ହିଣ୍ଡେନବର୍ଗ ରିପୋର୍ଟ, ଗୌତମ ଆଦାନୀ ଓ କେନ୍ଦ୍ର ବିଜେପି ସରକାର
Sarbaharakranti Dt 09.03.2023 –
ଜାନୁଆରୀ ମାସ ୨୪ତାରିଖରେ ଆମେରିକାର, “ହିଣ୍ଡେନବର୍ଗ ରିସର୍ଚ୍ଚ” ନାମକ ଏକ ସଂସ୍ଥା ପକ୍ଷରୁ ଏକ ଅନୁସନ୍ଧାନମୂଳକ ରିପୋର୍ଟ ପ୍ରକାଶିତ ହେଲା । ୧୦୬ପୃଷ୍ଠା ସମ୍ବଳିତ ଏହି ରିପୋର୍ଟରେ ଏସିଆ ମହାଦେଶର ସବୁଠାରୁ ଧନୀ ତଥା ବିଶ୍ୱର ତିନି ନମ୍ବର ଧନୀ ଗୌତମ ଆଦାନୀଙ୍କ ମାଲିକାନାରେ ଥିବା କମ୍ପାନୀମାନଙ୍କର ଜାଲିଆତି ସଂପର୍କରେ ତଥ୍ୟ ପ୍ରମାଣ ସହିତ ବହୁ ବିଷୟ ଅବତାରଣା କରାଯାଇଛି । ତେବେ ରିପୋର୍ଟର ମୂଳକଥା ହେଉଛି ଗୌତମ ଆଦାନୀଙ୍କ ମାଲିକାନାଧିନ କମ୍ପାନୀଗୁଡିକ ବ୍ୟାପକ ଜାଲିଆତି କରି ଅତି ଦ୍ରୁତ ଖୁବ୍ ଅଳ୍ପଦିନ ମଧ୍ୟରେ ଆଜିର ଜାଗାରେ ପହଁଚିଛି । ରିପୋର୍ଟରେ ଆହୁରି ଦର୍ଶାଯାଇଛି ଯେ ଆଦାନୀ ଗୋଷ୍ଠୀ ତା’ର କମ୍ପାନୀମାନଙ୍କର ସେୟାର ମୂଲ୍ୟ କୃତ୍ରିମ ଭାବରେ ବୃଦ୍ଧି କରିଛି ଏବଂ ଏହି ବର୍ଦ୍ଧିତ ମୂଲ୍ୟକୁ ପ୍ରଦର୍ଶିତ କରି ଦେଶ ଓ ବିଦେଶର ବହୁ ବ୍ୟାଙ୍କରୁ ବିପୁଳ ପରିମାଣର ଋଣ ନେଇଛି । ଏହା ବ୍ୟତିତ ଏହି କମ୍ପାନୀ ମରିସସ୍, ସାଇପ୍ରସ ଓ ଆରବ ଏମିରେଟ୍ ଭଳି କରଛାଡର ସ୍ୱର୍ଗରାଜ୍ୟ(ଞବଙ୍ଘ ଐରବଙ୍ଖରଦ୍ଭ) ଭାବରେ ପରିଚିତ ଦେଶମାନଙ୍କରେ ଅସଂଖ୍ୟ ବେନାମୀ ସଂସ୍ଥା(ଝଷରକ୍ଷକ୍ଷ ଉକ୍ଟଜ୍ଞକ୍ଟ୍ରବଦ୍ଭଚ୍ଚ) ଖୋଲି ଏହି ବେନାମୀ ସଂସ୍ଥାମାନଙ୍କ ଜରିଆରେ ବିଦେଶରୁ ନିଜ କମ୍ପାନୀର ସେୟାରର ମୂଲ୍ୟ ନିୟନ୍ତ୍ରଣ(ଝଷବକ୍ସର ଚବକ୍ସଳସଦ୍ଭଶ) ଓ ବେଆଇନ୍ ଆର୍ଥିକ ଦେଣନେଣ(ଗକ୍ଟଦ୍ଭରଚ୍ଚ ଖବଙ୍କଦ୍ଭୟରକ୍ସସଦ୍ଭଶ) କରି ବିପୁଳ ପରିମାଣର ଟିକସ ଫାଙ୍କିଛି । ସଂପ୍ରତି ଗୌତମ ଆଦାନୀଙ୍କର ବଡଭାଇ ବିନୋଦ ଆଦାନୀଙ୍କର ବିଦେଶରେ ଥିବା କଳା ସାମ୍ରାଜ୍ୟ ଏବଂ ଏହା ସହିତ ଗୌତମ ଆଦାନୀଙ୍କ ସଂପର୍କ ବିଷୟରେ ଫୋର୍ବ୍ସ (ୠକ୍ଟକ୍ସଭରଗ୍ଦ)ପତ୍ରିକାରେ ପ୍ରକାଶ ପାଇବା ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି ।
ହିଣ୍ଡେନବର୍ଗ ରିପୋର୍ଟ ପ୍ରକାଶ ପାଇବା ପରେ କର୍ପୋରେଟ୍ ଜଗତ ସମେତ ଆଦାନୀ ସାମ୍ରାଜ୍ୟରେ ଭୂମିକମ୍ପ ସୃଷ୍ଟି ହୋଇଛି । ରିପୋର୍ଟ ପ୍ରକାଶ ପାଇବାର ମାତ୍ର ୫ଟି କର୍ମ ଦିବସରେ ଆଦାନୀ ସମୂହର ୭ଟି ସୂଚୀବଦ୍ଧ(ଷ୍ଟକ୍ ଏକ୍ସଚେଞ୍ଜରେ ତାଲିକାଭୁକ୍ତ-ଖସଗ୍ଦଗ୍ଧରୟ) କମ୍ପାନୀର ସେୟାର ମୂଲ୍ୟ ରସାତଳଗାମୀ ହେବାକୁ ଲାଗିଲା । ଏହି ସୂଚୀବଦ୍ଧ କମ୍ପାନୀ ଗୁଡିକ ହେଉଛି ଆଦାନୀ ଏଣ୍ଟରପ୍ରାଇଜେସ୍, ଆଦାନୀ ଟ୍ରାନ୍ସମିସନ୍, ଆଦାନୀ ଟୋଟାଲ ଗ୍ୟାସ, ଆଦାନୀ ଗ୍ରୀନ ଏନର୍ଜି, ଆଦାନୀ ପାୱାର, ଆଦାନୀ ପୋର୍ଟସ ଏବଂ ସେଜ୍ ଓ ଆଦାନୀ ୱିଲମାର । ଏହି ପ୍ରକ୍ରିୟା ଏବେ ମଧ୍ୟ ବଳବତ୍ତର ରହିଛି ଏବଂ ଆଦାନୀ ବିଶ୍ୱର ଧନୀ ତାଲିକାରେ ତିନି ନମ୍ବରରୁ ଖସି ଖସି ବର୍ତ୍ତମାନ ୩୫ ନମ୍ବର । ରିପୋର୍ଟ ପ୍ରକାଶ ପାଇବାର ୭ଦିନ ମଧ୍ୟରେ ଗୌତମ ଆଦାନୀଙ୍କ ସଂପତ୍ତିର ମୂଲ୍ୟ ୧୨୭ବିଲିୟନ ଡଲାରରୁ ହ୍ରାସପାଇ ୭୫.୧ ବିଲିୟନ ଡଲାରରେ ପହଞ୍ôଚଯାଇଥିଲା । ଏହି ପ୍ରକ୍ରିୟା ଏବେ ମଧ୍ୟ ବଳବତ୍ତର ରହିଛି ।
ହିଣ୍ଡେନବର୍ଗ ରିପୋର୍ଟର ପ୍ରଭାବରେ ସେୟାର ବଜାରରେ ଆଦାନୀ କମ୍ପାନୀ ଓ ଏହାର ସେୟାର ଖରିଦ କରିଥିବା ଭାରତୀୟ ଜୀବନବୀମା ନିଗମ, ଭାରତୀୟ ଷ୍ଟେଟବ୍ୟାଙ୍କ ସମେତ ସାଧାରଣ ସେୟାରଧାରୀମାନଙ୍କର ବିପୁଳ କ୍ଷତି ଘଟିଚାଲିଥିବା ସମୟରେ ଏହାର ଅନ୍ୟ ଦୁଇଟି ପ୍ରଭାବ ମଧ୍ୟ ଦେଖିବାକୁ ମିଳିଥିଲା । ରିପୋର୍ଟ ପ୍ରକାଶ ପାଇବା ପରେ ଆଦାନୀ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ଉଋଙ) ସାମ୍ବାଦିକ ସମ୍ମିଳନୀ କରି ହିଣ୍ଡେନବର୍ଗ ରିପୋର୍ଟର ସମସ୍ତ ଅଭିଯୋଗକୁ ଅସ୍ୱୀକାର କରିବା ସହିତ ଏକ ଅତ୍ୟନ୍ତ ଗୁରୁତର କଥା କହିଥିଲେ । ଅଷ୍ଟ୍ରେଲିଆ ନାଗରିକତା ଗ୍ରହଣ କରିଥିବା ମୁଖ୍ୟକାର୍ଯ୍ୟନିର୍ବାହୀ ଅଧିକାରୀ କହିଥିଲେ ଗୋଟିଏ ବିଦେଶୀ କମ୍ପାନୀ ଦ୍ୱାରା ଗୌତମ ଆଦାନୀଙ୍କ ଉପରେ ଆକ୍ରମଣର ଅର୍ଥ ହେଉଛି ଭାରତ ଉପରେ ଆକ୍ରମଣ । ଭାରତର ପ୍ରତିଷ୍ପର୍ଦ୍ଧା ଉପରେ ଆକ୍ରମଣ । ସୂଚନାଯୋଗ୍ୟ ଦେଶର ପ୍ରଚଳିତ ଆଇନକୁ ଉଲଂଘନ କରି ଆଦାନୀ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏହି ସାମ୍ବାଦିକ ସମ୍ମିଳନୀରେ ଭାରତର ଜାତୀୟ ପତାକାକୁ ବ୍ୟବହାର କରିଥିଲେ । ଏହାର ଉଦ୍ଦେଶ୍ୟ ହେଉଛି ଆଦାନୀଙ୍କୁ ବଞ୍ଚାଇବା ପାଇଁ ଦେଶାତ୍ମବୋଧର ଆଶ୍ରୟ ନେବା । ଏହା ପରେ ପରେ ବିଜେପି ଆଇଟି ସେଲ୍ର ଟ୍ରୋଲମାନେ ଆଦାନୀ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀଙ୍କର ଏହି ଉକ୍ତିକୁ ପ୍ରଚାର କରିବା ଆରମ୍ଭ କଲେ । ଆଦାନୀ କମ୍ପାନୀର ଜାଲିଆତିକୁ ଘଣ୍ଟ ଘୋଡାଇବା ପାଇଁ ହିଣ୍ଡେନବର୍ଗ ରିସର୍ଚ୍ଚ ସଂସ୍ଥା ସଂପର୍କିତ ବହୁ ନେତିବାଚକ ଦିଗ ଉପରେ ଆଲୋଚନା ମୁଖ୍ୟଧାରାର ଗଣମାଧ୍ୟମରେ ଆରମ୍ଭ ହୋଇଗଲା । ଏହା ସଙ୍ଗେସଙ୍ଗେ ଆଦାନୀ କମ୍ପାନୀର ସ୍ୱାର୍ଥ ସହିତ ଦେଶର ସ୍ୱାର୍ଥ, ଦେଶର ବିକାଶର ସ୍ୱାର୍ଥକୁ ଏକ କରିଦେଇ ଆଦାନୀ କମ୍ପାନୀର ଜାଲିଆତି ବିରୁଦ୍ଧରେ ସ୍ୱର ଉତ୍ତୋଳନକୁ ଦେଶ ବିରୋଧୀ କାର୍ଯ୍ୟ ଭାବରେ ସିଧାସଳଖ ଓ ପ୍ରକାରାନ୍ତରେ ଚିତ୍ରିତ କରାଯିବାର ଉଦ୍ୟମ କରାଗଲା ।
ବିଜେପି ନେତାମାନେ ହିଣ୍ଡେନବର୍ଗର ରିପୋର୍ଟକୁ ଭାରତର ଅର୍ଥନୈତିକ ପ୍ରଗତିରେ ଈର୍ଷାନ୍ୟୁତ ଓ ବିଚଳିତ ବିଦେଶୀ ଶକ୍ତିମାନଙ୍କର ଷଡଯନ୍ତ୍ର ଭାବରେ ଚିତ୍ରଣ କରିବାକୁ ଆରମ୍ଭ କଲେ । ଏହା ସଂଗେ ସଂଗେ ହିଣ୍ଡେନବର୍ଗ ରିପୋର୍ଟକୁ ଭୁଲ ପ୍ରମାଣିତ କରିବାପାଇଁ ଆଦାନୀ ୪୩୦ପୃଷ୍ଠା ବିଶିଷ୍ଟ ଉତ୍ତର ପଠାଇଥିଲା ଏବଂ ହିଣ୍ଡେନବର୍ଗ ବିରୁଦ୍ଧରେ ମାମଲା ରୁଜୁ କରିବାର ଧମକ ଦେଇଥିଲା । ତେବେ ଆଦାନୀ ଏପର୍ଯ୍ୟନ୍ତ ହିଣ୍ଡେନବର୍ଗ ବିରୁଦ୍ଧରେ କୌଣସି ମାମଲା ରୁଜୁ କରିନାହିଁ । ବରଂ ହିଣ୍ଡେନବର୍ଗ ମାମଲା ରୁଜୁର ଧମକକୁ ସ୍ୱାଗତ କରିଛି ଏବଂ ଆଦାନୀ ପକ୍ଷରୁ ଦିଆଯାଇଥିବା ଉତ୍ତରରେ ତା’ଦ୍ୱାରା ଉପସ୍ଥାପିତ ଗୁରୁତର ଅଭିଯୋଗର ଉତ୍ତର ନାହିଁ ବୋଲି ଘୋଷଣା କରିଛି । ହିଣ୍ଡେନବର୍ଗ ଆହୁରି କହିଛି, ଆମେ ବିଶ୍ୱାସ କରୁ ଯେ, ଆଦାନୀ ସମୂହ ଶରୀରରେ ଜାତୀୟ ପତାକା ଗୁଡେଇ ଦେଶକୁ ଲୁଟ୍କରି ଦେଶର ଅଗ୍ରଗତିରେ ବାଧା ଉତ୍ପନ୍ନ କରୁଛି ଓ ଜାତୀୟତାବାଦର ଆଢୁଆଳରେ ଜାଲିଆତିକୁ ଲୁଚାଇ ହେବ ନାହିଁ । ଏଥିରେ ଆଦାନୀ ନିରୁତ୍ତର ।
ତେବେ ହିଣ୍ଡେନବର୍ଗ ରିପୋର୍ଟ ପ୍ରକାଶ ପାଇବାପରେ ମୁଖ୍ୟତଃ ୩ଟି ପ୍ରସଙ୍ଗ ଆଲୋଚନା ପରିସରକୁ ଆସୁଛି । ପ୍ରଥମତଃ ହିଣ୍ଡେନବର୍ଗ ସଂସ୍ଥାର ଉଦ୍ଦେଶ୍ୟ ଓ ପୃଷ୍ଠଭୂମି ଯାହା ହୋଇଥିଲେ ମଧ୍ୟ ଏହାର ଅଭିଯୋଗଗୁଡିକର ସତ୍ୟତା ରହିଛି କି? ଦ୍ୱିତୀୟ ପ୍ରଶ୍ନ ହେଉଛି, ଆଦାନୀ କମ୍ପାନୀର ଅସ୍ୱାଭାବିକ ଅକଳ୍ପନୀୟ ଅଗ୍ରଗତି ପଛରେ କେନ୍ଦ୍ର ବିଜେପି ସରକାର ବିଶେଷକରି ପ୍ରଧାନମନ୍ତ୍ରୀ ମୋଦିଙ୍କର କୌଣସି ଭୂମିକା ରହିଛି କି? ତୃତୀୟ ପ୍ରଶ୍ନ ହେଉଛି ସେୟାର ବଜାରରେ ଆଦାନୀ କମ୍ପାନୀର ସେୟାର ମୂଲ୍ୟ ବ୍ୟାପକ ଭାବରେ ହ୍ରାସ ପାଉଥିବାରୁ ଏଥିରେ ବିନିବେଶ ହୋଇଥିବା ଭାରତୀୟ ଜୀବନବୀମା ନିଗମ, ଭାରତୀୟ ଷ୍ଟେଟବ୍ୟାଙ୍କ ସମେତ ବିଭିନ୍ନ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ତଥା ସାଧାରଣ କ୍ଷୁଦ୍ର ନିବେଶକମାନଙ୍କର ସ୍ୱାର୍ଥ କେତେଦୂର ସୁରକ୍ଷିତ?
ଅନ୍ୟ ଆଲୋଚନାରେ ପ୍ରବେଶ କରିବା ପୂର୍ବରୁ ପ୍ରଥମେ ଗତ କିଛିବର୍ଷ ମଧ୍ୟରେ ଗୌତମ ଆଦାନୀଙ୍କ ମାଲିକାନାଧୀନ କମ୍ପାନୀମାନଙ୍କର ଅବିଶ୍ୱାସନୀୟ ଅଗ୍ରଗତିର ଏକ ସଂକ୍ଷିପ୍ତ ଆକଳନ କରିବା ଆବଶ୍ୟକ । ପ୍ରକୃତରେ ଆଦାନୀ କମ୍ପାନୀର ଉତ୍ଥାନ ରକେଟ୍ ଗତିରେ ହୋଇଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ଗୁଜୁରାଟରେ ବିଜେପି କ୍ଷମତାକୁ ଆସିବା, ବିଶେଷ କରି ନରେନ୍ଦ୍ର ମୋଦୀ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ଆଦାନୀ କମ୍ପାନୀର ନାଁ କ୍ୱଚିତ କାହାରି କାନରେ ବାଜିଥିଲା । ତେବେ ହର୍ଷଦ ମେହେଟ୍ଟା ସେୟାର ଘୋଟାଲାରେ ସଂପର୍କିତ କେତନ ପାରିଖ ସହିତ ଗୌତମ ଆଦାନୀର ସଂପର୍କ ଥିଲା ଏବଂ ଷ୍ଟକ୍ ଜାଲିଆତି ଅଭିଯୋଗରେ ସେବି(ଝରମଙ୍କକ୍ସସଗ୍ଧସରଗ୍ଦ ବଦ୍ଭୟ ଋଙ୍ଘମଷବଦ୍ଭଶର ଈକ୍ଟବକ୍ସୟ) ଆଦାନୀ ଉପରେ ନିଷେଧାଦେଶ ଜାରୀ କରିଥିଲା । ଏହା ହିଁ ଗୌତମ ଆଦାନୀର ପୃଷ୍ଠଭୂମି । ନରେନ୍ଦ୍ର ମୋଦି ଗୁଜୁରାଟର ମୁଖ୍ୟମନ୍ତ୍ରୀ ହେବାପରେ ହିଁ ଆଦାନୀର ଉତ୍ଥାନ ଆରମ୍ଭ ହେଲା । ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଏହି ଉତ୍ଥାନ ରକେଟ୍ ବେଗରେ ହୋଇଛି । ଏପରିକି କରୋନା ମହାମାରି ସମୟରେ ଲକ୍ ଡାଉନ କାରଣରୁ ଅର୍ଥନୈତିକ ଅଭିବୃଦ୍ଧି ଶୂନ୍ୟଠାରୁ ମଧ୍ୟ ତଳକୁ ଚାଲିଯାଇଥିବା ସମୟରେ ମଧ୍ୟ ଆଦାନୀ କମ୍ପାନୀମାନଙ୍କର ଶତକଡା ୨୬୩ ଭାଗ ସଂପଦ ବୃଦ୍ଧି ହୋଇଥିଲା । ଦେଖାଯାଇଛି ଯେ ଗୌତମ ଆଦାନୀର ନେଟ୍ ସଂପଦ ୧୨ହଜାର କୋଟି ଡଲାର ମଧ୍ୟରୁ ୧୦ହଜାର କୋଟି ଡଲାର ଆସିଛି ଗତ ୩ବର୍ଷ ମଧ୍ୟରେ । ଅର୍ଥାତ୍ ଆଦାନୀର ସଂପଦ ପ୍ରାୟ ୮୧୯.୦୯ ଶତାଂଶ ବୃଦ୍ଧିପାଇଛି ଗତ ୩ବର୍ଷ ମଧ୍ୟରେ । ଏହିଭଳି ଆଶ୍ଚର୍ଯ୍ୟଜନକ ଅଭିବୃଦ୍ଧି ସମସ୍ତଙ୍କୁ ଚକିତ କରିଥିଲା ଏବଂ ହିଣ୍ଡେନବର୍ଗ ରିପୋର୍ଟ ପ୍ରକାଶିତ ହେବା ପୂର୍ବରୁ ମଧ୍ୟ ଦେଶର କେତେକ ଅର୍ଥନୀତିବିଦ୍ ଓ ସାମ୍ବାଦିକ ଏ ସଂପର୍କରେ ଲେଖାମାନ ପ୍ରକାଶ କରିଥିଲେ । ମାତ୍ର ଏଥିପାଇଁ ସେମାନଙ୍କୁ ନାନାଧରଣର ମାଲିମକଦ୍ଦମାରେ ଛନ୍ଦି ଦିଆଯାଇଥିଲା । ଚାକିରିରୁ ବାହାର କରିଦିଆ ଯାଇଥିଲା । ଆଦାନୀ ବିରୁଦ୍ଧରେ ଲେଖିବା ଅର୍ଥ ଯେ ସ୍ୱୟଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୁଦ୍ଧରେ ଲେଖିବା ସେକଥା ସେତେବେଳେ କେନ୍ଦ୍ର ସରକାର ଏବଂ ସିବିଆଇ, ଇଡି ପ୍ରଭୃତିର କାର୍ଯ୍ୟକଳାପରୁ ପ୍ରମାଣିତ ହୋଇଥିଲା ।
ତେବେ ଏକଥା କାହାରିକୁ ଅଜଣା ନାହିଁ ଯେ କେନ୍ଦ୍ର ସରକାର ବିଶେଷକରି ପ୍ରଧାନମନ୍ତ୍ରୀ ମୋଦିଙ୍କ ଖୋଲାଖୋଲି ପୃଷ୍ଠପୋଷକତା ବିନା କୌଣସି କମ୍ପାନୀର ଏହି ଧରଣର ଅଗ୍ରଗତି ସମ୍ଭବ ନୁହେଁ । ଖୋଲାଖୋଲି ଆଇନ ଉଲଂଘନ କରି ଆଦାନୀକୁ ଜମି, ବନ୍ଦର, ବିମାନ ବନ୍ଦର, କୋଇଲା, ଖଣି, ଜାଳେଣୀ ତେଲ, ବିଦ୍ୟୁତ, ଟେଲିକମ୍ ସହ ସମସ୍ତ ପ୍ରକାର ଖାଦ୍ୟପଦାର୍ଥରେ ଏକଚାଟିଆ ବ୍ୟବସାୟର ଅଧିକାର ଦିଆଯାଇଛି । ଅନଲାଇନ୍ ଫ୍ରାଞ୍ଚାଇଜ୍, ଏଜେନ୍ସି ମାଧ୍ୟମରେ ଦେଶର ସର୍ବତ୍ର ଖୁଚୁରା ଓ ପାଇକାରୀ ବ୍ୟବସାୟ ଏବଂ ଲକ୍ଷ ଲକ୍ଷ କାଉଣ୍ଟର ଖୋଲି ଏକ ବିଶାଳ ଚେନ୍ ମାଧ୍ୟମରେ ଏହି ସବୁ ବ୍ୟବସାୟରେ ଆଦାନୀ ଏକଚାଟିଆ ଦଖଲ ନେଇଛି । ସଂପୂର୍ଣ୍ଣ ବେଆଇନ୍ ଭାବରେ ଦେଶର ପ୍ରାୟ ସମସ୍ତ ବନ୍ଦର, ରାଷ୍ଟ୍ରାୟତ୍ତ ସଂସ୍ଥାଗୁଡିକ ଶାଗମାଛ ଦରରେ ଆଦାନୀ ହାତକୁ ଟେକି ଦିଆଯାଇଛି ।
କେବଳ ଦେଶ ମଧ୍ୟରେ ନୁହେଁ, ବିଦେଶରେ ମଧ୍ୟ ଆଦାନୀର ବ୍ୟବସାୟିକ ଅଭିବୃଦ୍ଧି ପାଇଁ ଭାରତ ସରକାର; ବିଶେଷ କରି ବ୍ୟକ୍ତିଗତ ଭାବରେ ପ୍ରଧାନମନ୍ତ୍ରୀ ମୋଦି ସମସ୍ତ ଉଦ୍ୟମ କରିଥିବା ପ୍ରମାଣିତ । ଇସ୍ରାଏଲ୍ରେ ବନ୍ଦର, ଅଷ୍ଟ୍ରେଲିଆରେ ଖଣି, ଶ୍ରୀଲଙ୍କରେ ବିଦ୍ୟୁତ ବ୍ୟବସାୟ, ବଙ୍ଗଳାଦେଶରେ ବିଦ୍ୟୁତ ବ୍ୟବସାୟ ମୋଦିଙ୍କ କୃପାରୁ ଆଦାନୀକୁ ମିଳିଛି । ଦେଶରେ ବିପୁଳ ପରିମାଣର କୋଇଲା ମହଜୁଦ ଥିଲେ ମଧ୍ୟ ଅଷ୍ଟ୍ରେଲିଆରୁ ଆଦାନୀ କମ୍ପାନୀର କୋଇଲା କେନ୍ଦ୍ର ସରକାର ଆମଦାନୀ କରିଛି ଏବଂ ଏହି କୋଇଲାକୁ ବ୍ୟବହାର କରି ଉତ୍ପନ୍ନ ବିଦ୍ୟୁତକୁ ଚଢା ଦରରେ ଖାଉଟିମାନଙ୍କୁ ବିକ୍ରି କରିବାକୁ ଏନ୍ଟିପିସିକୁ ବାଧ୍ୟ କରାଯାଇଛି । ଆଦାନୀର କୋଇଲା ବ୍ୟବସାୟକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ସରକାରଙ୍କ ପ୍ରତ୍ୟକ୍ଷ ହସ୍ତକ୍ଷେପରେ ଦେଶରେ କୋଇଲାର କୃତ୍ରିମ ସଂକଟ ସୃଷ୍ଟି କରାଯାଇଛି । ସୂଚନାଯୋଗ୍ୟ ମୋଦିଙ୍କ ନିର୍ଦ୍ଦେଶରେ ହିଁ ଅଷ୍ଟ୍ରେଲିଆରେ କୋଇଲା ଖଣି କିଣିବାପାଇଁ ଋଣ ଯୋଗାଣ ଉଦ୍ଦେଶ୍ୟରେ ଭାରତୀୟ ଷ୍ଟେଟ୍ବ୍ୟାଙ୍କର ଚେୟାରମ୍ୟାନ ଅଷ୍ଟ୍ରେଲିଆ ଗସ୍ତ କରିଥିଲେ । ଏହିଭଳି ଭାବରେ କେବଳ ୨୦୨୧ ମସିହାରେ ଆଦାନୀର ସଂପଦ ବୃଦ୍ଧି ହୋଇଛି ୪୯ବିଲିୟନ ଡଲାର । ୨୦୨୨ ମସିହାରେ ଆଦାନୀର ସଂପଦ ବୃଦ୍ଧି ହୋଇଛି ୩୪ ବିଲିୟନ ଡଲାର । ସରକାରଙ୍କର ପ୍ରତ୍ୟକ୍ଷ ସହାୟତାରେ ଜନସାଧାରଣଙ୍କ ସଂପତ୍ତି ଅବାଧ ଲୁଟ୍ ବ୍ୟତିତ ଏହି ଧରଣର ଆର୍ଥିକ ଅଭିବୃଦ୍ଧି ସମ୍ଭବ ନୁହେଁ । ହିଣ୍ଡେନବର୍ଗ ରିପୋର୍ଟ ପ୍ରକାଶିତ ହୋଇ ଆଦାନୀର ସେୟାର ଧରାଶାୟୀ ହେବାପରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଫଳରେ ଭାରତୀୟ ଜୀବନବୀମା ନିଗମ ଓ ଭାରତୀୟ ଷ୍ଟେଟ୍ବ୍ୟାଙ୍କ ଚଢାଦରେ କମ୍ପାନୀର ସେୟାର ଖରିଦ୍ କରିଛି । କହିବା ବାହୁଲ୍ୟ ଆଦାନୀକୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କମାନେ ବିପୁଳ ଋଣଛାଡ କରିଛନ୍ତି । ସୂଚନାଯୋଗ୍ୟ, ଭାରତୀୟ ଷ୍ଟେଟ୍ବ୍ୟାଙ୍କ ହେଉ ବା ଜୀବନ ବୀମା ନିଗମ, ସେଥିରେ ସଂଚିତ ଅର୍ଥ ହେଉଛି ଦେଶର ସାଧାରଣ ଲୋକଙ୍କର । ଏହି ସଂସ୍ଥାମାନଙ୍କ ଟଙ୍କା ବୁଡିଲେ ସାଧାରଣ ଲୋକଙ୍କ ଟଙ୍କା ବୁଡିବ । ଏହିଭଳି ଏକ ଅତ୍ୟନ୍ତ ଗୁରୁତର ବିଷୟରେ ସମଗ୍ର ପୃଥିବୀର ବିଭିନ୍ନ ଦେଶର ପ୍ରମୁଖ ଗଣମାଧ୍ୟମରେ ବ୍ୟାପକ ଚର୍ଚ୍ଚା ହେଉଥିଲା ବେଳେ ଆମ ଦେଶର ପ୍ରମୁଖ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ ସଂପୂର୍ଣ୍ଣ ନିରବ । କେନ୍ଦ୍ର ସରକାରଙ୍କର ସମାଲୋଚକ ଓ ବିରୋଧି ଦଳମାନଙ୍କୁ ଚୁପ କରି ଦେବାପାଇଁ ଘନଘନ ଚଢ଼ାଉ କରୁଥିବା ସିବିଆଇ, ଇଡି, ଆୟକର ବିଭାଗ ସର୍ବୋପରି ଅର୍ଥମନ୍ତ୍ରଣାଳୟ ମଧ୍ୟ ସଂପୂର୍ଣ୍ଣ ନିରବ । ସ୍ୱାଭାବିକ ଭାବରେ ହିଣ୍ଡେନବର୍ଗ ରିପୋର୍ଟର ସତ୍ୟତା ପରୀକ୍ଷା କରି ଦେଖିବା ପାଇଁ ଉଚ୍ଚସ୍ତରୀୟ ନିରପେକ୍ଷ ତଦନ୍ତର ଦାବି ଉଠୁଛି । ଦେଶର ବିରୋଧି ଦଳମାନେ ମଧ୍ୟ ଅନୁରୂପ ଦାବି ଉଠାଉଛନ୍ତି । ଏହିଭଳି ସମୟରେ ସଂସଦର ବଜେଟ୍ ଅଧିବେସନରେ ସ୍ୱାଭାବିକ ଭାବରେ ବିରୋଧିଦଳ ପକ୍ଷରୁ ଏହି ରିପୋର୍ଟ ଉପରେ ଚର୍ଚ୍ଚା କରିବା ଏବଂ ଏ ସଂପର୍କରେ ତଦନ୍ତ କରିବା ପାଇଁ ଏକ ସର୍ବଦଳୀୟ ମିଳିତ ସଂସଦୀୟ କମିଟି ଗଠନ କରିବାକୁ ଦାବି କରାଯାଇଥିଲା । ବିରୋଧି ଦଳମାନେ ଦୁଇଦିନ ଧରି ସଂସଦର ଉଭୟ ଗୃହକୁ ଅଚଳ କରିବା ପରେ ଶେଷରେ ସଂସଦରେ ହିଣ୍ଡେନବର୍ଗ ରିପୋର୍ଟ ଉପରେ ଚର୍ଚ୍ଚା କରାଗଲା ।
ଦୀର୍ଘ ଦୁଇ ଦିନର ଆଲୋଚନାପରେ ଶେଷରେ ପ୍ରଧାନମନ୍ତ୍ରୀ ଗୃହରେ ନିଜର ଉତ୍ତର ରଖିଲେ । ମାତ୍ର ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଭାବରେ ଦୁଇଦିନଧରି ବିରୋଧିମାନଙ୍କ ପକ୍ଷରୁ ଉତ୍ଥାପନ କରାଯାଇଥିବା ହିଣ୍ଡେନବର୍ଗ ରିପୋର୍ଟ କିମ୍ବା ଆଦାନୀ କମ୍ପାନୀ ଦ୍ୱାରା କରାଯାଇଥିବା ଜାଲିଆତି ଓ କଳାକାରବାର ଉପରେ ପଦେ ମଧ୍ୟ କହିଲେ ନାହିଁ । କେନ୍ଦ୍ର ବିଜେପି ସରକାର ଦେଶର ଗରିବ ଲୋକଙ୍କ ପାଇଁ ବହୁ ସୁବିଧା ସୁଯୋଗ ଦେଇଛି ତେଣୁ ବିରୋଧିମାନଙ୍କ ପକ୍ଷରୁ ସରକାର ବିରୁଦ୍ଧରେ ଦୁର୍ନୀତିର ଅଭିଯୋଗ ଦେଶର ସାଧାରଣ ଲୋକଙ୍କୁ ପ୍ରଭାବିତ କରିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ପ୍ରଧାନମନ୍ତ୍ରୀଙ୍କର ଏହି ଧରଣର ଯୁକ୍ତି ଯେ ଅତ୍ୟନ୍ତ ହାସ୍ୟାସ୍ପଦ ସେକଥା କାହାରିକୁ ବୁଝାଇ କହିବାର ଆବଶ୍ୟକତା ନାହିଁ । ବିଜେପି ସରକାର ୯ବର୍ଷ ଧରି ଶାସନ କରୁଥିଲେ ମଧ୍ୟ ଗୋଟିଏ ହେଲେ ନିର୍ବାଚନୀ ପ୍ରତିଶୃତି ପାଳନ କରିବାରେ ବ୍ୟର୍ଥ ହୋଇଥିବାବେଳେ ପ୍ରଧାନମନ୍ତ୍ରୀ ଉପା ସରକାରର ୧୦ବର୍ଷର ଶାସନ କାଳରେ ହୋଇଥିବା ଦୁର୍ନୀତିର ଅବତାରଣା କରିବାରେ ତାଙ୍କର ସମସ୍ତ ସମୟ ବ୍ୟୟ କରିଥିଲେ । ସତେ ଯେଭଳି କଂଗ୍ରେସ ତୁଳନାରେ ଅଧିକ ଦୁର୍ନୀତି କରିବା ପାଇଁ ଦେଶର ଜନସାଧାରଣ ବିଜେପିକୁ ଭୋଟଦେଇ କ୍ଷମତାସୀନ କରିଛନ୍ତି । ଆଦାନୀ ପ୍ରସଙ୍ଗରେ କାଠଗଡାରେ ଠିଆ ହୋଇଥିବା ପ୍ରଧାନମନ୍ତ୍ରୀ ସଂସଦ ଭିତରେ ବି ଇତର ଲୋକ ଭଳି ଛାତି ବାଡେଇ ଉଚ୍ଚ ସ୍ୱରରେ ବହୁକଥା କହିଗଲେ, ହେଲେ ଆଦାନୀର କଳାକାରବାର ଉପରେ ପଦେ ମଧ୍ୟ କହିଲେ ନାହିଁ । ଏହା ଉପରେ ତଦନ୍ତ ହେବ ବୋଲି ପ୍ରତିଶୃତି ଟିକକ ମଧ୍ୟ ଦେବାକୁ ସାହାସ କରିପାରିଲେ ନାହିଁ । କାରଣ, ପ୍ରଧାନମନ୍ତ୍ରୀ ଜାଣନ୍ତି ତଦନ୍ତ ହେଲେ ତା’ ଭିତରୁ କଣ ବାହାରିବ । ସେଥିପାଇଁ ପ୍ରଧାନମନ୍ତ୍ରୀ ପଛଘୁଞ୍ଚା ଦେଲେ ଏବଂ ଆଦାନୀର ଜାଲିଆତି ଯେ ସତ୍ୟ ଏହାକୁ ପରୋକ୍ଷରେ ସ୍ୱୀକାର କରିବାକୁ ବାଧ୍ୟ ହେଲେ । ଏଠାରେ ଉଲ୍ଲେଖଯୋଗ୍ୟ କେବଳ କେନ୍ଦ୍ର ବିଜେପି ସରକାର ନୁହେଁ ଦେଶର ବିଭିନ୍ନ ରାଜ୍ୟର ବିଭିନ୍ନ ଦଳର ସରକାର, ଏପରିକି ସିପିଆଇ(ଏମ୍) ନେତୃତ୍ୱରେ ପରିଚାଳିତ କେରଳ ରାଜ୍ୟ ସରକାର ସହିତ ତାଙ୍କର ସୁସଂପର୍କ ରହିଛି ବୋଲି କିଛିଦିନ ପୂର୍ବରୁ ଗୌତମ ଆଦାନୀ ଏକ ସାକ୍ଷାତକାରରେ କହିଥିଲେ । ଏହା ସତ୍ୟ ଯେ ୨୦୧୪ ମସିହାରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଜେପି କ୍ଷମତାସୀନ ହେବାପରେ ଆଦାନୀ ସବୁଠାରୁ ଅଧିକ ସରକାରୀ ପୃଷ୍ଠପୋଷକତା ପାଇଛି, ମାତ୍ର ଅନ୍ୟାନ୍ୟ ଦେଶୀ ବିଦେଶୀ ଏକଚାଟିଆ ପୁଞ୍ଜିପତିମାନଙ୍କର ସାମଗ୍ରିକ ଶ୍ରେଣୀ ସ୍ୱାର୍ଥରେ ହିଁ କେନ୍ଦ୍ର ଓ ରାଜ୍ୟ ସରକାର ସେମାନଙ୍କର ଆର୍ଥିକ ନୀତି ପ୍ରଣୟନ କରିଛନ୍ତି । ଏହି ଆର୍ଥିକ ନୀତିର ମୂଳ କଥା ହେଉଛି ଦେଶର ସାଧାରଣ ଲୋକଙ୍କୁ ଶୋଷଣ କରି ମୁନାଫାର ପାହାଡ ସୃଷ୍ଟି କରିବା ପାଇଁ ଦେଶୀ ବିଦେଶୀ ଏକଚାଟିଆ ପୁଞ୍ଜିପତିମାନଙ୍କୁ ସୁଯୋଗ ଦେବା । ଏହାର ପରିଣାମ ହେଉଛି ଆଦାନୀ ଜାଲିଆତି ଏବଂ ଏହାର ପ୍ରତିଫଳନ ଘଟିଛି ସଂପ୍ରତି ପ୍ରକାଶ ପାଇଥିବା ଅକ୍ସଫାମ ଇଣ୍ଡରନ୍ୟାସଲାନର ରିପୋର୍ଟରେ ।
ଏହି ପ୍ରସଙ୍ଗରେ ଆମେ ଗୋଟିଏ ବିଷୟ ସ୍ପଷ୍ଟ କରିଦେବାକୁ ଚାହୁଁ । ଦେଶର ଜନସାଧାରଣଙ୍କୁ ଆଜି ବୁଝିବାକୁ ହେବ ଯେ ଭୋଟ ଜରିଆରେ ଯେଉଁ ଦଳର ସରକାର କ୍ଷମତାସୀନ ହେଲେ ମଧ୍ୟ ଭାରତୀୟ ରାଷ୍ଟ୍ର ଗୋଟିଏ ପୁଞ୍ଜିବାଦୀ ରାଷ୍ଟ୍ର । ସରକାର ପରିବର୍ତ୍ତନ ସହିତ ରାଷ୍ଟ୍ରର ଚରିତ୍ର ପରିବର୍ତ୍ତିତ ହୁଏ ନାହିଁ । ଏହି ରାଷ୍ଟ୍ରର ଏକମାତ୍ର ଉଦ୍ଦେଶ୍ୟ ହେଉଛି ଶାସକ ଏକଚାଟିଆ ପୁଞ୍ଜିପତି ଶ୍ରେଣୀର ସ୍ୱାର୍ଥରକ୍ଷା କରିବା । କିନ୍ତୁ ସମୟର ଗତିପଥରେ ରାଜନୈତିକ, ଅର୍ଥନୈତିକ ବ୍ୟବସ୍ଥା ହିସାବରେ ପୁଞ୍ଜିବାଦ ଆଜି ପଚମାନ, ମରଣମୁଖୀ । ଦୁର୍ନୀତି ଏହି ପଚମାନ, ମରଣମୁଖୀ ପୁଞ୍ଜିବାଦୀ ବ୍ୟବସ୍ଥାର ଅବିଚ୍ଛେଦ୍ୟ ଅଙ୍ଗରେ ପରିଣତ ହୋଇଛି । ଆଜରି ପରିସ୍ଥିତିରେ ଯେକୌଣସି ଦଳ ବା ନେତା କ୍ଷମତାକୁ ଆସି ଏହି ବ୍ୟବସ୍ଥାକୁ ଦୀର୍ଘସ୍ଥାୟୀ କରିବା ପାଇଁ, ଏହି ବ୍ୟବସ୍ଥାର ସେବା କରିବା ପାଇଁ ଉଦ୍ୟମ କରିବାର ଅର୍ଥ ହେଉଛି ସେହି ନେତା ବା ଦଳ ଦୁର୍ନୀତିଗ୍ରସ୍ତ ହେବାକୁ ବାଧ୍ୟ । ଆଜି ବୁର୍ଜୁଆ ପେଟିବୁର୍ଜୁଆ ରାଜନୈତିକ ନେତାମାନେ ପୁଞ୍ଜିପତିମାନଙ୍କ ସହିତ ମାରାତ୍ମକ ଦୁର୍ନୀତିରେ ଲିପ୍ତ । ପ୍ରକୃତରେ ଆଜିଦିନରେ ଏହା ହିଁ ପୁଞ୍ଜିବାଦର ସ୍ୱରୂପ । ଆଦାନୀ ପ୍ରଭୃତିଙ୍କ ସହିତ ପ୍ରଧାନମନ୍ତ୍ରୀ ବା ଅନ୍ୟାନ୍ୟ ବିଜେପି ନେତାମାନଙ୍କର ଆଜି ସେହି ଧରଣର ସଂପର୍କ । ମୋଦିଙ୍କ ଭଳି ନେତାମାନେ ଏକଚାଟିଆ ପୁଞ୍ଜିପତିମାନଙ୍କର ରାଜନୈତିକ ମ୍ୟାନେଜର ଭାବରେ କାମ କରନ୍ତି । ସମସ୍ତ ବୈଧ-ଅବୈଧ ଉପାୟରେ ସେମାନେ ପୁଞ୍ଜିପତିମାନଙ୍କୁ ସୁବିଧା କରିଦିଅନ୍ତି । ସେମାନଙ୍କର ପୁଞ୍ଜିର ପରିମାଣ ବଢିଚାଲେ । ଏହାର ବିନିମୟରେ ସଂପୃକ୍ତ ଦଳ ବା ନେତା କ୍ଷମତାସୀନ ରହିବାର ଗ୍ୟାରେଣ୍ଟି ପାଏ । ସେଥିପାଇଁ ଅର୍ଥବଳ, ବାହୁବଳ, ପ୍ରଚାର ଯାହାକିଛି ଆବଶ୍ୟକ, ସେ ସବୁକିଛି ଏକଚାଟିଆ ପୁଞ୍ଜିପତିମାନେ ଯୋଗାଇ ଦିଅନ୍ତି । ଆଉ ସରକାରୀ କ୍ଷମତାରେ ବସିଥିବା ଶାସକ, ଏକଚାଟିଆ ପୁଞ୍ଜପତିମାନଙ୍କର ସେହି ମ୍ୟାନେଜର ପୁଣି ଲୋକଙ୍କୁ ବୁଝାଏ, ଦେଖ, ଦେଶର କେତେ ଉନ୍ନତି ହୋଇଛି । ଦେଖ, ଆମ ଦେଶରେ ହିଁ ଜଣେ ବ୍ୟକ୍ତି ବିଶ୍ୱର ୩ନମ୍ବର ଧନୀରେ ପରିଣତ ହୋଇ ଦେଶର ସମ୍ମାନ ବୃଦ୍ଧି କରିଛି । ବୁଭୁକ୍ଷୁ ଜନତା ଆଖି ବଡବଡ କରି ସେ ଆଡେ ଚାହିଁ ଭାବେ ମୋର ବେକାରୀ, ମୋର ଦାରିଦ୍ର୍ୟ, ମୋର ଅଶିକ୍ଷା, ଚିକିତ୍ସା ବିନା ମୋ ପ୍ରିୟଜନଙ୍କ ମୃତ୍ୟୁ, ମୋର ଅନାହାର, ଅର୍ଦ୍ଧାହାର ଏସବୁ କ’ଣ ମାୟା? ନେତା ବୁଝାଇ ଦିଅନ୍ତି, ପରିଶ୍ରମ କର ତୁମେ ବି ପାରିବ, ତୁମେ ବି ଦିନେ ବଡ ହୋଇପାରିବ । ବର୍ଷ ପରେ ବର୍ଷ, ଦଶନ୍ଧିପରେ ଦଶନ୍ଧି ଏହାହିଁ ଚାଲିଛି ।
ଆଜି ଏହା ନିଃସନ୍ଦେହରେ ବୁଝିବାକୁ ହେବ ଯେ, କେବଳ ଗୋଟିଏ ସରକାର ପରିବର୍ତ୍ତନ କରି ଆଉ ଗୋଟିଏ ସରକାରକୁ କ୍ଷମତାରେ ବସାଇଦେଲେ ଏହି ଧରଣର ଲଗାମଛଡା ଦୁର୍ନୀତି ରୋକି ହେବ ନାହିଁ କିମ୍ବା ଦେଶର ସାଧାରଣ ଲୋକଙ୍କୁ ଏହାର ମାରାତ୍ମକ ପରିଣତିରୁ ରକ୍ଷା କରାଯାଇ ପାରିବ ନାହିଁ । ଚରମ ଦୁର୍ନୀତିଗ୍ରସ୍ତ କଂଗ୍ରେସ ସରକାରକୁ କ୍ଷମତାଚ୍ୟୁତ କରି ଦେଶର ଜନସାଧାରଣ ବିଜେପିକୁ କ୍ଷମତାସୀନ କଲେ । ଏହାର ପରିଣତି ଦେଶର ଜନସାଧାରଣ ଆଜି ଜଳଜଳ କରି ଦେଖିବାକୁ ପାଉଛନ୍ତି । ସରକାର ବଦଳିଛି ମାତ୍ର ଦୁର୍ନୀତିର ଚିଠା ଲମ୍ବା ହେବାରେ ଲାଗିଛି । ହିଣ୍ଡେନବର୍ଗ ସଂସ୍ଥାର ଦାବି ଅନୁଯାୟୀ ଆଦାନୀ ଜାଲିଆତି ହେଉଛି ବିଶ୍ୱ କର୍ପୋରେଟ୍ ଜଗତର ସବୁଠାରୁ ବଡ ଦୁର୍ନୀତି । ଏହି ଅବସ୍ଥାରେ ଦୁର୍ନୀତି, ଶୋଷଣ, ଲୁଣ୍ଠନରୁ ସାମାନ୍ୟ ରକ୍ଷାପାଇବାକୁ ହେଲେ ସ୍ତରେ ସ୍ତରେ ଜନସାଧାରଣଙ୍କ ସଂଗ୍ରାମ କମିଟି ନେତୃତ୍ୱରେ ବ୍ୟାପକ ଗଣଆନ୍ଦୋଳନ ଗଢିତୋଳି ସରକାର ଓ ପ୍ରଶାସନ ଉପରେ ନିୟନ୍ତ୍ରଣ ପ୍ରତିଷ୍ଠା କରିବାକୁ ହେବ । ଏହିଭଳି ଭାବରେ ଶୋଷିତ ଜନସାଧାରଣଙ୍କ ଜୀବନର ଜ୍ୱଳନ୍ତ ସମସ୍ୟାବଳୀ ସମାଧାନ ଦାବିରେ ବ୍ୟାପକ ଗଣଆନ୍ଦୋଳନ ଗଢିତୋଳି ତା’ର ଆଘାତରେ ଏହି ପୁଞ୍ଜିବାଦୀ ବ୍ୟବସ୍ଥାକୁ ଭାଙ୍ଗିଦେବାର ପରିସ୍ଥିତି ସୃଷ୍ଟି କରିବାକୁ ହେବ । ଅନ୍ୟଥା ଦୁର୍ନୀତି ଦୂର ହେବ ନାହିଁ କିମ୍ବା ମଣିଷ ଶୋଷଣ ଅତ୍ୟାଚାର, ବଂଚନା ଓ ଲୁଣ୍ଠନରୁ ରକ୍ଷା ପାଇପାରିବ ନାହିଁ । ଏହା ହିଁ ଇତିହାସର ଶିକ୍ଷା ।