ଏସ୍‌.ୟୁ.ସି.ଆଇ(କମ୍ୟୁନିଷ୍ଟ) ରାଜ୍ୟ କମିଟି ପକ୍ଷରୁ କମ୍ରେଡ ଧୁର୍ଜ୍ଜଟୀ ଦାସଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି

ଏସ୍‌.ୟୁ.ସି.ଆଇ(କମ୍ୟୁନିଷ୍ଟ) କେନ୍ଦ୍ରୀୟ କମିଟିର ଅନ୍ୟତମ ସଦସ୍ୟ ତଥା ଓଡିଶା ରାଜ୍ୟ ସଂପାଦକ କମ୍ରଡ୍ ଧୁର୍ଜ୍ଜଟୀ ଦାସ ଗତ ଜୁନ ୨୪ତାରିଖ ଅପରାହ୍ନ ୨.୪୫ମିନିଟ ସମୟରେ ଯକୃତ କର୍କଟ ରୋଗରେ କୋଲକାତା ହାର୍ଟ କ୍ଲିନିକ ଓ ହାସ୍‌ପାତାଲରେ ଚିକିତ୍ସାଧିନ ଅବସ୍ଥାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁବେଳକୁ ତାଙ୍କୁ ୬୭ବର୍ଷ ବୟସ ହୋଇଥିଲା । ଗୋଟିଏ ଅଭିଜ୍ଞ ଡାକ୍ତରୀ ଦଳ, ନର୍ସ ଓ ଅନ୍ୟାନ୍ୟ ହାସପାତାଲ କର୍ମଚାରୀମାନଙ୍କର ସମସ୍ତ ଉଦ୍ୟମ ସତ୍ତ୍ୱେ ତାଙ୍କର ମୂଲ୍ୟବାନ ଜୀବନ ରକ୍ଷା କରାଯାଇ ପାରିଲାନାହିଁ । କମ୍ରେଡ୍ ଧୁର୍ଜ୍ଜଟୀ ଦାସଙ୍କର ଆକସ୍ମିକ ଓ ଅସମୟ ମୃତ୍ୟୁ ଓଡିଶା ତଥା ଆମ ଦେଶର ବିପ୍ଳବୀ ଅନ୍ଦୋଳନ ପାଇଁ ଏକ ଶକ୍ତ ଧକ୍କା ।
ତାଙ୍କ ପରିବାରର ରାଜନୈତିକ ପୃଷ୍ଠଭୂମି ଯୋଗୁ, ବିଶେଷ କରି ତାଙ୍କର ସବୁଠାରୁ ବଡଭାଇ କମ୍ରେଡ୍ ଦୁର୍ଗାପଦ ଦାସଙ୍କ ଜରିଆରେ ବାଲ୍ୟକାଳରୁ ହିଁ କମ୍ରେଡ୍ ଧୁର୍ଜ୍ଜଟୀ ଦାସଙ୍କ ଉପରେ ଏସ୍‌.ୟୁ.ସି.ଆଇ(କମ୍ୟୁନିଷ୍ଟ) ଦଳର ମହାନ ଆଦର୍ଶର ଛାପ ପଡିଥିଲା । ମାତ୍ର ତାଙ୍କର ସ୍କୁଲ ଜୀବନରେ ୧୯୬୮ ମସିହାରେ ଏସ୍‌.ୟୁ.ସି.ଆଇ(କମ୍ୟୁନିଷ୍ଟ)ର ପ୍ରୟାତ ରାଜ୍ୟ ସଂପାଦକ, ସମ୍ମାନସ୍ପଦ ବିପ୍ଳବୀ ନେତା ତଥା ବିଶିଷ୍ଟ ଭାସ୍କର କମ୍ରେଡ୍ ତାପସ ଦତ୍ତଙ୍କ ଘନିଷ୍ଟ ସଂପର୍କରେ ଆସିବାପରେ ସେ ମହାନ ମାର୍କ୍ସବାଦୀ ଦାର୍ଶନିକ ତଥା ଏସ୍‌.ୟୁ.ସି.ଆଇ(କମ୍ୟୁନିଷ୍ଟ)ର ପ୍ରତିଷ୍ଠାତା ସାଧାରଣ ସଂପାଦକ କମ୍ରେଡ୍ ଶିବଦାସ ଘୋଷଙ୍କ ବିପ୍ଳବୀ ଚିନ୍ତାର ଗଭୀର ସଂସ୍ପର୍ଶରେ ଆସିଥିଲେ । ଖୁବ୍ କମ୍ ସମୟ ମଧ୍ୟରେ କମ୍ରେଡ୍ ଦାସ ଶ୍ରମଜୀବୀ ଜନସାଧାରଣ ତଥା ଅନ୍ୟାନ୍ୟ ଶୋଷିତ ବର୍ଗଙ୍କର ମୁକ୍ତିପାଇଁ ତାଙ୍କର ସମଗ୍ର ଜୀବନ ଉତ୍ସର୍ଗ କରିବାକୁ ନିଷ୍ପତ୍ତି ଗ୍ରହଣ କରିଥିଲେ । ଜଣେ ନିଷ୍ଠାପର ବିପ୍ଳବୀ ଭାବରେ ତାଙ୍କର ଉତ୍ତରଣରେ ସେ କମ୍ରେଡ୍ ତାପସ ଦତ୍ତଙ୍କ ବ୍ୟତୀତ ଏସ୍‌.ୟୁ.ସି.ଆଇ(କମ୍ୟୁନିଷ୍ଟ)ର ବର୍ତ୍ତମାନର ସାଧାରଣ ସଂପାଦକ କମ୍ରେଡ୍ ପ୍ରଭାସ ଘୋଷଙ୍କ ଦ୍ୱାରା ମଧ୍ୟ ଅନୁପ୍ରାଣିତ ହୋଇଥିଲେ ।
ଅଲ ଇଣ୍ଡିଆ ଡେମୋକ୍ରାଟିକ୍ ଷ୍ଟୁଡେଣ୍ଟସ ଅର୍ଗାନାଇଜେସନ୍‌(ଏ.ଆଇ.ଡି.ଏସ୍‌.ଓ)ର ଜଣେ ନିଷ୍ଠାପର କର୍ମୀ ଭାବରେ କମ୍ରେଡ ଧୁର୍ଜ୍ଜଟୀ ଦାସ ତାଙ୍କ ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ୧୯୬୯ ମସିହାରେ ତାଳଚେର-ବିମଳାଗଡ ରେଳ ଲାଇନ ନିର୍ମାଣ ଦାବିରେ ଆମ ଦଳ ଓ ଏ.ଆଇ.ଡି.ଏସ୍‌.ଓର ଉଦ୍ୟୋଗ ଏବଂ ପରିଚାଳନା କରାଯାଇଥିବା ଐତିହାସିକ ଆନ୍ଦୋଳନରେ ସେ ରାଉଲକେଲାରେ ସକ୍ରିୟ ଭୂମିକା ପାଳନ କରିଥିଲେ । ସେହି ସମୟରୁ ହିଁ ସେ ଛାତ୍ର ଆନ୍ଦୋଳନ ଓ ଗଣଆନ୍ଦୋଳନର ଆବର୍ତ୍ତ ମଧ୍ୟରେ ସଂପୂର୍ଣ୍ଣ ଝାସ ହେଇଥିଲେ ଏବଂ ତା’ପର ଠାରୁ କେବେହେଲେ ପଛକୁ ଫେରି ଚାହିନାହାନ୍ତି । ସେ ଉଚ୍ଚ ଡିଗ୍ରୀ ଓ ଆକର୍ଷଣୀୟ ଚାକିରିର ରାସ୍ତା ପରିତ୍ୟାଗ କରିଥିଲେ ଏବଂ ଜଣେ କମ୍ୟୁନିଷ୍ଟ ବିପ୍ଳବୀର ମହାନ ଜୀବନକୁ ଆନନ୍ଦର ସହିତ ଗ୍ରହଣ କରିଥିଲେ । ଦୀର୍ଘ ପାଞ୍ଚଦଶନ୍ଧୀରୁ ଉର୍ଦ୍ଧ୍ୱ ସମୟଧରି ପରିବ୍ୟାପ୍ତ ତାଙ୍କର ଜାଜ୍ଜୁଲ୍ୟମାନ ବିପ୍ଳବୀ ଜୀବନର ଗତିଧାରାକୁ ମାର୍କ୍ସବାଦ-ଲେନିନ୍‌ବାଦ-କମ୍ରେଡ୍ ଶିବଦାସ ଘୋଷଙ୍କ ଚିନ୍ତା ଓ ଆଦର୍ଶ ଦିଗ-ନିର୍ଦ୍ଦେଶ କରିଥିଲା ।
୧୯୭୦ ମସିହାରେ ଓଡିଶାରେ ଦ୍ୱିତୀୟ ସମନ୍ୱିତ(Integrated) ଇସ୍ପାତ କାରଖାନା ପ୍ରତିଷ୍ଠାଦାବିରେ ଗଢିଉଠିଥିବା ରାଜ୍ୟବ୍ୟାପୀ ଆନ୍ଦୋଳନରେ କମ୍ରେଡ୍ ଦାସ ନିଜକୁ ସକ୍ରିୟ ଭାବରେ ସଂଶ୍ଳିଷ୍ଟ କରିଥିଲେ । ଏହି ଆନ୍ଦୋଳନରେ ଆମ ଦଳ ଏକ ବଳିଷ୍ଠ ଭୂମିକା ପାଳନ କରିଥିଲା । ୧୯୭୦ରୁ ୧୯୭୨ମସିହା ମଧ୍ୟରେ କମ୍ରେଡ୍ ଦାସ ରାଉରକେଲାରେ ବହୁ ଛାତ୍ର ଆନ୍ଦୋଳନରେ ନେତୃତ୍ୱ ନେଇଥିଲେ ଏବଂ ସେଠାରେ ଜଣେ ପ୍ରତିଷ୍ଠିତ ଛାତ୍ରନେତା ଭାବରେ ସ୍ୱୀକୃତ ହୋଇଥିଲେ ।
୧୯୭୩ ମସିହାରେ ସମ୍ବଲପୁର ସହରକୁ କେନ୍ଦ୍ର କରି ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାରେ ସଂଗଠନ ଗଢିତୋଳିବାପାଇଁ ତାଙ୍କୁ ସମ୍ବଲପୁର ପଠାଯାଇଥିଲା । ୧୯୭୪-୭୫ ମସିହାରେ ସେ ସମ୍ବଲପୁରର ଗଙ୍ଗାଧର ମେହେର କଲେଜରେ ବହୁ ଛାତ୍ରଆନ୍ଦୋଳନ ଗଢିତୋଳିବା ଓ ପରିଚାଳନା କରିବା କ୍ଷେତ୍ରରେ ମୁଖ୍ୟ ଭୂମିକା ପାଳନ କରିଥିଲେ । ଏହି ସମସ୍ତ ଆନ୍ଦୋଳନ ପରିଚାଳନା ମାଧ୍ୟମରେ କମ୍ରେଡ୍ ଧୁର୍ଜ୍ଜଟୀ ଦାସ ସମ୍ବଲପୁର ଓ ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାମାନଙ୍କରେ ଜଣେ ପ୍ରମୁଖ ଓ ପ୍ରିୟ ଛାତ୍ରନେତା ଭାବରେ ପ୍ରତିଷ୍ଠା ଲାଭ କରିଥିଲେ । ଏହି ପ୍ରକ୍ରିୟାରେ ବହୁ ଛାତ୍ର ବିପ୍ଳବୀ ଛାତ୍ର ସଂଗଠନ ଏ.ଆଇ.ଡି.ଏସ୍‌.ଓ ପ୍ରତି ଆକର୍ଷିତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଏକ ଭଲ ସଂଖ୍ୟକ ଛାତ୍ର ୧୯୭୪ ମସିହାରେ କଟକଠାରେ ଅନୁଷ୍ଠିତ ହୋଇଥିବା ଏ.ଆଇ.ଡି.ଏସ୍‌.ଓ ସର୍ବଭାରତୀୟ ସମ୍ମିଳନୀରେ ଯୋଗ ଦେଇଥିଲେ । ଏହି ସମ୍ମିଳନୀରେ ସର୍ବହରାର ମହାନ ନେତା କମ୍ରେଡ୍ ଶିବଦାସ ଘୋଷ, ଶ୍ରୀଯୁକ୍ତ ନବକୃଷ୍ଣ ଚୌଧୁରୀ ଓ କମ୍ରେଡ୍ ସୁବୋଧ ବାନାର୍ଜୀଙ୍କ ଭଳି ବହୁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇଥିଲେ । ୧୯୭୪-୭୫ମସିହାରେ ଓଡିଶା ସମେତ ଦେଶର ବହୁ ରାଜ୍ୟରେ ଆନ୍ଦୋଳନର ଜୁଆର ସୃଷ୍ଟି କରିଥିବା ଐତିହାସିକ ଜେପି ଆନ୍ଦୋଳନରେ କମ୍ରେଡ୍ ଦାସ ସକ୍ରିୟ ଭାବରେ ସାମିଲ ହୋଇଥିଲେ । ଦେଶର ବହୁ ରାଜ୍ୟରେ ଶକ୍ତିଶାଳୀ ହେଉଥିବା ଲଢୁଆ ଗଣଆନ୍ଦୋଳନକୁ ଦମନ କରିବାପାଇଁ ତତ୍‌କାଳୀନ କେନ୍ଦ୍ର ସରକାର ଦ୍ୱାରା ୨୧ମାସଧରି ଜାରୀ କରାଯାଇଥିବା ଜାତୀୟ ଜରୁରୀକାଳୀନ ପରିସ୍ଥିତି ସମୟରେ ସେ ୧୯୭୫ମସିହାରେ ସମ୍ବଲପୁରଠାରେ ଗିରଫ ହୋଇଥିଲେ ଏବଂ ୨୦ମାସ ପାଇଁ କାରାରୁଦ୍ଧ ହୋଇଥିଲେ । ଦୀର୍ଘ କାରାବାସ କିଛି ପରିମାଣରେ ତାଙ୍କ ସ୍ୱାସ୍ଥ୍ୟକୁ ପ୍ରଭାବିତ କରିଥିଲା ।
୧୯୭୭ ମିସହାରେ ସମ୍ବଲପୁରଠାରେ ଅନୁଷ୍ଠିତ ହୋଇଥିବା ଏ.ଆଇ.ଡି.ଏସ୍‌.ଓର ରାଜ୍ୟ ସମ୍ମିଳନୀରେ କମ୍ରେଡ୍ ଧୁର୍ଜ୍ଜଟୀ ଦାସ ରାଜ୍ୟ ସଭାପତି ଓ ୧୯୮୩ ମସିହାରେ ଭୁବନେଶ୍ୱରଠାରେ ଅନୁଷ୍ଠିତ ରାଜ୍ୟ ସମ୍ମିଳନୀରେ ରାଜ୍ୟ ସଂପାଦକ ଭାବରେ ନିର୍ବାଚିତ ହୋଇଥିଲେ । କମ୍ରେଡ୍ ତାପସ ଦତ୍ତ ଓ କମ୍ରେଡ୍ ପ୍ରଭାସ ଘୋଷଙ୍କ ପରିଚାଳନାରେ ସେ ୧୯୮୦ ମସିହାରେ ସମ୍ବଲପୁରରୁ ଆରମ୍ଭ ହୋଇଥିବା ଐତିହାସିକ ଛାତ୍ର ଆନ୍ଦୋଳନରେ ନେତୃତ୍ୱ ଦେଇଥିଲେ ଏବଂ କ୍ରମଶଃ ଏହି ଆନ୍ଦୋଳନ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସ୍ତରର ଜନସାଧାରଣଙ୍କୁ ଜଡିତ କରିବା ମଧ୍ୟ ଦେଇ ରାଜ୍ୟସ୍ତରୀୟ ଗଣଆନ୍ଦୋଳନରେ ପରିଣତ ହୋଇଥିଲା । ଆନ୍ଦୋଳନକୁ ଦମନ କରିବାପାଇଁ ରାଜ୍ୟ ସରକାର କମ୍ରେଡ୍ ଦାସ ଓ ଅନ୍ୟକେତେକ ଛାତ୍ରନେତାଙ୍କ ବିରୁଦ୍ଧରେ ମିଥ୍ୟା ହତ୍ୟା ମକଦ୍ଦମା ଦାୟର କରିଥିଲେ । ବୁର୍ଲାଠାରେ ୧୪ଜଣ ଇଞ୍ଜିନିୟରିଂ ଛାତ୍ରଙ୍କ ହତ୍ୟା ପରେ ୧୯୮୪ ମସିହାରେ ମୁଣ୍ଡଟେକିଥିବା ସାରା ଓଡିଶା ଛାତ୍ର ଆନ୍ଦୋଳନର କମ୍ରେଡ୍ ଦାସ ନେତୃତ୍ୱରେ ରହିଥିଲେ । ୧୯୮୩ମସିହା ମାର୍ଚ୍ଚ ମାସରେ କମ୍ରେଡ୍ ତାପସ ଦତ୍ତଙ୍କ ନେତୃତ୍ୱରେ ଆମ ପାର୍ଟି ପକ୍ଷରୁ ବନ୍ୟା ବାତ୍ୟା ଓ ମରୁଡିର ସ୍ଥାୟୀ ପ୍ରତିକାର ଦାବିରେ ଓଡିଶାର ସମସ୍ତ ଜିଲ୍ଲାକୁ ପରିବ୍ୟାପ୍ତ କରି ଏକମାସ ଧରି ସାରା ଓଡିଶା ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ଆନ୍ଦୋଳରେ କମ୍ରେଡ ଦାସ ପ୍ରଶଂସନୀୟ ଭୂମିକା ପାଳନ କରିଥିଲେ ।
ଏହି ସମସ୍ତ ଛାତ୍ର ଓ ଗଣଆନ୍ଦୋଳନ ଜରିଆରେ ଏ.ଆଇ.ଡି.ଏସ୍‌.ଓ ଓଡିଶାର ଗୋଟିଏ ଅତ୍ୟନ୍ତ ଶକ୍ତିଶାଳୀ ବିପ୍ଳବୀ ଛାତ୍ର ସଂଗଠନ ଭାବରେ ଗଢିଉଠିଥିଲା । ଏହି ସଂଗଠନ କେବଳ ମାତ୍ର ଛାତ୍ରମାନଙ୍କ ଦ୍ୱାରା ନୁହେଁ, ସମସ୍ତ ସ୍ତରର ଜନସାଧାରଣଙ୍କ ଦ୍ୱାରା ପ୍ରଶଂସିତ ହୋଇଥିଲା ।
ଏହା ସଙ୍ଗେ ସଙ୍ଗେ ଉଚ୍ଚ ନୀତିନୈତିକତା ଓ ଆଦର୍ଶର ଭିତ୍ତିରେ ଲଢୁଆ ଗଣଆନ୍ଦୋଳନର ନେତୃତ୍ୱ ଦେବାପାଇଁ ଏକମାତ୍ର ନିର୍ଭର ଯୋଗ୍ୟ ବାମପନ୍ଥୀ ଦଳ ଭାବରେ ଏସ୍‌.ୟୁ.ସି.ଆଇ(କମ୍ୟୁନିଷ୍ଟ) ରାଜ୍ୟବାସୀଙ୍କ ସମ୍ମୁଖକୁ ଆସିଥିଲା ।
ଲଗାତର ଛାତ୍ର ଆନ୍ଦୋଳନ ଗଢିତୋଳିବା ସଙ୍ଗେ ସଙ୍ଗେ କମ୍ରେଡ୍ ତାପସ ଦତ୍ତଙ୍କ ନେତୃତ୍ୱରେ କମ୍ରେଡ୍ ଧୁର୍ଜ୍ଜଟୀ ଦାସ ତାଙ୍କର ସହଯୋଦ୍ଧାମାନଙ୍କ ସହିତ ବିଭିନ୍ନ ସ୍ତରର ନିଷ୍ପେସିତ ଜନସାଧାରଣଙ୍କୁ ସଂଗଠିତ କରିବାପାଇଁ ରାଜ୍ୟର କୋଣ ଅନୁକୋଣକୁ ଯାଇଥିଲେ ଏବଂ ବିପ୍ଳବୀ ଦଳ ଏସ୍‌.ୟୁ.ସି.ଆଇ(କମ୍ୟୁନିଷ୍ଟ)କୁ ଗଢିତୋଳିବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଳନ କରିଥିଲେ । ଏହି ସଂଗ୍ରାମ ପରିଚାଳନା କରି କର୍ମେଡ୍ ଧୁର୍ଜ୍ଜଟୀ ଦାସ ସୁନ୍ଦରଗଡ, ଅବିଭକ୍ତ ବଲାଙ୍ଗୀର, ଅବିଭକ୍ତ ସମ୍ବଲପୁର, ଅବିଭକ୍ତ କୋରାପୁଟ, ମୟୁରଭଞ୍ଜ, ଅନୁଗୁଳ, କେଉଁଝର, ଯାଜପୁର, କେନ୍ଦ୍ରାପଡା, ଅବିଭକ୍ତ ପୁରୀ ଓ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ଆମ ଦଳର ବିସ୍ତାର କ୍ଷେତ୍ରରେ ଉଲ୍ଲେଖଯୋଗ୍ୟ ଭୂମିକା ପାଳନ କରିଥିଲେ । ୧୯୯୩ ମସିହାରେ କମ୍ରେଡ୍ ଦାସ ଯୁବ ସଂଗଠନ ଏଆଇଡିୱାଇଓର ରାଜ୍ୟ ପ୍ରସ୍ତୁତି କମିଟିକୁ ଯୁଗ୍ମ ଆବାହକ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ।
୧୯୮୭ମିସହାରେ କଟକଠାରେ ଅନୁଷ୍ଠିତ ପାର୍ଟିର ପ୍ରଥମ ରାଜ୍ୟ ସମ୍ମିଳନୀରେ ସେ ଏସ୍‌.ୟୁ.ସି.ଆଇ(କମ୍ୟୁନିଷ୍ଟ)ର ରାଜ୍ୟ କମିଟିର ସଭ୍ୟ ଭାବରେ ନିର୍ବାଚିତ ହୋଇଥିଲେ । ୨୦୦୮ ମସିହାରେ ପାର୍ଟିର ତତ୍କାଳୀନ ରାଜ୍ୟ ସଂପାଦକ ତଥା କେନ୍ଦ୍ରୀୟ କମିଟିର ସଦସ୍ୟ କମ୍ରେଡ୍ ତାପସ ଦତ୍ତଙ୍କ ଦୁଃଖଦାୟକ ମୃତ୍ୟୁପରେ ସେ ପାର୍ଟି ରାଜ୍ୟ ସଂପାଦକ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ । ପରବର୍ତ୍ତୀ ସମୟରେ ସେ ୨୦୦୯ ମସିହାରେ ଅନୁଗୁଳଠାରେ ଅନୁଷ୍ଠିତ ଏସ୍‌.ୟୁ.ସି.ଆଇ(କମ୍ୟୁନିଷ୍ଟ)ର ଦ୍ୱିତୀୟ ଓ ୨୦୧୮ ମସିହାରେ ଭୁବନେଶ୍ୱରଠାରେ ଅନୁଷ୍ଠିତ ତୃତୀୟ ପାର୍ଟି ରାଜ୍ୟ ସମ୍ମିଳନୀରେ ଏହି ପଦପାଇଁ ପୁନଃ ନିର୍ବାଚିତ ହୋଇଥିଲେ ଏବଂ ଶେଷ ନିଃଶ୍ୱାସ ତ୍ୟାଗ କରିବା ପର୍ଯ୍ୟନ୍ତ ସେହି ଦାୟିତ୍ୱରେ ରହିଥିଲେ । ୨୦୦୯ ମସିହାରେ ଦଳର କେନ୍ଦ୍ରୀୟ କମିଟି ତାଙ୍କୁ ଷ୍ଟାଫ ସଦସ୍ୟତା ପ୍ରଦାନ କରିଥିଲେ । ୨୦୧୮ ମସିହାରେ ଘାଟଶିଳା ଠାରେ ଅନୁଷ୍ଠିତ ଆମ ଦଳର ତୃତୀୟ ପାର୍ଟି କଂଗ୍ରେସରେ ସେ କେନ୍ଦ୍ରୀୟ କମିଟିକୁ ନିର୍ବାଚିତ ହୋଇଥିଲେ । ଏହି ଦୀର୍ଘ ସମୟ ମଧ୍ୟରେ ସେ ରାଜ୍ୟର ବିଭିନ୍ନ ସ୍ଥାନରେ ଅସଂଖ୍ୟ ଗଣ ଆନ୍ଦୋଳନର କେନ୍ଦ୍ର ସ୍ଥଳରେ ରହିଥିଲେ । ସେ ତାଳଚେର ସୁପର ଥର୍ମାଲ୍ ୱାକର୍ସ ୟୁନିୟନର ସଭାପତି ଥିଲାବେଳେ ୨୦୦୮ମସିହାରେ କଣ୍ଟ୍ରାକ୍ଟର ଅଧିନରେ କାମକରୁଥିବା ଏନ୍‌ଟିପିସିର ଠିକା ଶ୍ରମିକମାନଙ୍କରଲଗାତର ୧୨ଦିନ ଧରି ଆନ୍ଦୋଳନ ଉଲ୍ଲେଖ ଯୋଗ୍ୟ । ଅନୁଗୁଳ ଜିଲ୍ଲାର କିଶୋରନଗର ଅଞ୍ଚଳରେ ଜେ.ଆର. ପାୱାର ପ୍ଲାଣ୍ଟ ନିର୍ମାଣ ପାଇଁ ଦରିଦ୍ର ଲୋକଙ୍କର ବିସ୍ଥାପନ ବିରୋଧି ସଫଳ ଆନ୍ଦୋଳନକୁ ସେ ପରିଚାଳନା କରିଥିଲେ । ବାଲେଶ୍ୱର ଜିଲ୍ଲାର ବାଲିଆପାଳ କ୍ଷେପଣାସ୍ତ୍ର ଘାଟୀ ବିରୋଧି ଆନ୍ଦାଳନ ସହିତ ମଧ୍ୟ ସେ ଜଡିତ ଥିଲେ । ଶ୍ରମଜୀବୀ ଜନସାଧାରଣଙ୍କର ମଧ୍ୟରେ ଐକ୍ୟ ପ୍ରତିଷ୍ଠା କରିବାପାଇଁ ଆମ ପାର୍ଟିକୁ ସବୁ ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାଦେଶିକତାବାଦୀ ଓ ସାଂପ୍ରଦାୟିକ ଶକ୍ତିମାନଙ୍କ ବିରୁଦ୍ଧରେ ଦୃଢ ସଂକଳ୍ପ ଲଢେଇ ପରିଚାଳନା କରିବାକୁ ପଡିଛି । କମ୍ରେଡ୍ ଧୁର୍ଜ୍ଜଟୀ ଦାସ ଏହି ସମସ୍ତ ଲଢେଇର ଅଗ୍ରଭାଗରେ ରହିଥିଲେ ।
ରାଜନୈତିକ ଓ ଦର୍ଶନଗତ ଚର୍ଚ୍ଚା ସହିତ ସାହିତ୍ୟ ଚର୍ଚ୍ଚାରେ ମଧ୍ୟ ତାଙ୍କର ରୁଚି ରହିଥିଲା । ତାଙ୍କର ବିଭିନ୍ନ ତତ୍ତ୍ୱଗତ ବିଷୟକୁ ପ୍ରାଞ୍ଜଳ ଭାବରେ ଉପସ୍ଥାପନ କରିବାର କ୍ଷମତା ରହିଥିଲା ଏବଂ ସେ ଜନସାଧାରଣଙ୍କୁ ଉଦବୁଦ୍ଧ କରିପାରୁଥିବା ଜଣେ ସୁବକ୍ତା ଥିଲେ ।
ପାର୍ଟି ସାହିତ୍ୟ ପ୍ରକାଶନ, ବିଶେଷକରି କମ୍ରେଡ୍ ଶିବଦାସ ଘୋଷଙ୍କ ରଚନାବଳୀକୁ ଓଡିଆ ଭାଷାରେ ପ୍ରକାଶନ ଓ ପାର୍ଟି ରାଜ୍ୟର ମୁଖପତ୍ର ସର୍ବହରା କ୍ରାନ୍ତି ପ୍ରକାଶନ କ୍ଷେତ୍ରରେ ତାଙ୍କର ବିରାଟ ଅବଦାନ ରହିଛି । ତାଙ୍କର ଗୀତ, କବିତା ଓ ଗଳ୍ପ ରଚନା କ୍ଷେତ୍ରରେ ଦକ୍ଷତା ଥିଲା । ପ୍ରକାଶନ କାର୍ଯ୍ୟପାଇଁ ପାର୍ଟି ପ୍ରେସର ପୁନଃରୁଦ୍ଧାରରେ ତାଙ୍କର ବଡ ଅବଦାନ ଥିଲା ।
ଶ୍ରମିକ ଶ୍ରେଣୀର ବିପ୍ଳବକୁ ତ୍ୱରାନ୍ୱିତ କରିବାପାଇଁ କମ୍ରେଡ୍ ଧୁର୍ଜ୍ଜଟୀ ଦାସ ଜୀବନବ୍ୟାପୀ ଅକ୍ଳାନ୍ତ ଏବଂ ନିରବିଚ୍ଛିନ୍ନ ଭାବରେ ନିଜକୁ ନିୟୋଜିତ କରିଥିଲେ । ବିଶାଳ ହୃଦୟର ଅଧିକାରୀ, ସାହାସୀ, ସାଧାରଣଲୋକଙ୍କ ପାଇଁ ଗଭୀର ଓ ସୂକ୍ଷ୍ମ ସଂବେଦନଶୀଳତା ସଂପନ୍ନ ଏବଂ ଅନ୍ୟାନ୍ୟ ବହୁ ଗୁଣାବଳୀ ବିଭୁଷିତ ଜଣେ ବିପ୍ଳବୀ ଆଜି ଆମ ଭିତରେ ଆଉ ନାହାନ୍ତି ।
କମ୍ରେଡ୍ ଧୁର୍ଜ୍ଜଟୀ ଦାସଙ୍କର ଦୁଃଖଦ, ଅକସ୍ମାତ ଓ ଅସମୟରେ ଘଟିଥିବା ମୃତ୍ୟୁ, ଓଡିଶା ତଥା ସମଗ୍ର ଦେଶର ବିପ୍ଳବୀ ଆନ୍ଦୋଳନ ପାଇଁ ବିରାଟ କ୍ଷତି ।
ସୋସାଲିଷ୍ଟ ୟୁନିଟି ସେଣ୍ଟର ଅଫ୍ ଇଣ୍ଡିଆ(କମ୍ୟୁନିଷ୍ଟ) ଓଡିଶା ରାଜ୍ୟ କମିଟି ପ୍ରୟାତ ରାଜ୍ୟ ସଂପାଦକ କମ୍ରେଡ୍ ଧୁର୍ଜ୍ଜଟୀ ଦାସଙ୍କ ପ୍ରତି ଗଭୀର ସମ୍ମାନର ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି ଏବଂ ଶୋଷିତ ଶ୍ରମଜୀବୀ ଜନସାଧାରଣଙ୍କର ମୁକ୍ତି ଉଦ୍ଦେଶ୍ୟରେ ଆମ ଦେଶରେ ପୁଞ୍ଜିବାଦ ବିରୋଧି ସମାଜତାନ୍ତ୍ରିକ ବିପ୍ଳବ ସଫଳ କରିବାପାଇଁ ଏ ଦେଶମାଟିରେ ଏକମାତ୍ର ସଠିକ୍ ସାମ୍ୟବାଦୀ ଦଳ ଏସ୍‌.ୟୁ.ସି.ଆଇ(କମ୍ୟୁନିଷ୍ଟ)ଦଳକୁ ଶକ୍ତିଶାଳୀ କରିବାପାଇଁ ତାଙ୍କର ପାଞ୍ଚ ଦଶନ୍ଧି ବ୍ୟାପୀ ସୁଦୀର୍ଘ ବିପ୍ଳବୀ ଅବଦାନକୁ ସ୍ମରଣକରି ଏକ ମିନିଟ୍ ନିରବତା ପାଳନ କରୁଛି ।
କମ୍ରେଡ୍ ଧୁର୍ଜ୍ଜଟୀ ଦାସ, ଲାଲ ସଲାମ
ଏସ୍‌.ୟୁ.ସି.ଆଇ(କମ୍ୟୁନିଷ୍ଟ) ଜିନ୍ଦାବାଦ
କମ୍ରେଡ୍ ଶିବଦାସ ଘୋଷ ଲାଲ ସଲାମ

Leave a Reply

Your email address will not be published. Required fields are marked *