ପ୍ରତାରଣାପୂର୍ଣ୍ଣ ସ୍ଲୋଗାନର ପୁନରାବୃତ୍ତି : ୫ ବର୍ଷରେ ୫ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ
Sarbaharakranti Dated 16.10.2024 –
ରାଜ୍ୟର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ ଅକ୍ଟୋବର ୨ତାରିଖ ଦିନ ଏକ ଚମକପ୍ରଦ ଘୋଷଣା ଶୁଣାଇଛନ୍ତି । ଆଗାମୀ ୫ବର୍ଷରେ ରାଜ୍ୟରେ ୫ଲକ୍ଷ କୋଟି ଟଙ୍କା ପୁଞ୍ଜିନିବେଶ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ଆସନ୍ତା ୨୦୨୫, ଜାନୁଆରୀ ୨୮ ଓ ୨୯ ତାରିଖରେ ଦିଲ୍ଲୀରେ ଉତ୍କର୍ଷ ଓଡ଼ିଶା-ମେକ ଇନ୍ ଓଡିଶା କନକ୍ଲେଭ୍ ବା ପୁଞ୍ଜି ନିବେଶକ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି । ଏହାର ବ୍ୟାପକ ପ୍ରଚାର ସରକାରୀ ଖର୍ଚ୍ଚରେ ଇତିମଧ୍ୟରେ ଆରମ୍ଭ ହୋଇଯାଇଛି । ଏହି ଅବସରରେ ଅକ୍ଟୋବର ୩ତାରିଖ ଦିନ ଦିଲ୍ଲୀରେ ଅନୁଷ୍ଠିତ ଏକ ରୋଡ ସୋରେ ଯୋଗ ଦେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଏହି ସମ୍ମିଳନୀରେ ସେ ଏହି ବିଶାଳ ପରିମାଣର ପୁଞ୍ଜି ନିବେଶର କଥା ସଗର୍ବେ ଘୋଷଣା କରିଛନ୍ତି । ଏଥି ସହିତ ରାଜ୍ୟ ସରକାରଙ୍କ ୧୦୦ଦିନ କାମର ପ୍ରୋଗ୍ରେସ ରିପୋର୍ଟ ବଖାଣି କହିଛନ୍ତି, ସରକାର ଇତିମଧ୍ୟରେ ୪୫,୦୦୦ କୋଟି ଟଙ୍କାର ପୁଞ୍ଜିନିବେଶର ପ୍ରତିବଦ୍ଧତା ପ୍ରାପ୍ତ କରିଛନ୍ତି । ତେବେ ନିଜ ଦଳର ନିର୍ବାଚନୀ ପ୍ରତିଶୃତି ବର୍ଷକୁ ୫ଲକ୍ଷ ବେକାରଙ୍କୁ ନିଯୁକ୍ତି ସଂପର୍କରେ କେତେ ଅଗ୍ରଗତି କରିଛନ୍ତି, ଏହି ପୁଞ୍ଜିନିବେଶ ମାଧ୍ୟମରେ କେତେ ସଂଖ୍ୟକ ବେକାରଙ୍କୁ ନିଯୁକ୍ତି ଦେଇଛନ୍ତି ସେ ସଂପର୍କରେ ପଦୁଟିଏ ବି କହିନାହାନ୍ତି ବା ସରକାରଙ୍କ ଭାଟ ସାଜିଥିବା ଗଣମାଧ୍ୟମମାନେ ତାଙ୍କୁ ଏ ସଂକ୍ରାନ୍ତୀୟ କୌଣସି ପ୍ରଶ୍ନ ପଚାରି ନାହାନ୍ତି ।
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ମୁଁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରର ପୁଞ୍ଜିନିବେଶକାରୀ କମ୍ପାନୀମାନଙ୍କ ସହିତ ମୁହାଁମୁହିଁ କଥା ହେବି । ରାଜ୍ୟକୁ ଶିଳ୍ପ ସମୃଦ୍ଧ କରିବା ପାଇଁ ଉତ୍ପାଦନ, ଭିତ୍ତିଭୂମି, ବସ୍ତ୍ର, ଖାଦ୍ୟ ପ୍ରକ୍ରିୟାକରଣ, ପ୍ରଯୁକ୍ତି ବିଦ୍ୟା, ପେଟ୍ରୋକେମିକାଲସ ସମେତ ପ୍ରମୁଖ କ୍ଷେତ୍ରଗୁଡିକରେ ପୁଞ୍ଜିବିନିଯୋଗ କରିବା ପାଇଁ ସେମାନଙ୍କୁ ଆମନ୍ତ୍ରଣ କରିବି । ଏହି ଉପଲକ୍ଷେ ଗତ ସେପ୍ଟେମ୍ବର ୨୭ତାରିଖ ଦିନ ‘ଉତ୍କର୍ଷ ଓଡିଶା’ର ଏକ ଲୋଗୋ ଉନ୍ମୋଚନ କାର୍ଯ୍ୟକ୍ରମ ମଧ୍ୟ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ, ଦୁଇ ଉପମୁଖ୍ୟମନ୍ତ୍ରୀ, ପ୍ରମୁଖ ମନ୍ତ୍ରୀଗଣ, ମୁଖ୍ୟ ଶାସନ ସଚିବଙ୍କ ସମେତ ବିଭିନ୍ନ ଶିଳ୍ପ ସଂସ୍ଥାର ମୁଖ୍ୟ ପରିଚାଳକ ବୃନ୍ଦ ତଥା ରାଜ୍ୟର ୩୦ଟି ଜିଲ୍ଲାର ଜିଲ୍ଲାପାଳ ଓ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଏକ ସ୍ୱରରେ କହିଲେ ୨୦୩୬ ସୁଦ୍ଧା ‘ବିକଶିତ ଓଡିଶା’ର ଅଭ୍ୟୁଦୟ ହେବ । ତେବେ ଏହି ଉତ୍ସବରେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରର ପୁଞ୍ଜିନିବେଶକାରୀମାନଙ୍କୁ ରାଜ୍ୟର ମୂଲ୍ୟବାନ ଖଣି, ପାଣି, ଜଙ୍ଗଲ ଭଳି ପ୍ରାକୃତିକ ସଂପଦ ଓ ଲୋକଙ୍କର ଚାଷ ଜମି ଭିଟାମାଟି ଆଦି ସୁବିଧାରେ ଯୋଗାଇଦେବା କ୍ଷେତ୍ରରେ ଜିଲ୍ଲାପାଳମାନଙ୍କ ଭୂମିକାକୁ ମଧ୍ୟ ଭୂୟସୀ ପ୍ରଶଂସା କରିବାକୁ ଶିଳ୍ପମନ୍ତ୍ରୀ ଭୁଲି ନଥିଲେ ।
ତେବେ ଏହିଭଳି ଚମକପ୍ରଦ ପ୍ରତିଶୃତି, ଆଡମ୍ବରପୂର୍ଣ୍ଣ ସରକାରୀ ସଭା, ଘୋଷଣା ଆଦି ଯେ ନୂଆ କିଛି ନୁହେଁ, ତାହା ରାଜ୍ୟବାସୀ, ବିଶେଷକରି ରାଜ୍ୟର ସଚେତନ ଜନସାଧାରଣଙ୍କ ନିକଟରେ ଅଛପା ନୁହେଁ । ଅତୀତରେ କଂଗ୍ରେସ ସରକାରର ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ‘ହଜାର ଦିନରେ ହଜାର କୋଟି ଟଙ୍କାର ପୁଞ୍ଜି ବିନିଯୋଗ ଜରିଆରେ ହଜାର ଶିଳ୍ପ ପ୍ରତିଷ୍ଠା’ର ସ୍ଲୋଗାନ ମଧ୍ୟ ଚର୍ଚ୍ଚାର ବିଷୟ ହୋଇଥିଲା । ୨୦୦୦ ମସିହାରେ ରାଜ୍ୟ କ୍ଷମତାକୁ ଆସିଥିବା ପ୍ରଥମେ ବିଜେଡି-ବିଜେପିର ମେଣ୍ଟ ସରକାର, ପରେ ବିଜେଡି ସରକାର ଦେଶୀ ବିଦେଶୀ ପୁଞ୍ଜିନିବେଶକାରୀଙ୍କୁ ଆକର୍ଷିତ କରି ବ୍ୟାପକ ଶିଳ୍ପାୟନ ଜରିଆରେ ନିଯୁକ୍ତି ସୃଷ୍ଟି କରିବାର ପ୍ରତିଶୃତି ଦେବା ଓ ବଡ ବଡ ପୁଞ୍ଜିପତିମାନଙ୍କ ସମ୍ମିଳନୀ କରି ଏହାର ପ୍ରଚାର ପ୍ରସାର ନିମନ୍ତେ ରାଜ୍ୟ ରାଜକୋଷରୁ ପାଣି ଭଳି ଟଙ୍କା ଖର୍ଚ୍ଚ କରିବା ଆଦି ଘଟଣା ରାଜ୍ୟବାସୀ ଦୀର୍ଘ ୨୩ବର୍ଷ ଧରି ଦେଖି ଦେଖି ଏକପ୍ରକାର ଅଭ୍ୟସ୍ତ ହୋଇଯାଇଥିଲେ । ବର୍ତ୍ତମାନ ମିଥ୍ୟା ପ୍ରଚାରରେ ଧୁରନ୍ଧର ଓ ଲୋକଙ୍କୁ ପ୍ରତାରିତ କରିବାର ନୂଆ ନୂଆ ସ୍ଲୋଗାନ ଓ ପନ୍ଥା ଆବିଷ୍କାର କରିବାରେ ମାହିର ବିଜେପି ଦଳ ଏକାକୀ ରାଜ୍ୟରେ କ୍ଷମତାକୁ ଆସିଛି । ତେଣୁ ‘୫ବର୍ଷରେ ୫ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ,’ ଏହି ଘୋଷଣା ନିକଟରେ ଅତୀତର ସବୁ ଘୋଷଣା ଓ ସ୍ଲୋଗାନର ରଙ୍ଗ ଯେମିତି ଫିକା ପଡିଯାଇଛି । ହଁ, ରାଜ୍ୟରେ ଯେ ପୁଞ୍ଜିନିବେଶ ହେଇ ନାହିଁ, କୌଣସି ଶିଳ୍ପ କାରଖାନା ପ୍ରତିଷ୍ଠା ହୋଇ ନାହିଁ, ତା’ ଆମେ କହୁ ନାହୁଁ । କିନ୍ତୁ ପ୍ରଶ୍ନ ହେଉଛି, ନିଯୁକ୍ତିକୁ ନେଇ, ଜନସାଧାରଣଙ୍କର ଜୀବନଧାରଣର ମାନ ବୃଦ୍ଧିକୁ ନେଇ । ଏ ଦିଗରେ କେତେ ଅଗ୍ରଗତି ହୋଇଛି? ସ୍ୱାଧୀନତା ପୂର୍ବରୁ ଓ ପରେ ରାଜ୍ୟରେ ଯେତିକି ବି ଶ୍ରମଭିତ୍ତିକ ଶିଳ୍ପ କାରଖାନା ଗଢିଉଠିଥିଲା ସେଗୁଡିକ ବନ୍ଦ ହୋଇଯାଇଛି । ପୂର୍ବର କଂଗ୍ରେସ ନେତୃତ୍ୱାଧୀନ ସରକାର ଆଣିଥିବା ଓ କେନ୍ଦ୍ର ବିଜେପି ସରକାରଠାରୁ ଆରମ୍ଭକରି ସମସ୍ତ ରାଜ୍ୟରେ ଥିବା ବିଭିନ୍ନ ଦଳର ସରକାରମାନେ ଲାଗୁକରିଥିବା ଜଗତିକରଣ ଉଦାରୀକରଣ ଅର୍ଥନୀତି, ବିଶେଷକରି ଗତ ପାଳିର ବିଜେପି ସରକାରର ଅତ୍ୟନ୍ତ ଜନବିରୋଧୀ ବିମୁଦ୍ରିକରଣ ଓ ଜିଏସ୍ଟି ଫଳରେ ଧକେଇ ଧକେଇ ଚାଲିଥିବା ବହୁ ସରକାରୀ ଉଦ୍ୟୋଗ, ଅନ୍ୟାନ୍ୟ କାରଖାନା, କ୍ଷୁଦ୍ର ଓ ମଧ୍ୟମ ଧରଣର କାରଖାନା ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି । କିଛି ସରକାରୀ ଉଦ୍ୟୋଗକୁ ମଧ୍ୟ ଘରୋଇକମ୍ପାନୀମାନଙ୍କୁ କବାଡିଆ ଦରରେ ବିକ୍ରୀ କରିଦିଆଯାଇଛି । ଲକ୍ଷ ଲକ୍ଷ ଲୋକ ଛଟେଇ ହୋଇଛନ୍ତି । ରାଜ୍ୟରେ ଚାଲିଥିବା ‘ଡବଲ ଇଞ୍ଜିନ ସରକାର’ ଏହିସବୁ କାରଖାନାକୁ ପୁନଃ କାର୍ଯ୍ୟକ୍ଷମ କରି କାମ ହରାଇଥିବା ଶ୍ରମିକମାନଙ୍କୁ ପୁନର୍ବାର କାମରେ ବାହାଲ କରିବା ପାଇଁ କୌଣସି ପଦକ୍ଷେପ ନେଇଛନ୍ତି କି? ଏହା ନକରି ଏତାଦୃଶ ମନଲୋଭା ଘୋଷଣା ପଛରେ କି ଅଭିସନ୍ଧି ରହିଛି ତାର ଭିତିରି କଥା ଇତିହାସ ହିଁ କହୁଛି । ଶିଳ୍ପାୟନ ନାଁରେ ହଜାର ହଜାର ଏକର ଚାଷ ଜମି, ଖଣି, ପାଣି, ଜଙ୍ଗଲ, ଲୋକଙ୍କର ଭିଟାମାଟି ଏହି ଦେଶୀ ବିଦେଶୀ ଏକଚାଟିଆ ପୁଞ୍ଜିପତିମାନଙ୍କୁ ବଳପୂର୍ବକ ଯୋଗାଇ ଦେଇ ଜନସାଧାରଣଙ୍କୁ ବାସଚ୍ୟୁତ, କର୍ମଚ୍ୟୁତ, ଜୀବନ ଜୀବିକାଚ୍ୟୁତ ଉଦ୍ବାସ୍ତୁ ସର୍ବହରାରେ ପରିଣତ କରିବାର ଯେଉଁ ଧାରା ଚାଲିଛି, ତାହା ଆହୁରି ତ୍ୱରାନ୍ୱିତ ହେବ । ନିଯୁକ୍ତି ବିହୀନ ଶିଳ୍ପାୟନ ହେଉଛି ସମସ୍ତ ସରକାରଙ୍କର ନୀତି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତ ୧୧ଜୁଲାଇ, ୨୦୨୪ରେ ୨୬ଟି ଘରୋଇ ପ୍ରକଳ୍ପକୁ ୬୦୦୦ କୋଟି ଟଙ୍କା ବିନିଯୋଗ କରିବାକୁ ରାଜ୍ୟ ସରକାର ଅନୁମୋଦନ କରିବା ତଥା ଏହାଦ୍ୱାରା କୁଆଡେ ୧୯ ହଜାର ନିଯୁକ୍ତି ସୃଷ୍ଟି ହେବବୋଲି ମୁଖ୍ୟମନ୍ତ୍ରୀଙ୍କ ଦମ୍ଭୋକ୍ତିଭରା କଥା ରାଜ୍ୟବାସୀ ଶୁଣିଛନ୍ତି । ଠିକ ଏହିଭଳି ଘୋଷଣା ରାଜ୍ୟବାସୀ ଦୀର୍ଘ ଦିନ ଧରି ଶୁଣି ଆସୁଛନ୍ତି । ତେବେ ଏହା ଦ୍ୱାରା କେତେ ନିଯୁକ୍ତି ସୃଷ୍ଟି ହୋଇଛି ତା’ କେହି ଜାଣନ୍ତି ନାହିଁ । ରାଜ୍ୟରେ ଗଢିଉଠିଥିବା ଜିନ୍ଦଲ, ମିତ୍ତଲ, ବେଦାନ୍ତ, ଟାଟା ଭଳି କମ୍ପାନୀମାନେ କେତେ ନିଯୁକ୍ତି ଦେଇଛନ୍ତି, ଲୋକଙ୍କର ବିକାଶ ନିମନ୍ତେ କେତେ ପଦକ୍ଷେପ ନେଇଛନ୍ତି? ଆଉ ରାଜ୍ୟର ସଂପଦକୁ ଲୁଟି କେତେ ନିଜର ପୁଞ୍ଜି ବଢାଇଛନ୍ତି, ତାହା ଆଖିରେ ଆଙ୍ଗୁଳି ଗୁଞ୍ଜି କହିବାର ଆବଶ୍ୟକତା ନାହିଁ । ଅନ୍ୟଦିଗରେ କମ୍ପାନୀମାନଙ୍କ ସ୍ୱାଥରେ କଳିଙ୍ଗ ନଗର ଭଳି ବର୍ବର ଗଣହତ୍ୟା ଭିଆଯାଇଛି । କଳାହାଣ୍ଡିର ଲାଞ୍ଜିଗଡ, ଜଗତସିଂହପୁରର ଢିଙ୍କିଆ ଆଦି ସ୍ଥାନମାନଙ୍କରେ ଲୋକଙ୍କ ଉପରେ ନୃଶଂସ ଅତ୍ୟାଚାର କରାଯାଇଛି । ଧୂଳି, ଧୂଆଁ ଅସହ୍ୟ ତାତି, ପ୍ରଦୂଷିତ ପରିବେଶ ମଧ୍ୟରେ ନାନା ରୋଗବ୍ୟାଧିରେ ହନ୍ତସନ୍ତ ହୋଇ ବଂଚିବାକୁ ଏବଂ ଚିକିତ୍ସା ବିନା ମରିବାକୁ ଲୋକଙ୍କୁ ବାଧ୍ୟ କରାଯାଉଛି । ଆଉ ବିଜେପି ତ ଏହି କମ୍ପାନୀମାନଙ୍କର ଅତି ବିଶ୍ୱସ୍ତ ଦଳ । ଏହାର କମ୍ପାନୀ ପ୍ରୀତି କାହାରିକୁ ଅଛପା ନାହିଁ ।
ଏହି ପୃଷ୍ଠଭୂମିରେ ସରକାରଙ୍କର ଏହି ଚମକପ୍ରଦ ଘୋଷଣା ଯେ କେତେ ଚଞ୍ଚକତାପୂର୍ଣ୍ଣ ତା’ ବୁଝିବା ଦରକାର । ଏହି ସମସ୍ତ ସରକାରମାନେ ପ୍ରକୃତ ସତ୍ୟଠାରୁ ଲୋକଙ୍କୁ ଦୂରେଇ ରଖିବାକୁ ଚାହାନ୍ତି । ଅସଲକଥା ହେଲା, ଆମ ଦେଶରେ ପ୍ରଚଳିତ ଥିବା ଶୋଷଣମୂଳକ ପୁଞ୍ଜିବାଦୀ ଅର୍ଥନୈତିକ ବ୍ୟବସ୍ଥାର ସ୍ୱାଭାବିକ ନିୟମରେ ହିଁ ପୁଞ୍ଜିଭିତ୍ତିକ ଶିଳ୍ପରୁ ନିଯୁକ୍ତି ସୃଷ୍ଟି ହେବ ନାହିଁ, ଗୋଟିଏ ନୂଆ କାରଖାନା ଗଢି ଉଠିଲେ ଆଉ ୫ଟା କାରଖାନା ବନ୍ଦ ହେବ । ବେକାରୀ, ଛଟେଇ ଜାରୀ ରହିବ, ଆହୁରି ବୃଦ୍ଧି ପାଇବ । ଉକ୍ତ ପ୍ରସଙ୍ଗରେ ଏ ଯୁଗର ଅଗ୍ରଗଣ୍ୟ ମାର୍କ୍ସବାଦୀ ଦାର୍ଶନିକ କମ୍ରେଡ୍ ଶିବଦାସ ଘୋଷଙ୍କ ଏକ ମୂଲ୍ୟବାନ ବିଜ୍ଞାନ ସମ୍ମତ ବିଶ୍ଳେଷଣ ପାଠକମାନଙ୍କ ବିଚାର ନିମନ୍ତେ ଉପସ୍ଥାପନ କରୁଛୁ । ସେ କହିଛନ୍ତି, “ଶିଳ୍ପର ବିକାଶ ଯେ ହେଉନାହିଁ, ତା’ର କାରଣ ପୁଞ୍ଜିର ଅଭାବ ନୁହେଁ । ତା’ର କାରଣ ବଜାର ସଂକୋଚନ । ବଜାର ସଂକୋଚନ କାହିଁକି ହେଉଛି? କାରଣ ଜନସାଧାରଣଙ୍କ କ୍ରୟ କ୍ଷମତା କ୍ରମାଗତ କମୁଛି । କାହିଁକି କମୁଛି? କାରଣ, ଦେଶରେ ଯେଉଁ ତୀବ୍ର ଅର୍ଥନୈତିକ ସଂକଟ ଚାଲୁଛି, ଯେଉଁ ସଂକଟ ଫଳରେ ଗ୍ରାମର ଅଧିକାଂଶ ଲୋକ ଅର୍ଦ୍ଧଭୁକ୍ତ, ଅର୍ଦ୍ଧନଗ୍ନ, ଯେଉଁମାନଙ୍କର କିଣିବାର କୌଣସି କ୍ଷମତା ନାହିଁ । ସହରରେ ଯେଉଁ ହାରରେ ବେକାରୀ ସମସ୍ୟା ବୃଦ୍ଧି ପାଉଛି. ସେଠି ମଧ୍ୟ ଲୋକଙ୍କର କିଣିବାର କ୍ଷମତା ନାହିଁ । କେବଳ ବଡ ବଡ ବ୍ୟବସାୟୀ, ସରକାରୀ ଅଫିସର, ଅମଲା, ମିଲିଟାରୀ ଅଫିସର ଆଉ ରାଜନୈତିକ ଦଳର ନେତା ଏବଂ ୱାଗନ ବ୍ରେକ୍ର ଦଳର ଯୁବକମାନଙ୍କର କ୍ରୟ କ୍ଷମତା ବଢୁଛି । ଫଳରେ ଏହିଭଳି ଏକ ଦେଶରେ ପୁଞ୍ଜିବାଦୀ ବଜାର ସଂପ୍ରସାରଣ କିଭଳି ହେବ? ପୁଞ୍ଜି ବିନିଯୋଗ କିଭଳି ହେବ?”
ତେଣୁ ଆଜି ଶିଳ୍ପ ବିକାଶ ମାଧ୍ୟମରେ ଲୋକମାନଙ୍କୁ କର୍ମ ସଂସ୍ଥାନ ଯୋଗାଇ ଦେଇ ବେକାରୀ ସମସ୍ୟା ସମାଧାନ ପଥରେ ବାଧା ହେଉଛି ପ୍ରଚଳିତ ପ୍ରତିକ୍ରିୟାଶୀଳ ପୁଞ୍ଜିବାଦୀ ବ୍ୟବସ୍ଥା । ମୁଷ୍ଟିମେୟ ପୁଞ୍ଜିପତି ଶ୍ରେଣୀର ସର୍ବୋଚ୍ଚ ଲାଭ ଉଦ୍ଦେଶ୍ୟରେ ଓ ମାଲିକ-ଶ୍ରମିକ ସଂପର୍କ ଭିତ୍ତିରେ ପରିଚାଳିତ ଉତ୍ପାଦନ ବ୍ୟବସ୍ଥା ହେଉଛି ପୁଞ୍ଜିବାଦୀ ବ୍ୟବସ୍ଥା । ସେ ବିଜେପି ହେଉ ବା କଂଗ୍ରେସ, ବା ବିଜେଡି ଭଳି ଆଂଚଳିକ ଦଳ, ସମସ୍ତେ ହିଁ ଏହି ଶୋଷଣମୂଳକ ପୁଞ୍ଜିବାଦୀ ବ୍ୟବସ୍ଥାକୁ ବଂଚାଇ ରଖିବା ପାଇଁ ଶୋଷକ ପୁଞ୍ଜିପତି ଶ୍ରେଣୀର ସେବାଦାସ ଦଳ ଭାବେ ସରକାରୀ କ୍ଷମତାରେ ରହି ସାଧାରଣ ଚାଷୀ, ଶ୍ରମକ ଖଟିଖିଆ ମଧ୍ୟବିତ୍ତ, ନିମ୍ନ ମଧ୍ୟବିତ୍ତ ଶୋଷିତ ଶ୍ରେଣୀ ବିରୁଦ୍ଧରେ ନୀତି ଓ ପଦକ୍ଷେପମାନ ନେଇଚାଲିଛନ୍ତି । ଫଳରେ ଶିଳ୍ପ ଭିତ୍ତିକ କାରଖାନା ପ୍ରତିଷ୍ଠା କରି ବେକାରୀ ସମସ୍ୟାର ସମାଧାନ ନିମନ୍ତେ ଏହି ପୁଞ୍ଜିବାଦୀ ବ୍ୟବସ୍ଥାର ଧ୍ୱଂସ ସାଧନ କରି ସମାଜତାନ୍ତ୍ରିକ ବିପ୍ଳବ ସଫଳ କରିବାର ସର୍ବାତ୍ମକ ଲଢେଇର ପରିପୂରକ ଶକ୍ତିଶାଳୀ ଗଣଆନ୍ଦୋଳନ ଗଢି ତୋଳିବା ଆଜି ଏକ ଅତୀବ ପ୍ରୟୋଜନୀୟ କାର୍ଯ୍ୟଭାବେ ଦେଖା ଦେଇଛି ।