ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଓ ବଳଙ୍ଗା ଘଟଣାରେ ସଂପୃକ୍ତ ସମସ୍ତ ଅପରାଧୀଙ୍କୁ କଠୋର ଦଣ୍ଡ ଓ ଅନ୍ୟାନ୍ୟ ଦାବିରେ ଏଆଇଏମ୍ଏସ୍ଏସ୍ ପକ୍ଷରୁ ସଚିବାଳୟ ଘେରାଉ
SK News Dated -07.08.2025 – ସୌମ୍ୟାଶ୍ରୀ ମୃତ୍ୟୁ ଘଟଣାରେ ସମ୍ପୃକ୍ତ ସମସ୍ତ ଅପରାଧୀଙ୍କୁ କଠୋର ଦଣ୍ଡ ବିଧାନ,ବଳଙ୍ଗା ଛାତ୍ରୀ ପୋଡିରେ ସମ୍ପୃକ୍ତ ସମସ୍ତ ଆସାମୀଙ୍କୁ ତୁରନ୍ତ ଗିରଫ କରି ଦୃଷ୍ଟାନ୍ତମୂଳକ ଶାସ୍ତି ଦେବା ସହିତ ରାଜ୍ୟ ରେ ସର୍ବତ୍ର ଘଟି ଚାଲିଥିବା ଦୁଷ୍କର୍ମ, ଗଣଦୁଷ୍କର୍ମ, ହତ୍ୟା, ଶିକ୍ଷାନୁଷ୍ଠାନରେ ଯୈାନ ଶୋଷଣ ଓ ମାନସିକ ନିର୍ଯାତନା ଆଦି ଘଟଣାରେ ଅପରାଧୀ ମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ, ଶିକ୍ଷାନୁଷ୍ଠାନ ମାନଙ୍କରେ ଛାତ୍ରୀମାନଙ୍କ ସମେତ ସର୍ବତ୍ର ଶିଶୁକନ୍ୟା, ଛାତ୍ରୀ ଓ ମହିଳା ମାନଙ୍କର ନିରାପତ୍ତା ସୁନିଶ୍ଚିତ କରିବା, ମଦ ମାଦକ ଦ୍ରବ୍ୟ ସମ୍ପୂର୍ଣ୍ଣ ନିଷିଦ୍ଧ କରିବା, ଇଣ୍ଟରନେଟ ସମେତ ସମସ୍ତ ଗଣମାଧ୍ୟମରେ ଅଶ୍ଳୀଳତା- ନଗ୍ନତା ଓ ଯୈାନ ବ୍ୟଭିଚାରର ପ୍ରସାର ବନ୍ଦ କରିବା ଦାବିରେ ଜୁଲାଇ ୨୩ ରେ ରାଜ୍ୟ ସଚିବାଳୟ ସମ୍ମୁଖରେ ଅଲ୍ ଇଣ୍ଡିଆ ମହିଳା ସାଂସ୍କୃତିକ ସଙ୍ଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସଙ୍ଗଠନର ରାଜ୍ୟ ସଭାନେତ୍ରୀ କମ୍ରେଡ୍ ସ୍ୱୟଂପ୍ରଭା ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବିକ୍ଷୋଭରେ ସର୍ବଭାରତୀୟ ସାଧାରଣ ସମ୍ପାଦିକା ଛବି ମହାନ୍ତି ରାଜ୍ୟରେ ଛାତ୍ରୀ ଓ ମହିଳାମାନଙ୍କ ନିରାପତ୍ତାହୀନ ସ୍ଥିତି ପରିପ୍ରେକ୍ଷୀରେ ଗଭୀର ଉଦବେଗ ପ୍ରକାଶ କରିଥିଲେ ଓ ସମଗ୍ର ନାରୀ ସମାଜ ଏହି ସମସ୍ୟା ବିରୁଦ୍ଧରେ ଲଢେଇ ଜୋରଦାର କରିବାକୁ ଆହ୍ୱାନ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ସମ୍ପାଦିକା ସରୋଜିନୀ ନାୟକ, ତରଙ୍ଗିଣୀ ଦାସ, ରାଜଶ୍ରୀ ମହାନ୍ତି , ଶର୍ମିଷ୍ଠା ସେଠୀ, ମନ୍ଦୋଦରୀ ରାଉଳ, ମାଳବିକା ସାମଲ, ପ୍ରଭାମଞ୍ଜୁଳା ବ୍ରହ୍ମ, ପ୍ରଗତିବାଳା ନାୟକ, ସରୋଜିନୀ ମହାନ୍ତି, ସତ୍ୟଭାମା ବେହେରା ପ୍ରମୁଖ ବକ୍ତବ୍ୟ ରଖିଥିଲେ । ବିକ୍ଷୋଭ ସ୍ଥଳରୁ ଏକ ପ୍ରତନିଧି ମଣ୍ଡଳୀ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।