ପେଟ୍ରୋଲ୍‌- ଡିଜେଲ୍‌ର ମୂଲ୍ୟ ବୃଦ୍ଧି ବିରୁଦ୍ଧରେ ଏସ୍‌.ୟୁ.ସି.ଆଇ(ସି) ପକ୍ଷରୁ ବିକ୍ଷୋଭ ।

କରୋନା ମହାମାରୀ ଓ ଲକ୍‌ଡାଉନ୍ ଯୋଗୁ ଦେଶର ଜନସାଧାରଣ ଭୟାନକ ଆର୍ଥିକ ସଂକଟ ମଧ୍ୟରେ ଗତି କରୁଛନ୍ତି । ଏହିଭଳି ଏକ ସମୟରେ ସରକାର କମ୍ପାନୀ ସ୍ୱାର୍ଥରେ ପ୍ରତ୍ୟେକ ଦିନ ତୈଳ ଦର ବୃଦ୍ଧି କରୁଛନ୍ତି । ଯାହା ଜନସାଧାରଣଙ୍କ ଆର୍ଥକ ମେରୁ ଦଣ୍ଡକୁ ଦୋହଲାଇ ଦେଇଛି । ଗତ ୧୫ ଦିନ ମଧ୍ୟରେ ପେଟ୍ରୋଲ ଲିଟର ପିଛା ୮ଟଙ୍କା ୮୦ ପଇସା ବୃଦ୍ଧି ପାଇ ୮୦ ଟଙ୍କା ଛୁଇଁଥିବାବେଳେ ଡିଜେଲ ଲିଟର ପିଛା ୭ଟଙ୍କା ୯୭ ପଇସା ବୃଦ୍ଧି ପାଇ ୭୭ ଟଙ୍କା ଟପିଛି । ୨୦୦୨ ମସିହାରେ ତୈଳ ଦର ନିଦ୍ଧାରଣ ପ୍ରକ୍ରିୟା ସରକାରୀ ନିୟନ୍ତ୍ରଣ ମୁକ୍ତ ହେବା ପର ଠାରୁ ଏହା ହେଉଛି ତୈଳ ଦରରେ ସବୁଠାରୁ ବଡ ଧରଣର ମୂଲ୍ୟବୃଦ୍ଧି । ଅନ୍ୟ ଦିଗରେ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳର ଦାମ୍ ତୁଳଣାମୂଳକ ଭାବରେ ଶସ୍ତା ଥିବା ବେଳେ ସରକାରଙ୍କ ଦ୍ୱାରା ବର୍ତ୍ତମାନ ପରିସ୍ଥିତିରେ ମୂଲ୍ୟବୃଦ୍ଧି କେବଳ ଅଗଣତାନ୍ତ୍ରିକ ନୁହେଁ ନିତିହୀନ ଓ ଅମାନବୀୟ ମଧ୍ୟ । ତୈଳ ଉପରେ କେନ୍ଦ୍ର ଓ ରାଜ୍ୟ ସରକାର ଆଦାୟ କରୁଥିବା ଟିକସ ବୃଦ୍ଧି କରିବା ଓ ତୈଳ କମ୍ପାନୀଙ୍କୁ ମନ ଇଚ୍ଛା ଲାଭ ଲୁଟିବାର ସୁଯୋଗ ଦେବା ପାଇଁ ତୈଳ ଦର ନିର୍ଦ୍ଧାରଣ ପ୍ରକ୍ରିୟା ସରକାରୀ ନିୟନ୍ତ୍ରଣ ମୁକ୍ତ କରିବା ଫଳରେ ତୈଳ ଦର ବୃଦ୍ଧି ପାଉଛି । ବର୍ତ୍ତମାନ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପେଟ୍ରୋଲ ଉପରେ ୫୦ ଟଙ୍କା ୬୯ ପଇସା ଓ ଡିଜେଲ ଉପରେ ୪୯ ଟଙ୍କା ୪୩ ପାଇସା ଟିକସ ଆଦାୟ କରୁଛନ୍ତି । ସୁଚନାଯୋଗ୍ୟ ଯେ, ୨୦୧୪ରେ କେନ୍ଦ୍ରରେ ବିଜେପି ନେତୃତ୍ୱାଧିନ ମୋଦି ସରକାର କ୍ଷମତାରେ ଆସିବାପରଠାରୁ ଏହି ଟିକସକୁ ୧୨ଥର ବୃଦ୍ଧି କରାଯାଇଛି । ଏହି ତୈଳ ଦର ବୃଦ୍ଧିକୁ ବିରୋଧ କରି ଏସ୍‌ୟୁସିଆଇ(ସି) ପକ୍ଷରୁ କଟକ କଲେଜଛକଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।ଏସ୍‌.ୟୁ.ସି.ଆଇ(ସି) ଜିଲ୍ଲା ସଂପାଦକ ବିଶ୍ୱାବସୁ ଦାସଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବିକ୍ଷୋଭ ସଭାରେ କୁହାଯାଇଛି ଯେ, ଏହା ହେଉଛି ତୈଳ କମ୍ପାନୀଙ୍କ ସ୍ୱାର୍ଥରେ ଚରମ ଜନମାରଣ ନୀତି । ବର୍ତ୍ତମାନ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳର ବ୍ୟାରେଲ୍ ପିଛା ମୂଲ୍ୟ ହ୍ରାସ ପାଇ ପ୍ରାୟ ୪୦ ଡଲାର ରହିଛି । ଅଶୋଧିତ ତୈଳର ଶସ୍ତା ହୋଇଥିଲେ ମଧ୍ୟ ଆମ ଦେଶରେ ପେଟ୍ରୋଲ୍ ଓ ଡିଜେଲ୍ ର ମୂଲ୍ୟ ଆକାଶଛୁଆଁ ବୃଦ୍ଧି ଘଟିଚାଲିଛି । ତେବେ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ଘିଟିଲେ ମଧ୍ୟ ଦେଶର ଜନସାଧାରଣଙ୍କୁ ଉପକୃତ କରାଇବା ପରିବର୍ତ୍ତେ ସରକାର ତୈଳ କମ୍ପାନୀମାନଙ୍କ ସ୍ୱାର୍ଥ ରକ୍ଷା କରି ଆସୁଛନ୍ତି । ଅତ୍ୟନ୍ତ ଦୁଃଖର ବିଷୟ କରୋନା ଭଳି ମହାମାରୀ ପରିସ୍ଥିତିରେ ଯେତେବେଳେ ଜନସାଧାରଣ ନିଯୁକ୍ତି ହରାଇ ତାର ଜୀବନ- ଜୀବିକା ବିପନ୍ନ ହୋଇ ପଡିଛି, ଖାଇବାକୁ ନପାଇ ମୃତ୍ୟୁବରଣ କରୁଛି, ସେତେବେଳେ ଜନସାଧାରଣଙ୍କ ସମସ୍ୟା ଦୂର କରିବା ପରିବର୍ତ୍ତେ ବୋଝ ଉପରେ ନଳିତା ବିଡା ସଦୃଶ ଏହି ମୂଲ୍ୟ ବୃଦ୍ଧି କରିଛନ୍ତି । ଏହି ମୂଲ୍ୟ ବୃଦ୍ଧି ଫଳରେ ଗୋଟିଏ ପଟେ ଲୋକେ ଅଧିକ ଦାମ୍‌ରେ ପେଟ୍ରୋଲ୍ ଓ ଡିଜେଲ୍ କିଣିବେ ଏବଂ ଅନ୍ୟପଟେ ପରିବହନ ଖର୍ଚ୍ଚ ବୃଦ୍ଧି ଯୋଗୁଁ ଦରଦାମ ମଧ୍ୟ ବୃଦ୍ଧି ଘଟିବ । ତୁରନ୍ତ ଜନବିରୋଧି ତୈଳ ମୁଲ୍ୟ ବୃଦ୍ଧି ପ୍ରତ୍ୟାହାର କରିବାକୁ ଏସ୍‌.ୟୁ.ସି.ଆଇ(ସି) ପକ୍ଷରୁ ଦୃଢ ଦାବି କରାଯାଇଥିଲା ।

Leave a Reply

Your email address will not be published. Required fields are marked *