କଣିହାଁ ବ୍ଲକ ଖାଲପାଳ ଗ୍ରାମର ସାବିତ୍ରୀ ସାହୁ ହତ୍ୟାକାଣ୍ଡରେ ସଂପୃକ୍ତ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା ଓ ଅନ୍ୟାନ୍ୟ ଦାବିରେ ଏସ୍‌.ପି ଅଫିସ ଘେରାଉ

Sarbaharakranti – ଅନୁଗୁଳ, ୩/୧୨ – କଣିହାଁ ବ୍ଲକ ରେଙ୍ଗାଳି ଥାନା ଅନ୍ତର୍ଗତ ଖାଲପାଳ ଗ୍ରାମର ସାବିତ୍ରୀ ସାହୁ ହତ୍ୟାକାଣ୍ଡରେ ସଂପୃକ୍ତ ଅନ୍ୟତମ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା ଓ ଅନ୍ୟାନ୍ୟ ଦାବିରେ ଅଲ ଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନ (ଏ.ଆଇ.ଏମ୍‌.ଏସ୍‌.ଏସ୍‌) କଣିହାଁ ବ୍ଲକ କମିଟି ନେତୃତ୍ୱରେ ଶୁକ୍ରବାର ଦିନ ଅନୁଗୁଳ ଏସ୍‌.ପି ଅଫିସ ଘେରାଉ କରାଯାଇଛି । ଖାଲପାଳ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଅନୁଗୁଳ ଷ୍ଟାଡିୟମ ଠାରୁ ଏକ ଶୋଭାଯାତ୍ରାରେ ବାହାରି ବଜାର ପରିକ୍ରମା କରି ଏସ୍‌.ପି ଅଫିସରେ ପହଞ୍ôଚ ଘେରାଓ ଆନ୍ଦୋଳନ କରିଥିଲେ । ସେଠାରେ ଅନୁଷ୍ଠିତ ଘେରାଉ କାର୍ଯ୍ୟକ୍ରମରେ ସଂଗଠନର ଜିଲ୍ଲା ସଭାନେତ୍ରୀ ମନ୍ଦୋଦରୀ ରାଉଳ ସଭାପତିତ୍ୱ କରିଥିଲେ । ଏହି ଆନ୍ଦୋଳନରେ ଏସ୍‌.ୟୁ.ସି.ଆଇ (କମ୍ୟୁନିଷ୍ଟ) ଜିଲ୍ଲା କମିଟିର ବରିଷ୍ଟ ସଭ୍ୟ ନବ କିଶୋର ପ୍ରଧାନ ଯୋଗ ଦେଇ କଣିହାଁ, ରେଙ୍ଗାଳି, ଏନଟିପିସି ଥାନା ପୋଲିସ ଓ ପାଲଲହଡା ଏସଡିପିଓ ପକ୍ଷରୁ ସଂଗଠନର ଜିଲ୍ଲା ସଂପାଦିକା ମାନସୀ ସ୍ୱାଇଁ, ଏସ୍‌.ୟୁ.ସି.ଆଇ (କମ୍ୟୁନିଷ୍ଟ) କଣିହାଁ ଆଞ୍ଚଳିକ କମିଟି ସଂପାଦକ ପ୍ରହ୍ଲାଦ ଚନ୍ଦ୍ର ସାହୁ, ଗଦାଶିଳା ସରପଞ୍ଚଞ୍ଚଜେମାମଣି ନାଏକଙ୍କୁ କଣିହାଁରୁ ଅନୁଗୁଳ ଯିବା ରାସ୍ତାରେ ଦଣ୍ଡସିଂହା ଏନ.ଟି.ପି.ସି ଲେବୁଲ କ୍ରସିଙ୍ଗ ଠାରେ ଅଟକାଇ ଆନ୍ଦୋଳନକୁ ଦମନ କରିବା ଚକ୍ରାନ୍ତକୁ ଘୋର ନିନ୍ଦା କରିଥିଲେ । ସାବିତ୍ରୀ ସାହୁ ହତ୍ୟାକାଣ୍ଡରେ ସଂପୃକ୍ତ ଅନ୍ୟତମ ମୁଖ୍ୟ ଅଭିଯୁକ୍ତକୁ ଅବିଳମ୍ବେ ଗିରଫ କରିବା ସହିତ କଣିହାଁ ଅଞ୍ଚଳରେ ଦିନକୁ ଦିନ ବୃଦ୍ଧି ପାଉଥିବା ଚୋରୀ, ରାହାଜାନୀ, ହତ୍ୟା, ମଦ ଓ ମାଦକ ଦ୍ରବ୍ୟର ଅବାଧ କାରବାର ଭଳି ଅପରାଧମୂଳକ ଘଟଣାକୁ ରୋକିବା ଏବଂ ଛାତୀ ଓ ମହିଳାମାନଙ୍କର ସୁରକ୍ଷାକୁ ସୁନିଶ୍ଚିତ କରିବା, ମଦ-ମାଦକ ଦ୍ରବ୍ୟ, ଅଶ୍ଳୀଳତା, ଅପସଂସ୍କୃତିର ପ୍ରଚାର ପ୍ରସାର ବନ୍ଦ କରିବା ଆଦି ଦାବି ନେଇ ସଂଗଠନ ପକ୍ଷରୁ ଆଜିର ଏହି ଘେରାଉ ଆନ୍ଦୋଳନ କରାଯାଇଥିଲା । ପ୍ରକାଶ ଥାଉକି ଗତ ତା ୩୦/୧୦/୨୦୨୧ ରିଖ ଶନିବାର ବିଳମ୍ବିତ ରାତିରେ ସାବିତ୍ରୀ ସାହୁଙ୍କ ସ୍ୱାମୀ ଶ୍ରୀ ଅର୍ଜୁନ ସାହୁ ନିଜ ଘରେ ଅନୁପସ୍ଥିତ ଥିବାବେଳେ ଅଭିଯୁକ୍ତକାରୀମାନେ ଯୋଜନାବଦ୍ଧ ଭାବେ ସାବିତ୍ରୀ ସାହୁଙ୍କୁ ନିର୍ମମ ଭାବେ ହତ୍ୟା କରି ଦଉଡିରେ ଝୁଲାଇ ଆତ୍ମହତ୍ୟାର ରୂପ ଦେଇଥିଲେ । ଅଭିଯୁକ୍ତକାରୀମାନଙ୍କୁ ପୋଲିସ ଗିରଫ ନ କରିବାରୁ ଗତ ନଭେମ୍ବର ୬ ତାରିଖରେ ସଂଗଠନ ପକ୍ଷରୁ ରେଙ୍ଗାଳି ଥାନା ଘେରାଉ କରାଯାଇଥିଲା । ଫଳରେ ପୋଲିସ ତିନିଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । କିନ୍ତୁ ହତ୍ୟାକାଣ୍ଡରେ ସଂପୃକ୍ତ ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ମୃତ ସାବିତ୍ରୀ ସାହୁଙ୍କର ବଡ ଯାଆ ଲକ୍ଷ୍ମୀ ସାହୁଙ୍କ ଭାଇ ଶୁଆଝରୀ ଗ୍ରାମର ଜୟ ପ୍ରଧାନଙ୍କ ପୁତ୍ର କାର୍ତ୍ତିକା ପ୍ରଧାନଙ୍କୁ ଆଜି ପର୍ଯ୍ୟନ୍ତ ଗିରଫ କରାଯାଇ ନ ଥିବାରୁ ସଂଗଠନର ଜିଲ୍ଲା ଉପ ସଭାପତି ସରୋଜିନୀ ନାୟକ ଗଭୀର ଉଦ୍‌ବେଗ ପ୍ରକାଶ କରିବା ସହିତ ଅବିଳମ୍ବେ ଗିରଫ କରିବାକୁ ଦାବି କରିଥିଲେ । କଣିହାଁ ସମେତ ଜିଲ୍ଲାରେ ବୃଦ୍ଧିପାଉଥିବା ଅପରାଧକୁ ରୋକିବାରେ ଜିଲ୍ଲା ପୋଲିସ ପ୍ରଶାସନ ସଂପୂର୍ଣ୍ଣ ବିଫଳ ବୋଲି ଜିଲ୍ଲା କୋଷାଧ୍ୟକ୍ଷ ପ୍ରମିଳା ପଣ୍ଡା ଏହି ଘେରାଉ ଆନ୍ଦୋଳନରେ ଯୋଗଦେଇ ଅଭିଯୋଗ କରିଛନ୍ତି । ଏହି ଘେରାଉ ଆନ୍ଦୋଳନରୁ ପ୍ରମିଳା ପଣ୍ଡାଙ୍କ ନେତ୍‌ୃତ୍ୱରେ କଣିହାଁ ସଂପାଦିକା ପ୍ରଗତିବାଳା ନାୟକ, ମିନତୀ ସାମଲ, ପାକିଲି ବେହେରା, ମିଲି ସାହୁ, ସରସ୍ୱତୀ ସାହୁ, ସୁକଦେବ ସେଠୀ ପ୍ରମୁଖ ଏକ ପ୍ରତିନିଧି ମଣ୍ଡଳୀ ଏସ୍‌.ପି ଜଗମୋହନ ମିନାଙ୍କ ସହିତ ଆଲୋଚନା କରିଥିଲେ । ଉପଯୁକ୍ତ ତଦନ୍ତ କରି ଅପରାଧୀଙ୍କୁ ଉଚିତ ଦଣ୍ଡ ଦିଆଯିବା ସହିତ ସାବିତ୍ରୀ ସାହୁଙ୍କ ପରିବାରକୁ ନ୍ୟାୟ ପ୍ରଦାନ କରାଯିବ ବୋଲି ଏସ୍‌.ପି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।

Leave a Reply

Your email address will not be published. Required fields are marked *