ଡି.ୱାଇ.ଓ ପ୍ରତିଷ୍ଠା ଦିବସରେ ସଚେତନ ଯୁବ ଆନ୍ଦୋଳନ ପାଇଁ ଆହ୍ୱାନ
ଅନୁଗୁଳ-26/06/2022 – ଭାରତବର୍ଷର ବିପ୍ଳବୀ ଯୁବ ସଂଗଠନ ଅଲ୍ ଇଣ୍ଡିଆ ଡେମୋକ୍ରାଟିକ୍ ୟୁଥ୍ ଅର୍ଗାନାଇଜେସନ୍ (ଇଓଊଣଙ)ର ୫୭ତମ ପ୍ରତିଷ୍ଠା ଦିବସ ଶିକ୍ଷକପଡାସ୍ଥ ନବକୃଷ୍ଣ ଚୌଧୁରୀ ସ୍ମୃତି ପାଠାଗାର ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସଂଗଠନର ରକ୍ତପତାକା ଡି.ୱାଇ.ଓ ଓଡିଶା ରାଜ୍ୟ ସମ୍ପାଦକ କେଦାରନାଥ ସାହୁ ଉତ୍ତୋଳନ କରିଥିଲେ । ବିଭିନ୍ନ ସାମାଜିକ ଆନ୍ଦୋଳନରେ ପ୍ରାଣ ବିସର୍ଜନ କରିଥିବା ଯୁବ ଶହୀଦ୍ ମାନଙ୍କ ସ୍ମୃତିରେ ସ୍ଥାପିତ ଶହୀଦ୍ ସ୍ତମ୍ଭରେ ଅତିଥିମାନେ ପୁଷ୍ପଗୁଚ୍ଛ ଅର୍ପଣ କରିବା ପରେ ସଂଗଠନର ଅନୁଗୁଳ ଜିଲ୍ଲା ସଭାପତି ନିରଞ୍ଜନ ନାୟକଙ୍କ ପରିଚାଳନାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଏସ୍.ୟୁ.ସି.ଆଇ(କମ୍ୟୁନିଷ୍ଟ) ଜିଲ୍ଲା ସମ୍ପାଦକ ଭିକାରୀ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବର୍ତ୍ତମାନ ଦେଶର ରାଜନୈତିକ, ସାଂସ୍କୃତିକ ସ୍ଥିତି ଏବଂ ଯୁବକ-ଯୁବତୀ ମାନଙ୍କର ସମସ୍ୟା ସମ୍ପର୍କରେ ଆଲୋକପାତ କରିବାସହ ସଚେତନ ସଂଗଠିତ ଶୃଙ୍ଖଳିତ ଦୀର୍ଘସ୍ଥାୟୀ ଯୁବ ଆନ୍ଦୋଳନ ଗଢ଼ି ତୋଳିବାକୁ ଆହ୍ୱାନ କରିଥିଲେ । ମୁଖ୍ୟବକ୍ତା ସଂଗଠନର ରାଜ୍ୟ ସମ୍ପାଦକ କେଦାରନାଥ ସାହୁ, ରାଜ୍ୟ କମିଟି ସଦସ୍ୟ ଜଗବନ୍ଧୁ ମଲ୍ଲିକ ଏବଂ ଡି.ୱାଇ.ଓ ଜିଲ୍ଲା ସମ୍ପାଦକ କୈଳାଶ ସାହୁ ବକ୍ତବ୍ୟ ମାଧ୍ୟମରେ ଡି.ୱାଇ.ଓ ଉଦ୍ୟୋଗରେ ଦେଶବ୍ୟାପୀ ସଂଗଠିତ ହୋଇଥିବା ଗୌରବଜ୍ଜ୍ୱଳ ଆନ୍ଦୋଳନ ସମ୍ପର୍କରେ ସୂଚନା ଦେବାସହ ବିଗତ ଦିନର ସଂଗ୍ରାମୀ ମହାମନୀଷୀମାନଙ୍କ ଜୀବନ ସଂଗ୍ରାମରୁ ଶିକ୍ଷାନେଇ ସମସ୍ତ ସ୍ତରର ଯୁବକ-ଯୁବତୀମାନଙ୍କୁ ସଂଗଠିତ କରି ଉନ୍ନତ ନୀତି ନୈତିକତା ଭିତ୍ତିରେ ଆଗାମୀ ଦିନରେ ଯୁବ ଜୀବନର ମୌଳିକ ସମସ୍ୟାଗୁଡିକର ସମାଧାନ ପାଇଁ ଅନୁଗୁଳ ଜିଲ୍ଲା ତଥା ରାଜ୍ୟବ୍ୟାପୀ ବ୍ୟାପକ ଯୁବ ଆନ୍ଦୋଳନ ଗଢ଼ି ତୋଳିବା ପାଇଁ ଉପସ୍ଥିତ ଯୁବକ-ଯୁବତୀମାନଙ୍କୁ ଆହ୍ୱାନ କରିଥିଲେ । ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଯୁବ ସଂଗଠକ ଜ୍ୟୋତ୍ସ୍ନା ସାମଲ, କିଶୋର ବିଶ୍ୱାଳ, ମଳୟ ବେହେରା, ଅନିଲ ନାଏକ, ସତ୍ୟରଞ୍ଜନ ସାହୁ, ପ୍ରଭାତ ପ୍ରଧାନ, ବିଜୟ ସାହୁ, ଉଲ୍ଲାସ ମୁଦୁଲି, ପ୍ରଦୀପ ମାଝୀ, ଆଶିଷ ସାହୁ, ଅନିଲ ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।