ବେକାର ଯୁବକ-ଯୁବତୀଙ୍କୁ ନିଯୁକ୍ତି ଦାବିରେ ଏ.ଆଇ.ଡି.ୱାଇ.ଓ.ର ତୃତୀୟ ରାଜ୍ୟସ୍ତରୀୟ ଯୁବ ସମ୍ମିଳନୀ ଉଦ୍ଯାପିତ
Sarbaharakranti/Angul/Dt. 21.11.2021 – ସମସ୍ତ ବେକାରଙ୍କୁ କର୍ମ ନିଯୁକ୍ତି ଓ ବେକାରଙ୍କୁ ନିଯୁକ୍ତି ଦେବା ପର୍ଯ୍ୟନ୍ତ ଯୋଗ୍ୟତା ଅନୁଯାୟୀ ବେକାରୀ ଭତ୍ତା ପ୍ରଦାନ କରିବା, ଶିକ୍ଷା, ସ୍ୱାସ୍ଥ୍ୟ ସମେତ ସମସ୍ତ ବିଭାଗ, ଶିଳ୍ପ ଓ ଖଣିଖାଦାନ ଗୁଡିକରେ ଖାଲି ପଡିଥିବା ପଦବୀଗୁଡିକ ପୂରଣ କରିବା, ସରକାରୀ ଉଦ୍ୟୋଗ ଗୁଡିକର ଘରୋଇକରଣ ବନ୍ଦ କରିବା, ଠିକା ନିଯୁକ୍ତି ବନ୍ଦ କରି ସମସ୍ତ ବେକାର ଯୁବକ-ଯୁବତୀ ମାନଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା, ମଦ, ମାଦକଦ୍ରବ୍ୟ ଓ ଅଶ୍ଳୀଳତାର ପ୍ରସାର ବନ୍ଦ କରିବା ଆଦି ଦାବିରେ ବିପ୍ଳବୀ ଯୁବ ସଂଗଠନ ଏ.ଆଇ.ଡି.ୱାଇ.ଓ.ର ରାଜ୍ୟ ସମ୍ମିଳନୀ ଅନୁଗୁଳ ଟାଉନ୍ ହଲ୍ରେ ଅନୁଷ୍ଠିତ ହୋଇଯାଇଛି । କରୋନା ମହାମାରୀକୁ ଦୃଷ୍ଟିରେ ରଖି ବିଭିନ୍ନ ଜିଲ୍ଲାର ପ୍ରତିନିଧିମାନଙ୍କୁ ନେଇ ଅନୁଷ୍ଠିତ ଏହି ସମ୍ମିଳନୀରେ ସଂଗଠନର ସର୍ବଭାରତୀୟ କମିଟି ସାଧାରଣ ସମ୍ପାଦିକା କମ୍ରେଡ ପ୍ରତିଭା ନାୟକ ଯୋଗଦେଇ ପ୍ରାରମ୍ଭରେ ରକ୍ତପତାକା ଉତ୍ତୋଳନ କରିଥିଲେ । ବିଭିନ୍ନ ଗଣଆନ୍ଦୋଳନରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଶହୀଦ ସ୍ତମ୍ଭରେ ମାଲ୍ୟାର୍ପଣ କରାଯାଇଥିବା । ରାଜ୍ୟ ସଭାପତି ବିଜୟାନନ୍ଦ ମଲ୍ଲିକଙ୍କ ସଭାପତିତ୍ୱରେ ଗଠିତ ସଭାପତିମଣ୍ଡଳୀ ଦ୍ୱାରା ପରିଚାଳିତ ସଭାକାର୍ଯ୍ୟର ପ୍ରାରମ୍ଭରେ କରୋନା ମହାମାରୀ ସମେତ ଅନ୍ୟାନ୍ୟ କାରଣରୁ ସଂଗଠନ ପ୍ରତି ଅବଦାନ ରଖିଯାଇଥିବା ବ୍ୟକ୍ତିବିଶେଷଙ୍କ ସ୍ମୃତିରେ ଏକ ମିନିଟ୍ ନିରବତା ପାଳନ କରାଯାଇଥିଲା । ଏସ୍.ୟୁ.ସି.ଆଇ(କମ୍ୟୁନିଷ୍ଟ) ରାଜ୍ୟ ସମ୍ପାଦକ କମ୍ରେଡ ଶଙ୍କର ଦାଶଗୁପ୍ତ ଉଦ୍ଘାଟନୀ ବକ୍ତବ୍ୟରେ ବର୍ତ୍ତମାନର ଘଡିସନ୍ଧି ମୁହୂର୍ତ୍ତରେ ଯୁବକ-ଯୁବତୀମାନେ ସଚେତନ ସଂଗଠିତ ହୋଇ ଦାବି ହାସଲ ପାଇଁ ଲଢ଼େଇ ରାସ୍ତାରେ ଆସିବାର ପ୍ରୟୋଜନତା ସମ୍ପର୍କରେ ଆଲୋକପାତ କରିଥିଲେ । ସଂଗଠନର ପଲିଟିବ୍ୟୁରୋ ସଦସ୍ୟ ମୁଖ୍ୟ ଅତିଥିଭାବେ ସମ୍ମିଳନୀରେ ଯୋଗଦେଇ ପୁଞ୍ଜିବାଦୀ ସମାଜ ବ୍ୟବସ୍ଥା କିଭଳି ଭାବରେ ଯୁବ ଜୀବନକୁ ଦୁର୍ବିସହ କରିଛି ତାହା ଅବତାରଣା କରିବାସହିତ କମ୍ରେଡ ଶିବଦାସ ଘୋଷଙ୍କ ଆଦର୍ଶକୁ ପାଥେୟ କରି ଉଚ୍ଚ ନୀତିନୈତିକତା, ସଂସ୍କୃତି ଭିତ୍ତିରେ ସମାଜ ସଭ୍ୟତାର ରକ୍ଷା ପାଇଁ ଯୁବ ସଂଗଠନକୁ ଦେଶବ୍ୟାପୀ ଶକ୍ତିଶାଳୀ କରି ଗଢ଼ି ତୋଳିବାକୁ ଆହ୍ୱାନ କରିଥିଲେ । ସର୍ବଭାରତୀୟ ସ୍ତରରେ ସଂଗଠନର ବ୍ୟାପ୍ତି ଓ ବିଭିନ୍ନ ରାଜ୍ୟରେ ଲଢ଼ୁଆ ଯୁବ ଆନ୍ଦୋଳନ ସମ୍ପର୍କରେ ସମ୍ମିଳନୀରେ ଉପସ୍ଥିତ ଥିବା ସର୍ବଭାରତୀୟ ସମ୍ପାଦକମଣ୍ଡଳୀ ସଦସ୍ୟ କମ୍ରେଡ ନିରଞ୍ଜନ ନସ୍କର ବକ୍ତବ୍ୟ ରଖିଥିଲେ । ଆଗାମୀ ଦିନରେ ରାଜ୍ୟରେ ସଂଗଠନକୁ ସୁସଂହତ ଓ ପରିବ୍ୟାପ୍ତ କରିବା ସହ ଯୁବ ଆନ୍ଦୋଳନକୁ ନେତୃତ୍ୱ ଦେବାପାଇଁ ରାଜ୍ୟ ସଭାପତି ଭାବେ ମାନସ ପାଳ ଓ ରାଜ୍ୟ ସମ୍ପାଦକ ଭାବେ କେଦାରନାଥ ସାହୁଙ୍କୁ ନେଇ ୮୭ଜଣିଆ ଏକ ରାଜ୍ୟ କମିଟି ନିର୍ବାଚିତ କରାଯାଇଥିଲା । ଆସନ୍ତା ଡିସେମ୍ବର ୧୧-୧୨ ଝାଡଖଣ୍ଡରେ ହେବାକୁ ଥିବା ସର୍ବଭାରତୀୟ ସମ୍ମିଳନୀକୁ ସଫଳ କରିବା ପାଇଁ ଆହ୍ୱାନ କରାଯାଇଛି ।