ଭୋଟ ସ୍ୱାର୍ଥରେ ନୁହେଁ ଲଢ଼ୁଆ ଶ୍ରେଶୀ ସଂଗ୍ରାମ ଓ ଗଣଆନ୍ଦୋଳନ ପାଇଁ ଆମେ ଐକ୍ୟ ଚାହୁଁ
Sarbaharakranti 15.05.2021 – ଆନ୍ଧ୍ରପ୍ରଦେଶର ବିଶାଖାପାଟଣାଠାରେ ଏପ୍ରିଲ ୧୪ ରୁ ୧୮ ପର୍ଯ୍ୟନ୍ତ ସିପିଆଇ(ଏମ୍) ଦଳର ୨୧ ତମ ପାର୍ଟି କଂଗ୍ରେସ ଅନୁଷ୍ଠିତ ହୋଇଥିଲା । ଏହି କଂଗ୍ରେସର ଉଦ୍ଘାଟନୀ ଅଧିବେଶନରେ ଅତିଥି ଭାବରେ ଯୋଗଦେବାପାଇଁ ଆମନ୍ତ୍ରିତ ହୋଇ ଏସ୍ୟୁସିଆଇ (କମ୍ୟୁନିଷ୍ଟ) ପାର୍ଟିର ସାଧାରଣ ସମ୍ପାଦକ କମ୍ରେଡ଼ ପ୍ରଭାଷ ଘୋଷ ନିମ୍ନଲିଖିତ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ସଂପ୍ରତି ଶେଷ ହୋଇଥିବା ପଶ୍ଚିମବଙ୍ଗ ରାଜ୍ୟ ବିଧାନସଭା ନିର୍ବାଚନ ପରିପେକ୍ଷିରେ କମ୍ରେଡ୍ ପ୍ରଭାଷ ଘୋଷଙ୍କ ବ୍ୟକ୍ତବ୍ୟର ଗୁରୁତ୍ୱ ଦୃଷ୍ଟିରୁ ଏହାର ଓଡିଆ ଅନୁବାଦ ସର୍ବହରା କ୍ରାନ୍ତିରେ ପୁନର୍ବାର ପ୍ରକାଶ କରାଯାଇଛି । ସଂପାଦକ-ସର୍ବହରା କ୍ରାନ୍ତି କମ୍ରେଡ଼ ସଭାପତି, ସିପିଆଇ(ଏମ୍) ସାଧାରଣ ସମ୍ପାଦକ କମ୍ରେଡ଼୍ ପ୍ରକାଶ କାରାତ ଓ ସିପିଆଇ(ଏମ୍) ପଲିଟ୍ବ୍ୟୁରୋର ସଦସ୍ୟବୃନ୍ଦ, ଅନ୍ୟାନ୍ୟ ବାମପନ୍ଥୀ ଦଳର ନେତୃବୃନ୍ଦ ଓ କମ୍ରେଡ଼୍ ପ୍ରତିନିଧିବୃନ୍ଦ, ଆମଦଳ ସୋସିଆଲିଷ୍ଟ ୟୁନିଟି ସେଣ୍ଟର ଅଫ ଇଣ୍ଡିଆ(କମ୍ୟୁନିଷ୍ଟ) ପକ୍ଷରୁ ଆପଣମାନଙ୍କୁ ଅଭିନନ୍ଦନ ଜ୍ଞାପନ କରୁଛ । ଆପଣଙ୍କ ଦଳର ପାର୍ଟି କଂଗ୍ରେସର ଉଦ୍ଘାଟନୀ ଅଧିବେଶନରେ ଆମଦଳକୁ ଆମନ୍ତ୍ରଣ କରିଥିବାରୁ ଆମର ଧନ୍ୟବାଦ ସ୍ୱୀକାର କରନ୍ତୁ । କମ୍ରେଡ୍, ଦେଶର ଏକ ଅଦ୍ଭୂତପୂର୍ବ ସଂକଟ ସମୟରେ ଆପଣମାନଙ୍କର ପାର୍ଟି କଂଗ୍ରେସ ଅନୁଷ୍ଠିତ ହେଉଛି । ଦେଶର ବୃହତ୍ତମ ବାମପନ୍ଥୀ ଦଳ ହୋଇଥିବାରୁ ଏହି କଂଗ୍ରେସରେ ଆପଣମାନଙ୍କର ସିଦ୍ଧାନ୍ତ ଏବଂ ପରବର୍ତ୍ତି ସମୟରେ ସେହି ସିର୍ଦ୍ଧାନ୍ତ କାର୍ଯ୍ୟକାରୀ କରାଯିବା ଉପରେ ଦେଶର ବାମପନ୍ଥୀ ଆନ୍ଦୋଳନର ଭବିଷ୍ୟତ ଅନେକଟା ନିର୍ଭର କରେ । ଦୀର୍ଘଦିନ ପୂର୍ବରୁ ମହାନ ଲେଲିନ୍ କହିଥିଲେ, ପୁଞ୍ôଜବାଦ ଏକଦା ଗଣତନ୍ତ୍ର ଓ ବ୍ୟକ୍ତି ସ୍ୱାଧିନତା ପ୍ରତି ଦାୟବଦ୍ଧଥିଲା, କିନ୍ତୁ ସାମ୍ରାଜ୍ୟବାଦର ସ୍ତରରେ ପହଞ୍ôଚ ତାହା ଅମଲାତନ୍ତ୍ର ଓ ସମରବାଦ ଉପରେ ଅଧିକ ନିର୍ଭରଶୀଳ । ମହାନ ଷ୍ଟାଲିନ୍ ତାଙ୍କର ମୃତ୍ୟୁର କିଛିକାଳ ପୂର୍ବରୁ ସେଭିଏତ୍ କମ୍ୟୁନିଷ୍ଟ ପାର୍ଟିର ୧୯ତମ ସମ୍ମିଳନୀରେ କହିଥିଲେ ଯେ, ବୁର୍ଜୁଆମାନେ ଉଦାର ଗଣତନ୍ତ୍ରର ପତାକାକୁ ଭୁଲୁଣ୍ଠିତ କରିଛନ୍ତି । ଆମେ ବର୍ତ୍ତମାନ ଦେଖୁଛୁ ପାର୍ଲାମେଣ୍ଟାରୀ ଗଣତନ୍ତ୍ର ବାସ୍ତବରେ ନିର୍ଲଜ୍ଜ ଭଣ୍ଡାମୀ ଛଡ଼ା ଆଉ କିଛି ନୁହେଁ । ବହୁପ୍ରଚାରିତ ସ୍ୱାଧିନ, ମୁକ୍ତ ଓ ଅବାଧ ନିର୍ବାଚନ ହେଉଛି ମସ୍ତବଡ଼ ପ୍ରତାରଣା । ଭୋଟର ଫଳାଫଳ ଜନସାଧାରଣ ନିର୍ଦ୍ଧାରଣ କରନ୍ତିନାହିଁ, କରନ୍ତି ବୁର୍ଜୁଆମାନେ । ଶାସକ ବୁର୍ଜୁଆମାନେହିଁ ସେମାନଙ୍କର ବିଶ୍ୱସ୍ତ ରାଜନୈତିକ ସେବାଦାସକୁ ବାଛି ନିଅନ୍ତି, ନିର୍ବାଚନ ନାମରେ କୌଣସି ଗୋଟିଏ ସରକାରକୁ କ୍ଷମତାରେ ଅଧିଷ୍ଠିତ କରନ୍ତି, ବାରମ୍ବାର କରନ୍ତି । ପୁଣି ପ୍ରୟୋଜନ ହେଲେ ଗୋଟିଏ ସରକାରକୁ ହଟାଇଦେଇ ଅନ୍ୟ ଗୋଟିଏ ସରକାରକୁ କ୍ଷମତାସୀନ କରନ୍ତି । ବୁର୍ଜୁଆ ଗଣତନ୍ତ୍ରର ଶେଷ ଅବଶିଷ୍ଟାଂଶ ମଧ୍ୟ ଆଜି ଅବଲୁପ୍ତ । ବର୍ତ୍ତମାନ ବିଶ୍ୱର ପ୍ରାୟ ସମସ୍ତ ବିକଶିତ ଓ ପଶ୍ଚାତ୍ପଦ ଦେଶରେ ଅନ୍ଧକାରମୟ ଫାସିବାଦ ନାନା ରୂପରେ ଏବଂ ବିଭିନ୍ନ ମାତ୍ରାରେ ବିରାଜମାନ କରୁଛି । ଫାସିବାଦର ତିନୋଟି ବୈଶିଷ୍ଠ୍ୟ ପୁଞ୍ଜିର ଠୁଳିକରଣ ବା କ୍ରମବର୍ଦ୍ଧମାନ ଏକଚାଟିଆକରଣ, ଶାସନ ବିଭାଗ ଓ ଅମଲାତନ୍ତ୍ରର କ୍ଷମତାର କେନ୍ଦ୍ରୀକରଣ ଏବଂ ଦେଶର ଜନସାଧାରଣଙ୍କର ଚିନ୍ତାଭାବନା ଓ ସଂସ୍କୃତି କ୍ଷେତ୍ରରେ ଆଧ୍ୟାତ୍ମ୍ୟବାଦ ଓ ବିଜ୍ଞାନର ପ୍ରଯୁକ୍ତିଗତ ଦିଗଗୁଡ଼ିକର ସମ୍ମିଶ୍ରଣ ଘଟାଇ ଯାନ୍ତ୍ରିକ ଓ ଛାଞ୍ଚରେ ପକାଯାଇଥିବା ଚିନ୍ତା ପଦ୍ଧତିର ବିସ୍ତାର । ଫାସିବାଦର ଏହି ସମସ୍ତ ବୈଶିଷ୍ଠ୍ୟହିଁ ଆମ ଦେଶରେ ବିଦ୍ୟମାନ । ଶାସକ ବୁର୍ଜୁଆମାନଙ୍କର ପ୍ରୟୋଜନକୁ ଲକ୍ଷ୍ୟକରି ହିଁ ଗତ ଲୋକସଭା ନିର୍ବାଚନରେ କଂଗ୍ରେସକୁ ହଟାଇ ବିଜେପିକୁ କ୍ଷମତାସୀନ କରାଯାଇଛି । ଗୋଟିଏ ଦିଗରେ ନୃସଂଶ ବୁର୍ଜୁଆ ଆର୍ଥିକ ଶୋଷଣ ଓ ଦାନବୀୟ ରାଜନୈତିକ ନିପୀଡ଼ନ ଅବ୍ୟାହତ ରଖିବା ଓ ତୀବ୍ର କରିବା ପାଇଁ ଏବଂ ଅନ୍ୟ ଦିଗରେ ଦେଶରେ ଫାସିବାଦ ପ୍ରତିଷ୍ଠା ପ୍ରକ୍ରିୟାକୁ ଆହୁରି ତ୍ୱରାନ୍ୱିତ କରିବାପାଇଁ ବିଜେପି ଦାୟବଦ୍ଧ । ଆପଣମାନେ ସମ୍ଭବତଃ ଜାଣନ୍ତି ଯେ, ବିଶ୍ୱରେ ଯେଉଁ ସମୟରେ ରୋମାଁରୋଲାଁ, ବାନାର୍ଡ଼ସ, ରବୀନ୍ଦ୍ରନାଥ ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିତ୍ୱମାନେ ହିଟଲରର ନିନ୍ଦାରେ ମୁଖରଥିଲେ ସେହି ସମୟରେ ଏହି ଭାରତବର୍ଷରେ ସଂଘପରିବାରର ଜଣେ “ଗୁରୁଜୀ” ବା ପ୍ରଥପ୍ରଦର୍ଶକ ଏମ୍ଏସ୍ ଗୋଲୱାଲକର ହିଟଲରର ପ୍ରଶଂସାରେ ଶତମୁଖ ହୋଇ କହିଲେ ଯେ, ଇହୁଦୀମାନଙ୍କୁ ବିତାଡ଼ିତକରି ଓ ଜର୍ମାନ ଜାତିକୁ ବିଶୁଦ୍ଧକରି ଭାରତରେ ହିନ୍ଦୁମାନଙ୍କୁ ବିଶୁଦ୍ଧ କରିବାର ରାସ୍ତା ହିଟଲରହିଁ ପ୍ରଦର୍ଶନ କରିଛନ୍ତି । ସେ ଭାରତର ନବଜାଗରଣ ଓ ସ୍ୱାଧିନତା ଆନ୍ଦୋଳନର ବିରୁଦ୍ଧତା କରିଥିଲେ, ଯେହେତୁ ତାହା ହିନ୍ଦୁ ଜାତୀୟତାର ଭିତ୍ତିରେ ସଂଗ୍ରାମ ନ ଥିଲା ଏବଂ କେବଳମାତ୍ର ବ୍ରିଟିସ ସାମ୍ରାଜ୍ୟବାଦ ବିରୁଦ୍ଧରେ ପରିଚାଳିତ ହେଉଥିଲା । ବିଜେପି ଏହି ଐତିହ୍ୟରହିଁ ଉତ୍ତରାଧିକାରୀ, ଆଦର୍ଶ ଓ ସଂସ୍କୃତି କ୍ଷେତ୍ରରେ ବିଜେପି ଭୟାନକ ଆକ୍ରମଣ ଚଲାଇଛି । ପ୍ରାଚୀନ ମଧ୍ୟଯୁଗୀୟ ଧର୍ମୀୟ ଧ୍ୟାନଧାରଣା ଓ ସଂସ୍କୃତିକୁ ସେମାନେ ଉସ୍କାନୀ ଦେଉଛନ୍ତି, ପ୍ରୋତ୍ସାହିତ କରୁଛନ୍ତି । ସେମାନେ ହାସ୍ୟାଷ୍ପଦ ଦାବି କରୁଛନ୍ତି, ଆଧୁନିକ ବିଜ୍ଞାନଦ୍ୱାରା ଆବିଷ୍କୃତ ସମସ୍ତ ସତ୍ୟହିଁ କୁଆଡ଼େ ପ୍ରାଚୀନ ହିନ୍ଦୁ ଭାରତରେ ଆବିଷ୍କୃତ ହୋଇଥିଲା । ସେମାନେ ବିଜ୍ଞାନ ପରିବର୍ତ୍ତେ ପୌରାଣିକ କାହାଣୀକୁ ସତ୍ୟ ଭାବରେ ଗ୍ରହଣ କରୁଛନ୍ତି, ଇତିହାସକୁ ବିକୃତ କରୁଛନ୍ତି ଓ ସେହି ଅନୁଯାୟୀ ସ୍କୁଲ ପାଠ୍ୟପୁସ୍ତକ ଓ ପାଠ୍ୟକ୍ରମ ନୂଆକରି ଲେଖୁଛନ୍ତି । ଯାହାର ଉଦ୍ଦେଶ୍ୟ ହେଉଛି ଉଗ୍ର ହିନ୍ଦୁତ୍ୱ ଓ ପ୍ରାଚୀନ ଐତିହ୍ୟବାଦକୁ ଉସ୍କେଇବା, ବିଜ୍ଞାନ ସମ୍ମତ ମାନସିକତା ଓ ଯୁକ୍ତିବୋଧକୁ ଧ୍ୱଂସ କରି ଅନ୍ଧବିଶ୍ୱାସକୁ ପ୍ରୋତ୍ସାହିତ କରିବା । ଏହା ଏକ ଭୟଙ୍କର ଆକ୍ରମଣ । ଗୋଟିଏ ଦିଗରେ ସେମାନେ ସାଂପ୍ରଦାୟିକ ଦଙ୍ଗାରେ ସହାୟତା କରୁଛନ୍ତି ଏବଂ ନିଜେ ମଧ୍ୟ ଦଙ୍ଗା ଲଗାଇ ଦେଉଛନ୍ତି ଯାହାଦ୍ୱାରା କି ଶୋଷିତ ଜନସାଧାରଣଙ୍କୁ ଧର୍ମୀୟ ବିଶ୍ୱାସର ଭିତ୍ତିରେ ବିଭକ୍ତ କରିଦେଇ ଗଣ ଆନ୍ଦୋଳନ ଗଢ଼ିତୋଳିବାର କ୍ଷେତ୍ରରେ ବାଧା ସୃଷ୍ଟି କରାଯାଇପାରିବ ଏବଂ ଏହାସହିତ ହିନ୍ଦୁ ଭୋଟବ୍ୟାଙ୍କ ମଧ୍ୟ ସୃଷ୍ଟି କରାଯାଇପାରିବ । ଏହା ହେଉଛି ସେମାନଙ୍କ ଘୃଣ୍ୟ ପରିକଳ୍ପନା । ପୁଞ୍ଜିବାଦର ସ୍ୱାର୍ଥରେ ସେମାନେ ସଂସ୍କୃତି କ୍ଷେତ୍ରରେ ମଧ୍ୟ ଭୟାବହ ଆକ୍ରମଣ ଚଳାଇ ସମସ୍ତ ପ୍ରକାର ମାନବୀୟ ମୂଲ୍ୟବୋଧ ଓ ନୀତିନୈତିକତାକୁ ଧ୍ୱଂସ କରୁଛନ୍ତି । ସେମାନେ ତରୁଣ ପିଢୀର ନୈତିକ ମେରୁଦଣ୍ଡକୁ ଭାଙ୍ଗିଦେଉଛନ୍ତି । ବର୍ତ୍ତମାନ ଦେଶରେ ମହିଳା ମାନଙ୍କ ପ୍ରତି ବୃଦ୍ଧି ପାଉଥିବା ଯେଉଁ ଅଶାଳୀନ ଆଚରଣ, ଧର୍ଷଣ, ଗଣଧର୍ଷଣ ଓ ହତ୍ୟା, ଏପରିକି ଶିଶୁକନ୍ୟା ଓ ବୃଦ୍ଧା ରମଣୀମାନଙ୍କର ଧର୍ଷଣ ଭୟାବହ ଭାବରେ ଦ୍ରୁତ ବୃଦ୍ଧିପାଉଛି କୌଣସି ଆକସ୍ମିକ ଘଟଣା ନୁହେଁ । ଏହା କ’ଣ ଆମର ସେହି ଦେଶ ଯେଉଁଠି ଦିନେ ରାମମୋହନ, ବିଦ୍ୟାସାଗର, ଜ୍ୟୋତିବାରାଓ ଫୁଲେ, ରବିନ୍ଦ୍ରନାଥ, ଶରତଚନ୍ଦ୍ର, ପ୍ରେମଚାନ୍ଦ, ସୁବ୍ରମନ୍ୟମ ଭାରତୀ ଜନ୍ମଗ୍ରହଣ କରିଥିଲେ? ଦେଶକୁ ସଂପୂର୍ଣ୍ଣ ଧ୍ୱଂସ କରାଯାଇଛି । ଆମ ଦେଶର ଇତିହାସରେ ଏହା ହେଉଛି ସବୁଠାରୁ ଅନ୍ଧକାରମୟ ସମୟ । ଏହା ମଧ୍ୟ ଉଲ୍ଲେଖଯୋଗ୍ୟ ଯେ ଭାରତୀୟ ରାଷ୍ଟ୍ର ଗୋଟିଏ ଉଦୀୟମାନ ସାମ୍ରାଜ୍ୟବାଦୀ ଶକ୍ତି ଭାବରେ ଦକ୍ଷିଣ ଏସିଆ, ଭାରତ ମହାସାଗରୀୟ ରାଷ୍ଟ୍ର ସମୂହ, ଆଫ୍ରିକା ଓ ଅନ୍ୟାନ୍ୟ ଦେଶରେ ଆହୁରି ଅଧିକ ଲଗ୍ନିପୁଞ୍ଜି ଓ ପଣ୍ୟରପ୍ତାନୀର ଉଦ୍ଦେଶ୍ୟରେ ମାର୍କିନ ସାମ୍ରାଜ୍ୟବାଦ ସହିତ ହାତ ମିଶାଇଛି । ଆମେରିକା ସହିତ ଅର୍ଥନୈତିକ-ରାଜନୈତିକ ସାମରିକ ସଂପର୍କ ଆହୁରି ଘନିଷ୍ଟ କରୁଛି । ପୁଣି ଆମେରିକା ସହିତ ଦର କସାକସିର କ୍ଷମତା ବୃଦ୍ଧି କରିବାପାଇଁ ‘ବ୍ରିକ୍ସ’ ମେଣ୍ଟର ସଦସ୍ୟ ହୋଇଛି । ସୁତରାଂ, ଆଜି ଭାରତର ଶାସକଶ୍ରେଣୀ ଓ ମାର୍କିନ ସାମ୍ରାଜ୍ୟବାଦ ବିରୁଦ୍ଧରେ ଦୀର୍ଘସ୍ଥାୟୀ, ଲଢ଼ୁଆ ବାମ ଓ ଗଣତାନ୍ତ୍ରିକ ଆନ୍ଦୋଳନ ଗଢ଼ିତୋଳିବା ଏବଂ ଏହାର ପାଖାପାଖି ଆର୍ଏସ୍ଏସ୍-ବିଜେପିର ଭୟାବହ ଆଦର୍ଶଗତ ସାଂସ୍କୃତିକ ଆକ୍ରମଣ ବିରୁଦ୍ଧରେ ଶକ୍ତିଶାଳୀ ଆଦର୍ଶଗତ ସଂଗ୍ରାମ ଚଳାଇଯିବାପାଇଁ ପରିସ୍ଥିତି ଦାବି କରୁଛି । ବାମପନ୍ଥୀମାନଙ୍କ ଐକ୍ୟ ପ୍ରଶ୍ନରେ ମୁଁ କମ୍ରେଡ଼ ପ୍ରକାଶ କରାତଙ୍କ ସହିତ ଏକମତ । ମାତ୍ର ଏହି ପ୍ରସଙ୍ଗରେ ଗୋଟିଏ ପ୍ରଶ୍ନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯାହା ମୁଁ ସିପିଆଇର କଂଗ୍ରେସରେ ମଧ୍ୟ ଉତ୍ଥାପନ କରିଥିଲି । କେଉଁମାନେ ବାମପନ୍ଥୀ ସିକୁଲାର ବା ଧର୍ମନିରପେକ୍ଷ, କେଉଁମାନେ ଗଣତାନ୍ତ୍ରିକ? ଏହି ବିଷୟରେ ଜନସାଧାରଣଙ୍କ ମଧ୍ୟରେ ବ୍ୟାପକ ବିଭ୍ରାନ୍ତ ରହିଛି । ଏ ସଂପର୍କରେ ବୁଝାମଣା କ୍ଷେତ୍ରରେ କୌଣସି ଉପର ଠାଉରିଆ ଧାରଣା ବା ବୁଝାମଣା ଚାଲିପାରିବ ନାହିଁ । ମାର୍କ୍ସବାଦ ସଂପର୍କରେ ଉପଲବ୍ଧି ଓ ତାର ପ୍ରୟୋଗକୁ ନେଇ ମୌଳିକ ପାର୍ଥ୍ୟକ୍ୟ ରହିଥିଲେ ମଧ୍ୟ ଯେଉଁସବୁ ଦଳ ନିଜକୁ ମାର୍କ୍ସବାଦୀ ଭାବରେ ଗଣ୍ୟ କରନ୍ତି ସେମାନଙ୍କୁ ହିଁ ବାମପନ୍ଥୀ ଦଳ ବୋଲି ଧରି ନେବାକୁ ହେବ । କଂଗ୍ରେସ ଓ ଅନ୍ୟାନ୍ୟ ଆଞ୍ଚଳିକ ପ୍ରାଦେଶିକତାବାଦୀ, ଜାତିବାଦୀ ଦଳ ଓ ଗୋଷ୍ଠିଗୁଡ଼ିକ ନିର୍ବାଚନରେ ବିଜେପିର ବିରୋଧିତା କରନ୍ତି, କିନ୍ତୁ କେବଳମାତ୍ର ସେହିକାରଣରୁ ହିଁ ସେହିସବୁ ଦଳଗୁଡ଼ିକ ସିକ୍ୟୁଲାର ବା ଧର୍ମନିରପେକ୍ଷରେ ପରିଣତ ହୁଅନ୍ତି ନାହିଁ । ଧର୍ମ ନିରପେକ୍ଷତାର ଧାରଣା ୟୁରୋପରୁ, ବିଶେଷତଃ, ୟୁରୋପୀୟ ନବଜାଗରଣ ତଥା ବୁର୍ଜୁଆ ଗଣତାନ୍ତ୍ରିକ ବିପ୍ଳବରୁ ଆସିଥିଲା । ଦର୍ଶନଗତ ଭାବରେ ଧର୍ମନିରପେକ୍ଷତାର ଅର୍ଥ ହେଉଛି କୌଣସି ପ୍ରକାରର ଅତିପ୍ରାକୃତିକ ସତ୍ତାର ଅସ୍ୱୀକୃତି ଓ କେବଳ ପ୍ରକୃତି ଓ ବସ୍ତୁମୟ ବିଶ୍ୱର ସ୍ୱୀକୃତି । ରାଜନୈତିକ ଦିଗରୁ ବିଚାର କଲେ ଧର୍ମ ନିରପେକ୍ଷତାର ଅର୍ଥ ହେଉଛି ରାଷ୍ଟ୍ର ପରିଚାଳନା, ରାଜନୈତିକ କ୍ରିୟାକଳାପ, ସଂସ୍କୃତି ଓ ଶିକ୍ଷାକ୍ଷେତ୍ରକୁ ସଂପୂର୍ଣ୍ଣ ଧର୍ମୀୟ ପ୍ରଭାବ ମୁକ୍ତ ରଖିବା । ରାଷ୍ଟ୍ର କୌଣସି ଧର୍ମକୁ ଯେଭଳି ପ୍ରୋତ୍ସାହିତ କରିବନାହିଁ ସେହିଭଳି ବ୍ୟକ୍ତିର ଧର୍ମଚର୍ଚ୍ଚା କ୍ଷେତ୍ରରେ ହସ୍ତକ୍ଷେପ ମଧ୍ୟ କରିବ ନାହିଁ । ଧର୍ମ ବ୍ୟକ୍ତିର ନିଜସ୍ୱ ବିଶ୍ୱାସ ହିସାବରେ ରହିବ । ଆମର ସ୍ୱାଧିନତା ଆନ୍ଦୋଳନ ସମୟରେ ବିପ୍ଳବଭୀତ ଜାତୀୟ ବୁର୍ଜୁଆମାନେ କେବଳ ବ୍ରିଟିସ ସାମ୍ରାଜ୍ୟବାଦୀମାନଙ୍କ ସହିତ ରାଜନୈତିକ କ୍ଷେତ୍ରରେ ଆପୋଷ କରିନଥିଲେ, ମତାଦର୍ଶଗତ ଓ ସାଂସ୍କୃତିକ ଦିଗରୁ ଧର୍ମ ସହିତ ମଧ୍ୟ ଆପୋଷ କରିଛନ୍ତି ଏବଂ ସମସ୍ତ ଧର୍ମକୁ ପ୍ରୋତ୍ସାହିତ କରିବାକୁ ହିଁ ଧର୍ମନିରପେକ୍ଷତା ଭାବରେ ପ୍ରଚାର କରିଛନ୍ତି, ଯାହା ବାସ୍ତବରେ ହେଉଛି ନକଲି ଧର୍ମନିରପେକ୍ଷତା । ଗଣତାନ୍ତ୍ରିକ ଦଳ କହିଲେ ସେହି ଦଳମାନଙ୍କୁ ବୁଝାଏ ଯେଉଁଦଳ ଗୁଡ଼ିକ ଧର୍ମନିରପେକ୍ଷ, ଗଣତାନ୍ତ୍ରିକ ମୂଲ୍ୟବୋଧ ଆଧାରରେ ରାଜନୀତି କରନ୍ତି, ସାମ୍ପ୍ରଦାୟିକତା, ଜାତି ଧର୍ମ ଓ ପ୍ରାଦେଶିକ ସଂକୀର୍ଣ୍ଣତା ବିରୁଦ୍ଧରେ ଲଢ଼େଇ କରନ୍ତି; ନିରବିଚ୍ଛିନ୍ନ ଭାବରେ ସାମ୍ରାଜ୍ୟବାଦର ବିରୁଦ୍ଧତା କରନ୍ତି ଓ ବାମପନ୍ଥାକୁ ସମର୍ଥନ କରନ୍ତି ଏବଂ ସରକାରରେ ଥାଆନ୍ତୁ ବା ନଥାନ୍ତୁ ମେହେନତୀ ମଣିଷର ଗଣତାନ୍ତ୍ରିକ ଆନ୍ଦୋଳନଗୁଡ଼ିକୁ ଉତ୍ସାହିତ କରନ୍ତି । ବାମ ଗଣତାନ୍ତ୍ରିକ ଐକ୍ୟର ନାମରେ କେବଳ ମାତ୍ର ନିର୍ବାଚନୀ ସ୍ୱାର୍ଥ ଚରିତାର୍ଥ କରିବାପାଇଁ କୌଣସି ରକମର ଖେଚୁଡ଼ି ମେଣ୍ଟ ଚାଲିପାରିବ ନାହିଁ । ବାମପନ୍ଥୀ ଆନ୍ଦୋଳନର ସେହି ଗୌରବମୟ ଅଧ୍ୟାୟ କଥା ମୋର ମନେପଡ଼ୁଛି, ସ୍ୱାଧିନତା ପରେ ପରେ ହିଁ ଯାହା ଆମଦେଶରେ ଦେଖିବାକୁ ମିଳିଥିଲା । ସେହି ସମୟରେ ବାମପନ୍ଥୀ ଆନ୍ଦୋଳନରେ ଅନେକ ଲୋକ ରକ୍ତ ଦେଇଥିଲେ, ଅନେକ ଲୋକ ପ୍ରାଣ ଦେଇଥିଲେ । ସେହି ସମୟରେ ଏକମାତ୍ର ବାମପନ୍ଥୀମାନଙ୍କୁ ହିଁ କଂଗ୍ରେସର ବିକଳ୍ପ ଭାବରେ ଚିନ୍ତାକରାଯାଇଥିଲା । ସ୍ୱାଧିନତା ଆନ୍ଦୋଳନର ଅଭ୍ୟନ୍ତରରୁ ହିଁ ବାମପନ୍ଥୀ ଧାରା ଏବଂ ମହାନ ଷ୍ଟାଲିନ୍ ଓ ମହାନ ମାଓ-ସେତୁଙ୍ଗଙ୍କର ନେତୃତ୍ୱରେ ଶକ୍ତିଶାଳୀ ବିଶ୍ୱ ସାମ୍ୟବାଦୀ ଆନ୍ଦୋଳନର ଅଗ୍ରଯାତ୍ରାରୁ ଶକ୍ତିପାଇ ଏ ଦେଶରେ ବାମପନ୍ଥୀ ଆନ୍ଦୋଳନ ବିକାଶଲାଭ କରିଥିଲା । କିନ୍ତୁ ଗୋଟିଏ ଦିଗରେ ଆମଦେଶରେ ବାମପନ୍ଥୀମାନେ ଗୋଟିଏ ପରେ ଗୋଟିଏ ଗୁରୁତର ବିଚ୍ୟୁତି ଓ ମାରାତ୍ମକ ଭୁଲ କରିଛନ୍ତି ଯାହା ଜନସାଧାରଣଙ୍କ ମଧ୍ୟରେ ବାମପନ୍ଥୀମାନଙ୍କ ସଂପର୍କରେ ଅବିଶ୍ୱାସ ଓ ବିଭ୍ରାନ୍ତି ସୃଷ୍ଟି କରିଛି । ଅନ୍ୟଦିଗରେ ଆନ୍ତର୍ଜାତିକ କ୍ଷେତ୍ରରେ ବୁର୍ଜୁଆମାନଙ୍କର ଏଜେଣ୍ଟ ହିସାବରେ ସଂଶୋଧନବାଦୀମାନେ ଷ୍ଟାଲିନ୍ଙ୍କୁ ଆକ୍ରମଣ କରି କେବଳ ଷ୍ଟାଲିନ୍ଙ୍କର ଅଥରିଟିକୁ ନୁହେଁ ଲେଲିନ୍ଙ୍କର ଅଥରିଟିକୁ ମଧ୍ୟ ଛୋଟ କରିବା ଦ୍ୱାରା ପୁଞ୍ଜିବାଦର ପୁନରୁତ୍ଥାନ ପାଇଁ କ୍ଷେତ୍ର ପ୍ରସ୍ତୁତ କରି ସମାଜତନ୍ତ୍ରକୁ ଧ୍ୱଂସ କରିଛନ୍ତି । କିନ୍ତୁ ଆନନ୍ଦର କଥା ସୋଭିଏତ୍ ୟୁନିୟନ ଓ ପୂର୍ବ ୟୁରୋପୀୟ ଦେଶମାନଙ୍କରେ ହଜାର ହଜାର ଲୋକ ପୁନର୍ବାର ଲେଲିନ୍-ଷ୍ଟାଲିନ୍ଙ୍କ ଛବି ହାତରେ ଧରି ରାସ୍ତାକୁ ଓହ୍ଲାଇଛନ୍ତି, ସମାଜତନ୍ତ୍ର ଫେରାଇ ଆଣିବାପାଇଁ ଦାବି କରୁଛନ୍ତି । ଏହାର ପାଖାପାଖି ଏକଥା ମଧ୍ୟ ଲକ୍ଷଣୀୟ ଯେ ପୁଞ୍ଜିବାଦର ସଂକଟ ଦୂରକରିବା ଉଦ୍ଦେଶ୍ୟରେ ଯେଉଁ ଜଗତିକରଣ ସ୍କିମ୍ ଚାଲୁ କରାଯାଇଥିଲା, ତାହା ସଂକଟ ଦୂର କରିବା ପରିବର୍ତ୍ତେ ବିଶ୍ୱବ୍ୟାପୀ ପୁଞ୍ଜିବାଦୀ ସଂକଟକୁ ଆହୁରି ତୀବ୍ର କରିଛି । ବିଶ୍ୱ ସାମ୍ରାଜ୍ୟବାଦ-ପୁଞ୍ଜିବାଦ ପ୍ରାୟ ଏକ ଦଶକରୁ ମଧ୍ୟ ଅଧିକ ସମୟ ଧରି ମାନ୍ଦାରେ ନିମଜ୍ଜିତ ହୋଇ ରହିଛି, ମୃତପ୍ରାୟ ପୁଞ୍ଜିବାଦକୁ ବର୍ତ୍ତମାନ ଭେଣ୍ଟିଲେଟରରେ ରଖାଯାଇଛି ବୋଲି କୁହାଯାଇପାରେ । ଏଭଳି କୌଣସି ଔଷଧ ନାହିଁ ଯାହା ପୁଞ୍ଜିବାଦକୁ ରକ୍ଷା କରିପାରିବ । ବଜାର ଅର୍ଥନୀତି ଆଜି ଉତ୍ତୋରୋତ୍ତର ବଜାର ସଂକଟର ସମ୍ମୁଖୀନ । ଜନସାଧାରଣଙ୍କର କ୍ଷୋଭ ମଧ୍ୟ ନଜର ବିହୀନ ଭାବରେ ଫାଟି ପଡ଼ୁଛି । ଆମେରିକା, ୟୁରୋପ ସମେତ ସବୁ ଦେଶରେ ହିଁ ଗଣଆନ୍ଦୋଳନର ଢ଼େଉ ଅଜାଡ଼ି ହୋଇପଡ଼ୁଛି । ଜନସାଧାରଣ ନେତୃତ୍ୱର ସଂଧାନ କରୁଛନ୍ତି । ବିପ୍ଳବର ବାସ୍ତବ ଜମି ବା ଅବ୍ଜେକ୍ଟିଭ୍ କଣ୍ଡିସନ ପ୍ରସ୍ତୁତ । ସବ୍ଜେକ୍ଟିଭ୍ କଣ୍ଡିସନ୍ ଅର୍ଥାତ୍ ମାର୍କ୍ସ-ଏଙ୍ଗେଲ୍ସ-ଲେଲିନ୍-ଷ୍ଟାଲିନ୍-ମାଓସେତୁଙ୍ଗଙ୍କର ବିପ୍ଳବୀ ଶିକ୍ଷାରେ ବଳୀୟାନ ସର୍ବହରା ଶ୍ରେଣୀର ଦଳ ଦେଶେ ଦେଶେ ଏପର୍ଯ୍ୟନ୍ତ ମଧ୍ୟ ଅନୁପସ୍ଥିତ । ଶ୍ରୀଘ୍ର ହେଉ ବା ସାମାନ୍ୟ ବିଳମ୍ବରେ ହେଉ ଇତିହାସର ନିୟମରେ ହିଁ ଏହି ଧରଣର ଶକ୍ତିଶାଳୀ ଦଳର ଅଭ୍ୟୁତ୍ଥାନ ନିଶ୍ଚିତ ଭାବରେ ଘଟିବ । …. କମ୍ରେଡ଼ସ୍, ଆମଦେଶରେ ମଧ୍ୟ ରାଜନୈତିକ ସଂକଟ ଯାହାଥିଲେ ମଧ୍ୟ ସାଧାରଣ ମଣିଷର ବିକ୍ଷୋଭର ସ୍ପୁଲିଙ୍ଗ ଚାରିଦିଗରେ ହିଁ ଦେଖିବାକୁ ମିଳୁଛି, ଏଠି ସେଠି ସ୍ୱତଃଷ୍ଫୁର୍ତ୍ତ ଗଣବିକ୍ଷୋଭ ଫାଟି ମଧ୍ୟ ପଡ଼ୁଛି । ଆଜିର ପ୍ରୟୋଜନ ହେଉଛି ନେତୃତ୍ୱର । ଯେଉଁ ନେତୃତ୍ୱ ଏହି ଆନ୍ଦୋଳନଗୁଡ଼ିକୁ ପରିଚାଳନା କରି ଏହାର ଯୁକ୍ତିସଂଗତ ପରିଣତିରେ ପହଞ୍ଚାଇ ଦେଇପାରେ । କେଉଁମାନେ ସେହି ନେତୃତ୍ୱ ଦେଇପାରିବେ? ଯୌଥଭାବରେ ବାମପନ୍ଥୀମାନେହିଁ କେବଳମାତ୍ର ଏହି ଦାୟିତ୍ୱ ପାଳନ କରିପାରିବେ । ସଂଗ୍ରାମୀ ଆଦର୍ଶ ଓ ଉନ୍ନତ ନୈତିକତା ଦ୍ୱାରା ହିଁ ଆନ୍ଦୋଳନଗୁଡ଼ିକୁ ପରିଚାଳନା କରିବାକୁ ହେବ । ଆମ ଦଳ ଅତୀତରେ ଐକବଦ୍ଧ ବାମପନ୍ଥୀ ଆନ୍ଦୋଳନ ପକ୍ଷରେ ସଂପୂର୍ଣ୍ଣ ଭାବରେ ଥିଲା । ଆଜି ମଧ୍ୟ ରହିଛି । ଅତୀତରେ ଆପଣମାନେ ଓ ଆମେ ଐକ୍ୟବଦ୍ଧ ବାମଆନ୍ଦୋଳନରେ ଏକତ୍ର ଥିଲୁ । କିନ୍ତୁ ୧୯୭୪ ମସିହାଠାରୁ ଆପଣଙ୍କ ଦଳ ସହିତ ଆମର ଐକ୍ୟ ନାହିଁ । ଆପଣଙ୍କ ଦଳ ଯେତେବେଳେ ପଶ୍ଚିମବଙ୍ଗ ଓ କେରଳରେ ସରକାରରେ ଥିଲା ସେତେବେଳେ ଆମ ସହିତ ମତପାର୍ଥକ୍ୟ ଥିଲା ଏବଂ ଜନସାଧାରଣଙ୍କ ଜ୍ୱଳନ୍ତ ଇସ୍ୟୁ ଗୁଡ଼ିକୁ ନେଇ ଆମେ ଆନ୍ଦୋଳନ ମଧ୍ୟ ସଂଗଠିତ କରିଛୁ । ଆମର ସଂପର୍କ ତିକ୍ତ ହୋଇଥିଲା । ବହୁ ଦୁଃଖଜନକ ଘଟଣା ମଧ୍ୟ ଘଟିଥିଲା । ତେବେ ସେହି ସମୟରେ ମଧ୍ୟ ଆମେମାନେ ସର୍ବଭାରତୀୟ ସ୍ତରରେ ଓ ଅନ୍ୟାନ୍ୟ ରାଜ୍ୟରେ ବାମଐକ୍ୟ ଗଢ଼ିତୋଳିବାପାଇଁ ଚେଷ୍ଟା କରିଥିଲୁ, କିନ୍ତୁ ଏହା ସଫଳ ହୋଇନାହିଁ । ବର୍ତ୍ତମାନ ସେହି ଅଧ୍ୟାୟ ଅତିକ୍ରାନ୍ତ । ଯୁକ୍ତ ବାମପନ୍ଥୀ ଆନ୍ଦୋଳନର ଆବେଦନ ନେଇ କମ୍ରେଡ଼ ପ୍ରକାଶ କରାତ ଯେଉଁଭଳି ଭାବରେ ଆମ ସହିତ କଥାବାର୍ତ୍ତା କରିବାପାଇଁ କଲିକତା ଯିବାର କଷ୍ଟ ସ୍ୱୀକାର କରିଥିଲେ, ସେଥିପାଇଁ ମୁଁ ତାଙ୍କୁ ଧନ୍ୟବାଦ ଜଣାଉଛି । ଆମେ ମଧ୍ୟ ଇସ୍ୟୁ ଭିତ୍ତିକ ଯୁକ୍ତ ଆନ୍ଦୋଳନ ପାଇଁ ଆନ୍ତରିକ ଭାବରେ ଇଚ୍ଛା ପ୍ରକାଶ କରିଛୁ । ଆମେ ଐକ୍ୟ ଚାହୁଁ, ଭୋଟ୍ରେ ସୁବିଧା ପାଇବାପାଇଁ ନୁହେଁ, ଲଢ଼ୁଆ ଶ୍ରେଣୀ ସଂଗ୍ରାମ ଓ ଗଣସଂଗ୍ରାମ ଗଢ଼ିତୋଳିବା ପାଇଁ ଐକ୍ୟ ଚାହୁଁ । ଐକ୍ୟ ମଧ୍ୟରେ ବି ଆବଶ୍ୟହିଁ ଆଦର୍ଶଗତ ପାର୍ଥକ୍ୟ ରହିବ ଏବଂ ତାକୁ କେନ୍ଦ୍ର କରି ଆଦର୍ଶଗତ ସଂଗ୍ରାମ ମଧ୍ୟ ହେବ । ତେବେ ତାହା ଐକ୍ୟ ଓ ଆନ୍ଦୋଳନକୁ ଶକ୍ତିଶାଳୀ କରିବାପାଇଁ ଉଦ୍ଦିଷ୍ଟ, ଦୁର୍ବଳ କରିବାପାଇଁ ନୁହେଁ । ଉନ୍ନତ ଆଦର୍ଶ ଓ ସଂସ୍କୃତିର ଆଧାରରେ ଶ୍ରମଜୀବୀ ଜନସାଧାରଣଙ୍କର ଲଢ଼ୁଆ ଶ୍ରେଣୀ ସଂଗ୍ରାମ ଓ ଗଣସଂଗ୍ରାମହିଁ ଆଜିର ଚାହିଦା । ଶେଷ କରିବା ପୂର୍ବରୁ ମୁଁ ମହାନ ଲେଲିନ୍ଙ୍କୁ ସ୍ମରଣ କରାଇଦେଇ କହିବାକୁ ଚାହେଁ, ଗୋଟିଏ ସର୍ବହରା ଦଳର ଶକ୍ତି ଲୋକସଭା ସଦସ୍ୟ ସଂଖ୍ୟା ମଧ୍ୟରେ ନିହିତ ନ ଥାଏ, ତା’ ଏକମାତ୍ର ନିହିତ ଥାଏ ଶ୍ରେଣୀ ସଂଗ୍ରାମ ଓ ଗଣସଂଗ୍ରାମର ଅଗ୍ନି ମଧ୍ୟରେ । ଆପଣମାନଙ୍କୁ ସମସ୍ତଙ୍କୁ ଲାଲ ସଲାମ୍ ।
ମାକ୍ସବାଦ-ଲେଲିନବାଦ ଜିନ୍ଦାବାଦ
ସର୍ବହରା ଆନ୍ତର୍ଜାତିକତାବାଦ ଜିନ୍ଦାବାଦ