ଅନ୍ତଃସାର ଶୂନ୍ୟ କେନ୍ଦ୍ର ବଜେଟ୍ : ପ୍ରଚାର ବନାମ ବାସ୍ତବତା

Sarbaharakranti Date- 01.04.2023 –

ଦେଶର ଅର୍ଥମନ୍ତ୍ରୀ ପାରମ୍ପରିକଭାବେ ଗତ ଫେବୃୟାରୀ ୧ ତାରିଖ ଦିନ ୨୦୨୩-୨୦୨୪ ଆର୍ôଥକ ବର୍ଷର କେନ୍ଦ୍ରୀୟ ବଜେଟ୍ ସଂସଦରେ ଉପସ୍ଥାପନ କରିଛନ୍ତି । ଦେଶର ସ୍ୱାଧୀନତାର ‘ଅମୃତକାଳ’ରେ ଏହି ବଜେଟ୍‌ରୁ ଅମୃତ ଝରିବ ବୋଲି ଶାସକ ବି.ଜେ.ପି ଓ ଏହାର ସହଯୋଗୀ ଦଳମାନେ ଏବଂ ଶାସକଶ୍ରେଣୀ ଦ୍ୱାରା ନିୟନ୍ତ୍ରିତ ଗଣମାଧ୍ୟମଗୁଡ଼ିକ ଖୁବ୍‌୍ ତୁମ୍ଭିତୋଫାନ କରୁଛନ୍ତି । ତେବେ ପ୍ରଧାନମନ୍ତ୍ରୀ ତଥା ବି.ଜେ.ପି ଦଳ ଓ କେନ୍ଦ୍ର ସରକାର ଦେଇଥିବା ପୂର୍ବ ପ୍ରତିଶୃତିଗୁଡ଼ିକୁ ପୂରଣ କରିବା ପାଇଁ ଆହୁରି ୨୫ ବର୍ଷ ଅପେକ୍ଷା କରିବାକୁ ପଡ଼ିବ ବୋଲି ମନ୍ତ୍ରୀ କହିଛନ୍ତି । ପୂର୍ବବତ୍ ଏହି ବଜେଟ୍ ଭାଷଣରେ ମଧ୍ୟ ବହୁ ମନଲୋଭା ଗାମ୍ଭୀର୍ଯ୍ୟପୂର୍ଣ୍ଣ ବାଣୀ ଶୁଣାଯାଇଛି ଓ ଦେଶ ବିକାଶର ପଥରେ ଦ୍ରୁତ ଗତିରେ ଧାବମାନ ହେଉଛି ବୋଲି ଦାବି କରାଯାଇଛି । କେନ୍ଦ୍ର ବଜେଟ୍‌କୁ ସମୀକ୍ଷା କରି ଦେଖାଯାଉ କଣ ସେହି ବିକାଶ, କାହାର ବିକାଶ ଓ ଏହି ବଜେଟ୍ ପ୍ରକୃତ ଚରିତ୍ର ଓ ଆଭିମୁଖ୍ୟ କଣ?
ବିକାଶ: ଦାବି ଓ ଯଥାର୍ଥତା
କୁହାଯାଇଛି ଦେଶର କାଳେ ଚମକପ୍ରଦ ବିକାଶ ହୋଇଛି । ଏହି ବିକାଶର ଏକ ଲକ୍ଷଣ ଭାବେ ଦାବି କରାଯାଉଛି ଯେ, ୨୦୨୨ -୨୩ ଆର୍ôଥକ ବର୍ଷରେ ଜନସାଧାରଣଙ୍କର ବଜାରରୁ ଭୋଗ୍ୟ ସାମଗ୍ରୀ କ୍ରୟ କରିବାର କ୍ଷମତା ବଢିଛି । ପ୍ରକାଶିତ ଏକ ତଥ୍ୟ ଅନୁଯାୟୀ, ଉଚ୍ଚ ହାରରେ ଆୟ କରୁଥିବା କିଛି ଧନୀ ବ୍ୟକ୍ତି ବଜାରରୁ ଅଧିକ ପରିମାଣରେ ଭୋଗ୍ୟ ସାମଗ୍ରୀ କ୍ରୟ କରିଛନ୍ତି । ମାତ୍ର ଅଧିକାଂଶ ଗରିବ, ନିମ୍ନମଧ୍ୟବିତ୍ତ, ମଧ୍ୟବିତ୍ତ ଲୋକଙ୍କର କ୍ରୟ କ୍ଷମତା ବଢିଛି କି? ବାସ୍ତବ ସ୍ଥିତି କଣ? କୋଭିଡ୍‌-୧୯ ପରବର୍ତ୍ତୀ ସ୍ଥିତି କହୁଛି ଯେ ଦେଶର ଜନସଂଖ୍ୟାର ସବାତଳେ ଥିବା ୭୦ ପ୍ରତିଶତରୁ ଅଧିକ ଲୋକଙ୍କର ଆୟ ମାରାତ୍ମକଭାବେ ହ୍ରାସ ପାଇଛି । ୧୨ କୋଟିରୁ ଉର୍ଦ୍ଧ୍ୱ ଲୋକ କର୍ମସଂସ୍ଥାନ ହରାଇଛନ୍ତି । ଆଉ ଏକ ଲକ୍ଷଣୀୟ ରିପୋର୍ଟ ହେଲା, ଏହି ସମୟ ମଧ୍ୟରେ ଦେଶର ମଧ୍ୟବିତ୍ତ ଲୋକଙ୍କ ସଂଖ୍ୟା ୯.୯ କୋଟିରୁ ହ୍ରାସ ପାଇ ୬.୬ କୋଟିକୁ ଖସି ଆସିଛି । ପୁଣି ନିଜେ ସରକାର ବଜେଟ୍‌ରେ ଘୋଷଣା କରିଛନ୍ତି, ଆଗାମୀ ୧ ବର୍ଷ ଯାଏ ଦେଶର ୮୦ କୋଟି ଲୋକଙ୍କୁ ମାଗଣାରେ ରେସନ ସାମଗ୍ରୀ ଯୋଗାଇ ଦିଆଯିବ । ଅର୍ଥାତ୍ ୮୦ କୋଟି ଗରିବ ଲୋକ ସରକାରଙ୍କ ମାଗଣା ରେସନ୍ ଉପରେ ନିର୍ଭର କରି ବଞ୍ôଚଛନ୍ତି । ତା’ ସରକାର ନିଜେ ସ୍ୱୀକାର କରିଛନ୍ତି । ଦେଶ ବିକାଶର ନମୂନାଭାବେ ଏହି ଯୁକ୍ତି ଅବତାରଣା କରିବା ମଧ୍ୟରେ କେତେ ଅସଙ୍ଗତି ଓ ମିଥ୍ୟାଚାର ରହିଛି- ତା’ ସହଜରେ ଅନୁମେୟ । ପୁଣି କୁହାଯାଇଛି, ଭିତ୍ତିଭୂମି, ପରିବହନ ବ୍ୟବସ୍ଥା, ବିଦ୍ୟୁତ୍ ଓ ଉନ୍ନତ ଯନ୍ତ୍ରପାତିର ଅଭୁୁତପୂର୍ବ ବିକାଶ ହୋଇଛି । ଯାହାଫଳରେ ବହୁ ଲୋକଙ୍କୁ ନିଯୁକ୍ତି ମିଳିଛି ଓ ଦେଶର ବିକାଶ ଘଟିଛି । ତେବେ କେତେ ଲୋକଙ୍କୁ ନିଯୁକ୍ତି ମିଳିଛି, ସ୍ଥାୟୀ ନିଯୁକ୍ତି କେତେ, ତା’ର କୌଣସି ତଥ୍ୟ ଏହି ବଜେଟ୍‌ରେ ନାହିଁ । ବିକାଶ କଥା କୁହାଯାଉଥିବା ବେଳେ ପ୍ରକୃତ ସତ୍ୟକୁ ଚପାଇ ଦେବାକୁ ଚେଷ୍ଟା ହୋଇଛି । ଇତିମଧ୍ୟରେ ୭ ଲକ୍ଷ ୫ହଜାର କାରଖାନାକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଛି । ଫଳରେ ଏହି ବନ୍ଦ କାରଖାନାଗୁଡ଼ିକର ହଜାର ହଜାର ଏକର ଜମି, ମୂଲ୍ୟବାନ ଯନ୍ତ୍ରପାତି ସବୁ ଖତ ଖାଉଛି । ଆମ ରାଜ୍ୟର ତାଳଚେର ସାର କାରଖାନାକୁ ଉଦାହରଣଭାବେ ନିଆଯାଇପାରେ । ସୁତରାଂ ଲୋକଙ୍କର କ୍ରୟ କ୍ଷମତା ବଢିଛି ବୋଲି କରାଯାଉଥିବା ଦାବି ସମ୍ପୂର୍ଣ୍ଣ ମିଥ୍ୟା । ସମସ୍ତ ପୁଞ୍ଜିବାଦୀ ଦେଶରେ ଏହା ପ୍ରମାଣିତ ହୋଇଯାଇଛି ଯେ, ଉନ୍ନତ ପ୍ରଯୁକ୍ତିବିଦ୍ୟା, ଉତ୍ପାଦନର ଉନ୍ନତ କଳାକୌଶଳର ଆବିଷ୍କାର ତଥା ଭିତ୍ତିଭୂମିର ବିକାଶର ସୁଫଳ ସାଧାରଣ ଜନତା ପାଉ ନାହାନ୍ତି । ଯେଉଁ ସମ୍ପଦ ବୃଦ୍ଧି ହେଉଛି, ତା’କୁ ପୁଞ୍ଜିପତିଶ୍ରେଣୀ କରାୟତ୍ତ କରୁଛି । ଉନ୍ନତ ମେସିନ ଲଗାଇ ଶ୍ରମିକ ଛଟେଇ, କର୍ମସଂକୋଚନ କରାଯାଉଛି । ତେଣୁ ବାସ୍ତବତା ହେଲା ନିଯୁକ୍ତି ସୃଷ୍ଟି ନୁହେଁ, ନିଯୁକ୍ତି ହ୍ରାସ ଓ ଛଟେଇ ବୃଦ୍ଧି ହୋଇଛି । ଏହି ବିକାଶକୁ ବୁର୍ଜୁଆ ଅର୍ଥନୀତିବିଦ୍‌ମାନେ ମଧ୍ୟ କହୁଛନ୍ତି, ‘ନିଯୁକ୍ତି ବିହୀନ ବିକାଶ ।’ ତେବେ ଏହାସତ୍ୟ ଦେଶର ଏକଚାଟିଆ ପୁଞ୍ଜିପତିମାନଙ୍କର ଅକଳ୍ପନୀୟ ବିକାଶ ହୋଇଛି ।

କୃଷି: ପ୍ରତିଶ୍ରୁତି ଓ ପଦକ୍ଷେପ
୨୦୧୭ ମସିହାରେ ଜଣେ କୃଷକର ମାସିକ ହାରାହାରି ଆୟ ୮ ହଜାର ଟଙ୍କା ବୋଲି ସରକାରୀ ଭାବେ କୁହାଯାଇଥିଲା । ପ୍ରଧାନମନ୍ତ୍ରୀ ମୋଦି ୨୦୨୨ ସୁଦ୍ଧା ଏହି ଆୟକୁ ୨ ଗୁଣା ଅର୍ଥାତ୍ ୧୬ ହଜାର ଟଙ୍କା କରିଦେବେ ବୋଲି ସଗର୍ବେ ଘୋଷଣା କରିଥିଲେ । ତେବେ ବର୍ତ୍ତମାନର ଦରଦାମ ବୃଦ୍ଧିକୁ ବିଚାରକୁ ନେଲେ ଏହା ୨୨ହଜାର ହେବ । ୨୦୨୨ ମସିହା ପାର ହୋଇଗଲା । ମାତ୍ର ଦେଖାଗଲା ଏହି ବଜେଟ୍‌ରେ ବା ମନ୍ତ୍ରୀଙ୍କ ଭାଷଣରେ ସେ ସମ୍ପର୍କରେ କୌଣସି ଉଲ୍ଲେଖ ନାହିିଁ । ନିର୍ବାଚନ ପୂର୍ବରୁ ପି.ଏମ୍ କିଶାନ ଯୋଜନା ମାଧ୍ୟମରେ ପ୍ରତ୍ୟେକ ଚାଷୀଙ୍କୁ ୬୦୦୦ଟଙ୍କା ସହାୟତା ଦେବାକୁ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ଓ ପରେ ଏହାକୁ ୮୦୦୦ଟଙ୍କା କରାଯିବ ବୋଲି ଘୋଷଣା କରିଥିଲେ । ତେବେ ଗତ ବଜେଟ୍‌ରେ ଏଥିପାଇଁ ବ୍ୟୟବରାଦ ହୋଇଥିବା ୬୦ ହଜାର କୋଟି ଟଙ୍କା ବୃଦ୍ଧି କରାଯାଇ ନାହିଁ । ଏହି ପ୍ରତିଶ୍ରୁତି କିଭଳି ପୂରଣ ହେବ ତା’ର ମଧ୍ୟ କୌଣସି ଉଲ୍ଲେଖ ଏହି ବଜେଟ୍‌ରେ ନାହିଁ । ଏହି ବଜେଟ୍‌ରେ ଆଉ ଏକ ମାରାତ୍ମକ ଦିଗକୁ ଗୋପନ ରଖିବା ପାଇଁ ଚେଷ୍ଟା ହୋଇଥିଲେ ମଧ୍ୟ ତା’ ଧରାପଡ଼ିଯାଇଛି । ୟୁରିଆ ସମେତ ସମସ୍ତ ସାର ଉପରୁ ୫୦ ହଜାର ୧୨୧ କୋଟି ଟଙ୍କାର ସବ୍‌ସିଡି ହ୍ରାସ କରାଯାଇଛି । ଏହି ବଜେଟ୍‌ରେ ମଧ୍ୟ ଏମ୍‌.ଏସ୍‌.ପି ସମ୍ପର୍କରେ କୌଣସି ଉଲ୍ଲେଖ ନାହିଁ । ଚାଷୀ ଆତ୍ମହତ୍ୟା, ଅଭାବୀ ବିକ୍ରୀକୁ ରୋକିବା ନିମନ୍ତେ କୌଣସି ପଦକ୍ଷେପ ବିଷୟରେ ମଧ୍ୟ ବଜେଟ୍‌ରେ କିଛି ଉଲ୍ଲେଖ ନାହିଁ । ଅନ୍ୟଦିଗରେ ଜାତୀୟ ଖାଦ୍ୟ ନିରାପତ୍ତା ଆଇନ୍‌୍‌ର ବ୍ୟୟ ବରାଦକୁ ୧୭ ପ୍ରତିଶତ କମାଇ ଦିଆଯାଇଛି । ଭାରତର ଖାଦ୍ୟ ନିଗମ(ଏଫ୍‌.ସି.ଆଇ) ପାଉଥିବା ସାମାନ୍ୟ ଅର୍ଥକୁ ମଧ୍ୟ କାଟି ଦିଆଯାଇଛି । ଯାହାଫଳରେ ସରକାରୀ ଯୋଗାଣ ବ୍ୟବସ୍ଥା ଭୀଷଣଭାବେ ପ୍ରଭାବିତ ହେବ । ଘରୋଇ ବୀମା କମ୍ପାନୀମାନଙ୍କ ଦ୍ୱାରା ଚାଷୀ ଶୋଷଣ ବନ୍ଦ କରିବା ପାଇଁ ବଜେଟ୍‌ରେ କୌଣସି ପ୍ରସ୍ତାବ ନାହିଁ ।
ଆହୁରି ମଧ୍ୟ କୃଷକମାନଙ୍କର ଆୟ ବୃଦ୍ଧି କରି ଗ୍ରାମୀଣ ଅର୍ଥନୀତିର ପୁନରୁଦ୍ଧାର କରିବାର ପ୍ରତିଶ୍ରୁତି ଦେଇ ଖୁବ ଜାକ୍‌ଜମକ୍‌ରେ ୨୦୧୮ ମସିହାରେ ପ୍ରଧାନମନ୍ତ୍ରୀ ଅନ୍ନଦାତା ଆୟ ସଂରକ୍ଷଣ ଅଭିଯାନ (PMASHA) ଆରମ୍ଭ ହୋଇଥିଲା । ଏହି ଯୋଜନା ମାଧ୍ୟମରେ ବିଭିନ୍ନ ଧରଣର ଫସଲକୁ ପ୍ରୋତ୍ସାହନ ଦେବା ସହିତ ଏହାର ଉତ୍ତମ ମୂଲ୍ୟ ନିର୍ଦ୍ଧାରଣ କରାଯିବ ବୋଲି କୁହାଯାଇଥିଲା । ମାତ୍ର ଚଳିତ ବଜେଟ୍‌ରେ ଏହି ବହୁ ପ୍ରଚାରିତ ଯୋଜନା ପାଇଁ ମାତ୍ର ୧ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି । ଫଳ ଓ ପରିବା ଚାଷୀମାନଙ୍କୁ କ୍ଷତିପୂରଣ ଦେବା ପାଇଁ ମାର୍କେଟ୍ ଇଣ୍ଟରଭେନ୍‌ସନ୍ ସ୍କିମ୍ ଏବଂ ପ୍ରାଇସ୍ ସପୋର୍ଟ ସ୍କିମ୍ ମଧ୍ୟ ଆରମ୍ଭ କରାଯାଇଥିଲା । ଏହି ବାବଦକୁ ପୂର୍ବରୁ ବ୍ୟୟ ବରାଦ କରାଯାଇଥିବା ୧୫୦୦ କୋଟି ଟଙ୍କାକୁ ମାରାତ୍ମକଭାବେ ହ୍ରାସ କରାଯାଇ ବ୍ୟୟ ବରାଦ ହୋଇଛି ମାତ୍ର ୧ ଲକ୍ଷ ଟଙ୍କା । ନିଷ୍ଠୁର ଉପହାସର ସୀମା ଯେମିତି ଏହି କୃଷି ବଜେଟ୍ ଅତିକ୍ରମ କରିଯାଇଛି!
ଶିକ୍ଷା: ପ୍ରଚାର ଆଉ ଦାୟିତ୍ୱବୋଧତା
ଚଳିତ ବଜେଟ୍‌ରେ ଶିକ୍ଷା ପାଇଁ ବ୍ୟୟ ବରାଦ ୧ ଲକ୍ଷ କୋଟି ଅତିକ୍ରମ କରିଛି ବୋଲି ଖୁବ ପ୍ରଚାର ଚାଲିଛି । ବଜେଟ୍‌ରେ ଶିକ୍ଷା ପାଇଁ ବ୍ୟୟବରାଦ ହୋଇଛି ୧ ଲକ୍ଷ ୧୨ ହଜାର ୮୯୯ କୋଟି । ଟଙ୍କା ଅର୍ଥରେ ଏହା ଗତ ବଜେଟ୍ ତୁଳନାରେ ୭ ପ୍ରତିଶତ ଅଧିକ । କିନ୍ତୁ ଦରଦାମ ବୃଦ୍ଧିକୁ ବିଚାରକୁ ନେଲେ ଏହା କେବେ ଅଧିôକ ହୋଇ ପାରେନା । ତେବେ ଦୀର୍ଘ ଦିନରୁ ଶିକ୍ଷା ପାଇଁ କେନ୍ଦ୍ର ବଜେଟ୍‌ର ସର୍ବନିମ୍ନ ୧୦ ପ୍ରତିଶତ ଓ ଜି.ଡି.ପି କ୍ଷେତ୍ରରେ ୬ ପ୍ରତିଶତ ବ୍ୟୟବରାଦ କରିବାକୁ ଦାବି ହୋଇ ଆସୁଛି । ଏପରିକି ଯେଉଁ ଜାତୀୟ ଶିକ୍ଷା ନୀତି-୨୦୨୦କୁ ନେଇ କେନ୍ଦ୍ର ସରକାର ଏତେ ବଡିମା କରୁଛନ୍ତି ଓ ଅଗଣତାନ୍ତ୍ରିକଭାବେ ପ୍ରଣୟନ ହୋଇଥିବା ଏହି ଶିକ୍ଷା ନୀତିକୁ ଅତି ତରବରିଆ ଓ ମନମୁଖୀଭାବେ ଲାଗୁ କରୁଛନ୍ତି, ସେହି ଶିକ୍ଷାନୀତି ମଧ୍ୟ ଜି.ଡି.ପିର ୬ ପ୍ରତିଶତ ଶିକ୍ଷା ପାଇଁ ଖର୍ଚ୍ଚ କରିବାକୁ ସୁପାରିଶ କରିଛି । ମାତ୍ର କେନ୍ଦ୍ର ବି.ଜେ.ପି ସରକାରଙ୍କ ଅମଳରେ ଶିକ୍ଷା ବଜେଟ୍ ବୃଦ୍ଧି କଣ ହେବ ବରଂ ହ୍ରାସ ପାଇବାରେ ଲାଗିଛି । ଉକ୍ତ ବଜେଟ୍‌ରେ ଶିକ୍ଷା ପାଇଁ ବ୍ୟୟବରାଦ ହୋଇଛି ବଜେଟ୍‌ର ମାତ୍ର ୨.୫ ପ୍ରତିଶତ ଯାହା ଜି.ଡି.ପିର ୬ ପ୍ରତିଶତରୁ ବହୁ ତଳେ ଅଛି । ପୁଣି ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ବିକାଶ ପାଇଁ ବଜେଟ୍‌ର ମାତ୍ର ୦.୩୬ ପ୍ରତିଶତ ବ୍ୟୟବରାଦ କରାଯାଇଛି । ଯାହାକି ପୃଥିବୀର ବହୁ ଦେଶର ବ୍ୟୟବରାଦ ତୁଳନାରେ ବହୁ ପଛରେ ।
ପୁଣି ପ୍ରାଥମିକ ବିଦ୍ୟାଳୟରେ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ ପାଇଁ ବ୍ୟୟବରାଦ ମଧ୍ୟ ହ୍ରାସ କରାଯାଇଛି । ଗତ ବଜେଟ୍‌ରେ ୧୨ ହଜାର ୮୦୦ କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ ଚଳିତ ବଜେଟ୍‌ରେ ବରାଦ ହୋଇଛି ମାତ୍ର ୧୧ ହଜାର ୬୦୦ କୋଟି ଅର୍ଥାତ୍ ୧୨୦୦ କୋଟି କମାଇ ଦିଆଯାଇଛି । ଖର୍ଚ୍ଚ କାଟ ଭଳି ଏକ ଅମାନବୀୟ ପଦକ୍ଷେପ ନେଇଥିବା କେନ୍ଦ୍ର ସରକାର କିନ୍ତୁ ନିଜର ଏହି ଅପକର୍ମକୁ ଘୋଡାଇବା ପାଇଁ ଏକ ନୂତନ ଯୋଜନା ଘୋଷଣା କରିଛନ୍ତି- ‘ପି.ଏମ୍ ପୋଷଣ ଯୋଜନା’ । ଏହାକୁ ଏକ ନିଷ୍ଠୁର ଉପହାସ ନକହି ଆଉ କଣ ବା କୁହାଯିବ ।
ସ୍ୱାସ୍ଥ୍ୟ:କଥା ଓ ଆନ୍ତରିକତା
ସ୍ୱାସ୍ଥ୍ୟସେବା ପାଇଁ କେନ୍ଦ୍ର ବଜେଟ୍‌ର ସର୍ବନିମ୍ନ ୧୦ ଭାଗ ଖର୍ଚ୍ଚ କରିବାକୁ ଦୀର୍ଘ ଦିନରୁ ଦାବି ହୋଇ ଆସୁଛି, ମାତ୍ର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବ୍ୟୟବରାଦ ହ୍ରାସ ପାଇବାରେ ଲାଗିଛି ଓ ଘରୋଇକରଣକୁ ପ୍ରୋତ୍ସାହିତ କରାଯାଉଛି । ଚଳିତ ବଜେଟ୍‌ରେ ଏହାର କୌଣସି ବ୍ୟତିକ୍ରମ ଦେଖିବାକୁ ମିଳି ନାହିଁ । ଚଳିତ ବଜେଟ୍‌୍‌ରେ ୮୬ ହଜାର ୧୭୫ କୋଟି ଟଙ୍କ ବ୍ୟୟବରାଦର ପ୍ରସ୍ତାବ ଅଛି ଯାହାକି ପୂର୍ବ ବଜେଟ୍ ତୁଳନାରେ ୩.୮୨ ପ୍ରତିଶତ ଅଧିକ ବୋଲି କୁହାଯାଉଛି । ମାତ୍ର ଦରଦାମ ବୃଦ୍ଧି ସହ ତୁଳନା କଲେ ବଜେଟ୍‌ର ମାତ୍ର ୨ ପ୍ରତିଶତ ସ୍ୱାସ୍ଥ୍ୟ ପାଇଁ ବ୍ୟୟବରାଦ ହୋଇଛି । ଅନ୍ୟଦିଗରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ପାଇଁ ଗତ ବଜେଟ୍‌ରେ ବ୍ୟୟବରାଦ ହୋଇଥିବା ୩୭ ହଜାର ୧୫୯ କୋଟି ଟଙ୍କା ହ୍ରାସ ପାଇ ଏଥର ହୋଇଛି ୩୬ ହଜାର ୭୮୫ କୋଟି ଟଙ୍କା । ୨୦୪୭ ସୁଦ୍ଧା ଦେଶରୁ ସିକିଲ୍ ସେଲ୍ ଆନିମିଆକୁ ସମ୍ପୂର୍ଣ୍ଣ ନିର୍ମୂଳ କରିବାର କଥା କୁହାଯାଇଛି । ମାତ୍ର ଏଥିପାଇଁ ବଜେଟ୍‌ରେ କୌଣସି ନିର୍ଦ୍ଦିଷ୍ଟ ବ୍ୟୟବରାଦ ହୋଇ ନାହିଁ । ପ୍ରଧାନମନ୍ତ୍ରୀଙ୍କ ବହୁ ପ୍ରଚାରିତ କ୍ୟାସ୍‌୍ ଲେସ୍ ସ୍ୱାସ୍ଥ୍ୟ ବୀମା ଯୋଜନାର ବ୍ୟାପକ ଅର୍ଥ ବୀମା କମ୍ପାନୀମାନେ ହଡପ କରିଛନ୍ତି । କିନ୍ତୁ ଏ ସମ୍ପର୍କରେ ବଜେଟ୍‌ରେ କୌଣସି ଉଲ୍ଲେଖ ନାହିଁ ।
କ୍ରମବର୍ଦ୍ଧମାନ ବେକାର ସମସ୍ୟା ଓ ନିଯୁକ୍ତି
ଦେଶର ବେକାରୀ ସମସ୍ୟା ଯେ ରକେଟ୍ ବେଗରେ ବଢି ଚାଲିଛି, ସମସ୍ତେ ତା’ର ଭୁକ୍ତଭୋଗୀ । ରାଜ୍ୟସଭାରେ ଉପସ୍ଥାପିତ ସରକାରୀ ରିପୋର୍ଟ ଅନୁଯାୟୀ ବିଭିନ୍ନ ସରକାରୀ ବିଭାଗରେ ୯ ଲକ୍ଷ ୭୯ ହଜାର ୩୨୭ ପଦବୀ ଖାଲି ପଡ଼ିଛି ଯେଉଁଥିରେ କେବଳ ରେଳ ବିଭାଗରେ ହେଉଛ ୨ ଲକ୍ଷ ୯୩ ହଜାର ୯୪୩ । ମାତ୍ର ବଜେଟ୍‌ରେ ଏହି ପଦବୀ ପୂରଣ କରିବା ସମ୍ପର୍କରେ କୌଣସି ଉଲ୍ଲେଖ ନାହିଁ । ହଜାର ହଜାର କର୍ମହୀନ ଉଚ୍ଚ ଶିକ୍ଷିତ, ଦକ୍ଷ କୁଶଳୀ ଯୁବକ ଘୁରି ବୁଲୁଥିବା ବେଳେ ପ୍ରଧାନମନ୍ତ୍ରୀ ବଡ଼ ବଡ଼ କମ୍ପାନୀମାନଙ୍କ ମୁଖିଆମାନେ ସମସ୍ୱରରେ କହିଲେ ଦେଶରେ ‘ଉପଯୁକ୍ତ ଦକ୍ଷ’ ବ୍ୟକ୍ତିର ଅଭାବ । ସେହି ଅଭାବକୁ ପୂରଣ କରିବା ପାଇଁ ଢୋଲ ପିଟି ପ୍ରଧାନମନ୍ତ୍ରୀ କୁଶଳ ବିକାଶ ଯୋଜନା (PMKVY) ଆରମ୍ଭ ହୋଇଥିଲା । ତେବେ ଏହି ଯୋଜନା କେତେ ଦକ୍ଷ ଲୋକ ସୃଷ୍ଟି କରି ନିଯୁକ୍ତି ଦେଇଛି ବଜେଟ୍‌ରେ ତା’ର ଉଲ୍ଲେଖ ନାହିଁ । ଦେଶର ବିରାଟ ବେକାର ବାହିନୀକୁ କର୍ମସଂସ୍ଥାନ ଦେବାର କୌଣସି ଆଲୋଚନା ବଜେଟ୍‌ରେ ନାହିଁ । କେବଳ ଭିତ୍ତିଭୂମିର ବିକାଶ ପାଇଁ ୧୦ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରି ସରକାର ନିଯୁକ୍ତି ସୃଷ୍ଟି କରିବା କଥା କହିଛନ୍ତି । ଏହା ଯେ କେତେ ମିଥ୍ୟା ତା’ ପୂର୍ବରୁ ଆଲୋଚନା ହୋଇଛି ।
ଏହି ପରିପ୍ରେକ୍ଷୀରେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନରେଗା)ରେ ବ୍ୟାପକ ଖର୍ଚ୍ଚ କାଟ ଉଲ୍ଲେଖଯୋଗ୍ୟ । ଗ୍ରମାଞ୍ଚଳର ଗରିବ ଲୋକଙ୍କୁ ବର୍ଷକୁ ୧୦୦ ଦିନ କାମ ଯୋଗାଇ ଦେବା ତଥା ପଳାୟନ କରୁଥିବା ଦାଦନ ଶ୍ରମିକମାନଙ୍କୁ ଏହା ମାଧ୍ୟମରେ ଗାଁରେ ଅଟକାଇ ରଖିବା କଥା କହି ଏହି ଯୋଜନା ଆରମ୍ଭ ହୋଇଥିଲା । ତେବେ ରିପୋର୍ଟରୁ ଜଣା ପଡିଛି ୧୦୦ ଦିନ କାମ ଯୋଗାଇ ଦେବାକୁ ହେଲେ ୨ ଲକ୍ଷ ୭୨ ହଜାର କୋଟି ଟଙ୍କା ଆବଶ୍ୟକ । ନା ପୂର୍ବର କଂଗ୍ରେସ ସରକାର ନା ଏଥର ବି.ଜେ.ପି ସରକାର କେହି ଏହି ଟଙ୍କା ମଞ୍ଜୁର କରିଛନ୍ତି । ବି.ଜେ.ପି ସରକାର କ୍ରମାଗତଭାବେ ଏହି ଖର୍ଚ୍ଚ କାଟ କରି ଚାଲିଛନ୍ତି ଓ ଚଳିତ ବଜେଟ୍‌ରେ ଗତ ବ୍ୟୟବରାଦର ୩୩ ପ୍ରତିଶତ ଅର୍ଥାତ୍ ୩୦ହଜାର କୋଟି ଟଙ୍କା କାଟି ଦେଇଛନ୍ତି । ଏଥର ବ୍ୟୟବରାଦ ହୋଇଛି ମାତ୍ର ୬୦ ହଜାର କୋଟି ଟଙ୍କା ।
ଖାଦ୍ୟ ନିରାପତ୍ତାରେ ଖର୍ଚ୍ଚ କାଟ
୨୦୨୨ ବିଶ୍ୱ କ୍ଷୁଧା ସୂଚନାଙ୍କ ଅନୁଯାୟୀ ପୃଥିବୀର ୧୦୭ ଦେଶ ମଧ୍ୟରେ ଭାରତର ସ୍ଥାନ ୧୨୧ । ମାତ୍ର ଦେଖାଯାଉଛି ଜାତୀୟ ଖାଦ୍ୟ ନିରାପତ୍ତା ଆଇନ୍ ଅନୁୁଯାୟୀ ହେଉଥିବା ବ୍ୟୟବରାଦରେ ବଡ଼ ଧରଣର ଖର୍ଚ୍ଚ କାଟ ହୋଇଛି । ଗତ ବଜେଟ୍‌ରେ ବ୍ୟୟବରାଦ ହୋଇଥିବା ୨ ଲକ୍ଷ ୧୫ ହଜାର କୋଟି ହ୍ରାସ କରାଯାଇ ଚଳିତ ବଜେଟ୍‌ରେ ଦିଆଯାଇଛି ୧ ଲକ୍ଷ ୩୫ ହଜାର କୋଟି । ଆହୁରି ମଧ୍ୟ ଖାଦ୍ୟ ସାମଗ୍ରୀ ଉପରେ ୩୧ ପ୍ରତିଶତ ସବ୍‌ସିଡି ହ୍ରାସ କରାଯାଇଛି । ଅନ୍ୟଦିଗରେ ଏଲ.ପି.ଜି ଗ୍ୟାସ୍ ଉପରେ ସବ୍‌ସିଡି ୭୫ ପ୍ରତିଶତ ହ୍ରାସ କରାଯାଇଛି ।
ସାଧାରଣ ଲୋକଙ୍କ ଉପରେ କର ଓ ଋଣର ବୋଝ
ଏହି ବଜେଟ୍‌ରେ ଅତି ଧନୀମାନଙ୍କ ଉପରୁ ୪୩ ପ୍ରତିଶତ କରକୁ ୩୯ ପ୍ରତିଶତକୁ ହ୍ରାସ କରାଯାଇଛି । ଏକଚାଟିଆ ପୁୁଞ୍ଜିପତିମାନଙ୍କ ଲାଭ ବ୍ୟାପକଭାବରେ ବଢୁଥିଲେ ମଧ୍ୟ ସେମାନଙ୍କ ଲାଭ ଉପରେ ଲେଭି ବସାଇ ଅତିରିକ୍ତ କର ଆଦାୟର କୌଣସି ବ୍ୟବସ୍ଥା ହୋଇନାହିଁ । ରାଜସ୍ୱ ସଂଗ୍ରହର ଏକ ବଡ଼ ଉତ୍ସ ଜି.ଏସ୍‌.ଟି ମାଧ୍ୟମରେ ୨୦୨୧-୨୨ ରେ ଆଦାୟ ହୋଇଥିବା ମୋଟ ୧୪ ହଜାର ୧୮ ଲକ୍ଷ କୋଟିରୁ ୬୪ ପ୍ରତିଶତ ଦେଶର ସବା ତଳେ ଥିବା ୫୦ ପ୍ରତିିଶତ ସାଧାରଣ ଲୋକଙ୍କ ନିକଟରୁ ସଂଗୃହୀତ ହୋଇଛି । ସବୁଠୁୁ ଉପରେ ଥିବା ୧୦ ପ୍ରତିଶତ ଧନୀମାନଙ୍କ ନିକଟରୁ ସଂଗୃହୀତ ହୋଇଛି ମାତ୍ର ୩ ଶତାଂଶ । ବଜେଟ୍‌ରେ ହୋଇଥିବା ନିଅଣ୍ଟ ଭରଣା ପାଇଁ ପୂର୍ବଭଳି ଜନଗଣଙ୍କ ଉପରେ କର ବୃଦ୍ଧି, ନୂତନ କର ତଥା ଋଣ ସଂଗ୍ରହ ଉପରେ ଜୋର ଦିଆଯାଇଛି । ବର୍ତ୍ତମାନ ଦେଶର ମୋଟ ଋଣର ପରିମାଣ ହେଉଛି ୧ ଲକ୍ଷ ୫୫ ହଜାର ୩୧କୋଟି । ଅର୍ଥାତ୍ ଦେଶର ପ୍ରତ୍ୟେକ ନାଗରିକ ଉପରେ ୧ ଲକ୍ଷ ୯ହଜାର ୩୭୩ ଟଙ୍କାର ଋଣ ବୋଝ ରହିଛି । ଏହି ବଜେଟ୍‌ରେ ପୁଣି ୨୦୨୩-୨୪ ଆର୍ଥିକ ବର୍ଷ ନିମନ୍ତେ ୧୫.୪୪ ଲକ୍ଷ କୋଟି ଋଣ କରିବାର ଲକ୍ଷ୍ୟ ରଖାଯାଇଛି । ମାତ୍ର କୌଣସି କମ୍ପାନୀ ଦେହରେ ହାତ ଲଗାଯାଇନି ।
ରାଜ୍ୟମାନଙ୍କର ଅଂଶଧନ ହ୍ରାସ ଓ କେନ୍ଦ୍ରୀକରଣ
ରାଜ୍ୟମାନଙ୍କର ଅଂଶଧନ ଆବଣ୍ଟନ ହ୍ରାସ ଅବ୍ୟାହତ ରହିଛି । ୨୦୨୧-୨୨ ବଜେଟ୍‌ରେ ରାଜ୍ୟମାନଙ୍କୁ ଆବଣ୍ଟିତ ଅର୍ଥର ପରିମାଣ ଥିଲା ୪ ଲକ୍ଷ ୬୦ ହଜାର ୫୭୫ କୋଟି । ୨୦୨୨-୨୩ ବଜେଟରେ ଏହା ହ୍ରାସ ପାଇ ହୋଇଥିଲା ୩ ଲକ୍ଷ ୬୭ ହଜାର ୨୦୪ କୋଟି । ତେବେ ପରବର୍ତ୍ତୀ ସମୟରେ ସଂଶୋଧିତ ବଜେଟ୍‌ରେ ଏହା ହ୍ରାସ କରାଯାଇ ଆବଣ୍ଟନ ହୋଇଥିଲା ୩ ଲକ୍ଷ ୭ ହଜାର ୨୦୪ କୋଟି । ଚଳିତ ବଜେଟ୍‌ରେ ୩ ଲକ୍ଷ ୫୯ ହଜାର ୪୭୦ କୋଟି ଆବଣ୍ଟନ କରାଯାଇ ପୂର୍ବ ବର୍ଷ ତୁଳନାରେ ଅଧିକ ଦିଆଯାଇଛି ବୋଲି ଡିଣ୍ଡିମ ପିଟା ଚାଲିଛି । ତେବେ ଗତ ବର୍ଷ ବଜେଟ୍‌୍‌ରେ ଘୋଷଣା ହୋଇଥିବା ଅର୍ଥ ଠାରୁ ଯେ ଏହା କମ୍ ତା’ କୁହାଯାଉ ନାହିଁ । ରାଜ୍ୟମାନଙ୍କରୁ ଆଦାୟ ହେଉଥିବା ପରୋକ୍ଷ କର, ସେସ୍‌ରୁ ଆଦାୟ ହେଉଥିବା ଅର୍ଥ ତଥା ବିଭିନ୍ନ ପ୍ରକାର ଅତିରିକ୍ତ କର ସିଧାସଳଖ କେନ୍ଦ୍ରୀୟ ରାଜକୋଷରେ ଜମା ହୁଏ । ୨୦୧୧-୧୨ରେ ମୋଟ କେନ୍ଦ୍ରୀୟ କରର ଏହା ୧୦ ପ୍ରତିଶତ ହୋଇଥିବା ବେଳେ ୨୦୨୧-୨୨ରେ ଏହା ୨୦ ପ୍ରତିଶତ ଅର୍ଥାତ୍ ଦୁଇଗୁଣ ବୃଦ୍ଧି ପାଇଛି । ମାତ୍ର ରାଜ୍ୟମାନଙ୍କର ଅଂଶଧନ କ୍ରମାଗତଭାବେ ହ୍ରାସ ପାଉଛି । ଅର୍ଥନୈତିକ ଓ ରାଜନୈତିକ କେନ୍ଦ୍ରୀକରଣ ମାଧ୍ୟମରେ ଦେଶର ସଂଘୀୟ ବ୍ୟବସ୍ଥାକୁ ଧ୍ୱଂସ କରି ଫାସୀବାଦୀ ଏକଛତ୍ରବାଦୀ ଶାସନ ପ୍ରତିଷ୍ଠା କରିବାର ବି.ଜେ.ପି ସରକାରଙ୍କର ଚିରାଚରିତ ଭାବରେ ପ୍ରତିରକ୍ଷା ବଜେଟ୍ ବ୍ୟାପକ ବୃଦ୍ଧି ଅବ୍ୟାହତ ରହିଛି । ଆଗାମୀ କିଛି ବର୍ଷ ମଧ୍ୟରେ ଭାରତକୁ ସୁବଠାରୁ ବଡ ଯୁଦ୍ଧାସ୍ତ୍ର ଆମଦାନୀକାରୀ ରାଷ୍ଟ୍ରରେ ପରିଣତ କରିବା ବ୍ୟବସ୍ଥା କରାଯାଉଛି । ସାମଗ୍ରୀକ ଉଦ୍ୟମର ଏହା ଏକ ଅଂଗ ଭାବେ ବୁଝିବାକୁ ହେବ । ସଂକ୍ଷେପରେ ଏହା ଜନବିରୋଧି କେନ୍ଦ୍ରୀୟ ବଜେଟର କେତେକ ମାରାତ୍ମକ ଦିଗ ।

Leave a Reply

Your email address will not be published. Required fields are marked *