ଆନ୍ଦୋଳନକୁ ସଂହତି ଜଣାଇ ସିଜିମାଳିରେ ଏସ୍.ୟୁ.ସି.ଆ ଇ (କମ୍ୟୁନିଷ୍ଟ)ର ପ୍ରତିନିଧି ଦଳ
Dated 14.04.2026 –
ତା୧୪ ଏପ୍ରିଲ, ଭୁବନେଶ୍ୱର – ରାୟଗଡାଜିଲ୍ଲାର ସିଜିମାଳି ପାର୍ବତ୍ୟାଞ୍ଚଳରେ ଜାରି ରହିଥିବା ଜନଗଣଙ୍କ ଲଢ଼ୁଆ ଆନ୍ଦୋଳନକୁ ସଂହତି ଜଣାଇବା,ବେଦାନ୍ତ କମ୍ପାନୀ ଓ ଏହାର ସେବାଦାସ ସାଜିଥିବା ରାଜ୍ୟ ସରକାରଙ୍କ ପ୍ରଶାସନ, ସଶସ୍ତ୍ର ପୋଲିସ, କୋବ୍ରାବାହିନୀ, କମ୍ପାନୀର ନିଜସ୍ୱ ଗୁଣ୍ଡାବାହିନୀ ସହିତ ବୀରତ୍ୱପୂର୍ଣ୍ଣ ମୁହାଁମୁହିଁ ସଂଘର୍ଷ କରିଥିବାଆନ୍ଦୋଳନକାରୀମାନଙ୍କୁ ସଂଗ୍ରାମୀ ଅଭିନନ୍ଦନ ଜଣାଇବା ତଥା ଭିଟାମାଟି-ଜମି-ଜଙ୍ଗଲ-ପାହାଡ-ଝରଣାକୁବଞ୍ଚାଇବାର ଆନ୍ଦୋଳନକୁ ଆହୁରି ବ୍ୟାପକ ଓ ତୀବ୍ର କରିବାର ଆହ୍ୱାନ ଜଣାଇବା ପାଇଁଏସ୍.ୟୁ.ସି.ଆଇ(କମ୍ୟୁନିଷ୍ଟ) ଓଡିଶା ରାଜ୍ୟ କମିଟି ପକ୍ଷରୁ ଏକ ପ୍ରତିନିଧି ଦଳ ଏପ୍ରିଲ ୧୨ ତାରିଖ ଦିନସମ୍ପୃକ୍ତ ଅଞ୍ଚଳ ଗସ୍ତ କରିଛନ୍ତି । ପ୍ରତିନିଧି ଦଳର ନେତୃତ୍ୱ ନେଇଥିବା ପାର୍ଟିର ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ ଅଶୋକ ମିଶ୍ର ଏକ ପ୍ରେସ୍ ବିବୃତ୍ତିରେ ଜଣାଇଛନ୍ତି ଯେ, ୨୦୨୩ ମସିହାରୁ ସ୍ଥାନୀୟ ଅଞ୍ଚଳର ଅଧିବାସୀ ବିଶେଷକରି ଆଦିବାସୀମାନେ ସିଜିମାଳିରେ ପୋଲିସ ପ୍ରଶାସନର ଦମନଲୀଳା ସତ୍ତ୍ୱେ ବେଦାନ୍ତର ଖଣି ଖନନ ଓ ରାସ୍ତା ନିର୍ମାଣକୁ ବିରୋଧ କରିଆସୁଛନ୍ତି । ତେବେ ଏପ୍ରିଲ ମାସ ୪ ତାରିଖରୁ ୧୪୪ ଓ ୧୬୪ ଧାରା ଜାରି ତଥା ବ୍ୟାପକ ପୋଲିସ ମୁତୟନ ସତ୍ତ୍ୱେ ହଜାର ହଜାର ଲୋକ ରାସ୍ତା ନିର୍ମାଣ ଜାଗାରେ ବସି ଦିନରାତି ଧାରଣା ଦେଇଛନ୍ତି । ତେବେ ୬ତାରିଖ ସକାଳୁ ଦିନ ତମାମ ସ୍ୱୟଂ ରାୟଗଡା ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ପୋଲିସ ଓ କୋବ୍ରା ବାହିନୀ ନୃଶଂସ ଲାଠିମାଡ କରି ଗୁଳି ଚଳାଇ ବହୁ ଲୋକଙ୍କୁ କ୍ଷତ ବିକ୍ଷତ କଲେ । ତା\’ସତ୍ତ୍ୱେ ବି ରାସ୍ତା ନିର୍ମାଣ ଆରମ୍ଭ କରିପାରିଲେ ନାହିଁ । ଫଳରେ ରକ୍ତମୁଖା ହୋଇ ଏହି ବାହିନୀ ସେହିଦିନ ଆନ୍ଦୋଳନର ଲଢ଼ୁଆ ଗାଁ ଭାବେ ପରିଚିତ କଣ୍ଟାମାଳରେ ରାତି ଅଧରେ ପଶି ଲୋକଙ୍କ ଘର ଭାଙ୍ଗିଲେ, ଆଖିବୁଜା ଲାଠି ଚାର୍ଜ କଲେ ଓ ଗୁଳି ଚଳାଇଲେ, ବହୁ ଲୋକଙ୍କୁ କ୍ଷତି ବିକ୍ଷତ କଲେ ଏବଂ ବହୁ ଲୋକଙ୍କୁ ମଧ୍ୟ ଗିରଫ କଲେ । ଅନ୍ୟାନ୍ୟ ଗାଁରେ ବି ଦମନଲୀଳା ଚଳାଇଲେ । ଏହି ନୃଶଂସ ଦମନଲୀଳା ବର୍ବରତାର ସମସ୍ତ ସୀମା ଟପି ଯାଇଛି ଯାହାକୁନିନ୍ଦା କରିବାର କୌଣସି ଭାଷା ନାହିଁ । ଗୁରୁତର ଆହତ ଜଣେ ବୃଦ୍ଧା ଅନି ଦେଇ ମାଝୀ ଓ ନିଜର ଆସନ୍ନ ପ୍ରସବା ବୋହୂକୁ ହସ୍ପିଟାଲ ନେବା ରାସ୍ତାରେ ଗିରଫ ହୋଇ ୮ମାସ ଜେଲରେ ଥିବା ଜଣେ ସଂଗ୍ରାମୀ ନାରୀ ନାରଙ୍ଗୀ ଦେଇ ମାଝୀଙ୍କୁ ପ୍ରତିନିଧି ଦଳ ତରଫରୁ ପୁଷ୍ପମାଳା ପିନ୍ଧାଇ ସମ୍ବର୍ଦ୍ଧନା କରାଯାଇଥିଲା । କଣ୍ଟାମାଳର ସଂଗ୍ରାମୀ ଜନତା ପ୍ରତିନିଧି ଦଳକୁ ସ୍ୱାଗତ କରି ସଭାସ୍ଥଳକୁ ପାଛୋଟି ନେଇଥିଲେ । ମା’ ମାଟି ମାଳି ସୁରକ୍ଷା କମିଟିର ସଭାପତି ସୁଭାଷ ସିଂ ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଆନ୍ଦୋଳନକାରୀ ମାନଙ୍କ ସହିତ ପ୍ରତିନିଧିଦଳର ସଭ୍ୟମାନେ ବକ୍ତବ୍ୟ ରଖିଥିଲେ । ସିଜିମାଳି ଖନନ କରିବାରେ ବେଦାନ୍ତ ସଫଳହେଲେ ଏ ଅଞ୍ଚଳର ବିଶାଳ ମାଳି ପର୍ବତାଞ୍ଚଳକୁ ଲୁଣ୍ଠନ କରିବା ପାଇଁ କମ୍ପାନୀମାନଙ୍କର ଲାଇନ ଲାଗିଯିବ ଓ ଏ ଅଞ୍ଚଳ ମରୁ ସ୍ଥାନରେ ପରିଣତ ହେବା ସିଜିମାଳି ପାଦ ଦେଶରେ ଥିବା ୧୫୦ଟି ଗ୍ରାମର ଲୋକ ଜୀବନ ଦେଇ ଲଢ଼ିବେ, ନିଜକୁ ବିସ୍ଥାପିତହେବାକୁ ଦେବେ ନାହିଁ, ସମସ୍ତଙ୍କ ମୁହଁରେ ହିଁ ଏହି କଥା ଥିଲା ।
ଆଉ ଏକ ଲଢ଼ୁଆ ଗାଁ ତଲଆମପଦରରେ ମଧ୍ୟ ପ୍ରତିନିଧି ଦଳ ତରଫରୁ ସଭା କରି ଆନ୍ଦୋଳନର ଜଣେ ଲଢ଼ୁଆ ସଂଗ୍ରାମୀ ଲାଇ ମାଝୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଗାଁରେ ଗତ ମାର୍ଚ୍ଚ ୧୦ ତାରିଖରେ ରାତି ୧୧ଟାରୁ ସକାଳ ପର୍ଯ୍ୟନ୍ତ ନୃଶଂସ ଦମନଲୀଳା ପୋଲିସ ଓ କୋବ୍ରା ବାହିନୀ ଚଳାଇଥିଲ।। ବହୁ ଲୋକ ଲାଠିମାଡରେ ଆହତ ହୋଇଥିଲେ । ବର୍ତ୍ତମାନ ବି ୨୧ଜଣ ଜେଲରେ ଅଛନ୍ତି ଯେଉଁମାନଙ୍କ ମଧ୍ୟରେ ୩ଜଣ ସ୍କୁଲ ଛାତ୍ରୀ ଓ ଜଣେ ଗର୍ଭବତୀ ମହିଳା ଅଛନ୍ତି ।
ଏହିଭଳି ବିଭିନ୍ନ ଗ୍ରାମ ଓ ଲଢ଼େଇ ସ୍ଥଳ ପ୍ରତିନିଧି ଦଳ ଗସ୍ତ କରି ଆନ୍ଦୋଳନକୁ ବ୍ୟାପକ କରିବା ପାଇଁ ଆହ୍ୱାନ ଦେଇଥିଲେ ।
