କରୋନା ମହାମାରୀର ଦ୍ୱିତୀୟ ଲହର ପରିପ୍ରେକ୍ଷୀରେ ଏସ୍ୟୁସିଆଇ(କମ୍ୟୁନିଷ୍ଟ) ସାଧାରଣ ସମ୍ପାଦକ କମ୍ରେଡ୍ ପ୍ରଭାସ ଘୋଷଙ୍କ ବକ୍ତବ୍ୟ
Sarbaharakranti – 15.04.2021 – କରୋନାର ଦ୍ୱିତୀୟ ଲହର ସମଗ୍ର ଦେଶରେ ହାହାକାରମୟ ପରିସ୍ଥିତି ସୃଷ୍ଟି କରିଥିଲାବେଳେ ଏସ୍ୟୁସିଆଇ(ସି) ସାଧାରଣ ସମ୍ପାଦକ କମ୍ରେଡ୍ ପ୍ରଭାସ ଘୋଷ ୨୦୨୧ ମସିହା ଏପ୍ରିଲ ୧୬ ତାରିଖରେ ନିମ୍ନଲିଖିତ ବିବୃତ୍ତି ଜାରି କରିଛନ୍ତି ।
“ଆମେ ବର୍ତ୍ତମାନ କରୋନା ମହାମାରୀର ଦ୍ୱିତୀୟ ଲହରଦ୍ୱାରା କବଳିତ ହୋଇଛୁ । ଏହା ପ୍ରଥମ ଲହରଠାରୁ ଆହୁରି ମାରାତ୍ମକ ଏବଂ ଏହାର ପ୍ରକୋପରେ ଇତିମଧ୍ୟରେ ହଜାର ହଜାର ଲୋକଙ୍କର ଜୀବନହାନୀ ଘଟିଛି । ପରିସ୍ଥିତି ଅତ୍ୟନ୍ତ ଭୟଙ୍କର ହୋଇଥିବା ସତ୍ତ୍ୱେ ବିଜେପି ନେତୃତ୍ୱାଧିନ କେନ୍ଦ୍ର ସରକାର କିମ୍ବା କୌଣସି ରାଜ୍ୟ ସରକାର ପରିସ୍ଥିତିକୁ ସଠିକ୍ ଭାବରେ ମୁକାବିଲା କରିବାପାଇଁ କାର୍ଯ୍ୟତଃ କୌଣସି ପଦକ୍ଷେପ ଗ୍ରହଣ କରୁ ନାହାନ୍ତି । ଗତବର୍ଷ ଏହି ମହାମାରୀ ଲକ୍ଷ ଲକ୍ଷ ଲୋକଙ୍କର ଜୀବନ ନେଇଥିଲା ଓ କୋଟି କୋଟି ଲୋକଙ୍କୁ ବ୍ୟାପକ ଅର୍ଥନୈତିକକୁ ଦୁଃସ୍ଥିତିରେ ନିକ୍ଷେପ କରିଥିଲା । ସେତେବେଳେ ଏହା ଅତ୍ୟନ୍ତ ଦୁଃଖଦାୟକ ଭାବରେ ସ୍ପଷ୍ଟ ହୋଇଥିଲା ଯେ ପୂର୍ବସରକାର ଓ ବର୍ତ୍ତମାନର ସରକାରମାନଙ୍କଦ୍ୱାରା ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟସେବା କ୍ଷେତ୍ରଟି ଗୁରୁତର ଭାବରେ ଅବହେଳିତ ହୋଇଥିବାରୁ ଆମ ଦେଶରେ ଯଥେଷ୍ଟ ସଂଖ୍ୟକ ହାସପାତାଳରେ ଚିକିତ୍ସା ପାଇଁ ଆବଶ୍ୟକ ଶଯ୍ୟା, ଭେଣ୍ଟିଲେଟର, ଅକ୍ସିଜେନ୍ ସିଲିଣ୍ଡର, ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀ ଏବଂ ଅତ୍ୟାବଶ୍ୟକ ଔଷଧର ଦୟନୀୟ ଅଭାବ ରହିଛି । ଦେଶରେ କୋଭିଡ୍-୧୯ ଟିକାର ଗୁରୁତର ଅଭାବ ଉପଲବ୍ଧ ହେଉଥିଲାବେଳେ ଗତବର୍ଷ କରୋନାକୁ ଦେଶରୁ ହଟାଇବା ପାଇଁ ତାଳି ମାରିବା, ଥାଳିପିଟିବା, ଦୀପ ଓ ଟର୍ଚ୍ଚ ଜଳାଇବା, ସାମରିକ ହେଲିକ୍ୟାପ୍ଟରରୁ ପୁଷ୍ପବୃଷ୍ଟି କରିବା ଇତ୍ୟାଦି କରିଥିବା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ବର୍ତ୍ତମାନ ଟୀକା ଉତ୍ସବ ପାଳନ କରାଯିବା କ’ଣ ଏହି ଗୁରୁତର ପରିସ୍ଥିତି ପ୍ରତି ବିଦ୍ରୁପ ନୁହେଁ? ଜନସାଧାରଣଙ୍କର ଅମୂଲ୍ୟ ଜୀବନପ୍ରତି ସରକାରଙ୍କ ଯଦି ସାମାନ୍ୟତମ ଦରଦ ଥାଆନ୍ତା ତା’ହେଲେ କରୋନାର ଦ୍ୱିତୀୟ ଲହର ଆସିବା ପୂର୍ବରୁ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ରହିଥିବା ସମସ୍ତ ଅଭାବ ପୂରଣ ପାଇଁ ଯଥେଷ୍ଟ ସମୟ ଥିଲା । ଏକଚାଟିଆ ପୁଞ୍ଜିପତିମାନଙ୍କୁ ଦିଆଯାଉଥିବା ରିହାତି ବହୁଗୁଣିତ ହେଉଥିଲାବେଳେ ଦେଶର ସ୍ୱାସ୍ଥ୍ୟସେବା ବଜେଟ୍ ଏବେ ମଧ୍ୟ ଅତ୍ୟନ୍ତ ସୀମିତ । ସାମରିକ ଓ ପ୍ରଶାସନିକ ଖର୍ଚ୍ଚ ଲଗାତର ବଢ଼ି ଚାଲିଛି । ଗୋଟିଏ ଦିଗରେ ଏକ ଦର୍ଶନୀୟ ଆଡ଼ମ୍ବରପୂର୍ଣ୍ଣ ପ୍ରାସାଦ ଭାବରେ ନୂତନ ପାର୍ଲାମେଣ୍ଟ ଗୃହ ନିର୍ମାଣ, ଏହାର ଆଖପାଖ ଅଞ୍ଚଳର ସୌନ୍ଦର୍ଯ୍ୟକରଣ ତଥା ପ୍ରଧାନମନ୍ତ୍ରୀ ଓ ଅନ୍ୟାନ୍ୟ ମନ୍ତ୍ରୀମାନଙ୍କର ବିଳାସବ୍ୟସନ ପାଇଁ ବିପୁଳ ଖର୍ଚ୍ଚ କରାଯାଉଛି, ଯେତେବେଳେ କି ଅନ୍ୟ ଦିଗରେ ହଜାର ହଜାର ଅସହାୟ, ଦାରିଦ୍ର୍ୟର ଶୀକାର ଜନସାଧାରଣ ସ୍ୱାସ୍ଥ୍ୟସେବାପାଇଁ ଆର୍ତ୍ତଚିତ୍କାର କରୁଛନ୍ତି ଏବଂ ଏଥିରୁ ବଂଚିତ ହୋଇ ମୃତ୍ୟୁମୁଖରେ ପଡ଼ୁଛନ୍ତି । ଗତବର୍ଷ ପ୍ରଧାନମନ୍ତ୍ରୀ ତାଙ୍କର ସରକାରୀ କ୍ଷମତା ଉପଯୋଗକରି “ପିଏମ୍ କେୟାର ଫଣ୍ଡ” ପାଇଁ ବିପୁଳ ପରିମାଣର ଅର୍ଥ ସଂଗ୍ରହ କରିଥିଲେ । ସେହି ଫଣ୍ଡରେ କେତେଟଙ୍କା ଅଛି ଏବଂ ସେହି ଟଙ୍କା କାହାପାଇଁ ଖର୍ଚ୍ଚ କରାଯାଉଛି ସେକଥା କେହି ଜାଣନ୍ତି ନାହିଁ । ସବୁକିଛି ରହସ୍ୟଘେରରେ ରହିଛି ।
ହିନ୍ଦୁତ୍ୱର ଧ୍ୱଜାଧାରୀମାନଙ୍କର କ’ଣ କୌଣସି ମାନବୀୟ ସମ୍ବେଦନଶୀଳତା ଅଛି? ଦ୍ୱିତୀୟଥର ଘାତକ କରୋନା ମହାମାରୀ ଜଙ୍ଗଲର ନିଆଁଭଳି ବ୍ୟାପୀଚାଲିଥିଲାବେଳେ ଚଳିତ ନିର୍ବାଚନରେ କୌଣସି ଉପାୟରେ ଜୟଯୁକ୍ତ ହୋଇ କ୍ଷମତା ଦଖଲ କରିବାପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚକରି ଭୋଟ୍ ଖରିଦ୍ କରାଯାଉଛି ଏବଂ ସ୍ୱାସ୍ଥ୍ୟ ମାର୍ଗଦର୍ଶିକା ଉଲ୍ଲଂଘନ କରି ବ୍ୟାପକ ସଂଖ୍ୟକ ଲୋକଙ୍କୁ ଏକତ୍ରିତକରି ପ୍ରଧାମନ୍ତ୍ରୀ, ଗୃହମନ୍ତ୍ରୀ, ପ୍ରତିରକ୍ଷାମନ୍ତ୍ରୀ ଓ ବିଜେପିର ତୁଙ୍ଗନେତାମାନେ ଦିନରାତି ନିର୍ବାଚନ ପ୍ରଚାରରେ ବ୍ୟସ୍ତ ରହିଛନ୍ତି ।
ଅନ୍ୟସମସ୍ତ ପୁଞ୍ଜିବାଦୀ-ସାମ୍ରାଜ୍ୟବାଦୀ ଦେଶର ଚିତ୍ର ମଧ୍ୟ ସମାନଭାବରେ ଭୟାବହ । ଏହା ହେଉଛି ପୁଞ୍ଜିବାଦର କ୍ରୁର ଅମାନବୀୟ ଚେହେରା । ପୁଞ୍ଜିବାଦ ଜନସାଧାରଣଙ୍କ ଜୀବନପ୍ରତି ଭ୍ରୁକ୍ଷେପ କରେ ନାହିଁ, ମୁନାଫା ଲୁଟ୍ ହିଁ ଏହାର ଏକମାତ୍ର ଉଦ୍ଦେଶ୍ୟ । ସେଥିପାଇଁ କୋଭିଡ୍-୧୯ ସଂକ୍ରମଣ ଓ ଅନାହାରରେ ପ୍ରତ୍ୟେକଦିନ ଲକ୍ଷ ଲକ୍ଷ ଲୋକ ମୃତ୍ୟୁମୁଖରେ ପଡ଼ୁଥିଲାବେଳେ ବଡ଼ବଡ଼ କର୍ପୋରେଟ୍ ହାଉସ୍ ଓ ଦୈତ୍ୟକାୟ ବହୁଜାତୀୟ କମ୍ପାନୀମାନେ ବିପୁଳ ପରିମାଣର ମୁନାଫା ଲୁଟ୍ କରିଚାଲିଛନ୍ତି ଏବଂ ସେମାନଙ୍କର ସମ୍ପତ୍ତି ବହୁଗୁଣିତ କରିଛନ୍ତି । ଆହୁରି ମଧ୍ୟ ସମଗ୍ର ବିଶ୍ୱର ମାନବତା ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏହିଧରଣର ଗୋଟିଏ ଅଭୁତପୂର୍ବ ସଙ୍କଟ ଓ ଏହା ସହିତ ସୃଷ୍ଟି ହୋଇଥିବା ଅର୍ଥନୈତିକ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଥିଲାବେଳେ ପୁଞ୍ଜିବାଦୀ-ସାମ୍ରାଜ୍ୟବାଦୀ ଶାସକମାନେ ନିଜ ନିଜର ସମସ୍ତ ସାଧନ ଏକତ୍ରିତ କରି ସମଗ୍ର ମାନବଜାତିକୁ ଏହି ଦୁର୍ଦ୍ଦଶା ହାତରୁ ରକ୍ଷା କରିବାପାଇଁ ଏହି ପ୍ରାଣଘାତୀ ଭୂତାଣୁ ବିରୁଦ୍ଧରେ ମିଳିତ ଲଢ଼େଇ ପରିଚାଳନା କରିବା ପରିବର୍ତ୍ତେ ଅନ୍ୟ ଦେଶ ଉପରେ ଆଧିପତ୍ୟ ଜାହିର କରିବା, ନିଜ ନିଜର ପ୍ରଭାବାଧିନ ଅଞ୍ଚଳକୁ ବିସ୍ତାରିତ କରିବା ଉଦ୍ଦେଶ୍ୟରେ ନିଜନିଜ ମଧ୍ୟରେ କ୍ରୁର ବାଣିଜ୍ୟଯୁଦ୍ଧ ଚଳାଇଛନ୍ତି, ସାମରିକ ବଜେଟ୍ ଅତ୍ୟଧିକ ବୃଦ୍ଧି କରିଛନ୍ତି ଏବଂ ଆଞ୍ଚଳିକ ଯୁଦ୍ଧ ଓ ସୀମାରେ ଉତ୍ତେଜନା ସୃଷ୍ଟି କରୁଛନ୍ତି । ଏହା ମଧ୍ୟ ପୁଞ୍ଜିବାଦର ପୈଶାଚିକ ଓ ଅମାନବୀୟ ଚେହେରାକୁ ପ୍ରଦର୍ଶିତ କରୁଛି । ପୁଞ୍ଜିବାଦ-ସାମ୍ରାଜ୍ୟବାଦ ପାଇଁ ସର୍ବୋଚ୍ଚ ମୁନାଫାଲୁଟ୍ ହେଉଛି ସବୁକିଛି, ସାଧାରଣ ଲୋକଙ୍କ ଜୀବନପାଇଁ ଏମାନଙ୍କର କୌଣସି ଚିନ୍ତା ନାହିଁ ।
ଶାସକ ସାମ୍ରାଜ୍ୟବାଦୀ-ପୁଞ୍ଜିବାଦୀମାନଙ୍କ ବିରୁଦ୍ଧରେ ଜନସାଧାରଣଙ୍କର ସୁସଂଗଠିତ ସଂଗ୍ରାମ ପରିଚାଳନା କରିବା ଏବଂ ଆନ୍ଦୋଳନ ଚାପରେ ଏହି ଭୟାବହ ପରିସ୍ଥିତିର ଉପଯୁକ୍ତ ମୁକାବିଲା ପାଇଁ ତୁରନ୍ତ ଏବଂ ପର୍ଯ୍ୟାପ୍ତ ପଦକ୍ଷେପ ଗ୍ରହଣ କରିବାପାଇଁ ଶାସକମାନଙ୍କୁ ବାଧ୍ୟ କରି ଏବଂ ଶେଷପର୍ଯ୍ୟନ୍ତ ଭାରତ ସମେତ ପୃଥିବୀର ସମସ୍ତ ଦେଶରେ ପୁଞ୍ଜିବାଦ ବିରୋଧି ସମାଜତାନ୍ତ୍ରିକ ବିପ୍ଳବର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ହେଉଛି ବର୍ତ୍ତମାନ ସମୟର ଜରୁରୀ ଆବଶ୍ୟକତା ।