କେନ୍ଦ୍ରରେ ବିଜେପିର ୧୦ବର୍ଷ, ରାଜ୍ୟରେ ବିଜେଡିର ୨୩ବର୍ଷର ଶାସନ : ଜନସାଧାରଣ ଦୁର୍ଗତିର ଅତଳ ଗହ୍ୱରରେ

Sarbaharakranti dated 02.03.2024 –

ନିର୍ବାଚନ ବିଗୁଲ ବାଜିଲାଣି । ଭୋଟ ସର୍ବସ୍ୱ ଦଳମାନେ ଯେନତେନ ପ୍ରକାରେ ନିର୍ବାଚନୀ ବୈତରଣୀ ପାରି ହେବାକୁ ନୂଆ ନୂଆ ସ୍ଲୋଗାନ ଆଉ ଭଳିକି ଭଳି ମନଲୋଭା ପ୍ରତିଶୃତି ସହିତ ମଇଦାନକୁ ଓହ୍ଲେଇଲେଣି । ଅନ୍ୟାନ୍ୟ ଦଳମାନଙ୍କ ସହିତ କେନ୍ଦ୍ରରେ ଗତ ୧୦ବର୍ଷ ଧରି ଶାସନ କରୁଥିବା ବିଜେପି ଓ ରାଜ୍ୟରେ ଲଗାତର ୨୩ ବର୍ଷ ଧରି ଶାସନ କରୁଥିବା ବିଜେଡି ଦଳ ମଧ୍ୟ ଖବର କାଗଜ ଓ ଟିଭିରେ ବ୍ୟୟବହୁଳ ବିଜ୍ଞାପନର ବନ୍ୟା ବୁହାଇ ସେମାନଙ୍କର ତଥାକଥିତ ସଫଳତାର କାହାଣୀ ପ୍ରଚାର କରି ଚାଲିଛନ୍ତି । ୫ବର୍ଷ ଧରି ସମସ୍ତ ବର୍ଗର ଜନସାଧାରଣଙ୍କର ନ୍ୟାଯ୍ୟ ଦାବିକୁ ଉପେକ୍ଷା କରିଆସୁଥିବା ସରକାରମାନେ ପ୍ରତ୍ୟେକ ଦିନ ଶିଳାନ୍ୟାସ, ଉଦ୍‌ଘାଟନ କିମ୍ବା କାହାକୁ ନା କାହାକୁ ଆର୍ôଥକ ସହାୟତା ଘୋଷଣା କରୁଛନ୍ତି । ସମଗ୍ର ରାଜ୍ୟରେ ଏହି ଦୁଇ ଦଳର ମାଳ ମାଳ ହୋଡିଂ । ରାଜକୋଷରୁ ଏଥିପାଇଁ ପାଣିଭଳି ଟଙ୍କା ଖର୍ଚ୍ଚ ହେଉଛି । ସରକାରୀ ପ୍ରଚାର ଯନ୍ତ୍ରରେ ପରିଣତ ହୋଇଥିବା ଗଣମାଧ୍ୟମ, ବିଶେଷ କରି ମୁଖ୍ୟଧାରାର ବୈଦ୍ୟୁତିକ ଗଣମାଧ୍ୟମରେ ଦେଶ ତଥା ରାଜ୍ୟର ଉନ୍ନୟନ ଓ ବିକାଶର କାନଫଟା ଚିତ୍କାର ଶୁଣିବାକୁ ମିଳୁଛି । ଦୀର୍ଘ ବର୍ଷଧରି କେନ୍ଦ୍ର ଓ ରାଜ୍ୟରେ କ୍ଷମତାଚ୍ୟୁତ ହୋଇଥିବା କଂଗ୍ରେସ ଦଳ ମଧ୍ୟ ‘ଇଣ୍ଡିଆ’ ମେଣ୍ଟକରି ପୁନର୍ବାର କ୍ଷମତାକୁ ଫେରିବାପାଇଁ ଯତ୍ପରୋନାସ୍ତି ଉଦ୍ୟମ ଚଳାଇଛି । ଏହି ପରିସ୍ଥିତିରେ ଆଗାମୀ ନିର୍ବାଚନରେ ଆମ ରାଜ୍ୟରେ ମୁଖ୍ୟ ପ୍ରତିଦ୍ୱନ୍ଦୀ ଭାବରେ ନିର୍ବାଚନ ଲଢିବାକୁ ସଜବାଜ ହେଉଥିବା ବିଜେପି ଓ ବିଜେଡି ଦଳର ଶାସନ କାଳରେ ରାଜ୍ୟର ଜନସାଧାରଣଙ୍କର ବାସ୍ତବ ବିକାଶ ଓ ଉନ୍ନୟନ ସଂପର୍କରେ ଏକ ସଂକ୍ଷିପ୍ତ ଓ ବସ୍ତୁନିଷ୍ଟ ଆକଳନ ରାଜ୍ୟର ଜନସାଧାରଣଙ୍କ ସମ୍ମୁଖରେ ଉପସ୍ଥାପନ କରିବା ଅତ୍ୟନ୍ତ ଜରୁରୀ । ପ୍ରଥମେ କେନ୍ଦ୍ର ବିଜେପି ସରକାରର ୧୦ବର୍ଷର ଶାସନର ବାସ୍ତବ ଚିତ୍ର ଉପରେ ଦୃଷ୍ଟିପାତ କରାଯାଉ ।
କେନ୍ଦ୍ରରେ ବିଜେପିର ୧୦ବର୍ଷ
୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ କେନ୍ଦ୍ରରେ କଂଗ୍ରେସ ନେତୃତ୍ୱରେ ପରିଚାଳିତ ଉପା ସରକାର ଅମଳରେ ଦୁର୍ନିତୀ, ପ୍ରିୟାପ୍ରିତୀ ତୋଷଣ, ଦରଦାମ ବୃଦ୍ଧି ତଥା ଜନବିରୋଧୀ ନୀତି ଓ ପଦକ୍ଷେପ ଫଳରେ ଦେଶବ୍ୟାପୀ ସୃଷ୍ଟି ହୋଇଥିବା ତୀବ୍ର ଜନଅସନ୍ତୋଷ ଫଳସ୍ୱରୂପ ୨୦୧୪ ମସିହା ସାଧାରଣ ନିର୍ବାଚନରେ ଏହି ସରକାରର ପତନ ଘଟିଲା । ଆଚ୍ଛେଦିନର ସ୍ଲୋଗାନ ଦେଇ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଜେପି ଦଳ କେନ୍ଦ୍ରରେ କ୍ଷମତାସୀନ ହେଲା । ଗଣମାଧ୍ୟମରେ ନରେନ୍ଦ୍ର ମୋଦିଙ୍କୁ ଜନସାଧାରଣଙ୍କର ତ୍ରାଣକର୍ତ୍ତା ଭାବରେ ପ୍ରଦର୍ଶିତ କରାଗଲା । କ୍ଷମତାସୀନ ହେବାର ୧୦୦ଦିନ ମଧ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ହ୍ରାସ କରିବା, ଦେଶବାସୀଙ୍କୁ ଦୁର୍ନୀତି ମୁକ୍ତ ଶାସନ ପ୍ରଦାନ କରିବା, ବିଦେଶୀ ବ୍ୟାଙ୍କମାନଙ୍କରେ ଭାରତୀୟମାନଙ୍କର ଗଚ୍ଛିତ ବିପୁଳ ପରିମାଣର କଳାଟଙ୍କା ଉଦ୍ଧାର କରି ଦେଶର ପ୍ରତ୍ୟେକ ଲୋକଙ୍କୁ ୧୫ରୁ ୨୦ ଲକ୍ଷ ଲେଖାଏଁ ଟଙ୍କା ପ୍ରଦାନ କରିବା, ଡଲାର ତୁଳନାରେ ଭାରତୀୟ ଟଙ୍କାର ଅବମୂଲ୍ୟାୟନକୁ ରୋକିବା, ବର୍ଷକୁ ୨କୋଟି ଯୁବକଙ୍କୁ ସରକାରୀ ଚାକିରୀ ଦେବା, ସ୍ୱାମୀନାଥନ କମିଶନର ସୁପାରିସ ଆଧାରରେ ସମସ୍ତ କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ଦର(ଏମ୍‌ଏସ୍‌ପି) ଧାର୍ଯ୍ୟ କରିବା, ଚାଷୀମାନଙ୍କର ଋଣ ଛାଡ କରିବା, ବ୍ୟକ୍ତିଗତ ଆୟକର ସଂପୂର୍ଣ୍ଣ ଉଠାଇ ଦେବା, ୬୦ମାସ ମଧ୍ୟରେ ପ୍ରତ୍ୟେକ ଭୂମିହୀନଙ୍କୁ ଭୂମି ଓ ପ୍ରତ୍ୟେକ ଗୃହହୀନଙ୍କୁ ପକ୍କାଘର ଯୋଗାଇବା, ନାରୀ ନିର୍ଯ୍ୟାତନାକାରୀଙ୍କୁ ତ୍ୱରିତ ବିଚାର କରି ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବାର ବ୍ୟବସ୍ଥା କରିବା ସମେତ ଆହୁରି ଅନେକ ମନଲୋଭା ପ୍ରତିଶୃତି ଭିତ୍ତିରେ ବିଜେପି ଏହି ନିର୍ବାଚନରେ ଜୟଯୁକ୍ତ ହୋଇଥିଲା ।
ଦରଦାମ ଆକାଶଛୁଆଁ :
ଇତି ମଧ୍ୟରେ ୧୦ବର୍ଷ ବିତିଗଲାଣି । ଅତ୍ୟାବଶ୍ୟକ ସାମଗ୍ରୀର ଦର କମିବା ପରିବର୍ତ୍ତେ ହୁ ହୁ ହୋଇ ବଢୁଛି । ଖାଇବା ଥାଳି ଉପରେହିଁ ସବୁଠୁ ବେଶୀ ମାଡ । ସାଧାରଣଲୋକ ଖାଉଥିବା ଚାଉଳ କିଲୋପିଛା ୧୫ରୁ ୨୦ଟଙ୍କା ବୃଦ୍ଧିପାଇଛି, ଅଟାଦର ବଢିଛି ଶତକଡା ୫୦ଭାଗ, ସୋରିଷ ତେଲ ଦାମ ୪୬ପ୍ରତିଶତ ବଢିଛି । ଏହାବ୍ୟତୀତ ସମସ୍ତ ଖାଦ୍ୟ ସାମଗ୍ରୀର ଦର ରକେଟ ଗତିରେ ବଢିଚାଲିଛି । ଚାଷୀ ଯେଉଁ ପରିବା କିଲୋ ୩/୪ଟଙ୍କାରେ ବିକ୍ରି କରୁଛି ଖାଉଟି ସେହି ପରିବା କିଣୁଛି ୫୦ରୁ ୬୦ଟଙ୍କାରେ । କେନ୍ଦ୍ର ବିଜେପି ସରକାର ଅତ୍ୟାବଶ୍ୟକ ସାମଗ୍ରୀର ମହଜୁଦ ଓ କଳାବଜାର ରୋକିବାପାଇଁ ପୂର୍ବରୁ ଥିବା ଅତ୍ୟାବଶ୍ୟକ ସାମଗ୍ରୀ ଆଇନ-୧୯୫୫କୁ ଉଠାଇ ଦେଇ ମହଜୁଦକାରୀ ଓ କଳାବଜାରୀମାନଙ୍କୁ ମନଇଚ୍ଛା ଲୁଟ କରିବାପାଇଁ ସୁଯୋଗ କରି ଦେଇଛି । ଗ୍ୟାସ ସିଲିଣ୍ଡର ପିଛା ୪୫୦ଟଙ୍କା ଥିଲାବେଳେ ଆନ୍ଦୋଳନର ନାଟକ କରୁଥିବା ବିଜେପି ନେତାମାନେ ଗ୍ୟାସ ସିଲିଣ୍ଡର ପିଛା ୧୧୦୦ହେଲାବେଳେ ମୁହଁରେ ତୁଣ୍ଡି ବାନ୍ଧିଛନ୍ତି । ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲର ଦାମ କମି ଚାଲିଥିଲାବେଳେ ଦେଶରେ ବର୍ଷ ବର୍ଷ ଧରି ପେଟ୍ରୋଲ ଲିଟର ୧୦୦ଟଙ୍କା ଉପରେ ଆଉ ଡିଜେଲ ଦର ୧୦୦ଟଙ୍କା ପାଖାପାଖି । ଏହାଫଳରେ ସମସ୍ତ ଖାଉଟି ସାମଗ୍ରୀର ଦର ମଧ୍ୟବିତ୍ତମାନଙ୍କ ପାଇଁ ମଧ୍ୟ ଅସହ୍ୟ ହେଲାଣି । ସରକାର ଓ ତେଲ କମ୍ପାନୀମାନେ ଖାଉଟିକୁ ମିଳିମିଶି ଲୁଟ କରିଚାଲିଛନ୍ତି । କଳାବଜାରୀ ଓ ମୁନାଫା ଖୋରଙ୍କୁ ସାତଖୁଣ ମାଫ । ଟ୍ରେନ ଆଉ ବସ୍ ଭଡା ବଢି ଚାଲିଛି । ସାଧାରଣ ପାସେଞ୍ଜର ଟ୍ରେନକୁ ଏକ୍ସପ୍ରେସ ଘୋଷଣା କରି ସାଧାରଣ ଯାତ୍ରୀଙ୍କୁ ଲୁଟ କରାଯାଉଛି । ଏହାବ୍ୟତୀତ ନାନା କୌଶଳରେ ରେଳଯାତ୍ରୀମାନଙ୍କୁ ଆର୍ଥିକ ଶୋଷଣ କରାଯାଉଛି । କେବଳ ଟ୍ରେନ୍ ଟିକଟ ବାତିଲ ବାବଦରେ ୨୦୧୭ରୁ ୨୦୨୦ ମଧ୍ୟରେ ରେଳବାଇ ୯୦୦୦କୋଟି ଟଙ୍କା ଆଦାୟ କରିଛି । ବ୍ୟାଙ୍କରେ ସର୍ବନିମ୍ନ ଆବଶ୍ୟକ ଟଙ୍କା ଜମା ରଖିପାରୁନଥିବା ଦରିଦ୍ର ଲୋକଙ୍କଠାରୁ ସରକାରୀ ବ୍ୟାଙ୍କମାନେ ଗତ ୬ବର୍ଷ ମଧ୍ୟରେ ୬୨.୫୪.୩୭କୋଟି ଟଙ୍କା ଆଦାୟ କରିଛନ୍ତି । ଏହି ସମୟ କାଳରେ ଏଟିଏମ୍‌ର ଅଧିକ ଥର ବ୍ୟବହାର ପାଇଁ ବ୍ୟାଙ୍କମାନେ ୮୨୮୯.୩୨ କୋଟି ଟଙ୍କା ଜୋରିମାନା ଆଦାୟ କରିଛନ୍ତି । ଏହା ହେଉଛି ମୋଦିଙ୍କର ଆଚ୍ଛେଦିନର ସାମାନ୍ୟ କେତେଟି ନମୁନା ।
ଦୁର୍ନୀତି ସମସ୍ତ ସୀମା ଟପିଛି :
ଦେଶରୁ ଦୁର୍ନୀତିର ମୂଳୋତ୍ପାଟନ କରିବାପାଇଁ ଅଙ୍ଗୀକାର କରିଥିବା କେନ୍ଦ୍ର ବିଜେପି ସରକାର ଦୁର୍ନୀତିର ପଙ୍କରେ ଲଟପଟ ହେଉଛି । ସାଧାରଣ ଲୋକଙ୍କୁ ଶୋଷଣକରି ସୀମାହୀନ ମୁନାଫା ଲୁଟ କରିବା, ଦେଶର ସମସ୍ତ ରାଷ୍ଟ୍ରାୟତ୍ତ କଳ କାରଖାନାକୁ ଶାଗ ମାଛ ଦରରେ ଖରିଦ କରିବା ଓ ସମସ୍ତ ପ୍ରାକୃତିକ ସଂପଦକୁ ଲୁଟ କରିବାପାଇଁ ଏକଚାଟିଆ ପୁଞ୍ଜିପତିମାନଙ୍କୁ ବେଆଇନ ସୁବିଧା ସୁଯୋଗ ଦେବା ପ୍ରତିବଦଳରେ ଗୋପନୀୟ ଭାବରେ ହଜାର ହଜାର କୋଟି ଟଙ୍କା ଚାନ୍ଦା ଆଦାୟ କରିବାପାଇଁ ବିଜେପି ସରକାର ପ୍ରଚଳନ କରିଥିବା ନିର୍ବାଚନୀ ବଣ୍ଡ ହେଉଛି ଦେଶର ଅନ୍ୟତମ ବଡ କେଳେଙ୍କାରୀ । କେନ୍ଦ୍ର ସରକାରଙ୍କ ପ୍ରତ୍ୟକ୍ଷ ସହଯୋଗୀତା ଓ ସହଭାଗୀତାରେ ଆଦାନୀ, ଅମ୍ବାନୀ ସମେତ ଅନ୍ୟାନ୍ୟ ଏକଚାଟିଆ ପୁଞ୍ଜିପତିମାନେ କରିଥିବା ଜାଲି କାରବାରର ଭୁରି ଭୁରି ପ୍ରମାଣ ରହିଥିଲେ ମଧ୍ୟ ସେମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ । ଏ ବାବଦରେ ହିଣ୍ଡେନବର୍ଗ ରିପୋର୍ଟ ସମେତ ଦେଶ ବିଦେଶର ବହୁ ସମ୍ବାଦପତ୍ରରେ ପ୍ରକାଶିତ ତଥ୍ୟ ପ୍ରମାଣ ଭିତ୍ତିକ ରିପୋର୍ଟକୁ ସରକାର ଅଣଦେଖା କରି ଚାଲିଛନ୍ତି । ବରଂ ବ୍ୟାଙ୍କରୁ ଶହ ଶହ କୋଟି ଟଙ୍କା ଲୁଟ କରି ବିଦେଶକୁ ପଳାୟନ କରିବାପାଇଁ ଚୋରା ବେପାରୀମାନଙ୍କୁ କେନ୍ଦ୍ର ବିଜେପି ସରକାର, ବିଶେଷ କରି ପ୍ରଧାନମନ୍ତ୍ରୀ ମୋଦି ସହଯୋଗ କରୁଛନ୍ତି । ରାଫେଲ ଦୁର୍ନୀତି ସ୍ୱାଧୀନ ଭାରତର ଇତିହାସରେ ଅନ୍ୟତମ କୁଖ୍ୟାତ ଦୁର୍ନୀତି । ବିଜେପି ଶାସିତ ରାଜ୍ୟ ମଧ୍ୟପ୍ରଦେଶରେ ବ୍ୟାପମ ଦୁର୍ନୀତି ଓ ଏହାକୁ ଘଣ୍ଟ ଘୋଡାଇବାପାଇଁ ବିଜେପି ପକ୍ଷରୁ ଏକାଧିକ ସନ୍ଦିଗ୍ଧ ନରହତ୍ୟା ଘଟଣା ନିଶ୍ଚିତ ଭାବରେ ପାଠକମାନଙ୍କର ସ୍ମରଣ ଥିବ ।
କେବଳ ଏତିକି ନୁହେଁ କଂଗ୍ରେସ ତଥା ଅନ୍ୟାନ୍ୟ ବିରୋଧି ଦଳର ଯେଉଁ ସବୁ ନେତାମାନଙ୍କ ବିରୁଦ୍ଧରେ ବିଜେପି ଗୁରୁତର ଦୁର୍ନୀତି ଅଭିଯୋଗ ଉତ୍‌ଥାପନ କରୁଛି, ଯେଉଁମାନଙ୍କ ଦୁର୍ନୀତି ସଂପର୍କରେ ପ୍ରଚାର ପତ୍ର ଓ ପୁସ୍ତିକା ପ୍ରକାଶ କରୁଛି, ଯେଉଁମାନଙ୍କ ଉପରେ ସିବିଆଇ ଓ ଇଡିର ଚଢାଉ କରାଯାଉଛି ୨୪ଘଣ୍ଟା ନ ପୁରୁଣୁ ସେହି ସବୁ ନେତାମାନଙ୍କୁ ବିଜେପିରେ ସାମିଲ କରାଯାଉଛି, ସେମାନଙ୍କୁ ମନ୍ତ୍ରୀ, ଏପରିକି ମୁଖ୍ୟମନ୍ତ୍ରୀ ମଧ୍ୟ କରାଯାଉଛି । ବିଜେପିରେ ସାମିଲ ହେଲାପରେ ଚରମ ଦୁର୍ନୀତିଗ୍ରସ୍ତ କଂଗ୍ରେସ ନେତାମାନେ ସଂପୂର୍ଣ୍ଣ ଦୁର୍ନୀତି ମୁକ୍ତ ଘୋଷିତ ହେଉଛନ୍ତି । ଏହା ପ୍ରମାଣ କରୁଛି କ୍ଷମତା ପାଇଁ ବିଜେପି ଯେକୌଣସି ଦୁର୍ନୀତି ସହିତ ସାଲିସ କରିପାରେ । ଏକଦା ନିଜକୁ ‘ଭିନ୍ନ ଧରଣର ଦଳ’ ବୋଲି ଦାବି କରୁଥିବା ବିଜେପିର ଦୁର୍ନୀତି ପ୍ରସଙ୍ଗରେ ଯେ ଆଦୌ କୌଣସି ଭିନ୍ନତା ନାହିଁ ତାହା ଦିବାଲୋକ ଭଳି ସ୍ପଷ୍ଟ ।
କଳାଟଙ୍କା ଫେରିଲା ନାହିଁ :
ସେହିଭଳି ଆଜି କେନ୍ଦ୍ରରେ ୧୦ବର୍ଷର ବିଜେପି ଶାସନ ପରେ ମଧ୍ୟ ବିଦେଶରୁ ଟଙ୍କାଟିଏ ମଧ୍ୟ କଳାଧନ ଫେରିବା ଦୂରେ ଥାଉ ବିଦେଶୀ ବ୍ୟାଙ୍କମାନଙ୍କରେ ଭାରତୀୟ ମାନଙ୍କର କଳାଧନର ପରିମାଣ ବିସ୍ମୟ ଜନକ ହାରରେ ବୃଦ୍ଧି ପାଇଛି ବୋଲି ରିପୋର୍ଟ ପ୍ରକାଶିତ ହୋଇଛି । ପୂର୍ବରୁ ଉଲ୍ଲେଖ କରାଯାଇଛି କଳାଧନର ମାଲିକମାନେ ଦେଶଛାଡି ବିଦେଶରେ ଆରାମ ଅୟସ କରୁଛନ୍ତି । ଦେଶରୁ କଳାଧନ ନିର୍ମୂଳ କରିବା ଆଳରେ କେନ୍ଦ୍ର ବିଜେପି ସରକାର ଜାରୀ କରିଥିବା ଚୂଡାନ୍ତ ଜନବିରୋଧୀ ବିମୁଦ୍ରିକରଣ କଳାଧନର କେଶାଗ୍ର ସୁଦ୍ଧା ସ୍ପର୍ଶ କରିପାରିନାହିଁ । ଏହାଦ୍ୱାରା କେବଳ ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୁଞ୍ଜିପତି ବନ୍ଧୁମାନଙ୍କର କଳାଧନ ଧଳା ହୋଇଛି । ଅନ୍ୟପଟରେ ଏହି ବିମୁଦ୍ରିକରଣ ଯୋଗୁ ଦେଶର ଲକ୍ଷ ଲକ୍ଷ କ୍ଷୁଦ୍ର ଓ ମଧ୍ୟମ ଧରଣର ଶିଳ୍ପରେ ତାଲା ପଡିଛି । କୋଟି କୋଟି ଶ୍ରମିକ କାମ ହରାଇଛନ୍ତି । ବର୍ତ୍ତମାନ ସରକାରୀ ପ୍ରୋତ୍ସାହନରେ କଳାଟଙ୍କାର ସମାନ୍ତରାଳ ସାମ୍ରାଜ୍ୟ ଗଢିଉଠିଛି । ଏବେ ବିଦେଶରୁ କଳାଟଙ୍କା ଫେରାଇ ଆଣିବା କଥା ଆଉ ପ୍ରଧାନମନ୍ତ୍ରୀ କହୁନାହାନ୍ତି କିମ୍ବା ଏହାକୁ ବାରବାର ପ୍ରଚାରକରି ଏକ ମୁଖ୍ୟ ରାଜନୈତିକ ପ୍ରସଙ୍ଗରେ ପରିଣତ କରିଥିବା ଗଣମାଧ୍ୟମରେ ଏହାର ଚର୍ଚ୍ଚା ଆଉ ଶୁଣିବାକୁ ମିଳୁନାହିଁ । ୧୫ଲକ୍ଷ ପାଇବାପାଇଁ ଆଶା କରିଥିବା ଲୋକଙ୍କୁ ଖୋଦ୍ ଅମିତ ଶାହା ଶୁଣାଇ ଦେଇଛନ୍ତି- ଏଇଟା ଗୋଟିଏ ନିର୍ବାଚନୀ ‘ଜୁମଲା’ ।
ଡଲାର ତୁଳନାରେ ଟଙ୍କା ଆହୁରି ଦୁର୍ବଳ :
ଉପା ଶାସନ କାଳରେ ଗୋଟିଏ ଆମେରିକୀୟ ଡଲାରର ମୂଲ୍ୟ ୬୦ଟଙ୍କା ହେବାରୁ ଏହାକୁ ନେଇ ସଂସଦରେ ଘମାଘୋଟ ଆଲୋଚନା ହେଲା । ଭାରତୀୟ ଟଙ୍କାର ଅବମୂଲ୍ୟାୟନ ଫଳରେ ଆନ୍ତର୍ଜାତୀୟ ସ୍ତରରେ ଦେଶର ସମ୍ମାନ ହ୍ରାସ ପାଉଛି ବୋଲି ବିଜେପି ପକ୍ଷରୁ ଅଭିଯୋଗ ହେଲା । ଏହାଫଳରେ ଦେଶର ଅର୍ଥନୀତି ଚୌପଟ ହେବ ବୋଲି ଗୁଜୁରାଟର ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦି ଚାରିଆଡେ କହିବୁଲିଲେ । ବିଜେପି କେନ୍ଦ୍ରରେ କ୍ଷମତାକୁ ଆସିଲେ ଗୋଟିଏ ଆମେରିକୀୟ ଡଲାରର ମୂଲ୍ୟ ୪୦ଟଙ୍କା ହେବ ବୋଲି ବିଜେପି ନେତା ଓ ଏହି ଦଳର ପ୍ରମୁଖ ସହଯୋଗୀମାନେ ଘୋଷଣା କଲେ । ମାତ୍ର ବର୍ତ୍ତମାନ ଗୋଟିଏ ଆମେରିକୀୟ ଡଲାରର ଦାମ ହେଉଛି ପ୍ରାୟ ୮୪ଟଙ୍କା । ମାତ୍ର ଏହା ଉପରେ ନା ସଂସଦରେ ଆଲୋଚନା ହେଉଛି ନା ପ୍ରଧାନମନ୍ତ୍ରୀ କିଛି ମନ୍ତବ୍ୟ ଦେଉଛନ୍ତି । ଏହା ହେଉଛି ମୋଦିଙ୍କର ୧୦ବର୍ଷର ଶାସନର ପରିଣାମ ।
ସ୍ଥାୟୀ ଚାକିରି ଉଭାନ :
୨୦୧୪ ମସିହା ସାଧାରଣ ନିର୍ବାଚନରେ ବିଜେପିର ଅନ୍ୟତମ ପ୍ରମୁଖ ନିର୍ବାଚନୀ ପ୍ରତିଶୃତି ଥିଲା ବର୍ଷକୁ ୨କୋଟି ହିସାବରେ ସରକାରୀ ନିଯୁକ୍ତିର ସୁଯୋଗ ସୃଷ୍ଟି କରିବା । ବେକାରୀ ଜର୍ଜରିତ ଭାରତର ଯୁବକମାନଙ୍କୁ ଏହି ଧରଣର ସ୍ଲୋଗାନ ଦେଇ ପ୍ରଲୁବ୍ଧ କରାଗଲା । ମାତ୍ର ଆଜି ୧୦ବର୍ଷ ପରେ ନୂଆ ନିଯୁକ୍ତି ସୃଷ୍ଟି ତ ଦୂରର କଥା କେନ୍ଦ୍ର ଓ ରାଜ୍ୟ ସରକାରମାନେ ସ୍ଥାୟୀ ପଦବୀ ଉଚ୍ଛେଦ କରି ଚାଲିଛନ୍ତି । ମୋଦି ସରକାରଙ୍କର ୧୦ବର୍ଷର ଶାସନରେ କେନ୍ଦ୍ର ସରକାରଙ୍କର ବିଭିନ୍ନ ବିଭାଗରେ ପ୍ରାୟ ୩ଲକ୍ଷ ପଦବୀ ଉଚ୍ଛେଦ କରାଯାଇଛି । ରେଳବାଇ ଓ ରାଷ୍ଟ୍ରାୟାତ୍ତ କଳକାରଖାନାଗୁଡିକୁ ପର୍ଯ୍ୟାୟକ୍ରମେ ଘରୋଇକରଣ କରାଯାଉଛି । ଖାଲି ରହିଥିବା ଲକ୍ଷ ଲକ୍ଷ ପଦବୀରେ ନିଯୁକ୍ତି ଦିଆଯାଉନାହିଁ । ସ୍ଥାୟୀ କାମରେ ଅଧିକରୁ ଅଧିକ ଠିକା ଓ ଆଉଟ ସୋର୍ସିଂ ନିଯୁକ୍ତି କରାଯାଉଛି । ସାମରିକ ବାହିନୀରେ ଅଗ୍ନିବୀର ଯୋଜନା ଲାଗୁକରି ସେ କ୍ଷେତ୍ରରେ ମଧ୍ୟ ସ୍ଥାୟୀ ନିଯୁକ୍ତିର ସମ୍ଭାବନାକୁ ସମୂଳେ ଧ୍ୱଂସ କରାଯାଇଛି । ବିଗତ ୫୦ବର୍ଷ ମଧ୍ୟରେ ବର୍ତ୍ତମାନ ଦେଶରେ ବେକାରୀ ସବୁଠାରୁ ଉତ୍କଟ ।
ବ୍ରିଟିଶ ଶାସନ କାଳରୁ ହିଁ ଶ୍ରମିକମାନଙ୍କର ରକ୍ତକ୍ଷୟୀ ଲଢେଇ ଫଳରେ ଅର୍ଜିତ ସମସ୍ତ ଶ୍ରମ ଆଇନକୁ ଅକାର୍ଯ୍ୟକାରୀ କରି ବିଜେପି ସରକାର ଶ୍ରମକୋର୍ଡ ଲାଗୁ କରିଛନ୍ତି । ଶ୍ରମିକ ମାନଙ୍କର ଟ୍ରେଡ୍ ୟୁନିୟନ ଗଠନର ଅଧିକାରକୁ କାର୍ଯ୍ୟତଃ ଧ୍ୱଂସ କରାଯାଇଛି । ଏହାଫଳରେ ଭାରତର ଶ୍ରମିକମାନଙ୍କୁ ଅବାଧରେ ଶୋଷଣକରି ମୁନାଫାର ପାହାଡ ସୃଷ୍ଟିକରିବାକୁ ଏକଚାଟିଆ ପୁଞ୍ଜିପତିମାନଙ୍କୁ ଲଗାମଛଡା ସୁଯୋଗ ଦିଆଯାଇଛି । ଅଳ୍ପ କେତେ ଦିନ ତଳେ ବିଜେପି ଶାସିତ ଉତ୍ତର ପ୍ରଦେଶରେ ପୁଲିସ କନେଷ୍ଟବଳ ନିଯୁକ୍ତି ପାଇଁ ପ୍ରାୟ ୪୫ଲକ୍ଷରୁ ଅଧିକ ଯୁବକ ଆବେଦନ କରିଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ଲକ୍ଷ ଲକ୍ଷ ଅତି ଉଚ୍ଚଶିକ୍ଷିତ ଯୁବକ ଯୁବତୀ । ପରିସ୍ଥିତି ଏଭଳି ହୋଇଛି ଯେ ଯୁଦ୍ଧ ଗ୍ରସ୍ତ ଇସ୍ରାଏଲ ଓ ଋଷିଆରେ ନିଜ ଜୀବନକୁ ବିପନ୍ନକରି କାମ କରିବାପାଇଁ ହଜାର ହଜାର ଯୁବକ ଦିନ ଦିନ ଧରି ଧାଡିବାନ୍ଧି ଠିଆ ହୋଇଛନ୍ତି । ସଂପ୍ରତି ଋଷିଆର ସେନାବାହିନୀରେ କାମ କରୁଥିବା ଜଣେ ଶ୍ରମିକ ମୃତ୍ୟୁ ମୁଖରେ ପଡିଛନ୍ତି । ସ୍ୱୟଂ ସରକାର ଦାଦନ ସର୍ଦ୍ଦାର ସାଜି ଯୁଦ୍ଧଗ୍ରସ୍ତ ଦେଶମାନଙ୍କୁ ଦାଦନ ଶ୍ରମିକ ଚାଲାଣ କରୁଛନ୍ତି । ଅନ୍ୟପଟରେ ନୂତନ ନିଯୁକ୍ତି ସୃଷ୍ଟି ତ ଦୂରର କଥା ନିଯୁକ୍ତି ସୃଷ୍ଟି ଆଳରେ ସରକାରଙ୍କଠାରୁ ନାନା ଧରଣର ରିହାତି ଓ ଅନ୍ୟାୟ ସୁବିଧା ସୁଯୋଗ ପାଉଥିବା ଘରୋଇ କମ୍ପାନୀମାନଙ୍କରୁ ଲଗାତର ଛଟେଇ ଚାଲିଛି । ଆଇଟି କମ୍ପାନୀର କର୍ମଚାରୀଙ୍କ ଉପରେ ତିନିଆଡୁ ଆକ୍ରମଣ- କାମ କରିବା ସମୟ ବଢିଚାଲିଛି, ଦରମା ବଢୁ ନାହିଁ, ଆଉ ମୁଣ୍ଡ ଉପରେ ଛଟେଇର ଖଣ୍ଡା ଝୁଲୁଛି । ମାତ୍ର ପ୍ରଧାନମନ୍ତ୍ରୀ ବେକାର ଯୁବକମାନଙ୍କୁ ବାଣୀ ଶୁଣାଉଛନ୍ତି- ସ୍ୱରୋଜଗାରୀ ହୁଅ, ଚାକିରି ପଛରେ ଗୋଡାଅ ନାହିଁ । ପୁଣି କହିଛନ୍ତି ପକୁଡି ଛାଣିବା କଣ ରୋଜଗାର ନୁହେଁ? ଏହା ହେଉଛି ୧୦ବର୍ଷର ବିଜେପି ଶାସନରେ ଦେଶର ନିଯୁକ୍ତି ଆଶାୟୀ ଯୁବକ ଯୁବତୀମାନଙ୍କର ଅବସ୍ଥା ।
ଚାଷୀହନ୍ତା ବିଜେପି ସରକାର :
ବର୍ତ୍ତମାନ ବିଜେପି ସରକାରର ଆଉ ଏକ ପ୍ରମୁଖ ନିର୍ବାଚନୀ ପ୍ରତିଶୃତି ସଂପର୍କରେ ଆଲୋଚନା କରାଯାଉ । କ୍ଷମତାକୁ ଆସିଲେ ସମସ୍ତ ଫସଲ ଉପରେ ସ୍ୱାମୀନାଥନ କମିଶନର ସୁପାରିଶ ଆଧାରରେ ଏମ୍‌ଏସ୍‌ପି ଧାର୍ଯ୍ୟ କରିବ ବୋଲି ୨୦୧୪ ସାଧାରଣ ନିର୍ବାଚନ ପ୍ରଚାର ସମୟରେ ବିଜେପି ଦଳ ପ୍ରତିଶୃତି ଦେଇଥିଲା । କଂଗ୍ରେସ ନେତୃତ୍ୱରେ ପରିଚାଳିତ ଉପା ସରକାର ଏହି କମିଶନ ଗଠନ କରିଥିଲେ ମଧ୍ୟ ଏହାର ସୁପାରିଶକୁ କାର୍ଯ୍ୟକାରୀ କରି ନଥିଲେ । ମାତ୍ର ବିଜେପି କେନ୍ଦ୍ରରେ କ୍ଷମତାସୀନ ହେବାପରେ ସ୍ୱାମୀନାଥନ କମିଶନର ସୁପାରିଶ ଲାଗୁକରିବା ଦୂରରେ ଥାଉ ଚୂଡାନ୍ତ ଜନବିରୋଧୀ ଓ କୃଷକ ସ୍ୱାର୍ଥ ବିରୋଧୀ ତିନିଟି କୃଷି ଆଇନ ଓ ମାରାତ୍ମକ ବିଦ୍ୟୁତ ଆଇନ ପ୍ରଣୟନ କରିଥିଲା । ଏହି ଆଇନ ପ୍ରତ୍ୟାହାର ଓ ସ୍ୱାମୀନାଥନ କମିଶନର ସୁପାରିଶ ଲାଗୁ କରିବା ଦାବିରେ ଦିଲ୍ଲୀ ସୀମାରେ ଅନୁଷ୍ଠିତ ଐତିହାସିକ କୃଷକ ଆନ୍ଦୋଳନର ଚାପରେ ତିନିଟି କଳା କୃଷି ଆଇନକୁ ପ୍ରତ୍ୟାହାର କରିଥିଲେ ମଧ୍ୟ ସ୍ୱାମୀନାଥନ କମିଶନର ସୁପାରିଶକୁ ଲାଗୁ କରିବା ପ୍ରତିଶୃତି ଏବେ ବି କେନ୍ଦ୍ର ସରକାର ପାଳନ କରିନାହାନ୍ତି । ଏଠାରେ ସୂଚନାଯୋଗ୍ୟ ଏହି ଆନ୍ଦୋଳନରେ ୭୫୦ଜଣ କୃଷକ ଶହୀଦ ହୋଇଥିଲେ । ସ୍ୱାମୀନାଥନ କମିଶନ ସୁପାରିଶ ଲାଗୁକରିବା ଏବଂ ଏମ୍‌ଏସ୍‌ପିକୁ ଆଇନରେ ପରିଣତ କରିବା ଦାବିରେ ପୁନର୍ବାର ଗତ ୧୫ଦିନ ଧରି ପଞ୍ଜାବ ହରିଆନା ସୀମାରେ ହଜାର ହଜାର କୃଷକ ଦିଲ୍ଲୀ ଚଲୋ ଡାକରା ଦେଇ ଅଟକି ରହିଛନ୍ତି । ବଳପୂର୍ବକ ସେମାନଙ୍କୁ ହରିଆନାରେ ପ୍ରବେଶ କରିବାକୁ ଦିଆଯାଉନାହିଁ । ଆନ୍ଦୋଳନକାରୀ ଚାଷୀମାନଙ୍କ ଉପରେ ଆକାଶ ମାର୍ଗରୁ ଲୁହବୁହା ଗ୍ୟାସ ବର୍ଷା କରାଯାଉଛି, ପେଲେଟ୍ ବନ୍ଧୁକରୁ ଗୁଳି ବର୍ଷା କରାଯାଉଛି । ଇତି ମଧ୍ୟରେ ଗୁଳି ମାଡରେ ଜଣେ କୃଷକ ଶହୀଦ ହୋଇଛନ୍ତି । ଶତାଧିକ ଗୁରୁତର ଭାବରେ ଆହତ ହୋଇଛନ୍ତି, ଦୃଷ୍ଟିଶକ୍ତି ହରାଇଛନ୍ତି । ତା ସତ୍ତ୍ୱେ ମଧ୍ୟ ଆନ୍ଦୋଳନକାରୀ କୃଷକମାନେ ପଛକୁ ହଟି ନାହାନ୍ତି । ଆହୁରି ବ୍ୟାପକ କୃଷକ ଆନ୍ଦୋଳନର ପ୍ରସ୍ତୁତି ଆରମ୍ଭ ହୋଇଛି । କେନ୍ଦ୍ର ବିଜେପି ସରକାର ଗୋଟିଏ ପଟରେ ଆନ୍ଦୋଳନକାରୀ କୃଷକମାନଙ୍କ ସହିତ ଆଲୋଚନାର ନାଟକ କରୁଛନ୍ତି ଓ ଅନ୍ୟପଟରେ କୃଷକମାନଙ୍କୁ ହତ୍ୟା କରୁଛନ୍ତି । ଦେଶୀ ବିଦେଶୀ ଏକଚାଟିଆ ପୁଞ୍ଜିପତିମାନଙ୍କ ସ୍ୱାର୍ଥରକ୍ଷା କରିବାପାଇଁ ସରକାର ଦେଶର କୃଷକମାନଙ୍କ ଉପରେ ବର୍ବରୋଚିତ ଅତ୍ୟାଚାର ଚଳାଇଛନ୍ତି । ଏହି କୃଷକ ହତ୍ୟାକରୀ ବିଜେପି ସରକାର ପୁଣି ଚାଷୀନେତା ଚରଣ ସିଂହଙ୍କୁ ମରଣୋତ୍ତର ଭାରତରତ୍ନ ଉପାଧିରେ ଭୂଷିତ କରି ନିଜର କଳଙ୍କ ଧୋଇବା ସଂଗେ ସଂଗେ ଚାଷୀମାନଙ୍କୁ ବିଭ୍ରାନ୍ତକରି ନିର୍ବାଚନୀ ଫାଇଦା ହାସଲ କରିବାର ଅପଚେଷ୍ଟା କରୁଛନ୍ତି । ସ୍ୱାମୀନାଥନ କମିଶନ ରିପୋର୍ଟ ଲାଗୁ କରିବାପାଇଁ ଅସ୍ୱୀକାର କରିଥିବା ସରକାର ପୁଣି ସେହି ସ୍ୱାମୀନାଥନଙ୍କୁ ଭାରତରତ୍ନ ପ୍ରଦାନ କରି ଚାଷୀମାନଙ୍କୁ ବିଭ୍ରାନ୍ତ କରିବାକୁ ହୀନ ପ୍ରୟାସ କରୁଛନ୍ତି ଓ ଚାଷୀମାନଙ୍କର ଏକତା ଭାଙ୍ଗିବାକୁ ଷଡଯନ୍ତ୍ର ଚଳାଇଛନ୍ତି ।
ବିଜେପି ଦେଶର କୃଷକମାନଙ୍କୁ ଦେଇଥିବା ଏହାର ନିର୍ବାଚନୀ ପ୍ରତିଶୃତି ପାଳନ କରିବା ପରିବର୍ତ୍ତେ ୨୦୨୦ ମସିହାରେ ତିନିଟି କଳା କୃଷି ଆଇନ ପ୍ରଣୟନର ଠିକ୍ ପୂର୍ବରୁ ୨୦୨୨ ମସିହା ସୁଦ୍ଧା କୃଷକମାନଙ୍କ ଆୟ ଦୁଇଗୁଣ କରିବ ବୋଲି ଏକ ଜୁମଲା ବଜାରକୁ ଛାଡିଥିଲା । ହେଲେ ଏହି ନୂଆ ପ୍ରତିଶୃତି କୁଆଡେ ଗଲା ସେ ସଂପର୍କରେ ସରକାର ମୁହଁ ଖୋଲୁ ନାହାନ୍ତି । ସେହିଭଳି ଉତ୍ତର ପ୍ରଦେଶ ବିଧାନ ସଭା ନିର୍ବାଚନ ପୂର୍ବରୁ କୃଷକମାନଙ୍କ ଭୋଟ ହାତେଇବାପାଇଁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କୃଷକ କଲ୍ୟାଣ ଯୋଜନା ଘୋଷଣାକରି ଚାଷୀମାନଙ୍କୁ ବର୍ଷକୁ ୬ହଜାର ଟଙ୍କା ଦେବା ଆରମ୍ଭ କରିଥିଲେ । ମାତ୍ର ଇତି ମଧ୍ୟରେ ଏହି ଯୋଜନାରେ ହିତାଧିକାରୀ ମାନଙ୍କ ସଂଖ୍ୟା ଶତକଡା ୭୬ଭାଗ ହ୍ରାସ ପାଇଛି ବୋଲି ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରୁ ଜଣାପଡୁଛି । କେବଳ ଏତିକି ନୁହେଁ, ଏକଚାଟିଆ ପୁଞ୍ଜିପତିମାନଙ୍କ ପାଇଁ ଭଣ୍ଡାର ଖୋଲି ଦେଇଥିବା ସରକାର କୃଷକମାନଙ୍କର କୃଷି ଋଣ ଛାଡ କରିବାକୁ ନାରାଜ । ସ୍ୱାମୀନାଥନ କମିଶନ ସୁପାରିଶ ଲାଗୁ କରାଗଲେ ଏବଂ ଏମ୍‌ଏସ୍‌ପିକୁ ଆଇନସିଦ୍ଧ କଲେ ଦେଶର ଅର୍ଥନୀତି ଭୁଷୁଡି ପଡିବ ବୋଲି ସରକାର ଓ ସରକାରଙ୍କର ବଶମ୍ବଦ ବୁଦ୍ଧିଜୀବୀମାନେ କୋକୁଆ ଭୟ ସୃଷ୍ଟି କରୁଛନ୍ତି । ଅନ୍ୟପଟରେ ଚାଷୀ ହାତରୁ ତାର ଚାଷଜମି ଛଡେଇ ନେଇ ମାମୁଲି କ୍ଷତିପୂରଣରେ ପୁଞ୍ଜିପତିମାନଙ୍କ ହାତକୁ ଟେକିଦିଆ ଯାଉଛି । ଏହି ପ୍ରକ୍ରିୟାକୁ ସଜହ କରିବାପାଇଁ ଶକ୍ତିଶାଳୀ ଜନଆନ୍ଦୋଳନ ଚାପରେ ଉପା ସରକାର ଅମଳରେ ପ୍ରଣୀତ ଜମି ଅଧିଗ୍ରହଣ ଆଇନକୁ ଓଡିଶା ସମେତ ବିଭିନ୍ନ ରାଜ୍ୟ ସରକାରମାନଙ୍କ ସହାୟତାରେ କେନ୍ଦ୍ର ସରକାର ଅକାମୀ କରିଦେଇଛନ୍ତି । ଏହା ହେଉଛି କୃଷକ ହିତୈଷୀ ବୋଲି ଦାବି କରୁଥିବା ବିଜେପି ସରକାରର ଅସଲ କୃଷକ ବିରୋଧୀ କୁତ୍ସିତ ଚେହେରା ।
ବ୍ୟକ୍ତିଗତ ଆୟକର ଛାଡ ହୋଇନାହିଁ :
୨୦୧୪ ମସିହାରେ ମଧ୍ୟବିତ୍ତ ଚାକିରୀଜୀବୀ ମାନଙ୍କୁ ପ୍ରଲୁବ୍ଧ କରିବାପାଇଁ ବିଜେପି ଆଉ ଗୋଟିଏ ଜୁମଲା ବଜାରକୁ ଛାଡିଥିଲା । ତା’ ହେଉଛି ବିଜେପି କେନ୍ଦ୍ରରେ କ୍ଷମତାସୀନ ହେଲେ ବ୍ୟକ୍ତିଗତ ଆୟକର ସଂପୂର୍ଣ୍ଣ ଉଠାଇ ଦିଆଯିବ । ଏହି ମର୍ମରେ ରାଜ୍ୟ ସଭାରେ ତତ୍କାଳୀନ ବିରୋଧୀ ଦଳର ନେତା ତଥା ପରବର୍ତ୍ତୀ ସମୟରେ ମୋଦି ସରକାରରେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି ବିବୃତ୍ତି ଦେଇଥିଲେ ଏବଂ ଦାବି କରିଥିଲେ । ମାତ୍ର ଗତ ୧୦ବର୍ଷ ମଧ୍ୟରେ ଏହି ଚାକିରିଜୀବୀ ମାନଙ୍କୁ ଆୟକରରେ ସାମାନ୍ୟ ରିହାତି ମଧ୍ୟ ଦିଆଯାଇନାହିଁ । ବର୍ତ୍ତମାନ ମାସକୁ ୩୦ହଜାର ଟଙ୍କା ଦରମା ପାଉଥିବା ବ୍ୟକ୍ତିଙ୍କୁ ମଧ୍ୟ ଆୟକର ଦେବାକୁ ହେଉଛି । କେତେକ ବର୍ଗର ସରକାରୀ କର୍ମଚାରୀମାନଙ୍କୁ ଶତକଡା ୩୦ଭାଗ ହାରରେ ବ୍ୟକ୍ତିଗତ ଆୟକର ଦେବାକୁ ହେଉଛି । ମାତ୍ର ଅନ୍ୟପଟରେ କର୍ପୋରେଟ ଟିକସ ଗତ ୧୦ବର୍ଷ ମଧ୍ୟରେ ଶତକଡା ୯ଭାଗ ହ୍ରାସ କରାଯାଇଛି । ଏହା ଉପରେ ଏକଚାଟିଆ ପୁଞ୍ଜିପତିମାନଙ୍କୁ ନାନାଧରଣର କର ଟିକସ ରିହାତି ଦିଆଯାଉଛି । ସେମାନଙ୍କୁ ବିଭିନ୍ନ କ୍ଷେତ୍ରରେ ହଜାର ହଜାର କୋଟି ଟଙ୍କାର ଉତ୍ପାଦନ ସହିତ ଯୁକ୍ତ ପ୍ରୋତ୍ସାହନ (Production Linked Incentive) ଦିଆଯାଉଛି । କର୍ପୋରେଟ ହାଉସମାନଙ୍କୁ ହଜାର ହଜାର କୋଟି ଟଙ୍କା ବ୍ୟାଙ୍କ ଋଣ ଛାଡ କରାଯାଉଛି । ଜମି, ଜଳ, ଜଙ୍ଗଲ, ଖଣି ସମେତ ରାଷ୍ଟ୍ରାୟତ୍ତ କଳକାରଖାନା, ବନ୍ଦର, ବିମାନ ବନ୍ଦର, ଇତ୍ୟାଦିକୁ ଶାଗ ମାଛ ଦରରେ ସେମାନଙ୍କ ହାତକୁ ଟେକି ଦିଆଯାଉଛି । ମାତ୍ର ସରକାରୀ କର୍ମଚାରୀମାନଙ୍କର ଆୟକର ସୀମା ବୃଦ୍ଧି କରାଯାଇନାହିଁ କିମ୍ବା ବହୁ ଆନ୍ଦୋଳନ ପରେ ମଧ୍ୟ ସେମାନଙ୍କ ପାଇଁ ପୁରୁଣା ପେନସନ ବ୍ୟବସ୍ଥା ପୁନଃ ପ୍ରଚଳନ କରାଯାଇନାହିଁ । ସେଥିପାଇଁ କୁଆଡେ ସରକାରଙ୍କ ପାଖରେ ଅର୍ଥର ଅଭାବ ।
ଗୃହଯୋଗାଣର ମରିଚିକା :
୨୦୧୪ ମସିହାରେ କ୍ଷମତାସୀନ ହେବାପରେ ୬୦ମାସ, ଅର୍ଥାତ୍ ୫ବର୍ଷ ମଧ୍ୟରେ ଦେଶର ପ୍ରତ୍ୟେକ ଗୃହହୀନ ଲୋକଙ୍କୁ ପକ୍କାଘର ଯୋଗାଇ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ । ୨୦୧୯ରେ ଦ୍ୱିତୀୟ ଥର କ୍ଷମତାସୀନ ହେବାପରେ କେନ୍ଦ୍ର ବିଜେପି ଏହି ଲକ୍ଷ୍ୟକୁ ୨୦୨୨ ମସିହା ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଥିଲେ । ଇତି ମଧ୍ୟରେ ବିଜେପିର ଦ୍ୱିତୀୟ ପାଳି ସରକାରର କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିଲେ ମଧ୍ୟ ଆଜି ବି ଦେଶର କୋଟି କୋଟି ଲୋକ ଗୃହହୀନ, ଭୂମିହୀନ । କୋଟି କୋଟି ଲୋକ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ପୁତିଗନ୍ଧମୟ ବସ୍ତିମାନଙ୍କରେ ମୁଣ୍ଡ ଗୁଞ୍ଜୁଛନ୍ତି ଏବଂ ଉଚ୍ଛେଦ ଭୟରେ ସାରା ଜୀବନ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଏହା ବ୍ୟତୀତ ଗ୍ରାମାଂଚଳରେ ଲକ୍ଷ ଲକ୍ଷ ଗୃହହୀନ ଲୋକ ଏଠି ସେଠି ପଲା କୁଡିଆ ମାରି ରହିଛନ୍ତି । ସଦ୍ୟ ସମାପ୍ତ ହୋଇଥିବା ସଂସଦର ଶୀତକାଳୀନ ଅଧିବେଶନରେ କେନ୍ଦ୍ର ଅର୍ଥମନ୍ତ୍ରୀ ତାଙ୍କ ବଜେଟ ଅଭିଭାଷଣରେ ତାଙ୍କ ସରକାର ଦ୍ୱାରା ଦେଶର ୩କୋଟି ଲୋକଙ୍କୁ ପକ୍କା ଘର ଯୋଗାଇ ଦିଆଯାଇଛି ବୋଲି କହିଥିଲାବେଳେ ଏହାର କିଛି ଦିନ ପୂର୍ବରୁ ଏହି ସଂଖ୍ୟା ୪କୋଟି ବୋଲି ପ୍ରଧାନମନ୍ତ୍ରୀ ଏକ ଜନସଭାରେ ଦାବି କରିଥିଲେ । ଏଥିରୁ ହିଁ ସ୍ପଷ୍ଟ ବୁଝିହେବ ୧୦ବର୍ଷର ବିଜେପି ଶାସନପରେ ଗୃହହୀନଙ୍କୁ ଗୃହ ଓ ଭୂମିହୀନଙ୍କୁ ଭୂମି ଯୋଗାଇବାର ପ୍ରତିଶୃତି କେତେ ସଫଳ ହୋଇଛି । କେବଳ ଗୃହ ଯୋଗାଣ ନୁହେଁ ୨୦୨୨ ମସିହା ସୁଦ୍ଧା ଦେଶର ପ୍ରତ୍ୟେକ ଘରକୁ ପାଇପଯୋଗେ ପିଇବାପାଣି ଯୋଗାଇବା ଓ ପ୍ରତି ଘରକୁ ବିଜୁଳି ସଂଯୋଗ କରିବାପାଇଁ ମଧ୍ୟ ମୋଦି ପ୍ରତିଶୃତି ଦେଇଥିଲେ । ମାତ୍ର ଆମ ଚାରିପଟରେ ଆଖି ବୁଲେଇ ଆଣିଲେ ଆମେ ସ୍ପଷ୍ଟ ଦେଖିପାରିବୁ ମୋଦିଙ୍କ ପ୍ରତିଶୃତି କେତେ କାର୍ଯ୍ୟକାରୀ ହୋଇଛି ।
ରାଜନୈତିକ ବ୍ୟଭିଚାର ରେକର୍ଡ ଭାଙ୍ଗିଛି :
ରାଜନୈତିକ ଘୋଡା ବେପାର, ଇଡି ଓ ସିବିଆଇର ଭୟ ଦେଖାଇ ବିରୋଧୀ ଦଳ ଓ ବିରୋଧି ଦଳର ସରକାରମାନଙ୍କୁ ଭାଙ୍ଗିବାରେ ବିଜେପି କଂଗ୍ରେସର ସମସ୍ତ କଳା ରେକର୍ଡକୁ ଭାଙ୍ଗି ଦେଇଛି । କଳାଟଙ୍କା ବଳରେ ସରକାର ଭାଙ୍ଗିବା ବିଧାୟକ ଖରିଦ୍ କରିବା ଓ ନିଜର ସରକାର ଗଢିବାରେ ବିଜେପି ନୂଆ ନଜିର ସୃଷ୍ଟି କରିଛି । ରାଜନୈତିକ ଓ ସାମାଜିକ କର୍ମୀମାନଙ୍କର ବାକ୍ ସ୍ୱାଧୀନତା, ମାନବାଧିକାର, ଗଣତାନ୍ତ୍ରିକ ଓ ସାମ୍ବିଧାନିକ ଅଧିକାର ଅପହରଣ ଆଜି ଏକ ମାମୁଲି ବିଷୟରେ ପରିଣତ ହୋଇଛି । ବିଚାର ବିଭାଗକୁ ଚାପଗ୍ରସ୍ତ କରି ବିରୋଧୀ ଦଳର ନେତା ଓ ମୋଦି ସରକାରକୁ ତାର ପ୍ରତିଶୃତି ପାଳନ ସଂପର୍କରେ ପ୍ରଶ୍ନ ପଚାରୁଥିବା ଏବଂ ଏହି ସରକାରର ବିଭିନ୍ନ ଦୁର୍ନୀତିକୁ ଲୋକଲୋଚନକୁ ଆଣିବାକୁ ଉଦ୍ୟମ କରୁଥିବା ସାମ୍ବାଦିକ ଓ ସାମାଜିକ କର୍ମୀମାନଙ୍କୁ ଜେଲରେ ଭର୍ତ୍ତିକରି ବିଜେପି ଗଣତାନ୍ତ୍ରିକ ରୀତିନୀତି ଓ ମୂଲ୍ୟବୋଧର କବର ରଚନା କରିଛି । ବୁର୍ଜୁଆ ସଂସଦୀୟ ରାଜନୀତିରେ ମଧ୍ୟ ଯାହା କିଛି ନୈତିକତା ଓ ଚକ୍ଷୁ ଲଜ୍ଜା ଟିକକ ବାକିଥିଲା ବିଜେପି ଏକକ ଭାବରେ କେନ୍ଦ୍ରରେ କ୍ଷମତାସୀନ ହେବାପରେ ସେସବୁକୁ ସଂପୂର୍ଣ୍ଣ ଧ୍ୱଂସ କରିଛି । ଘୋଡାବେପାର, ବିଧାୟକମାନଙ୍କ ଖରିଦ ବିକ୍ରି, ଅର୍ଥ ପ୍ରଲୋଭନ ଓ ଭୟ ଦେଖାଇ ସରକାର ଭାଙ୍ଗିବା ଆଉ ଅନୈତିକ କାମ ବୋଲି ବିବେଚିତ ହେଉନାହିଁ, ଏସବୁ କୁଆଡେ ବିଜେପିର ‘ମାଷ୍ଟର ଷ୍ଟ୍ରୋକ୍‌’ । ଆଉ ଏସବୁର ମୁଖ୍ୟ କର୍ତ୍ତା ହେଉଛନ୍ତି ଆଧୁନିକ ରାଜନୀତିର‘ଚାଣକ୍ୟ’ । ସଂପ୍ରତି ଚଣ୍ଡିଗଡର ମେୟର ନିର୍ବାଚନରେ ବିଜେପି ଯେଉଁ ଧରଣର ଜାଲିଆତି କରି ଧରାପଡିଲା ଏବଂ ଶେଷ ପର୍ଯ୍ୟନ୍ତ ସୁପ୍ରିମ କୋର୍ଟରେ ଏହି ନିର୍ବାଚନର ଫଳ ଅସିଦ୍ଧ ଘୋଷିତ ହେଲା, ତା’ ବିଜେପିର କୁକର୍ମର ଲମ୍ବା ତାଲିକାରେ ଆଉ ଏକ କଳଙ୍କମୟ ଅଧ୍ୟାୟ ଯୁକ୍ତ କଲା । ମାତ୍ର ପ୍ରଧାନମନ୍ତ୍ରୀ ଏ ସଂପର୍କରେ ନିରବ ବରଂ ଅନ୍ୟମାନଙ୍କୁ ନୈତିକତାର ପାଠ ପଢାଉଛନ୍ତି ।
ତେବେ ଏକଚାଟିଆ ପୁଞ୍ଜିପତିମାନଙ୍କ ମାଲିକାନା ଓ ପରିଚାଳନାରେ ରହିଥିବା ମୁଖ୍ୟ ଧାରାର ଗଣମାଧ୍ୟମ ଆଜି ବିଜେପି, ବିଶେଷକରି ପ୍ରଧାନମନ୍ତ୍ରୀଙ୍କ ମୁଖପତ୍ରରେ ପରିଣତ ହୋଇଛି । ମୁଖ୍ୟଧାରାର ଗଣମାଧ୍ୟମ ମିଥ୍ୟା ଓ ଅର୍ଦ୍ଧସତ୍ୟ ପ୍ରଚାରକରି ଗୋଟିଏ ପଟରେ ବିଜେପି ସରକାରର ସମସ୍ତ କୁକର୍ମକୁ ଘଣ୍ଟ ଘୋଡାଉଛି, ଜନସାଧାରଣଙ୍କୁ ବିଭ୍ରାନ୍ତ କରୁଛି ଏବଂ ଅନ୍ୟଦିଗରେ ଉଗ୍ର ସାଂପ୍ରଦାୟିକ ପ୍ରଚାର କରି ଦେଶରେ ବିଷ୍ଫୋରକ ପରିସ୍ଥିତି ସୃଷ୍ଟି କରିଛି । ସମଗ୍ର ଦେଶରେ ଭୟର ବାତାବରଣ ସୃଷ୍ଟି କରାଯାଉଛି । ହଜାର ହଜାର ଲୋକଙ୍କୁ ୟୁଏପିଏ, ମନି ଲଣ୍ଡରିଂ ଭଳି ମାରାତ୍ମକ ଆଇନ ବଳରେ ବିନା ବିଚାରରେ ବର୍ଷ ବର୍ଷ ପାଇଁ ଜେଲରେ ଭର୍ତ୍ତି କରାଯାଉଛି । ୮୪ବର୍ଷ ବୟସ୍କ ଫାଦର ଷ୍ଟେନ ସ୍ୱାମୀଙ୍କୁ ଜେଲରେ କାର୍ଯ୍ୟତଃ ହତ୍ୟା କରାଯାଇଛି । ସମଗ୍ର ଦେଶରେ ଅଘୋଷିତ ଜରୁରୀ ପରିସ୍ଥିତି ଜାରୀ କରାଯାଇଛି । କେତେକ କ୍ଷେତ୍ରରେ ବର୍ତ୍ତମାନର ପରିସ୍ଥିତି ଅତୀତର ଜରୁରୀ ପରିସ୍ଥିତିଠାରୁ ମଧ୍ୟ ଆହୁରି ଭୟାବହ ।
ସଂସଦର ସୁରକ୍ଷା ତ୍ରୁଟି ସଂପର୍କରେ ଗୃହରେ ଆଲୋଚନା ଦାବି କରୁଥିବା ୧୫୦ରୁ ଅଧିକ ବିରୋଧୀ ଦଳର ସାଂସଦଙ୍କୁ ଗୃହରୁ ନିଲମ୍ବନ କରି ବିରୋଧୀ ଦଳ ବିହୀନ ସଂସଦରେ ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା, ଭାରତୀୟ ସାକ୍ଷ୍ୟ ସଂହିତା ଭଳି ନାଗରିକମାନଙ୍କର ଜୀବନକୁ ଗୁରୁତର ଭାବରେ ପ୍ରଭାବିତ କରୁଥିବା ଆଇନ ସମେତ ଭାରତୀୟ ଟେଲିଫୋନ ଆଇନ ଭଳି ମାରାତ୍ମକ ଆଇନ ପ୍ରଣୟନ କରି କେନ୍ଦ୍ର ବିଜେପି ସରକାର ସମସ୍ତ ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ପରମ୍ପରାକୁ ପଦଦଳିତ କରିଛନ୍ତି । ଏହା ଦେଶର ସଂସଦୀୟ ଇତିହାସରେ ଅଭୂତପୂର୍ବ ।
ଦେଶର ଆର୍ଥିକ ଅବସ୍ଥା :
ମୋଦି ସରକାର ଦେଶର ପ୍ରଗତି, ବିକାଶ ଓ ଉନ୍ନୟନର ଗୋଲାପୀ ଚିତ୍ର ଆଙ୍କି ଚାଲିଥିଲାବେଳେ ଦେଶର ଅବସ୍ଥା ଶୋଚନୀୟ । ସ୍ୱୟଂ ସରକାର ଦେଶର ୮୨କୋଟି ଲୋକଙ୍କୁ ମାଗଣା ଚାଉଳ ଯୋଗାଉଛନ୍ତି ବୋଲି ପ୍ରଚାର କରୁଛନ୍ତି । ଅର୍ଥାତ୍ ଏହିଭଳି ବିପୁଳ ସଂଖ୍ୟକ ଲୋକ ଉତ୍କଟ ଦାରିଦ୍ର‌୍ୟ ମଧ୍ୟରେ ଢୋକେ ପିଇ ଦଣ୍ଡେ ଜିଇଁଛନ୍ତି । ମାତ୍ର ଏହାକୁ ନିର୍ବାଚନରେ ଜୟଲାଭ କରିବାପାଇଁ ପ୍ରଧାନମନ୍ତ୍ରୀଙ୍କର ମାଷ୍ଟ୍ରରଷ୍ଟ୍ରୋକ ଭାବରେ ପ୍ରଚାର କରାଯାଉଛି । ବେସରକାରୀ ହିସାବ ଅନୁଯାୟୀ ଦେଶର ୨୪କୋଟି ଲୋକ ପୁଷ୍ଟିହୀନତାର ଶିକାର । ବିଶ୍ୱ କ୍ଷୁଧା ସୂଚନାଙ୍କରେ ଭାରତର ସ୍ଥାନ ପୃଥିବୀର ୧୨୫ ଦେଶ ମଧ୍ୟରେ ୧୧୧ । ୨୦୨୧ ମସିହାରେ, ବହୁ ପ୍ରଚାରିତ ଅମୃତକାଳରେ ଅନାହାରର ତାଡନା ଓ ଋଣ ବୋଝରେ ୧ଲକ୍ଷ ୬୪ହଜାର ଲୋକ ଆତ୍ମହତ୍ୟା କରିଛନ୍ତି । ପ୍ରତିଦିନ ୪ହଜାର ୫୦୦ ଶିଶୁ ଅପୁଷ୍ଟି ଯୋଗୁ ମୃତ୍ୟୁବରଣ କରୁଛନ୍ତି । ଦେଶର ଶତକଡା ୬୮ଭାଗ ଲୋକଙ୍କର ଦୈନିକ ଆୟ ୮୩ ଟଙ୍କାରୁ ମଧ୍ୟ କମ୍ । କଳ କାରଖାନାରେ କାମର ଅଭାବ ଯୋଗୁ ମନରେଗା କାମର ଚାହିଦା ବୃଦ୍ଧି ପାଉଛି । ମାତ୍ର ସରକାର ଏହି ବାବଦରେ ଆର୍ଥିକ ବରାଦ ହ୍ରାସ କରୁଛନ୍ତି । ଶିଶୁ ମୃତ୍ୟୁହାର ଓ ମାତୃ ମୃତ୍ୟୁହାର ବଢିଚାଲିଛି । ଘରୋଇ ସଂଚୟ କମି ଚାଲିଛି । ଧନୀ ଦରିଦ୍ର ମଧ୍ୟରେ ପ୍ରଭେଦ ଆକାଶଛୁଆଁ ହେଉଛି । ଦେଶର ସମସ୍ତ ସଂପଦ ଏକ କ୍ଷୁଦ୍ର ଧନକୁବେର ଗୋଷ୍ଠୀର କୁକ୍ଷିଗତ ହେଉଛି । ଏହା ହେଉଛି ମୋଦିଙ୍କ ବିକଶିତ ଭାରତର ଅସଲ ଚିତ୍ର ।
ଏଠାରେ ସ୍ମରଣ କରାଇ ଦିଆଯାଇପାରେ ଯେ, ୨୦୧୪ ମସିହାରେ କ୍ଷମତାସୀନ ହେବାପରେ ଏହାର କୌଣସି ଗୋଟିଏ ହେଲେ ନିର୍ବାଚନୀ ପ୍ରତିଶୃତି ପାଳନ କରିବାରେ ଅକ୍ଷମ ବିଜେପି ସରକାର ୨୦୧୯ ମସିହା ନିର୍ବାଚନ ବେଳକୁ ସଂପୂର୍ଣ୍ଣ ଜନସମର୍ଥନ ହରାଇ ଥିଲା ଓ ଜନରୋଷର ସମ୍ମୁଖୀନ ହୋଇଥିଲା । ମାତ୍ର ନିର୍ବାଚନର ଠିକ ପୂର୍ବରୁ ଜାମ୍ମୁ-କାଶ୍ମୀରର ପୁଲୱାମାଠାରେ ୪୦ଜଣ ଜବାନଙ୍କ ଦୁଃଖଦ ମୃତ୍ୟୁ ଘଟଣାକୁ ଅସ୍ତ୍ରକରି, ସମଗ୍ର ଦେଶରେ ଉଗ୍ର ଜାତୀୟତାବାଦ ଓ ତୀବ୍ର ସାଂପ୍ରଦାୟିକ ବିଦ୍ୱେଷ ସୃଷ୍ଟିକରି, ପୁଲୱାମାର ଶହୀଦମାନଙ୍କ ନାଁରେ ଭୋଟ ଭିକ୍ଷା କରି ବିଜେପି ୨୦୧୯ ନିର୍ବାଚନ ବୈତରଣୀ ପାର ହୋଇଥିଲା । ତେବେ ପୁଲୱାମାରେ ଜବାନମାନଙ୍କ ମର୍ମନ୍ତୁଦ ମୃତ୍ୟୁ ପାଇଁ କେନ୍ଦ୍ର ବିଜେପି ସରକାର ସଂପୂର୍ଣ୍ଣ ଦାୟୀ ବୋଲି ଜାମ୍ମୁକାଶ୍ମୀରର ତତ୍କାଳୀନ ରାଜ୍ୟପାଳ ସତପାଲ ମଲ୍ଲିକଙ୍କ ବିଷ୍ଫୋରକ ବୟାନ ଗଣମାଧ୍ୟମରେ ପ୍ରକାଶିତ ହେବାପରେ, ନିର୍ବାଚନୀ ସ୍ୱାର୍ଥ ହାସଲପାଇଁ ବିଜେପି କେତେ ତଳସ୍ତରକୁ ଯାଇପାରେ ତା’ ଦେଶବାସୀଙ୍କ ସମ୍ମୁଖରେ ସ୍ପଷ୍ଟ ହୋଇଯାଇଛି ।
ନୂଆ ନୂଆ ମନଭୁଲାଣିଆ ସ୍ଲୋଗାନ :
୨୦୧୯ ମସିହାରେ କ୍ଷମତାସୀନ ହେବାପରେ କେନ୍ଦ୍ର ବିଜେପି ସରକାର ମେକଇନ୍ ଇଣ୍ଡିଆ, ଷ୍ଟାର୍ଟ ଅଫ୍ ଇଣ୍ଡିଆ, ଷ୍ଟାଣ୍ଡ ଅଫ୍ ଇଣ୍ଡିଆ, ସ୍କିଲ ଇଣ୍ଡିଆ ଭଳି ଚଟକଦାର ସ୍ଲୋଗାନ ଦେବା ଆରମ୍ଭ କଲା । ୨୦୪୭ ମସିହା ସୁଦ୍ଧା ଭାରତକୁ ବିକାଶମୁଖୀ ରାଷ୍ଟ୍ର ପରିବର୍ତ୍ତେ ବିକଶିତ ରାଷ୍ଟ୍ରରେ ପରିଣତ କରିବା, ଦେଶକୁ ଖୁବ ଶୀଘ୍ର ୫ଟ୍ରିଲିଅନ ଡଲାର ଅର୍ଥନୀତିରେ ପରିଣତ କରିବାର ସ୍ୱପ୍ନ ବିକ୍ରି ଆରମ୍ଭ ହେଲା । ଦେଶରେ ବିରାଟ କିଛି ଗୋଟାଏ ହେବାକୁ ଯାଉଛି ବୋଲି ସାଧାରଣ ଲୋକଙ୍କ ମଧ୍ୟରେ ଧାରଣା ସୃଷ୍ଟିର ଉଦ୍ୟମ ଆରମ୍ଭ ହେଲା । ଆଚ୍ଛେଦିନର ସ୍ୱପ୍ନ ମଉଳି ଯିବାପରେ ବର୍ତ୍ତମାନ ‘ଅମୃତକାଳ’ ଓ ‘ରାମରାଜ୍ୟ’ର ନୂଆ ସ୍ଲୋଗାନ ଆରମ୍ଭ ହୋଇଛି । ଏଥିପାଇଁ ଦେଶର ଜିଡିପିର ଅଭିବୃଦ୍ଧି ହିସାବରେ ଜାତିଆତି କରି ଏହାକୁ ଶତକଡା ୭ଭାଗ ବୋଲି ଦର୍ଶାଯାଉଛି । ମାତ୍ର ବାସ୍ତବରେ ଗତ ଦୁଇବର୍ଷ ଧରି ଦେଶର ଜିଡିପି ଅଭିବୃଦ୍ଧି ହାର ଶତକଡା ୪ଭାଗ ହିଁ ରହିଛି । ଏହା ଗତ ୧୫ବର୍ଷ ମଧ୍ୟରେ ସର୍ବନିମ୍ନ । ଏପରିକି ଆଗାମୀ ସାଧାରଣ ନିର୍ବାଚନରେ ତୃତୀୟ ଥରପାଇଁ ଜୟଯୁକ୍ତ ହେଲେ ‘ଏକ ଭାରତ ଶ୍ରେଷ୍ଠ ଭାରତ’ର ସ୍ୱପ୍ନ ସାକାର କରାଯିବ ଏବଂ ଆଗାମୀ ୧୦୦୦ବର୍ଷ ପାଇଁ ଶସକ୍ତ ଭାରତର ମୂଳଦୁଆ ପଡିବ ବୋଲି ପ୍ରଧାନମନ୍ତ୍ରୀ ମୋଦି ଘୋଷଣା କରିଛନ୍ତି । ଏହାକୁ କେନ୍ଦ୍ରକରି ଜନସାଧାରଣଙ୍କ ମଧ୍ୟରେ ଉଗ୍ର ଜାତ୍ୟାଭିମାନ ଓ ଅନ୍ଧ ଦେଶପ୍ରେମ ସୃଷ୍ଟିକରି ଭୋଟରେ ବିଜୟ ଲାଭ କରିବାପାଇଁ ବିଜେପି ଓ ଏହାର ମୁଖ୍ୟ ପ୍ରଚାରକ ନରେନ୍ଦ୍ର ମୋଦି ଉଦ୍ୟମ କରୁଛନ୍ତି । ଅନ୍ୟପଟରେ ଜନସାଧାରଣଙ୍କ ଧର୍ମୀୟ ଆବେଗକୁ କାମରେ ଲଗାଇ ନିର୍ବାଚନରେ ଜୟଲାଭ କରିବାପାଇଁ ନିର୍ବାଚନର ଅବ୍ୟବହିତ ପୂର୍ବରୁ ଅଯୋଧ୍ୟାରେ ଅଧାଗଢା ମନ୍ଦିରରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯାଇଛି । ଦେଶର ୪ଜଣ ଯାକ ଶଙ୍କରାଚାର୍ଯ୍ୟଙ୍କ ବିରୋଧ ସତ୍ତ୍ୱେ ସ୍ୱୟଂ ପ୍ରଧାନମନ୍ତ୍ରୀ ଆରଏସ୍‌ଏସ୍‌ର ମୁଖ୍ୟ ମୋହନ ଭାଗବତଙ୍କ ଉପସ୍ଥିତିରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରିଛନ୍ତି । ଏଥିରୁ ସ୍ପଷ୍ଟ ହେଉଛି ଯେ ଏହା ଏକ ଧାର୍ମିକ ଅନୁଷ୍ଠାନ ନୁହେଁ, ସଂପୂର୍ଣ୍ଣ ଭାବରେ ରାଜନୈତିକ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମକୁ ସମଗ୍ର ଦେଶରେ ବ୍ୟାପକ ପ୍ରଚାର କରାଯାଉଛି । ୫୦୦ବର୍ଷର ଲଢେଇ ପରେ ବିଦେଶୀ ମୁସଲମାନ ଆକ୍ରମଣକାରୀମାନଙ୍କ ଉପରେ ଏହା ହିନ୍ଦୁମାନଙ୍କର ବିଜୟ ସ୍ମାରକୀ ବୋଲି ସ୍ୱୟଂ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ସମସ୍ତ କ୍ଷେତ୍ରରେ ସଂପୂର୍ଣ୍ଣ ଭାବରେ ବିଫଳ ହୋଇଥିବା ବିଜେପି ଉଗ୍ର ଜାତ୍ୟାଭିମାନ ଓ ସାଂପ୍ରଦାୟିକ ବିଦ୍ୱେଷ ସୃଷ୍ଟିକରି ପୁନର୍ବାର କ୍ଷମତା ଦଖଲ କରିବାପାଇଁ ଯତ୍ପରୋନାସ୍ତି ଉଦ୍ୟମର ହିଁ ଏହା ହେଉଛି ନଗ୍ନ ପ୍ରତିଫଳନ । ଏହାହିଁ ହେଉଛି ନିର୍ବାଚନରେ ଜୟଲାଭ କରିବାପାଇଁ ବିଜେପିର ଶେଷ ଅସ୍ତ୍ର । ତେବେ ଗତ କିଛି ମାସଧରି ଟିଭି ଓ ଖବର କାଗଜରେ ‘ମୋଦିଙ୍କ ଗ୍ୟାରେଣ୍ଟି’ ବୋଲି ପ୍ରଚାର ଚାଲିଛି । ପ୍ରଧାନମନ୍ତ୍ରୀ ମଧ୍ୟ ଜନସଭାମାନଙ୍କରେ ମୋଦିର ଗ୍ୟାରେଣ୍ଟି ବୋଲି ନିଜ ମୁହଁରେ କହୁଛନ୍ତି । ଗତ ୧୦ବର୍ଷ ଧରି ଦେଶର ଜନସାଧାରଣଙ୍କୁ ଦେଇଥିବା ଅସଂଖ୍ୟ ଗ୍ୟାରେଣ୍ଟି ମଧ୍ୟରୁ କୌଣସି ଗୋଟିଏ ମଧ୍ୟ କାର୍ଯ୍ୟକାରୀ କରିପାରିନଥିବା ମୋଦି ବର୍ତ୍ତମାନ କାହାକୁ କି ଗ୍ୟାରେଣ୍ଟି ଦେଉଛନ୍ତି ସେକଥା ବୁଝିବା ଦୁରୁହ ବ୍ୟାପାର । ସଂକ୍ଷେପରେ ଏହା ହେଉଛି କେନ୍ଦ୍ର ବିଜେପି ସରକାରର ୧୦ବର୍ଷର ଶାସନର ବାସ୍ତବ ଚିତ୍ର । ବର୍ତ୍ତମାନ ବିଜେପିର ଘନିଷ୍ଠ ମିତ୍ର ରାଜ୍ୟ ବିଜେଡି ସରକାର ଦୀର୍ଘ ଶାସନକାଳରେ ରାଜ୍ୟବାସୀଙ୍କ ଅବସ୍ଥା ସଂପର୍କରେ ଆଲୋଚନା କରାଯାଉ ।
ରାଜ୍ୟରେ ୨୩ବର୍ଷର ବିଜେଡି ଶାସନ
ରାଜ୍ୟରେ ଦୀର୍ଘ ୨୩ବର୍ଷଧରି ପ୍ରଥମେ ବିଜେପି ସହିତ ମିଳିତ ଭାବରେ ଏବଂ ପରେ ଏକକ ଭାବରେ ବିଜେଡି ଦଳର ଶାସନ ଚାଲିଛି । ନବୀନ ପଟ୍ଟନାୟକ ଲଗାତର ୨୩ବର୍ଷ ଧରି ମୁଖ୍ୟମନ୍ତ୍ରୀ ଭାବରେ ଶାସନ ପରିଚାଳନା କରୁଛନ୍ତି । ମାତ୍ର ବିଜେଡିର ୨୩ବର୍ଷର ଶାସନ ପରେ ମଧ୍ୟ ଓଡିଶା ଦେଶର ଅନ୍ୟତମ ଦରିଦ୍ର ରାଜ୍ୟ ଏବଂ ସମଗ୍ର ଦେଶ, ଏପରିକି ବିଦେଶକୁ ଶସ୍ତା ଦାଦନ ଶ୍ରମିକ ଯୋଗାଣର ପେଣ୍ଠ । ତା’ସତ୍ତ୍ୱେ ମଧ୍ୟ ବିଜେଡିର ଶାସନ କାଳରେ ଓଡିଶାର ଶିଳ୍ପାୟନ, ଉନ୍ନୟନ, ବିକାଶ ସଂପର୍କରେ ଗଣମାଧ୍ୟମରେ କାନଫଟା ପ୍ରଚାର ଚାଲିଛି । ନିର୍ବାଚନ ଯେତେ ପାଖେଇ ଆସୁଛି ଏହି ପ୍ରଚାର ସେତେ ତୀବ୍ର ହେଉଛି । ଆସନ୍ତୁ ରାଜ୍ୟର ଜନସାଧାରଣଙ୍କର ବାସ୍ତବ ଅବସ୍ଥା ସଂପର୍କରେ ସଂକ୍ଷେପରେ ଆଲୋଚନା କରିବା ।
କୃଷି ସଂପୂର୍ଣ୍ଣ ଅବହେଳିତ :
ସର୍ବପ୍ରଥମ କୃଷି ପ୍ରଧାନ ଓଡିଶାରେ କୃଷକମାନଙ୍କ ଅବସ୍ଥା ସଂପର୍କରେ ଆଲୋଚନା କରାଯାଉ । ସରକାରୀ ହିସାବ ଅନୁଯାୟୀ ରାଜ୍ୟର ଶତକଡା ୬୫ଭାଗରୁ ଅଧିକ ଲୋକ ଚାଷ ଉପରେ ନିର୍ଭର କରନ୍ତି । ଏମାନଙ୍କ ମଧ୍ୟରୁ ଶତକଡା ୮୫ଭାଗ ହେଉଛନ୍ତି କ୍ଷୁଦ୍ରଚାଷୀ, ନାମମାତ୍ର ଚାଷୀ ଓ ଭାଗ ଚାଷୀ । ମାତ୍ର ଏହି ଭାଗଚାଷୀମାନଙ୍କ ସ୍ୱାର୍ଥରକ୍ଷା ପାଇଁ ବିଜେଡି ସରକାର ଏହାର ଦୀର୍ଘ ଶାସନ କାଳରେ କୌଣସି ପଦକ୍ଷେପ ଗ୍ରହଣ କରିନାହାଁନ୍ତି । ଭାଗଚାଷୀମାନେ କୌଣସି ବ୍ୟାଙ୍କ ବା ସରକାରୀ ବିତ୍ତିୟ ଅନୁଷ୍ଠାନରୁ ଋଣ ପାଇବାପାଇଁ ହକ୍‌ଦାର ନୁହଁନ୍ତି, ମଣ୍ଡିରେ ଫସଲ ବିକ୍ରିକରିବାର ଅଧିକାର ମଧ୍ୟ ସେମାନଙ୍କର ନାହିଁ । ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଫସଲହାନୀ ହେଲେ ଏମାନେ କୌଣସି କ୍ଷତିପୂରଣ ପାଆନ୍ତି ନାହିଁ । ଫସଲବୀମା ସୁଯୋଗରୁ ମଧ୍ୟ ଭାଗଚାଷୀ ବଂଚିତ । ପ୍ରାୟ ୧୦ବର୍ଷ ପୂର୍ବରୁ ଭାଗଚାଷୀମାନଙ୍କ ସମସ୍ୟାର ନିରାକରଣ କରିବାପାଇଁ ଗଠିତ କମିଟି ଏପର୍ଯ୍ୟନ୍ତ ଏହାର ପ୍ରଥମ ବୈଠକ ମଧ୍ୟ କରିନାହିଁ । ସ୍ୱାଧୀନତା ପରେ ବହୁ ପ୍ରଚାରିତ ଭୂସଂସ୍କାର ସ୍ଲୋଗାନ ଆଉ ଶୁଣିବାକୁ ମିଳୁନାହିଁ । ବରଂ ଦେଶରେ ଜଗତିକରଣ ପ୍ରକ୍ରିୟା ପ୍ରଚଳନ ହେବାପରେ ପୂର୍ବରୁ ଥିବା ଜମି ସିଲିଂ ଆଇନକୁ ଉଠାଇ ଦିଆଯାଇଛି ।
ଚାଷପାଇଁ ଦ୍ୱିତୀୟ ଜରୁରୀ ଆବଶ୍ୟକତା ହେଉଛି ଜମିକୁ ଜଳ । କାଗଜ କଲମରେ ରାଜ୍ୟର ଶତକଡା ୩୩ଭାଗ ଜମି ଜଳସେଚିତ ବୋଲି ସରକାର ଦାବି କରିଆସୁଛନ୍ତି । ଗତ ୨୫ବର୍ଷ ମଧ୍ୟରେ ସରକାରୀ ହିସାବରେ ମଧ୍ୟ ରାଜ୍ୟରେ ଜଳସେଚିତ ଜମିର ପରିମାଣ ବୃଦ୍ଧିପାଇନାହିଁ । ରାଜ୍ୟର ସିଂହଭାଗ ଚାଷୀ ନିର୍ଭର କରୁଥିବା ଉଠାଜଳସେଚନ ବ୍ୟବସ୍ଥା ସରକାର ସଂପୂର୍ଣ୍ଣ ବନ୍ଦ କରି ଦେଇଛନ୍ତି । କେନାଲ ଦ୍ୱାରା ଜଳସେଚିତ ବୋଲି ଘୋଷିତ ଅଞ୍ଚଳର କେନାଲରେ ଆବଶ୍ୟକ ସମୟରେ ପାଣି ଆସେନାହିଁ । ନଈ ଯେତେବେଳେ ଶୁଖିଲା ପଡିଛି କେନାଲରେ ବା ପାଣି ଆସିବ କେଉଁଠୁ? କେନାଲରେ ପାଣି ଥିଲେ ମଧ୍ୟ ଜମିକୁ ପାଣି ଉଠୁନାହିଁ ଏବଂ ତଳ ଅଂଚଳରେ ପାଣି ମାଡୁନାହିଁ । ଚାଷୀ କେବଳ ଜଳକର ଗଣି ଗଣି ସର୍ବସ୍ୱାନ୍ତ ହେଉଛି ।
ଅନ୍ୟଦିଗରେ ଚାଷପାଇଁ ଖର୍ଚ୍ଚ ବଢିଚାଲିଛି । ଜଗତିକରଣର କଲ୍ୟାଣରେ ବିହନ, ସାର ଓ ପୋକମରା ଔଷଧର ଉତ୍ପାଦନ ଆଜି ସଂପୂର୍ଣ୍ଣ ଭାବରେ ଦେଶୀ ବିଦେଶୀ ଏକଚାଟିଆ ପୁଞ୍ଜିପତିମାନଙ୍କ କବଳରେ । କୃଷିଯନ୍ତ୍ରପାତି ମଧ୍ୟ ଏହି ଏକଚାଟିଆ ପୁଞ୍ଜିପତିମାନଙ୍କ କବଳରେ । କଳାବଜାରୀମାନଙ୍କୁ ଫାଇଦା ଦେବାପାଇଁ ଚାଷୀକୁ ଆବଶ୍ୟକ ସମୟରେ ସରକାରୀ ଭାବରେ ସାର, ବିହନ ଓ ପୋକମରା ଔଷଧ ଯୋଗାଣ କରାଯାଉନାହିଁ । ଫଳରେ ଚାଷୀ କଳାବଜାରରୁ ଏସବୁ ଖରିଦକରି ସର୍ବସ୍ୱାନ୍ତ ହେଉଛି । ମାତ୍ର ଫସଲ ପାଇଁ ବଜାର ନାହିଁ । ଧାନ ବ୍ୟତୀତ ଅନ୍ୟକୌଣସି ଫସଲ ସରକାରୀ ମଣ୍ଡିରେ ସରକାରଙ୍କ ଦ୍ୱାରା ଘୋଷିତ ଦରରେ ଖରିଦ କରାଯାଉନାହିଁ । ସରକାର ଯେଉଁ ଦର ଧାର୍ଯ୍ୟ କରୁଛନ୍ତି ସେଥିରେ ଚାଷୀର ଖର୍ଚ୍ଚ ଉଠୁନାହିଁ । ଆହୁରି ମଧ୍ୟ ରାଜ୍ୟର ଚାଷୀ ଉତ୍ପାଦନ କରୁଥିବା ସମସ୍ତ ଧାନ ସରକାର ଖରିଦ କରୁନାହାନ୍ତି । ଫଳରେ ଚାଷୀ ଏମ୍‌ଏସ୍‌ପି ଠାରୁ ଯଥେଷ୍ଟ କମ୍ ଦାମରେ ଫସଲ ବିକ୍ରି କରିବାକୁ ବାଧ୍ୟ ହେଉଛି । ଧାନ ବ୍ୟତୀତ ଅନ୍ୟାନ୍ୟ ଫସଲ ଉତ୍ପାଦନ କରୁଥିବା ଚାଷୀ; ଉଦାହରଣ ସ୍ୱରୂପ ପରିବା ଚାଷୀ, ଦୁଗ୍ଧ ଚାଷୀ, ଫଳ ଚାଷୀ, ମାଛ ଚାଷୀ, ଫୁଲ ଚାଷୀ, କପା ଚାଷୀ, ସରକାରୀ ଉଦାସୀନତା ଫଳରେ ହାହାକାର କରୁଛନ୍ତି । ବହୁବର୍ଷ ଧରି ଦାବି କରାଯାଉଥିଲେ ମଧ୍ୟ ରାଜ୍ୟର ପ୍ରତି ବ୍ଲକ୍‌ରେ ଅନ୍ତତଃ ଗୋଟିଏ ଲେଖାଏଁ ଶୀତଳ ଭଣ୍ଡାର ସରକାରୀ ଉଦ୍ୟୋଗରେ ପ୍ରତିଷ୍ଠା କରାଯାଉ ନାହିଁ । ଫଳରେ ପରିବା ଚାଷୀ ସ୍ୱର୍ବସ୍ୱାନ୍ତ ହେଉଛନ୍ତି । ଏସବୁ ପରେ ଯାହା ବି ଫସଲ ଚାଷୀ ଫଳାଉଛି ସେସବୁ ହାତୀ, ବାର୍‌ହା, ହରିଣ, ମାଙ୍କଡ ପେଟକୁ ଯାଉଛି । ବଲାଙ୍ଗୀର ଜିଲ୍ଲାରେ କପା ଚାଷ କରି ହଜାର ହଜାର ଚାଷୀ ସର୍ବସ୍ୱାନ୍ତ ହୋଇଛନ୍ତି । ବାଧ୍ୟ ହୋଇ ଚାଷୀ ଘରର ପୁଅ ଚାଷ ଛାଡି ଦାଦନ ଶ୍ରମିକରେ ପରିଣତ ହେଉଛି । କେନ୍ଦ୍ର ବା ରାଜ୍ୟ ସରକାର ଚାଷୀର ଏସବୁ ମୂଳ ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ଚାଷୀଙ୍କୁ ଭୂଆଁ ବୁଲାଉଛନ୍ତି । ଚାଷୀ ହାହାକାର କରୁଥିବାବେଳେ ଚାଷୀମାନଙ୍କର ଏକ କ୍ଷୁଦ୍ର ଅଂଶକୁ ରାଜ୍ୟ ବିଜେଡି ସରକାର ‘କାଳିଆ’ ଯୋଜନାରେ ୫ହଜାର ଦେଇ ଏହାକୁହିଁ ବ୍ୟାପକ ପ୍ରଚାର କରୁଛନ୍ତି ଏବଂ ନିଜକୁ କୃଷକ ହିତୈଶୀ ଭାବରେ ପ୍ରମାଣିତ କରିବାକୁ ଉଦ୍ୟମ କରୁଛନ୍ତି ।
ଶିଳ୍ପ କ୍ଷେତ୍ର ବିପର୍ଯ୍ୟସ୍ତ :
୨୦୦୦ ମସିହାରେ କ୍ଷମତାସୀନ ହୋଇଥିବା ରାଜ୍ୟ ବିଜେଡି-ବିଜେପି ଓ ପରେ ବିଜେଡି ସରକାର ରାଜ୍ୟକୁ ବ୍ୟାପକ ପୁଞ୍ଜି ଆକର୍ଷଣ କରି, ରାଜ୍ୟର ଖଣିଜ ଓ ପ୍ରାକୃତିକ ସଂପଦକୁ କାମରେ ଲଗାଇ ଶିଳ୍ପ ପ୍ରତିଷ୍ଠା କରିବା ଏବଂ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାର ସ୍ଲୋଗାନ ଗତ ୨୩ବର୍ଷ ଧରି ଦେଇ ଚାଲିଛି । ମାତ୍ର ଗୋଟିଏ ଦିଗରେ ସ୍ୱାଧୀନତା ପୂର୍ବରୁ ଓ ପରେ ରାଜ୍ୟରେ ଗଢିଉଠିଥିବା ଶ୍ରମ ଭିତ୍ତିକ କଳକାରଖାନାରେ ତାଲା ପଡିଛି । ଯାହାବି କଳକାରଖାନା ଧୁକ୍ ଧୁକ୍ କରି ଚାଲୁଥିଲା ସେ ସବୁ ପୂର୍ବତନ କଂଗ୍ରେସ ସରକାରର ଜଗତିକରଣ ଓ ବର୍ତ୍ତମାନ କେନ୍ଦ୍ର ବିଜେପି ସରକାରଙ୍କର ଚୂଡାନ୍ତ ଜନବିରୋଧୀ ବିମୁଦ୍ରିକରଣ ଓ କରୋନା ଜନିତ ଲକ୍‌ଡାଉନ ଓ ସଟ୍‌ଡାଉନ ଫଳରେ ବନ୍ଦ ହୋଇ ଯାଇଛି । କେବଳ ୨୦୨୨ ମସିହାରେ ସମଗ୍ର ଦେଶରେ ୨ଲକ୍ଷ ୨୪ହଜାର କାରଖାନା ବନ୍ଦ ହୋଇଛି । ଆମ ରାଜ୍ୟରେ ଏହି ସଂଖ୍ୟା ସହ୍ରସାଧିକ । ଏହା ଫଳରେ ପ୍ରାୟ ୨କୋଟି ଲୋକ କାମ ହରାଇଛନ୍ତି । ଅନ୍ୟ ଦିଗରେ ବ୍ୟାପକ ଶିଳ୍ପାୟନ ଆଳରେ ରାଜ୍ୟ ସରକାର ଦେଶୀ ବିଦେଶୀ ଏକଚାଟିଆ ପୁଞ୍ଜିପତିମାନଙ୍କୁ ହଜାର ହଜାର ଏକର ଚାଷଜମି, ଖଣି, ପାଣି, ଜଙ୍ଗଲ ସବୁକିଛି ଶାଗ ମାଛ ଦରରେ ଦେଇ ଦେଉଛନ୍ତି । ରୋଜଗାର ସୃଷ୍ଟି ଆଳରେ ଏକଚାଟିଆ ପୁଞ୍ଜିପତିମାନଙ୍କୁ ରାଜ୍ୟର ସମସ୍ତ ପ୍ରାକୃତିକ ସଂପଦ ଟେକିଦିଆ ଯାଉଥିଲାବେଳେ ସରକାରଙ୍କର ସମସ୍ତ ପ୍ରଚାର ସତ୍ତ୍ୱେ ଅର୍ଥନୀତିର ସ୍ୱାଭାବିକ ନିୟମରେ ଏହି ସବୁ ପୁଞ୍ଜିଭିତ୍ତିକ ଶିଳ୍ପରୁ ନିଯୁକ୍ତି ସମ୍ଭାବନା ସୃଷ୍ଟି ହେଉନାହିଁ । ସ୍ଥାନୀୟ ଜନସାଧାରଣ କେବଳ ଧୂଳିଧୂଆଁ ଖାଇ ନାନାଦି ରୋଗର ଶୀକାର ହେଉଛନ୍ତି । ପୁଣି ଗୋଟିଏ ନୂଆ କାରଖାନା ଗଢିଉଠିଲେ ପାଞ୍ଚଟା କାରଖାନା ବନ୍ଦ ହେଉଛି । ଶିଳ୍ପାୟନ ଆଳରେ ଏକଚାଟିଆ ପୁଞ୍ଜିପତିମାନଙ୍କ ସ୍ୱାର୍ଥରେ ସମଗ୍ର ରାଜ୍ୟରେ ସାଧାରଣ ଲୋକ, ବିଶେଷକରି ଅପରିକଳ୍ପନୀୟ ଦାରିଦ୍ର‌୍ୟ ଓ ପଶ୍ଚାଦପଦତାର ଶୀକାର ଆଦିବାସୀମାନଙ୍କ ଉପରେ ବର୍ବର ମଧ୍ୟଯୁଗୀୟ ଅତ୍ୟାଚାର ଚାଲିଛି । ନିଜର ଭିଟାମାଟି, ଚାଷଜମି, ପାହାଡ, ଜଙ୍ଗଲର ସୁରକ୍ଷାପାଇଁ ଲଢେଇ କରୁଥିବା ଜନସାଧାରଣଙ୍କୁ ଗୁଳିକରି ହତ୍ୟା କରାଯାଉଛି । ଏସବୁ ସତ୍ତ୍ୱେ ରାଜ୍ୟରେ କାମ ସୃଷ୍ଟି ହେଉନାହିଁ । ସଂକ୍ଷେପରେ ଏହା ହେଉଛି ରାଜ୍ୟରେ ଚାଲିଥିବା ରକ୍ତମୁଖା ଓ ନିଯୁକ୍ତି ସମ୍ଭାବନା ହୀନ ଶିଳ୍ପାୟନର ବାସ୍ତବ ଚିତ୍ର ।
ସ୍ଥାୟୀ ନିଯୁକ୍ତି ଆଜି ସ୍ୱପ୍ନ :
ଗତ ୨୫ବର୍ଷରୁ ଉର୍ଦ୍ଧ୍ୱକାଳ ଧରି ରାଜ୍ୟ ସରକାର ସରକାରୀ ଅଫିସ ଦପ୍ତର, ସ୍କୁଲ କଲେଜ ଓ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ନିଯୁକ୍ତି ସଂପୂର୍ଣ୍ଣ ବନ୍ଦ କରିଦେଇଛନ୍ତି କିମ୍ବା ମୁଷ୍ଟିମେୟ ଠିକା ଓ ଆଉଟ୍ ସୋର୍ସିଂ ନିଯୁକ୍ତି ପ୍ରଦାନ କରୁଛନ୍ତି । ସମସ୍ତ ସରକାରୀ ବିଭାଗରେ ୪ର୍ଥ ଶ୍ରେଣୀ କର୍ମଚାରୀ ପଦବୀର ସଂପୂର୍ଣ୍ଣ ଆଉଟ୍ ସୋର୍ସିଂ କରାଯାଇଛି । ସମସ୍ତ ମ୍ୟୁନିସିପାଲ କର୍ପୋରେସନ, ମ୍ୟୁନିସିପାଲ୍ଟି ଓ ଏନ୍‌ଏସି ମାନଙ୍କର ସଫେଇ କାର୍ଯ୍ୟକୁ ଘରୋଇକରଣ କରାଯାଇଛି । ଏହାଫଳରେ ସମାଜର ସବୁଠାରୁ ତଳସ୍ତରର ଓ ଆର୍ଥିକ ଭାବରେ ସବୁଠାରୁ ଦୁର୍ବଳ ଲୋକଙ୍କୁ ସଂପୂର୍ଣ୍ଣ ଅସହାୟ ଅବସ୍ଥା ମଧ୍ୟକୁ ଠେଲି ଦିଆଯାଉଛି । ଜଳ ଯୋଗାଣଠାରୁ ଆରମ୍ଭକରି ଟିକସ ଆଦାୟ ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରକୁ ଘରୋଇ କମ୍ପାନୀମାନଙ୍କ ହାତକୁ ଟେକିଦିଆ ଯାଉଛି । ସମସ୍ତ ହାସପାତାଳ, ସରକାରୀ କାର୍ଯ୍ୟାଳୟ ଓ ଶିକ୍ଷାନୁଷ୍ଠାନରେ ସମାନ ଅବସ୍ଥା । ପରିଣାମତଃ, ଠିକା ଓ ଆଉଟ ସୋର୍ସିଂ କର୍ମଚାରୀମାନଙ୍କୁ ଅମାନବିକ ଶୋଷଣର ରାସ୍ତା ଖୋଲି ଦିଆଯାଇଛି । ଦଶଂଧି ଦଶଂଧି ଧରି ସ୍ଥାୟୀ ନିଯୁକ୍ତି ଦିଆନଯିବା ଫଳରେ ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ, ଶିକ୍ଷକ, ଅଧ୍ୟାପକ, ଡାକ୍ତର ନର୍ସ ଓ ଅନ୍ୟାନ୍ୟ ପଦବୀ ଖାଲି ପଡିଛି । ଏହି ପରିସ୍ଥିତିରେ ଆସନ୍ନ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ବ୍ୟାପକ ନିଯୁକ୍ତିର ପ୍ରଚାର କରି ଜନମତକୁ ବିଭ୍ରାନ୍ତ କରିବାପାଇଁ ଉଦ୍ୟମ କରୁଛନ୍ତି । ଲକ୍ଷ ଲକ୍ଷ ପଦ ଖାଲି ପଡିଥିବାବେଳେ ମାମୁଲି ସଂଖ୍ୟକ ଲୋକଙ୍କୁ ନିଯୁକ୍ତି ଦେଇ ସେମାନଙ୍କୁ ନିଯୁକ୍ତିପତ୍ର ବଣ୍ଟନକୁ ବଡ ସରକାରୀ କାର୍ଯ୍ୟକ୍ରମରେ ପରିଣତ କରାଯାଉଛି ଏବଂ ସରକାରୀ ଖର୍ଚ୍ଚରେ ଏହାର ପ୍ରଚାର ହେଉଛି । ଅନ୍ୟପଟରେ ଲକ୍ଷ ଲକ୍ଷ ଯୁବକ ଯୁବତୀ ନିଯୁକ୍ତି ଆଶାରେ ବୟସ ଗଡେଇ ଚାଲିଛନ୍ତି । ନିଯୁକ୍ତି ପାଇବା ପର୍ଯ୍ୟନ୍ତ କର୍ମହୀନ ଯୁବକ ଯୁବତୀମାନଙ୍କୁ ବେକାରୀ ଭତ୍ତାର ଦାବି ସଂପୂର୍ଣ୍ଣ ଉପେକ୍ଷିତ ।
ଶିକ୍ଷା କ୍ଷେତ୍ରରେ ସଙ୍ଗୀନ ଅବସ୍ଥା :
ରାଜ୍ୟରେ ସରକାରୀ ଶିକ୍ଷାବ୍ୟବସ୍ଥା ସଂପୂର୍ଣ୍ଣ ଧ୍ୱଂସ ମୁହଁରେ । ପ୍ରାଥମିକ ବିଦ୍ୟାଳୟଠାରୁ ଆରମ୍ଭକରି ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ହଜାର ହଜାର ଶିକ୍ଷକ, ଅଧ୍ୟାପକ, ଶିକ୍ଷା କର୍ମଚାରୀ ପଦବୀ ଦଶଂଧି ଦଶଂଧି ଧରି ଖାଲି ପଡିଛି । ବିଭିନ୍ନ ସମୟରେ କେନ୍ଦ୍ର ସରକାରମାନେ ଗ୍ରହଣ କରୁଥିବା ମାରାତ୍ମକ ଶିକ୍ଷା ବିରୋଧୀ ପଦକ୍ଷେପ ଏବଂ ପ୍ରଚଳନ କରୁଥିବା ମାରାତ୍ମକ ଭାବରେ ଶିକ୍ଷା ଧ୍ୱଂସକାରୀ ଶିକ୍ଷାନୀତିକୁ ରାଜ୍ୟ ସରକାର କାର୍ଯ୍ୟକାରୀ କରିବା ଫଳରେ ଆଜି ସମଗ୍ର ଶିକ୍ଷା କ୍ଷେତ୍ରରେ ମାରାତ୍ମକ ପରିସ୍ଥିତି ସୃଷ୍ଟି ହୋଇଛି । କଳା ପଟା ଅଭିଯାନ, ଡିପିଇପି, ସର୍ବଶିକ୍ଷା ଅଭିଯାନ, ଶିକ୍ଷାଅଧିକାର ଆଇନ ପ୍ରଚଳନ ଫଳରେ ସମଗ୍ର ବିଦ୍ୟାଳୟ ଶିକ୍ଷା ଆଜି ମୃତ୍ୟୁ ଶଯ୍ୟାରେ । ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଶ୍ ଫେଲ ଉଠାଇଦେଇ ସରକାର କାର୍ଯ୍ୟତଃ ସାଧାରଣ ଘରର ପିଲାଙ୍କ ପୋଥିରେ ଡୋରି ବାନ୍ଧିବାର ବ୍ୟବସ୍ଥା କରିଦେଇଛନ୍ତି । ଅନ୍ୟପଟରେ ନିଯୁକ୍ତି ପାଇଥିବା ମୁଷ୍ଟିମେୟ ଶିକ୍ଷକଙ୍କୁ ନାନାଧରଣର ଶିକ୍ଷାଦାନ ସହିତ ସଂପର୍କହୀନ କାମରେ ନିୟୋଜିତ କରିବା ଫଳରେ ସରକାରୀ ସ୍କୁଲରେ ପାଠପଢା ପ୍ରହସନରେ ପରିଣତ ହୋଇଛି । ଏଥିପାଇଁ ଅବିଭାବକମାନେ ପେଟକାଟି ବ୍ୟୟବହୁଳ ଘରୋଇ ସ୍କୁଲକୁ ପିଲାଙ୍କୁ ପଠାଇବାକୁ ବାଧ୍ୟ ହେଉଛନ୍ତି । ସରକାର ମଧ୍ୟ ଯୋଜନାବଦ୍ଧ ଭାବରେ ଗ୍ରାମାଂଚଳରୁ ଆରମ୍ଭକରି ସହର ପର୍ଯ୍ୟନ୍ତ ସମାନ୍ତରାଳ ଘରୋଇ ସ୍କୁଲ ଗଢିଉଠିବାକୁ ପ୍ରୋତ୍ସାହିତ କରୁଛନ୍ତି । ଏହି ପରିସ୍ଥିତିରେ ପିଲା ଅଭାବର ଆଳ ଦେଖାଇ ଚୂଡାନ୍ତ ଭାବରେ ଶିକ୍ଷା ଧ୍ୱଂସକାରୀ ନୂଆ ଶିକ୍ଷାନୀତି ୨୦୨୦ର ନିର୍ଦ୍ଦେଶିକା ଅନୁଯାୟୀ ରାଜ୍ୟ ସରକାର ବ୍ୟାପକ ସଂଖ୍ୟକ ପ୍ରାଥମିକ ସ୍କୁଲ ବନ୍ଦ କରୁଛନ୍ତି(ଉକ୍ଷକ୍ଟଗ୍ଦଙ୍କକ୍ସର) ଏବଂ ଅନେକଗୁଡିଏ ସ୍କୁଲକୁ ମିଶାଇ ଗୋଟିଏ ଲେଖାଏଁ ସ୍କୁଲ ପ୍ରତିଷ୍ଠା କରୁଛନ୍ତି(ଗରକ୍ସଶରକ୍ସ) । ସ୍ୱାଧୀନତାର ୭୫ବର୍ଷ ପରେ ମଧ୍ୟ ପ୍ରତ୍ୟେକ ଶ୍ରେଣୀପାଇଁ ଅନ୍ତତଃ ଜଣେ ଶିକ୍ଷକ ନିଯୁକ୍ତି ଆଜିବି ସ୍ୱପ୍ନ ହୋଇ ରହିଛି । ଶିକ୍ଷା କ୍ଷେତ୍ରରେ ଗୋଟିଏ ପରେ ଗୋଟିଏ ବହୁ ପ୍ରଚାରିତ ‘ସଂସ୍କାର’ ଶିକ୍ଷା ବ୍ୟବସ୍ଥାକୁ ଆହୁରି ରସାତଳଗାମୀ କରୁଛି ।
ଉଚ୍ଚ ଶିକ୍ଷାର ଅବସ୍ଥା ଆହୁରି କରୁଣ । ସ୍ଥାୟୀ ଅଧ୍ୟାପକଙ୍କ ଅଭାବରେ ଅତିଥି ଅଧ୍ୟାପକମାନେହିଁ ସମଗ୍ର ରାଜ୍ୟର ଉଚ୍ଚ ଶିକ୍ଷାକୁ ଚଳାଇ ରଖିଛନ୍ତି । ଅନ୍ୟପଟରେ ଉଚ୍ଚଶିକ୍ଷାର ସାମଗ୍ରିକ ଘରୋଇକରଣର ମାରାତ୍ମକ ଯୋଜନାର ଅଂଶ ବିଶେଷ ଭାବରେ ରାଜ୍ୟରେ ଭିତ୍ତିଭୂମି ବିହୀନ ନୂଆ ନୂଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଉଛି । ସମୟକ୍ରମେ ଅଧିକରୁ ଅଧିକ ସେଲ୍ଫ ଫାଇନାନ୍‌ସିଂ ପାଠ୍ୟକ୍ରମ ଖୋଲି ଏହିସବୁ ବିଶ୍ୱବିଦ୍ୟାଳୟ ‘ନିଜ କଥା ନିଜେ ବୁଝନ୍ତୁ’(Self Sustaining) ବୋଲି ସରକାର ହିତବାଣୀ ଶୁଣାଉଛନ୍ତି । ଉଦ୍ଦେଶ୍ୟ ହେଉଛି ସରକାର ଏହି ବିଶ୍ୱବିଦ୍ୟାଳୟ ମାନଙ୍କୁ ପର୍ଯ୍ୟାୟକ୍ରମେ ଅନୁଦାନ ବନ୍ଦ କରିଦେବା । ମାତ୍ର ବିଶ୍ୱବିଦ୍ୟାଳୟ ପରିଚାଳନାକୁ ସଂପୂର୍ଣ୍ଣ ଭାବରେ ସରକାରୀ ନିୟନ୍ତ୍ରଣକୁ ଆଣିବାପାଇଁ ମାରାତ୍ମକ ବିଶ୍ୱବିଦ୍ୟାଳୟ ଆଇନ ପ୍ରଣୟନ କରାଯାଇଛି । ଅନ୍ୟଦିଗରେ ନିର୍ବାଚିତ ଛାତ୍ର ସଂସଦ ଗଠନର ଅଧିକାର ସରକାର ଛଡେଇ ନେଇଛନ୍ତି । ଶିକ୍ଷାୟତନକୁ ରାଜନୀତି ମୁକ୍ତ କରିବାର ନିର୍ଲଜ୍ଜ ଯୁକ୍ତିରେ ଛାତ୍ରଛାତ୍ରୀ ମାନଙ୍କ ଅଧିକାର ଛଡେଇ ନିଆଯାଇଥିଲାବେଳେ ଶିକ୍ଷାନୁଷ୍ଠାନକୁ ସରକାରୀ ଦଳର ପ୍ରଚାର କେନ୍ଦ୍ରରେ ପରିଣତ କରାଯାଇଛି । ଗୋଟିଏ ପଟରେ ଉଚ୍ଚଶିକ୍ଷା ମହଙ୍ଗା ହେଉଛି ଏବଂ ଅନ୍ୟପଟରେ ଶିକ୍ଷାର ମାନ ଦ୍ରୁତ ରସାତଳଗାମୀ ହେଉଛି । ଏହାର ସମାନ୍ତରାଳ ଭାବରେ +୨ରୁ ଆରମ୍ଭକରି ସ୍ନାତକୋତ୍ତର ଶିକ୍ଷାସ୍ତର ପର୍ଯ୍ୟନ୍ତ ଛତୁଫୁଟିଲା ଭଳି ଘରୋଇ ଶିକ୍ଷାନୁଷ୍ଠାନ ଓ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାପାଇଁ ସରକାର ପ୍ରୋତ୍ସାହନ ଦେଉଛନ୍ତି । ଶିକ୍ଷା ପାଇଁ ବ୍ୟୟବରାଦ ବୃଦ୍ଧି କରିବା ପରିବର୍ତ୍ତେ ଶିକ୍ଷାନୁଷ୍ଠାନର ପୁରାତନ ଛାତ୍ରଛାତ୍ରୀମାନଙ୍କଠାରୁ ଅର୍ଥ ଆଦାୟ ପାଇଁ ‘ମୋ ସ୍କୁଲ’ ଓ ‘ମୋ କଲେଜ’ ପ୍ରହସନ ଆରମ୍ଭ କରାଯାଇଛି । ୫ଟି ରୂପାନ୍ତରୀକରଣ ଯୋଜନାରେ କେତେକ ସ୍କୁଲରେ କୋଠାବାଡି ତିଆରି ହେଉଛି । ସ୍ମାର୍ଟ ଶ୍ରେଣୀଗୃହ ନିର୍ମାଣ ହେଉଛି । ମାତ୍ର ସ୍କୁଲରେ ପାଠପଢାଇବାପାଇଁ ଶିକ୍ଷକ ନାହାନ୍ତି । ଗୋଟିଏ ସର୍ଭେ ଅନୁଯାୟୀ ଓଡିଶାରେ ୧୦ମ ଶ୍ରେଣୀ ପାଶ କରିବାପରେ ଶତକଡା ୫୦ଭାଗ ପିଲା ପାଠ ଛାଡୁଛନ୍ତି । ସଂକ୍ଷେପରେ ଏହା ହେଉଛି ରାଜ୍ୟରେ ଶିକ୍ଷାର ବାସ୍ତବ ଅବସ୍ଥା । ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ଦୟନୀୟ ଅବସ୍ଥାରେ ପହଂଚିଥିବା ବେଳେ ସରକାର ବିଶ୍ୱସ୍ତରୀୟ ଶିକ୍ଷାବ୍ୟବସ୍ଥା ଓ ଓଡିଶାକୁ ପୂର୍ବ ଭାରତର ଶିକ୍ଷା ହବ୍‌ରେ ପରିଣତ କରିବାର ଢୋଲ ପିଟି ଚାଲିଛନ୍ତି ।
ସ୍ୱାସ୍ଥ୍ୟସେବା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ :
ରାଜ୍ୟରେ ସ୍ୱାସ୍ଥ୍ୟସେବାର ଅବସ୍ଥା କହିଲେ ନସରେ । ସମଗ୍ର ରାଜ୍ୟରେ ଗ୍ରାମାଂଚଳ ଓ ଜିଲ୍ଲା ସଦର ମହକୁମାରେ ସେବା କରିବା ପାଇଁ ଉଦ୍ଦିଷ୍ଟ ହଜାର ହଜାର ଡାକ୍ତର ପଦବୀ ଖାଲି । ସରକାରୀ ହିସାବ ଅନୁଯାୟୀ ରାଜ୍ୟର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଜିଲ୍ଲା ସଦର ମହକୁମା ଡାକ୍ତରଖାନା ପାଇଁ ପ୍ରାୟ ୮୦୦୦ ଡାକ୍ତର ପଦବୀ ରହିଥିଲା ବେଳେ ତା ମଧ୍ୟରୁ ଆଜି ଦିନରେ ୫୦୦୦ ଡାକ୍ତର ପଦ ଖାଲିପଡିଛି । କ୍ରମବର୍ଦ୍ଧମାନ ଜନସଂଖ୍ୟାକୁ ବିଚାରକୁ ନେଇ ଡାକ୍ତର ପଦବୀ ସଂଖ୍ୟା ବୃଦ୍ଧି କରିବା ପାଇଁ ଗତ ୨୦ବର୍ଷ ଧରି ସରକାର କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି । ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଜିଲ୍ଲା ସଦର ମହକୁମା ଡାକ୍ତରଖାନା ମାନଙ୍କରେ ସମସ୍ତ ପ୍ରକାର ଚିକିତ୍ସାପାଇଁ ଉପଯୁକ୍ତ ଭିତ୍ତିଭୂମି ଓ ଯନ୍ତ୍ରପାତି ଯୋଗାଇ ଦେଇ, ସମସ୍ତ ପ୍ରକାର ପରୀକ୍ଷା ନୀରିକ୍ଷାର ବ୍ୟବସ୍ଥା କରି ସାଧାରଣଲୋକଙ୍କ ହାତପାହାନ୍ତାରେ ସ୍ୱାସ୍ଥ୍ୟସେବାର ସୁଯୋଗ ପହଂଚାଇବା କ୍ଷେତ୍ରରେ ସରକାର ଚରମ ଅବହେଳା ପ୍ରଦର୍ଶନ କରିଆସୁଛନ୍ତି । ଏହା ଫଳରେ ମାମୁଲି ରୋଗର ଚିକିତ୍ସାପାଇଁ ରୋଗୀ ଖର୍ଚ୍ଚାନ୍ତ ହୋଇ ବଡ ମେଡିକାଲକୁ ଆସିବାକୁ ବାଧ୍ୟ ହେଉଛି । ବଡ ମେଡିକାଲରେ ମଧ୍ୟ ଡାକ୍ତର, ନର୍ସ, ଫାର୍ମାସିଷ୍ଟ ଓ ଅନ୍ୟାନ୍ୟ କର୍ମଚାରୀ ମରୁଡି । ରାଜ୍ୟର ସବୁଠାରୁ ବଡ ଓ ପୁରୁଣା କଟକ ବଡ ମେଡିକାଲରେ ୧୧ଟି ବିଭାଗରେ ପ୍ରଫେସର ନାହାନ୍ତି । ପ୍ରାୟ ୧୫ବର୍ଷରୁ ଅଧିକ ସମୟ ଧରି ମେଡିକାଲ କଲେଜମାନଙ୍କର ନୂତନ ନିଯୁକ୍ତି ନହେବା ଫଳରେ ପ୍ରଫେସର ହେବାକୁ ଯୋଗ୍ୟ ଡାକ୍ତର ମିଳୁନାହାନ୍ତି । ମେଡିକାଲ କଲେଜମାନଙ୍କରେ ଶତକତା ୬୦ ଭାଗ ଡାକ୍ତର ପଦ ଖାଲି ପଡିଛି । ଶତକଡା ୭୦ଭାଗ ସ୍ଥାୟୀ ନର୍ସ ପଦବୀ ଖାଲି, ଅନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କ କଥା ଉଲ୍ଲେଖ କରିବା ବାହୁଲ୍ୟମାତ୍ର । ସମଗ୍ର ଡାକ୍ତରଖାନା ଠିକାରେ ଚାଲିଛି । ଡାକ୍ତରଖାନାର ବହୁ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଠିକାକରଣ, ଆଉଟସୋର୍ସିଂ କିମ୍ବା ପିପିପି ବ୍ୟବସ୍ଥାରେ ଚାଲିଛି । କେବଳ କଟକ ବଡ ମେଡିକାଲ ନୁହେଁ ରାଜ୍ୟର ଅନ୍ୟାନ୍ୟ ପୁରୁଣା ମେଡିକାଲ କଲେଜଗୁଡିକର ଅବସ୍ଥା ଆହୁରି ଖରାପ । ମାତ୍ର ସରକାର ଏସବୁର ନିରାକରଣ ନକରି ନୂଆ ନୂଆ ମେଡିକାଲ କଲେଜ ଖୋଲୁଛନ୍ତି । ସେଠାରେ ପାଠ ପଢାଇବାପାଇଁ ନା ଅଧ୍ୟାପକ ଅଛନ୍ତି ନା ପାଠ ପଢିବାପାଇଁ କୌଣସି ବ୍ୟବସ୍ଥା ଅଛି ।
ଅନ୍ୟପଟରେ ସରକାର ଘରୋଇ ହାସପାତାଳ ଗୁଡିକୁ ପୋଷିବାପାଇଁ ସମସ୍ତ ବ୍ୟବସ୍ଥା କରିଛନ୍ତି । ସରକାରୀ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ଯୋଜନାବଦ୍ଧ ଭାବରେ ରୁଗ୍‌ଣ କରିଦିଆଯିବା ଫଳରେ ରୋଗୀମାନେ ସ୍ୱାସ୍ଥ୍ୟକାର୍ଡରେ ଚିକିତ୍ସାପାଇଁ ଘରୋଇ ହାସପାତାଳକୁ ଯିବାକୁ ବାଧ୍ୟ ହେଉଛନ୍ତି । ମାତ୍ର ପ୍ରଚାର କରାଯାଉଛି ରାଜ୍ୟବାସୀଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ବିଜୁ ସ୍ୱାସ୍ଥ୍ୟକାର୍ଡ କୁଆଡେ ଓଡିଶାର ଦୂରଦର୍ଶି ମୁଖ୍ୟମନ୍ତ୍ରୀଙ୍କର ମହୌଷଧି । ତେବେ ପ୍ରଶ୍ନ ଉଠୁଛି ଏହା ରାଜ୍ୟ ସରକାରଙ୍କର ଚରମ ବିଫଳତା ନା ଗର୍ବର ବିଷୟ? ସରକାରୀ ହାସପାତାଳରେ ଦୟନୀୟ ଅବସ୍ଥାର ଏହା ପ୍ରତିଫଳନ ନୁହେଁ କି? ପ୍ରତି ମାସ ଘରୋଇ ହାସପାତାଳଗୁଡିକୁ ସରକାର ପଇଠ କରୁଥିବା ବିପୁଳ ପରିମାଣର ଅର୍ଥରେ ଅନାୟାସରେ ସରକାରୀ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିର ଆବଶ୍ୟକ ବିକାଶ ଘଟା ଯାଇପାରନ୍ତା ।
ରାଜ୍ୟରେ ଅକଥନୀୟ ଦାରିଦ୍ର‌୍ୟ ଏବଂ ଉପଯୁକ୍ତ ସ୍ୱାସ୍ଥ୍ୟସେବାର ଅଭାବ ଫଳରେ ମାତୃ ମୁତ୍ୟୁହାର, ୫ବର୍ଷ ବୟସରୁ କମ ବୟସର ଶିଶୁ ମୃତ୍ୟୁହାର, ଶିଶୁମାନଙ୍କର ଅପପୁଷ୍ଟି ଜନିତ ଓଜନ ଓ ଉଚ୍ଚତାହ୍ରାସ ଉଦ୍‌ବେଗ ଜନକ ଭାବରେ ବୃଦ୍ଧି ପାଉଛି । ହଇଜା, ମ୍ୟାଲେରିଆ ଭଳି ମାମୁଲି ରୋଗରେ ପ୍ରତିବର୍ଷ ଶହ ଶହ ଲୋକ ମୃତ୍ୟୁବରଣ କରୁଛନ୍ତି । ସରକାରଙ୍କର ସମସ୍ତ ପ୍ରଚାର ସତ୍ତ୍ୱେ ସଂକ୍ଷେପରେ ଏହା ହେଉଛି ରାଜ୍ୟରେ ସ୍ୱାସ୍ଥ୍ୟସେବାର ଅସଲ ଚିତ୍ର ।
ବିଦ୍ୟୁତ କ୍ଷେତ୍ରରେ ଅରାଜକତା :
୧୯୯୧ ମସିହାରେ ଦେଶରେ ଜଗତିକରଣ ଅର୍ଥନୀତି ଲାଗୁ କରାଯିବାପରେ ତତ୍ତକାଳୀନ କଂଗ୍ରେସ ସରକାର ଦ୍ୱାରା ଓଡିଶାରେ ହିଁ ଦେଶର ପ୍ରଥମ ରାଜ୍ୟ ଭାବରେ ବିଦ୍ୟୁତ କ୍ଷେତ୍ରରେ ଘରୋଇକରଣ କରାଯାଇଥିଲା । ସେତେବେଳେ ସରକାର ଦାବି କରିଥିଲେ ଘରୋଇକରଣ ଫଳରେ ବିଦ୍ୟୁତ ଉପଭୋକ୍ତାମାନେ ସୁଲଭ ମୂଲ୍ୟରେ ବିଦ୍ୟୁତ ପାଇବେ, ବିଦ୍ୟୁତ ସରବରାହ ଜନିତ କ୍ଷତି ହ୍ରାସ ହେବ, ଘନ ଘନ ବିଜୁଳି କାଟ ଓ ଲୋ-ଭୋଲଟେଜର ଯୁଗ ଶେଷ ହେବ । ଘରୋଇ କମ୍ପାନୀମାନେ ବିଦ୍ୟୁତ କ୍ଷେତ୍ରରେ ବିପୁଳ ପୁଞ୍ଜିବିନିଯୋଗ କରି ଏବଂ ଉଚ୍ଚକୋଟିର ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ଉତ୍ପାଦନ ଓ ପରିବହନ ଖର୍ଚ୍ଚ ହ୍ରାସ କରିବେ ଓ ବିଦ୍ୟୁତ ଭିତ୍ତିଭୂମିର ବିକାଶ ଓ ସଂପ୍ରସାରଣ କରିବେ । ଇତିମଧ୍ୟରେ ଘରୋଇକରଣକୁ ୨୮ବର୍ଷ ପୁରିଯାଇଛି ମାତ୍ର ରାଜ୍ୟବାସୀଙ୍କର ଏହି ସ୍ୱପ୍ନ ଧୂଳିସାତ ହୋଇଛି । କ୍ରମବର୍ଦ୍ଧମାନ ବିଦ୍ୟୁତ ଶୁଳ୍କର ବୋଝ ବୋହିବା ସାଧାରଣ ଖାଉଟି ପକ୍ଷରେ ଅସମ୍ଭବ ହେଉଛି । ବିଜୁଳି କାଟ ଏକ ସାଧାରଣ ଘଟଣାରେ ପରିଣତ ହେଇଛି । ବିଜେଡି ଦଳର ସହାୟତାରେହିଁ କେନ୍ଦ୍ର ସରକାର ବିଦ୍ୟୁତ କ୍ଷେତ୍ରରେ ସର୍ବବ୍ୟାପକ ଘରୋଇକରଣ ପାଇଁ ଆଇନ ପ୍ରଣୟନ କରିଛନ୍ତି । ସାଧାରଣ ବିଦ୍ୟୁତ ଉପଭୋକ୍ତାଙ୍କ ରକ୍ତ ଶୋଷଣକରି ଟାଟା କମ୍ପାନୀର ମୁନାଫାକୁ ବହୁଗୁଣିତ କରିବାପାଇଁ ସାରା ରାଜ୍ୟରେ ସ୍ମାର୍ଟ ମିଟର ଲଗାଯାଉଛି । ପ୍ରିପେଡ ବିଦ୍ୟୁତ ବିଲ ଆଦାୟ ବ୍ୟବସ୍ଥା ଦିଗରେ ସରକାର ଅଗ୍ରସର ହେଉଛନ୍ତି । ଏହା ଫଳରେ ଗୋଟିଏ ଦିଗରେ ବିଦ୍ୟୁତ କ୍ଷେତ୍ରରେ କାମ କରୁଥିବା ହଜାର ହଜାର ଲୋକ କାମ ହରାଇବେ ଅନ୍ୟଦିଗରେ ସାଧାରଣ ଖାଉଟି ଆହୁରି ନିର୍ମମ ଶୋଷଣର ଶୀକାର ହେବେ ।
ମହିଳା ଶସକ୍ତିକରଣର ଧୂଆଁବାଣ :
ବିଜେଡି ସରକାରର ସବୁଠାରୁ ଅଧିକ ପ୍ରଚାରିତ କାର୍ଯ୍ୟକ୍ରମ ହେଉଛି ‘ମିଶନ ଶକ୍ତି’ । ମିଶନ ଶକ୍ତି ଜରିଆରେ ରାଜ୍ୟର ମହିଳା ସମାଜକୁ ସଶକ୍ତ କରାଯାଇଛି ବୋଲି ସରକାର ପ୍ରଚାର କରୁଛନ୍ତି । ମାତ୍ର ଏହି ସରକାରର ୨୩ବର୍ଷର ଶାସନରେ ନାରୀ ନିର୍ଯ୍ୟାତନା, ଅଶ୍ଳୀଳତା, ଅପସଂସ୍କୃତିର ପ୍ରଚାର ପ୍ରସାର ଏବଂ ମଦବନ୍ୟା ଅତୀତର ସମସ୍ତ ରେକର୍ଡ ଭଙ୍ଗ କରିଛି । ସରକାରୀ ହିସାବ ଅନୁଯାୟୀ ଜନସଂଖ୍ୟା ତୁଳନାରେ ଓଡିଶାରେ ମଦ୍ୟପାନ କରୁଥିବା ଲୋକଙ୍କ ସଂଖ୍ୟା ଜାତୀୟ ହାରଠାରୁ ଯଥେଷ୍ଟ ଅଧିକ । ଠିକ୍ ସେହିଭଳି ନାରୀ ନିର୍ଯ୍ୟାତନାରେ ଓଡିଶାର ସ୍ଥାନ ଦେଶରେ ଦ୍ୱିତୀୟ । ମଦ ମାଦକ ଦ୍ରବ୍ୟ, ଅଶ୍ଳୀତତା ଓ ଅପସଂସ୍କୃତିର ଲଗାମ ଛଡା ପ୍ରସାର କରି ରାଜ୍ୟ ସରକାର ଛାତ୍ର, ଯୁବକ ଓ ସାଧାରଣ ଲୋକଙ୍କ ନୈତିକ ମେରୁଦଣ୍ଡକୁ ଧ୍ୱଂସ କରିବାପାଇଁ ଯୋଜନାବଦ୍ଧ ଭାବରେ ଉଦ୍ୟମ କରୁଛନ୍ତି ଏବଂ ରାଜ୍ୟର ସମଗ୍ର ମହିଳା ସମାଜକୁ ବିପଦ ମଧ୍ୟକୁ ଠେଲି ଦେଇଛନ୍ତି । ସେଥିପାଇଁ ଆଜିବି ବହୁ ଇତିଶ୍ରୀ ଓ ବବିନା ମାନେ ନ୍ୟାୟ ଅପେକ୍ଷାରେ । କେବଳ ସେତିକି ନୁହେଁ, ମହିଳା ଶସକ୍ତିକରଣର ଚମ୍ପିୟାନ ସାଜିଥିବା ରାଜ୍ୟ ସରକାର ରାଜ୍ୟରେ କାମ କରୁଥିବା ଲକ୍ଷ ଲକ୍ଷ ଆଶା କର୍ମୀ, ଅଙ୍ଗନବାଡି କର୍ମୀ, ମଧ୍ୟାହ୍ନ ଭୋଜନ ପାଚିକା-ସହାୟିକାମାନଙ୍କର ଯୁକ୍ତି ସଂଗତ ଓ ନ୍ୟାୟ ସଂଗତ ଦାବି ପ୍ରତି ସଂପୂର୍ଣ୍ଣ ଉଦାସୀନ । ଅତ୍ୟନ୍ତ ସ୍ୱଳ୍ପ ପାରିଶ୍ରମିକରେ ଦଶଂଧି ଦଶଂଧି ଧରି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରୁଥିବା ଏହି ସ୍କିମ୍ ୱାର୍କରମାନଙ୍କୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଘୋଷଣା କରାଯାଇଥିବା ସର୍ବନିମ୍ନ ମଜୁରୀରୁ ମଧ୍ୟ ବଂଚିତ କରାଯାଉଛି । ଏହା ମହିଳା ଶସକ୍ତିକରଣର ଡିଣ୍ଡିମ ପିଟୁଥିବା ରାଜ୍ୟ ସରକାରଙ୍କର ଆର୍ôଥକ ଭାବରେ ସବୁଠାରୁ ଦୁର୍ବଳ ବର୍ଗର ମହିଳାମାନଙ୍କ ପ୍ରତି ଉଦାସୀନତା ଓ ନିର୍ମମ ଶୋଷଣର ଜ୍ୱଳନ୍ତ ଉଦାହରଣ । ଗୋଟିଏ ଦିନରେ ରାଜ୍ୟ ସରକାର ସାଧାରଣ ମହିଳାମାନଙ୍କୁ ଏହି ଧରଣର ଶୋଷଣ ନିର୍ଯ୍ୟାତନା ମୁହଁକୁ ଠେଲି ଦେଇଥିଲା ବେଳେ ମିଶନ ଶକ୍ତି ଜରିଆରେ ଏକ ମହିଳା ଭୋଟ ବ୍ୟାଙ୍କ ସୃଷ୍ଟି କରିବାକୁ ହୀନ ଉଦ୍ୟମ କରୁଛନ୍ତି । ସଂକ୍ଷେପରେ ଏହା ହେଉଛି ୨୩ବର୍ଷର ବିଜେଡି ଶାସନରେ ବିଭିନ୍ନ କ୍ଷେତ୍ରରେ ରାଜ୍ୟର ଜନସାଧାରଣଙ୍କ ବିକାଶ ଓ ଉନ୍ନୟନର ଅସଲ ଚିତ୍ର ।
ସମଦୂରତ୍ୱର ପ୍ରହସନ
ନିଜର ରାଜନୈତିକ ଉଦ୍ଦେଶ୍ୟ ଚରିତାର୍ଥ କରିବାପାଇଁ କେତେବେଳେ କଂଗ୍ରେସ ତ କେତେବେଳେ ବିଜେପି ସହିତ ହାତ ମିଳାଇଥିବା ବିଜେଡି ଦଳ ବର୍ତ୍ତମାନ ବିଜେପି ଓ କଂଗ୍ରେସ, ଦୁଇଟି ଯାକ ଜାତୀୟ ଦଳ ସହିତ ସମଦୂରତ୍ୱ ରକ୍ଷାକରି ଓଡିଶାର ସ୍ୱାର୍ଥପାଇଁ ଲଢେଇ କରୁଛି ବଲି ଦାବି କରୁଛି । ଏଠାରେ ସୂଚନାଯୋଗ୍ୟ ୧୯୯୭ ମସିହାରେ ଓଡିଶାର ଜନସାଧାରଣଙ୍କର ଆଶା ଆକାଂକ୍ଷା ପୂରଣ କରିବା, ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ ଓ ଓଡିଶାପ୍ରତି କେନ୍ଦ୍ର ଅବହେଳା ବିରୁଦ୍ଧରେ ଲଢେଇ କରିବା ତଥା ଓଡିଆ ଅସ୍ମିତାର ସୁରକ୍ଷା କରିବାର ଘୋଷିତ ଲକ୍ଷ୍ୟରେ ଜନତା ଦଳକୁ ଭାଙ୍ଗି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ଦଳ ପ୍ରତିଷ୍ଠା ହୋଇଥିଲା । ୧୯୯୯ ସାଧାରଣ ନିର୍ବାଚନରେ ବିଜେଡି ବିଜେପି ସହିତ ମେଣ୍ଟ କରି ନିର୍ବାଚନରେ ଅଂଶଗ୍ରହଣ କରିଥିଲା ଏବଂ ନବୀନ ପଟ୍ଟନାୟକ କେନ୍ଦ୍ରରେ ବାଜପେୟୀଙ୍କ ମନ୍ତ୍ରୀ ମଣ୍ଡଳରେ ମନ୍ତ୍ରୀ ହୋଇଥିଲେ । ଏହାପରେ ୨୦୦୦ ମସିହା ବିଧାନସଭା ନିର୍ବାଚନରେ ବିଜେଡି ଓ ବିଜେପି ମେଣ୍ଟକରି ଲଢିଥିଲେ ଏବଂ ଏହି ମେଣ୍ଟ ୨୦୦୯ ମସିହା ପର୍ଯ୍ୟନ୍ତ ବଳବତ୍ତର ରହିଥିଲା । ମାତ୍ର ଏହି ମେଣ୍ଟ ସରକାରକୁ ବ୍ୟବହାରକରି ବିଜେପି ରାଜ୍ୟରେ ଏହାର ଶକ୍ତିବୃଦ୍ଧି କରିବାକୁ ଉଦ୍ୟମ କରିବାରୁ କନ୍ଧମାଳ ଦଙ୍ଗା ଆଳରେ ବିଜେଡି ମେଣ୍ଟ ଭାଙ୍ଗି ଏ ପର୍ଯ୍ୟନ୍ତ ଏକକ ଭାବରେ କ୍ଷମତାରେ ରହି ଆସିଛି ।
୨୦୦୪ ମସିହା ସାଧାରଣ ନିର୍ବାଚନରେ କେନ୍ଦ୍ରରେ ବାଜପେୟୀଙ୍କ ନେତୃତ୍ୱାଧିନ ଏନ୍‌ଡିଏ ସରକାରର ପତନ ହେଲା ଏବଂ କଂଗ୍ରେସ ଦଳ ନେତୃତ୍ୱରେ ଉପା ସରକାର କ୍ଷମତାସୀନ ହେଲା । ଏହି ସରକାର ୨୦୧୪ ପର୍ଯ୍ୟନ୍ତ କ୍ଷମତାରେ ରହିଲା । କେନ୍ଦ୍ରରେ କଂଗ୍ରେସ ଶାସନ ସମୟରେ ବିଜେଡି ଏହି ସରକାର ସହିତ ଘନିଷ୍ଠ ସଂପର୍କ ରକ୍ଷା କରିଥିଲା । ୨୦୧୪ରୁ ଏ ପର୍ଯ୍ୟନ୍ତ ବିଜେଡି କେନ୍ଦ୍ର ବିଜେପି ସରକାର ସହିତ କେବଳ ଘନିଷ୍ଠ ସଂପର୍କ ରକ୍ଷା କରିନାହିଁ; ଏହି ସରକାର ପ୍ରତିଟି ଜନବିରୋଧୀ ନୀତି ଓ ପଦକ୍ଷେପକୁ ନିଃସର୍ତ୍ତ ସମର୍ଥନ ଦେଇଛି ।
ପୂର୍ବରୁ ସୂଚନା ଦିଆଯାଇଛି ଯେ ୨୦୧୪ ମସିହାରେ କେନ୍ଦ୍ରରେ କ୍ଷମତାସୀନ ହେବାପରେ ବିଜେପି ସରକାରର ପ୍ରଥମ ପଦକ୍ଷେପ ଥିଲା ଉପା ଶାସନକାଳରେ ପ୍ରଣୀତ ଜମି ଅଧିଗ୍ରହଣ ଆଇନକୁ ଅକାମୀ କରିବାପାଇଁ ଅଧ୍ୟାଦେଶ ଜାରୀ କରିବା । ଏହି ଅଧ୍ୟାଦେଶକୁ ବିଜେଡି ସମର୍ଥନ କରିଥିଲା । ଏହାପରେ ଅତ୍ୟନ୍ତ ମାରାତ୍ମକ ୟୁଏପିଏ ଆଇନକୁ କଡାକଡି କରିବାପାଇଁ କେନ୍ଦ୍ର ବିଜେପି ସରକାର ଆଗତ କରିଥିବା ବିଲକୁ ବିଜେଡି ସମର୍ଥନ କରିଥିଲା । ଏହା ବ୍ୟତୀତ ତଥ୍ୟ ଜାଣିବାର ଅଧିକାର(ଆରଟିଆଇ) ଆଇନ ସଂଶୋଧନ, ତିନି ତଲାକକୁ ଫୌଜଦାରୀ ଅପରାଧରେ ପରିଣତ କରିବା, ଜାମ୍ମୁକାଶ୍ମୀର ରାଜ୍ୟକୁ କେନ୍ଦ୍ର ଶାସିତ ପ୍ରଦେଶରେ ପରିଣତ କରିବା ଏବଂ ରାଜ୍ୟକୁ ଦୁଇଭାଗ କରିବା ଓ ଧାରା ୩୭୦କୁ ଉଚ୍ଛେଦ କରିବା ପାଇଁ ସଂସଦରେ ଆଗତ ବିଲକୁ ମଧ୍ୟ ବିଜେଡି ସମର୍ଥନ କରିଥିଲା । ଏହା ସଂଗେ ସଂଗେ ସୁପ୍ରିମକୋର୍ଟର ନିଷ୍ପତ୍ତିକୁ ଅକାମୀ କରି ଦିଲ୍ଲୀର ଅମଲାତନ୍ତ୍ରକୁ ନିର୍ବାଚିତ ସରକାରଙ୍କ ପରିବର୍ତ୍ତେ ଉପରାଜ୍ୟପାଳଙ୍କ ନିୟନ୍ତ୍ରଣକୁ ଆଣିବାପାଇଁ ଆଗତ ଆଇନ, କୁଖ୍ୟାତ ନାଗରିକତା(ସଂଶୋଧନ) ଆଇନ, ସୁପ୍ରିମକୋର୍ଟ ରାୟକୁ ଅକାର୍ଯ୍ୟକାରୀ କରି ନିର୍ବାଚନ କମିଶନ ନିଯୁକ୍ତିରୁ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କୁ ବାଦ୍‌ଦେବା ପାଇଁ ପ୍ରଣୀତ ଆଇନ, ବର୍ତ୍ତମାନ ପ୍ରତ୍ୟାହୃତ ହୋଇଥିବା ୩ଟି କଳା କୃଷି ଆଇନ, ପୋଷ୍ଟ ଅଫିସ ଆଇନ, ବିଦ୍ୟୁତ ଆଇନ, ଜଙ୍ଗଲ ଆଇନ, ଭାରତୀୟ ନ୍ୟାୟ ସଂହିତା ଆଇନ ବିଜେଡିର ସମର୍ଥନରେ ହିଁ ସଂସଦରେ ପାଶ ହୋଇପାରିଛି ।
କହିବା ବାହୁଲ୍ୟ ଏହି ସବୁ ଆଇନ ଚୂଡାନ୍ତ ଭାବରେ ଜନସ୍ୱାର୍ଥ ବିରୋଧି, ସାଂପ୍ରଦାୟିକ ବିଦ୍ୱେଷ ସୃଷ୍ଟିକାରୀ, ଗଣତାନ୍ତ୍ରିକ ମୂଲ୍ୟବୋଧ, ପରମ୍ପରା ଏବଂ ଦେଶର ସଂଘୀୟ ବ୍ୟବସ୍ଥାର ପରିପନ୍ଥୀ । କେବଳ ସେତିକି ନୁହେଁ, ନିର୍ବାଚନର ଅବ୍ୟବହିତ ପୂର୍ବରୁ ସଂପ୍ରତି ବିଜେପିର ରାଜ୍ୟସଭା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣମ୍ବଙ୍କୁ ବିଜେଡି ଭୋଟ ଦେଇ ଦ୍ୱିତୀୟଥର ପାଇଁ ରାଜ୍ୟସଭାକୁ ପଠାଇଛି । ପ୍ରଥମଥର ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଅନୁରୋଧକ୍ରମେ ତାଙ୍କୁ ରାଜ୍ୟସଭାକୁ ପଠାଯାଇଥିଲା ବୋଲି ମୁଖ୍ୟମନ୍ତ୍ରୀ ସେତେବେଳେ ଗଣମାଧ୍ୟମ ସାମନାରେ ପ୍ରକାଶ କରିଥିଲେ । ବର୍ତ୍ତମାନ ତାଙ୍କୁ ଓଡିଶାର ସ୍ୱାର୍ଥପାଇଁ ରାଜ୍ୟସଭାକୁ ପଠାଯାଇଛି ବୋଲି ବିଜେଡି ଦଳ ପକ୍ଷରୁ ଘୋଷଣା କରାଯାଇଛି ।
ସ୍ୱାଭାବିକ ଭାବରେ ବିଜେପି ଓ କଂଗ୍ରେସ ସହିତ ସମଦୂରତ୍ୱର ସ୍ଲୋଗାନ ଦେଉଥିବା ବିଜେଡିର ବିଜେପି ସହିତ ଏହି ଧରଣର ‘ବନ୍ଧୁତ୍ୱ’ ରାଜ୍ୟବାସୀଙ୍କ ମଧ୍ୟରେ ବହୁ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଏହି ପ୍ରସଙ୍ଗରେ ପାଠକମାନଙ୍କୁ ସ୍ମରଣ କରାଇଦେବାକୁ ଚାହୁଁ ଯେ, କିଛି ବର୍ଷ ପୂର୍ବରୁ ଓଡିଶାର ଖଣି ଦୁର୍ନୀତି ଓ ଚିଟ୍‌ଫଣ୍ଡ ଦୁର୍ନୀତି ସମଗ୍ର ଦେଶରେ ଚର୍ଚ୍ଚାର ବିଷୟରେ ପରିଣତ ହୋଇଥିଲା । ଶାହା କମିଶନ ଦ୍ୱାରା ଖଣି ଦୁର୍ନୀତିର ତଦନ୍ତ କରାଯାଇଥିଲା । ମାତ୍ର ଖଣି ଲୁଟ୍‌କାରୀମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ । ସେହିଭଳି ଚିଟ୍ ଫଣ୍ଡ ଦୁର୍ନୀତିରେ ବିଜେଡିର ବହୁ ଆଗ ଧାଡିର ନେତା ସିବିଆଇ ଦ୍ୱାରା ଗିରଫ ହୋଇ ଜେଲରେ ରହିଥିଲେ । ମାତ୍ର ଗତ କିଛି ବର୍ଷ ଧରି ଏସବୁ ପ୍ରସଙ୍ଗରେ ଆଉ କିଛି ଶୁଣିବାକୁ ମିଳୁନାହିଁ । କଥିତ ଦୁର୍ନୀତିର ଅଭିଯୋଗରେ ବିଭିନ୍ନ ରାଜ୍ୟର ବିରୋଧୀ ଦଳର ନେତା, ମନ୍ତ୍ରୀ ଏପରିକି ମୁଖ୍ୟମନ୍ତ୍ରୀମାନଙ୍କୁ ଜେଲରେ ମାସ ମାସ ଏପରିକି ବର୍ଷ ବର୍ଷ ଧରି ଭର୍ତ୍ତି କରାଯାଉଛି ମାତ୍ର ଓଡିଶାରେ ଗତ ୨୩ବର୍ଷ ଧରି ସୀମାହୀନ ଦୁର୍ନୀତି ଚାଲିଥିଲେ ମଧ୍ୟ ସିବିଆଇ କିମ୍ବା ଇଡିର ପାଦ ଓଡିଶାରେ ପଡୁନାହିଁ । ଏଥିରୁ ସ୍ପଷ୍ଟ ହେଉଛି ‘ସମଦୂରତ୍ୱ’ର ସ୍ଲୋଗାନ ଆଢୁଆଳରେ ବିଜେଡି ଓ ବିଜେପି ମଧ୍ୟରେ ଅଲିଖିତ ବୁଝାମଣା ହୋଇଛି ଏବଂ ଏହି ବୁଝାମଣା ଉଭୟ ଦଳପାଇଁ ଲାଭଦାୟକ ହୋଇଛି । ରାଜ୍ୟସଭାରେ ସଂଖ୍ୟା ଗରିଷ୍ଠତା ନଥିବା ବିଜେପି ସମସ୍ତ ଜନବିରୋଧୀ, ଅଗଣତାନ୍ତ୍ରିକ ଓ ସାଂପ୍ରଦାୟିକ ଆଇନ କାନୁନ ପ୍ରଣୟନ କ୍ଷେତ୍ରରେ ବିଜେଡିର ଖୋଲା ସହଯୋଗ ପାଉଛି ଏବଂ ଏହାର ପ୍ରତିବଦଳରେ ବିଜେଡିର ଦୁର୍ନୀତି ଉପରେ ପର୍ଦ୍ଦା ପଡିଛି । ସିବିଆଇ, ଇଡି ଓ ଆୟକର ବିଭାଗ ଓଡିଶା ମୁହାଁ ହେଉନାହାଁନ୍ତି । ଏହା ହିଁ ହେଉଛି ବିଜେଡି ଦଳର ସମଦୂରତ୍ୱ ସ୍ଲୋଗାନର ଅସଲ ଚେହେରା ।
ଏହିଭଳି ପରିସ୍ଥତିରେ ପୁଣିଥରେ ନିର୍ବାଚନ ଆସିଛି । ସାଧାରଣ ଲୋକଙ୍କୁ ବିଭ୍ରାନ୍ତ କରିବାପାଇଁ ବିଜେପି ଓ ବିଜେଡି ଦଳ ପରସ୍ପର ବିରୁଦ୍ଧରେ ଯୁଦ୍ଧଂଦେହୀ ଡାକରା ଦେଇ ନିର୍ବାଚନ ଲଢିବାପାଇଁ ସଜବାଜ ହେଉଛନ୍ତି । ସେଥିପାଇଁ ଆସନ୍ତା ନିର୍ବାଚନର ଅବ୍ୟବହିତ ପୂର୍ବରୁ ୫ବର୍ଷ ଧରି ଭୁଲି ଯାଇଥିବା ପ୍ରସଙ୍ଗ ଗୁଡିକୁ ବିଜେଡି ପୁଣିଥରେ ମନେ ପକାଇଛି । କିଛିଦିନ ପୂର୍ବରୁ ଅନୁଷ୍ଠିତ ବିଜେଡିର କାର୍ଯ୍ୟକାରିଣୀ ବୈଠକରେ ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ପ୍ରଦାନ, ତା’ ନହେଲେ ଅନ୍ତତଃ ସ୍ପେସାଲ ଫୋକସ୍ ରାଜ୍ୟ ଭାବରେ ଘୋଷଣା କରିବା, ମହାନଦୀ ଓ ପୋଲାଭରମ ପ୍ରସଙ୍ଗରେ ଓଡିଶାକୁ ନ୍ୟାୟ ଦେବା, କୋଇଲା ରୟାଲ୍ଟି ଓ ସେସ୍ ବୃଦ୍ଧିକରିବା ଇତ୍ୟାଦିକୁ ନିର୍ବାଚନୀ ପ୍ରସଙ୍ଗ କରାଯିବ ବୋଲି ବିଜେଡି ଘୋଷଣା କରିଛି । କେବଳ ସେତିକି ନୁହେଁ ଅଯୋଧ୍ୟାରେ ରାମମନ୍ଦିର ଉଦ୍‌ଘାଟନକୁ ପାଥେୟ କରି ହିନ୍ଦୁଭୋଟ ହାତେଇବାପାଇଁ ବିଜେପିର ପରିକଳ୍ପନାକୁ ଟକ୍କର ଦେବାପାଇଁ ପୁରୀ ଜଗନ୍ନାଥ ମନ୍ଦିରର ପରିକ୍ରମା ପ୍ରକଳ୍ପର ଉଦ୍‌ଘାଟନକୁ ଏକ ବିଶାଳ ଧର୍ମୀୟ ଅନୁଷ୍ଠାନରେ ପରିଣତ କରିବାକୁ ବିଜେଡି ଦଳ ଓ ସରକାର ପକ୍ଷରୁ ଉଦ୍ୟମ କରାଯାଉଛି । ବିଜେପିର ଅଯୋଧ୍ୟାଧାମ ଟ୍ରେନ୍‌ର ଉତ୍ତରରେ ବିଜେଡି ଦ୍ୱାରା ସରକାରୀ ଖର୍ଚ୍ଚରେ ରାଜ୍ୟର ସମସ୍ତ ପଂଚାୟତରୁ ଲୋକଙ୍କୁ ତୀର୍ଥଯାତ୍ରାରେ ପୁରୀ ନିଆଯାଉଛି । ଏହିଭଳି ଭାବରେ ରାଜ୍ୟର ଜନସାଧାରଣଙ୍କର ମୌଳିକ ଓ ଜ୍ୱଳନ୍ତ ସମସ୍ୟା ଗୁଡିକୁ ଦୃଷ୍ଟିର ଅନ୍ତରାଳକୁ ଠେଲିଦେଇ ବିଜେପି ଓ ବିଜେଡି ଦଳ ଜନସାଧାରଣଙ୍କୁ ଭୁଆଁ ବୁଲାଇବାକୁ ଉଦ୍ୟମ କରୁଛନ୍ତି ।
ଏହି ପୃଷ୍ଠଭୂମିରେ ଆମେ ଆଗାମୀ ନିର୍ବାଚନରେ ଏସ୍‌ୟୁସିଆଇ(କମ୍ୟୁନିଷ୍ଟ) ଦଳର ଗଣଆନ୍ଦୋଳନରେ ପରିକ୍ଷିତ ପ୍ରାର୍ଥୀମାନଙ୍କୁ ବିପୁଳ ଭୋଟରେ ଜୟଯୁକ୍ତ କରି ଗଣଆନ୍ଦୋଳନ, ଶ୍ରେଣୀ ସଂଗ୍ରାମ ତଥା ଶୋଷିତ ମଣିଷର ମୁକ୍ତି ସଂଗ୍ରାମକୁ ତ୍ୱରାନ୍ୱିତ କରିବାପାଇଁ ରାଜ୍ୟବାସୀଙ୍କୁ ନିବେଦନ କରୁଛୁ ।

Leave a Reply

Your email address will not be published. Required fields are marked *