ସୋର ରେଳ ଷ୍ଟେସନ୍‌ରେ ଜନଜାତି ଛାତ୍ରଛାତ୍ରୀକୁ ଆକ୍ରମଣକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ଏସ୍‌.ୟୁ.ସି.ଆଇ(କମ୍ୟୁନିଷ୍ଟ)ର ସାମ୍ବାଦିକ ସମ୍ମିଳନୀ

Dtaed 06.06.2026 –

ରାଜ୍ୟରେ କ୍ରମବର୍ଦ୍ଧିଷ୍ଣୁ ଭିଡ ହିଂସା, ଦୁଷ୍କୃତିକାରୀ ଗୋଷ୍ଠୀ ଦ୍ୱାରା ପୋଲିସ ପ୍ରଶାସନ ପରିଚାଳିତ ହେବା ଘଟଣାକୁ ଏସ୍‌.ୟୁ.ସି.ଆଇ(କମ୍ୟୁନିଷ୍ଟ) ପକ୍ଷରୁ ଘୋର ନିନ୍ଦା କରିବା ସହିତ ଏହାର ଅମାନବୀୟ ପରିଣତି ସମ୍ପର୍କରେ ଗଭୀର ଉଦ୍‌ବେଗ ପ୍ରକାଶ କରାଯାଇଛି । ଏହି ପ୍ରସଙ୍ଗରେ ଆଜି ଲୋହିଆ ଏକାଡେମୀରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦଳର ରାଜ୍ୟ କମିଟିର ବରିଷ୍ଠ ନେତୃବୃନ୍ଦ ଗତ ମେ ୧୬ ତାରିଖ ଦିନ ସୋର ରେଳ ଷ୍ଟେସନ୍‌ରେ ୨୯ ଜଣ ଜନଜାତି କିଶୋର କିଶୋରୀଙ୍କ ଉପରେ ପୋଲିସ ଉପସ୍ଥିତିରେ ଦୁଷ୍କୃତିମାନଙ୍କ ଆକ୍ରମଣ, ଏମାନଙ୍କ ଦ୍ୱାରା ରେଳବାଇ ପୋଲିସ ପରିଚାଳିତ ହେବା ତଥା ୧୬ ତାରିଖ ରାତିରୁ ୨୧ତାରିଖ ପର୍ଯ୍ୟନ୍ତ ୧୪ ଜଣ କିଶୋରୀ ଓ ୪ ଜଣ କିଶୋରଙ୍କୁ ବିଭିନ୍ନ ଅଜ୍ଞାତ ସ୍ଥାନରେ ବିଚ୍ଛିନ୍ନଭାବେ ଭୀତସନ୍ତ୍ରସ୍ତ ଅବସ୍ଥାରେ ରଖିବା ଘଟଣା ଅବତାରଣା କରି ଦୋଷୀମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ସେମାନେ କହିଛନ୍ତି ଯେ, ଚଳିତ ବର୍ଷ ଏସ୍‌.ୟୁ.ସି.ଆଇ(କମ୍ୟୁନିଷ୍ଟ) ରାଜ୍ୟ କମିଟି ପକ୍ଷରୁ ଅମର ଶହୀଦ ବିର୍ସାମୁଣ୍ଡାଙ୍କ ଦେଢ ଶତ ଜନ୍ମ ବର୍ଷ ଏବଂ କିଶୋର ଶହୀଦ ବାଜି ରାଉତଙ୍କ ଜନ୍ମ ଶତବର୍ଷ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟଦେଇ ମର୍ଯ୍ୟାଦାର ସହ ପାଳନ କରାଯାଉଅଛି । ସେହି ଉପଲକ୍ଷେ ଦଳର କିଶୋର ଶାଖା କମ୍‌୍‌ସୋମଲ ପରିଚାଳନାରେ ଦଳର ସଭ୍ୟ ସମର୍ଥକ ପରିବାରର ପିଲାମାନଙ୍କୁ ନେଇ ଅନୁଗୁଳଠାରେ ମଇ ୧୭ରୁ ୧୯ ଏକ ତିନି ଦିନିଆ ରାଜ୍ୟ ସ୍ତରୀୟ ଗ୍ରୀଷ୍ମକାଳୀନ ଶିବିର ଆୟୋଜିତ ହୋଇଥିଲା ।
ମୟୁରଭଞ୍ଜ ଜିଲ୍ଲାର କପ୍ତିପଦା ବ୍ଲକର ବିଭିନ୍ନ ଅଞ୍ଚଳରୁ ୨୯ ଜଣ କିଶୋର କିଶୋରୀ ଏହି ଶିବିରରେ ଯୋଗ ଦେବା ପାଇଁ ବସ୍ ଯୋଗେ ଓ ସେମାନଙ୍କର ଅଭିଭାବକମାନେ ବାଇକ୍‌ରେ ସୋର ରେଳ ଷ୍ଟେସନ୍‌କୁ ଆସିଥିଲେ । ବସ୍‌ରୁ ଓହ୍ଲାଇବା ସଙ୍ଗେ ସଙ୍ଗେ ପ୍ରଥମେ ନିଜକୁ ସାମ୍ବାଦିକ ପରିଚୟ ଦେଇ କେତେକ ବ୍ୟକ୍ତି ଓ ଠିକ୍ ପରେ ପରେ ନିଜକୁ ବଜରଂଗ ଦଳ ଓ ଆର୍‌.ଏସ୍‌.ଏସ୍‌.ର କର୍ମୀ ବୋଲି ଦାବି କରି ୨୦ / ୨୫ ଜଣ ଉଗ୍ର ବ୍ୟକ୍ତି ଏହି ପିଲାମାନଙ୍କୁ ଘେରି ଯାଇ ନାନା ଅଜବ ପ୍ରଶ୍ନ ପଚାରିଥିଲେ । ଏହି ତଥାକଥିତ ସାମ୍ବାଦିକମାନେ ଏମାନଙ୍କୁ ଧର୍ମାନ୍ତରୀକରଣ କରାଇବା ଏବଂ ଶିଶୁ ଶ୍ରମିକଭାବେ ଚାଲାଣ କରିବାକୁ ନିଆଯାଉଛି ବୋଲି ମିଥ୍ୟା ଖବର ଦ୍ରୁତ ବିଭିନ୍ନ ଟିଭି,ୱେବ ଚ୍ୟାନେଲ୍ ଓ ଖବର କାଗଜରେ ପ୍ରକାଶ କରିଥିଲେ । ପୁଣି ଏହି ଦୁଷ୍କୃତିମାନେ ଚେଳବାଇ ପୋଲିସ ଉପସ୍ଥିତିରେ ଏହି ସମାନ ମିଥ୍ୟା ଅଭିଯୋଗ ଆଣି ପିଲାମାନଙ୍କୁ ତଥା ସେମାନଙ୍କର ଅଭିଭାବକମାନଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଳଜ କରି ମାଡ ମାରିଥିଲେ । ଏପରିକି ହତ୍ୟା ଧମକ ମଧ୍ୟ ଦେଇଥିଲେ । ବିଶେଷକରି ଝିଅମାନଙ୍କ ପ୍ରତି ଅଶାଳୀନ ଭାଷା ପ୍ରୟୋଗ କରି ଓ ଅଙ୍ଗଭଙ୍ଗୀ କରି ସେମାନଙ୍କ ଆଡକୁ ମାଡି ଆସିଥିଲେ । ପିଲାମାନେ ସ୍ୱେଚ୍ଛାରେ ଏବଂ ସେମାନଙ୍କ ସମ୍ମତିରେ ଏହି ଶିବିରରେ ଯୋଗ ଦେଉଛନ୍ତି ବୋଲି ଅଭିଭାବକମାନେ ଯେତେ କହିଲେ ବି ରେଳବାଇ ପୋଲିସ ସେହି ଅସାମାଜିକ ଯୁବକମାନଙ୍କ ଦ୍ୱାରା ପରିଚାଳିତ ହୋଇଥିଲେ । ରାତି ୭ଟାରୁ ୧ଟା ୩୦ ପର୍ଯ୍ୟନ୍ତ ଏମାନେ ଏହି ଆତଙ୍କରାଜ ଚଳାଇଥିଲେ ।
ଏହା ପରେ ସେହି ମେ ୧୬ ରାତିରୁ ମେ ୨୧ ତାରିଖ ସକାଳ ପର୍ଯ୍ୟନ୍ତ, ୫ ଦିନ ଧରି ୪ ଜଣ କିଶୋର ଓ ୧୪ ଜଣ କିଶୋରୀଙ୍କୁ ବିଚ୍ଛିନ୍ନ ଭାବରେ ବିଭିନ୍ନ ଅଜ୍ଞାତ ସ୍ଥାନରେ ଭୀତସନ୍ତ୍ରସ୍ତଭାବେ ରଖାଯାଇଥିଲା । ସେମାନଙ୍କ ପିତାମାତାଙ୍କ ସହ ଫୋନ୍‌ରେ କଥା ହେବାକୁ ବି ଦିଆଯାଇ ନଥିଲା । ଗୋଟିଏ ପୋଷାକରେ ଏମାନଙ୍କୁ ଖୁବ ଅସୁବିଧା ମଧ୍ୟରେ ରହିବାକୁ ପଡିଥିଲା । ବାଲେଶ୍ୱର ଶିଶୁ ମଙ୍ଗଳ କମିଟି (CWC) ଛାଡିବା ତାରିଖ ଦେଇ ମଧ୍ୟ ନଛାଡିବା ଯୋଗୁ ଅଭିଭାବକମାନେ ବାରମ୍ବାର ବାଲେଶ୍ୱର ଯାଇ ଖର୍ଚ୍ଚାନ୍ତ ଓ ହତାଶ ହୋଇ ଫେରିଥିଲେ । ପରିଶେଷରେ ୨୧ ତାରିଖ ସକାଳେ ପିଲାମାନଙ୍କୁ ଛଡା ଯାଇଥିଲା ।
ଘଟଣା ଘଟିବା ଦିନ ଏସ୍‌.ୟୁ.ସି.ଆଇ(କମ୍ୟୁନିଷ୍ଟ) ରାଜ୍ୟ କମିଟି ସଭ୍ୟ ଛବି ମହାନ୍ତି ବାଲେଶ୍ୱର ସାଂସଦଙ୍କୁୁ ଘଟଣା ସମ୍ପର୍କରେ ଅବଗତ କରାଇ ବିହିତ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ । ମାତ୍ର ସେ ଏହି ଦୁଷ୍କୃତିମାନେ ଆର୍‌.ଏସ୍‌.ଏସ୍ ବା ବଜରଂଗ ଦଳର ନୁହନ୍ତି ବୋଲି କହି ନିଜର କାମ ସାରିଦେଇଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ ଉଠାଯାଇଛି ଯେ, ତା’ ହେଲେ ଦୀର୍ଘ ୬ ଘଣ୍ଟା ଧରି ପୋଲିସର ଉପସ୍ଥିତିରେ ଆତଙ୍କରାଜ ଚଳାଇଥିବା ଏହି ଅପରାଧୀମାନେ କିଏ? ଆଇନ୍‌କୁ ହାତକୁ ନେବାର ଅଧିକାର ଏମାନଙ୍କୁ କିଏ ଦେଲା? ଏମାନଙ୍କ ଦ୍ୱାରା ପୋଲିସ କିଭଳି ପରିଚାଳିତ ହେଲା? ଏମାନଙ୍କୁ ଚିହ୍ନଟ କରି ଆଇନ୍ ଅନୁଯାୟୀ ଦଣ୍ଡିତ କରିବା ଦାୟିତ୍ୱ କାହାର?
ତୁରନ୍ତ ସିସିଟିଭି ଆଧାରରେ ଏହି ଅପରାଧୀମାନଙ୍କୁ ଚିହ୍ନଟ କରି ସେମାନଙ୍କ ବିରୁଦ୍ଧରେ ଉପଯୁକ୍ତ ଅପରାଧିକ ମାମଲା ରୁଜୁ କରିବା, ଏମାନଙ୍କ ନିର୍ଦ୍ଦେଶରେ ପରିଚାଳିତ ହୋଇଥିବା ରେଳବାଇ ପୋଲିସ ଏବଂ ଅଧିକାରୀଙ୍କ ବିରୁଦ୍ଧରେ ବିଭାଗୀୟ ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ପିଲାମାନଙ୍କୁ ଅଜ୍ଞାତ ସ୍ଥାନରେ ରଖି ସେମାନଙ୍କୁ ଏବଂ ସେମାନଙ୍କ ପରିବାରକୁ ମାନସିକ ନିର୍ଯ୍ୟାତନା ଦେଇ ଥିବା ସମ୍ପୃକ୍ତ ଅପରାଧୀମାନଙ୍କ ବିରୁଦ୍ଧରେ ତୁରନ୍ତ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ପୋଲିସ ଉପସ୍ଥିତିରେ ଘଟୁଥିବା ଏହିଭଳି ଭିଡ ହିଂସା ରୋକିବା ପାଇଁ ସ୍ପଷ୍ଟ ଓ କଠୋର ନିଦ୍ଦେର୍ଶନାମା ଜାରୀ କରିବା ଓ ଏହାର ଅନୁପାଳନକୁ ନିଶ୍ଚିତ କରିବା ଆଦି ୪ ଦଫା ଦାବିରେ ଦଳର ପୂର୍ବତନ ବିଧାୟକ ତଥା ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ କମ୍ରେଡ ଶମ୍ଭୁନାଥ ନାଏକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ମହାମହିମ ରାଜ୍ୟପାଳ, ମାନ୍ୟବର ମୁଖ୍ୟ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଏବଂ ଗୃହ ସଚିବଙ୍କ କାର୍ଯ୍ୟାଳରେ ଦାବିପତ୍ର ପ୍ରଦାନ କରିଛନ୍ତି ଓ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କୁ ଭେଟି ଆଲୋଚନା କରିଛନ୍ତି । ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ କମ୍ରେଡ୍ ବିଶ୍ୱାବସୁ ଦାସଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ କଟକରେ ଏ.ଡି.ଜିଙ୍କୁ ସାକ୍ଷାତ କରି ଡି.ଜି.ଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେଇଛନ୍ତି । ବାଲେଶ୍ୱର ଏସ୍‌.ପିଙ୍କୁ ମଧ୍ୟ ଏହି ଦାବୀପତ୍ର ପ୍ରେରଣ କରାଯାଇଛି ।
ଦାବି ପୁରଣ ନହେଲେ ସରକାର ଓ ପ୍ରଶାସନକୁ ଉଚିତ୍ ଜବାବ ଦିଆଯିବ ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ଦଳର ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ବିଷ୍ଣୁ ଦାସ, ଶମ୍ଭୁନାଥ ନାଏକ, ସ୍ୱୟଂପ୍ରଭା ନାୟକ, ବିଶ୍ୱାବସୁ ଦାସ, ଓ ରାଜ୍ୟ କମିଟି ସଭ୍ୟ ପୂର୍ଣ୍ଣ ବେହେରା ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *