ରସାତଳଗାମୀ ଉଚ୍ଚଶିକ୍ଷା ଓ ନାକ୍ ମାନ୍ୟତା ପ୍ରହସନ
Sarbaharakranti Dated 16.10.2024 –
ସରକାରୀ ନିୟମ ଅନୁଯାୟୀ ପ୍ରତି ପାଞ୍ଚ ବର୍ଷରେ ଥରେ ଯେକୌଣସି ବିଶ୍ୱବିଦ୍ୟାଳୟ ବା କଲେଜରେ ସଜବାଜର ବିଚିତ୍ର ମାହୋଲ ଦେଖିବାକୁ ମିଳୁଛି । ଅଫିସ ଆଗରେ, ପ୍ରିନସିପାଲ ବା କୂଳପତିଙ୍କ ବସିବା ସ୍ଥାନରେ, ପ୍ରତି ବିଭାଗ ଆଗରେ ଫୁଲ କୁଣ୍ଡ ରଖାହେଉଛି । ଲାଇବ୍ରେରୀ ଓ ଲାବୋରେଟୋରୀରୁ ଅଳନ୍ଧୁ ଝଡା ହେଉଛି । ଏପରିକି ବାହାର ଏବଂ ଭିତର କାନ୍ଥରେ ରଙ୍ଗ ଦିଆ ହେଉଛି । ବର୍ଷ-ବର୍ଷର ଅବର୍ଜନାକୁ ଢାଙ୍କି ଲୁଚାଇ ଦେବାର ଚେଷ୍ଟା ହେଉଛି, ଏହା ସହିତ ଛାତ୍ରଛାତ୍ରୀଙ୍କର ବାପା-ମା’ଙ୍କୁ ଡାକି ଘନ ଘନ ମିଟିଂ କରାଯାଉଛି । ସେଥିରେ ଦସ୍ତଖତ ନେଇ ଫଟୋ ଉଠାଇ ଦସ୍ତାବେଜ ତିଆରି କରାଯାଉଛି । ଏପରିକି ପୁରାତନ ଛାତ୍ରମାନଙ୍କୁ ଡକରା ପଡୁଛି । କେଉଁଠାରେ ହୁଏତ ଖେଳ ପଡିଆ ଚାରିପାଖରେ ସୌର ଆଲୋକରେ ସଜାଇ ଦିଆଯାଉଛି ତ ଆଉ କୌଣସି ଉଚ୍ଚଶିକ୍ଷା ଅନୁଷ୍ଠାନ ନିଜର କ୍ୟାମ୍ପସ ମଧ୍ୟରେ ବ୍ୟାଟେରୀ ଚାଳିତ ଅଟୋରିକ୍ସାର ପ୍ରଚଳନ କରୁଛି । କେବଳ ଏତିକି ନୁହେଁ ଆହୁରି ବହୁ ରକମର ବିଚିତ୍ର କାର୍ଯ୍ୟକଳାପ କରାଯାଉଛି । ଯାହାର କି ଶିକ୍ଷାନୁଷ୍ଠାନର ଉତ୍କର୍ଷତା ସହ କୌଣସି ସଂପର୍କ ନାହିଁ । ହୁଏତ କେଉଁଠାରେ ଦୁଇ-ଚାରୋଟି କୂଅ ଖୋଳାଇ ମାଟି ତଳ ଜଳଭଣ୍ଡାରକୁ ପୁନରାୟ ବର୍ଷା ଜଳ ଦ୍ୱାରା ଭର୍ତ୍ତି କରାଯିବାର ପ୍ରକଳ୍ପ ବୋଲି ଦେଖେଇ ଦିଆଯାଉଛି, ଅନ୍ୟ କେଉଁଠାରେ ଛୋଟ ବଡ କୁଡ ଦାନି ଓ ବର୍ଜ୍ୟବସ୍ତୁ ରଖିବା କୁଣ୍ଡ ବସାଇ, ଶିକ୍ଷାନୁଷ୍ଠାନ କିପରି ସ୍ୱଚ୍ଛତାକୁ ପ୍ରୋତ୍ସାହିତ କରୁଛି ତା’ ଦେଖେଇବାର ଚେଷ୍ଟା କରାଯାଉଛି । ଆହୁରି ହାସ୍ୟାଷ୍ପଦ ଅନେକ ଏହିପରି ପ୍ରକଳ୍ପ ହଠାତ୍ ଶିକ୍ଷାନୁଷ୍ଠାନ ଗୁଡିକରେ ଦେଖିବାକୁ ମିଳୁଛି ।
ଏହି ସମସ୍ତ ତତ୍ପରତାର ଏକମାତ୍ର କାରଣ ହେଉଛି ‘ନାକ୍ ଦଳ’ ଶିକ୍ଷାନୁଷ୍ଠାନକୁ ବୁଲିବାକୁ ଆସିବେ । ଏହି ନାକ୍(NAAC) ହେଉଛି “ଜାତୀୟ ମୂଲ୍ୟାୟନ ଓ ମାନ୍ୟତା ପରିଷଦ”, ଯାହା କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ୟୁଜିସି ଅଧିନରେ କାମ କରୁଥିବା ଏକ ସ୍ୱୟଂଚାଳିତ ସଂସ୍ଥା । ଏହି ସଂସ୍ଥା ମନୋନୀତ କରିଥିବା ଏକ ବିଶେଷଜ୍ଞ ଦଳ ପ୍ରତ୍ୟକ୍ଷ ଭାବରେ କଲେଜ ଓ ବିଶ୍ୱବିଦ୍ୟାଳୟକୁ ବୁଲିବାକୁ ଯାଇ ତାର ଭିତ୍ତିଭୂମିକୁ ପରଖି ଦେଖନ୍ତି, ତାହାର ମୂଲ୍ୟାୟନ କରନ୍ତି ଏବଂ ତାକୁ ମାନ୍ୟତା(Ranking) ପ୍ରଦାନ କରନ୍ତି । ଅର୍ଥାତ୍ ସହଜ ଭାଷାରେ କହିଲେ କଲେଜ ବା ବିଶ୍ୱବିଦ୍ୟାଳୟକୁ ମାର୍କ ଦିଆଯାଏ ଏବଂ ସେହି ମାର୍କ ଭିତ୍ତିରେ ନିର୍ଦ୍ଦିଷ୍ଟ ଶିକ୍ଷାନୁଷ୍ଠାନ ଏକ ଗ୍ରେଡ ପାଇଥାଏ । ସବୁଠାରୁ ଭଲ ଗ୍ରେଡ୍ ହେଉଛି ଏ++, ତା’ର ତଳକୁ କ୍ରମରେ ଲେଖିଲେ ଏ+, ବି++, ବି+, ବି, ସି ଏବଂ ଡି । ତେଣୁ ଶିକ୍ଷାନୁଷ୍ଠାନମାନଙ୍କ ମଧ୍ୟରେ ସର୍ବୋଚ୍ଚ ଗ୍ରେଡ୍ ପାଇବାର ପ୍ରାଣମୂର୍ଚ୍ଚା ଉଦ୍ୟମ ହେବା ସ୍ୱାଭାବିକ ।
ଏଠାରେ ପ୍ରଶ୍ନ ଉଠେ କୌଣସି ଏକ ଶିକ୍ଷାନୁଷ୍ଠାନକୁ ଅତି ଭଲ, ଭଲ ବା ଖରାପ ଏପରି ଗ୍ରେଡ୍ କରିବାପାଇଁ ମାର୍କ ଦିଆଯିବ କେଉଁ ଭିତ୍ତିରେ? କେଉଁ ଭିତ୍ତିରେ ଏହି ମାର୍କ ଦିଆଯିବ, କ’ଣ ହେବ ଏହାର ମାପ କାଠି? ଗୋଟିଏ କଥାରେ ସମସ୍ତେ ଏକମତ ହେବେ ଯେ, କୌଣସି ଶିକ୍ଷାନୁଷ୍ଠାନର ଯଦି ମୂଲ୍ୟାୟନ କରାଯାଏ, ତେବେ ସେଥିରେ ପାଠପଢା କିପରି ହେଉଛି, ତାହାହିଁ ଏହାକୁ ମୂଲ୍ୟାୟନ କରିବାର ପ୍ରଥମ ମାପକାଠି ହେବା ଉଚିତ । କିନ୍ତୁ ପାଠପଢାକୁ ମପାଯିବ କିପରି? ସେଥିରେ ପୁଣି ଅତିଭଲ, ଭଲ, ଖରାପ ଏହିପରି ଗ୍ରେଡ୍ କରିବାପାଇଁ ମାର୍କର ତାରତମ୍ୟ ଆଣିବାର ଉପାୟ କ’ଣ? ଧରିନିଆଯାଉ କୌଣସି ଏକ ବିଭାଗରେ ୧୦ଜଣ ଶିକ୍ଷକ ଅଛନ୍ତି । ପ୍ରତ୍ୟେକ ନିଜର ଅଭିଜ୍ଞତା ଆଧାରରେ ଭଲ ପଢାଇବାକୁ ଚେଷ୍ଟା କରନ୍ତି, ପିଲାଙ୍କୁ ପଚାରିବାରୁ ସେମାନେ କହିଲେ ‘ଏକ୍ସ’ ସାର ‘ୱାଇ’ ବିଷୟଟି ଭଲ ପଢାନ୍ତି, ହେଲେ ‘ଏ’ ମାଡାମଙ୍କର ‘ବି’ ବିଷୟରେ ଦକ୍ଷତା ଅତି ଉଚ୍ଚକୋଟୀର, ତା’ହେଲେ ଏହାକୁ ମାର୍କ ଦିଆଯିବ କିପରି? ଗୋଟିଏ ବିଭାଗ ମଧ୍ୟରେ ବିଷୟଗୁଡିକ ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ । କୌଣସି ଗୋଟିଏ ବିଷୟ ହୁଏତ ସାମାନ୍ୟ ଆଲୋଚନା କଲେ ବହିରୁ ପଢି ବୁଝିହେବ, କିନ୍ତୁ ଅନ୍ୟକୌଣସି ବିଷୟକୁ ଯଥେଷ୍ଟ ସମୟ ଦେଇ ଧରି ଧରି ବୁଝାଇବାକୁ ପଡିବ । ତେଣୁ ସେ କ୍ଷେତ୍ରରେ ମାର୍କ ଦେଇ ମୂଲ୍ୟାୟନ କିପରି ହେବ? ତେଣୁ କୌଣସି ଗୋଟିଏ ବିଭାଗ ମଧ୍ୟରେ ଯଦି ଏତେ ଜଟିଳତା ତେବେ ସମଗ୍ର ଶିକ୍ଷାନୁଷ୍ଠାନରେ ବିଷୟର ଭିନ୍ନତା ବିଭିନ୍ନ ପାଠ ପଢାଇବା ଶୈଳୀର ଚାହିଦା ରଖେ । ଯେଉଁ ପଦ୍ଧତି ଗଣିତ ପଢାଇବା ପାଇଁ ଉପାଦେୟ, ତା’ ପୁଣି ସାହିତ୍ୟ ପଢାଇବା କ୍ଷେତ୍ରରେ ସଂପୂର୍ଣ୍ଣ ଅଦରକାରୀ ହୋଇପାରେ । ପ୍ରତ୍ୟେକ ବିଷୟରେ ନିଜସ୍ୱ ପଢାଇବାର ବୈଚିତ୍ର୍ୟ ଅଛି ଯାହାକୁ କୌଣସି ମାର୍କଦେଇ ସଂଖ୍ୟାର ଭିତ୍ତିରେ ମୂଲ୍ୟାୟନ କରାଯାଇ ପାରିବ ନାହିଁ ।
ତେବେ କ’ଣ କରାଯିବ? ସରକାର ଯେତେବେଳେ ନିର୍ଦ୍ଦେଶ ଦେଇଛନ୍ତି ମାର୍କ ତ ଦେବାକୁ ହିଁ ପଡିବ, ମୂଲ୍ୟାୟନ ତ କରିବାକୁ ପଡିବ, ମାନ୍ୟତା ଦେବାକୁ ହିଁ ହେବ । ତେଣୁ ଏଥିପାଇଁ କିଛି ଅତ୍ୟନ୍ତ ବିଚିତ୍ର ମାପକାଠି ପ୍ରଣୟନ କରାଯାଇଛି । ୧- ଶ୍ରେଣୀଗୃହ ଯଦି ପ୍ରୋଜେକ୍ଟର ସହିତ ସଂଯୋଜିତ ହୋଇଥାଏ ତେବେ ସେଥିପାଇଁ କିଛି ମାର୍କ ଅଛି । ୨- କୌଣସି ଏକ ପାଠ୍ୟକ୍ରମ ପାଇଁ ଯେଉଁ ପାଠ୍ୟସୂଚୀ(ସିଲାବସ୍) ଦିଆଯାଇଥାଏ- ସେହି ପାଠ୍ୟସୂଚୀର ପୂର୍ବରୁ କାହିଁକି ଏହି ପାଠଟି ଆବଶ୍ୟକ ଏବଂ ପାଠ୍ୟସୂଚୀ ପରେ ଏହି ପାଠଟି ପଢିଲେ ପିଲାର କି ଉପକାର ହେବ ଯଦି ଲେଖାଥାଏ ତେବେ ସେଥିପାଇଁ ମାର୍କ ଅଛି ଓ ଯଦି ପ୍ରମାଣ କରି ଦିଆଯାଏ ଯେ କେହି ଶିକ୍ଷକ ପଢାଇଲାବେଳେ ଇଣ୍ଟରନେଟ୍ ବ୍ୟବହାର କରୁଛନ୍ତି ତେବେ ସେଥିପାଇଁ ମାର୍କ ଅଛି । ଏହିପରି ମିଳୁଥିବା ମାର୍କକୁ ଯେନତେନ ପ୍ରକାରଣେ ହାତେଇବା ପାଇଁ ଶିକ୍ଷାନୁଷ୍ଠାନଗୁଡିକ ତତ୍ପର ହୋଇଉଠନ୍ତି । କିନ୍ତୁ ଏହି ସମସ୍ତ ମାପକାଠି ସହିତ ପାଠପଢାର ଉତ୍କର୍ଷତାର କୌଣସି ସଂପର୍କ ନାହିଁ । ଏହିପରି କିଛି ଆଳଂକାରିକ ପରବର୍ତ୍ତନ କରି ଶିକ୍ଷାନୁଷ୍ଠାନଗୁଡିକ ପାଠପଢା ପାଇଁ ଉଦ୍ଦିଷ୍ଟ ମାର୍କକୁ ହାତେଇ ନିଅନ୍ତି ସତ କିନ୍ତୁ ପାଠପଢାର ଉତ୍କର୍ଷତାକୁ ଯେ କୌଣସି ସଂଖ୍ୟାଦେଇ ମୂଲ୍ୟାୟନ କରାଯାଇ ପାରିବ ନାହିଁ, ଏଥିରେ ସମସ୍ତେ ଏକମତ ହେବେ ।
ଏହା ସତ୍ତ୍ୱେ କୌଣସି ଶିକ୍ଷାନୁଷ୍ଠାନରେ ପାଠପଢା ହେଉଛି କି ନାହିଁ ତା’ ଜାଣିବାର ଏକ ସହଜ ଉପାୟ ହେଉଛି, ସେହି ଅନୁଷ୍ଠାନର ଛାତ୍ର-ଶିକ୍ଷକଙ୍କର ଅନୁପାତ କେତେ, ଅର୍ଥାତ୍ ପ୍ରତି କେତେ ଜଣ ଛାତ୍ରଙ୍କ ପାଇଁ କେତେ ଜଣ ଶିକ୍ଷକ ଅଛନ୍ତି । ୟୁଜିସିର ନିୟମ ମୁତାବକ ଯେ କୌଣସି ଶିକ୍ଷାନୁଷ୍ଠାନରେ ହାରାହାରି ପ୍ରତି ୪୦ଜଣ ଛାତ୍ରରେ ଜଣେ ଶିକ୍ଷକ ରହିବା ଆବଶ୍ୟକ । କିନ୍ତୁ ଅତ୍ୟନ୍ତ ଦୁଃଖର ବିଷୟ ଏହି ମାପକାଠିରେ ସେ କେନ୍ଦ୍ରୀୟ ହେଉ କି ରାଜ୍ୟ ବିଶ୍ୱବିଦ୍ୟାଳୟ ହେଉ ବା ସରକାରୀ କଲେଜ ହେଉ, ସମସ୍ତଙ୍କ ଅବସ୍ଥା ଅତ୍ୟନ୍ତ ଦୟନୀୟ । ଗତ ସେପ୍ଟେମ୍ବର ୨୮ତାରିଖରେ ଜାରୀ ଏକ ପ୍ରେସ ବିଜ୍ଞପ୍ତି ମୁତାବକ ଓଡିଶାର ବିଶ୍ୱବିଦ୍ୟାଳୟ ଗୁଡିକରେ ୧୫୦୦ ଶିକ୍ଷକ ପଦବୀ ଖାଲି ପଡିଛି । ସେହିପରି ୨୦୨୨ ମସିହା ଡିସେମ୍ବର ମାସରେ ଲୋକସଭାରେ କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀଙ୍କର ଏକ ବୟାନ ମୁତାବକ ସମସ୍ତ ଦେଶରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ଆଇଆଇଟି ଏବଂ ଆଇଆଇଏମ୍ ଗୁଡିକରେ ମିଳିତ ଭାବରେ ପ୍ରାୟ ୧୧୦୦୦ ଶିକ୍ଷକ ପଦ ଖାଲି ପଡିଛି । ଏହି ପରିସଂଖ୍ୟାନରୁ ସ୍ପଷ୍ଟ ହେଉଛି ଯେ ୟୁଜିସି ଯେଉଁ ଛାତ୍ର-ଶିକ୍ଷକ ଅନୁପାତକୁ ସୁସ୍ଥ ପାଠପଢାର ବାତାବରଣ ପାଇଁ ସର୍ବନିମ୍ନ ଆବଶ୍ୟକତା ବୋଲି ସ୍ଥିର କରିଛି ତା’ ପ୍ରାୟ କୌଣସି ଶିକ୍ଷାନୁଷ୍ଠାନରେ ନାହିଁ । ଓଡିଶାର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡିକୁ ପାଖରୁ ଦେଖିଲେ ଏହି ଦୟନୀୟ ଚିତ୍ର ଆହୁରି ସ୍ପଷ୍ଟ ହୋଇଯାଏ । ତେଣୁ ଅସଲ କଥା ହେଉଛି ଶିକ୍ଷକ ବିହୀନ ଶିକ୍ଷାନୁଷ୍ଠାନରେ ପାଠପଢିବାର ଉତ୍କର୍ଷତାର ମୂଲ୍ୟାୟନ କରାଯାଉଛି ଏବଂ ବିଭିନ୍ନ ଅମୂଳକ ମାପକାଠି ଆଧାରରେ ମାର୍କଦେଇ ତାହାର ଗ୍ରେଡ ସ୍ଥିର କରାଯାଉଛି ।
ଉଚ୍ଚଶିକ୍ଷାର ଅନ୍ୟଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଗବେଷଣା, ଅର୍ଥାତ୍ ନୂତନ ଜ୍ଞାନର ଅନ୍ୱେଷଣ । ମାନବସମାଜ ଆଜି ପର୍ଯ୍ୟନ୍ତ ପ୍ରକୃତି ବା ସମାଜର ଯେଉଁ ଦିଗଗୁଡିକ ସଂପର୍କରେ ଜାଣିନାହିଁ, ଯେଉଁ ବିଷୟଗୁଡିକ ସଂପର୍କରେ ସତ୍ୟାସତ୍ୟ ଆଜି ବି ଉଦ୍ଘାଟିତ ହୋଇନାହିଁ; ତା’କୁ ଖୋଜିବା ମଧ୍ୟ ଦେଇ ମଣିଷର ଜ୍ଞାନର ପରିଧିକୁ ପ୍ରସାରିତ କରିବା । ଏହି କାମଟି ଏକନିଷ୍ଠ ଅଧ୍ୟବସାୟ ଏବଂ ସମୟ ସାପେକ୍ଷ କାର୍ଯ୍ୟ । ଏଥିରେ ମୌଳିକ ବିଷୟଗୁଡିକରେ ଗବେଷଣା ମଧ୍ୟ ଦେଇ ଅଜଣା ସତ୍ୟକୁ ଉଦ୍ଘାଟନ କରିବାଠାରୁ ଆରମ୍ଭ କରି ଏହି ସତ୍ୟର ଆଧାରରେ ମଣିଷ ଜୀବନକୁ ସରସ ସୁନ୍ଦର କରିବା ପାଇଁ ଏହାକୁ ବ୍ୟବହାର ଯୋଗ୍ୟ କରି ଗଢିତୋଳିବାର ଦିଗଟି ସଂଯୁକ୍ତ ହୋଇଛି । ଏହି କାର୍ଯ୍ୟଟି କରାଯାଏ ଏକ ଖୁବ ଶୃଙ୍ଖଳିତ ପ୍ରକ୍ରିୟାରେ । ଯେଉଁଥିରେ ଜଣେ ପ୍ରଫେସରଙ୍କର ଅଧିନରେ କିଛି ଗବେଷକ ଛାତ୍ର କାମ କରନ୍ତି । ସେମାନେ ଗବେଷଣା ଲବ୍ଧ ଜ୍ଞାନକୁ ଭିତ୍ତିକରି ନିବନ୍ଧ ରଚନା କରନ୍ତି ଏବଂ ଏହାକୁ ପ୍ରକାଶନ ପାଇଁ କିଛି ନିର୍ଦ୍ଦିଷ୍ଟ ଆନ୍ତର୍ଜାତିକ ସ୍ତରର ପତ୍ରିକାକୁ ପଠାନ୍ତି । ସେହି ପ୍ରକାଶନ ସଂସ୍ଥା, କିଛି ବିଶେଷଜ୍ଞମାନଙ୍କ ସହାୟତାରେ ପାଣ୍ଡୁଲିପିଟିରେ ସ୍ଥାନିତ ଗବେଷଣାକୁ ତର୍ଜମା କରନ୍ତି । ଏହି ପ୍ରକ୍ରିୟାରେ ସଫଳ ହେଲେ ହିଁ ପାଣ୍ଡୁଲିପି ଉକ୍ତ ଆନ୍ତର୍ଜାତିକ ପତ୍ରିକାରେ ସ୍ଥାନିତ ହୁଏ । ପରବର୍ତ୍ତୀ ସମୟରେ ସାରା ବିଶ୍ୱର ଗବେଷକମାନେ, ଏହି ଗବେଷଣା ଲବ୍ଧ ଜ୍ଞାନ ପାଆନ୍ତି ଏବଂ ଏହାକୁ ବିଭିନ୍ନ ଦିଗରୁ ପରୀକ୍ଷା ନିରୀକ୍ଷା କରି ଆଗକୁ ବଢନ୍ତି । ଏହା ଏକ ଅତ୍ୟନ୍ତ ସମୟ ସାପେକ୍ଷ କାର୍ଯ୍ୟ । ବହୁବାର ଅସଫଳତା ପରେ ହିଁ ସଫଳତା ମିଳେ । ଏପରି ମଧ୍ୟ ହେବାର ଦେଖାଯାଏ ଯେ, ଯାହା ପ୍ରାରମ୍ଭିକ ସଫଳତା ପରି ପ୍ରତୀୟମାନ ହୁଏ, ତାହା ପରବର୍ତ୍ତୀ ସମୟରେ ଭୁଲ ବୋଲି ଜଣାପଡେ । ତେଣୁ ଗବେଷଣାର ଏହି ପ୍ରକ୍ରିୟାଟି ଅତ୍ୟନ୍ତ କଷ୍ଟ ସାଧ୍ୟ ।
ଶିକ୍ଷାନୁଷ୍ଠାନର ମୂଲ୍ୟାୟନ ପାଇଁ ଏହି ଗବେଷଣାକୁ ଏକ ପ୍ରମୁଖ ମାପକାଠି ଭାବରେ ଚୟନ କରାଯାଇଛି । ସେଥିରେ ପ୍ରଫେସରମାନେ କେତୋଟି ପ୍ରବନ୍ଧ ପ୍ରକାଶିତ କରିଛନ୍ତି ଏବଂ କେଉଁ ପତ୍ରିକାରେ ଛାପିଛନ୍ତି ତାହାକୁ ନେଇ ମାର୍କ ଦିଆଯାଏ । ଏଥିପାଇଁ ସାରା ବିଶ୍ୱରେ ପତ୍ରିକାମାନଙ୍କର ମଧ୍ୟ ଉତ୍କର୍ଷତା ସୂଚକାଙ୍କ(Impact Factor) ସୃଷ୍ଟି କରାଯାଇଛି । ଯେଉଁ ପତ୍ରିକାର ଉତ୍କର୍ଷତା ସୂଚନାଙ୍କ ଯେତେ ଅଧିକ ସେ ପତ୍ରିକାରେ ପ୍ରକାଶନ ମୂଲ୍ୟ ସେତେ ବେଶୀ । ତେଣୁ ଅଧିକରୁ ଅଧିକ ସଂଖ୍ୟକ ପ୍ରବନ୍ଧ ପ୍ରକାଶ କରିବାର ନିଶାରେ ବିଷୟଟିକୁ ଯେଉଁଭଳି ବିଭିନ୍ନ ଦିଗରୁ ବାରମ୍ବାର ପରୀକ୍ଷା ନିରୀକ୍ଷା କରି ଦେଖିବାର ଆବଶ୍ୟକତା ଥିଲା, ସେଥିରେ ସାଲିସ କରାଯାଉଛି । ସାରା ବିଶ୍ୱରେ ଏହାର ଭୟାବହ ପରିଣତି ଦେଖିବାକୁ ମିଳୁଛି । ଅତ୍ୟନ୍ତ ଉଚ୍ଚକୋଟୀର ପତ୍ରିକାରେ ବହୁ ସଂଖ୍ୟାରେ ପ୍ରକାଶିତ ହୋଇଥିବା ପ୍ରବନ୍ଧଗୁଡିକୁ ପରିବର୍ତ୍ତୀ ସମୟରେ ଭୁଲ ପ୍ରମାଣିତ ହେବାପରେ ଫେରାଇ ନିଆଯାଉଛି । ଏପରିକି ବର୍ତ୍ତମାନ ବହୁ ନକଲି ପ୍ରକାଶନ ସଂସ୍ଥା ବାହାରିଛନ୍ତି ଏବଂ ନିଜର ସ୍ଥିତିକୁ ବଜାୟ ରଖିବାର ଚାପରେ ଗବେଷକମାନେ ପୂର୍ବରୁ ପ୍ରକାଶିତ ହୋଇଥିବା ନିବନ୍ଧର ବିଷୟବସ୍ତୁକୁ ଆଗ ପଛ କରି ଏହି ସମସ୍ତ ପତ୍ରିକାରେ ଜାଲ ପ୍ରବନ୍ଧ ପ୍ରକାଶନ କରୁଛନ୍ତି । ତେଣୁ ସାରା ବିଶ୍ୱରେ ପୂର୍ବ ପ୍ରକାଶିତ ପ୍ରବନ୍ଧରୁ ଚୋରି କରି ପୁନରାୟ ପ୍ରକାଶନ, ଭୁଲ ତଥ୍ୟ ପ୍ରକାଶନ, ନକଲି ପ୍ରକାଶନ ସଂସ୍ଥା ଜ୍ଞାନ ଜଗତରେ ଏକ ଧୂମାୟିତ ସ୍ଥିତି ଉତ୍ପନ୍ନ କରିଛି । ଭାରତବର୍ଷରେ ଗବେଷଣାର ପରିମଣ୍ଡଳ ମଧ୍ୟ ଏହି ସମସ୍ୟାରେ ଆଚ୍ଛାଦିତ ହୋଇ ରହିଛି । ଏହି ସମସ୍ୟାର ପ୍ରକୃତ ଜନ୍ମଦାତା ହେଉଛି ଶିକ୍ଷାନୁଷ୍ଠାନକୁ ମୂଲ୍ୟାୟନ କରିବା ଏବଂ ଗ୍ରେଡ୍ ଦେବାର ସଂପୂର୍ଣ୍ଣ ଅଦରକାରୀ ଓ ମାରାତ୍ମକ ଭାବରେ ଶିକ୍ଷା ବିରୋଧି ଝୁଙ୍କ । ଭାରତପରି ଦେଶ ଯେଉଁଠାରେ କଲେଜ ଏବଂ ବିଶ୍ୱବିଦ୍ୟାଳୟ ଗୁଡିକରେ ଗବେଷଣା ପାଇଁ ଆବଶ୍ୟକ ଭିତ୍ତିଭୂମି ଓ ଯନ୍ତ୍ରପାତିର ଘୋର ଅଭାବ ରହିଛି, ସେଠାରେ ଆନ୍ତର୍ଜାତିକ ପତ୍ରିକାରେ ପ୍ରବନ୍ଧ ପ୍ରକାଶ ପାଇବାର ଉପାୟ କ’ଣ? ତେଣୁ ନାକ୍ ମାନ୍ୟତାରେ ଅଧିକରୁ ଅଧିକ ମାର୍କ ପାଇବାର ଆଶାରେ ଯାହା କିଛି ମୌଳିକ ଗବେଷଣାର ସମ୍ଭାବନା ଅଛି, ତାହା ମଧ୍ୟ ନଷ୍ଟ ହେଉଛି ।
ଶିକ୍ଷାନୁଷ୍ଠାନମାନଙ୍କରେ ପାଠପଢା ଓ ଗବେଷଣା ସହିତ ନୃତ୍ୟ, ଗୀତ, ନାଟକ, ଆଲୋଚନା, ଡିବେଟ୍ ଏଗୁଡିକ ହେଉଛି ଅତ୍ୟନ୍ତ ଜରୁରୀ ଦିଗ । ଛାତ୍ର ୟୁନିୟନ ନିର୍ବାଚନରେ ଛାତ୍ରଛାତ୍ରୀମାନେ ଏହି ସମସ୍ତ ଦିଗରେ ନିଜର ନେତୃତ୍ୱ ଚୟନ କରନ୍ତି, ଯିଏ ସାରା ବର୍ଷ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପାଠ୍ୟଖସଡା ବର୍ହିଭୂତ ଏହି ବିଷୟଗୁଡିକର ପରିଚାଳନା କରନ୍ତି । ସେଥିପାଇଁ ଶିକ୍ଷକ ଓ ପିଲାମାନଙ୍କୁ ନେଇ ବିଭିନ୍ନ ଛାତ୍ରପରିଷଦ ଗଠନ ହୁଏ, ଯାହା ନିୟମିତ କାର୍ଯ୍ୟକ୍ରମ ସଂଗଠିତ କରେ । କିନ୍ତୁ ଓଡିଶାର ଗତ ବିଜେଡି ସରକାର ଅମଳରୁ ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବାତିଲ ହୋଇଛି । ଦେଶର ଅଧିକାଂଶ ରାଜ୍ୟର ଅବସ୍ଥା ମଧ୍ୟ ସମାନ । ତେଣୁ ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡିକରେ ଏହି ସୃଜନଶୀଳ ଦିଗଗୁଡିକ ବାଧାପ୍ରାପ୍ତ ହୋଇଛି । ଅନ୍ୟପଟରେ କିନ୍ତୁ ନାକ୍ ମାନ୍ୟତାରେ ଏଥିପାଇଁ ମାର୍କ ପାଇବାର ବ୍ୟବସ୍ଥା ଅଛି ଏବଂ ସେଥିପାଇଁ ଫଟୋ ସହ ଲିଖିତ ପ୍ରମାଣ ଜମା ଦେବାକୁ ପଡୁଛି । ତେଣୁ ପୂର୍ବରୁ ଯେଉଁ ଖେଳକୁଦ ପଡିଆରେ ହେଉଥିଲା, ଗୀତ-ନୃତ୍ୟ-ଡିବେଟ୍ ଷ୍ଟେଜରେ ହେଉଥିଲା, ଆଜି କିନ୍ତୁ ସବୁକିଛି କାଗଜରେ ଏବଂ ଫଟୋରେ ହେଉଛି । ତେଣୁ ଛାତ୍ର ସଂସଦ ନିର୍ବାଚନ ବନ୍ଦ ହେବାପରେ ଯଦିଓ ଶିକ୍ଷାନୁଷ୍ଠାନଗୁଡିକରେ ପାଠ୍ୟବର୍ହିଭୂତ ସୃଜନଶୀଳ ଦିଗଗୁଡିକର ଚର୍ଚ୍ଚା ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି । କିନ୍ତୁ ନାକ୍ ମାନ୍ୟତା ପାଇଁ ଏଥିରେ ମିଳୁଥିବା ମାର୍କ ପରିମାଣ ବଢୁଛି ।
ଏହି ନାକ୍ ମୂଲ୍ୟାୟନର ଅନ୍ୟ ଏକ ମାପକାଠି ହେଉଛି, ଉଚ୍ଚଶିକ୍ଷା ଅନୁଷ୍ଠାନରୁ ଯେଉଁ ଛାତ୍ରଛାତ୍ରୀମାନେ ସ୍ନାତକ ବା ସ୍ନାତକୋତ୍ତର ଡିଗ୍ରୀ ନେଇ ପାସ କରୁଛନ୍ତି, ସେମାନଙ୍କ ମଧ୍ୟରୁ କେତେ ଜଣ ଚାକିରୀ ପାଉଛନ୍ତି । ଏହି ମାପ କାଠିରେ ମାର୍କ ପାଇବାକୁ ହେଲେ ବିଗତ ୫ବର୍ଷରେ ପାସ କରିଥିବା ଛାତ୍ର ଛାତ୍ରୀମାନେ କେଉଁ କମ୍ପାନୀରେ ଚାକରି କଲେ ଏହାର ଡାଟା ସହ କମ୍ପାନୀଟି ଦେଇଥିବା ଚାକିରି କାଗଜ ଜମାଦେବାକୁ ପଡେ । ପ୍ରଥମରୁ କହି ରଖିବା ଦରକାର ଯେ, ପାସ କଲା ପରେ କିଏ କେଉଁଠାରେ ଚାକିରି କଲା ତାର ହିସାବ ଶିକ୍ଷାନୁଷ୍ଠାନ ରଖିବ କିପରି? ତେଣୁ ନାକ୍ ମାନ୍ୟତାରେ ଭଲ ମାର୍କ ପାଇବାପାଇଁ ଶିକ୍ଷକମାନଙ୍କର ଏକ ବଡ ସମୟ ପୁରୁଣା ଛାତ୍ରମାନଙ୍କ ଖୋଜ ଖବର ନେବାରେ ନଷ୍ଟ ହେଉଛି । ଏଠାରେ ଅନ୍ୟ ଏକ ବିଷୟ ସ୍ପଷ୍ଟ ହେବା ଆବଶ୍ୟକ ଯେ ଶିକ୍ଷା ଶେଷ କରି ଛାତ୍ରଟିଏ ଚାକିରୀ ପାଇବ କି ପାଇବ ନାହିଁ, ତା’ ଦେଶର ଅର୍ଥନୀତି ଉପରେ ନିର୍ଭର କରେ । ଶିକ୍ଷାନୁଷ୍ଠାନର ଉତ୍କର୍ଷତା ଉପରେ ନୁହେଁ । ବିଷୟଟିକୁ ସ୍ପଷ୍ଟ କରିବାପାଇଁ ଗୋଟିଏ ଉଦାହରଣର ବିଚାର କରାଯାଉ । କୌଣସି ଏକ ଖୁବ୍ ପ୍ରତିଷ୍ଠିତ ଇଂଞ୍ଜିନିୟରିଂ କଲେଜରେ, ସିଭିଲ ଇଂଞ୍ଜିନିୟରିଂ ବିଭାଗରୁ ପାସ କରିଥିବା ୮୦ଭାଗ ଛାତ୍ର କମ୍ପ୍ୟୁଟର ଆଇଟି କମ୍ପାନୀରେ ଚାକିରି ପାଇଲେ, ତା’ହେଲେ ଏଥିରୁ କ’ଣ ପ୍ରମାଣିତ ହେବ କି ସିଭିଲ ଇଂଞ୍ଜିନିୟରିଂ ବିଭାଗର ଉତ୍କର୍ଷତା ଅଛି ବା ନାହିଁ? ତାର କିଛି ବର୍ଷପରେ ଦେଖାଗଲା, ସେଥିରୁ ଅଧା ପିଲାଙ୍କର ଚାକିରୀ ଚାଲିଗଲା । ଏଥିରୁ କ’ଣ ଶିକ୍ଷାନୁଷ୍ଠାନ ବା ନିର୍ଦ୍ଦିଷ୍ଟ ବିଭାଗର ଉତ୍କର୍ଷତା ବିଷୟରେ କିଛି କୁହାଯାଇ ପାରିବ?
ଉପରେ ବର୍ଣ୍ଣିତ ମାପକାଠି ଗୁଡିକ ସହିତ ସଂଯୋଜିତ ହୋଇଛି ଆହୁରି ଅନେକ ବିଷୟ । ଯେପରି ଦିନରେ କେତେଜଣ ଛାତ୍ର-ଶିକ୍ଷକ ଲାଇବ୍ରେରୀ ବ୍ୟବହାର କରୁଛନ୍ତି । ଶିକ୍ଷାନୁଷ୍ଠାନଟି ଶିକ୍ଷକ ଓ ଛାତ୍ରମାନଙ୍କୁ ପ୍ରୋତ୍ସାହନ ଦେବାପାଇଁ କ’ଣ ପଦକ୍ଷେପ ନେଉଛି । ଏହିପରି ପ୍ରତ୍ୟକ ମାପକାଠି ପାଇଁ କିଛି ମାର୍କ ରହିଛି । ଏ ସମସ୍ତ ମାପକାଠିରେ ବେଶୀରୁ ବେଶୀ ମାର୍କ ପାଇବାକୁ ହେଲେ କେବଳ ଆବଶ୍ୟକ କାଗଜରେ ପ୍ରମାଣ । ତେଣୁ ଦେଖାଯାଉଛି ଶିକ୍ଷକମାନଙ୍କର ଏକ ବଡ ଅଂଶ, ମାସ ମାସ ଧରି ଏହି କାଗଜ ଚାଷରେ ନିୟୋଜିତ ହେଉଛନ୍ତି । ତେଣୁ ପ୍ରକୃତ ଉତ୍କର୍ଷତା ହାସଲ କରିବାର ଲକ୍ଷ୍ୟରୁ ଦୂରେଇ ଯାଇ, ଶିକ୍ଷାନୁଷ୍ଠାନଗୁୁଡିକ ପରିସଂଖ୍ୟାନ ସୃଷ୍ଟି କରିବାର କାରଖାନାରେ ରୂପାନ୍ତରିତ ହୋଇଛି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଘରୋଇ ଶିକ୍ଷାନୁଷ୍ଠାନ ଗୁଡିକ ମଧ୍ୟ ଏହି ନାକ୍ ମୂଲ୍ୟାୟନ ଓ ମାନ୍ୟତା ପାଇବାପାଇଁ ଆବେଦନ କରନ୍ତି ଏବଂ ଭଲମାର୍କ ପାଇବାପାଇଁ ପରିସଂଖ୍ୟନରେ ଜାଲିଆତି କରନ୍ତି । ଦେଖାଯାଉଛି ନୂଆ କରି ଗଢିଉଠୁଥିବା ଘରୋଇ ସଂସ୍ଥାଗୁଡିକର ନାକ୍ ରାକିଂ ବହୁ ପୁରୁଣା ବିଶ୍ୱବିଦ୍ୟାଳୟଗୁଡିକଠାରୁ ଆଗରେ । ଏହି ନାକ୍ ର୍ୟାକିଂର ଆଧାରରେ ସେମାନେ ନିଜ ସଂସ୍ଥାରେ ଯୋଗଦେବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ପ୍ରଲୋଭିତ କରନ୍ତି ଏବଂ ସେମାନଙ୍କ ଠାରୁ ମୋଟା ଅଙ୍କର ଫି ଆଦାୟ କରନ୍ତି ।
ନ୍ୟାକ୍ର ୱେବସାଇଟ୍ରେ ଦିଆଯାଇଥିବା ପରିସଂଖ୍ୟାନ ମୁତାବକ ୨୦୧୭ ଜୁଲାଇ ୧ତାରିଖରୁ ୨୦୨୪ ଅକ୍ଟୋବର ୧୧ତାରିଖ ମଧ୍ୟରେ ନାକ୍ ମୋଟ ୪୪୧ଟି ବିଶ୍ୱବିଦ୍ୟାଳୟ ଓ ୭୦୧୪ଟି କଲେଜର ମୂଲ୍ୟାୟନ କରି ସେ ସବୁକୁ ମାନ୍ୟତା ପ୍ରଦାନ କରିଛି । ଏଥି ମଧ୍ୟରୁ ୨୭୮ଟି ଉଚ୍ଚଶିକ୍ଷା ଅନୁଷ୍ଠାନ ଏ++ ପାଇଥିବା ବେଳେ ୭୩୦ଟି ଏ+, ୧୧୭୮ଟି ଏ, ୧୨୦୭ଟି ବି++, ୧୩୦୮ଟି ବି+, ୭୩୩ଟି ସି, ଏବଂ ୫୮ଟି ଡି ମାନ୍ୟତା ପାଇଛି । ଏଥିରୁ କିନ୍ତୁ ଭାରତବର୍ଷରେ ଉଚ୍ଚଶିକ୍ଷାର ସ୍ଥିତି ସଂପର୍କରେ କୌଣସି ସତ୍ୟାସତ୍ୟ ଚିତ୍ର ମିଳିପାରୁନାହିଁ । ଏତେ ସଂଖ୍ୟାରେ ଖାଲି ପଡିଥିବା ଶିକ୍ଷକ ପଦବୀ, ବେଶୀଭାଗ ଶିକ୍ଷାନୁଷ୍ଠାନରେ ଗବେଷଣା ଭିତ୍ତିଭୂମିର ଅଭାବ, ପାଠ୍ୟକ୍ରମ ବାହାରେ ସୃଜନଶୀଳ କାର୍ଯ୍ୟକଳାପର ସଂପୂର୍ଣ୍ଣ ଅନୁପସ୍ଥିତି, ଏହା ସହିତ ଛାତ୍ର ସଂସଦ ନିର୍ବାଚନ ବାତିଲ କରିବା ମଧ୍ୟରେ ଶିକ୍ଷାନୁଷ୍ଠାନଗୁଡିକରେ ଗଣତାନ୍ତ୍ରିକ ବାତାବରଣ ନଷ୍ଟ ହେବାର କୌଣସି ପ୍ରତିଛବି ଉପରେ ଦିଆଯାଇଥିବା ସଂଖ୍ୟାରୁ ବୁଝି ହୁଏ ନାହିଁ । ତେଣୁ ଏହି ପରିସଂଖ୍ୟାନ କେବଳ ଏକ ଧୂଆଁବାଣ ଯାହା ଶିକ୍ଷାନୁଷ୍ଠାନର ପ୍ରକୃତ ଉତ୍କର୍ଷତା କ୍ଷେତ୍ରରେ ଏକ ପ୍ରତିବନ୍ଧକ । ବାସ୍ତବରେ ଦେଖିବାକୁ ଗଲେ ଅନେକ କ୍ଷେତ୍ରରେ ଶିକ୍ଷାର ମାନ ଯେତେ ରସାତଳଗାମୀ ହେଉଛି ନ୍ୟାକ୍ ମାନ୍ୟତା ଗ୍ରେଡ୍ ସେତେ ଉପରକୁ ଉଠୁଛି ।