ଭଲ । ଶିକ୍ଷା କ୍ଷେତ୍ରରେ ଯାହା ବି ସାମାନ୍ୟ ବଞ୍ôଚ ରହିଥିଲା ନୂତନ ଶିକ୍ଷାନୀତି-୨୦୨୦ ତା’ର ସମାଧି ରଚନା କରିବ ।
ସ୍ୱାଧୀନତା ପରଠାରୁ କ୍ରମାଗତ ଜନଗଣଙ୍କ ଆର୍ôଥକ, ରାଜନୈତିକ, ସାମାଜିକ, ସାଂସ୍କୃତିକ ଓ ପାରିବାରିକ ଜୀବନର ସମସ୍ୟା ବଢ଼ି ଚାଲିଛି । ବିଶେଷକରି ୯୦ ଦଶକରେ କଂଗ୍ରେସ ସରକାର ଜଗତିକରଣ ନୀତି କାର୍ଯ୍ୟକାରୀ କରିବା ପରଠାରୁ ଏହି ଆକ୍ରମଣ ତିବ୍ର ହୋଇଥିଲା ଏବଂ ୨୦୧୪ ପରଠାରୁ ବି.ଜେ.ପି ନେତୃତ୍ୱଧୀନ ସରକାର ଅମଳରୁ ଏହି ସଂକଟ ଆହୁରି ବହୁଗୁଣ ଦ୍ରୁତ, ବ୍ୟାପକ ଓ ଗଭୀରତର ହୋଇଛି । ରାଜ୍ୟରେ ବିଜେଡି ସରକାର ମଧ୍ୟ ସେହି ଏକା ଜନବିରୋଧି ନୀତି ଅନୁସରଣ କରି ଚାଲିଛନ୍ତି ।
ଆଜି ମଣିଷର ମୁହଁ ଖୋଲିବାର ଚାରା ନାହିଁ । କେନ୍ଦ୍ର ସରକାରଙ୍କ ନୀତିକୁ ବିରୋଧ କଲେ ଦେଶଦ୍ରୋହୀ ଭାବେ ଗଣ୍ୟ ହୋଇ କାରାବାସ ବା ମୃତ୍ୟୁଦଣ୍ଡ ଭୋଗିବାକୁ ହେଉଛି । ମଦ-ମାଦକ ଦ୍ରବ୍ୟ ତଥା ଅଶ୍ଳୀଳତା ଅପସଂସ୍କୃତିର ପ୍ରସାରଣ ଅତିତର ସରକାରମାନଙ୍କୁ ଟପି ଆହୁରି ଅତ୍ୟନ୍ତ ଉତ୍କଟ ରୂପ ନେଇଛି । ଫଳସ୍ୱରୂପ ନାରୀ ଆଜି ସମ୍ପୂର୍ଣ୍ଣ ଅସୁରକ୍ଷିତ । ବିକୃତ ଯୌନ ଚିନ୍ତା ଓ କ୍ରିୟାକଳାପ ସମାଜକୁ ଏପରି ଗ୍ରାସ କରିଛି ଯେ ଏହିସବୁ ରାଜନୈତିକ ଦଳର ନେତାମାନେ ମଧ୍ୟ ସେଥିରୁ ମୁକ୍ତ ନୁହଁନ୍ତି । ମଣିଷକୁ ଧର୍ମୀୟ ଅନ୍ଧତା ଓ ଭାଗ୍ୟବାଦୀ ଚିନ୍ତା ମଧ୍ୟରେ ବୁଡ଼ାଇ ରଖିବା ଏବଂ ତା’ମଧ୍ୟରେ ସାମ୍ପ୍ରଦାୟିକ, ଜାତିଆଣ ଆଦି ସଂକୀର୍ଣ୍ଣ ମାନସିକତାକୁ ଉଜ୍ଜୀବିତ କରିବାର ପ୍ରଚେଷ୍ଟା କେନ୍ଦ୍ର ସରକାର ବ୍ୟାପକଭାବେ ଚଳାଇଛି ।
ବନ୍ଧୁଗଣ, ଆମ ଉପରେ ସମସ୍ତ ଦିଗରୁ ନଇଁ ଆସିଥିବା ଏହି ଆକ୍ରମଣକୁ ପ୍ରତିହତ କରିବା ପାଇଁ ଏକମାତ୍ର ରାସ୍ତା ହେଉଛି ସଚେତନ, ସଂଗଠିତ, ଐକ୍ୟବଦ୍ଧ, ଧାରାବାହିକ ଓ ଶକ୍ତିଶାଳୀ ଗଣଆନ୍ଦୋଳନ; ଯାହା ଦିଲ୍ଲୀର ଐତିହାସିକ କୃଷକ ଆନ୍ଦୋଳନ ଆମ ସମ୍ମୁଖରେ ଜ୍ୱଳନ୍ତ ନଜିର ସୃଷ୍ଟି କରିଛି । ଏସ୍‍.ୟୁ.ସି.ଆଇ(କମ୍ୟୁନିଷ୍ଟ) ତାର ଜନ୍ମ ଲଗ୍ନରୁ ସବୁ ବର୍ଗର ଜନଗଣଙ୍କ ଜୀବନ ଜୀବିକାର ଦାବି ନେଇ ସ୍ତରେ ସ୍ତରେ ଆନ୍ଦୋଳନ ଗଢ଼ି ତୋଳୁଛି । ବର୍ତ୍ତମାନର ଏହି ସର୍ବାତ୍ମକ ଆକ୍ରମଣକୁ ପ୍ରତିହତ କରି ନିମ୍ନୋକ୍ତ ଜ୍ୱଳନ୍ତ ଦାବିରେ ରାଜ୍ୟ ବ୍ୟାପୀ ଆହୁରି ବ୍ୟାପକ ଓ ଦୁର୍ବାର ଆନ୍ଦୋଳନ ଗଢି ତୋଳିବା ପାଇଁ ହଜାର ହଜାର ସଂଖ୍ୟାରେ ଚାଷୀ-ମୂଲିଆ, ଶ୍ରମିକ-କର୍ମଚାରୀ, ଛାତ୍ର-ଯୁବକ, ମହିଳା ଆଦି ସର୍ବସ୍ତରର ଶୁଭବୁଦ୍ଧିସମ୍ପନ୍ନ ଜନସାଧାରଣ ଆଗେଇ ଆସି ଆଗାମୀ ୨୯ ସେପ୍ଟେମ୍ବର ରାଜ୍ୟ ସ୍ତରୀୟ ଗଣ ବିକ୍ଷୋଭକୁ ସମସ୍ତ ଦିଗରୁ ସଫଳ କରିବା ପାଇଁ ଆମେ ନିବେଦନ କରୁଅଛୁୁ ।

ନିବେଦକ
ଶଙ୍କର ଦାଶଗୁପ୍ତ, ସମ୍ପାଦକ ଏସ୍‍.ୟୁ.ସି.ଆଇ(କମ୍ୟୁନିଷ୍ଟ), ଓଡିଶା, ରାଜ୍ୟ କମିଟି

Leave a Reply

Your email address will not be published. Required fields are marked *