ଆଗାମୀ ଲୋକସଭା ଓ ରାଜ୍ୟ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ଏସ୍‌.ୟୁ.ସି.ଆଇ(କମ୍ୟୁନିଷ୍ଟ) ଦଳର ସାମ୍ବାଦିକ ସମ୍ମିଳନୀ

Sarbaharakranti Dated 14.03.2024 –

ଆଗାମୀ ନିର୍ବାଚନରେ ଏସ୍‌.ୟୁ.ସି.ଆଇ(ସି)ଦଳ ସମଗ୍ର ଦେଶରେ 151 ଟି ଲୋକସଭା ଆସନରେ ପ୍ରତିଦ୍ବୀନ୍ଦିତା କରିଵା ସଂଗେସଂଗେ ଓଡ଼ିଶାର ୧୬ଟି ଲୋକସଭା ଓ ୨୮ଟି ବିଧାନସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବବୋଲି ମାର୍ଚ୍ଚ 14 ତାରିଖରେ ଭୁବନେଶ୍ୱର ଲୋହିଆ ଏକାଡେମୀ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦଳର ରାଜ୍ୟ କମିଟି ପକ୍ଷରୁ ଘୋଷଣା କରାଯାଇଛି ।

ଦଳ ପକ୍ଷରୁ କୁହାଯାଇଛି – ରାଜ୍ୟର ଜନସାଧାରଣ ଭଲଭାବରେ ଅବଗତ ଯେ, ଆମ ଦଳ ଦୀର୍ଘ ବହୁ ଦଶନ୍ଧି ଧରି ସମଗ୍ର ଦେଶ ତଥା ରାଜ୍ୟର ଜନସାଧାରଣଙ୍କ ଜୀବନ ଜୀବିକା ସହିତ ସମ୍ପର୍କିତ ଜ୍ୱଳନ୍ତ ସମସ୍ୟାବଳୀର ସମାଧାନ ଓ ପ୍ରତିକାର ଦାବିରେ ତଥା ଶିକ୍ଷା, ସ୍ୱାସ୍ଥ୍ୟସେବା, ବାସଗୃହ ଭଳି ଜନସାଧାରଣଙ୍କର ମୌଳିକ ଆବଶ୍ୟକତା ପୂରଣ କରିବା ପାଇଁ ଲଗାତର ଗଣ ଆନ୍ଦୋଳନ ପରିଚାଳନା କରି ଆସୁଛି । ଏହା ବ୍ୟତୀତ ଅତୀତରେ କେନ୍ଦ୍ର ଓ ରାଜ୍ୟରେ କ୍ଷମତାସୀନ ହୋଇଥିବା ବିଭିନ୍ନ ଦଳ ନେତୃତ୍ୱରେ ପରିଚାଳିତ ସରକାରମାନଙ୍କ ସମେତ ସମ୍ପ୍ରତି କେନ୍ଦ୍ରରେ ଦୁଇ ଦଫାରେ ୧୫ ବର୍ଷ ଧରି ଶାସନ କରୁଥିବା ବି.ଜେ.ପି ସରକାର ଏବଂ ରାଜ୍ୟରେ ୯ବର୍ଷ ଧରି ଶାସନ କରିଥିବା ବି.ଜେ.ଡି-ବି.ଜେ.ପି ମେଣ୍ଟ ସରକାର ଏବଂ ଗତ ୧୫ ବର୍ଷ ଧରି ରାଜ୍ୟରେ ଏକକଭାବରେ କ୍ଷମତାରେ ରହିଥିବା ବି.ଜେ.ଡି ସରକାରର ସମସ୍ତ ଜନବିରୋଧୀ ନୀତି ଓ ପଦକ୍ଷେପ ବିରୁଦ୍ଧରେ ଲଗାତର ଆନ୍ଦୋଳନ ପରିଚାଳନା କରୁଛି । ଏହାଫଳରେ ଆମ ଦଳ କ୍ରମଶଃ ଅଧିକରୁ ଅଧିକ ଜନସାଧାରଣଙ୍କର ଆସ୍ଥାଭାଜନ ହେଉଛି। ଏହିଭଳି ସମୟରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଗଣ ଆନ୍ଦୋଳନର ଅବିଚ୍ଛେଦ୍ୟ ଅଙ୍ଗ ଭାବରେ ଆମ ଦଳ ଏହି ନିର୍ବାଚନରେ ଅଂଶଗ୍ରହଣ କରୁଛି ।
ଏହି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିଲା ବେଳେ ସ୍ୱାଧୀନତା ପରେ ଦୀର୍ଘ ବହୁ ଦଶନ୍ଧି ଧରି କେନ୍ଦ୍ର ଓ ରାଜ୍ୟରେ କ୍ଷମତାରେ ରହିଥିବା କଂଗ୍ରେସ ସରକାର ଦେଶର ଏକଚାଟିଆ ପୁଞ୍ଜିପତିମାନଙ୍କ ସ୍ୱାର୍ଥରେ ଗ୍ରହଣ କରିଥିବା ଚୂଡ଼ାନ୍ତ ଭାବରେ ଜନବିରୋଧୀ ନୀତିଗୁଡ଼ିକୁ ବର୍ତ୍ତମାନର କେନ୍ଦ୍ର ବି.ଜେ.ପି ଓ ରାଜ୍ୟ ବି.ଜେ.ଡି ସରକାର ଆହୁରି ଦ୍ରୁତ କାର୍ଯ୍ୟକାରୀ କରିବା ଫଳରେ ଦେଶର ସିଂହଭାଗ ଜନସାଧାରଣଙ୍କ ଅବସ୍ଥା ଅତ୍ୟନ୍ତ ଶୋଚନୀୟ । ମାତ୍ର ଶତକଡ଼ା ୩ ଭାଗ ଅତି ଧନୀଙ୍କ ହାତରେ ଦେଶର ଶତକଡ଼ା ୭୦ଭାଗ ସମ୍ପଦ ଠୁଳ ହୋଇଛି । ଏହାର ବିପରୀତରେ ଆର୍ôଥକ ଭାବରେ ସବୁଠାରୁ ଦୁର୍ବଳ ଜନସଂଖ୍ୟାର ଶତକଡ଼ା ୫୦ଭାଗ ଲୋକଙ୍କ ନିକଟରେ ମାତ୍ର ଶତକଡ଼ା ୩ ଭାଗ ସମ୍ପଦ ରହିଛି । ସ୍ୱାଧୀନତାର ୭୬ ବର୍ଷ ପରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଉନ୍ନୟନ ଓ ବିକାଶ ସମ୍ପର୍କିତ ସମସ୍ତ ଦାବି ସତ୍ତ୍ୱେ ଏହା ହେଉଛି ଦେଶର ବାସ୍ତବ ସ୍ଥିତି ।
ଅତ୍ୟାବଶ୍ୟକ ସାମଗ୍ରୀର ଆକାଶଛୁଆଁ ଦରବୃଦ୍ଧି, ସୀମାହୀନ ବେକାରୀ, ଘରୋଇ ବିଜୁଳି କମ୍ପାନୀମାନଙ୍କର ଶୋଷଣ, ଋଣଗ୍ରସ୍ତ କୃଷକମାନଙ୍କର ଆତ୍ମହତ୍ୟା, କ୍ରମବର୍ଦ୍ଧମାନ ଶ୍ରମିକ ଛଟେଇ, କର୍ମକ୍ଷମ ଲୋକମାନଙ୍କର ଦାଦନ ଖଟିବାକୁ ପଳାୟନ, ଶିକ୍ଷା ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଚରମ ସଂକଟ, ଶିଳ୍ପାୟନ ଓ ନିଯୁକ୍ତି ସୃଷ୍ଟି ଆଳରେ ହଜାର ହଜାର ଲୋକଙ୍କୁ ଉଦ୍‌ବାସ୍ତୁ କରି ସେମାନଙ୍କ ଚାଷ ଜମି, ଖଣି, ପାଣି, ଜଙ୍ଗଲକୁ ଶାଗ ମାଛ ଦରରେ ଏକଚାଟିଆ ପୁଞ୍ଜିପତିମାନଙ୍କ ହାତକୁ ଟେକିଦେବା, ଏହାର ପ୍ରତିବାଦ କରୁଥିବା ଲୋକଙ୍କୁ ବର୍ଷ ବର୍ଷ ଧରି ଜେଲରେ ଭର୍ତ୍ତି କରିବା, ଗୁଳି କରି ହତ୍ୟା କରିବା ହେଉଛି କେନ୍ଦ୍ର ବି.ଜେ.ପି ଓ ରାଜ୍ୟ ବି.ଜେ.ଡି ଦଳର ପାରସ୍ପରିକ ସହଯୋଗ ଭିତ୍ତିରେ ଚାଲିଥିବା କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କର ଅବଦାନ । ଏହି ସରକାରମାନଙ୍କ ଶାସନ କାଳରେ ଦୁର୍ନୀତି ସମସ୍ତ ସୀମା ଲଂଘନ କରିଛି । କେନ୍ଦ୍ର ସରକାରଙ୍କ ନିର୍ବାଚନୀ ବଣ୍ଡ ସମସ୍ତ ଦୁର୍ନୀତିର ଜନନୀ ବୋଲି ପ୍ରମାଣିତ ହୋଇଛି । ଏହା ବ୍ୟତୀତ କେନ୍ଦ୍ର ସରକାରଙ୍କ ରାଫେଲ୍ ଦୁର୍ନୀତି ଏବଂ ରାଜ୍ୟ ସରକାରଙ୍କ ଖଣି ଓ ଚିଟ୍‌୍‌ଫଣ୍ଡ ଦୁର୍ନୀତି କଳଙ୍କମୟ ଅଧ୍ୟାୟ ସୃଷ୍ଟି କରିଛି ।
ଧର୍ମନିିରପେକ୍ଷତାର ଦ୍ୱାହିଦେଇ ୨୦୦୯ ମସିହାରେ ବି.ଜେ.ପି ସହିତ ମେଣ୍ଟ ଭାଙ୍ଗିଥିବା ବି.ଜେ.ଡି ସଂସଦରେ କେନ୍ଦ୍ର ସରକାରଙ୍କର ସମସ୍ତ ଜନବିରୋଧୀ ଆଇନ୍‌କୁ ସମର୍ଥନ କରିଛି ଏବଂ ଏହାର ପ୍ରତିଦାନରେ ବି.ଜେ.ଡି ନେତାମାନଙ୍କ ଦୁର୍ନୀତିର ଖୋଳତାଡ ହେଉ ନାହିଁ କିମ୍ବା ଅନ୍ୟାନ୍ୟ ବିରୋଧୀ ଦଳ ଶାସିତ ରାଜ୍ୟ ଭଳି ଓଡିଶାରେ ସି.ବି.ଆଇ, ଇଡି କିମ୍ବା ଆୟକର ବିଭାଗର ଚଢାଉ ଦେଖିବାକୁ ମିଳୁ ନାହିଁ । ଦୁଇ ଦଳର ତୁଙ୍ଗ ନେତାମାନେ ପରସ୍ପରର ପ୍ରଶଂସାରେ ଶତମୁଖ! ଦୀର୍ଘ ବର୍ଷ ଧରି କେନ୍ଦ୍ର ଓ ରାଜ୍ୟରେ ବି.ଜେ.ପି-ବି.ଜେ.ଡି ଅଘୋଷିତ ମେଣ୍ଟ ଚାଲିଛି । ଅନ୍ୟଦିଗରେ ଦୀର୍ଘ ବର୍ଷ ଧରି କ୍ଷମତା ବାହାରେ ରହିଥିବା କଂଗ୍ରେସ ଦଳ ପରିସ୍ଥିତିର ସୁଯୋଗ ନେଇ କ୍ଷମତାକୁ ଫେରିବାର ସ୍ୱପ୍ନ ଦେଖୁଛି ।
ଏହି ପରିସ୍ଥିତିରେ ଜନସାଧାରଣଙ୍କ ପେଟପାଟଣାର ସମସ୍ୟା ଉପରେ ବାମପନ୍ଥୀ ଦଳମାନଙ୍କ ପକ୍ଷରୁ ଲଗାତର, ଶକ୍ତିଶାଳୀ ଗଣଆନ୍ଦୋଳନ ପରିଚାଳନା କରିବା, ଏହିି ମିିଳିତ ଆନ୍ଦୋଳନର ଧାରାବାହିକତାରେ ଐକ୍ୟବଦ୍ଧଭାବରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ଏବଂ ଜନସାଧାରଣଙ୍କ ସମ୍ମୁଖରେ ଏକ ଲଢୁଆ ବାମପନ୍ଥୀ ବିକଳ୍ପ ଉପସ୍ଥାପନ କରିବାର ଜରୁରୀ ଆବଶ୍ୟକତା ରହିଛି । ମାତ୍ର ଆମର ସମସ୍ତ ଉଦ୍ୟମ ସତ୍ତ୍ୱେ ଏହା ସମ୍ଭବ ହୋଇ ନାହିଁ । ସଂସଦ ଓ ବିଧାନସଭାରେ ସାମାନ୍ୟ କେତୋଟି ଆସନ ପାଇଁ ସି.ପି.ଆଇ, ସି.ପି.ଆଇ(ଏମ୍‌) ଏବଂ ସି.ପି.ଆଇ-ଏମ୍‌.ଏଲ୍ (ଲିବରେସନ୍‌) ପ୍ରମୁଖ ଦଳମାନେ ଗଣଆନ୍ଦୋଳନର ରାସ୍ତା ପରିହାର କରି କଂଗ୍ରେସ ସମେତ ବିଭିନ୍ନ ଭୋଟସର୍ବସ୍ୱ ଦଳ ସହିତ ମେଣ୍ଟ କରି ଜନସ୍ୱାର୍ଥକୁ ବିଡମ୍ବିତ କରୁଛନ୍ତି । ଫଳରେ ଜନସାଧାରଣଙ୍କ ମଧ୍ୟରେ ବ୍ୟାପକ ବିଭ୍ରାନ୍ତି ସୃଷ୍ଟି ହେଉଛି ।
ଏହିଭଳି ପରିସ୍ଥିତିରେ ଏସ୍‌.ୟୁ.ସି.ଆଇ(କମ୍ୟୁନିଷ୍ଟ) ଦଳ ନିଜ ଶକ୍ତିରେ ଏକକ ଭାବରେ ଏହି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛି । ରାଜ୍ୟର ସାଧାରଣ ମଣିଷର ସ୍ୱାର୍ଥ ରକ୍ଷାର ଲଢେଇକୁ ଶକ୍ତିିଶାଳୀ କରିବା ପାଇଁ, ସଂସଦ ଓ ବିଧାନସଭା ଗୃହରେ ସାଧାରଣ ମଣିଷର ସ୍ୱରକୁ ପ୍ରତିଧ୍ୱନିତ କରିବା ପାଇଁ ଏସ୍‌.ୟୁ.ସି.ଆଇ(କମ୍ୟୁନିଷ୍ଟ) ପାର୍ଟିର ଗଣ ଆନ୍ଦୋଳନରେ ପରୀକ୍ଷିତ ପ୍ରାର୍ଥୀମାନଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ଏସ୍‌.ୟୁୁ.ସି.ଆଇ(କମ୍ୟୁନିଷ୍ଟ) ଓଡିଶା ରାଜ୍ୟ କମିଟି ପକ୍ଷରୁ ରାଜ୍ୟର ଜନସାଧାରଣଙ୍କୁ ବିନୀତ ନିବେଦନ ।ଏହି ସାମ୍ବାଦିକ ସମ୍ମିଳନୀରେ ଏସୟୁସିଆଇ ( କମ୍ୟୁନିଷ୍ଟ ) ଓଡିଶା ରାଜ୍ୟ କମିଟିର ସମ୍ପାଦକ ତଥା କେନ୍ଦ୍ରୀୟ କମିଟି ସଦସ୍ୟ କମ୍ରେଡ଼ ଶଙ୍କର ଦାଶଗୁପ୍ତା, ରାଜ୍ୟ କମିଟିର ବରିଷ୍ଟ ସଦସ୍ୟ କମ୍ରେଡ଼ ବିଷ୍ଣୁ ଦାସ, ଅଫିସ ସମ୍ପାଦିକା ଶ୍ରୀମତୀ ସ୍ୱାୟଂପ୍ରଭା ନାୟକ, ଶ୍ରୀ ଅଶୋକ ମିଶ୍ର ଓ ବିଶ୍ୱାବସୁ ଦାସ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *