ସାମ୍ପ୍ରଦାୟିକତା ବିରୋଧୀ ଆଲୋଚନା ସଭା

SarbaharaKranti News ଅନୁଗୁଳ-ତା୨୫.୦୬.୨୦୨୨ରିଖ । ସମାଜରୁ ସାମ୍ପ୍ରଦାୟିକ ସମସ୍ୟାର ସମାଧାନ ପାଇଁ ଆଜି ପୂର୍ବାହ୍ନରେ ସ୍ଥାନୀୟ ବାଜିରାଉତ ଛାତ୍ରାବାସ ଠାରେ ସାମ୍ପ୍ରଦାୟିକତା ବିରୋଧୀ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି । ଅବସରପ୍ରାପ୍ତ ପ୍ରାଧ୍ୟାପକ କୁମୁଦ ଚନ୍ଦ୍ର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆଲୋଚନା ସଭାରେ ବ୍ରଜବନ୍ଧୁ ସାହୁ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବାଥିବାବେଳେ ଅବସପ୍ରାପ୍ତ ପ୍ରଧାନଶିକ୍ଷକ ତରୁଣ ଦେହୁରୀ ଆଲୋଚନା ସଭାର ଭିତ୍ତିପତ୍ର ପାଠ କରିଥିଲେ । ଏଥିରେ ମୁଖ୍ୟ ଅତିଥିଭାବେ ବିଶିଷ୍ଟ ସମାଜସେବୀ କ୍ରିଷ୍ଣା ମହାନ୍ତି, ମୁଖ୍ୟବକ୍ତା ଭାବେ ଶିକ୍ଷାବିତ୍ କ୍ଷୀରୋଦ କରଙ୍କ ସହିତ ଆଇନ୍‌ଜୀବୀ ପ୍ରମୋଦ କୁମାର ପ୍ରଧାନ, କବି ଶୈଳେଜ ରବି, ଇଂ. ଧନେଶ୍ୱର ସାହୁ, ତ୍ରିଲୋଚନ ଜେନା, ନବଜୀବନ ମଣ୍ଡଳର ସମ୍ପାଦକ ମୂରଲୀଧର ମୂଳିଆ, ମାନସ ପଟ୍ଟନାୟକ, ଲିପିକା ମହାପାତ୍ର, ନାରାୟଣ ସେଠୀ ପ୍ରମୁଖ ବକ୍ତବ୍ୟଦେଇ ସ୍ୱାଧୀନତାର ୭୫ବର୍ଷ ପରେ ବି ଆମ ଦେଶରେ ସାମ୍ପ୍ରଦାୟିକ ସମସ୍ୟା ଏକ ପ୍ରମୁଖ ସମସ୍ୟାଭାବେ ରହିଛି ବୋଲି ପ୍ରକାଶ କରିଥିଲେ । ସ୍ୱାଧୀନତା ପୂର୍ବରୁ ବ୍ରିଟିଶ ସାମ୍ରାଜ୍ୟବାଦୀମାନେ ଡିଭାଇଡ୍ ଏଣ୍ଡ ରୁଲ୍ ଭେଦନୀତି ପ୍ରୟୋଗ କରି ଶାସନ କରିବା ସହିତ ଧର୍ମ ଭିତ୍ତିରେ ଭାରତବର୍ଷକୁ ଦୁଇଭାଗ କରି ସାମ୍ପ୍ରଦାୟିକତାର ବିଷମଞ୍ଜି ବୁଣି ଦେଇଥିଲେ । ସ୍ୱାଧୀନତା ପରେ ଆମ ଦେଶ ସମ୍ବିଧାନରେ ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ବୋଲି ସ୍ୱୀକୃତି ଦିଆଯାଇଛି । ମାତ୍ର ଦେଶର ଶାସକଶ୍ରେଣୀ ଦ୍ୱାରା ଧର୍ମନିରପେକ୍ଷ ଶବ୍ଦର ଭୁଲ, ବିକୃତ ବ୍ୟାଖ୍ୟା ଓ ପ୍ରୟୋଗ ଦ୍ୱାରା ଭାରତବର୍ଷ ଏକ ଯଥାର୍ଥ ଧର୍ମନିରପେକ୍ଷ ରାଷ୍ଟ୍ରଭାବେ ଗଢ଼ି ଉଠିନାହିଁ ବୋଲି ସେମାନେ ମତବ୍ୟକ୍ତ କରିଥିଲେ । ସାମ୍ପ୍ରଦାୟିକ ଚିନ୍ତା ବିରୁଦ୍ଧରେ ବୈଜ୍ଞାନିକ ଧର୍ମନିରପେକ୍ଷ ଯୁକ୍ତିଶୀଳ ଗଣତାନ୍ତ୍ରିକ ଚିନ୍ତାଚେତନାର ପ୍ରସାର କରି ସାମାଜିକ, ସାଂସ୍କୃତିକ ଆନ୍ଦୋଳନ ଗଢ଼ି ତୋଳିବା ମଧ୍ୟଦେଇ ସମାଜର ଗଣତାନ୍ତ୍ରିକରଣ କାର୍ଯ୍ୟଦ୍ୱାରା ସାମ୍ପ୍ରଦାୟିକ ସମସ୍ୟାକୁ ପ୍ରତିହତ କରାଯାଇପାରିବ ବୋଲି ସେମାନେ ମତ ଦେଇଥିଲେ । ସମାଜରୁ ସାମ୍ପ୍ରଦାୟିକ ସମସ୍ୟା ଦୂର ପାଇଁ ଜନସାଧାରଣଙ୍କ ମଧ୍ୟରେ ସଚେତନତା ଓ ଜାଗରଣ ସୃଷ୍ଟି କରିବା ଉଦ୍ଦେଶ୍ୟରେ “ପ୍ରଗତିଶୀଳ ନାଗରିକ ଚିନ୍ତନ ମଞ୍ଚ” ନାମରେ ଏକ କମିଟି ଗଠନ ପ୍ରସ୍ତାବ ସର୍ବସମ୍ମତିକ୍ରମେ ଗୃହିତ ହୋଇଥିଲା । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ବୁଦ୍ଧିଜୀବୀ ତ୍ରେତାନନ୍ଦ ସାମନ୍ତ, ନିରୋଦ ପାଳ, ବଳରାମ ବେହେରା, କୁଳମଣି ବେହେରା, ସୂର୍ଯ୍ୟକାନ୍ତ ଦାସ, ଆଇନ୍‌ଜୀବୀ ରଜତ ରଞ୍ଜନ ଦାସ, ଗୋପାଳ ନାଥ, ଅଜୟ ଭାଇ, ପରମେଶ୍ୱର ପ୍ରଧାନଙ୍କ ସମେତ ସହରର ବହୁ ବୁଦ୍ଧିଜୀବୀ ଓ ସଚେତନ ନାଗରିକ ଉପସ୍ଥିତ ଥିଲେ । ବିଶିଷ୍ଟ ଶିକ୍ଷାବିତ୍ ଅଭିମନ୍ୟୁ ସ୍ୱାଇଁ ଧନ୍ୟବାଦ ଅର୍ପଣ ପରେ ଆଲୋଚନା ସଭା ଶେଷ ହୋଇଥିଲା ।

Leave a Reply

Your email address will not be published. Required fields are marked *