କମ୍ରେଡ ଶିବଦାସ ଘୋଷଙ୍କ ଜନ୍ମଶତବର୍ଷ ଅବସରରେ ଏସ୍‌.ୟୁ.ସି.ଆଇ(କମ୍ୟୁନିଷ୍ଟ) ପକ୍ଷରୁ ଜନସଭା

ସର୍ବହରାକ୍ରାନ୍ତି ଅନଗୁଳ ତା୧୪.୦୮.୨୦୨୨ – ସ୍ୱାଧୀନତା ଆନ୍ଦୋଳନର ଆପୋଷହୀନ ଧାରାର ସଂଗ୍ରାମୀ ଯୋଦ୍ଧା, ଏ ଯୁଗର ବିଶିଷ୍ଟ ମାର୍କ୍ସବାଦୀ ଦାର୍ଶନିକ ତଥା ଏସ୍‌.ୟୁ.ସି.ଆଇ(କମ୍ୟୁନିଷ୍ଟ)ର ପ୍ରତିଷ୍ଠାତା କମ୍ରେଡ ଶିବଦାସ ଘୋଷଙ୍କ ଜନ୍ମଶତବର୍ଷ (୫ ଅଗଷ୍ଟ ୨୦୨୨ ରୁ ୫ ଅଗଷ୍ଟ ୨୦୨୩ ପର୍ଯ୍ୟନ୍ତ) ବର୍ଷବ୍ୟାପୀ ଦେଶାସାରା ଯଥାଯୋଗ୍ୟ ମର୍ଯ୍ୟାଦାସହ ପାଳନ କରାଯାଉଛି । ଏହି ଉପଲକ୍ଷେ ଏସ୍‌.ୟୁ.ସି.ଆଇ(କମ୍ୟୁନିଷ୍ଟ) ଅନୁଗୁଳ ଜିଲ୍ଲା କମିଟି ପକ୍ଷରୁ ଆଜି ପୂର୍ବାହ୍ନରେ ସ୍ଥାନୀୟ କଳାକେନ୍ଦ୍ର ଠାରେ ଏକ ଜନସଭା ଅନୁଷ୍ଠିତ ହୋଇଯାଇଛି । ଏସ୍‌.ୟୁ.ସି.ଆଇ(କମ୍ୟୁନିଷ୍ଟ) ଜିଲ୍ଲା ସମ୍ପାଦକ ଭିକାରୀ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଜନସଭାର ପ୍ରାରମ୍ଭରେ କମ୍ରେଡ ଶିବଦାସ ଘୋଷଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଏବଂ ତାଙ୍କ ଉପରେ ରଚିତ ସଙ୍ଗୀତ ଗାନ କରାଯାଇଥିଲା । ଏସ୍‌.ୟୁ.ସି.ଆଇ(କମ୍ୟୁନିଷ୍ଟ) ରାଜ୍ୟ କମିଟି ସଭ୍ୟ ଜୟସେନ ମେହେର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବାବେଳେ ଏସ୍‌.ୟୁ.ସି.ଆଇ(କମ୍ୟୁନିଷ୍ଟ) ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ କମ୍ରେଡ ସ୍ୱୟଂପ୍ରଭା ନାୟକ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । କମ୍ରେଡ ଶିବଦାସ ଘୋଷ ଛାତ୍ର ଅବସ୍ଥାରୁ ଆପୋଷହୀନ ଧାରାରେ ଅନୁଶୀଳନ ସମିତି ଜରିଆରେ ଦେଶର ସ୍ୱାଧୀନତା ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲେ । ୧୯୪୨ ମସିହା ଭାରତ ଛାଡ ଆନ୍ଦୋଳନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ସହିତ କାରାବରଣ କରିଥିଲେ । ୧୯୪୭ ମସିହାରେ ଦେଶ ସ୍ୱାଧୀନତା ସମୟରେ ବ୍ରିଟିଶ ସାମ୍ରାଜ୍ୟବାଦୀମାନେ ଦେଶର ଶାସକ ପୁଞ୍ଜିପତିଶ୍ରେଣୀ ହାତରେ କ୍ଷମତା ହସ୍ତାନ୍ତର କରିଥିବା ଦେଖି ସେ ବ୍ୟଥିତ ହୋଇପଡିଥିଲେ । ଭାରତବର୍ଷରେ ପ୍ରଚଳିତ ଶୋଷଣମୂଳକ ପୁଞ୍ଜିବାଦୀ ବ୍ୟବସ୍ଥାର ଉଚ୍ଛେଦ କରି ଏକ ଶୋଷଣହୀନ ସମାଜ ବ୍ୟବସ୍ଥା ପ୍ରତିଷ୍ଠା ଉଦ୍ଦେଶ୍ୟରେ ମୁଷ୍ଟିମେୟ ସହଯୋଦ୍ଧାଙ୍କୁ ନେଇ ଏସ୍‌.ୟୁ.ସି.ଆଇ(କମ୍ୟୁନିଷ୍ଟ) ପାର୍ଟି ପ୍ରତିଷ୍ଠା କରିଥିଲେ । ମାର୍କ୍ସବାଦ-ଲେନିନବାଦ-କମ୍ରେଡ ଶିବଦାସ ଘୋଷଙ୍କ ଚିନ୍ତାଧାରା ଭିତ୍ତିରେ ଜନଜୀବନର ଜ୍ୱଳନ୍ତ ସମସ୍ୟାକୁ ନେଇ ଶକ୍ତିଶାଳୀ ଗଣଆନ୍ଦୋଳନ ଗଢ଼ି ତୋଳିବା ସହିତ ପ୍ରଚଳିତ ଶୋଷଣମୂଳକ ସମାଜ ବ୍ୟବସ୍ଥାର ପରିବର୍ତ୍ତନ ପାଇଁ ଆଗେଇ ଆସିବା ହିଁ ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବବୋଲି ମୁଖ୍ୟବକ୍ତା କମ୍ରେଡ ନାୟକ ପ୍ରକାଶ କରିଥିଲେ । ଏହି ଜନସଭାରେ ଏସ୍‌.ୟୁ.ସି.ଆଇ(କମ୍ୟୁନିଷ୍ଟ) ରାଜ୍ୟ କମିଟି ସଭ୍ୟ ବ୍ରଜବନ୍ଧୁ ସାହୁ, ନିରାକାର ପଣ୍ଡା, ପ୍ରହଲ୍ଲାଦ ଚନ୍ଦ୍ର ସାହୁ, ଜିଲ୍ଲା କମିଟି ସଭ୍ୟ ନବକିଶୋର ପ୍ରଧାନ, ସୁବାସ ପ୍ରଧାନ, ତୀର୍ଥବାସୀ ଭୋଇ, ମାନସ ପାଳ, ମାନସୀ ସ୍ୱାଇଁ, ମନ୍ଦୋଦରୀ ରାଉଳ, ସରୋଜିନୀ ନାୟକ, କୈଳାସ ଚନ୍ଦ୍ର ସାହୁ, ରଣଜିତ ପ୍ରଧାନ, ପରମାନନ୍ଦ ସାହୁଙ୍କ ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବହୁ ଦଳୀୟ କର୍ମୀ, ସମର୍ଥକ ଏବଂ ସହରର ଅନେକ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ । ଆନ୍ତର୍ଜାତିକ ସଙ୍ଗୀତ ଗାନ ପରେ ଜନସଭା ଶେଷ ହୋଇଥିଲା ।

Leave a Reply

Your email address will not be published. Required fields are marked *