ରନ୍ଧନ ଗ୍ୟାସ୍ ଦରବୃଦ୍ଧି ପ୍ରତିବାଦରେ ଏସ୍.ୟୁ.ସି.ଆଇ(କମ୍ୟୁନିଷ୍ଟ) ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଗଣଧାରଣା
Sarbaharakranti News Dt – ୦୯/୦୫ । ରନ୍ଧନଗ୍ୟାସ୍ର ଆକାଶଛୁଆଁ ଦରବୃଦ୍ଧି ପ୍ରତ୍ୟାହାର କରିବା, ତୈଳ କମ୍ପାନୀମାନଙ୍କ ସ୍ୱାର୍ଥରେ ହେଉଥିବା ପେଟ୍ରୋଲ, ଡିଜେଲର ମୂଲ୍ୟବୃଦ୍ଧି ବନ୍ଦ କରିବା, ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ନିୟନ୍ତ୍ରଣ କରିବା ଦାବିରେ ଆଜି ଏସ୍.ୟୁ.ସି.ଆଇ(କମ୍ୟୁନିଷ୍ଟ) ଅନୁଗୁଳ ଜିଲ୍ଲା କମିଟି ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଏକ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି । ଗଣଧାରଣା ପୂର୍ବରୁ ଏସ୍.ୟୁ.ସି.ଆଇ(କମ୍ୟୁନିଷ୍ଟ)ର କର୍ମୀ ସମର୍ଥକମାନେ ସ୍ଥାନୀୟ ଅମଲାପଡା ଛକଠାରୁ ଏକ ଶୋଭାଯାତ୍ରାରେ ବାହାରି ରନ୍ଧନ ଗ୍ୟାସ୍ ଦରବୃଦ୍ଧି ପ୍ରତିବାଦରେ ବିଭିନ୍ନ ସ୍ଲୋଗାନ ମାନ ଦେଇ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ପହଞ୍ôଚଥିଲେ । ସେଠାରେ ଏସ୍.ୟୁ.ସି.ଆଇ(କମ୍ୟୁନିଷ୍ଟ) ଜିଲ୍ଲା କମିଟି ସଭ୍ୟ ନବକିଶୋର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଜିଲ୍ଲା କମିଟି ସଭ୍ୟ ବ୍ରଜବନ୍ଧୁ ସାହୁ, ପ୍ରହଲ୍ଲାଦ ଚନ୍ଦ୍ର ସାହୁ, ତୀର୍ଥବାସୀ ଭୋଇ, ସୁବାସ ପ୍ରଧାନ, ମାନସ ପାଳ, ମନ୍ଦୋଦରୀ ରାଉଳ, ସରୋଜିନୀ ନାୟକ, ମାନସୀ ସ୍ୱାଇଁ, କୈଳାସ ଚନ୍ଦ୍ର ସାହୁ, ରଣଜିତ ପ୍ରଧାନ, ଛାତ୍ର ନେତା ନାରାୟଣ ନାୟକ, ଆଇନ୍ଜୀବୀ ପ୍ରମୋଦ କୁମାର ପ୍ରଧାନ ପ୍ରମୁଖ ବକ୍ତବ୍ୟଦେଇ ବୃହତ କର୍ପୋରେଟମାନଙ୍କ ସ୍ୱାର୍ଥରେ କେନ୍ଦ୍ର ବିଜେପି ସରକାରଙ୍କ ଦ୍ୱାରା ରନ୍ଧନ ଗ୍ୟାସ୍, ପେଟ୍ରୋଲ, ଡିଜେଲର ଆକାଶଛୁଆଁ ମୂଲ୍ୟବୃଦ୍ଧିକୁ ତୀବ୍ର ନିନ୍ଦା କରିଥିଲେ । ୨୦୧୪ ମସିହାରେ ଆଚ୍ଛାଦିନ୍ର ସ୍ଲୋଗାନ୍ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ରରେ ବିଜେପି କ୍ଷମତା ଦଖଲ କରିଥିଲା । ସେହି ସମୟରେ ମହିଳାମାନଙ୍କୁ ଧୂଆଁମୁକ୍ତ ସ୍ୱଚ୍ଛ ଇନ୍ଧନ ଯୋଗାଇଦେବାର ବହୁଳ ପ୍ରଚାର କରି ଉଜ୍ଜ୍ୱଳା ଯୋଜନା ଆରମ୍ଭ କରାଯାଇଥିଲା । ସେତେବେଳେ ରନ୍ଧନ ଗ୍ୟାସ୍ ମୂଲ୍ୟ ୪୧୦ଟଙ୍କା ଥିବାବେଳେ ଏହି ସମୟ ମଧ୍ୟରେ ବୃଦ୍ଧି ପାଇଁ ୧୦୫୦ଟଙ୍କାରେ ପହଞ୍ôଚଛି । ରନ୍ଧନ ଗ୍ୟାସ୍ କିଣିନପାରି ଅନେକ ଉଜ୍ଜ୍ୱଳା ଗ୍ୟାସ୍ ହିତାଧିକାରୀ ପୁନର୍ବାର କାଠ, କୋଇଲା, ଗୋବରରେ ରୋଷେଇ କରିବା ପାଇଁ ବାଧ୍ୟହେଉଛନ୍ତି ବୋଲି ବକ୍ତାମାନେ ପ୍ରକାଶ କରିଥିଲେ । କେନ୍ଦ୍ର ସରକାର ବଡ ବଡ ଶିଳ୍ପପତି, କମ୍ପାନୀମାନଙ୍କୁ ଲକ୍ଷ ଲକ୍ଷ କୋଟି ଟଙ୍କା ଟିକସ ଛାଡ କରୁଥିବାବେଳେ ସାଧାରଣ ଜନତାଙ୍କ ଉପରେ ରନ୍ଧନ ଗ୍ୟାସ୍ର ଦରବୃଦ୍ଧି ଲଦିଦେବା ଅତ୍ୟନ୍ତ ଅନ୍ୟାୟ ଓ ଅଗଣତାନ୍ତ୍ରିକ ବୋଲି ଏସ୍.ୟୁ.ସି.ଆଇ(କମ୍ୟୁନିଷ୍ଟ) ପକ୍ଷରୁ କୁହାଯାଇଛି । କେନ୍ଦ୍ର ସରକାରଙ୍କ ଜନବିରୋଧୀ, ଜନମାରଣ ଦରବୃଦ୍ଧି ପ୍ରତିବାଦରେ ଶକ୍ତିଶାଳୀ ଗଣଆନ୍ଦୋଳନ ଗଢ଼ି ତୋଳିବା ପାଇଁ ଜନସାଧାରଣଙ୍କୁ ଆହ୍ୱାନ କରାଯାଇଥିଲା । ଗଣଧାରଣା ସ୍ଥଳରୁ ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ରଜନୀକାନ୍ତ ସ୍ୱାଇଁଙ୍କୁ ସାକ୍ଷାତ କରି ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ ପରେ ଗଣଧାରଣା ପ୍ରତ୍ୟାହୃତ ହୋଇଥିଲା ।