ଐତିହାସିକ ମଇଦିବସ ଦୀର୍ଘଜୀବୀ ହେଉ
Sarbaharakranti 15.05.2021 – (୧୯୮୬ ମସିହା ଏପ୍ରିଲ ମାସରେ ଐତିହାସିକ ମଇ ଦିବସ ଉପଲକ୍ଷେ ମହାନ ଲେନିନ୍ଙ୍କଦ୍ୱାରା ଲିଖିତ ପ୍ରଚାରପତ୍ରର ଓଡ଼ିଆ ଅନୁବାଦ ଚଳିତବର୍ଷ ମଇଦିବସ ଅବସରରେ ସର୍ବହରା କ୍ରାନ୍ତିର ଚଳିତ ସଂଖ୍ୟାରେ ସ୍ଥାନିତ ହୋଇଛି, ଆଶା କରୁଛୁ ଏହି ପ୍ରଚାରପତ୍ରଟି ଦେଶର ଶ୍ରମିକଶ୍ରେଣୀ ତଥା ଶ୍ରମିକ ଶ୍ରେଣୀର ମୁକ୍ତି ଆନ୍ଦୋଳନରେ ନିୟୋଜିତ ସଂଗ୍ରାମୀମାନଙ୍କପାଇଁ ପଥ ନିର୍ଦ୍ଦେଶକାରୀ ସାବ୍ୟସ୍ତ ହେବ । (ସମ୍ପାଦକ – ସର୍ବହରା କ୍ରାନ୍ତି)
ଶ୍ରମିକମାନଙ୍କର ଅବସର ଦିନ-ମଇପହିଲା
କମ୍ରେଡ଼୍ମାନେ! ଆସନ୍ତୁ ଆମେ ଆମ ଜୀବନର ବାସ୍ତବ ଅବସ୍ଥାକୁ ଯତ୍ନ ସହକାରେ ଅନୁଧ୍ୟାନ କରିବା । ଆସନ୍ତୁ ଆମେ ଜୀବନ ଅତିବାହିତ କରୁଥିବା ପରିବେଶକୁ ଭଲଭାବରେ ନିରିକ୍ଷଣ କରିବା । ଆମେ କ’ଣ ଦେଖୁଛୁ? ଆମେ କଠିନ ପରିଶ୍ରମ କରୁ, ଆମେ ଅମାପ ସଂପଦ ସୃଷ୍ଟି କରୁ, ସୁନା ଓ ମୂଲ୍ୟବାନ କପଡ଼ା, ରେଶମ ଲୁଗା ଓ ମଖମଲ ପୋଷାକ ପ୍ରସ୍ତୁତକରୁ, ଆମେ ମାଟିତଳୁ ଲୁହା ଓ କୋଇଲା ଖୋଳି ବାହାରକରୁ, ଆମେ ଯନ୍ତ୍ରପାତି, ଜାହାଜ, ଦୁର୍ଗ ଓ ରେଳ ନିର୍ମାଣ କରୁ । ପୃଥିବୀର ସମସ୍ତ ସଂପଦ ଆମରି ହାତରେ ସୃଷ୍ଟି ହୁଏ, ଆମ ଝାଳ ଓ ରକ୍ତ ବିନିମୟରେ ଆହରିତ ହୁଏ, ଆଉ ଆମେ ଏହି ହାଡ଼ଭଙ୍ଗା ଶ୍ରମପାଇଁ ଆମେ କି ପୁରସ୍କାର ପାଉ? ଆମକୁ ନ୍ୟାୟ ମିଳୁଥିଲେ ଆମେ ସୁଖରେ ଭଲ ଘରେ ବାସ କରୁଥାନ୍ତୁ, ଭଲ ପୋଷାକ ପୁନ୍ଧୁଥାନ୍ତୁ ଏବଂ ଯେକୌଣସି ପରିସ୍ଥତିରେ ମଧ୍ୟ ଦୈନନ୍ଦିନ ଗୁଜୁରାଣ ମେଣ୍ଟାଇବା ପାଇଁ ଅଭାବର ସମ୍ମୁଖୀନ ହେଉନଥାନ୍ତୁ । ମାତ୍ର ଆମେ ସମସ୍ତେ ଏକଥା ଭଲଭାବରେ ଜାଣୁ ଯେ, ଜୀବନ ଧରି ବଞ୍ଚିବାପାଇଁ ମଧ୍ୟ ଆମେ ପାଉଥିବା ମଜୁରୀ ଯଥେଷ୍ଟ ହୁଏନାହିଁ । ମାଲିକମାନେ ଆମ ମଜୁରୀ ହ୍ରାସ କରନ୍ତି, ଆମକୁ ଓଭରଟାଇମ୍ କରିବାକୁ ବାଧ୍ୟ କରନ୍ତି, ଅନ୍ୟାୟ ଭାବରେ ଆମଠାରୁ ଜୋରିମାନା ଆଦାୟ କରନ୍ତି । ସଂକ୍ଷେପରେ କହିଲେ, ସେମାନେ ସବୁଦିଗରୁ ଆମ ଉପରେ ଅତ୍ୟାଚାର କରନ୍ତି ଏବଂ ଆମପକ୍ଷରୁ ଯଦି କେବେ ଅସନ୍ତୋଷ ପ୍ରକାଶ ପାଏ, ତା’ହେଲେ ସେମାନେ ତୁରନ୍ତ ଆମକୁ ବହିଷ୍କାର କରିଦିଅନ୍ତି । ଆମେ ଏକଥା ବାରମ୍ବାର ଆବିଷ୍କାର କରିଥାଉ ଯେ, ଆମେ ନିଜର ସୁରକ୍ଷାପାଇଁ ଯେଉଁମାନଙ୍କ ପାଖକୁ ଯାଉ ସେମାନେ ମାଲିକମାନଙ୍କର ବନ୍ଧୁ ଓ ଭୃତ୍ୟ । ଆମ ଶ୍ରମିକମାନଙ୍କୁ ଅଜ୍ଞତା ମଧ୍ୟରେ ବୁଡ଼ାଇ ରଖାଯାଇଛି । ଶିକ୍ଷାର ସୁଯୋଗରୁ ଆମକୁ ବଞ୍ଚିତ କରାଯାଇଛି । ଯେମିତିକି ଆମେ ନିଜର ଅବସ୍ଥାରେ ଉନ୍ନତି କରିବାପାଇଁ ସଂଗ୍ରାମ କରିବା ଶିକ୍ଷାଲାଭ କରି ନ ପାରୁ । ସେମାନେ ଆମକୁ ବନ୍ଧନରେ ରଖିଥା’ନ୍ତି । ସାମାନ୍ୟ ଆଳ ଦେଖାଇ ଆମକୁ କାମରୁ ବାହାର କରିଦିଅନ୍ତି । ଦମନ ପୀଡ଼ନକୁ ପ୍ରତିରୋଧ କରୁଥିବା ଯେକୌଣସି ବ୍ୟକ୍ତିଙ୍କୁ ଗିରଫ କରନ୍ତି ଓ ନିର୍ବାସିତ କରନ୍ତି, ଆମର ଲଢେଇକୁ ନିଷିଦ୍ଧ କରନ୍ତି । ଅଜ୍ଞାନତା ଓ ଦାସତ୍ୱ- ଏହାରି ବଳରେ ପୁଞ୍ଜିପତି ଓ ସଦାସର୍ବଦା ସେମାନଙ୍କ ସେବାରେ ଲିପ୍ତ ସରକାରମାନେ ଆମକୁ ବଶୀଭୂତ କରି ରଖନ୍ତି । ଆମ ଅବସ୍ଥାର ଉନ୍ନତିପାଇଁ, ଆମ ମଜୁରୀ ବୃଦ୍ଧି କରିବାପାଇଁ, ଆମ ଶ୍ରମ ନିର୍ଘଣ୍ଟ ହ୍ରାସ କରିବାପାଇଁ, ଉଚ୍ଚକୋଟୀର ଓ ଦରକାରୀ ବହି ପଡ଼ିବାପାଇଁ ଆମ ପାଖରେ କି ଉପାୟ ଅଛି! ମାଲିକମାନେ (ଯେହେତୁ ଆମ ଅବସ୍ଥା ଯେତେ ଖରାପ ହୁଏ ସେମାନେ ସେତେ ଭଲରେ ରହନ୍ତି) ଏବଂ ସେମାନଙ୍କର ସମସ୍ତ ଭୃତ୍ୟମାନେ, ପୁଞ୍ଜିପତିମାନଙ୍କର ହାତଟେକାରେ ବଞ୍ôଚରହିଥିବା ଏବଂ ପୁଞ୍ଜିପତିମାନଙ୍କ ନିର୍ଦ୍ଦେଶରେ ଆମକୁ ଅଜ୍ଞାନତା ଓ ଦାସତ୍ୱର ଶୃଙ୍ଖଳରେ ବାନ୍ଧି ରଖିଥିବା ସମସ୍ତେ, ଆମ ବିରୁଦ୍ଧରେ । ସହାୟତା ପାଇଁ ଆମେ କାହାରି ଉପରେ ନିର୍ଭର କରିପାରିବା ନାହିଁ; କେବଳ ମାତ୍ର ଆମେ ନିଜ ଉପରେ ହିଁ ନିର୍ଭର କରିପାରିବା । ଆମର ଶକ୍ତି ଆମର ଏକତା ମଧ୍ୟରେ ନିହିତ ରହିଛି; ଏବଂ ଶୋଷକମାନଙ୍କ ବିରୁଦ୍ଧରେ ସମ୍ମିଳିତ, ନଛୋଡ଼ବନ୍ଧା ଏବଂ କର୍ମତତ୍ପର ପ୍ରତିରୋଧ ମଧ୍ୟରେ ହିଁ ଆମର ମୁକ୍ତି ନିହିତ ରହିଛି । ଆମର ଶକ୍ତି କେଉଁଠାରେ ନିହିତ ରହିଛି ସେକଥା ସେମାନେ ବହୁପୂର୍ବରୁ ବୁଝିପାରିଛନ୍ତି । ସେଥିପାଇଁ ଆମକୁ ଭାଗଭାଗ କରି ରଖିବାପାଇଁ ଏବଂ ସମସ୍ତ ଶ୍ରମିକଙ୍କର ସ୍ୱାର୍ଥ ସମାନ ବୋଲି ଆମକୁ ବୁଝିବାକୁ ନଦେବାପାଇଁ ସବୁ ପ୍ରକାର ଉଦ୍ୟମ କରିଛନ୍ତି । ସେମାନେ ମଜୁରୀ କାଟନ୍ତି କିନ୍ତୁ ଏକାବେଳେ ସମସ୍ତଙ୍କର କାଟନ୍ତି ନାହିଁ; ଜଣ ଜଣ କରି କାଟନ୍ତି । ସେମାନେ ଆମ ଉପରେ ଫୋରମ୍ୟାନମାନଙ୍କୁ ନିଯୁକ୍ତି ଦିଅନ୍ତି, ସେମାନେ ପିସ୍ୱାର୍କ ପ୍ରଚଳନ କରନ୍ତି ଏବଂ ଆମେ ଶ୍ରମିକମାନେ କଠିନ ପରିଶ୍ରମ କରୁଥିଲାବେଳେ ସେମାନେ ଦାନ୍ତଚିପି ହସୁଥାନ୍ତି ଏବଂ ଅଳ୍ପ ଅଳ୍ପ କରି ଆମର ମଜୁରୀ କାଟନ୍ତି । ମାତ୍ର ଏହା ହେଉଛି ଗୋଟିଏ ଲମ୍ବା ରାସ୍ତା ଏଥିରେ କୌଣସି ବାଙ୍କ ନାହିଁ । ସହିବାର ବି ଗୋଟିଏ ସୀମା ଅଛି । ବିଗତ ଗୋଟିଏ ବର୍ଷ ମଧ୍ୟରେ ଋଷିଆର ଶ୍ରମିକମାନେ ସେମାନଙ୍କର ମାଲିକ ମାନଙ୍କୁ ଦେଖାଇ ଦେଇଛନ୍ତି ଯେ ଶ୍ରମିକ ମାନଙ୍କର ଦାସ ଭଳି ବଶ୍ୟତା ସ୍ୱୀକାର ମଧ୍ୟ ଦୁରାରୋଧ୍ୟ, ସାହାସରେ ରୂପାନ୍ତରିତ ହୋଇପାରେ ଏବଂ ଏହି ଶ୍ରମିକମାନେ ବିନା ମଜୁରୀରେ ଶ୍ରମଶକ୍ତି ଲୁଟ୍ପାଇଁ ଲାଳାୟିତ ଲୋଭୀ ପୁଞ୍ଜିପତିମାନଙ୍କର େଔଦ୍ଧତ୍ୟ ଓ ନାଲିଆଖି ଆଗରେ ମୁଣ୍ଡ ନୁଆଁଇବେ ନାହିଁ ।
ବିଭିନ୍ନ ସହରରେ ଧର୍ମଘଟ ହୋଇଛି; ୟାରୋସଲାଭେଭ୍, ଟକୋଭା, ଇଭାନୋଭ-ଭୋଜିନେକ୍ସ, ବେଲୋଷ୍ଟକ୍, ଭିଲ୍ନା, ମିନˆ୍, କିଏଭ, ମସ୍କୋ ଓ ଅନ୍ୟ ସହର ମାନଙ୍କରେ ମଧ୍ୟ ଧର୍ମଘଟ ହୋଇଛି । ସଂଖ୍ୟାଧିକ ଧର୍ମଘଟ ଶ୍ରମିକମାନଙ୍କ ପାଇଁ ସଫଳ ହୋଇଛି, ମାତ୍ର ଏପରିକି ଅସଫଳ ଧର୍ମଘଟ ଗୁଡ଼ିକ ମଧ୍ୟ କେବଳ ଉପର ଠାଉରିଆ ଭାବରେ ଦେଖିଲେ ଅସଫଳ । ବାସ୍ତବରେ ଏହି ଧର୍ମଘଟ ମାଲିକମାନଙ୍କୁ ଭୀଷଣ ଭାବରେ ଭୟଭୀତ କରେ । ସେମାନଙ୍କର ଭୟଙ୍କର କ୍ଷତି ସାଧନ କରେ ଏବଂ ସାନି ଧର୍ମଘଟ ଭୟରେ କିଛି କିଛି ରିହାତି ଦେବାକୁ ସେମାନଙ୍କୁ ବାଧ୍ୟ କରେ । କାରାଖାନା ପରିଦର୍ଶକମାନେ ମଧ୍ୟ ପୁଞ୍ଜିପତିମାନଙ୍କର ଆଖିର ଇସାରା ବୁଝିପାରି ଚଳଚଞ୍ଚଳ ହୋଇଯାଆନ୍ତି । ଶ୍ରମିକମାନେ ଧର୍ମଘଟ ପାଇଁ ଡ଼କରା ଦେଇ ସେମାନଙ୍କ ଆଖି ଖୋଲି ନଦେବା ପର୍ଯ୍ୟନ୍ତ ସେମାନେ ଅନ୍ଧ । ବାସ୍ତବରେ ସେତିକିବେଳେହିଁ କାରଖାନା ପରିଦର୍ଶକ ମାନେ ଶ୍ରୀ ଟ୍ରୋନ୍ଟନ୍ କିମ୍ବା ଫ୍ୟଟିଲୋଭ କାରଖାନା ଅଂଶଧନର ମାଲିକମାନଙ୍କ ଭଳି ପ୍ରଭାବଶାଳୀ ଲୋକମାନଙ୍କ କାରଖାନାରେ ଚାଲିଥିବା ଅବ୍ୟବସ୍ଥାକୁ ଦେଖିପାରନ୍ତି ।
ସେଣ୍ଟପିଟରସ୍ବର୍ଗରେ ମଧ୍ୟ ଆମେ ମାଲିକ ମାନଙ୍କପାଇଁ ଅଡ଼ୁଆ ସୃଷ୍ଟି କରିପାରିଛୁ । ଟ୍ରନ୍ଟନଙ୍କ କାରଖାନାରେ ବୁଣାକାରମାନଙ୍କର, ଲାଫାର୍ମ ଓ ଲେବେଡ଼େବ କାରଖାନାରେ ସିଗାରେଟ୍ ଶ୍ରମିକମାନଙ୍କର ଧର୍ମଘଟ, ଜୋତା କରାଖାନା ଶ୍ରମିକମାନଙ୍କର ଧର୍ମଘଟ କେଙ୍ଗ ଓ ଭେରାନିଆ କାରଖାନାରେ ଶ୍ରମିକ ଓ ଡ଼କ୍ ଶ୍ରମିକ ମାନଙ୍କର ଆନ୍ଦୋଳନ ଏବଂ ଶେଷରେ ସଂପ୍ରତି ସେଷ୍ଟୋରେଟ୍ସ୍କରେ ଦେଖାଦେଇଥିବା ଗୋଳମାଳ ଏହା ପ୍ରମାଣ କରୁଛି ଯେ, ଆମେ ଆଉ ବଶ୍ୟତା ସ୍ୱୀକାରକାରୀ ଶହୀଦ ନୁହେଁ, ଆମେ ଲଢ଼େଇର ମଇଦାନରେ ଅବତୀର୍ଣ୍ଣ ହୋଇସାରିଛୁ । ଏହା ଭଲଭାବରେ ଜଣାଅଛି ଯେ ବହୁ କଳକାରଖାନା ଓ ଦୋକାନର ଶ୍ରମିକମାନେ ସମସ୍ତ ପ୍ରକାର ଅବିଚାର ଓ ଅବ୍ୟବସ୍ଥା ଦୂର କରିବା; ଆମ ବିବେକହୀନ ଶୋଷକମାନଙ୍କର ନାଲିଆଖି ଓ ଔଧତ୍ୟପୂର୍ଣ୍ଣ ଦମନ ପୀଡ଼ନ ଓ ସେମାନଙ୍କର କବ୍ଜାରୁ ସଂପୂର୍ଣ୍ଣ ମୁକ୍ତି ଅର୍ଜନ ଉଦ୍ଦେଶ୍ୟରେ “ୟୁନିୟନ ଅଫ୍ ଷ୍ଟ୍ରଗଲ ଫର ଇମାନ୍ସିପେସନ ଅଫ ଦି ୱାର୍କିଂକ୍ଳାସ”କୁ ସଂଗଠିତ କରିଛନ୍ତି । ଏହି ‘ୟୁନିୟନ’ ପ୍ରଚାରପତ୍ର ବଣ୍ଟନକରେ ଯାହାକୁ ଦେଖି ମାଲିକ ଓ ସେମାନଙ୍କର ପଦଲେହନକାରୀ ଭୃତ୍ୟମାନଙ୍କର ମଞ୍ଜ ଥରିଯାଉଛି, କେବଳ ମାତ୍ର ପ୍ରଚାର ପତ୍ର ହିଁ ସେମାନଙ୍କୁ ଭୟଭୀତ କରୁନାହିଁ, ମାତ୍ର ଆମେ ତାଙ୍କୁ ଏକାଧିକ ଥର ପ୍ରଦର୍ଶନ କରି ସାରିଥିବା ଆମ ସମ୍ମିଳିତ ପ୍ରତିରୋଧର ସମ୍ଭାବନା, ଆମ ଦୁର୍ବାର ଶକ୍ତିର ପ୍ରଦର୍ଶନ ସେମାନଙ୍କୁ ଭୟଭୀତ କରୁଛି । ଆମେ ସେଣ୍ଟପିଟର୍ସବର୍ଗର ଶ୍ରମିକମାନେ, “ୟୁନିୟନ”ର ସଦସ୍ୟମାନେ ଏବଂ ନିଜର ସୁରକ୍ଷାପାଇଁ ସଂଗ୍ରାମ କରିବାପାଇଁ ଶ୍ରମିକମାନଙ୍କୁ ସମ୍ମିଳିତ କରିବାର ମହାନ ଦାୟିତ୍ୱକୁ ଆଗେଇ ନେବା ଉଦ୍ଦେଶ୍ୟରେ ଆମର ଅନ୍ୟାନ୍ୟ ଭାତୃପ୍ରତିମ ଶ୍ରମିକମାନଙ୍କୁ ଆମ “ୟୁନିୟନ” ରେ ଯୋଗଦେବାପାଇଁ ଆମନ୍ତ୍ରଣ କରୁଛୁ । ଆମକୁ ଅଧିନସ୍ଥ କରି ରଖିବାପାଇଁ ପୁଞ୍ଜିପତିମାନ ଏବଂ ସରକାର ଯେଉଁ ଶୃଙ୍ଖଳରେ ବାନ୍ଧି ରଖିଛନ୍ତି ସେହି ଶୃଙ୍ଖଳକୁ ଛିନ୍ନ କରିବାପାଇଁ ଋଷିଆର ଶ୍ରମିକମାନଙ୍କ ପକ୍ଷରେ ଉପଯୁକ୍ତ ସମୟ ଉପନୀତ ହୋଇଛି । ଆମର ଭାଇମାନଙ୍କର, ଅନ୍ୟ ଦେଶର ଶ୍ରମିକମାନଙ୍କର ସଂଗ୍ରାମରେ ସାମିଲ ହେବାପାଇଁ ଦୁନିଆର ମଜଦୁର ଏକହୁଅ ଲେଖାଥିବା ଏକ ସାଧାରଣ ପତାକା ତଳେ ସେମାନଙ୍କ ସହିତ କାନ୍ଧକୁ କାନ୍ଧ ମିଶାଇ ଠିଆ ହେବାପାଇଁ ଉପଯୁକ୍ତ ସମୟ ଆସି ପହଞ୍ଚିଛି ।
ଫ୍ରାନ୍ସ, ବ୍ରିଟେନ୍, ଜର୍ମାନୀ ଓ ଅନ୍ୟାନ୍ୟ ଦେଶ ମାନଙ୍କରେ ଯେଉଁଠାରେକି ଶ୍ରମିକମାନେ ଶକ୍ତିଶାଳୀ ୟୁନିୟନରେ ସଂଗଠିତ ହୋଇଛନ୍ତି ଏବଂ ବହୁ ଅଧିକାର ହାସଲ କରିଛନ୍ତି, ସେମାନେ ଏପ୍ରିଲ ୧୯ ତାରିଖକୁ (ବିଦେଶରେ ମଇ ପହିଲା) ଥଅକ୍ଟୋବର ବିପ୍ଳବ ପୂର୍ବରୁ ଋଷିଆର କ୍ୟାଲେଣ୍ଡର ପଶ୍ଚିମ ୟୁରୋପର କ୍ୟାଲେଣ୍ଡର ଠାରୁ ୧୩ ଦିନ ପଛୁଆ ଥିଲାଧ ଏକ ସାଧାରଣ ଶ୍ରମବିରତି ଦିବସ ଭାବରେ ଘୋଷଣା କରିଛନ୍ତି ।
ଶ୍ୱାସରୁଦ୍ଧକାରୀ କଳକାରଖାନାରୁ ବାହାରି ଆସି ସେମାନେ ମାଲିକମାନଙ୍କୁ ସେମାନଙ୍କର କ୍ରମବର୍ଦ୍ଧମାନ କ୍ଷମତାର ଶକ୍ତି ପ୍ରଦର୍ଶିତ କରି ସହରର ମୁଖ୍ୟରାସ୍ତାରେ ବାଦ୍ୟ ଓ ବ୍ୟାନର ହାତରେ ଦୃଢ଼ତାର ସହିତ ଐକ୍ୟବଦ୍ଧ ଭାବରେ ଆଗେଇ ଚାଲିଛନ୍ତି । ସେମାନେ ଅସଂଖ୍ୟ ବଡ଼ବଡ଼ ସଭାରେ ଏକତ୍ରିତ ହୁଅନ୍ତି, ଯେଉଁଠାରେ ପୂର୍ବବର୍ଷ ମାଲିକମାନଙ୍କ ଉପରେ ବିଜୟକୁ ସ୍ମରଣ କରି ଏବଂ ଭବିଷ୍ୟତରେ ସଂଗ୍ରାମର ଯୋଜନାକୁ ସୂଚୀତ କରି ଭାଷଣ ଦିଆଯାଏ ।
ଧର୍ମଘଟ ଭୟରେ ଏହିଦିନ କାମରେ ଅନୁପସ୍ଥିତ ରହିବାପାଇଁ କୌଣସି ଗୋଟିଏ ହେଲେ କାରଖାନା ମାଲିକ ଶ୍ରମିକମାନଙ୍କ ଉପରେ ଜୋରିମାନା ଲାଗୁ କରନ୍ତିନାହିଁ । ଏହିଦିନ ଶ୍ରମିକମାନେ ମଧ୍ୟ ମାଲିକମାନଙ୍କୁ ସେମାନଙ୍କର ମୁଖ୍ୟଦାବିକୁ ସ୍ମରଣ କରାଇଦିଅନ୍ତି- ସେହି ଦାବି ହେଉଛି ୮ ଘଣ୍ଟା କାମ, ୮ ଘଣ୍ଟା ନିଦ୍ରା ଓ ୮ ଘଣଣ୍ଟା ବିଶ୍ରାମ । ବର୍ତ୍ତମାନ ଅନ୍ୟ ଦେଶର ଶ୍ରମିକମାନେ ମଧ୍ୟ ଏହି ଦାବି ଉତ୍ଥାପନ କରୁଛନ୍ତି । ଖୁବ୍ ଦେଶୀଦିନ ପୂର୍ବରୁ ନୁହେଁ, ଏପରି ଏକ ସମୟଥିଲା ଯେତେବେଳେ କି ସେମାନଙ୍କର ମଧ୍ୟ ବର୍ତ୍ତମାନ ଆମମାନଙ୍କ ଭଳି, ନିଜର ଆବଶ୍ୟକତା ଗୁଡ଼ିକୁ ଉପସ୍ଥାପନ କରିବାର ଅଧିକାର ନଥିଲା । ସେମାନେ ମଧ୍ୟ ଠିକ୍ ବର୍ତ୍ତମାନ ଆମଭଳି ଅଭାବ ଅନଟନରେ ପେଷି ହୋଇଯାଉଥିଲେ ଏବଂ ସେମାନଙ୍କ ମଧ୍ୟରେ ଏକତା ନ ଥିଲା । ମାତ୍ର ଏକନିଷ୍ଟ ଲଢ଼େଇ ଏବଂ ବିଶାଳ ଆତ୍ମତ୍ୟାଗ ପ୍ରତିବଦଳରେ ସେମାନେ ଶ୍ରମିକମାନଙ୍କର ସ୍ୱାର୍ଥ ସଂପର୍କରେ ଆଲୋଚନା କରିବାର ଅଧିକାର ହାସଲ କରିଛନ୍ତି । ଅନ୍ୟାନ୍ୟ ଦେଶମାନଙ୍କର ଶ୍ରମିକ ଭାଇମାନଙ୍କୁ ଆମେ ଆମର ଶୁଭେଚ୍ଛା ପ୍ରେରଣ କରୁଛୁ ଯେପରିକି ସେମାନଙ୍କର ସଂଗ୍ରାମ ଖୁବ୍ଶୀଘ୍ର ସେମାନଙ୍କୁ ସେମାନଙ୍କର ଇପ୍ଷିତ ବିଜୟ ଦିଗରେ, ସେହିଭଳି ଏକ ସମୟ ଆଡକୁ ଆଗେଇ ନେଉ ଯେଉଁଠି ମାଲିକ କିମ୍ବା ଦାସ, ଶ୍ରମିକ କିମ୍ବା ପୁଞ୍ଜିପତି କେହି ନଥିବେ ମାତ୍ର ସମସ୍ତେ ସମାନ ଭାବରେ କାମ କରିବେ ଏବଂ ସମାନ ଭାବରେ ଜୀବନକୁ ଉପଭୋଗ କରିବେ ।
କମରେଡ୍ସ୍! ଆମେ ଯଦି ଉତ୍ସାହର ସହିତ ଏବଂ ମନପ୍ରାଣ ଦେଇ ସଂଘବଦ୍ଧ ହେବାପାଇଁ ଉଦ୍ୟମ କରୁ, ତେବେ ସେହି ସମୟ ଖୁବ୍ ଦୂରରେ ନାହିଁ ଯେତେବେଳେ ଆମେ ଅମର ସମସ୍ତ ଶକ୍ତିକୁ ଅତ୍ୟନ୍ତ ଦୃଢ଼ଭାବରେ ସଂଗଠିତ କରି ସମଗ୍ର ବିଶ୍ୱର ପୁଞ୍ଜିପତି ମାନଙ୍କ ବିରୁଦ୍ଧରେ ସମସ୍ତ ଦେଶର ଶ୍ରମିକମାନଙ୍କର ଏହି ସାଧାରଣ ଲଢ଼େଇରେ ଜାତି କିମ୍ବା ଧର୍ମର ବାଛବିଚାର ବିନା ଖାଲାଖୋଲି ଭାବରେ ଯୋଦେବାପାଇଁ ସକ୍ଷମ ହେବୁ । ଶ୍ରମିକମାନଙ୍କର ପେଶୀବହୁଳ ହାତ ଉତ୍ତୋଳିତ ହେବ ଏବଂ ଦାସତ୍ୱର ଘୃଣ୍ୟ ଶୃଙ୍ଖଳ ଛିନ୍ନ ହୋଇଯିବ । ଋଷିଆର ଶ୍ରମିକ ଜାଗ୍ରତ ହେବ, ଏବଂ ପୁଞ୍ଜିପତି ଓ ସରକାର, ଯେଉଁ ସରକାର ସଦାସର୍ବଦା ପୁଞ୍ଜିପତିମାନଙ୍କୁ ଉତ୍ସାହର ସହିତ ସେବା ଓ ସହାୟତା କରେ, ଭୟରେ ଥରହର ହେବ! – ଏପ୍ରିଲ ୧୯, ୧୮୯୬