ପ୍ରୟାତଃ ବିଶିଷ୍ଟ ଜନନେତା କମ୍ରେଡ ଧୁର୍ଜ୍ଜଟୀ ଦାସଙ୍କ ସ୍ମରଣ ସଭାରେ ତାଙ୍କ ପ୍ରତି ଏସ୍‌.ୟୁ.ସି.ଆଇ(କମ୍ୟୁନିଷ୍ଟ) ରାଜ୍ୟ କମିଟି ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି

Sarbaharakranti News – ଭୁବନେଶ୍ୱର ତା ୦୯.୦୭.୨୦୨୧ – ଏସ୍‌.ୟୁ.ସି.ଆଇ(କମ୍ୟୁନିଷ୍ଟ) କେନ୍ଦ୍ରୀୟ କମିଟିର ଅନ୍ୟତମ ସଦସ୍ୟ, ଓଡିଶା ରାଜ୍ୟ ସଂପାଦକ ତଥା ରାଜ୍ୟର ବିଶିଷ୍ଟ ସଂଗ୍ରାମୀ ନେତା କମ୍ରେଡ ଧୁର୍ଜଟୀ ଦାସଙ୍କ ଗତ ୨୫ ଜୁନ୍ ଦିନ ଅତ୍ୟନ୍ତ ଦୁଃଖଦ ମୃତ୍ୟୁପରେ ରାଜ୍ୟ ତଥା ଦେଶର ସମସ୍ତ ପାର୍ଟି ଅଫିସରେ ରକ୍ତ ପତାକା ଅର୍ଦ୍ଧନିମିତ ରଖାଯିବା, ପାର୍ଟିର ସଭ୍ୟ ସମର୍ଥକମାନେ କଳା ବ୍ୟାଚ ପିନ୍ଧିବା ଓ ପଶ୍ଚିମ ଓଡିଶା ଓ ଉପକୁଳ ଓଡିଶାରେ ଦୁଇଟି ଭର୍ଚୁଆଲ ନାଗରିକ ଶୋକ ସଭା ଅନୁଷ୍ଠିତ ହେବା ପରେ ଗତ ଜୁଲାଇ ୯ତାରିଖ ଦିନ ଭର୍ଚୁଆଲ ମୋଡରେ ଏସ୍‌.ୟୁ.ସି.ଆଇ(କମ୍ୟୁନିଷ୍ଟ) ରାଜ୍ୟ କମିଟି ପକ୍ଷରୁ ଏକ ସ୍ମରଣ ସଭା ଅନୁଷ୍ଠିତ ହୋଇଯାଇଛି । କମ୍ରେଡ ଦାସ ଦୁରାରୋଗ୍ୟ ଲିଭର କ୍ୟାନସର ରୋଗରେ ପିଡିତ ହୋଇ କଲିକତା ହାର୍ଟ କ୍ଲିନିକ୍ ଆଣ୍ଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା । ତାଙ୍କ ପରିବାରର ରାଜନୈତିକ ପୃଷ୍ଠଭୂମି ଯୋଗୁ, ବିଶେଷ କରି ତାଙ୍କର ସବୁଠାରୁ ବଡଭାଇ କମ୍ରେଡ୍ ଦୁର୍ଗାପଦ ଦାସଙ୍କ ଜରିଆରେ ବାଲ୍ୟକାଳରୁ ହିଁ କମ୍ରେଡ୍ ଧୁର୍ଜ୍ଜଟୀ ଦାସଙ୍କ ଉପରେ ଏସ୍‌.ୟୁ.ସି.ଆଇ(କମ୍ୟୁନିଷ୍ଟ) ଦଳର ମହାନ ଆଦର୍ଶର ଛାପ ପଡିଥିଲା । ମାତ୍ର ତାଙ୍କର ସ୍କୁଲ ଜୀବନରେ ୧୯୬୮ ମସିହାରେ ଏସ୍‌.ୟୁ.ସି.ଆଇ(କମ୍ୟୁନିଷ୍ଟ)ର ପ୍ରୟାତ ରାଜ୍ୟ ସଂପାଦକ, ସମ୍ମାନସ୍ପଦ ବିପ୍ଳବୀ ନେତା ତଥା ବିଶିଷ୍ଟ ଭାସ୍କର କମ୍ରେଡ୍ ତାପସ ଦତ୍ତଙ୍କ ଘନିଷ୍ଟ ସଂପର୍କରେ ଆସିବାପରେ ସେ ମହାନ ମାର୍କ୍ସବାଦୀ ଦାର୍ଶନିକ ତଥା ଏସ୍‌.ୟୁ.ସି.ଆଇ(କମ୍ୟୁନିଷ୍ଟ)ର ପ୍ରତିଷ୍ଠାତା ସାଧାରଣ ସଂପାଦକ କମ୍ରେଡ୍ ଶିବଦାସ ଘୋଷଙ୍କ ବିପ୍ଳବୀ ଚିନ୍ତାର ଗଭୀର ସଂସ୍ପର୍ଶରେ ଆସିଥିଲେ । ଖୁବ୍ କମ୍ ସମୟ ମଧ୍ୟରେ କମ୍ରେଡ୍ ଦାସ ଶ୍ରମଜୀବୀ ଜନସାଧାରଣ ତଥା ଅନ୍ୟାନ୍ୟ ଶୋଷିତ ବର୍ଗଙ୍କର ମୁକ୍ତିପାଇଁ ତାଙ୍କର ସମଗ୍ର ଜୀବନ ଉତ୍ସର୍ଗ କରିବାକୁ ନିଷ୍ପତ୍ତି ଗ୍ରହଣ କରିଥିଲେ । ଜଣେ ନିଷ୍ଠାପର ବିପ୍ଳବୀ ଭାବରେ ତାଙ୍କର ଉତ୍ତରଣରେ ସେ କମ୍ରେଡ୍ ତାପସ ଦତ୍ତଙ୍କ ବ୍ୟତୀତ ଏସ୍‌.ୟୁ.ସି.ଆଇ(କମ୍ୟୁନିଷ୍ଟ)ର ବର୍ତ୍ତମାନର ସାଧାରଣ ସଂପାଦକ କମ୍ରେଡ୍ ପ୍ରଭାସ ଘୋଷଙ୍କ ଦ୍ୱାରା ମଧ୍ୟ ଅନୁପ୍ରାଣିତ ହୋଇଥିଲେ । ଅଲ ଇଣ୍ଡିଆ ଡେମୋକ୍ରାଟିକ୍ ଷ୍ଟୁଡେଣ୍ଟସ ଅର୍ଗାନାଇଜେସନ୍‌(ଏ.ଆଇ.ଡି.ଏସ୍‌.ଓ)ର ଜଣେ ନିଷ୍ଠାପର କର୍ମୀ ଭାବରେ କମ୍ରେଡ ଧୁର୍ଜ୍ଜଟୀ ଦାସ ତାଙ୍କ ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ୧୯୬୯ ମସିହାରେ ତାଳଚେର-ବିମଳାଗଡ ରେଳ ଲାଇନ ନିର୍ମାଣ ଦାବିରେ ଆମ ଦଳ ଓ ଏ.ଆଇ.ଡି.ଏସ୍‌.ଓର ଉଦ୍ୟୋଗ ଏବଂ ପରିଚାଳନା କରାଯାଇଥିବା ଐତିହାସିକ ଆନ୍ଦୋଳନରେ ସେ ରାଉଲକେଲାରେ ସକ୍ରିୟ ଭୂମିକା ପାଳନ କରିଥିଲେ । ସେହି ସମୟରୁ ହିଁ ସେ ଛାତ୍ର ଆନ୍ଦୋଳନ ଓ ଗଣଆନ୍ଦୋଳନର ଆବର୍ତ୍ତ ମଧ୍ୟରେ ସଂପୂର୍ଣ୍ଣ ଝାସ ହେଇଥିଲେ ଏବଂ ତା’ପର ଠାରୁ କେବେହେଲେ ପଛକୁ ଫେରି ଚାହିନାହାନ୍ତି । ସେ ଉଚ୍ଚ ଡିଗ୍ରୀ ଓ ଆକର୍ଷଣୀୟ ଚାକିରିର ରାସ୍ତା ପରିତ୍ୟାଗ କରିଥିଲେ ଏବଂ ଜଣେ କମ୍ୟୁନିଷ୍ଟ ବିପ୍ଳବୀର ମହାନ ଜୀବନକୁ ଆନନ୍ଦର ସହିତ ଗ୍ରହଣ କରିଥିଲେ । ଦୀର୍ଘ ପାଞ୍ଚଦଶନ୍ଧୀରୁ ଉର୍ଦ୍ଧ୍ୱ ସମୟଧରି ପରିବ୍ୟାପ୍ତ ତାଙ୍କର ଜାଜ୍ଜୁଲ୍ୟମାନ ବିପ୍ଳବୀ ଜୀବନର ଗତିଧାରାକୁ ମାର୍କ୍ସବାଦ-ଲେନିନ୍‌ବାଦ-କମ୍ରେଡ୍ ଶିବଦାସ ଘୋଷଙ୍କ ଚିନ୍ତା ଓ ଆଦର୍ଶ ଦିଗ-ନିର୍ଦ୍ଦେଶ କରିଥିଲା । ୧୯୭୦ ମସିହାରେ ଓଡିଶାରେ ଦ୍ୱିତୀୟ ସମନ୍ୱିତ(Integrated) ଇସ୍ପାତ କାରଖାନା ପ୍ରତିଷ୍ଠାଦାବିରେ ଗଢିଉଠିଥିବା ରାଜ୍ୟବ୍ୟାପୀ ଆନ୍ଦୋଳନରେ କମ୍ରେଡ୍ ଦାସ ନିଜକୁ ସକ୍ରିୟ ଭାବରେ ସଂଶ୍ଳିଷ୍ଟ କରିଥିଲେ । ଏହି ଆନ୍ଦୋଳନରେ ଆମ ଦଳ ଏକ ବଳିଷ୍ଠ ଭୂମିକା ପାଳନ କରିଥିଲା । ୧୯୭୦ରୁ ୧୯୭୨ମସିହା ମଧ୍ୟରେ କମ୍ରେଡ୍ ଦାସ ରାଉରକେଲାରେ ବହୁ ଛାତ୍ର ଆନ୍ଦୋଳନରେ ନେତୃତ୍ୱ ନେଇଥିଲେ ଏବଂ ସେଠାରେ ଜଣେ ପ୍ରତିଷ୍ଠିତ ଛାତ୍ରନେତା ଭାବରେ ସ୍ୱୀକୃତ ହୋଇଥିଲେ । ୧୯୭୩ ମସିହାରେ ସମ୍ବଲପୁର ସହରକୁ କେନ୍ଦ୍ର କରି ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାରେ ସଂଗଠନ ଗଢିତୋଳିବାପାଇଁ ତାଙ୍କୁ ସମ୍ବଲପୁର ପଠାଯାଇଥିଲା । ୧୯୭୪-୭୫ ମସିହାରେ ସେ ସମ୍ବଲପୁରର ଗଙ୍ଗାଧର ମେହେର କଲେଜରେ ବହୁ ଛାତ୍ରଆନ୍ଦୋଳନ ଗଢିତୋଳିବା ଓ ପରିଚାଳନା କରିବା କ୍ଷେତ୍ରରେ ମୁଖ୍ୟ ଭୂମିକା ପାଳନ କରିଥିଲେ । ଏହି ସମସ୍ତ ଆନ୍ଦୋଳନ ପରିଚାଳନା ମାଧ୍ୟମରେ କମ୍ରେଡ୍ ଧୁର୍ଜ୍ଜଟୀ ଦାସ ସମ୍ବଲପୁର ଓ ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାମାନଙ୍କରେ ଜଣେ ପ୍ରମୁଖ ଓ ପ୍ରିୟ ଛାତ୍ରନେତା ଭାବରେ ପ୍ରତିଷ୍ଠା ଲାଭ କରିଥିଲେ । ୧୯୭୪-୭୫ମସିହାରେ ଓଡିଶା ସମେତ ଦେଶର ବହୁ ରାଜ୍ୟରେ ଆନ୍ଦୋଳନର ଜୁଆର ସୃଷ୍ଟି କରିଥିବା ଐତିହାସିକ ଜେପି ଆନ୍ଦୋଳନରେ କମ୍ରେଡ୍ ଦାସ ସକ୍ରିୟ ଭାବରେ ସାମିଲ ହୋଇଥିଲେ । ଦେଶର ବହୁ ରାଜ୍ୟରେ ଶକ୍ତିଶାଳୀ ହେଉଥିବା ଲଢୁଆ ଗଣଆନ୍ଦୋଳନକୁ ଦମନ କରିବାପାଇଁ ତତ୍‌କାଳୀନ କେନ୍ଦ୍ର ସରକାର ଦ୍ୱାରା ୨୧ମାସଧରି ଜାରୀ କରାଯାଇଥିବା ଜାତୀୟ ଜରୁରୀକାଳୀନ ପରିସ୍ଥିତି ସମୟରେ ସେ ୧୯୭୫ମସିହାରେ ସମ୍ବଲପୁରଠାରେ ଗିରଫ ହୋଇଥିଲେ ଏବଂ ୨୦ମାସ ପାଇଁ କାରାରୁଦ୍ଧ ହୋଇଥିଲେ । ଦୀର୍ଘ କାରାବାସ କିଛି ପରିମାଣରେ ତାଙ୍କ ସ୍ୱାସ୍ଥ୍ୟକୁ ପ୍ରଭାବିତ କରିଥିଲା । ୧୯୭୭ ମିସହାରେ ସମ୍ବଲପୁରଠାରେ ଅନୁଷ୍ଠିତ ହୋଇଥିବା ଏ.ଆଇ.ଡି.ଏସ୍‌.ଓର ରାଜ୍ୟ ସମ୍ମିଳନୀରେ କମ୍ରେଡ୍ ଧୁର୍ଜ୍ଜଟୀ ଦାସ ରାଜ୍ୟ ସଭାପତି ଓ ୧୯୮୩ ମସିହାରେ ଭୁବନେଶ୍ୱରଠାରେ ଅନୁଷ୍ଠିତ ରାଜ୍ୟ ସମ୍ମିଳନୀରେ ରାଜ୍ୟ ସଂପାଦକ ଭାବରେ ନିର୍ବାଚିତ ହୋଇଥିଲେ । କମ୍ରେଡ୍ ତାପସ ଦତ୍ତ ଓ କମ୍ରେଡ୍ ପ୍ରଭାସ ଘୋଷଙ୍କ ପରିଚାଳନାରେ ସେ ୧୯୮୦ ମସିହାରେ ସମ୍ବଲପୁରରୁ ଆରମ୍ଭ ହୋଇଥିବା ଐତିହାସିକ ଛାତ୍ର ଆନ୍ଦୋଳନରେ ନେତୃତ୍ୱ ଦେଇଥିଲେ ଏବଂ କ୍ରମଶଃ ଏହି ଆନ୍ଦୋଳନ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସ୍ତରର ଜନସାଧାରଣଙ୍କୁ ଜଡିତ କରିବା ମଧ୍ୟ ଦେଇ ରାଜ୍ୟସ୍ତରୀୟ ଗଣଆନ୍ଦୋଳନରେ ପରିଣତ ହୋଇଥିଲା । ଆନ୍ଦୋଳନକୁ ଦମନ କରିବାପାଇଁ ରାଜ୍ୟ ସରକାର କମ୍ରେଡ୍ ଦାସ ଓ ଅନ୍ୟକେତେକ ଛାତ୍ରନେତାଙ୍କ ବିରୁଦ୍ଧରେ ମିଥ୍ୟା ହତ୍ୟା ମକଦ୍ଦମା ଦାୟର କରିଥିଲେ । ବୁର୍ଲାଠାରେ ୧୪ଜଣ ଇଞ୍ଜିନିୟରିଂ ଛାତ୍ରଙ୍କ ହତ୍ୟା ପରେ ୧୯୮୪ ମସିହାରେ ମୁଣ୍ଡଟେକିଥିବା ସାରା ଓଡିଶା ଛାତ୍ର ଆନ୍ଦୋଳନର କମ୍ରେଡ୍ ଦାସ ନେତୃତ୍ୱରେ ରହିଥିଲେ । ୧୯୮୩ମସିହା ମାର୍ଚ୍ଚ ମାସରେ କମ୍ରେଡ୍ ତାପସ ଦତ୍ତଙ୍କ ନେତୃତ୍ୱରେ ଆମ ପାର୍ଟି ପକ୍ଷରୁ ବନ୍ୟା ବାତ୍ୟା ଓ ମରୁଡିର ସ୍ଥାୟୀ ପ୍ରତିକାର ଦାବିରେ ଓଡିଶାର ସମସ୍ତ ଜିଲ୍ଲାକୁ ପରିବ୍ୟାପ୍ତ କରି ଏକମାସ ଧରି ସାରା ଓଡିଶା ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ଆନ୍ଦୋଳରେ କମ୍ରେଡ ଦାସ ପ୍ରଶଂସନୀୟ ଭୂମିକା ପାଳନ କରିଥିଲେ । ୧୯୮୭ମିସହାରେ କଟକଠାରେ ଅନୁଷ୍ଠିତ ପାର୍ଟିର ପ୍ରଥମ ରାଜ୍ୟ ସମ୍ମିଳନୀରେ ସେ ଏସ୍‌.ୟୁ.ସି.ଆଇ(କମ୍ୟୁନିଷ୍ଟ)ର ରାଜ୍ୟ କମିଟିର ସଭ୍ୟ ଭାବରେ ନିର୍ବାଚିତ ହୋଇଥିଲେ । ୨୦୦୮ ମସିହାରେ ପାର୍ଟିର ତତ୍କାଳୀନ ରାଜ୍ୟ ସଂପାଦକ ତଥା କେନ୍ଦ୍ରୀୟ କମିଟିର ସଦସ୍ୟ କମ୍ରେଡ୍ ତାପସ ଦତ୍ତଙ୍କ ଦୁଃଖଦାୟକ ମୃତ୍ୟୁପରେ ସେ ପାର୍ଟି ରାଜ୍ୟ ସଂପାଦକ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ । ପରବର୍ତ୍ତୀ ସମୟରେ ସେ ୨୦୦୯ ମସିହାରେ ଅନୁଗୁଳଠାରେ ଅନୁଷ୍ଠିତ ଏସ୍‌.ୟୁ.ସି.ଆଇ(କମ୍ୟୁନିଷ୍ଟ)ର ଦ୍ୱିତୀୟ ଓ ୨୦୧୮ ମସିହାରେ ଭୁବନେଶ୍ୱରଠାରେ ଅନୁଷ୍ଠିତ ତୃତୀୟ ପାର୍ଟି ରାଜ୍ୟ ସମ୍ମିଳନୀରେ ଏହି ପଦପାଇଁ ପୁନଃ ନିର୍ବାଚିତ ହୋଇଥିଲେ ଏବଂ ଶେଷ ନିଃଶ୍ୱାସ ତ୍ୟାଗ କରିବା ପର୍ଯ୍ୟନ୍ତ ସେହି ଦାୟିତ୍ୱରେ ରହିଥିଲେ । ୨୦୦୯ ମସିହାରେ ଦଳର କେନ୍ଦ୍ରୀୟ କମିଟି ତାଙ୍କୁ ଷ୍ଟାଫ ସଦସ୍ୟତା ପ୍ରଦାନ କରିଥିଲେ । ୨୦୧୮ ମସିହାରେ ଘାଟଶିଳା ଠାରେ ଅନୁଷ୍ଠିତ ଆମ ଦଳର ତୃତୀୟ ପାର୍ଟି କଂଗ୍ରେସରେ ସେ କେନ୍ଦ୍ରୀୟ କମିଟିକୁ ନିର୍ବାଚିତ ହୋଇଥିଲେ । ଏହି ଦୀର୍ଘ ସମୟ ମଧ୍ୟରେ ସେ ରାଜ୍ୟର ବିଭିନ୍ନ ସ୍ଥାନରେ ଅସଂଖ୍ୟ ଗଣ ଆନ୍ଦୋଳନର କେନ୍ଦ୍ର ସ୍ଥଳରେ ରହିଥିଲେ । ସେ ତାଳଚେର ସୁପର ଥର୍ମାଲ୍ ୱାକର୍ସ ୟୁନିୟନର ସଭାପତି ଥିଲାବେଳେ ୨୦୦୮ମସିହାରେ କଣ୍ଟ୍ରାକ୍ଟର ଅଧିନରେ କାମକରୁଥିବା ଏନ୍‌ଟିପିସିର ଠିକା ଶ୍ରମିକମାନଙ୍କରଲଗାତର ୧୨ଦିନ ଧରି ଆନ୍ଦୋଳନ ଉଲ୍ଲେଖ ଯୋଗ୍ୟ । ଶ୍ରମିକ ଶ୍ରେଣୀର ବିପ୍ଳବକୁ ତ୍ୱରାନ୍ୱିତ କରିବାପାଇଁ କମ୍ରେଡ୍ ଧୁର୍ଜ୍ଜଟୀ ଦାସ ଜୀବନବ୍ୟାପୀ ଅକ୍ଳାନ୍ତ ଏବଂ ନିରବିଚ୍ଛିନ୍ନ ଭାବରେ ନିଜକୁ ନିୟୋଜିତ କରିଥିଲେ । ବିଶାଳ ହୃଦୟର ଅଧିକାରୀ, ସାହାସୀ, ସାଧାରଣଲୋକଙ୍କ ପାଇଁ ଗଭୀର ଓ ସୂକ୍ଷ୍ମ ସଂବେଦନଶୀଳତା ସଂପନ୍ନ ଏବଂ ଅନ୍ୟାନ୍ୟ ବହୁ ଗୁଣାବଳୀ ବିଭୁଷିତ ଜଣେ ବିପ୍ଳବୀ ଆଜି ଆମ ଭିତରେ ଆଉ ନାହାନ୍ତି । କମ୍ରେଡ୍ ଧୁର୍ଜ୍ଜଟୀ ଦାସଙ୍କର ଦୁଃଖଦ, ଅକସ୍ମାତ ଓ ଅସମୟରେ ଘଟିଥିବା ମୃତ୍ୟୁ, ଓଡିଶା ତଥା ସମଗ୍ର ଦେଶର ବିପ୍ଳବୀ ଆନ୍ଦୋଳନ ପାଇଁ ବିରାଟ କ୍ଷତି । ସୋସାଲିଷ୍ଟ ୟୁନିଟି ସେଣ୍ଟର ଅଫ୍ ଇଣ୍ଡିଆ(କମ୍ୟୁନିଷ୍ଟ) ଓଡିଶା ରାଜ୍ୟ କମିଟି ପ୍ରୟାତ ରାଜ୍ୟ ସଂପାଦକ କମ୍ରେଡ୍ ଧୁର୍ଜ୍ଜଟୀ ଦାସଙ୍କ ପ୍ରତି ଗଭୀର ସମ୍ମାନର ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଏବଂ ଶୋଷିତ ଶ୍ରମଜୀବୀ ଜନସାଧାରଣଙ୍କର ମୁକ୍ତି ଉଦ୍ଦେଶ୍ୟରେ ଆମ ଦେଶରେ ପୁଞ୍ଜିବାଦ ବିରୋଧି ସମାଜତାନ୍ତ୍ରିକ ବିପ୍ଳବ ସଫଳ କରିବାପାଇଁ ଏ ଦେଶମାଟିରେ ଏକମାତ୍ର ସଠିକ୍ ସାମ୍ୟବାଦୀ ଦଳ ଏସ୍‌.ୟୁ.ସି.ଆଇ(କମ୍ୟୁନିଷ୍ଟ)ଦଳକୁ ଶକ୍ତିଶାଳୀ କରିବାପାଇଁ ତାଙ୍କର ପାଞ୍ଚ ଦଶନ୍ଧି ବ୍ୟାପୀ ସୁଦୀର୍ଘ ବିପ୍ଳବୀ ଅବଦାନକୁ ସ୍ମରଣକରିବା ପାଇଁ ଗତ ଜୁଲାଇ ୯ତାରିଖ ଦିନ ରାଜ୍ୟସ୍ତରୀୟ ସ୍ମରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅନ୍ ଲାଇନ୍ ସଭାରେ ପାର୍ଟିର ସାଧାରଣ ସମ୍ପାଦକ କମ୍ରେଡ ପ୍ରଭାଷ ଘୋଷ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିବା ବେଳେ, କେନ୍ଦ୍ରୀୟ କମିଟି ସଦସ୍ୟ କମ୍ରେଡ ଦ୍ୱାରିକାନାଥ ରଥ ଓ କେନ୍ଦ୍ରୀୟ କମିଟି ସଦସ୍ୟ ତଥା ରାଜ୍ୟ ଅଫିସ୍ ସଂପାଦକ କମ୍ରେଡ ଶଙ୍କର ଦାସଗୁପ୍ତ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଏହି ସଭାରେ ରାଜ୍ୟ ସମ୍ପାଦକ ମଣ୍ଡଳି ସଦସ୍ୟ କମ୍ରେଡ ବିଷ୍ଣୁ ଦାସ ସଭାପତିତ୍ୱ କରିଥିଲେ । ସଭା ପ୍ରାରମ୍ଭରେ ଅତିଥି ଓ ବକ୍ତାମାନଙ୍କ ସମେତ ପାର୍ଟିର ବିଭିନ୍ନ ଗଣ ସଙ୍ଗଠନ ଅଲ୍ ଇଣ୍ଡିଆ ଡି.ଏସ୍‌.ଓ ପକ୍ଷରୁ ସୁବାସ ନାୟକ, ଅଲ୍ ଇଣ୍ଡିଆ ଡି.ୱାଇ.ଓ ପକ୍ଷରୁ ବିଜୟ ମଲ୍ଲିକ, କମ୍‌ସୋମଲ ପକ୍ଷରୁ ସିଦ୍ଧାର୍ଥ ରଥ, ଏ.ଆଇ.କେ.କେ.ଏମ୍‌.ଏସ୍ ପକ୍ଷରୁ ରଘୁନାଥ ଦାସ, ଅଲ୍ ଇଣ୍ଡିଆ ମହିଳା ସାଂସ୍କୃତିକ ସଙ୍ଗଠନ ପକ୍ଷରୁ ବିଣାପାଣୀ ଦାସ, ଅଲ୍ ଇଣ୍ଡିଆ ମହିଳା ସାଂସ୍କୃତିକ ସଙ୍ଗଠନ ସର୍ବଭାରତୀୟ ସାଧାରଣ ସଂପାଦକ ଛବି ମହାନ୍ତି, ଏଆଇୟୁଟିୟୁସି ପକ୍ଷରୁ ଶମ୍ଭୁନାଥ ନାଏକଙ୍କ ତରଫରୁ ପୂର୍ଣ୍ଣ ବେହେରା, ଏଆଇୟୁଟିୟୁସି ସର୍ବଭାରତୀୟ ସାଧାରଣ ସଂପାଦକ ଶଙ୍କର ଦାସଗୁପ୍ତ ପ୍ରମୁଖ ଧୁର୍ଜଟୀ ଦାସଙ୍କ ପ୍ରତିକୃତିରେ ମାଲ୍ୟାର୍ପଣ ପ୍ରଦାନ କରିଥିଲେ । ସଭା ପ୍ରାରମ୍ଭରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଏକ ମିନିଟ ନୀରବତା ପାଳନ କରାଯିବା ସଙ୍ଗେ ସଙ୍ଗେ ସର୍ବହରାର ମହାନ ନେତା ଶିବଦାସ ଘୋଷଙ୍କ ଉପରେ ରଚିତ ସଙ୍ଗୀତ ଓ ଆର୍ନ୍ତଜାତିକ ସଙ୍ଗୀତ ଗାନ କରା ଯାଇଥିଲା । ଏହି ଅନ୍ ଲାଇନ୍ ସଭାରେ ରାଜ୍ୟର ସମସ୍ତ ଜିଲ୍ଲାରୁ ତଥା ପଡୋଷୀ ରାଜ୍ୟ ପଶ୍ଚିମବଙ୍ଗ, ବିହାର, ଝାଡଖଣ୍ଡ ଓ ଆସାମ ଆଦି ରାଜ୍ୟର ପାର୍ଟିର ସଭ୍ୟ, ସମର୍ଥକ, ଦରଦୀ ଓ ପ୍ରୟାତଃ ଜନନେତା ଧୁର୍ଜଟୀ ଦାସଙ୍କ ବନ୍ଧୁ ଓ ପ୍ରଶଂସକ ମାନେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *