ଐତିହାସିକ ନନ୍ଦୀଗ୍ରାମ ଆନ୍ଦୋଳନକୁ କାଳିମାଲିପ୍ତ କର ନାହିଁ

Sarbaharakranti – 15.04.2021 – ଐତିହାସିକ ନନ୍ଦୀଗ୍ରାମ ଆନ୍ଦୋଳନକୁ କାଳିମାଲିପ୍ତ କର ନାହିଁ
ମାର୍ଚ୍ଚ ୨୯ ତାରିଖରେ ଜାରୀ କରାଯାଇଥିବା ଏକ ପ୍ରେସ୍‍ ଇସ୍ତାହାରରେ ଏସ୍‍ୟୁସିଆଇ(କମ୍ୟୁନିଷ୍ଟ) ପଶ୍ଚିମବଙ୍ଗ ରାଜ୍ୟ ସମ୍ପାଦକ ତଥା କେନ୍ଦ୍ରୀୟ କମିଟି ସଦସ୍ୟ କମ୍ରେଡ୍‍ ଚଣ୍ଡୀଦାସ ଭଟ୍ଟାଚାର୍ଯ୍ୟ ଉଲ୍ଲେଖ କରିଛନ୍ତି ଯେ – ଚଳିତ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଅବ୍ୟବହିତ ପୂର୍ବରୁ ତୃଣମୂଳ କଂଗ୍ରେସ, ବିଜେପି ଓ ସିପିଆଇ(ଏମ୍‍) ଦଳମାନେ ଐତିହାସିକ ନନ୍ଦୀଗ୍ରାମ ଆନ୍ଦୋଳନ ସମ୍ପର୍କରେ ସମ୍ପୂର୍ଣ୍ଣ ଅସଙ୍ଗତ, କୁରୁଚିପୂର୍ଣ୍ଣ ଓ ବିଭ୍ରାନ୍ତିକର ମନ୍ତବ୍ୟ ଦେଉଥିବା ଏବଂ ଏହି ଆନ୍ଦୋଳନ ସମ୍ପର୍କିତ ବାସ୍ତବତାକୁ ବିକୃତ କରୁଥିବା ଆମ ଦୃଷ୍ଟିକୁ ଆସିଛି । ଏକଥା ସମସ୍ତେ ଜାଣନ୍ତି ଯେ ହଜାର ହଜାର ଚାଷୀଙ୍କୁ ସେମାନଙ୍କର ଜମିରୁ ଉଚ୍ଛେଦକରି ସେଠାରେ ଇଣ୍ଡୋନେସିଆର ବୃହତ୍‍ କର୍ପୋରେଟ୍‍ ହାଉସ୍‍ ‘ସଲିମ୍‍’ କମ୍ପାନୀର ସହାୟତାରେ ନନ୍ଦୀଗ୍ରାମଠାରେ ବିଶେଷ ଅର୍ଥନୈତିକ ଅଞ୍ଚଳ (SEZ) ପ୍ରତିଷ୍ଠା କରିବାପାଇଁ ପଶ୍ଚିମବଙ୍ଗର ତତ୍‍କାଳୀନ ସିପିଆଇ(ଏମ୍‍) ନେତୃତ୍ୱାଧିନ ସରକାରର ଗୋପନ ଯୋଜନା ବିରୁଦ୍ଧରେ ଆନ୍ଦୋଳନ ଆରମ୍ଭ ହୋଇଥିଲା । ସରକାରଙ୍କର ଏହି ଯୋଜନାକୁ ବିଫଳ କରିବାପାଇଁ ଜନସାଧାରଣଙ୍କର ସଂଗ୍ରାମୀ କମିଟି “ଭୂମି ଉଚ୍ଛେଦ ପ୍ରତିରୋଧ କମିଟି” ନେତୃତ୍ୱରେ ପ୍ରତିରୋଧ ଆନ୍ଦୋଳନ ଚାଲିଥିଲା । ଆମ ଦଳର ଜଣେ ସ୍ଥାନୀୟ ନେତା କମ୍ରେଡ୍‍ ନନ୍ଦ ପାତ୍ର ଏହି କମିଟିର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଆବାହକ ଥିଲେ । ଆମେ ସ୍ପଷ୍ଟଭାବରେ କହିବାକୁ ଚାହୁଁ ଯେ ଏହି ଆନ୍ଦୋଳନକୁ ବଳପୂର୍ବକ ଦମନ କରିବାପାଇଁ ତତ୍‍କାଳୀନ କ୍ଷମତାସୀନ ସିପିଆଇ(ଏମ୍‍) ନେତୃତ୍ୱାଧୀନ ସରକାର ବାମପନ୍ଥାର ଝଣ୍ଡାକୁ ପଦଦଳିତକରି ସଶସ୍ତ୍ର ପୁଲିସ ଓ ଅପରାଧି ବାହିନୀଦ୍ୱାରା ଆନ୍ଦୋଳନକାରୀମାନଙ୍କ ବିରୁଦ୍ଧରେ ନଜିରବିହୀନ ଗଣହତ୍ୟା ଓ ବ୍ୟାପକ ଗଣଧର୍ଷଣ ସଙ୍ଗଠିତ କରିଥିଲା । ଏପରିକି ଆଜି ମଧ୍ୟ ନନ୍ଦୀଗ୍ରାମର ବହୁ ପରିବାର ସେହି ଅତ୍ୟାଚାର ଓ ଦମନର ଦୁଃଖ ଯନ୍ତ୍ରଣା ବହନ କରୁଛନ୍ତି ।
ଆମେ ଏହା ମଧ୍ୟ କହିବାକୁ ଚାହୁଁ ଯେ କୌଣସି ବିଶେଷ ନେତା ବା ଦଳ ପକ୍ଷରେ ଐତିହାସିକ ନନ୍ଦୀଗ୍ରାମ ଆନ୍ଦୋଳନର ସଫଳତାର ଶ୍ରେୟ ଆତ୍ମସାତ୍‍ କରିବାପାଇଁ ଉଦ୍ୟମ ସମ୍ପୂର୍ଣ୍ଣ ଅନୈତିକ । ନନ୍ଦୀଗ୍ରାମର ସାଧାରଣ ମଣିଷ ହିଁ ନିଜ ଜୀବନ ଓ ଜୀବିକା ଉପରେ ଚାଲିଥିବା ଆକ୍ରମଣକୁ ପ୍ରତିହତ କରିବାପାଇଁ ରକ୍ତ ଢାଳିଥିଲେ ଏବଂ ଜୀବନ ଉତ୍ସର୍ଗ କରିଥିଲେ । ସେମାନଙ୍କର ଦୃଢ଼ତା ଓ ଅନମନୀୟ ମନୋବଳ ସେମାନଙ୍କୁ ଶେଷପର୍ଯ୍ୟନ୍ତ ବିଜୟ କରିଥିଲା । ଏହାଥିଲା ଗଣତାନ୍ତ୍ରିକ ଆନ୍ଦୋଳନର ବିଜୟ ।
ନିର୍ବାଚନରେ, ଭୋଟ ରାଜନୀତିରେ ଫାଇଦା ହାସଲ କରିବାପାଇଁ କୌଣସି ରାଜନୈତିକ ଦଳ ପକ୍ଷରେ ଏହି ଗୌରବୋଜ୍ଜ୍ୱଳ ସଂଗ୍ରାମକୁ ବ୍ୟବହାର କରାଯିବା ଅନୁଚିତ । ଆମେ ସମସ୍ତ ରାଜନୈତିକ ଦଳମାନଙ୍କୁ ଏହି ନିବେଦନ କରୁଛୁ ।
ଆମେ ସମସ୍ତଙ୍କୁ ସ୍ମରଣ କରାଇଦେବାକୁ ଚାହୁଁ ଯେ ଆମ ଦଳ ସଠିକ୍‍ ମାର୍କ୍ସବାଦୀ ଦୃଷ୍ଟିଭଙ୍ଗୀ, ଲଢ଼ୁଆ ବାମପନ୍ଥା ଓ ଗଣଆନ୍ଦୋଳନର ଧାରାବାହିକତାରେ ଏହି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛି । ଗୋଟିଏ ଦିଗରେ ଆମେ କେନ୍ଦ୍ରର ଫାସିଷ୍ଟ ସରକାରର ବିଷାକ୍ତ ସାମ୍ପ୍ରଦାୟିକତା ଏବଂ ଜନବିରୋଧି ନୀତି, ରାଜ୍ୟର ଦୁର୍ନିତୀଗ୍ରସ୍ତ ଓ ଅତ୍ୟାଚାରୀ ତୃଣମୂଳ କଂଗ୍ରେସ ସରକାର ତଥା ସିପିଆଇ(ଏମ୍‍)-କଂଗ୍ରେସ-ଆଇଏସ୍‍ଏଫ୍‍ର ସୁବିଧାବାଦୀ ମେଣ୍ଟ ବିରୁଦ୍ଧରେ ଲଢ଼େଇ ଜାରି ରଖିଛୁ ।

Leave a Reply

Your email address will not be published. Required fields are marked *