ଆନ୍ତର୍ଜାତିକ ଶ୍ରମିକ ଦିବସର ୧୩୬ତମ ବାର୍ଷିକୀ ଉପଲକ୍ଷେ ଶ୍ରମିକ ସମାବେଶ

ସର୍ବହରାକ୍ରାନ୍ତି ଖବର ତା ୦୭.୦୫.୨୦୨୨ – : ଏ.ଆଇ.ୟୁ.ଟି.ୟୁ.ସି ସହବନ୍ଧିତ ତାଳଚେର ସୁପର ଥର୍ମାଲ ୱାର୍କର୍ସ ୟୁନିୟନ (ଏନ.ଟି.ପି.ସି) କଣିହାଁ ଉଦ୍ୟୋଗରେ ମହାନ ଆନ୍ତର୍ଜାତିକ ଶ୍ରମିକ ଦିବସର ୧୩୬ତମ ବାର୍ଷିକୀ ପାଳନ ଉପଲକ୍ଷେ ଏକ ଶ୍ରମିକ ସମାବେଶ ଗୁରୁବାର ଦିନ ଅପରାହ୍ନ ୫ଟା ସମୟରେ ବିଜିଗୋଳ ହାଇସ୍କୁଲ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ୟୁନିୟନର ସଭାପତି ଜୟସେନ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାବେଶରେ ମୁଖ୍ୟବକ୍ତା ଭାବେ ଏ.ଆଇ.ୟୁ.ଟି.ୟୁ.ସି ଓଡିଶା ରାଜ୍ୟ ସଂପାଦକ ମଣ୍ଡଳୀ ସଭ୍ୟ ଅଜିତ ନାୟକ, ବକ୍ତା ଭାବେ ୟୁନିୟନର ଉପସଭାପତି ଭିକାରୀ ପ୍ରଧାନ, ସାଧାରଣ ସଂପାଦକ ପ୍ରହ୍ଲାଦ ଚନ୍ଦ୍ର ସାହୁ ଏ.ଆଇ.ୟୁ.ଟି.ୟୁ.ସି ଜିଲ୍ଲା ସଂପାଦକ ବ୍ରଜବନ୍ଧୁ ସାହୁ ଯୋଗ ଦେଇଥିଲେ । ବକ୍ତାମାନେ ମହାନ୍ ମଇ ଦିବସର ଐତିହାସିକ ତାତ୍ପର୍ଯ୍ୟ ସଂପର୍କରେ ଆଲୋଚନା କରିଥିଲେ । ଆଜି ଶ୍ରମିକମାନଙ୍କର ଐକ୍ୟବଦ୍ଧ ଆନ୍ଦୋଳନର ଅଭାବ ଯୋଗୁଁ ଶ୍ରମିକ ଶ୍ରେଣୀର କଷ୍ଟାର୍ଜିତ ଆଇନ କାନୁନକୁ ଶାସକ ଗୋଷ୍ଠୀ ପଦ ଦଳିତ କରି ହକ ପ୍ରାପ୍ୟରୁ ବଞ୍ଚିତ କରୁଛି । ପୁଞ୍ଜିବାଦୀ-ସାମ୍ରାଜ୍ୟବାଦୀମାନଙ୍କ ଶୋଷଣକୁ ତୀବ୍ରତର କରିବା ପାଇଁ ଉଦ୍ଦିଷ୍ଟ ଜଗତିକରଣ ଘରୋଇକରଣ ନୀତି ବିରୁଦ୍ଧରେ ବିଶ୍ୱ ଶ୍ରମିକ ଶ୍ରେଣୀ ଉପରେ ନଇଁ ଆସିଥିବା ସର୍ବଗ୍ରାସୀ ଆକ୍ରମଣରୁ ମୁକ୍ତି ପାଇଁ ତଥା ଶ୍ରମିକମାନଙ୍କ ନ୍ୟାଯ୍ୟ ଦାବି ନେଇ ଶ୍ରମିକ ଆନ୍ଦୋଳନକୁ ଶକ୍ତିଶାଳୀ କରିବା ପାଇଁ ଐତିହାସିକ ମଇ ଦିବସର ଲଢେଇରୁ ଶିକ୍ଷା ଗ୍ରହଣ କରିବାକୁ ମୁଖ୍ୟ ବକ୍ତା ଆହ୍ୱାନ ଦେଇଥିଲେ । ଦେଶୀ ବିଦେଶୀ ପୁଞ୍ଜିପତିଙ୍କ ସ୍ୱାର୍ଥରେ କେନ୍ଦ୍ରର ବିଜେପି ସରକାର ପ୍ରଚଳିତ ଶ୍ରମ ଆଇନ ଗୁଡିକୁ ଶ୍ରମିକ ଶ୍ରେଣୀ ବିରୁଦ୍ଧରେ ସଂଶୋଧନ କରି ଚାଲିଥିବାରୁ ଶ୍ରମିକମାନେ ସେମାନଙ୍କର ନ୍ୟାଯ୍ୟ ପ୍ରାପ୍ୟ ପାଇବାରୁ ବଞ୍ଚିତ ହେଉଛନ୍ତି । ଅପର ପକ୍ଷରେ କରୋନା ମହାମାରୀରେ ଜନସାଧାରଣଙ୍କ ମେରୁଦଣ୍ଡ ଭାଙ୍ଗିପଡିଥିବା ବେଳେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଆକାଶଛୁଆଁ ଦରବୃଦ୍ଧି, ବେକାରୀ, ଛଟେଇ ଯୋଗୁଁ ଜନଜୀବନ ଦୁର୍ବିସହ ହୋଇପଡିଛି । ଏହିଭଳି ସଂକଟଜନକ ପରିସ୍ଥିତିରେ ଶ୍ରମିକ-ଚାଷୀ ତଥା ଜନସାଧାରଣଙ୍କ ସାମଗ୍ରିକ ମୁକ୍ତି ପାଇଁ ପ୍ରତିଷ୍ଠିତ ପୁଞ୍ଜିବାଦୀ ଶୋଷଣମୂଳକ ସମାଜ ବ୍ୟବସ୍ଥାର ପରିବର୍ତ୍ତନ କରି ସମାଜତାନ୍ତ୍ରିକ ସମାଜ ବ୍ୟବସ୍ଥା ପ୍ରତିଷ୍ଠାର ଲଢେଇରେ ଶୋଷିତ ମଣିଷ ସକ୍ରିୟ ଭାବେ ଅଂଶଗ୍ରହଣ କରିବା ହେଉଛି ମହାନ୍ ମଇ ଦିବସର ଆହ୍ୱାନ ବୋଲି ବକ୍ତାମାନେ ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ୟୁନିୟନର କାର୍ଯ୍ୟକାରୀ ସଭ୍ୟ ଟୁନା ନାଏକ, ପ୍ରତାପ ପ୍ରଧାନ, ଶଙ୍କର ମାରାଣ୍ଡି, ଦୁଃଶାସନ ବେହେରା, ଅନିଲ ନାଏକ, ସୌଭାଗ୍ୟ ପାଣି, ବସନ୍ତ ପ୍ରଧାନ, ଅଭୟ ନାଏକ, ଶଙ୍କର ମାରାଣ୍ଡି, ଗନ୍ଧର୍ବ ନାଏକ, ସୁନିଆ ନାଏକ, ଚରଣ ସାହୁ, ଅଜୟ ବେହେରା, ପରମାନନ୍ଦ ସାହୁ ପ୍ରମୁଖ ଏହି ସମାବେଶରେ ସାମିଲ ଥିଲେ ।

Leave a Reply

Your email address will not be published. Required fields are marked *