ଛାତ୍ରୀମାନଙ୍କ ନିରାପତ୍ତାକୁ ସୁନିଶ୍ଚିତ କରିବା ଓ ବିଭିନ୍ନ ଶିକ୍ଷାଗତ ଦାବିରେ ଏଆଇଡିଏସଓ ପକ୍ଷରୁ ବିଶାଳ ରାଜ୍ୟସ୍ତରୀୟ ଛାତ୍ର ବିକ୍ଷୋଭ
SK News Dated – 07.08.2025 – ବାଲେଶ୍ୱର, ବଳଙ୍ଗା, ଗୋପାଳପୁର, ଜଗତସିଂହପୁର ସମେତ ରାଜ୍ୟରେ ଛାତ୍ରୀମାନଙ୍କ ଉପରେ ବଢି ଚାଲିଥିବା ନିର୍ଯ୍ୟାତନା, ଦୁଷ୍କର୍ମ, ଗଣଦୁଷ୍କର୍ମରେ ଜଡିତ ଅପରାଧୀମାନଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବା, ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀଙ୍କ ଦୁଃଖଦ ମୃତ୍ୟୁ ଘଟଣାରେ ସଂପୃକ୍ତ ଅଭିଯୁକ୍ତ ତଥା ଛାତ୍ରୀଙ୍କ ଅଭିଯୋଗ ସତ୍ତ୍ୱେ କୈାଣସି ପଦକ୍ଷେପ ନେଇନଥିବା ବ୍ୟକ୍ତିମାନଙ୍କୁ ଦୃଷ୍ଟାନ୍ତମୂଳକ ଶାସ୍ତି ପ୍ରଦାନ କରିବା, ଶିକ୍ଷାନୁଷ୍ଠାନର ବାହାରେ ଓ ଭିତରେ ଛାତ୍ରୀମାନଙ୍କ ନିରାପତ୍ତାକୁ ସୁନିଶ୍ଚିତ କରିବା, ବନ୍ଦ ହୋଇଥିବା ସମସ୍ତ ସରକାରୀ ପ୍ରାଥମିକ ବିଦ୍ୟାଳୟ ତୁରନ୍ତ ଖୋଲିବା, ଆବଶ୍ୟକ ସଂଖ୍ୟକ ଶିକ୍ଷକ, ଅଧ୍ୟାପକ, ଶିକ୍ଷା କର୍ମଚାରୀ ପଦବୀ ସ୍ଥାୟୀ ଭିତ୍ତିରେ ପୂରଣ କରିବା, ତୁରନ୍ତ ପ୍ରତ୍ୟକ୍ଷ ଛାତ୍ର ସଂସଦ ନିର୍ବାଚନ ତାରିଖ ଘୋଷଣା କରିବା, ରେସନାଲାଇଜେସନ୍ ନୀତି ଆଳରେ ଅଧ୍ୟାପକ ପଦବୀ ଉଚ୍ଛେଦ ଷଡଯନ୍ତ୍ର ବନ୍ଦ କରିବା, ଛାତ୍ରଛାତ୍ରୀମାନଙ୍କୁ ଫ୍ରି ବସ୍ ପାସ୍ ଯୋଗାଇଦେବା, ଶିକ୍ଷା ଧ୍ୱଂସକାରୀ ଜାତୀୟ ଶିକ୍ଷା ନୀତି – ୨୦୨୦ ବାତିଲ କରିବା, ଆଡମିସନ-ରିଆଡମିଶନ ସମେତ ଶିକ୍ଷା କ୍ଷେତ୍ରରେ ସମସ୍ତ ପ୍ରକାର ଫିସ୍ ବୃଦ୍ଧି ପ୍ରତ୍ୟାହାର କରିବା ଇତ୍ୟାଦି ଦାବିରେ ଏଆଇଡିଏସଓ, ଓଡିଶା ରାଜ୍ୟ ପରିଷଦ ପକ୍ଷରୁ ରାଜ୍ୟ ସଚିବାଳୟ ସମ୍ମୁଖରେ ୨୩ ଜୁଲାଇ ଦିନ ବିଶାଳ ରାଜ୍ୟ ସ୍ତରୀୟ ଛାତ୍ର ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଆସିଥିବା ହଜାର ହଜାର ଛାତ୍ରଛାତ୍ରୀ ଉପରୋକ୍ତ ଦାବିକୁ ନେଇ ସ୍ଲୋଗାନ ଦେଇ ଏକ ସୁସଜ୍ଜିତ ପଟୁଆରରେ ରାଜମହଲ ଛକରୁ ଆସି ସଚିବାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବିକ୍ଷୋଭ ସ୍ଥଳରେ ଏଆଇଡିଏସଓ ରାଜ୍ୟ ସମ୍ପାଦକ କମ୍ରେଡ୍ ସିଦ୍ଧାର୍ଥ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ରାଜ୍ୟ ସଭାପତି କମ୍ରେଡ୍ ସୋମନାଥ ବେହେରା, କେନ୍ଦ୍ରୀୟ ପରିଷଦର ଅନ୍ୟତମ ଯୁଗ୍ମ ସମ୍ପାଦକ କମ୍ରେଡ୍ ସମର ମାହାତୋ, ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଆସିଥିବା ଛାତ୍ରନେତାମାନେ ନିଜର ବକ୍ତବ୍ୟ ରଖିଥିଲେ । ଏଆଇଡିଏସଓ ରାଜ୍ୟ ସଭାପତି କମ୍ରେଡ୍ ସୋମନାଥ ବେହେରାଙ୍କ ନେତୃତ୍ୱରେ ରାଜ୍ୟ ଉପ-ସଭାନେତ୍ରୀ କମ୍ରେଡ୍ ନିରୁପମା ବେହେରା, କୋଷାଧ୍ୟକ୍ଷା କମ୍ରେଡ୍ ସପ୍ତର୍ଶିନୀ ରାଉଳ, ସଂପାଦକ ମଣ୍ଡଳୀ ସଦସ୍ୟ କମ୍ରେଡ୍ ହରେକୃଷ୍ଣ ଦାସ, ମଧୁସୂଦନ ବାଗ ପ୍ରମୁଖ ଏକ ପ୍ରତିନିଧି ମଣ୍ଡଳୀରେ ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟର ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ପାଖରୁ ସଂଗୃହୀତ ଦସ୍ତଖତ ସମ୍ବଳିତ ଦାବି ପତ୍ର ପ୍ରଦାନ କରିଥିଲେ । ଛାତ୍ର ବିକ୍ଷୋଭରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଉପ-ସଭାପତି କମ୍ରେଡ୍ ଭାଗ୍ୟରବି ଦାସ, ସୁନୀଲ ଭୋଇ, ଅଫିସ ସମ୍ପାଦକ ନସିମ ସରକାର, ସମ୍ପାଦକ ମଣ୍ଡଳୀ ସଦସ୍ୟ ପରମାନନ୍ଦ ସାହୁ, ବିନୋଦ ସେଠୀ, ସଂଯୁକ୍ତା ସାହୁ, ପ୍ରଭାତୀ ମଲ୍ଲିକ, ତରୁଣସେନ ନାୟକ, ପ୍ରଶାନ୍ତ ଦାସ, ମଧୂସୁଦନ ନାଏକ, ନିମାଇଁ ଚରଣ ସାହୁ, ନାରାୟଣ ନାୟକ, ଇଷା ଧର, ଫୁଲଚାନ୍ଦ ଲୋହାର, ନାରାୟଣ ସାହୁ ପ୍ରମୁଖ ନେତୃତ୍ୱ ନେଇଥିଲେ ।