ହଜାର କଣ୍ଠରେ ଗୋଟିଏ ସ୍ୱର ବଂଚିବାର ଦାବିରେ ଏହି ଆନ୍ଦୋଳନ ଆଗେଇ ଚାଲିବ

Sarbaharakranti News Dt 20.10.2022 –

୨୯ ସେପ୍ଟେମ୍ବର, ରାଜଧାନୀର ରାଜରାସ୍ତାରେ ଜନଜୁଆର । ରେଳ ଷ୍ଟେସନ, ରାଜମହଲ , ମାଷ୍ଟରକ୍ୟାଣ୍ଟିନ, ରାମ ମନ୍ଦିର ଛକ ସବୁଠି ପ୍ରତିବାଦୀ ଜନତାର ଭିଡ । ପୂର୍ବଦିନ ରାତିରୁ ହିଁ ଗୋଟିଏ ପରେ ଗୋଟିଏ ଟ୍ରେନ ପହଞ୍ଚୁଛି । ଆଉ ଓହ୍ଲାଉଛନ୍ତି ଶହ ଶହ ଆନ୍ଦୋଳନକାରୀ ଜନତା । ସମସ୍ତଙ୍କ ମୁଖମଣ୍ଡଳ ଏକ ଅପୂର୍ବ ସଂଗ୍ରାମୀ ତେଜରେ ଉଦ୍‌ଭାସିତ । କିଏ ଆସିଛି ସୁଦୂର କୋରାପୁଟରୁ, ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ପୁଣି ସମ୍ବଲପୁର, ବରଗଡ, ବଲାଙ୍ଗୀର, କଳାହାଣ୍ଡି ଜିଲ୍ଲାର ଦୁର୍ଗମ ଅଂଚଳରୁ । କେଉଁଠି ଦିନେ ତ ପୁଣି କେଉଁଠି  ଦୁଇଦିନ ଆଗରୁ । ଟ୍ରେନରେ ବସିବାକୁ ଜାଗା  ମିଳି ନାହିଁ । ଶୁଖିଲା ଚୁଡା ମୁଢିରେ ଉଦର ପୁରିଛି । ହେଲେ ମୁହଁରେ, ଚାଲିରେ, କଣ୍ଠ ସ୍ୱରରେ ନାହିଁ କ୍ଲାନ୍ତିର ଛାପ । ଟ୍ରେନରୁ ଉହ୍ଲାଉଛନ୍ତି ମୂକ ଦର୍ଶକ ଭଳି ନୁହେଁ, ଯୁଦ୍ଧ କ୍ଷେତ୍ରରେ ଅବତୀର୍ଣ୍ଣ ହେବାକୁ ଯାଉଥିବା ଜଣେ ବୀର ସୈନିକ ଭଳି । ହାତରେ ଉର୍ଦ୍ଧ୍ୱତୋଳିତ ପାର୍ଟିର ବ୍ୟାନର, ଦାବି ସମ୍ବଳିତ ପ୍ଲାକାର୍ଡ । ଉଦ୍ଦାମ କଣ୍ଠ । ଇନକ୍ଲାବ ଜିନ୍ଦାବାଦ, ଏସ୍‌ୟୁସିଆଇ(କମ୍ୟୁନିଷ୍ଟ) ଜିନ୍ଦାବାଦ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚରମ ଜନମାରଣ ନୀତି ବିରୁଦ୍ଧରେ ସ୍ଲୋଗାନର ଧ୍ୱନିରେ ଷ୍ଟେସନ ପରିସର ପ୍ରକମ୍ପିତ । ୨୯ତାରିଖ ସକାଳୁ ଅନୁଗୁଳ, ଗଞ୍ଜାମ, ଗଜପତି, କନ୍ଧମାଳ, ପୁରୀ ତଥା ନିକଟବର୍ତ୍ତୀ କଟକ ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡାର କିଛି ଅଂଚଳରୁ ବିକ୍ଷୋଭକାରୀମାନେ ଆସି ଟ୍ରେନରୁ ଓହ୍ଲାଇବାପରେ ଏହି ଜନସ୍ରୋତ ମହାସ୍ରୋତରେ ପରିଣତ ହୋଇଗଲା । ପୁଣି ପାଶ୍ୱର୍ବର୍ତ୍ତୀ ଜିଲ୍ଲାମାନଙ୍କରୁ ଗୋଟିଏ ପରେ ଗୋଟିଏ ବସ  ରାଜମହଲ ଛକ, ରାମ ମନ୍ଦିର ଛକରେ ପହଞ୍ôଚବାକୁ ଆରମ୍ଭ କରିବାପରେ ଚାରିଆଡେ ଆଉ କିଛି ଦୃଶ୍ୟମାନ ହେଲା ନାହିଁ । ଖୋଲି ଲୋକ ଆଉ ଲୋକ । ସତେ ଯେମିତି ବନ୍ୟାର ପ୍ଳାବନ । ଏହିଭଳି ଭାବେ ଚାହୁଁ ଚାହୁଁ ଦିନ ୧୧ଟା ବେଳକୁ ରାଜ୍ୟର ୩୦ଟି ଜିଲ୍ଲାରୁ ୨୦ହଜାରରୁ ଉର୍ଦ୍ଧ୍ୱ ଜନତା ପହଞ୍ôଚଗଲେ । ବହୁ ପୂର୍ବରୁ ପାର୍ଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ତଥା ପୋଲିସ ପ୍ରଶାସନକୁ ଲିଖିତଭାବେ ଜଣାଇ ଦିଆଯାଇଥିଲା ଯେ, ଏହି ଦିନ ଝଡ ହେଉ, ବର୍ଷା ହେଉ ବା କୌଣସି ମହଲରୁ ଯେତେ ପ୍ରତିବନ୍ଧକ ଆସୁ, ଏହି ରାଜ୍ୟସ୍ତରୀୟ ବିକ୍ଷୋଭରେ ୨୦ହଜାରରୁ ଉର୍ଦ୍ଧ୍ୱ ଲୋକ ଯୋଗ ଦେବେ, ଏକ ବିଶାଳ ବିକ୍ଷୋଭ ସଂଗଠିତ ହେବ । ପୁଣି ଅଦିନିଆ ଲଘୁଚାପ ଜନିତ ଲଗାଣ ବର୍ଷା । ବିକ୍ଷୋଭର ପ୍ରସ୍ତୁତିକୁ ମାରାତ୍ମକ ଭାବରେ ବାଧାଗ୍ରସ୍ତ କରିଥିଲା । ଏପରିକି ବିକ୍ଷୋଭ ଦିନ ସକାଳେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଯୋଗୁ ବହୁଲୋକ ବିକ୍ଷୋଭ ସମାବେଶରେ ଯୋଗଦେଇ ପାରି ନଥିଲେ । ଏସବୁ ସତ୍ତ୍ୱେ ବିକ୍ଷୋଭ ସର୍ବୋତ୍ର ଭାବେ ସଫଳ ହେବ ବୋଲି ଦୃଢ ଆଶା ଥିଲା । ତାହା ହିଁ ହେଲା । ଘୋଷିତ କର୍ମସୂଚୀ ଅନୁଯାୟୀ ରାଜମହଲ ଛକରେ ଆନ୍ଦୋଳନକାରୀ ଜନତା ସମବେତ ହେଲେ । ମାତ୍ର ଏତେ ସଂଖ୍ୟକ ଲୋକ ଠିଆ ହେବା ପାଇଁ ଜାଗା କାହିଁ । ତଥାପି ନେତୃତ୍ୱର ଆହ୍ୱାନରେ ସମବେତ ଜନତା ଅଦ୍ଭୁତପୂର୍ବ ଶୃଙ୍ଖଳାର ପରିଚୟ ଦେଲେ । ଘୋଷିତ ସମୟରେ ଶୋଭାଯାତ୍ରା ଆରମ୍ଭ ହୋଇଥିଲା । ସମ୍ମୁଖରେ ପାର୍ଟିର ରାଜ୍ୟ ବ୍ୟାନର, ନେତୃମଣ୍ଡଳୀ ଏବଂ ପଛକୁ ପଛ ବିଭିନ୍ନ ଜିଲ୍ଲାର ବିକ୍ଷୋଭକାରୀ ଜନଗଣ । ରାଜଧାନୀ ବହୁ ଶୋଭାଯାତ୍ରା ଦେଖିଛି । ହୁଏତ ଏହାଠାରୁ ଅଧିକ ଲୋକଙ୍କର ଭିଡ ମଧ୍ୟ ଦେଖିଛି । କିନ୍ତୁ ଏ ଶୋଭାଯାତ୍ରା ଥିଲା ନିଆରା । ସଂଗ୍ରାମୀ ଜନତାର ଏହି ସୁଶୃଙ୍ଖଳିତ ସୁଶୋଭିତ ପଟୁଆରକୁ ଯିଏ ଦେଖିଛି ସେ ବିମୁଗ୍ଧ ନହୋଇ ରହିପାରି ନାହିଁ ।  ଜୁଆରିଆ ସମୁଦ୍ରର ଗର୍ଜନ ଭଳି ହଜାର କଣ୍ଠରୁ ପ୍ରତିଧ୍ୱନିତ ହେଉଥିବା ବଜ୍ର ଧ୍ୱନି ଯାହାର କର୍ଣ୍ଣ ଗହ୍ୱରରେ ପହଞ୍ôଚଛି ସେ ଶିହରିତ ନହୋଇ ରହିପାରି ନାହିଁ । ଏହି ଅଦ୍ଭୁତପୂର୍ବ ଶୋଭାଯାତ୍ରାକୁ ଦେଖି ଦ୍ରୁତ ଗତିରେ ଧାବମାନ ଯାନଗୁଡିକର ଗତି ମଧ୍ୟ ମନ୍ଥର ହୋଇଯାଇଛି । ଚାଳକ, ଯାତ୍ରୀ ପ୍ରତ୍ୟେକ୍ଷଦର୍ଶୀ ବିସ୍ମୟାଭୂତ ହୋଇ ଏହି ଅପୂର୍ବ ଦୃଶ୍ୟକୁ ମନଭରି ଦେଖିଛି । ଏକ ନୂତନ ଆଶାରେ ପୁଲକିତ ହୋଇଛି । ସେମାନଙ୍କ ସହଯୋଗ ଏହି କଥା ହିଁ କହୁଥାଏ । ଅବଶ୍ୟ କବି ଗଙ୍ଗାଧର ମେହେରଙ୍କ ସେହି କବିତା ‘ସୂର୍ଯ୍ୟୋଦୟ ଦେଖି ଜଗତ ହସଇ ଉଲ୍ଲୁକର ଦୃଷ୍ଟିବଦ୍ଧ’ ଭଳି ପ୍ରତିକ୍ରିୟାଶୀଳ ଶକ୍ତିମାନଙ୍କୁ ଯେ ଏହା ଶୂଳବିଦ୍ଧ କରୁନଥିବ ତା’ନୁହେଁ । ଏହା ଯେ ସେମାନଙ୍କ ପାଇଁ ଏକ ଚେତାବନୀ, ମୃତ୍ୟୁର ପରୱାନା । ଅନ୍ୟପଟରେ ଶୋଷିତ ମଣିଷର ଏହି ଲାଲ ପଟୁଆର କଣ୍ଠ ଫଟାଇ ଆହ୍ୱାନ ଦେଉଥିଲା, ହେ ଶୋଷିତ ନୀପିଡିତ ବଂଚିତ ସାଥୀଗଣ, ଉଠ, ଜାଗ୍ରତ ହୁଅ, ପୁଞ୍ଜିବାଦୀ ଗୋଲାମୀର ଶୃଙ୍ଖଳକୁ ଚୂର୍ଣ୍ଣ, ବିଚୂର୍ଣ୍ଣ କର । ନିରାଶା, ହତାଶା, ସ୍ଥବିରତାକୁ ଦୂରକର । ଅନ୍ୟାୟ, ଅବିଚାର, ଶୋଷଣ, ବଂଚନାକୁ ଆଉ କେତେଦିନ ମଥାପାତି ସହିବ? ପୁଣି ଏହି ପଟୁଆର ଦୃପ୍ତ କଣ୍ଠରେ ଶୁଣାଉଥିଲା, ପ୍ରଚାର ଯନ୍ତ୍ର ଯେଉଁ ପ୍ରଚାର ଚଳାଉଛି ଯେ, ‘ଯେତେ ଅନ୍ୟାୟ, ଜୁଲୁମ ହେଲେ ବି ଲୋକେ ସହିଯିବେ, ମଣିଷ ଆଉ ମଣିଷ ହୋଇ ନାହିଁ, ଗୋଲାମ ବନିଯାଇଛନ୍ତି, ସେମାନଙ୍କୁ ମାରିପାର, ତାରିପାର, ଯାହାବି କରିପାର’- ତା’ ମିଥ୍ୟା । ଯେଉଁ ନୈରାଶ୍ୟବାଦୀମାନେ ଚିତ୍କାର କରି କହୁଛନ୍ତି, ‘ପ୍ରତିବାଦ-ଆନ୍ଦୋଳନର ଯୁଗ ଶେଷ ହୋଇଯାଇଛି । ସବୁ ଦଳ ସମାନ, ଦୁର୍ନୀତିଗ୍ରସ୍ତ, ଏଠି ଆଉ କିଛି ହେବ ନାହିଁ । ଆନ୍ଦୋଳନ କରିବା ଅର୍ଥ ଘରୁ ଖାଇ ଘୋଡା ଆଗରେ ଦୌଡିବା ଭଳି ।’ ତା’ ମଧ୍ୟ ମିଥ୍ୟା ଆଉ ଆତ୍ମପ୍ରବଞ୍ଚନା । ଇିତହାସ ଶିକ୍ଷା ଦିଏ, ସବୁଦିନ ସବୁଲୋକଙ୍କୁ କୌଣସି ଯୁଗରେ ବୋକା ବନାଇ ରଖା ଯାଇପାରେନା । ହୁଏତ କିଛିଦିନ ପାଇଁ କିଛି ଲୋକଙ୍କୁ ରଖାଯାଇପାରେ । ଦେଖ ଏହି ସତ୍ୟକୁ ଉର୍ଦ୍ଧ୍ୱତୋଳିତ କରି ଏହି ପଟୁଆର କିଭଳି ଆଗେଇ ଚାଲିଛି । ଆହୁରି ବି ଦେଖ ମହାନ ନେତା କମ୍ରେଡ ଶିବଦାସ ଘୋଷଙ୍କ ହାତଗଢା ଶୋଷିତ ମଣିଷର ବିପ୍ଳବୀ ଦଳ କେମିତି ଶକ୍ତି ସଂଚୟ କରୁଛି, ସାଧାରଣ ଜନତାର ଆସ୍ଥାଭାଜନ ହେଉଛି । ହଜାର ହଜାର ପ୍ରତିବାଦୀ ଜନତା ଯେମିତି ଏହି କଥା ଶୁଣାଇଥିଲେ, ଏହି ଦଳ ହିଁ ଆମକୁ ବଂଚିବାର ପ୍ରକୃତ ପଥ ଶିଖାଇଛି । ଆମେ ବୁଝିଛୁ, ‘ଆମେ ଗରିବ ହୋଇପାରୁ, କିନ୍ତୁ କାହାର ଗୋଲାମ ନୁହଁ, କାମ ନପାଇ ବେକାର କିନ୍ତୁ ଭିକାରୀ ନୁହଁ । କ୍ଷୁଧାର ଜ୍ୱାଳା-ଯନ୍ତ୍ରଣା ସହିପାରୁ, କିନ୍ତୁ କାହାରି ଅପମାନର ଉଚ୍ଚିଷ୍ଟ ଗ୍ରହଣ କରିପାରୁନା । ଶାସକଶ୍ରେଣୀ ଆମକୁ ହତ୍ୟା କରିପାରେ, ମାତ୍ର ଆମର ମନୁଷ୍ୟତ୍ୱ, ନୈତିକ ସାହସ, ମନୋବଳ ଓ ସଂଗ୍ରାମୀ ତେଜକୁ ଧ୍ୱଂସ କରିପାରିବନି ।’ ଏହା ବୁଝିଛୁ ବୋଲି ତ ଏତେ କଷ୍ଟ, ଝଡ, ଝଞ୍ଜାକୁ ସ୍ୱେଚ୍ଛାରେ ଗ୍ରହଣ କରି ଆସିଛୁ ଏହି ଆନ୍ଦୋଳନରେ ସାମିଲ ହେବା ପାଇଁ । ଏହି ବିକ୍ଷୋଭର ବାର୍ତ୍ତା ଯେମିତି ଘରେ ଘରେ ନପହଞ୍ଚେ, ସେଥିପାଇଁ ସେମାନେ କେତେ ଷଡଯନ୍ତ୍ର କରିଥିଲେ । ବିକ୍ଷୋଭକୁ ଭଣ୍ଡୁର କରିବାପାଇଁ ଫନ୍ଦି ଫିକର କରିଥିଲେ । ପ୍ରମୁଖ ଗଣମାଧ୍ୟମ କୌଣସି ପ୍ରଚାର ଦେଇନାହିଁ । ପୁଣି କିନ୍ତୁ ସେମାନେ ସଫଳ ହୋଇଛନ୍ତି କି? ଏହି ପଟୁଆର ପ୍ରମାଣ କରେ, ନା ହୋଇପାରିନାହିଁ । ଇତିହାସ ପ୍ରମାଣ ଦିଏ, ସତ୍ୟର ଜୟଯାତ୍ରା ସବୁ ବାଧା ବିପତ୍ତିକୁ ପରାସ୍ତ କରି ଆଗେଇ ଚାଲିଛି, ଆଉ ଆଗେଇ ଚାଲିବ । ଏହି ଆନ୍ଦୋଳନ ମଧ୍ୟ ଆଗେଇ ଚାଲିଛି, ଆହୁରି ବହୁଦୂର ଆଗେଇ ଚାଲିବ । ଦାବି ହାସଲ ନହେବା ଯାଏ କ୍ଷାନ୍ତି ନାହିଁ, ବିରାମ ନାହିଁ । ଶାସକଶ୍ରେଣୀ ଆନ୍ଦୋଳନକୁ ଦମନ କରିବାପାଇଁ ଶତ ଚେଷ୍ଟା କଲେ ମଧ୍ୟ ଆନ୍ଦୋଳନ ଆଗେଇବ । ତୁଣ୍ଡ ବାଇଦ ସହସ୍ର କୋଷ ଭଳି ଆନ୍ଦୋଳନର ବାର୍ତ୍ତା ଓ ଶିକ୍ଷା ଘରେ ଘରେ ପହଞ୍ôଚବ, ଯେମିତି ପହଞ୍ôଚଛି ଏହି ଐତିହାସିକ ଗଣବିକ୍ଷୋଭର ବାର୍ତ୍ତା ।  
ପଟୁଆର ଆଗେଇ ଚାଲିଛି ରାଜଧାନୀର ଗଗନ ପବନ ପ୍ରକମ୍ପିତ କରି । ବିକ୍ଷୋଭ ସ୍ଥଳରେ ପହଞ୍ôଚଲାବେଳେକୁ ଶେଷ ଅଂଶକୁ ଆଖି ପାଉନଥିଲା । ପ୍ରତ୍ୟେକ୍ଷଦର୍ଶୀ କେହିଜଣେ ପଥଚାରୀ ତାର ସାଥୀକୁ ପଚାରୁଛି, ‘ଏତେବଡ ଏକ ର‌୍ୟାଲି ପାଇଁ ଏହି ପାର୍ଟିକୁ କେତେ ଖର୍ଚ୍ଚ କରିବାକୁ ପଡିଛି କୁହ ତ? ୨ରୁ ୩ କୋଟି ହେବ ବୋଧେ?’ ସାଥୀ ଜଣକ ତତ୍‌କ୍ଷଣାତ ଜବାବ ଦେଇଛି, ‘ଆରେ ନା ଭାଇ, ଏହି ପାର୍ଟି ଟି ଆଦାନୀ ଅମ୍ବାନୀ ଭଳି ପୁଞ୍ଜପତିମାନଙ୍କର ଦଳ ନୁହେଁ । ଏହି ପାର୍ଟି ଆମ ଭଳି ଗରିବ, ଶୋଷିତ ମଣିଷର ପାର୍ଟି । ସାଧାରଣ ଲୋକଙ୍କ ପାଖରୁ ଅର୍ଥ ସଂଗ୍ରହ କରି ଏହି ଦଳ ସମସ୍ତ କାର୍ଯ୍ୟକ୍ରମ କରେ । ମୁଁ ମଧ୍ୟ ଆନ୍ଦୋଳନ ପାଣ୍ଠିକୁ ଦେଇଛି । ଏହି ଆନ୍ଦୋଳନକୁ ଲୋକେ ଆସିଛନ୍ତି ନିଜ ଖର୍ଚ୍ଚରେ । ଘରୁ ନିଜର ଖାଦ୍ୟ ସାଙ୍ଗରେ ଆଣିଛନ୍ତି । ପୁଣି ଆନ୍ଦୋଳନ ପାଣ୍ଠିକୁ ସାହାଯ୍ୟ ମଧ୍ୟ କରିଛନ୍ତି । ଏମାନେ ସଚେତନ, ସେଥିପାଇଁ ତ ଏତେ ଶୃଙ୍ଖଳିତ, ଏମାନଙ୍କ କଣ୍ଠସ୍ୱର ଏତେ ବଳିଷ୍ଠ ।’ ପ୍ରଶ୍ନକର୍ତ୍ତା ପଥଚାରୀ ନିର୍ବାକ, ବିସ୍ମୟାଭୂତ । ଶୋଭାଯାତ୍ରାରେ ପାଦରେ ପାଦ ମିଳାଇ ଆଗେଇ ଚାଲିଥିବା ଜଣେ ବୃଦ୍ଧାଙ୍କୁ ଜୈନିକ ପୋଲିସ ଅଫିସର ପଚାରିଲେ, ‘କେବେଠୁ ଏହି ର‌୍ୟାଲିରେ ଆସୁଛ? ଆଉ କେତେଦିନ ଆସିବ?’ ବୃଦ୍ଧାଜଣକ ଗର୍ଜିଉଠି ଜବାବ ଦେଲେ, ‘ଅନେକ ଥର ଆସିଛି, ଜୀବନ ଥିବା ଯାଏ ଆସିବି ।’ ଏହି ଅପ୍ରତ୍ୟାଶିତ ଉତ୍ତରରେ ଅଫିସର ଜଣକ ସ୍ତମ୍ଭୀଭୂତ । ଏହି ବୟସରେ ବି କି ତେଜ!
ଯଥା ସମୟରେ ରାଜ୍ୟ ସଂପାଦକ ମଣ୍ଡଳୀର ବରିଷ୍ଠ ସଭ୍ୟ କମ୍ରେଡ ବିଷ୍ଣୁ ଦାସଙ୍କ ଅଧ୍ୟକ୍ଷତାରେ ବିକ୍ଷୋଭସଭା ଆରମ୍ଭ ହେଲା । ୧୨ଦଫା ଦାବି ସମ୍ବଳିତ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିବା ନିମନ୍ତେ ରାଜ୍ୟ ସଂପାଦକ ମଣ୍ଡଳୀ ସଦସ୍ୟ କମ୍ରେଡ୍ ରଘୁନାଥ ଦାସ, କମ୍ରେଡ ଛବି ମହାନ୍ତି, କମ୍ରେଡ ସୁରେନ୍ଦ୍ର ମଲ୍ଲିକ ଓ କମ୍ରେଡ ବିଶ୍ୱାବସୁ ଦାସଙ୍କୁ ନେଇ ଗଠିତ ପ୍ରତିନିଧି ମଣ୍ଡଳୀର ନାମ ଘୋଷଣା କରାଗଲା । ବିକ୍ଷୋଭାକାରୀମାନଙ୍କୁ ଉତ୍ସାହିତ କରିବା ପାଇଁ ଯୋଗ ଦେଇଥିଲେ ପାର୍ଟିର ପଲିଟିବ୍ୟୁରୋ ସଭ୍ୟ ତଥା ପଶ୍ଚିମବଙ୍ଗ ରାଜ୍ୟ କମିଟି ସଂପାଦକ କମ୍ରେଡ୍ ଚଣ୍ଡିଦାସ ଭଟ୍ଟାଚାର୍ଯ୍ୟ । ପ୍ରଥମେ ବକ୍ତବ୍ୟ ରଖିଲେ ରାଜ୍ୟ ସଂପାଦକ ତଥା କେନ୍ଦ୍ରୀୟ କମିଟି ସଭ୍ୟ କମ୍ରେଡ ଶଙ୍କର ଦାସଗୁପ୍ତ । ଏହାପରେ ସଂପାଦକ ମଣ୍ଡଳୀ ସଭ୍ୟ କମ୍ରେଡ ଅକ୍ଷୟ ଦାସ, ସଦାଶିବ ଦାସ, ନିରାକାର ପାଣ୍ଡବ, ସ୍ୱୟଂପ୍ରଭା ନାୟକ ଏବଂ ରଘୁନାଥ ଦାସ ବକ୍ତବ୍ୟ ରଖିଲେ । ବିକ୍ଷୋଭକାରୀ ଜନତା ଏତେ କ୍ଲାନ୍ତି ସତ୍ତ୍ୱେ ଏକାଗ୍ରତା ଓ ଧୈର୍ଯ୍ୟର ସହିତ ନେତୃତ୍ୱର ବକ୍ତବ୍ୟ ଶୁଣୁଥିଲେ । ସୂର୍ଯ୍ୟତାପ ମଉଳୁଥିଲା, କିନ୍ତୁ ମଉଳୁ ନଥିଲା ଜନତାର ତେଜ । ପୁଣି କଳାହାଣ୍ଡିଆ ମେଘ ଆକାଶକୁ ଢାଙ୍କି ଦେଲା, କିନ୍ତୁ ନିରାଶାର କଳାବାଦଲ ଢାଙ୍କିପାରିନଥିଲା ବିକ୍ଷୋଭକାରୀଙ୍କ ତେଜୋଦୀପ୍ତ ମୁଖମଣ୍ଡଳକୁ । ଖୋଲା ଆକାଶ ତଳେ, ପ୍ରଶସ୍ତ ରାଜରାସ୍ତା ଉପରେ ମା’ ବସିଛି କୋଳରେ ଶିଶୁକୁ ଧରି, ଛାତ୍ର-ଯୁବକ, ଶ୍ରମିକ-କୃଷକ, ମହିଳା ଏପରିକି ବୃଦ୍ଧ-ବୃଦ୍ଧାମାନେ ବି ବସିଛନ୍ତି ଅବିଚଳିତ ଭାବରେ ଯୌବନର ତେଜ ନେଇ । ସଭା ଶେଷହୋଇ ଆସିଲାବେଳକୁ ଅସରାଏ ବର୍ଷା ବର୍ଷିଗଲା । ହେଲେ ସଭାସ୍ଥଳରେ ଧାଁ-ଧପଡ ନାହିଁ । ସଭା ସମାପ୍ତି ଘୋଷଣା ପର୍ଯ୍ୟନ୍ତ ଆନ୍ଦୋଳନକାରୀମାନେ ଅବିଚଳିତ ଭାବରେ ବକ୍ତାମାନଙ୍କ ବକ୍ତବ୍ୟ ଶୁଣୁଥିଲେ । ଏହା କଣ ଏମିତି ଏମିତି ଆପଣାଛାଏଁ ହୋଇଗଲା? ନା ଏମତି ହୋଇ ନାହିଁ । ଏଥିପାଇଁ ହୋଇଛି ଦୀର୍ଘ ପ୍ରସ୍ତୁତି, ବିଭିନ୍ନ ସ୍ତରରେ ହୋଇଛି ଘନ ଘନ ପ୍ରସ୍ତୁତି ସଭା ଓ ବୈଠକ । ଲକ୍ଷ ଲକ୍ଷ ପ୍ରଚାର ପତ୍ର, ହଜାର ହଜାର ବୁଲେଟିନ ଜନସାଧାରଣଙ୍କ ମଧ୍ୟରେ ବିତରଣ ହୋଇଛି । ଅସଂଖ୍ୟ ସଭା, ଜନସଭା, ବୈଠକ ଆୟୋଜିତ ହୋଇଛି । ହଜାର ହଜାର ପ୍ରାଚୀର ଲିଖନ ହୋଇଛି । ଛପା ହୋଇଛି ହାତ ଲେଖା ପୋଷ୍ଟର ବହୁ ସଂଖ୍ୟାରେ ମରାଯାଇଛି । ପ୍ରଚାର ଅଭିଯାନକୁ ଏହିଭଳି ଭାବେ ବ୍ୟାପକ କରାଯାଇଛି । ପୁଣି ଆନ୍ଦୋଳନର ଏକ ଧାରାବାହିକତା ମଧ୍ୟରେ ଏହି ରାଜ୍ୟସ୍ତରୀୟ ବିକ୍ଷୋଭର ଆୟୋଜନ ହୋଇଛି । ଗାଁ ସହରର କେତେ ସଭା, ଜନସଭା, ପଥପ୍ରାନ୍ତ ସଭାରେ ଏହିମାନେ ହିଁ ତ ଶ୍ରୋତା । ରାଜ୍ୟସ୍ତରୀୟ ବିକ୍ଷୋଭ ପୂର୍ବରୁ କେତେ ଜିଲ୍ଲା ତଥା ଆଞ୍ଚଳିକ ସ୍ତରରେ ହୋଇଥିବା ଆନ୍ଦୋଳନରେ ଏମାନଙ୍କ ମଧ୍ୟରୁ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପାଳନ କରିଛନ୍ତି ବା ସକ୍ରିୟଭାବେ ଅଂଶଗ୍ରହଣ କରିଛନ୍ତି । ପୁଣି ଅନେକ ନବାଗତ ବି ଆସିଛନ୍ତି ଯେଉଁମାନେ ଏଠିକାର ଶୃଙ୍ଖଳାକୁ ଲକ୍ଷ୍ୟ କରୁଛନ୍ତି, ଆଉ ମଧ୍ୟ ଶିଖୁଛନ୍ତି । ବିଭିନ୍ନ ପ୍ରକାର ସାହାଯ୍ୟ ସହଯୋଗ ଦେଇ ଏହି ବିକ୍ଷୋଭକୁ ସଫଳ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଳନ କରିଛନ୍ତି ।
ବିକ୍ଷୋଭସଭା ଆଗେଇ ଚାଲିଥାଏ । ସଭାସ୍ଥଳର ସମ୍ମିଳିତ ଜନସ୍ରୋତକୁ ଦେଖିଲେ ଯେକେହି କହିବ ଏ ଏକ ଭିନ୍ନ ଜନପଦ । ଏଠି ନାହିଁ ଜାତି, ଧର୍ମ, ଆଂଚଳିକତାର ପ୍ରାଚୀର । ପ୍ରକୃତ ଆନ୍ଦୋଳନ ହିଁ ମଣିଷ ମଧ୍ୟରେ ଏକ ନୂତନ ପ୍ରାଣର ସଂଚାର କରେ । ମଣିଷକୁ ଏକ ଭିନ୍ନ ମଣିଷ ବନାଇ ଦିଏ । ସେହି ସତ୍ୟର ପ୍ରତିଛବି ଯେମିତି ଏଠି ପ୍ରତୀୟମାନ ହେଉଥିଲା ।
ଗଣବିକ୍ଷୋଭର ୧୨ଦଫା ଦାବି ଜାତି, ଧର୍ମ, ସଂପ୍ରଦାୟ, ଅଂଚଳ ବା କୌଣସି ଦଳୀୟ ଲୋକର ସ୍ୱାର୍ଥ ଉର୍ଦ୍ଧ୍ୱରେ ଥିଲା ସମସ୍ତ ଶୋଷିତ ମଣିଣର ଦାବି । ପୁଣି ଭୋଟ ଜରିଆରେ ନୁହେଁ କିମ୍ବା ସରକାର ପରିବର୍ତ୍ତନ କରି ନୁହେଁ, ଦାବି ହାସଲର ଏକମାତ୍ର ପଥ ହେଲା ଜନଗଣଙ୍କର ସଚେତନ ସଂଗଠିତ ଐକ୍ୟବଦ୍ଧ ଗଣଆନ୍ଦୋଳନ । ସେଥିପାଇଁ ଅନ୍ୟ ସମସ୍ତ ରାଜନୈତିକ ଦଳ, ଏପରିକି ନିଜକୁ ବାମପନ୍ଥୀ ବୋଲାଉଥିବା ଦଳମାନେ ଭୋଟର ଅଙ୍କ କଷୁଥିଲାବେଳେ ଦେଶର ଏକମାତ୍ର ସଠିକ ଓ ଲଢୁଆ କମ୍ୟୁନିଷ୍ଟ ପାର୍ଟି ଏସ୍‌ୟୁସିଆଇ(କମ୍ୟୁନିଷ୍ଟ) ଦଳର ନେତା କର୍ମୀମାନେ ଏହି ସତ୍ୟଟିକୁ ଜନଗଣଙ୍କୁ ବୁଝାଇବାପାଇଁ  ଅକ୍ଲାନ୍ତ ପରିଶ୍ରମ କରିଛନ୍ତି । ଜନଗଣ ଏହା ଦେଖିଛନ୍ତି । ଏହି ସତ୍ୟକୁ ବୁଝିଛନ୍ତି ଏବଂ ବୁଝି ଏହି ବିକ୍ଷୋଭରେ ଯୋଗ ଦେବାକୁ ଆସିଛନ୍ତି ।
ସଭାସ୍ଥଳରୁ ଦଳର ନେତୃତ୍ୱ ପକ୍ଷରୁ ଜନଗଣଙ୍କୁ ଆହ୍ୱାନ ଦେଇ କୁହାଯାଇଛି, ନିଜର ଅଭିଜ୍ଞତା ସହ ମିଳାଇ ଦେଖ, ଆମ କଥା ସଠିକ କି ନୁହେଁ । ଦେଶର ବିକାଶ ହେଉଛି ବୋଲି ଡିଣ୍ଡିମ ପିଟା ଚାଲିଛି । ତେବେ ଏହା କାହାର ବିକାଶ? ଆଦାନୀ କମ୍ପାନୀ ବର୍ତ୍ତମାନ ବିଶ୍ୱର ୩ ନମ୍ବର ଧନୀ । କେତେବେଳେ ପୁଣି ୨ ନମ୍ବର ସ୍ଥାନକୁ ଚାଲିଯାଉଛି । ୧ନମ୍ବର ହେବାର ସ୍ୱପ୍ନ ବି ଦେଖୁଛି । ଆଉ ଦେଶର ଗରିବ ଜନସାଧାରଣ କେତେ ନମ୍ବର ସ୍ତରରେ ଅଛନ୍ତି? ୟୁଏନଡିପି(ମିଳିତ ଜାତିସଂଘର ବିକାଶ କାର୍ଯ୍ୟକ୍ରମ) ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ ୨୦୨୧ମସିହାର ମାନବ ବିକାଶ ସୂଚନାଙ୍କରେ ୧୯୧ ଦେଶଙ୍କ ମଧ୍ୟରୁ ଭାରତର ସ୍ଥାନ ୧୩୨ । ଅର୍ଥାତ୍ ଭାରତ ମାନବ ବିକାଶ କ୍ଷେତ୍ରରେ ୧୩୧ଟି ଦେଶ ପଛରେ ଅଛି । ଖାଲି କଣ ଆଦାନୀ? ତା’ପଛକୁ ଅଛି ଅମ୍ବାନୀ, ଏହିଭଳି କେତେଜଣ ଏକଚାଟିଆ ପୁଞ୍ଜିପତି ଶ୍ରେଷ୍ଠ ୧୦ଜଣ ଧନୀଙ୍କ ମଧ୍ୟରେ ଅଛନ୍ତି । ଏହି କରୋନା ମହାମାରି ସମୟରେ ମଧ୍ୟ ଦେଶର ୩୦ଜଣ ନୂଆ ଆରବପତି ସୃଷ୍ଟି ହୋଇଛନ୍ତି । ଏଣେ ଗରିବ ଆହୁରି ଗରିବ ହୋଇଛି । ମଧ୍ୟବିତ୍ତଙ୍କ ସଂଖ୍ୟା ଯାହାଥିଲା ତାହା ହ୍ରାସ ପାଇ ଅଧା ହୋଇଯାଇଛି । ଅର୍ଥାତ୍  ଏହି ଅର୍ଦ୍ଧେକ ମଧ୍ୟବିତ୍ତ ଗରିବ ତାଲିକାରେ ନାମ ଲେଖାଇ ଗରିବଙ୍କ ସଂଖ୍ୟା ବୃଦ୍ଧି କରିଛନ୍ତି । ୟୁଏନ୍‌ଡିପି ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ ବିଶ୍ୱର ସର୍ବାଧିକ ଭୋକିଲା, ଗରିବ, ବାସହୀନ ଓ ଯାଯାବର ଶ୍ରମିକ ବା ଦାଦନ ଏହି ଭାରତରେ ଅଛନ୍ତି । ଲୋକଙ୍କର ଆୟ କମୁଛି । କିନ୍ତୁ ମୁଷ୍ଟିମେୟ ପୁଞ୍ଜିପତିମାନଙ୍କର ଆୟ ମାରାତ୍ମକଭାବେ ବୃଦ୍ଧି ପାଉଛି । ଏହି କରୋନା ମହାମାରି ସମୟରେ ମଧ୍ୟ ମୁକେଶ ଅମ୍ବାନୀର ଆୟ ମିନିଟକୁ ୬୦କୋଟି ଟଙ୍କା ହେଉଥିଲା । ସଦ୍ୟ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଗୌତମ ଆଦାନୀର ପ୍ରତିଦିନର ଆୟ ୧ଲକ୍ଷ ୬ହଜାର ୧୨କୋଟି ଟଙ୍କା । କିଛି କୁହନ୍ତି ଏହା ସେମାନଙ୍କର ଭାଗ୍ୟ । ଏହା କଣ ସତ? ନା ସରକାରଙ୍କ ପୁଞ୍ଜିପତି ତୋଷଣ ଓ ଗରିବ ମାରଣ ନୀତିର ଏହା ପରିଣତି । କି କେନ୍ଦ୍ର, କି ରାଜ୍ୟ ସବୁ ସରକାରଙ୍କର ତ ସେହି ଗୋଟିଏ ନୀତି, ଗରିବର ପକେଟ କାଟି ଧନୀର ପକେଟ ଭରିବା ଝିଣ୍ଟିକା ମାରି ବଣି ପୋଷିବା । କେନ୍ଦ୍ରର ମୋଦି ସରକାର ଓ ରାଜ୍ୟର ନବୀନ ସରକାର ଦିନ ରାତି ତ ଏହି କାମ କରିବାରେ ବ୍ୟସ୍ତ । ଗତ ପାଞ୍ଚବର୍ଷ ମଧ୍ୟରେ କେନ୍ଦ୍ର ସରକାର ଏକ ଚାଟିଆ ପୁଞ୍ଜିପତିମାନଙ୍କ ୫ଲକ୍ଷ କୋଟି ଟଙ୍କାର ଟିକସ ଛାଡ କରିଛନ୍ତି । ଏଣେ ସାଧାରଣ ଲୋକଙ୍କ ଉପରେ ଜିଏସ୍‌ଟି ମାଡ । ଏହି ସେପ୍ଟେମ୍ବର ମାସର ରିପୋର୍ଟ ଅନୁଯାୟୀ ଜି.ଏସ୍‌.ଟି ଆଦାୟ ୨୬ପ୍ରତିଶତ ବୃଦ୍ଧି ପାଇଛି । ମୋଟ ଆଦାୟ ହୋଇଛି ୧ଲକ୍ଷ ୪୭ହଜାର ୫୫୬ କୋଟି ଟଙ୍କା । ରାଜ୍ୟର ଜିଏସ୍‌ଟି ଆଦାୟ ମଧ୍ୟ ଆଶାତୀତ ଭାବେ ବୃଦ୍ଧି ପାଇଛି । ଏତିକିରେ ବି ଗରିବର ରକ୍ତ ପିଇବାର ତୃଷ୍ଣା ମେଣ୍ଟି ନାହିଁ । ଆହୁରି ଜିଏସ୍‌ଟି ବଢାଇବାର ମସୁଧା ଚାଲିଛି । ଗତ ପାଞ୍ଚବର୍ଷ ମଧ୍ୟରେ ଏକଚାଟିଆ ପୁଞ୍ଜିପତିମାନଙ୍କୁ ୧୦ଲକ୍ଷ କୋଟି ଟଙ୍କାର ଋଣ ଛାଡ କରାଯାଇଛି । କିନ୍ତୁ ସାଧାରଣ ଲୋକଙ୍କ ଋଣ ଉପରେ ଅଧିକରୁ ଅଧିକ ସୁଧର ବୋଝ ଲଦି ଦିଆଯାଇଛି ଓ ବଳପୂର୍ବକ ଆଦାୟ କରାଯାଇଛି । ଏହା ହିଁ ତ ପୁଞ୍ଜପତି ଶ୍ରେଣୀର ସେବାଦାସ ସରକାରମାନଙ୍କର ନୀତି । ଫଳରେ ସାଧାରଣ ଲୋକଙ୍କର ବଂଚିବା ଆଜି ଅସମ୍ଭାଳ । ଦେଶରେ ପୃଷ୍ଟିହୀନତାର ଶୀକାର ହେଇଥିବା ଲୋକଙ୍କ ସଂଖ୍ୟା ୨୦୨୧ ମସିହା ରିପୋର୍ଟ ଅନୁଯାୟୀ ୨୨.୪୩ କୋଟି । ବର୍ତ୍ତମାନର ରିପୋର୍ଟ ଓ ବାସ୍ତବ ଚିତ୍ର ଆହୁରି ମର୍ମାନ୍ତିକ ହେବ । ଏହି ଭାରତରେ ଦାଦନ ଶ୍ରମିକଙ୍କ ସଂଖ୍ୟା ୧.୪ରୁ ୧.୮ କୋଟି ଯାହା ବିଶ୍ୱର ସର୍ବାଧିକ । କର୍ମକ୍ଷମ ଲୋକଙ୍କର ଅଧାରୁ ଅଧିକ ସଂପୂର୍ଣ୍ଣ ବେକାର । ଯିଏ ବି କାମ ପାଇଛି, ତା’ବି ସୁତା ଖିଅରେ ଝୁଲୁଛି । ପରିସ୍ଥିତି ଏତେ ଭୟାବହ ଯେ, ଖୋଦ ସରକାର ପାର୍ଲିଆମେଣ୍ଟରେ ଦେଇଥିବା ବିବୃତ୍ତି ଅନୁଯାୟୀ ଦେଶର ୪ଜଣଙ୍କ ମଧ୍ୟରୁ ଜଣେ ମାନସିକ ଅବସାଦରେ ଭୋଗୁଛନ୍ତି । ସର୍ବସ୍ତରରେ ଆତ୍ମହତ୍ୟା ବେଦନାଦାୟକ ଭାବେ ବଢିଚାଲିଛି । ୨୦୨୧ ରିପୋର୍ଟ ଅନୁଯାୟୀ ଦେଶରେ ଦିନକୁ ପ୍ରାୟ ୪୫୦ ଏବଂ ପ୍ରତି ଘଣ୍ଟାରେ ପ୍ରାୟ ୧୮ଜଣ ଆତ୍ମହତ୍ୟା କରୁଛନ୍ତି । ରିପୋର୍ଟ ଯାହାବି ହେଉ, ବାସ୍ତବତା ଆହୁର କରୁଣ । ଏହିଭଳି ପରିସ୍ଥିତିରେ ସାଧାରଣ ଲୋକଙ୍କ ପାଇଁ ସାମାନ୍ୟ ଟିକେ ରିହାତି ବି ନାହିଁ, ବରଂ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ଅମାନବିକ ନିଷ୍ଠୁର ପଦକ୍ଷେପମାନେ ନେଇ ଚାଲିଛନ୍ତି । ଦରଦାମ ବୃଦ୍ଧିର କୌଣସି ବାଡବତା ନାହିଁ । ପ୍ରତିଦିନ ସକାଳେ ଦରବୃଦ୍ଧିର ଖବର । ସାଧାରଣ ଲୋକ ଦୁଃଖରେ କହୁଛି , ଏ ରାତି ନ ପାହିଥିଲେ ଭଲ ହୋଇଥାନ୍ତା । ସମସ୍ତ ଜିନିଷ ଏପରିକି ଚୁଡା, ମୁଢି, କ୍ଷୀର, ଦହି, ଶିଶୁ ଖାଦ୍ୟ, ଔଷଧ ଉପରେ ଜିଏସ୍‌ଟି ବସିବା ଯୋଗୁ ଏହି ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଗୁଡିକର ଦରବୃଦ୍ଧି ଆକାଶ ଛୁଆଁ । ଶିକ୍ଷା ସ୍ୱାସ୍ଥ୍ୟ ସଂପୂର୍ଣ୍ଣ ବିପର୍ଯ୍ୟସ୍ତ । ରାଜ୍ୟରେ ୧୪ହଜାର ୭୭୯ ସରକାରୀ ପ୍ରାଥମିକ ସ୍କୁଲ ବନ୍ଦ । ଥିଲାବାଲା ପାଇବେ ଶିକ୍ଷା ଆଉ ଗରିବ ଘରର ପିଲା ହେବେ ମୁର୍ଖ । ଶିକ୍ଷାକୁ ସଂପୂର୍ଣ୍ଣ ଧ୍ୱଂସ କରିବାପାଇଁ ତ ଆସିଛି ଜାତୀୟ ଶିକ୍ଷାନୀତି-୨୦୨୦ । ବିଜୁଳି ଶୁଳ୍କ ଯେଭଳି ବୃଦ୍ଧି ପାଉଛି ଓ ଟାଟା କମ୍ପାନୀ ହାତରେ ବିଜୁଳି ଚାଲିଯିବା ପରେ ଯେଉଁଭଳି ଅବ୍ୟବସ୍ଥା ଓ ଜୁଲୁମ ଚାଲିଛି, ବୋଧେ ସାଧାରଣ ଲୋକ ପକ୍ଷରେ ବିଜୁଳି ବ୍ୟବହାର କରିବା ଆଉ ସମ୍ଭବ ହେବ ନାହିଁ ।
ଠିକ୍ ଚାଷବେଳେ ସାରର କଳାବଜାର, ବିହନ, କୀଟନାଶକ ସାମଗ୍ରୀର ଅହେତୁକ ଦରବୃଦ୍ଧି । ଚାଷ କରି ଚାଷୀ କମ୍ପାନୀ ଓ ମିଲମାଲିକମାନଙ୍କ ଦୁଆରେ ଭିକ୍ଷାଥାଳ ଧରି ଠିଆ ହୋଇଛି । ସେ ସେମାନଙ୍କ ଦୟାର ପାତ୍ର । ସରକାରୀ ମଣ୍ଡି ନାହିଁ କି ଶୀତଳ ଭଣ୍ଡାର ନାହିଁ । ପ୍ରତିବର୍ଷ ଅଭାବୀ ବିକ୍ରି । ପୁଣି ବନ୍ୟା ଓ ମରୁଡିର ବିପତ୍ତି । ଚାଷୀ ଆଜି ହନ୍ତସନ୍ତ । ଦେଶଟା ଶିକ୍ଷିତ ଅଶିକ୍ଷିତ ବେକାରରେ ଭରିଗଲାଣି । କ୍ରୀତଦାସ ଭଳି ପିଲାଠୁ ବୁଢା, ସମସ୍ତେ ‘ମଣିଷ ହାଟ’ରେ ଠିଆ ହୋଇ ଆକୁଳ ଭାବେ କ୍ରେତା ଖୋଜୁଛନ୍ତି । କାମପାଇଁ ହାହାକାର । ସ୍ଥାୟୀ ନିଯୁକ୍ତି ଠପ । ସର୍ବତ୍ର ଅମାନବୀୟ ଠିକା ପ୍ରଥାରେ ନିଯୁକ୍ତି ଚାଲିଛି । ରେଳ, ବ୍ୟାଙ୍କ, ବୀମା ସମେତ ସମସ୍ତ ରାଷ୍ଟ୍ରାୟତ୍ତ ଉଦ୍ୟୋଗକୁ ଘରୋଇକରଣ କରାଯାଉଛି । ଯେଉଁ ସାମାନ୍ୟ ସୁବିଧା ସୁଯୋଗ, ନିଯୁକ୍ତିର ସମ୍ଭାବନା ଥିଲା ତା’ ସଂପୂର୍ଣ୍ଣ ବନ୍ଦ । ପାଚିକା, ଆଶାକର୍ମୀ, ଅଙ୍ଗନୱାଡି କର୍ମୀ ଓ ସହାୟିକାମାନେ ସରକାରଙ୍କର ସବୁ କାମ କରନ୍ତି । ଏପରିକି ନିଜ ଜୀବନକୁ ବାଜି ଲଗାଇ କରୋନା ମହାମାରୀବେଳେ କାମ କଲେ, ଅନେକ ଦୟନୀୟ ଭାବେ ମଲେ । ତଥାପି ସେମାନଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ମିଳିଲା ନାହିଁ କି ସେମାନଙ୍କର କୌଣସି ସାମାଜିକ ସୁରକ୍ଷା ନାହିଁ । ମାସିକ ସର୍ବନିମ୍ନ ୨୬ହଜାର ଟଙ୍କା ପ୍ରଦାନର ଦାବି ମଧ୍ୟ ଉପେକ୍ଷିତ । ନିର୍ମାଣ ଶ୍ରମିକମାନଙ୍କର ମଧ୍ୟ ନାହିଁ ନଥିବା ସମସ୍ୟା । କରୋନା ମହାମାରୀ ସମୟରେ କରୋନା ସହାୟତା ଟଙ୍କା ପାଇବାରେ ଲକ୍ଷ ଲକ୍ଷ ଲୋକ ବଂଚିତ ହେଲେ । ଆଜି ପର୍ଯ୍ୟନ୍ତ ସେହି ସହାୟତା ଯୋଗାଇ ଦେବାପାଇଁ କାହାର ସେପରି କୌଣସି ଉତ୍ସାହ ନାହିଁ । ଶ୍ରମ ଅଫିସମାନଙ୍କରେ ଭିଡ କମାଇବା ଆଳରେ ସରକାର ଆଉ ପାଦେ ଆଗେଇଯାଇ ଅନଲାଇନ୍ ବ୍ୟବସ୍ଥା କରିଛନ୍ତି । ଶ୍ରମିକମାନଙ୍କର ଅନ୍ୟାନ୍ୟ ସହାୟତା ପାଇବାପାଇଁ ଜନସେବା କେନ୍ଦ୍ରକୁ କେନ୍ଦ୍ର ଘୁରି ବୁଲିବା ସାର ହେଉଛି । ନିର୍ମାଣ ଶ୍ରମିକମାନଙ୍କର ନିଜ ଅଧିକାରରୁ ବଂଚିତ କରିବାପାଇଁ ଅନ୍‌ଲାଇନ ବ୍ୟବସ୍ଥା କାଯ୍ୟକାରୀ କରାଯାଇଛି । ଯାହାଫଳରେ ବଳକା ରହୁଥିବା କୋଟି କୋଟି ଟଙ୍କା ବାଟମାରଣ ହେବାର ଦ୍ୱାର ସରକାରଙ୍କ ପାଇଁ ଉନ୍ମୁକ୍ତ ରହିବ । ସହରାଞ୍ଚଳ ବସ୍ତିବାସିନ୍ଦାଙ୍କ ଦୁଃଖ ବି ଅବର୍ଣ୍ଣନୀୟ । ଯେକୌଣସି ସମୟରେ ଉଚ୍ଛେଦ ଚାଲିଛି । ସେମାନଙ୍କୁ ବାସପଯୋଗୀ ଘର ଢିହ ଟିଏ ମଧ୍ୟ ଯୋଗାଇ ଦିଆଯାଉ ନାହିଁ । ପୁଣି ଉପଯୁକ୍ତ ଥଇଥାନ ବିନା ଅଭୟାରଣ୍ୟ ତଥା ଅନ୍ୟାନ୍ୟ ପ୍ରକଳ୍ପ ନାଁ ରେ ବନ୍ଧୁକମୁନରେ ଚାଲିଛି ବିସ୍ଥାପନ । ବର୍ଷ ବର୍ଷ ଧରି ଚାଷ କରୁଥିବା ଲୋକଙ୍କର ନା ଅଛି ଜମି ପଟ୍ଟା ନା ଅଛି ଘର ଢିହ । ଏହାରି ସୁଯୋଗରେ ଲୋକଙ୍କୁ ବାସ୍ତୁହରା କରିବାପାଇଁ ଆସିଛି ଜଙ୍ଗଲ ଆଇନ ସଂଶୋଧନ ନିୟମାବଳୀ-୨୦୨୦ । ଲୋକେ ସୀମାହୀନ ସମସ୍ୟା ଘେରରେ ପେଷି ହେଉଥିବାବେଳେ ଖୋଲା ଚାଲିଛି ବିଶାଳ ବିଶାଳ ମଦ ଡିପୋ, ଘରେ ଘରେ ମଦ ପହଞ୍ଚାଇବାର ବ୍ୟାପକ ଉଦ୍ୟୋଗ । ପୁଣି ବିଭିନ୍ନ ଗଣମାଧ୍ୟମ ତଥା ମୋବାଇଲ, ଇଣ୍ଟରନେଟରେ ଚାଲିଛି ଅଶ୍ଳୀଳତା, ନଗ୍ନତା ଓ ଅପସଂସ୍କୃତିର ବ୍ୟାପକ ପ୍ରଚାର ପ୍ରସାର । ନାରୀ ଆଜି ସବୁଠି ଅସୁରକ୍ଷିତ । ତା’ର ନିରାପତ୍ତା ସାଂଘାତିକଭାବେ ବିଘ୍ନିତ । ଗଣତାନ୍ତ୍ରିକ ଅଧିକାର, ରୀତି ନୀତି ସଂପୂର୍ଣ୍ଣ ଭୁଲୁଣ୍ଠିତ । ଏଣେ ସାଂପ୍ରଦାୟିକ, ଫାସିବାଦୀ ଶକ୍ତିମାନେ ଶୋଷିତ ମଣିଷର ଐକ୍ୟକୁ ବିନଷ୍ଟ କରିବାପାଇଁ ଧର୍ମ, ଜାତି, ସଂପ୍ରଦାୟ ନାଁରେ ଭିଆଇ ଚାଲିଛନ୍ତି ନୃଶଂସ ଭାତୃଘାତୀ ସଂଘର୍ଷ, ଗଣହତ୍ୟା, ଗଣଧର୍ଷଣ, ଲୁଟତରାଜ । ଏହିଭଳି ପରିସ୍ଥିତିରେ ସାଧାରଣ ଲୋକଙ୍କ ନିକଟରେ କିଏ ଅଛି? କେନ୍ଦ୍ର ସରକାରରେ ଥିବା ବିଜେପି ଓ ଏହାର ସହଯୋଗୀ ଦଳ, ରାଜ୍ୟ ସରକାରରେ ଥିବା ବିଜେଡି ବା ବିଭିନ୍ନ ରାଜ୍ୟରେ ଥିବା ଅନ୍ୟାନ୍ୟ ଆଂଚଳିକ ଦଳ ଏପରିକି ନିଜକୁ ବାମପନ୍ଥୀ ବୋଲାଉଥିବା ଦଳମାନେ? ସମସ୍ତଙ୍କର ତ ନୀତି ସମାନ । ଦୀର୍ଘଦିନ ଧରି ପୁଞ୍ଜିପତିମାନଙ୍କର ସେବା କରିଥିବା କଂଗ୍ରେସ ଦଳର ନୀତି ସହିତ ଏମାନଙ୍କର କୌଣସି ପାର୍ଥକ୍ୟ ଅଛି କି? ଲୋକେ ହିଁ କହୁଛନ୍ତି, ନା । ସମସ୍ତେ ଗୋଟିଏ ଲାଉର ମଞ୍ଜି । ତେବେ କଣ ଏହି ସମସ୍ୟାର ସମାଧାନ ନାହିଁ । ଏହାର କୌଣସି ପ୍ରତିକାର ନାହିଁ? ଶୋଷିତ ମଣିଷର ଦଳ ଏସ୍‌ୟୁସିଆଇ(କମ୍ୟୁନିଷ୍ଟ) କୁହେ, ହଁ ଅଛି । ସମାଧାନର ଚାବିକାଠି ରହିଛି ଶୋଷିତ ମଣିଷର ହାତରେ । ଶୋଷିତ ମଣିଷକୁ ସଚେତନ ସଂଗଠିତ ହେବାକୁ ପଡିବ । ସବୁ ସମସ୍ୟାର ମୂଳ କାରଣ ଏହି ପୁଞ୍ଜିବାଦୀ ବ୍ୟବସ୍ଥାକୁ ବୁଝିବାକୁ ହେବ । ପୁଞ୍ଜିବାଦ ବିରୋଧୀ ସମାଜତାନ୍ତ୍ରିକ ବିପ୍ଳବ ସଂପନ୍ନ କରି ସମାଜବାଦୀ ସମାଜ ପ୍ରତିଷ୍ଠା ମଧ୍ୟରେ ହିଁ ନିହିତ ଅଛି ସବୁ ସମସ୍ୟାର ସମାଧାନ । ତେବେ ଏହା ପୂର୍ବରୁ ଦୀର୍ଘ ପଥ ଅତିକ୍ରମ କରିବାକୁ ହେବ । ଏହି ବିପ୍ଳବର ପରିପୂରକ ଗଣତାନ୍ତ୍ରିକ ଆନ୍ଦୋଳନ ଲଗାତର ଭାବେ ଗଢିତୋଳିବାକୁ ପଡିବ । ଏହା ମଧ୍ୟ ଦେଇ ଜନସାଧାରଣଙ୍କର ବିକଳ୍ପ ଲଢେଇର ହତିଆର ଗଢତୋଳିବାକୁ ହେବ । ସେଥିପାଇଁ  ନେତୃତ୍ୱକାରୀ ବିପ୍ଳବୀ ପାର୍ଟି ଏସ୍‌ୟୁସିଆଇ(କମ୍ୟୁନିଷ୍ଟ)କୁ ଶକ୍ତିଶାଳୀ କରିବାକୁ ହେବ ଓ ବିପ୍ଳବର ପଥପ୍ରଦର୍ଶକ ମହାନ ନେତା କମ୍ରେଡ ଶିବଦାସ ଘୋଷଙ୍କ ଚିନ୍ତା ଶିକ୍ଷାକୁ ଆୟତ୍ତ କରି ନିଜକୁ ଶିକ୍ଷିତ କରିବାକୁ ପଡିବ । ଏହି ଉଦ୍ଦେଶ୍ୟ ପୂରଣର ଲକ୍ଷ୍ୟ ନେଇ ଏସ୍‌ୟୁସିଆଇ(କମ୍ୟୁନିଷ୍ଟ) ସମଗ୍ର ଦେଶରେ ଶକ୍ତିଶାଳୀ ଏପରିକି ରକ୍ତକ୍ଷୟୀ ଆନ୍ଦୋଳନ ଗଢିତୋଳୁଛି । ଏହି ଆନ୍ଦୋଳନର ଅଙ୍ଗଭାବେ ହିଁ ୨୯ ସେପ୍ଟେମ୍ବର ରାଜ୍ୟସ୍ତରୀୟ ଗଣବିକ୍ଷୋଭର ଆହ୍ୱାନ । ଜନଗଣ ପାର୍ଟିର ଆହ୍ୱାନକୁ ଅନ୍ତରରେ ଗ୍ରହଣ କରିଛନ୍ତି । ପାର୍ଟିର ବକ୍ତବ୍ୟକୁ ଅଳ୍ପେ ବହୁତେ ବୁଝିଛନ୍ତି । ଆଉ ଏହି ବିକ୍ଷୋଭକୁ ସଫଳ କରିବାପାଇଁ ସମସ୍ତପ୍ରକାର ଦାୟିତ୍ୱ ପାଳନ କରି ରାଜଧାନୀକୁ ଛୁଟି ଆସିଛନ୍ତି । ଏହି ଐତିହାସିକ ଗଣବିକ୍ଷୋଭର ସଫଳତା ପଛରେ ହିଁ ରହିଛି ଏହି ସତ୍ୟର ଅମୋଘ ଶକ୍ତି ।
ବିକ୍ଷୋଭ ସ୍ଥଳରେ ଜନତାଙ୍କ ମୁଖମଣ୍ଡଳରେ ଏକ ନୂତନ ଆଭା, ଏକ ନୂତନ ଭାଷା । ବକ୍ତାଗଣଙ୍କ ବକ୍ତବ୍ୟ ଚାଲିଛି । ପ୍ରତିନିଧି ମଣ୍ଡଳୀ ଫେରି ଆସିଛନ୍ତି । ମୁଖ୍ୟମନ୍ତ୍ରୀଙ୍କର ସମୟ ନାହିଁ । ବଡ ବଡ କମ୍ପାନୀ ସେବାରେ ତ ତାଙ୍କର ସମୟ ନିଅଣ୍ଟ । ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜନୈକ ଶାସନ ସଚିବଙ୍କୁ ଦାବିପତ୍ର ଦେବାକୁ ପଡିଲା । ରାଜ୍ୟ ସଂପାଦକଙ୍କ ସେହି ଉଦାତ୍ତ ଆହ୍ୱାନ ସର୍ବତ୍ର ଗୁଞ୍ଜରିତ ହେଉଥିଲା, ଏ ଆନ୍ଦୋଳନ ଶେଷ ନୁହେଁ, ଏକ ପର୍ଯ୍ୟାୟ, ଆଉ ଏକ ଶକ୍ତିଶାଳୀ ଆନ୍ଦୋଳନର ଆରମ୍ଭ ମାତ୍ର । ଏକ ଧାରାବାହିକ ଆନ୍ଦୋଳନ ମାଧ୍ୟମରେ ସଂଗଠିତ ହୋଇଥିବା ଏହି ରାଜ୍ୟସ୍ତରୀୟ ବିକ୍ଷୋଭର ଧାରାବାହିକତା ବଜାୟ ରଖିବାକୁ ପଡିବ । ଗ୍ରାମେ ଗ୍ରାମେ ସହରେ ସହରେ, ପଞ୍ଚାୟତ, ବ୍ଳକ୍ ସ୍ତରରେ ଲକ୍ଷ ଲକ୍ଷ ଲୋକଙ୍କୁ ସାମିଲ କରି ଏହି ଆନ୍ଦୋଳନକୁ ଆହୁରି ତୀବ୍ର ଓ ବ୍ୟାପକ କରିବାକୁ ପଡିବ । ଏହି ରାଜ୍ୟସ୍ତରୀୟ ବିକ୍ଷୋଭ ଏଥିପାଇଁ ନିଶ୍ଚିତ ଶକ୍ତି ଓ ପ୍ରେରଣା ଯୋଗାଇବ । ଏହାରି ମଧ୍ୟରେ ହିଁ ରହିଛି ଏହି ବିକ୍ଷୋଭର ସଫଳତା । ଦାବି ହାସଲର ଏହା ହିଁ ଏକମାତ୍ର ପଥ । ମର୍ଯ୍ୟାଦାର ସହ ବଂଚିବାର ବି ଏହା ହିଁ ଏକମାତ୍ର ପଥ । ତେଣୁ ପରବର୍ତ୍ତୀ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ଭାବେ ନଭେମ୍ବର ୧ରୁ ୭ ରାଜ୍ୟବାପୀ ଦାବି ସପ୍ତାହ ପାଳନ କରି ଶକ୍ତିଶାଳୀ ଆନ୍ଦୋଳନ ଗଢତୋଳିବାକୁ ନେତୃତ୍ୱ ତରଫରୁ ଘୋଷଣା କରାଗଲା ।
ବିକ୍ଷୋଭର ସମୟ ଶେଷ ହୋଇ ଆସୁଥିଲା । କିନ୍ତୁ ଶେଷ ହୋଇନଥିଲା ବିକ୍ଷୋଭକାରୀ ଜନତାଙ୍କ ଉତ୍ସାହ ଉଦ୍ଦୀପନା । ବର୍ଷା ଭିଜାଇ ଦେଇଛି ସମସ୍ତଙ୍କ ଶରୀର, କିନ୍ତୁ ଲିଭାଇ ପାରିନି ଭିତରେ ଜଳୁଥିବା ପ୍ରତିବାଦର ନିଆଁକୁ । ଲୋକେ ଫେରି ଯାଉଛନ୍ତି ଅମିତ ତେଜ ନେଇ । ସଂକଳ୍ପ ଆହୁରି ତୀବ୍ର ହୋଇଛି । ସବୁରି ମୁହଁରେ ଗୋଟିଏ କଥା, ଏ ଆନ୍ଦୋଳନର ଶେଷ ନାହିଁ । ଶୋଷିତ ମଣିଷର ଜୟ ସୁନିଶ୍ଚିତ । ଦିଲ୍ଲୀର ଐତିହାସିକ ବିଜୟମଣ୍ଡିତ କୃଷକ ଆନ୍ଦୋଳନର ଶାଣୀତ ଧ୍ୱନୀ ‘ଆମେ ଲଢିବୁ, ଆମେ ଜିତିବୁ’ ସବୁରି କଣ୍ଠରେ ଯେମିତି ପ୍ରତିଧ୍ୱନିତ ହେଉଥିଲା ।
୨୯ସେପ୍ଟେମ୍ବର ରାଜସ୍ତରୀୟ ଗଣବିକ୍ଷୋଭ ଶେଷ ହେଲା । କିନ୍ତୁ ରଖିଗଲା ବହୁ ଆବେଗଭରା ସ୍ମୃତି, ସମୃଦ୍ଧ ଅନୁଭୂତି, ବିପ୍ଳବୀ ଶିକ୍ଷା ଓ ଆଗାମୀ ବୃହତ୍ତର ଆନ୍ଦୋଳନ ସମ୍ମୁଖରେ ଏକ ପ୍ରେରଣାଦାୟୀ ଜୀବନ୍ତ ଆଲେଖ୍ୟ ।  

Leave a Reply

Your email address will not be published. Required fields are marked *