ଗୌରବୋଜ୍ୱଳ ପ୍ୟାରି କମ୍ୟୁନର ଦେଢଶତ ବର୍ଷ ଉପଲକ୍ଷେ ସେହି ଯୁଗାନ୍ତକାରୀ ସଂଗ୍ରାମର ଇତିହାସ ଓ ତାର ଶିକ୍ଷା

Sarbaharakranti Dt 20.10.2022 – (ଚଳିତ ବର୍ଷ ପାଳିତ ହେଉଛି ଗୌରବୋଜ୍ଜ୍ୱଳ ପ୍ୟାରି କମ୍ୟୁନର ଦେଢଶତ ବର୍ଷ । ସେହି ଉପଲକ୍ଷେ ପ୍ୟାରି କମ୍ୟୁନର ଐତିହାସିକ ପୃଷ୍ଠଭୂମି, ତାର ସଫଳତା, ପତନ ଓ ସେଥିରୁ ଶିକ୍ଷା ସଂପର୍କରେ ଏକ ସଠିକ୍ ଧାରଣା ଗଢିତୋଳିବା ପାଇଁ ନିମ୍ନ ନିବନ୍ଧଟି ରଚନା କରାଯାଇଛି । ସର୍ବହରା କ୍ରାନ୍ତିର ଚଳିତ ସଂଖ୍ୟାରେ ପ୍ୟାରି କମ୍ୟୁନର ଐତିହାସିକ ପୃଷ୍ଠଭୂମିର ଅଂଶଟି ପ୍ରକାଶ କରୁଛୁ । ପରବର୍ତ୍ତୀ ସଂଖ୍ୟାରେ ପ୍ୟାରି କମ୍ୟୁନର ଆରମ୍ଭ, ତାର ପତନ ଓ ସେଥିରୁ ଶିକ୍ଷା ସଂକ୍ରାନ୍ତୀୟ ବିଷୟଟି ପ୍ରକାଶିତ ହେବ । ସଂପାଦକ-ସର୍ବହରା କ୍ରାନ୍ତି ।)

ଆଜିଠୁ ଦେଢ ଶହ ବର୍ଷ ପୂର୍ବେ ୧୮୭୧ ମସିହାରେ ପ୍ୟାରି କମ୍ୟୁନର ଐତିହାସିକ ସଂଗ୍ରାମ ପ୍ୟାରିସ ସହରର ବୁକୁ ଥରାଇ ଦେଇଥିଲା । ବର୍ଜୁଆ ଶାସକମାନଙ୍କୁ କ୍ଷମତାଚ୍ୟୁତ କରି ମାର୍ଚ୍ଚ ୧୮ତାରିଖ ଦିନ ବିପ୍ଳବୀ କେନ୍ଦ୍ରୀୟ କମିଟି ପ୍ୟାରିସର କ୍ଷମତା ଦଖଲ କରିଥିଲା ଏବଂ ଶ୍ରମିକ ଶ୍ରେଣୀର ସରକାର, କମ୍ୟୁନ ପ୍ରତିଷ୍ଠା କରିଥିଲା । କମ୍ୟୁନ ଗୁଣଗତ ଭାବେ ବର୍ଜୁଆ ରାଷ୍ଟ୍ରଠାରୁ ସଂପୂର୍ଣ୍ଣ ଭିନ୍ନ ଥିଲା । କମ୍ୟୁନ ପ୍ରଥମରୁ ହିଁ ଅମଲାତନ୍ତ୍ରକୁ ଧ୍ୱଂସ କରିଥିଲା । ଭଡାଟିଆ ସୈନ୍ୟବାହିନୀକୁ ଭାଙ୍ଗି ଦେଇ ଜନତାର ହାତରେ ଅସ୍ତ୍ର ଅର୍ପଣ କରିଥିଲା । କର୍ମଚାରୀ ଅଫିସରମାନଙ୍କର ସର୍ବୋଚ୍ଚ ଦରମାର ଏକ ସୀମା ନିର୍ଦ୍ଧାରଣ କରିଥିଲା, ଯାହାକି ଜଣେ ଦକ୍ଷ କର୍ମଚାରୀର ଦରମା ସହିତ ପ୍ରାୟ ସମାନ । ଆଠ ଘଣ୍ଟା ଶ୍ରମ ସମୟ ନିର୍ଘଣ୍ଟ କରାଯାଇଥିଲା । ଶ୍ରମିକମାନଙ୍କଠାରୁ ଜୋରିମାନା ଆଦାୟ ଏବଂ ପାଉଁରୁଟି କାରଖାନାରେ ରାତ୍ରୀକାଳୀନ କାର୍ଯ୍ୟ ବନ୍ଦ କରାଯାଇଥିଲା । ଶ୍ରମିକମାନଙ୍କୁ ନ୍ୟାଯ୍ୟ ପ୍ରାପ୍ୟରୁ ବଂଚିତ କରିଥିବା ମାଲିକମାନଙ୍କ ସମ୍ପତ୍ତି ବାଜ୍ୟାପ୍ତ କରାଯାଇଥିଲା । ବେକାର ଶ୍ରମିକମାନଙ୍କୁ କାମ ଓ ସାହାଯ୍ୟର ପ୍ରତିଶ୍ରୁତି ଦିଆଯାଇଥିଲା । ଅଫିସର, ସୈନ୍ୟବାହିନୀ, ବିଚାରପତି ସମସ୍ତଙ୍କ ନିଯୁକ୍ତି ନିର୍ବାଚନ ପ୍ରକ୍ରିୟାରେ କରାଯିବାକୁ ବାଧ୍ୟତାମୂଳକ କରାଯାଇଥିଲା । ଧର୍ମକୁ ରାଷ୍ଟ୍ରଠାରୁ ବିଚ୍ଛିନ୍ନ କରାଯାଇଥିଲା । ଚର୍ଚ୍ଚର ସମ୍ପତ୍ତି ବାଜ୍ୟାପ୍ତ କରାଯାଇଥିଲା । ଶିକ୍ଷାକୁ ଅବୈତନିକ ଓ ବାଧ୍ୟତାମୂଳକ କରାଯାଇଥିଲା । କମ୍ୟୁନ ରାଜତ୍ୱରେ ଅଳ୍ପ ଦିନ ପାଇଁ ହେଲେ ବି ଶ୍ରମିକମାନେ ପ୍ରଥମଥର ପାଇଁ ମୁକ୍ତିର ସ୍ୱାଦ ପାଇଥିଲେ ।
ମାତ୍ର ବିଭିନ୍ନ କାରଣରୁ କମ୍ୟୁନକୁ ବଞ୍ଚାଇ ରଖାଯାଇ ପାରିନଥିଲା । ଦୁଇମାସ ଦଶ ଦିନ ପରେ ମେ ୧୮ତାରିଖ ଦିନ ବୁର୍ଜ୍ଜୁଆ ସରକାର ଅତି ନୃଶଂସଭାବେ ଏହି ଶ୍ରମିକ ଅଭ୍ୟୁତ୍ଥାନକୁ ଦମନ କରିଥିଲା । ବିଚାରର ପ୍ରହସନ କରି ହଜାର ହଜାର କମ୍ୟୁନାର୍ଡଙ୍କୁ ହତ୍ୟା କରି ବୁର୍ଜ୍ଜୁଆମାନେ ଏହି ବିପ୍ଳବକୁ ଦମନ କରିଥିଲେ । ଏହି ଲଢେଇକୁ ପର୍ଯ୍ୟାଲୋଚନା କରି ମହାନ କାର୍ଲ ମାର୍କ୍ସ ତାଙ୍କର ଚିନ୍ତାଧାରାକୁ ଆହୁରି ଉନ୍ନତ ଓ କ୍ଷୁରଧାର କରିଥିଲେ । ଶ୍ରମିକ ବିପ୍ଳବ ସଂକ୍ରାନ୍ତିୟ ପ୍ରଚଳିତ ଭ୍ରାନ୍ତ ତତ୍ତ୍ୱଗୁଡିକୁ ଆଦର୍ଶଗତ ସଂଗ୍ରାମ ଜରିଆରେ ପରାସ୍ତ କରି ପ୍ୟାରି କମ୍ୟୁନ ମାର୍କ୍ସବାଦର ଅଭ୍ରାନ୍ତ ସତ୍ୟତାକୁ ପ୍ରତିଷ୍ଠା କରିଥିଲା । କମ୍ୟୁନାର୍ଡମାନଙ୍କର ଅସୀମ ବୀରତ୍ୱ ଓ ଶକ୍ତିଶାଳୀ ଲଢେଇ ସତ୍ତ୍ୱେ ମଧ୍ୟ କମ୍ୟୁନର ପତନ ଦର୍ଶାଇଥିଲା ଯେ, ଶ୍ରମିକ ବିପ୍ଳବ ନିମନ୍ତେ ସଠିକ ବିପ୍ଳବୀ ତତ୍ତ୍ୱ ଓ ସଠିକ ବିପ୍ଳବୀ ଦଳର ନେତୃତ୍ୱ କେତେ ପ୍ରୟୋଜନ । ପ୍ୟାରି କମ୍ୟୁନର ଇତିହାସ ଜାଣିବା ସବୁ ଯୁଗର ସଂଗ୍ରାମୀମାନଙ୍କ ପାଇଁ ଅତୀବ ପ୍ରୟୋଜନ ।
ପ୍ୟାରି କମ୍ୟୁନର ଐତିହାସିକ ପୃଷ୍ଠଭୂମି
୧୭୮୯ ମସିହାରେ ବାସ୍ତିଲ ଦୁର୍ଗ ଆକ୍ରମଣ ମଧ୍ୟ ଦେଇ ଐତିହାସିକ ଫରାସୀ ବିପ୍ଳବର ସୁତ୍ରପାତ ହୋଇଥିଲା । ବର୍ଜୁଆଶ୍ରେଣୀ ହାତରେ ଏହି ଗଣତାନ୍ତ୍ରିକ ବିପ୍ଳବର ଆଦର୍ଶଗତ ନେତୃତ୍ୱ ଥିଲେ ମଧ୍ୟ ମେହନତି ଶ୍ରମିକ ଶ୍ରେଣୀ ଏହି ବିପ୍ଳବକୁ ସଫଳ କରିବା ପାଇଁ ନିଜର ଜୀବନକୁ ବାଜି ରଖି ଳଢିଥିଲା । ଏହି ବିପ୍ଳବକୁ ସଫଳ କରିବା କ୍ଷେତ୍ରରେ ଶୋଷିତ ନିପୀଡିତ ମହିଳାମାନେ ଅନନ୍ୟସାଧାରଣ ଭୂମିକା ପାଳନ କରିଥିଲେ । ସେଦିନ ଏହି ବିପ୍ଳବକୁ ସଫଳ କରିବା ପ୍ରୟୋଜନରେ ଜନସାଧାରଣ ହାତରେ ଅସ୍ତ୍ର ଟେକି ଦେବାକୁ ବୁର୍ଜ୍ଜୁଆ ଶ୍ରେଣୀ ବାଧ୍ୟ ହୋଇଥିଲା । ଯାହା ଫଳରେ ସେଦିନ ଜନତା ନିଜର ନାର୍ଯ୍ୟ ଦାବି ଉତ୍ଥାପନ କରିବାର ଅଧିକାରୀ ହୋଇଥିଲା ଏବଂ ରାଷ୍ଟ୍ରର ବିଭିନ୍ନ ବିଷୟରେ ଏପରିକି ହାତରେ ଅସ୍ତ୍ର ନେଇ ନିଜର ଭୂମିକା ପାଳନ କରିବାକୁ ଆରମ୍ଭ କରିଥିଲା । ବୁର୍ଜ୍ଜୁଆଶ୍ରେଣୀ ପକ୍ଷରେ ଏହା ଥିଲା ଏକ ମାରାତ୍ମକ ଅଶୁଭ ସଂକେତ । କ୍ଷମତା ଦଖଲ କରିବା ପରେ ବର୍ଜୁଆମାନେ ବିପ୍ଳବ ପଥରେ ଅଗ୍ରସର ହେବାକୁ ଚାହିଁ ନଥିଲେ । ଏହି ନୂତନ ବ୍ୟବସ୍ଥାରେ ଧନୀକ ଶ୍ରେଣୀର ଆଧିପତ୍ୟ କାଏମ ହୋଇଥିଲା ଓ ବିପ୍ଳବ ପଥରେ ଅଗ୍ରସର ହେଲେ ଏହି ଆଧିପତ୍ୟ କାଳେ ଚାଲିଯିବ ସେହି ଆଶଙ୍କାରେ ହିଁ ସେମାନେ ଆଉ ଆଗେଇବାକୁ ଇଚ୍ଛୁକ ନଥିଲେ । ବୁର୍ଜ୍ଜୁଆମାନଙ୍କର ଅନ୍ୟତମ ନେତା ବାରନାଭ ୧୭୯୧ ମସିହାରେ ସତର୍କ କରାଇଦେଇ କହିଥିଲେ -“ଆମେ ବିପ୍ଳବକୁ ଏଇଠି ସମାପ୍ତ କରିବୁ ନା ପୁଣି ବିପ୍ଳବ ଆରମ୍ଭ କରିବୁ? ସ୍ୱାଧୀନତା ପଥରେ ଆଉ ପାଦେ ଆଗେଇଲେ ରାଜତନ୍ତ୍ରର ବିନାଶ ହେବ । ସାମ୍ୟର ପଥରେ ଆଉ ପାଦେ ଆଗେଇଲେ ସଂପତ୍ତିର ବିଲୁପ୍ତି ଘଟିବ ।” ମାତ୍ର ସଶସ୍ତ୍ର ଜନତା ଯେଉଁମାନଙ୍କର ମଧ୍ୟରେ ମେହନତି ଜନଗଣଙ୍କ ସଂଖ୍ୟା ଅଧିକ ଥିଲା ସେମାନେ ଚାହୁଁଥିଲେ, ବିପ୍ଳବ ଆହୁରି ଅଗ୍ରସର ହେଉ । ଫଳରେ ଏକ ଦ୍ୱନ୍ଦ୍ୱ ଅନିବାର୍ଯ୍ୟ ଭାବେ ଦେଖା ଦେଲା ଓ ଏହି ଧାରାରେ ହିଁ ବିପ୍ଳବର ନେତା ଦାଁ ତୋ ଏବଂ ମାରାଙ୍କର ମୃତ୍ୟୁ ହୋଇଥିଲା । ଯଦିଓ ଫ୍ରାନ୍ସର ବୁର୍ଜୁଆମାନେ ସାମନ୍ତୀ ବ୍ୟବସ୍ଥାର ଉଚ୍ଛେଦ ଘଟାଇଥିଲେ କିନ୍ତୁ ସେମାନେ ଏହି ବ୍ୟବସ୍ଥାର ସମସ୍ତ ଅବଶେଷଗୁଡିକୁ ସମୂଳେ ଧ୍ୱଂସ କରିବାକୁ ବ୍ୟର୍ଥ ହୋଇଥିଲେ । ଆହୁରି ମଧ୍ୟ ବର୍ଜୁଆଶ୍ରେଣୀ ନିଜର ଆଭ୍ୟନ୍ତରୀଣ ଦ୍ୱନ୍ଦ୍ୱଗୁଡିକୁ ସମାଧାନ କରି ନିଜକୁ ସୁସଂହତ କରିବା କ୍ଷେତ୍ରରେ ସକ୍ଷମ ହୋଇନଥିଲେ ।
ଏହିଭଳି ଏକ ସନ୍ଧିକ୍ଷଣରେ ନେପୋଲିୟନ ବୋନାପାର୍ଟ ଜଣେ ଆତତାୟୀ ଭଳି ୧୮୦୦ ମିସହାରେ ବଳପୂର୍ବକ କ୍ଷମତା ଦଖଲ କଲେ । କ୍ଷମତାକୁ ଆସିବା ମାତ୍ରେ ହିଁ ସେ ଅତର୍କିତ ଭାବେ ବିପ୍ଳବର ମର୍ମବସ୍ତୁ ଉପରେ ଆଘାତ ହାଣିଲେ ଏବଂ ବୁର୍ଜ୍ଜୁଆ ସ୍ୱେରାଚାରୀ ରାଜତନ୍ତ୍ର ପ୍ରତିଷ୍ଠା କଲେ । ତାଙ୍କର ଶାସନରେ ‘କୋଡ ନେପୋଲିୟନ’ ନୀତିଦ୍ୱାରା ପ୍ରଜାତନ୍ତ୍ରର କିଛି ଦାବି ଗ୍ରହଣୀୟ ହୋଇଥିଲେ ମଧ୍ୟ ପ୍ରଥମ ଫରାସୀ ପ୍ରଜାତନ୍ତ୍ରର ମୃତ୍ୟୁ ଘଟିଥିଲା । ୧୮୧୫ ମସିହାରେ ହୋଇଥିବା ୱାଟରଲୁ ଯୁଦ୍ଧରେ ନେପୋଲିୟନଙ୍କ ପତନ ହେବା ପରେ କିଛି ଦିନ ପାଇଁ ଅନିଶ୍ଚିତତା ଲାଗି ରହିଥିଲା । ଫ୍ରାନ୍ସର ପୁରାତନ ସାମନ୍ତୀ ବ୍ୟବସ୍ଥାକୁ ପୁନର୍ବାର ଫେରାଇ ଆଣିବା ପାଇଁ ଷଡଯନ୍ତ୍ର ଆରମ୍ଭ ହେଲା । ପୁରାତନ ବୁରଧୋଁ ରାଜବଂଶର ଅଷ୍ଟାଦଶ ଲୁଇଙ୍କୁ କ୍ଷମତାରେ ଅଧିଷ୍ଠିତ କରାଗଲା । ତାଙ୍କର ମୃତ୍ୟୁପରେ ତାଙ୍କ ଭାଇ ଦଶମ ଚାର୍ଲସ କ୍ଷମତାରେ ବସିଲେ । ରାଜତନ୍ତ୍ର ତଥା ପୂରାତନ ପରିତ୍ୟକ୍ତ ଭାବାଦର୍ଶର ଉଗ୍ର ସମର୍ଥକ ଦଶମ ଚାର୍ଲସ କ୍ଷମତାକୁ ଆସି ଆଇନସଭା ଭାଙ୍ଗି ଦେଲେ, ସମ୍ବାଦପତ୍ରର ସ୍ୱାଧୀନତା ହରଣ କଲେ । ଭୋଟ ଅଧିକାରକୁ ଆହୁରି ସଙ୍କୁଚିତ କରି ଫ୍ରାନ୍ସର ସ୍ୱେରାଚାରୀ ଆଇନ କାଏମ କଲେ । ବିପ୍ଳବ ପରବର୍ତ୍ତୀ ଶାସନ କାଳରେ ଧର୍ମ ଓ ଶିକ୍ଷା କ୍ଷେତ୍ରରେ ଧର୍ମଯାଜକ ଏବଂ ଅଭିଜାତମାନଙ୍କ ନିକଟରୁ ଯେଉଁ କ୍ଷମତା ଓ ସଂପତ୍ତି ଛଡାଇ ନିଆଯାଇଥିଲା ତାହା ପୁଣି ସେମାନଙ୍କୁ ଫେରାଇ ଦିଆଗଲା । ଏହାର ପ୍ରତିକ୍ରିୟାରେ ୧୮୩୦ ମସିହା ଜୁଲାଇ ମାସରେ ଫ୍ରାନ୍ସରେ ଏକ ଗଣ ଅଭୁତ୍ଥାନ ସଂଗଠିତ ହୋଇଥିଲା । ଦଶମ ଚାର୍ଲସ କ୍ଷମତାରୁ ଉତ୍‌ଖାତ ହୋଇଥିଲେ, ତେବେ ବୁରବୋଁ ରାଜବଂଶର ଶାସନ ପରିବର୍ତ୍ତନ ହୋଇଥିଲେ ବି ରାଜତନ୍ତ୍ର ତିଷ୍ଠି ରହିଥିଲା ଓ ବୁରବୋଁ ରାଜବଂଶର ଜଣେ ଆତ୍ମୀୟ ଅଲିୟାନିଷ୍ଟ ପରିବାରର ରାଜା ଲୁଇ ଫିଲିଫ୍ କ୍ଷମତାରେ ଅଧିଷ୍ଠିତ ହୋଇଥିଲେ । ଏହି ଶାସନକୁ ମହାନ କାର୍ଲ ମାର୍କ୍ସ ‘ବୁର୍ଜ୍ଜୁଆ ରାଜତନ୍ତ୍ର’ ଆଖ୍ୟା ଦେଇଥିଲେ ।
ଅନ୍ୟପଟରେ ସେହି ସମୟରେ ଫ୍ରାନ୍ସରେ ପ୍ରଚୁର ସଂଖ୍ୟାରେ ସୁତାକଳମାନ ଗଢି ଉଠିଥିଲା । ତେବେ ଅନ୍ୟାନ୍ୟ ୟୁରୋପୀୟ ରାଷ୍ଟ୍ର ତୁଳନାରେ ଫ୍ରାନ୍ସରେ ଶିଳ୍ପ ବିକାଶର ଗତି ଖୁବ ମନ୍ଥର ଥିଲା । ୧୮୩୦ ଏବଂ ୧୮୪୮ ମସିହା ମଧ୍ୟରେ ଲୁଇ ଫିଲିଫଙ୍କ ଶାସନ କାଳରେ ନୂତନ ପ୍ରଯୁକ୍ତି ବିଦ୍ୟା ସହ ତାଳ ଦେଇ ଶିଳ୍ପ ବିକାଶ ମଧ୍ୟ ବୃଦ୍ଧି ପାଇଥିଲା । ଆନ୍ତର୍ଜାତିକ ପ୍ରତିଯୋଗୀତାମୂଳକ ପୁଞ୍ଜିବାଦୀ ବଜାରରେ ଫ୍ରାନ୍ସ ଏକ ଶକ୍ତିଶାଳୀ ଅଂଶୀଦାର ଭାବେ ଉଭା ହେଲା । ବୃହତ ଶିଳ୍ପଦ୍ୟୋଗ ଗଢି ଉଠିବା ସଙ୍ଗେ ସଙ୍ଗେ ଶ୍ରମିକମାନଙ୍କ ସଂଖ୍ୟା ମଧ୍ୟ ବୃଦ୍ଧିପାଇଲା । ଗ୍ରାମାଞ୍ଚଳରୁ ଲୋକେ କାରଖାନାରେ କାମ କରିବା ପାଇଁ ଦଳ ଦଳ ହୋଇ ମାଡି ଆସିଲେ । ବ୍ୟାଙ୍କଗୁଡିକ ମଧ୍ୟ ବିକାଶଲାଭ କଲା । ତେବେ ଏହା ପାଖାପାଖି ମଧ୍ୟ ବର୍ଜୁଆ ଓ ଶ୍ରମଜୀବୀ ଲୋକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ତୀବ୍ର ହେବାକୁ ଲାଗିଲା । ଶ୍ରମିକ ଓ ଅନ୍ୟାନ୍ୟ ଶୋଷିତ ମଣିଷଙ୍କର ବିକ୍ଷୋଭ ଅସନ୍ତୋଷ ବି ବଢିବାରେ ଲାଗିଲା । ୧୮୪୫ ମସିହା ପରଠୁ ସମଗ୍ର ଫ୍ରାନ୍ସ ଅଦ୍ଭୁତପୂର୍ବ ଅର୍ଥନୈତିକ ସଂକଟ ମଧ୍ୟ ଦେଇ ଗତି କଲା । ଆଳୁଚାଷ ଭୀଷଣଭାବେ କ୍ଷତିଗ୍ରସ୍ତ ହେବାରୁ କୃଷକ ଓ ସାଧାରଣ ଲୋକଙ୍କ ମଧ୍ୟରେ ପୁଞ୍ଜିଭୂତ ଅସନ୍ତୋଷ ଓ କ୍ଷୋଭର ପ୍ରଭାବ ମଧ୍ୟ ଫ୍ରାନ୍ସ ଉପରେ ପଡିଲା । କ୍ଷୁଦ୍ର ପୁଞ୍ଜିର ମାଲିକମାନେ ସର୍ବସ୍ୱାନ୍ତ ହୋଇଗଲେ । ବର୍ଜୁଆମାନଙ୍କର ଏକ ବଡ ଅଂଶ ମଧ୍ୟ ଦେବାଳିଆ ହୋଇଗଲେ । କଳ କାରାଖାନା ବନ୍ଦ ହେବାକୁ ଲାଗିଲା । ସମଗ୍ର ଫ୍ରାନ୍ସରେ ଶ୍ରମିକ ଧର୍ମଘଟ ଆରମ୍ଭ ହୋଇଗଲା । ଲୁଇ ଫିଲିଫ ସରକାର ଉପରେ ସଂଖ୍ୟାଗରିଷ୍ଠ ଲୋକଙ୍କର ଆସ୍ଥା ତୁଟିଗଲା । ଏହି ପରିସ୍ଥିତିରେ ୧୮୪୮ ମସିହା ଫେବୃୟାରୀ ମାସରେ ଲୁଇ ଫିଲିଫ୍‌ଙ୍କ ଶାସନ ବିରୁଦ୍ଧରେ ଗଣ ଅଭ୍ୟୁତ୍ଥାନ ସଂଗଠିତ ହେଲା । ବର୍ଜୁଆଶ୍ରେଣୀ ନେତୃତ୍ୱରେ ଏହି ଅଭ୍ୟୁତ୍ଥାନ ଶ୍ରମିକମାନଙ୍କ ବ୍ୟାପକ ଯୋଗଦାନ ଫଳରେ ସର୍ବାତ୍ମକ ବିପ୍ଳବରେ ପରିଣତ ହେଲା । ଲୁଇ ଫିଲିଫଙ୍କ ପତନ ଘଟିଲା । ଫେବୃୟାରୀ ୨୫ତାରିଖରେ ଆନୁଷ୍ଠାନିକ ଭାବରେ ରାଜତନ୍ତ୍ରର ଅବସାନ ହୋଇ ଦ୍ୱିତୀୟ ବୁର୍ଜ୍ଜୁଆ ପ୍ରଜାତନ୍ତ୍ର ପ୍ରତିଷ୍ଠା ହେଲା ଏବଂ ଲୁଇ ବୋନାପାର୍ଟ କ୍ଷମତାରେ ଅଧିଷ୍ଠିତ ହେଲେ ।
ପୂର୍ବର ବର୍ଜୁଆ ରାଜତନ୍ତ୍ର ପକ୍ଷରେ ପ୍ରଶାସନ ସମେତ ସମସ୍ତ କ୍ଷେତ୍ରରେ ସାମନ୍ତତାନ୍ତ୍ରିକ ପ୍ରଭାବକୁ ସଂପୂର୍ଣ୍ଣ ଧ୍ୱଂସ କରିବା ଐତିହାସିକ କାରଣରୁ ସମ୍ଭବ ହୋଇନଥିଲା । ଶିଳ୍ପ ମାଲିକ ବୁର୍ଜ୍ଜୁଆମାନେ ଲୁଇ ଫିଲିଫ୍‌ଙ୍କ ସଂସଦରେ ମଧ୍ୟ ସଂଖ୍ୟାଲଘୁ ଥିଲେ । ତେଣୁ ଶତ ପ୍ରତିଶତ ବୁର୍ଜ୍ଜୁଆ ଶାସନ ପ୍ରତିଷ୍ଠା କରିବା ଏବଂ ନିଜର ଗୋଷ୍ଠୀଙ୍କୁ ସଂସଦରେ ସଂଖ୍ୟାଗରିଷ୍ଠ ଅଂଶରେ ପରିଣତ କରିବାର ଲକ୍ଷ୍ୟରେ ଶିଳ୍ପମାଲିକମାନେ ଏହି ଲଢେଇରେ ଅଂଶଗ୍ରହଣ କରିଥିଲେ । ପ୍ରଜାତନ୍ତ୍ରରେ ବିଶ୍ୱାସୀ ଉଦାରନୈତିକ ପେଟି ବୁର୍ଜ୍ଜୁଆମାନଙ୍କର ସମର୍ଥନ ମଧ୍ୟ ଏମାନେ ପାଇଥିଲେ । ଶୋଷିତ ନିସ୍ପେଷିତ ଶ୍ରମିକ ଓ କୃଷକମାନେ ମଧ୍ୟ ରାଜତନ୍ତ୍ରର ବିରୋଧୀ ହୋଇ ପଡିଥିଲେ । ତେଣୁ ଏହି ଲଢେଇରେ ସେମାନେ ସାମିଲ ହେବା ଫଳରେ ଫ୍ରାନ୍ସର ଇତିହାସରେ ଏକ ଅଦ୍ଭୁତପୂର୍ବ ଲଢେଇର ସୂତ୍ରପାତ ହୋଇଥିଲା ।
ଶିଳ୍ପମାଲିକମାନେ ନିର୍ବାଚନ ବ୍ୟବସ୍ଥାର ଗଣତାନ୍ତ୍ରିକରଣ ମାଧ୍ୟମରେ ଶାସନ କ୍ଷମତାରେ ଅଂଶୀଦାର ହେବାପାଇଁ ଏବଂ ସମ୍ଭବ ହେଲେ ସେତେବେଳେ ମଧ୍ୟ ତିଷ୍ଠି ରହିଥିବା ସାମନ୍ତତାନ୍ତ୍ରିକ ଯୋଗସୂତ୍ରଗୁଡିକୁ ଧ୍ୱଂସ କରି ରାଜତନ୍ତ୍ରକୁ ସଂପୂର୍ଣ୍ଣ ଭାବେ ବୁର୍ଜ୍ଜୁଆ ନିୟମତାନ୍ତ୍ରିକ ରାଜତନ୍ତ୍ରରେ ପରିଣତ କରିବା ପାଇଁ ଚାହିଁଥିଲେ । କିନ୍ତୁ ଏହି ସଂଗ୍ରାମରେ ମେହନତି ଜନଗଣ ଅଂଶଗ୍ରହଣ କରିଥିବା ଯୋଗୁଁ ଏତିକି ମାତ୍ର ଦାବି ହାସଲ ମଧ୍ୟରେ ସଂଗ୍ରାମକୁ ସୀମାବଦ୍ଧ କରି ରଖାଯାଇ ପାରିଲା ନାହିଁ । ଶ୍ରମିକଶ୍ରେଣୀର ବୈପ୍ଳବିକ ଶକ୍ତି ସେଦିନ ଅନିଚ୍ଛୁକ ବୁର୍ଜ୍ଜୁଆଶ୍ରେଣୀକୁ ରାଜତନ୍ତ୍ରର ଅବସାନ ଘଟାଇ ପ୍ରଜାତନ୍ତ୍ର ପ୍ରତିଷ୍ଠା କରିବାକୁ ବାଧ୍ୟ କରିଥିଲା । ଫଳରେ ବୁର୍ଜ୍ଜୁଆମାନଙ୍କର ର‌୍ୟାଡିକାଲ ଅଂଶ ଯେଉଁମାନେ ପ୍ରଜାତନ୍ତ୍ର ପ୍ରତିଷ୍ଠାର ପକ୍ଷପାତି ଥିଲେ ସେମାନଙ୍କ ହାତକୁ ନେତୃତ୍ୱ ଚାଲିଯାଇଥିଲା । ଶ୍ରେଣୀ ଚେତନାର ଅଭାବ ଫଳରେ ମେହନତି ଜନଗଣ ଭାବିଥିଲେ ଯେ ଏହି ପ୍ରଜାତନ୍ତ୍ର ପ୍ରତିଷ୍ଠା ମାଧ୍ୟମରେହିଁ ଶୋଷଣର ଅବସାନର ଆୟମାରମ୍ଭ ଘଟିବ । ତେଣୁ ସେମାନେ ସମସ୍ତ ଶକ୍ତି ଦେଇ ଏହି ଲଢେଇରେ ସାମିଲ ହୋଇଥିଲେ । ଏକ ଅସ୍ଥାୟୀ ସରକାର ଗଠିତ ହେଲା । ସମଗ୍ର ପ୍ୟାରିସରେ ପ୍ରତିଧ୍ୱନିତ୍ୱ ହେଲା ସ୍ୱାଧୀନତା, ସାମ୍ୟ, ଭାତୃତ୍ୱର ବାଣୀ । ଫେବୃୟାରୀ ବିପ୍ଳବ ମଧ୍ୟ ଦେଇ ଏତେଦିନ ଧରି ଚାଲିଥିବା ମାତ୍ର କେତେଟି ହାତଗଣତି ବୁର୍ଜ୍ଜୁଆ ଗୋଷ୍ଠି ପରିବର୍ତ୍ତେ ଶ୍ରମିକ, କୃଷକ, ପେଟି ବୁର୍ଜ୍ଜୁଆ ସମେତ ଫରାସୀ ସମାଜର ସବୁ ଶ୍ରେଣୀର ଜନଗଣ ରାଜନୈତିକ କ୍ରିୟାକଳାପ ସହିତ ଯୁକ୍ତ ହେଲେ । ଅନ୍ୟଦିଗରେ କିନ୍ତୁ ଦେଖାଗଲା ନୂତନ ସରକାରର ମନ୍ତ୍ରୀ ପଦ ଗୁଡିକୁ ବୁର୍ଜୁଆମାନେ ନିଜ ନିଜ ମଧ୍ୟରେ ବାଣ୍ଟିନେଲେ । ଅସ୍ଥାୟୀ ସରକାରରେ ଶ୍ରମିକଶ୍ରେଣୀର ଦୁଇ ଜଣ ମାତ୍ର ପ୍ରତିନିଧି ରହିଲେ । ସେମାନେ ହେଲେ ଲୁଇ ବ୍ଲାଁ ଏବଂ ଆଲବେର ଯେଉଁମାନଙ୍କୁ ବସ୍ତୁତଃ କ୍ଷମତାଶୂନ୍ୟ କରି ରଖାଯାଇଥିଲା ।
୧୮୩୦ ଜୁଲାଇ ମାସରେ ହୋଇଥିବା ଲଢେଇରେ ବୁର୍ଜ୍ଜୁଆ ରାଜତନ୍ତ୍ର ଏବଂ ୧୮୪୮ ମସିହାରେ ହୋଇଥିବା ଲଢେଇରେ ବୁର୍ଜ୍ଜୁଆ ପ୍ରଜାତନ୍ତ୍ର ପ୍ରତିଷ୍ଠିତ ହୋଇଥିଲା । ମାର୍କ୍ସ ଦର୍ଶାଇଲେ, “ଅସ୍ଥାୟୀ ସରକାରକୁ ସମଗ୍ର ଫ୍ରାନ୍ସରେ, ଅସ୍ଥାୟୀ ସରକାର ଜରିଆରେ ପ୍ରଜାତନ୍ତ୍ର ପ୍ରତିଷ୍ଠା କରିବାକୁ ବାଧ୍ୟ କରି ଶ୍ରମିକଶ୍ରେଣୀ ତତ୍‌କ୍ଷଣାତ୍ ଏକ ସ୍ୱାଧୀନ ଶକ୍ତି ଭାବେ ସମାଜ ସମ୍ମୁଖରେ ଆତ୍ମ ପ୍ରକାଶ କରିଥିଲା । ପୁଣି ସେଥି ସହିତ ସମଗ୍ର ବର୍ଜୁଆ ଫ୍ରାନ୍ସକୁ ତା ବିରୁଦ୍ଧରେ ଅବତୀର୍ଣ୍ଣ ହେବାକୁ ଆହ୍ୱାନ ମଧ୍ୟ ଜଣାଇଥିଲା । ସେ ଜୟଲାଭ କରି ଯାହା ହାସଲ କରିଥିଲା ତାହା କଦାପି ତାର ମୁକ୍ତି ନୁହେଁ, ତାହା ଥିଲା ତା’ର ବୈପ୍ଳବିକ ମୁକ୍ତି ଅର୍ଜନ ନିମନ୍ତେ ଲଢିବାର ଭିତ୍ତି ।”
ଅସ୍ଥାୟୀ ସରକାରର ଶାସନ କାଳରେ ଶ୍ରମିକମାନେ ଅସ୍ତ୍ରଧାରଣର ଅଧିକାର ପାଇଲେ । ନ୍ୟାସନାଲ ଗାର୍ଡରେ ଯୋଗଦାନ କରିବା କ୍ଷେତ୍ରରେ ଆଉ କୌଣସି ବାଧା ରହିଲା ନାହିଁ । ଜୀବିକା ଅଧିକାରର ପ୍ରତିଶ୍ରୁତି ଆଦାୟ ହେଲା । ବେକାର ଶ୍ରମିକମାନଙ୍କୁ କାମ ଦେବାପାଇଁ ଗଠିତ ହେଲା ଜାତୀୟ କର୍ମଶାଳା । ହଜାର ହଜାର ବେକାର ଶ୍ରମିକ କର୍ମଶାଳାର ରେଜିଷ୍ଟରରେ ନାମ ଲେଖାଇ ମାଟି ଖୋଳିବା, ରାସ୍ତା ତିଆରି କରିବା, ଗଛ ଲଗାଇବା ଭଳି କଠିନ କାମ କରିବାକୁ ଲାଗିଲେ । ଖୋଲା ଆକାଶ ତଳେ ଏହା ହିଁ ଥିଲା ଜାତୀୟ କର୍ମଶାଳା, ଶ୍ରମନିବାସ । ରାଜନୈତିକ ଚେତନାରେ ଅପରିପକ୍ୱ ଶ୍ରମିକଶ୍ରେଣୀ ଏହି ସରକାରକୁ ତାର ନିଜର ମନେକରୁଥିଲା । ଧରି ନେଇଥିଲା ଯେ ଏହି ସରକାର ସୌଭାତୃତ୍ୱ ଆଦର୍ଶରେ ଗଠିତ ଏବଂ ଶ୍ରେଣୀ ନିରପେକ୍ଷତାର ପ୍ରତୀକ । ଭାବି ନେଇଥିଲା ସେ ନିଜେ ଏହି ପ୍ରଜାତନ୍ତ୍ରକୁ ସୃଷ୍ଟି କରିଛି । ଫଳରେ ଫ୍ରାନ୍ସର ଶ୍ରମିକଶ୍ରେଣୀ ଅସ୍ଥାୟୀ ସରକାରକୁ ତାର ପ୍ରତିଟି କାର୍ଯ୍ୟରେ ଏଭଳି ଭାବେ ସହଯୋଗ କଲା, ଯାହାକି ବୁର୍ଜ୍ଜୁଆ ଶାସନ ବ୍ୟବସ୍ଥାକୁ ଆହୁରି ସୁଦୃଢ କରିଥିଲା । ଲୁଇ ବ୍ରାଁ ଶ୍ରମିକ ଓ ମାଲିକମାନଙ୍କ ମଧ୍ୟରେ ମଜୁରୀ ସଂକ୍ରାନ୍ତୀୟ ବିରୋଧିତା ସମାଧାନ କରିବା କ୍ଷେତ୍ରରେ ମଧ୍ୟସ୍ତିର ଭୂମିକା ପାଳନ କରିଥିଲେ ।(ଲୁଇ ବ୍ରାଁ ଫ୍ରାନ୍ସର କଳ୍ପନା ବିଳାସୀ ସମାଜତନ୍ତ୍ରୀ ନେତା ଥିଲେ । ଶ୍ରମିକ ଶ୍ରେଣୀର ଶ୍ରେଣୀ ସଂଗ୍ରାମ ମଧ୍ୟ ଦେଇ ମାନବ ସମାଜ ମଜୁୁରୀ ଦାସତ୍ୱରୁ ଯେ ମୁକ୍ତି ପାଇବ, ଏହା ସେ ବିଶ୍ୱାସ କରୁନଥିଲେ । ମୁଷ୍ଟିମେୟ ବୁଦ୍ଧୀଜୀବୀମାନଙ୍କର ଷଡଯନ୍ତ୍ର ଫଳରେ ଏହା ହୋଇଯିବ ବୋଲି ମନେକରୁଥିଲେ ।)
ତେବେ ଏହି ପ୍ରଜାତନ୍ତ୍ର ଉପରୁ ଶୋଷିତ ମଣିଷର ମୋହ ତୁଟିବାକୁ ବେଶୀ ସମୟ ଲାଗିନଥିଲା । ଅସହ୍ୟ ଶୋଷଣ ନିର୍ଯାତନାରେ ଦିନ ବିତିବାକୁ ଲାଗିଲା । କ୍ଷୁଧା ଓ ବେକାରୀ ତୀବ୍ର ଭାବେ ବୃଦ୍ଧି ପାଇବାରେ ଲାଗିଲା । ସେତେବେଳେ ସମଗ୍ର ୟୁରୋପରେ ତୀବ୍ର ଅର୍ଥନୈତିକ ସଂକଟ ଅବ୍ୟାହତ ଥିଲା । ଫ୍ରାନ୍ସରେ ଅସ୍ଥାୟୀ ସରକାରକୁ ମଧ୍ୟ ଏହି ସଂକଟର ସମ୍ମୁଖୀନ ହେବାକୁ ପଡିଥିଲା । କିନ୍ତୁ ଏହି ସଂକଟରୁ ମୁକୁଳିବା ପାଇଁ ସରକାର ବ୍ୟାଙ୍କ ମାଲିକ, ମହାଜନ ବା ଶିଳ୍ପପତିମାନଙ୍କ ପରିବର୍ତ୍ତେ ସମାଜର ସଂଖ୍ୟାଗରିଷ୍ଠ ଶ୍ରମିକ କୃଷକମାନଙ୍କ ଉପରେ ବ୍ୟାପକ କର ବୋଝ ଲଦି ଦେଲେ । ଅନ୍ୟପଟରେ ଫେବୃୟାରୀ ବିପ୍ଳବର ସମସ୍ତ ବ୍ୟୟ ଏହିମାନଙ୍କୁ ବହନ କରିବାକୁ କୁହାଗଲା । ଲୋକେ ହୃଦୟଙ୍ଗମ କରିପାରିଲେ ଯେ ଏ ସରକାର ଏକ ଜନବିରୋଧି ବୁର୍ଜ୍ଜୁଆ ସରକାର ।

Leave a Reply

Your email address will not be published. Required fields are marked *