ତାଳଚେର ମେଡିକାଲ କଲେଜକୁ କାର୍ଯ୍ୟକ୍ଷମ କରିବା ଓ ଅନ୍ୟାନ୍ୟ ୧୨ ଦଫା ଦାବିରେ ଏସ୍.ୟୁ.ସି.ଆଇ (କମ୍ୟୁନିଷ୍ଟ) ପକ୍ଷରୁ ଗଣ ବିକ୍ଷୋଭ
ତାଳଚେର ତା ୦୫/୧୧ ଏସ୍ୟୁସିଆଇ (କମ୍ୟୁନିଷ୍ଟ) ଓଡିଶା ରାଜ୍ୟ କମିଟି ଆହ୍ୱାନରେ ୧ରୁ ୭ ନଭେମ୍ବର ରାଜ୍ୟ ବ୍ୟାପି ଦାବି ସପ୍ତାହ ଉପଲକ୍ଷେ ଏସ୍ୟୁସିଆଇ (କମ୍ୟୁନିଷ୍ଟ) ତାଳଚେର ଆଂଚଳିକ ସାଙ୍ଗଠନିକ କମିଟି ପକ୍ଷରୁ ଶନିବାର ପୂର୍ବହ୍ନରେ ତାଳଚେର ଉପ- ଜିଲ୍ଲାପାଳ ଅଫିସ ସମ୍ମୁଖରେ ଏକ ଗଣ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ଦଳର କର୍ମୀ ସଂଗଠକମାନେ ତାଳଚେର ବସ୍ ଷ୍ଟାଣ୍ଡ ଠାରୁ ଏକ ଶୋଭାଯାତ୍ରାରେ ବାହାରି ଅନନ୍ତରାମ ଗେଟ, ବଇପାସ୍, ହାଟତୋଟା ବଜାର ପରିକ୍ରମା କରି ଉପ-ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସେଠାରେ ତାଳଚେର ଆଂଚଳିକ ସାଙ୍ଗଠନିକ କମିଟିର ସଂପାଦକ କୈଳାସ ଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବିକ୍ଷୋଭ ସଭାରେ ଦଳର ରାଜ୍ୟ କମିଟି ସଭ୍ୟ ଶ୍ରୀ ଜୟସେନ ମେହେର, ପ୍ରହ୍ଲାଦ ଚନ୍ଦ୍ର ସାହୁ, ଜିଲ୍ଲା କମିଟି ସଭ୍ୟା ମାନସୀ ସ୍ୱାଇଁ, ଆଂଚଳିକ କମିଟି ସଭ୍ୟ କିଶୋର ବିଶ୍ୱାଳ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନବିରୋଧୀ ନୀତିର ଦଋଢ ନିନ୍ଦା କରିଥିଲେ ଏବଂ କୋଇଲା ଖଣି ଓ କାରଖାନା ଦ୍ୱାରା ହେଉଥିବା ପ୍ରଦୁଷଣକୁ ବନ୍ଦ କରିବା ସଂଗେ ସଂଗେ ତାଳଚେର ମେଡିକାଲ କଲେଜ କୁ ଅବିଳମ୍ବେ କାର୍ଯ୍ୟକାରୀ କରିବା ପାଇଁ ଦୃଢ ଦାବି କରିଥିଲେ । ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ୍, ଖାଇବା ତେଲ ସମେତ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଆକାଶ ଛୁଆଁ ଦର ବୃଦ୍ଧି ବନ୍ଦ କରିବା, ଏମ୍.ସି.ଏଲ୍.ର କୋଇଲା ଖଣି, କୋଲ ୱାସେରୀ ଓ ଏନ୍.ଟି.ପି.ସିର ତାପଜ ବିଦ୍ୟୁତ କେନ୍ଦ୍ରରେ ଅଗ୍ରାଧିକାର ଭିତିରେ ସ୍ଥାନୀୟ ବେକାର ଯୁବକ-ଯୁବତୀ ମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବା, ସର୍ବସାଧାରଣ ରାସ୍ତାରେ ଭାରିଯାନ ଚଳାଚଳ ବନ୍ଦକରି ଯୁଦ୍ଧକାଳୀନ ଭିତିରେ ରାସ୍ତା ମରାମତି ସହିତ ବଅଁରପାଳ ଠାରୁ ତାଳଚେର ପର୍ଯ୍ୟନ୍ତ ୪ ଲେନ୍ ବିଶିଷ୍ଟ ରାସ୍ତା ନିର୍ମାଣ କରିବା, ତାଳଚେର ମେଡିକାଲ କଲେଜକୁ ଜାନୁୟାରୀ ୨୦୨୩ ଠାରୁ କାର୍ଯ୍ୟକ୍ଷମ କରିବା ସହିତ ତାଳଚେର ଉପଖଣ୍ଡ ଡାକ୍ତରଖାନା ସମେତ ସମସ୍ତ ସ୍ୱାସ୍ଥକେନ୍ଦ୍ରରେ ପ୍ରୟୋଜନ ମୁତାବକ ବିଶେଷଜ୍ଞ ଡାକ୍ତର, ସ୍ୱାସ୍ଥ୍ୟ କର୍ମୀ ଓ ନର୍ସ ନିଯୁକ୍ତି ଏବଂ ଔଷଧ ଯୋଗାଣ କରି ୨୪ ଘଂଟିଆ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇ ଦେବା, କୋଇଲା ଖଣି ଓ କାରଖାନାରୁ ନିର୍ଗତ ଧୂଳି, ଧୂଆଁ, ପାଉଁଶ, କୋଇଲା ଗୁଣ୍ଡ ଯୋଗୁଁ ହେଉଥିବା ପ୍ରଦୂଷଣକୁ ବନ୍ଦ କରିବା, ତାଳଚେର ସହର, ଗାଁ, ବସ୍ତି ଆଦି ସମସ୍ତ ଜନବସତି ଅଂଚଳକୁ ମଣିଷ ବାସପୋଯୋଗୀ କରିବା ପାଇଁ ସୁନିର୍ଦ୍ଦିଷ୍ଟ ପଦକ୍ଷେପ ଗ୍ରହଣ କରିବା, ବିଦ୍ୟୁତ୍ ଶୁଳ୍କ ବୃଦ୍ଧି-ପ୍ରିପେଡ ବିଦ୍ୟୁତ ମିଟର ଲଗାଇବା-ଘନ ଘନ ବିଦ୍ୟୁତ୍ କାଟ୍-ବିଦ୍ୟୁତ୍ ଉପଭୋକ୍ତାମାନଙ୍କ ଉପରେ ଜୁଲୁମ୍ ଓ ବିଦ୍ୟୁତ୍ ସେବାର ଘରୋଇକରଣ ବନ୍ଦ କରିବା ଏବଂ ବିଦ୍ୟୁତ୍ ସଂଶୋଧନ ବିଲ୍-୨୦୨୨କୁ ବାତିଲ କରିବା, ତାଳଚେର-ବିମଳାଗଡ ରେଳ ଲାଇନ ନିର୍ମାଣ କାର୍ଯ୍ୟ ତୁରନ୍ତ ଶେଷ କରିବା, ତାଳଚେର ଠାରୁ କଣିହାଁ ପର୍ଯ୍ୟନ୍ତ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ଏବଂ ତାଳଚେର ପୁରୀ ପାସେଞ୍ଜର ଟ୍ରେନକୁ ସୁନାଖଣି ପର୍ଯ୍ୟନ୍ତ ଅବିଳମ୍ବେ ଚଳାଚଳ କରିବା, ପ୍ରତ୍ୟେକ ସହର, ଗାଁ, ସାହି, ବସ୍ତିରେ ପାଇପ୍ ଯୋଗେ ବିଶୁଦ୍ଧ ପିଇବା ପାଣି ଯୋଗାଇ ଦେବା, ପ୍ରତି ପଂଚାୟତରେ ମଣ୍ଡି ସ୍ଥାପନ କରି ଧାନ କ୍ୱିଟାଂଲ ପ୍ରତି ତିନି ହଜାର ଟଙ୍କା ପ୍ରଦାନ କରିବା ସହିତ ସମସ୍ତ ଚାଷଜମିକୁ ଜଳସେଚନ କରିବା ଏବଂ ଚାଷୀମାନଙ୍କୁ ମାଗଣାରେ ସାର, ଔଷଧ, ବିହନ ଓ କୃଷି ଯନ୍ତ୍ରପାତି ପ୍ରଦାନ କରିବା, ହାତୀ, ବାର୍ହା, ମାଙ୍କଡ ଉପଦ୍ରବ ବନ୍ଦ କରିବା ଏବଂ କ୍ଷତିଗ୍ରସ୍ତଙ୍କୁ ସାତ ଦିନ ମଧ୍ୟରେ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ସହିତ ବଣୁଆ ଜନ୍ତୁ ଆକ୍ରମଣରେ ମୃତକଙ୍କ ପରିବାରକୁ ୧୦ଲକ୍ଷ ଟଙ୍କା ପ୍ରଦାନ କରିବା, ଜାତୀୟ ଶିକ୍ଷାନୀତି-୨୦୨୦ ବାତିଲ୍ କରିବା ଏବଂ ବିଦ୍ୟାଳୟ ବନ୍ଦ ନିଷ୍ପତି ପ୍ରତ୍ୟାହାର କରି ସମସ୍ତ ସ୍କୁଲ, କଲେଜରେ ଖାଲିପଡିଥିବା ଶିକ୍ଷକ,ଅଧ୍ୟାପକ ପଦବୀ ପୂରଣ କରିବା, ଆଶା, ଅଙ୍ଗନାୱାଡି, ପାଚିକାସହାୟିକାମାନଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ଦେଇ ନିୟମିତ ଭାବେ ଉପଯୁକ୍ତ ପାରିଶ୍ରମିକ ପ୍ରଦାନ କରିବା ଏବଂ କଳ କାରଖାନା ଓ ଖଣିରେ ନିଯୁକ୍ତ ଠିକା ଓ ଅସ୍ଥାୟୀ ଶ୍ରମିକ, କର୍ମଚାରୀଙ୍କୁ ସର୍ବନିମ୍ନ ମଜୁରୀ ମାସିକ ୨୬ ହଜାର ଟଙ୍କା ପ୍ରଦାନ କରିବା, ମଦ, ମାଦକଦ୍ରବ୍ୟ, ଅଶ୍ଳୀଳତା, ଅପସଂସ୍କୃତିର ପ୍ରଚାର ପ୍ରସାରକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିବା ଆଦି ୧୩ ଦଫା ଦାବି ସମ୍ବଳିତ ଦାବି ପତ୍ରକୁ ମୁଖ୍ୟମନ୍ତୀ ଙ୍କ ଉଦ୍ଦେଶ୍ୟରେ ପ୍ରତିନିଧୀ ମଣ୍ଡଳୀ ତାଳଚେର ଉପ-ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ । ଦାବି ଆଦାୟ ପର୍ଯ୍ୟନ୍ତ ଆନ୍ଦୋଳନରେ ଜନସାଧାରଣ ସାମିଲ ହେବା ପାଇଁ ଆହ୍ୱାନ ଦେଇ ବିକ୍ଷୋଭର ସମାପ୍ତି ଘପଷଣା କରାଯାଇଥିଲା ।