ଶ୍ରମିକ ଶ୍ରେଣୀ ସ୍ୱାର୍ଥ ବିରୋଧି ଶ୍ରମକୋର୍ଡ ବ୍ୟବସ୍ଥା- ଏକ ଦୃଷ୍ଟିପାତ

Sarbahrakranti Dt 20.10.2022 – ବିଗତ ଶତାବ୍ଦିର ନବେଦଶକର ପ୍ରାରମ୍ଭରେ ସମାଜବାଦୀ ସୋଭିଏତ୍ ୟୁନିୟନରେ ସମାଜବାଦର ବିପର୍ଯ୍ୟୟ ଓ ଏକଦା ଅତ୍ୟନ୍ତ ଶକ୍ତିଶାଳୀ ବିଶ୍ୱ ସମାଜବାଦୀ ଶିବିରର ଦୁଃଖଦ ବିଲୟ ଘଟିଥିଲା । ଏହାପରେ ଆମେରିକା ନେତୃତ୍ୱରେ ଏକମେରୁ ବିଶିଷ୍ଟ ବିଶ୍ୱରେ ଜଗତିକରଣ, ଘରୋଇକରଣ, ଉଦାରିକରଣ ନୀତି ଲାଗୁ କରାଗଲା । ୧୯୯୧ ମସିହାରେ ତତ୍କାଳୀନ କଂଗ୍ରେସ ସରକାର ଦେଶରେ ଏହି ଆର୍ଥିକନୀତି ପ୍ରଚଳନ କଲେ । ଏହାଫଳରେ ସରକାର ପୂର୍ବରୁ ଯାହାବି ସାମାନ୍ୟ ଜନମଙ୍ଗଳକାରୀ ପଦକ୍ଷେପ ଗ୍ରହଣ କରୁଥିଲେ ସେଥିରୁ ପର୍ଯ୍ୟାୟକ୍ରମେ ଓହରିଗଲେ । ସରକାରୀ ଉଦ୍ୟୋଗ, ବ୍ୟାଙ୍କ, ବୀମା ଭଳି ବିତ୍ତିୟ ସଂସ୍ଥାର ଘରୋଇକରଣ ପ୍ରକ୍ରିୟା ଆରମ୍ଭ ହେଲା । ରେଳ, ବିମାନସେବା ବନ୍ଦର, ପ୍ରତିରକ୍ଷା ଭଳି କ୍ଷେତ୍ରରେ ଘରୋଇକରଣ ପ୍ରକ୍ରିୟା ଆରମ୍ଭ ହେଲା । ଶିକ୍ଷା, ସ୍ୱାସ୍ଥ୍ୟସେବା ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଆର୍ଥିକ ଦାୟିତ୍ୱରୁ ସରକାର ଓହରିଯାଇ ଏହି କ୍ଷେତ୍ରରେ ଘରୋଇ ପୁଞ୍ଜିନିବେଶର କ୍ଷେତ୍ର ପ୍ରଶସ୍ତ କରିଦେଲେ । ସବୁକିଛିକୁ ବଜାର ହାତରେ ଛାଡିଦିଆଗଲା । ସେହି ଧାରାରେ ଶ୍ରମ କ୍ଷେତ୍ରରେ ସଂସ୍କାର ଆଳରେ ବର୍ତ୍ତମାନ କେନ୍ଦ୍ର ବିଜେପି ସରକାର ମାରାତ୍ମକ ପରିବର୍ତ୍ତନ ସଂଗଠିତ କରିଛନ୍ତି । ସୂଚନାଯୋଗ୍ୟ ବ୍ରିଟିଶ ଶାସନାଧିନ ଭାରତରେ ବହୁ ରକ୍ତକ୍ଷୟୀ ଲଢେଇକରି ଦେଶର ଶ୍ରମିକଶ୍ରେଣୀ ବହୁ ଅଧିକାର ହାସଲ କରିଥିଲା ଏବଂ ଏହାର ଫଳସ୍ୱରୂପ ଶ୍ରମିକମାନଙ୍କର ସ୍ୱାର୍ଥରକ୍ଷାପାଇଁ ଦେଶରେ ବହୁ ଶ୍ରମଆଇନ ପ୍ରଣୟନ ହୋଇଥିଲା । ସ୍ୱାଧୀନତା ଅର୍ଜନ ପରେ ମଧ୍ୟ ଏହି ଧାରା ଅବ୍ୟାହତ ରହିଥିଲା । ଏକଥା ସତ୍ୟଯେ ମାଲିକମାନେ ଅନେକ ସମୟରେ ଶ୍ରମିକ ଆନ୍ଦୋଳନର ଦୁର୍ବଳତା ଓ ଶ୍ରମିକମାନଙ୍କର ଅସଂଗଠିତ ଅବସ୍ଥାର ସୁଯୋଗନେଇ ଶ୍ରମିକମାନଙ୍କୁ ସେମାନଙ୍କର ନ୍ୟାଯ୍ୟ ଦାବିରୁ ବଂଚିତ କରୁଥିଲେ । ମାତ୍ର ଶ୍ରମିକମାନଙ୍କ ପାଇଁ ଆଇନଗତ ସୁରକ୍ଷା ରହିଥିଲା । ମାତ୍ର ଦେଶରେ ଜଗତିକରଣ ପ୍ରକ୍ରିୟାକୁ ଦ୍ରୁତ କାର୍ଯ୍ୟକାରୀ କରିବାପାଇଁ କେନ୍ଦ୍ର ବିଜେପି ସରକାର ୨୦୧୯ ମସିହାରୁ ଏହି ପ୍ରକ୍ରିୟାକୁ ଆହୁରି ତ୍ୱରାନ୍ୱିତ କରିଛି । ଇତିମଧ୍ୟରେ ପୂର୍ବରୁ କାର୍ଯ୍ୟକାରୀ ଥିବା ୪୪ଟି ଶ୍ରମ ଆଇନ ମଧ୍ୟରୁ ୨୯ଟି ଶ୍ରମ ଆଇନକୁ ଅକାମୀ କରିଦିଆଯାଇଛି ଏବଂ ଏହା ସ୍ଥାନରେ ୪ଟି ଶ୍ରମ କୋର୍ଡ ଲାଗୁ କରାଯାଇଛି । ବର୍ତ୍ତମାନ ଏହି ଶ୍ରମକୋର୍ଡ ଗୁଡିକହିଁ ପୂର୍ବରୁ କାର୍ଯ୍ୟକାରୀଥିବା ଶ୍ରମ ଆଇନ ପରିବର୍ତ୍ତେ ଶ୍ରମିକ ମାନଙ୍କର ଚାକିରି ସର୍ତ୍ତାବଳୀ ଓ ସୁରକ୍ଷା, ସାମାଜିକ ସୁରକ୍ଷା ଓ ଅବସରକାଳୀନ ତଥା ଅନ୍ୟାନ୍ୟ ସୁବିଧା ସୁଯୋଗ ନିର୍ଦ୍ଧାରଣ କରିବ । ଏହି ନିବନ୍ଧରେ କେନ୍ଦ୍ର ସରକାର କାର୍ଯ୍ୟକାରୀ କରିଥିବା ଶ୍ରମକୋର୍ଡରେ ଥିବା କେତେକ ଅତ୍ୟନ୍ତ ମାରାତ୍ମକ ଶ୍ରମିକ ସ୍ୱାର୍ଥ ବିରୋଧି ବ୍ୟବସ୍ଥା ସଂପର୍କରେ ସୂଚନା ଦିଆଯାଇଛି ।
ୱେଜ୍ କୋର୍ଡ(ମଜୁରି କୋର୍ଡ)-୨୦୧୯ର ଧାରା ୯ରେ ଫ୍ଲୋର ୱେଜ୍‌ର(ୠକ୍ଷକ୍ଟକ୍ଟକ୍ସ ଡବଶର) କଥା କୁହାଯାଇଛି । ପ୍ରଚଳିତ ଶ୍ରମ ଆଇନ ଗୁଡିକରେ ଏହାର କୌଣସି ଉଲ୍ଲେଖ ନାହିଁ । ପ୍ରଚଳିତ ଶ୍ରମ ଆଇନରେ ତିନି ପ୍ରକାର ମଜୁରି ବିଷୟରେ କୁହାଯାଇଛି । ୧) ମିନିମମ୍ ୱେଜ(ସର୍ବନିମ୍ନ ମଜୁରି) : ଏହା ହେଉଛି ଜୀବନ ଧାରଣ ପାଇଁ ସର୍ବନିମ୍ନ ପାରିଶ୍ରମିକ ଯାହା ନହେଲେ ଶ୍ରମିକ ତାର ପରିବାର ଚଳାଇବାକୁ ଅକ୍ଷମ, ୨) ଫେୟାର ୱେଜ : କୌଣସି ପ୍ରକାର ପରିବାର ସହିତ ଜୀବନ ଧାରଣ କରିବା, ୩) ଲିଭିଙ୍ଗ ୱେଜ : ଏହି ମଜୁରି ଦ୍ୱାରା ତା’ର ଏବଂ ତା’ ପରିବାର ପ୍ରୟୋଜନ ମେଣ୍ଟାଇବା ସମ୍ଭବ ।
୧୯୪୮ ମସିହାରେ ଫେୟାର ୱେଜ କମିଟି ତା’ର ସୁପାରିଶରେ ନିର୍ଦ୍ଦିଷ୍ଟ ଭାବରେ କହିଥିଲା ଯେ ଲିଭିଙ୍ଗ ୱେଜ ସ୍ତରରେ ପହଂଚିବା ପାଇଁ ସରକାର ଧାରାବାହିକ ପ୍ରଚେଷ୍ଟା କରିବା ଦରକାର । କିନ୍ତୁ ଏ କ୍ଷେତ୍ରରେ ସରକାରଙ୍କର ନୀତି ବିପରୀତ ଦିଗେର ଯାଉଛି ।
ସର୍ବନିମ୍ନ ମଜୁରି ଆଇନ-୧୯୪୮ ଅନୁସାରେ ସମସ୍ତ ମାଲିକ ଏବଂ ନିଯୁକ୍ତିଦାତାମାନେ ଶିଳ୍ପର ବିଭିନ୍ନ କ୍ଷେତ୍ରରେ କାମ କରୁଥିବା ଶ୍ରମିକମାନଙ୍କୁ କେନ୍ଦ୍ର ସରକାର କିମ୍ବା ରାଜ୍ୟ ସରକାରମାନଙ୍କ ଦ୍ୱାରା ନିର୍ଦ୍ଧାରିତ ସର୍ବନିମ୍ନ ମଜୁରି ଦେବାକୁ ବାଧ୍ୟ । ୧୯୫୭ ମସିହାରେ ନିଯୁକ୍ତିଦାତାମାନଙ୍କ ପାଇଁ ଏହି ଆଇନକୁ ବାଧ୍ୟତାମୂଳକ କରାଯାଇଥିଲା । ଏହି ଆଇନ ଉଲଙ୍ଘନ କଲେ ମାଲିକମାନେ ଦଣ୍ଡିତ ହେବେ । କିନ୍ତୁ ଏହା ସମସ୍ତଙ୍କୁ ଜଣା ଯେ ବହୁ ସଂଖ୍ୟାରେ ମାଲିକ ସରକାରଙ୍କ ନିର୍ଦ୍ଧାରିତ ସର୍ବନିମ୍ନ ମଜୁରି ଦେଉନାହାନ୍ତି । ଆଇନ ଅବମାନନା କରୁଥିବା ଅଳ୍ପ କେତେକ ମାଲିକମାନଙ୍କୁ ଆଇନ ଗତ ବ୍ୟବସ୍ଥାର ସମ୍ମୁଖୀନ ହେବାକୁ ହୋଇଛି । ଏହି ଶ୍ରମକୋର୍ଡରେ ଫୋର ୱେଜ୍ ସଂପର୍କିତ ନୂତନ ଆଇନ ମାଲିକମାନଙ୍କୁ ସର୍ବନିମ୍ନ ମଜୁରି ପ୍ରଦାନର ଆଇନଗତ ଦାୟିତ୍ୱରୁ ମୁକ୍ତ କରିବା ପାଇଁ ପରିକଳ୍ପିତ । ସମ୍ପ୍ରତ କେନ୍ଦ୍ର ସରକାର ଶ୍ରମିକମାନଙ୍କର ଦୈନିକ ମଜୁରି ୧୭୮ ଟଙ୍କା ନିର୍ଦ୍ଧାରିତ କରିଛନ୍ତି । ବାସ୍ତବରେ ଅନ୍ୟ କିଛି ନୁହେଁ ଏହା ହେଉଛି ସରକାର ନିର୍ଦ୍ଧାରିତ କରିଥିବା ସର୍ବନିମ୍ନ ମଜୁରିଠାରୁ ବହୁତ କମ । ଏଠାରେ ଉଲ୍ଲେଖ କରିବା ଆବଶ୍ୟକ ଯେ ୨୦୧୭ ମସିହାରେ କେନ୍ଦ୍ର ସରକାର ଆବଶ୍ୟକୀୟ ସର୍ବନିମ୍ନ ମଜୁରି ନିର୍ଦ୍ଧାରଣ କରିବା ପାଇଁ ଅରୁପ ଶତପଥୀଙ୍କ ତଦାରଖରେ ଏକ ୭ ଜଣିଆ କମିଟି ଗଠନ କରିଥିଲେ । ଶ୍ରମିକମାନଙ୍କର ଦୈନିକ ପ୍ରୟୋଜନ ମୁତାବକ ସର୍ବନିମ୍ନ ମଜୁରି ୩୭୫ଟଙ୍କା ଏବଂ ମାସିକ ଘରଭଡା ୧୪୩୦ଟଙ୍କା ନିର୍ଦ୍ଧାରଣ କରିବା ପାଇଁ ଏହି କମିଟି ସରକାରଙ୍କୁ ସୁପାରିଶ କରିଥିଲା । ବିଜେପି ସରକାର କମିଟିର ସୁପାରିଶ କାର୍ଯ୍ୟକାରୀ କରି ନାହିଁ । ଏଥିରୁ ସ୍ପଷ୍ଟ ବୁଝାପଡେ ଯେ ସରକାର କାହିଁକି ଶ୍ରମକୋର୍ଡରେ ଫୋର ୱେଜ୍‌ର ଯୋଜନା ଆରମ୍ଭ କରିଛନ୍ତି ।
ଇଣ୍ଡଷ୍ଟ୍ରିଆଲ ରିଲେସନ କୋର୍ଡ-୨୦୨୦ ଏବଂ କୋର୍ଡ ଅନ ସୋସିଆଲ ସିକ୍ୟୁରିଟି-୨୦୨୦ ଆଇନର ‘ଡେଫିନେସନ’ର ଚାପ୍ଟର-୧, କ୍ଲଜ୍‌-୧, କ୍ଲଜ-(୦)ରେ ଫିକ୍ସଡ ଟର୍ମ ଏମପ୍ଲଏମେଣ୍ଟ(ନିଦ୍ଦିଷ୍ଟ ସମୟ ପାଇଁ ନିଯୁକ୍ତି) ସଂପର୍କରେ ଉଲ୍ଲେଖ କରାଯାଇଛି । ଫିକ୍ସଡ ଟର୍ମ ଏମପ୍ଲଏମେଣ୍ଟ ନିୟମ ଅନୁସାରେ ଶ୍ରମିକ ଓ କର୍ମଚାରୀମାନେ ଲିଖିତ ଚୁକ୍ତିଭିତ୍ତିରେ ନିର୍ଦ୍ଦିଷ୍ଟ ସମୟ ପାଇଁ ଚାକିରିରେ ନିଯୁକ୍ତି ପାଇବେ । ଶ୍ରମ କୋର୍ଡ-୨୦୧୮ରେ ଏହା ଅର୍ନ୍ତଭୁକ୍ତ ହେବା ପୂର୍ବରୁ ଫିକ୍ସଡ୍ ଟର୍ମ ଏମପ୍ଲଏମେଣ୍ଟର ନିୟମ ପାର୍ଲିଆମେଣ୍ଟରେ ଅନୁମୋଦନ ଲାଭ କରି ସରକାରୀ ଗେଜେଟରେ ପ୍ରକାଶ ପାଇଥିଲା । ଚୁକ୍ତି ସମୟ ସମାପ୍ତି ହେବା ପରେ ଶ୍ରମିକମାନେ ପ୍ରଚଳିତ ଶ୍ରମ ଆଇନ୍ ଅନୁସାରେ ପାଉଥିବା ସମସ୍ତ ପ୍ରକାର ଅଧିକାର ଓ ସୁବିଧା ସୁଯୋଗ ପାଇବା ପାଇଁ ହକଦାର ହେବେ ନାହିଁ । ଏହି ପ୍ରକାର ଚାକିରିର କୌଣସି ସ୍ଥାୟିତ୍ୱ ପ୍ରଶ୍ନ ଉଠୁ ନାହିଁ । ଏହିଭଳି ଚାକିରିରେ ନିଯୁକ୍ତି ପାଇଥିବା ଶ୍ରମିକମାନଙ୍କର କୌଣସି ସୁରକ୍ଷା ରହିବ ନାହିଁ । ଚାକିରିର ନିର୍ଦ୍ଦିଷ୍ଟ ସମୟ ସମାପ୍ତି ପରେ ଶ୍ରମିକ କର୍ମଚାରୀମାନଙ୍କର ଅବସ୍ଥା କଣ ହେବ ଏବଂ ସେମାନେ କିଭଳି ଭାବରେ ପରିବାର ଚଳାଇବେ? ଉଦ୍‌ବେଗ ପୂର୍ଣ୍ଣ ଓ ଅସୁରକ୍ଷିତ ଜୀବନ ଯାପନ ମଧ୍ୟରେ ରହି ସେ ଶ୍ରମିକ ସଂଗଠନର କାର୍ଯ୍ୟକଳାପରୁ ନିଜକୁ ଦୂରେଇ ନେବ । ଆଇନର ସଜ୍ଞା ଅନୁଯାୟୀ ସେ ଆଉ ଶ୍ରମିକ କିମ୍ବା କର୍ମଚାରୀଭାବରେ ପରିଗଣିତ ହେବ ନାହିଁ । ନିଯୁକ୍ତିଦାତାମାନେ ସର୍ବଦା ଏହି ଧରଣର କର୍ମଚାରୀ ଓ ଶ୍ରମିକମାନଙ୍କୁ ଚାହାନ୍ତି । ଯଦ୍ୱାରା ସେମାନେ ଶ୍ରମିକମାନଙ୍କୁ ଶ୍ରମିକ ସଂଗଠନର ଆନ୍ଦୋଳନଠାରୁ ଦୂରେଇ ରଖିପାରିବେ ଏବଂତ୍ତଏହା ସଙ୍ଗେ ସଙ୍ଗେ ପ୍ରତିବାଦ କରିବା ଓ ମୂଳଚାଲ କରିବାର ଅଧିକାରରୁ ମଧ୍ୟ ବଂଚିତ କରିପାରିବେ । ଶ୍ରମିକ ସଂଗଠନର କାର୍ଯ୍ୟକଳାପଗୁଡିକୁ ବନ୍ଦ କରିଦେବା କ୍ଷେତ୍ରରେ ଏହି ନୂତନ ନିୟମ ମାଲିକମାନଙ୍କ ହାତରେ ଏକ ଅସ୍ତ୍ର ଭାବରେ ବ୍ୟବହୃତ ହେବ । କ୍ରମବର୍ଦ୍ଧିଷ୍ଣୁ ବେକାରୀ ଓ ଦାରିଦ୍ର‌୍ୟ ମଧ୍ୟରେ ଖୁବ ଉଚ୍ଚ ଶିକ୍ଷିତ ଯୁବକ ଯୁବତୀମାନେ ମଧ୍ୟ ଏହିଭଳି ଚାକିରି ଗ୍ରହଣ କରିବା ପାଇଁ ବାଧ୍ୟ ହେଉଛନ୍ତି । ସ୍ଥାୟୀ ନିଯୁକ୍ତି ବ୍ୟବସ୍ଥା ଓ ସ୍ଥାୟୀ ଚାକିରି ଅତୀତର ସ୍ମୃତି ହୋଇଯିବ । ତେଣୁ ଶ୍ରମିକ ଓ କର୍ମଚାରୀମାନେ ପୁଞ୍ଜିପତିମାଲିକ, ନିଯୁକ୍ତିଦାତାମାନଙ୍କର ନିର୍ଦ୍ଦୟ ଶୋଷଣର ଶୀକାର ହେବେ ଏବଂ ମାଲିକମାନଙ୍କ ଅନ୍ୟାୟ ବିରୁଦ୍ଧରେ ପ୍ରତିବାଦ କରିବାର ଯେଉଁ ସାମାନ୍ୟ ସୁଯୋଗ ଆଇନରେ ଥିଲା ତାହା ସେମାନେ ହରାଇବେ ।
ଶ୍ରମିକମାନେ କୌଣସି ଷ୍ଟ୍ରାଇକ୍‌(ହରତାଲ)କୁ ଯିବାର ୧୪ଦିନ ପୂର୍ବରୁ ନୋଟିସ ଦେବାର ନିୟମ ଇଣ୍ଡଷ୍ଟ୍ରିୟାଲ ରିଲେସନ କୋର୍ଡ-୨୦୨୦, ସେକସନ-୬୧ରେ ଉଲ୍ଲେଖ କରାଯାଇଛି । ଏହା ଧାର୍ଯ୍ୟ ଅଗ୍ରିମ ନୋଟିସ ବିନା ଷ୍ଟ୍ରାଇକ କରିବା ବେଆଇନ । ଇଣ୍ଡଷ୍ଟ୍ରିଆଲ ଡିସପୁଟ ଆକ୍ଟ(ଶିଳ୍ପ ବିବାଦ ଆଇନ୍‌)-୧୯୪୭ ଅନୁସାରେ କେବଳ କିଛି ଅତ୍ୟାବଶ୍ୟକୀୟ ସେବା ବ୍ୟତୀତ ଅନ୍ୟକୌଣସି କ୍ଷେତ୍ରରେ ଏହି ନିୟମ ନାହିଁ । ପରିସ୍ଥିତି ସେ ଭଳି ଉପୁଜିଲେ ଅନ୍ୟ କ୍ଷେତ୍ରରେ ଶିଳ୍ପ ଶ୍ରମିକମାନେ ପ୍ରଚଳିତ ନିୟମ ଅନୁସାରେ ହରତାଲକୁ ଯାଇପାରିବେ । ସେମାନଙ୍କର ଆଇନଗତ ଅଧିକାର ଅଛି । ଶ୍ରମିକମାନଙ୍କର ହରତାଳ କରିବାର ମୌଳିକ ଅଧିକାରକୁ ଖର୍ବ କରିବା ପାଇଁ ଶ୍ରମକୋର୍ଡ ଏକ ସୁପରିକଳ୍ପିତ ଯୋଜନା । ବସ୍ତୁତଃ ହରତାଳ କରିବା ଅଧିକାରକୁ ଅକାର୍ଯ୍ୟକାରୀ କରି ଦିଆଯାଇଛି ଏବଂ ନୂତନ ଆଇନକୁ ଉଲଙ୍ଘନ କଲେ ଶ୍ରମିକମାନେ ଦଣ୍ଡିତ ହେବେ । ଏହା ଶେଷ କଥା ନୁହେଁ । ଯେତେବେଳେ କନସିଲିଏସନ୍ ଅଫିସରଙ୍କ ନିକଟରେ କୌଣସି କନସିଲିସନ୍ ପ୍ରକ୍ରିୟା ଚାଲୁ ରହିଥିବ ସେତେବେଳେ ଶ୍ରମିକମାନଙ୍କୁ ହରତାଳରେ ଯିବାକୁ ବାରଣ କରାଯିବ । ବାସ୍ତବରେ ଉଭୟ ନିଯୁକ୍ତିଦାତା ଓ ସରକାର କନସିଲିଏସନ୍ ସମୟକୁ ଦୀର୍ଘାୟିତ କରିବାପାଇଁ ଚେଷ୍ଟା କରିବେ । ଜଟିଳ ଆଇନ ଜାଲରେ ଶ୍ରମିକମାନଙ୍କୁ ଛନ୍ଦି ଦିଆଯାଇ ହରତାଲ ଘୋଷଣା କରିବାକୁ ବାରଣ କରାଯିବ । ସେଠାରେ ଅନ୍ୟ ଏକ ବାଧା ବି ଅଛି । ଯଦି କୌଣସି ଶିଳ୍ପ ପ୍ରତିଷ୍ଠାନରେ ଅଧାରୁ ଅଧିକ ଶ୍ରମିକ ଛୁଟିରେ ଯାଆନ୍ତି, ତେବେ ଏହାକୁ ମଧ୍ୟ ଷ୍ଟ୍ରାଇକ ବୋଲି ଧରାଯିବ ।
ଇଣ୍ଡଷ୍ଟ୍ରିଆଲ ରିଲେସନ କୋର୍ଡ-୨୦୨୦ର ଚାପ୍ଟର-୧୦, ସେକସନ-୭୭ରେ ଉଲ୍ଲେଖ କରାଯାଇଛି ଯେ ଯେଉଁ କାରଖାନା ୩୦୦ରୁ କମ୍ ଶ୍ରମିକମାନଙ୍କୁ ନିଯୁକ୍ତି ଦେଇଥିବେ ସେହି ସବୁ ଶିଳ୍ପ ସଂସ୍ଥାରେ ଅଫ୍‌, ଛଟେଇ ଓ ବନ୍ଦ ପାଇଁ ଉପଯୁକ୍ତ ସରକାରୀ କର୍ତ୍ତୃପକ୍ଷଙ୍କଠାରୁ କୌଣସି ଅନୁମତି ନେବା ଆବଶ୍ୟକ ନାହିଁ । ପ୍ରଚଳିତ ଇଣ୍ଟଷ୍ଟ୍ରିଆଲ ଡିସପ୍ୟୁଟ ଆକ୍ଟ-୧୯୪୭ (ସେକସନ୍‌-୨୫) ଅନୁସାରେ ସେହି ସଂଖ୍ୟା ୧୦୦ କିମ୍ବା ଅଧିକ ନିର୍ଦ୍ଧାରିତ ହୋଇଥିଲା । ଆଇ.ଆର(ଇଣ୍ଡଷ୍ଟ୍ରିଆଲ ରିଲେସନ) କୋର୍ଡରେ ଶ୍ରମିକମାନଙ୍କ ସଂଖ୍ୟା ୧୦୦ ରୁ ୩୦୦କୁ ବୃଦ୍ଧି କରି ସରକାର ମାଲିକମାନଙ୍କୁ ଲେ ଅଫ୍ କିମ୍ବା ଛଟେଇ କରିବାର ଅବାଧ କ୍ଷମତା ଦେଇଛନ୍ତି ।
କଳକାରଖାନା ଓ ଶିଳ୍ପ କ୍ଷେତ୍ରରେ ୨୪ଭାଗ ଶ୍ରମିକ ଗୋଟିଏ ଧକ୍କାରେ ଆଇନ ଦ୍ୱାରା ପ୍ରଦତ୍ତ ଅଧିକାର ହରାଇବେ ଏବଂ ସେମାନଙ୍କର ସମସ୍ୟା ସମାଧାନ ପାଇଁ ଆଇନର ଆଶ୍ରୟ ନେଇ ପାରିବେ ନାହିଁ ।
କେବଳ ସେତିକି ନୁହେଁ ଇଣ୍ଡଷ୍ଟ୍ରିଆଲ ରିଲେସନ କୋଡର ଚାପ୍ଟର-୪ର ସେକସନ ୨୮(୧)ରେ ଉଲ୍ଲେଖ କରାଯାଇଛି ଯେ ଶିଳ୍ପ ସଂସ୍ଥାଗୁଡିକରେ ଯେଉଁଠି ୩୦୦ରୁ ଉର୍ଦ୍ଧ୍ୱ ଶ୍ରମିକ ଅଛନ୍ତି ସେ କ୍ଷେତ୍ରରେ ‘ଷ୍ଟାଣ୍ଡିଙ୍ଗ ଅର୍ଡର’ର ନିୟମ ଲାଗୁ ହେବ । କିନ୍ତୁ ଯେଉଁ ସବୁ ଶିଳ୍ପ ସଂସ୍ଥା ଗୁଡିକରେ ୩୦୦ରୁ କମ୍ ଶ୍ରମିକ ନିଯୁକ୍ତ ଅଛନ୍ତି, ସେଠାରେ ‘ଷ୍ଟାଣ୍ଡିଙ୍ଗ ଅର୍ଡର’ ପର୍ଯୁଯ୍ୟ ନୁହେଁ । ବର୍ତ୍ତମାନ ପର୍ଯ୍ୟନ୍ତ ବି ଶିଳ୍ପ ଶ୍ରମିକମାନଙ୍କର ମଜୁରି ନିର୍ଦ୍ଧାରଣ ଏବଂ ଚାକିରିର ସର୍ତ୍ତବାଳୀ ସ୍ଥିର କରିବା କ୍ଷେତ୍ରରେ ଶ୍ରମିକମାନଙ୍କର ମତାମତ ଓ ଦ୍ୱିପାକ୍ଷିକ-ତ୍ରିପାକ୍ଷିକ ଚୁକ୍ତି ମଧ୍ୟରେ ସ୍ଥିର କରାଯାଉଛି । ବିଶେଷ ଶିଳ୍ପ ସଂସ୍ଥାର ସ୍ଥିତି ଅନୁଯାୟୀ ‘ଷ୍ଟାଣ୍ଡିଙ୍ଗ ଅର୍ଡର’ ନିର୍ଦ୍ଧାରିତ ହୁଏ ଓ କାର୍ଯ୍ୟକାରୀ ହୁଏ ।
ଶ୍ରମ କୋଡ ଅନୁଯାୟୀ ଶ୍ରମିକମାନଙ୍କ ସଂଖ୍ୟା ୩୦୦ କିମ୍ବା ଅଧିକକୁ ବୃଦ୍ଧି କରିବା ଫଳରେ ୭୪ ପ୍ରତିଶତ ଶ୍ରମିକ ମଜୁରି ନିର୍ଦ୍ଧାରଣ ଏବଂ ଚାକିରିର ସର୍ତ୍ତାବଳୀ ନିର୍ଦ୍ଧାରଣ କ୍ଷେତ୍ରରେ ସେମାନଙ୍କର ମତାମତ ଉପସ୍ଥାପନ କରିବାର ଅଧିକାରରୁ ବଂଚିତ ହେବେ । ବସ୍ତୁତଃ ଏହା ସ୍ୱତନ୍ତ୍ର ଭାବେ ନିଯୁକ୍ତିଦାତାଙ୍କ ଅଧିକାରକୁ ସୁରକ୍ଷିତ କରିବ ।
ବର୍ତ୍ତମାନ ଆଧୁନିକକରଣ ନାମରେ ବ୍ୟାପକ ଯାନ୍ତ୍ରିକରଣ ଚାଲିଛି । ଶ୍ରମିକମାନଙ୍କୁ ଶାରୀରିକ ଶ୍ରମରୁ ମୁକ୍ତ କରିବା ଉଦ୍ଦେଶ୍ୟରେ ଯାନ୍ତ୍ରିକରଣ କରାଯାଉ ନାହିଁ ବରଂ ଶ୍ରମିକମାନଙ୍କୁ ଛଟେଇ କରିବା କ୍ଷେତ୍ରରେ ଏକ ବାହାନା ଭାବରେ ବ୍ୟବହୃତ ହେଉଛି । କାରିଗରି ବିକାଶ ମାନବ ସମ୍ବଳକୁ କର୍ମଚ୍ୟୁତ କରୁଛି । ଏହି କାରଣରୁ ୭୪ଭାଗ ଶିଳ୍ପ ସଂସ୍ଥା ଏବଂ କଳକାରଖାନା ୧୦୦ରୁ କମ୍ ଲୋକଙ୍କୁ ନେଇ ଚାଲୁଛି । ଏହି ପ୍ରକ୍ରିୟା ଚାଲୁ ରହିଲେ ନିକଟ ଭବିଷ୍ୟତରେ ଶ୍ରମିକମାନଙ୍କ ସଂଖ୍ୟା ଆହୁରି ହ୍ରାସ ପାଇବ । ୧୦୦ରୁ କମ ଶ୍ରମିକଙ୍କୁ ଦେଉଥିବା ଶିଳ୍ପସଂସ୍ଥାଗୁଡିକୁ ଆଇନର ପରିସର ଭୁକ୍ତକରିବା ଆବଶ୍ୟକ । ଯାହାଦ୍ୱାରା ସର୍ବାଧିକ ସଂଖ୍ୟାରେ ଶ୍ରମିକ ଶ୍ରମ ଆଇନ ବଳରେ ସେମାନଙ୍କର ଅଧିକାର ଓ ସୁବିଧା ସୁଯୋଗର ହକଦାର ହୋଇ ପାରିବେ । ଏହା କରିବା ପରିବର୍ତ୍ତେ ଶ୍ରମିକ ସ୍ୱାର୍ଥ ବିରୁଦ୍ଧରେ ଏବଂ ଯେଉଁ ଶିଳ୍ପଗୁଡିକ ଆଧୁନିକୀକରଣ କରି ଏବଂ ଯେତେ ଅଧିକ ସମ୍ଭବ ଶ୍ରମିକମାନଙ୍କୁ ଛଟେଇ କରି ସର୍ବୋଚ୍ଚ ଲାଭ କରିବାକୁ ଚାହୁଁଛନ୍ତି, ସେହି ମାଲିକମାନଙ୍କ ସ୍ୱାର୍ଥରେ ସରକାର ନିର୍ଲ୍ଲଜ ଭାବରେ କାମ କରୁଛନ୍ତି ।

Leave a Reply

Your email address will not be published. Required fields are marked *