ଏ.ଆଇ.କେ.କେ.ଏମ୍.ଏସ.ର ରାଜ୍ୟ ସମ୍ମିଳନୀ ଖୋଲା ଅଧିବେଶନର ବିଶାଳ ଜନ ସମାବେଶ
ଯଶିପୁର ତା ୧୯.୧୦.୨୦୨୨ – ଅଲ୍ ଇଣ୍ଡିଆ କିଶାନ କ୍ଷେତ ମଜଦୁର ସଙ୍ଗଠନ(ଏ.ଆଇ.କେ.କେ.ଏମ.ଏସ.)ର ୫ମ ରାଜ୍ୟ ସମ୍ମିଳନୀର ଖୋଲା ଅଧିବେଶନ ଉପଲକ୍ଷେ ଯଶିପୁର ଠାରେ ଆଜି ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି ଜନ ସମାବେଶରେ ରାଜ୍ୟର ବିଭିନ୍ନ ସ୍ଥାନର ପ୍ରତିନିଧି ସମେତ ମୟୁରଭଞ୍ଜ ଓ କେଉଁଝର ଜିଲ୍ଲାରୁ ୫ ହଜାରରୁ ଉର୍ଦ୍ଧ ଚାଷୀ-ମୁଲିଆ ଓ ବିଭିନ୍ନ ସ୍ତରର ଜନସାଧାରଣ ଯୋଗ ଦେଇଥିଲେ । ଆଜିର ସମାବେଶର ମୁଖ୍ୟ ଆତିଥି ଯଶିପୁରର ପୁର୍ବତନ ବିଧାୟକ ତଥା ବିଶିଷ୍ଟ ଜନ ନେତା ଶମ୍ବ୍ୁନାଥ ନାଏକ ଅସୁସ୍ଥତା ବସତଃ ସଭାରେ ଯୋଗ ଦେଇ ନପାରିଥିବାରୁ ତାଙ୍କ ଦ୍ୱାରା ପ୍ରେରିତ ବାର୍ତ୍ତା ପ୍ରଥମେ ସଭାରେ ପାଠ କରାଯାଇଥିଲା । ଶ୍ରୀ ନାୟକ ସମ୍ମିଳନୀର ସଫଳତା କାମନା କରିବା ସଙ୍ଗେ ସଙ୍ଗେ ଯଥାଶିଘ୍ର ସୁସ୍ଥ ହୋଇ ଜନ ସାଧାରଣଙ୍କ ସଂଗ୍ରାମରେ ଯୋଗ ଦେବେ ବୋଲି ବାର୍ତ୍ତାରେ ଜଣାଇଥିଲେ । ସଭାରେ ବକ୍ତବ୍ୟ ରଖି ଏସ୍.ୟୁ.ସି.ଆଇ(କମ୍ୟୁନିଷ୍ଟ)ର ରାଜ୍ୟ ସମ୍ପାଦକ ରାଜ୍ୟ ଓ କେନ୍ଦ୍ରରେ ଅଧିଷ୍ଠିତ ପୁଞ୍ଜିବାଦି ସରକାରମାନେ ଜନଗଣଙ୍କ ଉପରେ ଶୋଷଣ ମୁଳକ ଆଇନ କାନୁନ ଲଦି ଦେଉଛନ୍ତି ବୋଲି କହିଥିଲେ । ପ୍ରତ୍ୟେକ ଗ୍ରାମରେ ବର୍ଷସାରା ଧାନମଣ୍ଡି ଖୋଲାଜାଇ ଚାଷୀ ଓ ଭାଗଚାଷୀମାନଙ୍କ ଠାରୁ ଉଚିତ ଦାମରେ ଧାନକିଣାଯାଉ, ଧାନସହ ସମସ୍ତ କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୁଲ୍ୟର ଆଇନୀଗତ ଗ୍ୟାରେଣ୍ଟି ଦେବ, ସମସ୍ତଙ୍କୁ ପୁରୁଷାନୁକ୍ରମେ ଦଖଲକରି ଚାଷକରୁଥିବା ଜମିର ପଟ୍ଟା ଦେବ, ନଦୀ ନାଳଗୁଡିକରେ ଡ୍ୟମ, ବ୍ୟାରେଜ, ଆନିକଟ ତିଆରିକରି ଜଳସେଚନର ସୁବନ୍ଦୋବସ୍ତ କରିବା, ଜଙ୍ଗଲ ସମ୍ପଦକୁ ଘରୋଇ ମାଲିକମାନଙ୍କ ହାତକୁ ଟେକିଦେବା ପାଇଁ ଉଦ୍ଦିଷ୍ଟ ଜଙ୍ଗଲ ସଂରକ୍ଷଣ ନିୟମାବଳୀ-୨୦୨୨ର ବିଜ୍ଞପ୍ତିକୁ ରଦ୍ଦକରିବା, ବିଦ୍ୟୁତ ବିଲ୍-୨୦୨୨କୁ ରଦ୍ଦ କରିବ, ସମସ୍ତ ଚାଷୀ ଓ କ୍ଷେତ ମୂଲିଆମାନଙ୍କୁ ବର୍ଷସାରା କାମ ଯୋଗାଇଦେବା, ଚାଷୀମାନଙ୍କ ସମସ୍ତ କୃଷୀଋଣ ଛାଡ କରିବା, ହାତୀ ଓ ବନ୍ୟ ପଶୁଙ୍କ ଠାରୁ ପଂସଲର ସୁରକ୍ଷା ଦେବା, ବନ୍ୟା ଓ ମରୁଡିର ସ୍ଥାୟୀ ପ୍ରତିବାର କରିବା ଆଦି ଦାବୀରେ ଆଗାମୀ ଦିନରେ ବ୍ୟପକ ଗଣ ଆନ୍ଦୋଳନ ଗଢିତୋଳିବାକୁ ଏ.ଆଇ.କେ.କେ.ଏମ.ଏସ.ର ରାଜ୍ୟ ସମ୍ପାଦକ ରଘୁନାଥ ଦାସ ତାଙ୍କ ବକ୍ତବ୍ୟ ମାଧ୍ୟମରେ ଆହ୍ୱାନ ଦେଇଥିଲେ । ସମ୍ମିଳନୀର ମୁଖ୍ୟବକ୍ତା ଏ.ଆଇ.କେ.କେ.ଏମ.ଏସ.ର ସର୍ବଭାରତୀୟ ସମ୍ପାଦକ ଶ୍ରୀ ଶଙ୍କର ଘୋଷ ଦିଲ୍ଲୀ ସିମାନ୍ତରେ ସଙ୍ଗଠିତ ହୋଇଥିବ ଚାଷୀ ଆନ୍ଦୋଳନ ସମେତ ଦେଶରେ ବିଭିନ୍ନ ଜନ ଆନ୍ଦୋଳନର ଚାପରେ ସରକାର କିପରି କୃଷକମାନଙ୍କର ଦାବୀମାନି ନେବାକୁ ବାଧ୍ୟ ହୋଇଛନ୍ତି ତାହା ବର୍ଣ୍ଣନା କରିଥିଲେ । ଆଗାମୀ ଦିନରେ ସରକାର କପୋରେର୍ଟମାନଙ୍କ ସ୍ୱାର୍ଥରେ ଦେଶର କୃଷି ବ୍ୟବସ୍ଥା ଓ ପ୍ରାକୃତିକ ସମ୍ପଦକୁ ଟେକିଦେବା ପାଇଁ ଯେଉଁ ଚକ୍ରାନ୍ତ କରୁଛନ୍ତି ତାହାକୁ ଏକ ଲଢୁଆ ଚାଷୀ ଅନ୍ଦୋଳନ ଦ୍ୱାରା ପଣ୍ଡ କରିବାପାଇଁ ଆହ୍ୱାନ କରିଥିଲେ । ସଭାରେ ଏ.ଆଇ.କେ.କେ.ଏମ.ଏସ.ର ରାଜ୍ୟ ଉପ ସଭାପତି ଶଦାଶିବ ଦାସ ସଭାପତିତ୍ୱ କରିଥିଲେ । ସଭା ପୂର୍ବରୁ ହଜାର ହଜାର ନର ନାରୀଙ୍କ ଏକ ଶୋଭାଯାତ୍ରା ସ୍ଥାନୀୟ ହାଟ ପଡିଆରୁ ବାହାରି ସଭା ସ୍ଥଳକୁ ଆସିଥିଲା । ଆସନ୍ତା କାଲି ଯଶିପୁର ୟୁଥ ହଷ୍ଟେଲ ପରିସରରେ ସମ୍ମିଳନୀର ପ୍ରତିନିଧି ଅଧିବେଶନ ଅନୁଷ୍ଠିତ ହେବ । ଏଥିରେ ରାଜ୍ୟର ୨୨ଟି ଜିଲ୍ଲାରୁ ୫୦୦ ପ୍ରତିନିଧି ଯୋଗ ଦେବେ ।

