ସାଂପ୍ରଦାୟିକ ରାଜନୀତି ସୁଭାଷଚନ୍ଦ୍ରଙ୍କ ଆଦର୍ଶ ବିରୋଧି – ନେତାଜୀଙ୍କ କନ୍ୟା ଅନୀତା ବୋଷ ଫାପ୍
Sarbaharakranti Dt 09.03.23 – (ବିଶିଷ୍ଟ ସାମ୍ବାଦିକ ଅର୍କ ଭାଦୁଡି ସଂପ୍ରତି ତାଙ୍କର ଜର୍ମାନୀ ଗସ୍ତ ସମୟରେ ଜର୍ମାନୀର ଷ୍ଟାଡବୁର୍ଗେନ ସହରରେ ବାସ କରୁଥିବା ନେତାଜୀଙ୍କର କନ୍ୟା ପ୍ରଫେସର ଅନୀତା ବୋଷ ଫାପ୍ଙ୍କ ଘରକୁ ଯାଇ ତାଙ୍କର ସାକ୍ଷାତକାର ନେଇଥିଲେ । ଏହି ସାକ୍ଷାତକାରଟି ନାଗରିକ ଡଟ୍ ନେଟ୍ ପତ୍ରିକାରେ ପ୍ରକାଶିତ ହୋଇଥିଲା । ସେହି ସାକ୍ଷାତକାରର ନିର୍ବାଚିତ ଅଂଶ ମହାନ ଯୋଦ୍ଧା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ୧୨୬ତମ ଜନ୍ମ ବାର୍ଷିକୀ ଉପଲକ୍ଷେ ସର୍ବହରା କ୍ରାନ୍ତିରେ ପ୍ରକାଶ କରାଯାଉଛି । – ସଂପାଦକ, ସର୍ବହରା କ୍ରାନ୍ତି)
ପ୍ରଶ୍ନ- ଭାରତର ସ୍ୱାଧୀନତାକୁ ୭୫ବର୍ଷ ହେଲା । ଏହା ସହିତ ଗତବର୍ଷ ସୁଭାଷ ବୋଷଙ୍କର ୧୨୫ତମ ଜନ୍ମ ବାର୍ଷିକୀ ପାଳିତ ହୋଇଛି । ଆପଣ କ’ଣ ଭାବୁଛନ୍ତି ସ୍ୱାଧୀନ ଭାରତ ତାଙ୍କର ଅବଦାନକୁ ଯଥାର୍ଥ ସ୍ୱୀକୃତି ଦେଇପାରିଛି?
ପ୍ରଫେସର ଫାପ୍- ମୋ ବାପା ସୁଭାଷ ଚନ୍ଦ୍ର ବୋଷ ଭାରତର ସ୍ୱାଧୀନତା ପାଇଁ ସମଗ୍ର ଜୀବନ ଉତ୍ସର୍ଗ କରିଥିଲେ । କିନ୍ତୁ ୧୯୪୭ ମସିହାରେ ସ୍ୱାଧୀନତା ପ୍ରାପ୍ତି ପରେ ଭାରତ ତାଙ୍କର ଅବଦାନ ପାଇଁ ତାଙ୍କୁ ପ୍ରାପ୍ୟ ମର୍ଯ୍ୟାଦା ଦେଇପାରିଛି ବୋଲି ମୋର ମନେ ହେଉନାହିଁ । ସୁଭାଷ ଚନ୍ଦ୍ର ବୋଷ ଏବଂ ଆଜାଦ ହିନ୍ଦ୍ ଫୌଜର ଅବଦାନର ଯଥାର୍ଥ ସ୍ୱୀକୃତି ଆଜି ବି ମିଳିନାହିଁ । ଭାରତର ସ୍ୱାଧୀନତା ଆନ୍ଦୋଳନର ଦୁଇଟି ଧାରା ଥିଲା । ଗୋଟିଏ ଧାରା ଅହିଂସ ପନ୍ଥାରେ ଓ ଅନ୍ୟଟି ଅପୋଷହୀନ ସଂଗ୍ରାମରେ ବିଶ୍ୱାସୀ । ମୋ ବାପା ଦ୍ୱିତୀୟ ଧାରାର ଉଜ୍ଜ୍ୱଳତମ ପ୍ରତିନିଧି ଥିଲେ । ବହୁ ଦଶକଧରି ଗୋଟିଏ ପ୍ରଚାର ଚାଲିଆସିଛି ଯେ ଭାରତର ସ୍ୱାଧୀନତା ପ୍ରାପ୍ତିର କୃତିତ୍ୱ ଅହିଂସ ଧାରାର । ଏହା ଠିକ୍ ନୁହେଁ । ସଶସ୍ତ୍ର ସ୍ୱାଧୀନତା ସଂଗ୍ରାମୀମାନଙ୍କର ମଧ୍ୟ ବିରାଟ ଭୂମିକା ଥିଲା । ସୁଭାଷ ଚନ୍ଦ୍ର ବୋଷଙ୍କ ନେତୃତ୍ୱରେ ଆଜାଦ ହିନ୍ଦ୍ ଫୌଜର ଐତିହାସିକ ସଂଗ୍ରାମ ଚିରଦିନ ପାଇଁ ସ୍ୱାଧୀନତା ସଂଗ୍ରାମର ଇତିହାସରେ ଉଜ୍ଜ୍ୱଳ ଅକ୍ଷରରେ ଲେଖା ରହିବ । ଲାଲକିଲ୍ଲାରେ ଆଜାଦ ହିନ୍ଦ ଫୌଜର ବିପ୍ଳବୀ ଯୋଦ୍ଧାମାନଙ୍କର ବିଚାର ଚାଲିଥିଲାବେଳେ ସେମାନଙ୍କର ମୁକ୍ତି ଦାବିରେ ସମଗ୍ର ଦେଶ ଉତ୍ତାଳ ହୋଇ ଉଠିଥିଲା । ସେମାନେ ହିଁ ନୌବିଦ୍ରୋହର ଅନ୍ୟତମ ଅନୁପ୍ରେରଣା ଥିଲେ । ଏହି ବିଷୟଗୁଡିକ ଉପରେ ଆହୁରି ଅଧିକ ଚର୍ଚ୍ଚା ହେବା ପ୍ରୟୋଜନ ।
ତେବେ ମୁଁ ଗୋଟିଏ କଥା କହିବାକୁ ଚାହେଁ, ଇତିହାସବିଦ୍ ବା ରାଜନୈତିକ ନେତାମାନଙ୍କ ଭୂମିକା ଉପରେ ବାପାଙ୍କର ସ୍ମୃତି ନିର୍ଭରଶୀଳ ନୁହେଁ । ଭାରତର କୋଟି କୋଟି ସାଧାରଣ ଲୋକ ବାପାଙ୍କର ସ୍ମୃତିକୁ ହୃଦୟରେ ବହନ କରୁଛନ୍ତି । ଏତେ ବର୍ଷ ପରେ ମଧ୍ୟ ସୁଭାଷ ଚନ୍ଦ୍ର ବୋଷ କୋଟି କୋଟି ଲୋକଙ୍କ ଜୀବନର ଆଦର୍ଶ । ତାଙ୍କ ଭଳି ଜଣେ ସ୍ୱାଧୀନତା ସଂଗ୍ରାମୀଙ୍କ ପକ୍ଷରେ ଏହାଠାରୁ ଅଧିକ କିଛି ପାଇବାର ନାହିଁ ।
ପ୍ରଶ୍ନ- ଭାରତରେ ନିର୍ବାଚନ ଆସିଲେ ବହୁ ରାଜନୈତିକ ଦଳ ସୁଭାଷ ଚନ୍ଦ୍ର ବୋଷଙ୍କ କଥା କହନ୍ତି, ତାଙ୍କର ଛବି ନିର୍ବାଚନ ପ୍ରଚାରରେ ବ୍ୟବହାର କରାଯାଏ । ସଂପ୍ରତି ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ସୁଭାଷ ଚନ୍ଦ୍ର ବୋଷଙ୍କର ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି । ଆପଣ ଏହି ବିଷୟଟିକୁ କିଭଳି ଭାବରେ ଦେଖନ୍ତି ।
ପ୍ରଫେସର ଫାପ୍- ମୁଁ ସବୁବେଳେ ଭାରତର ଖବର ରଖେ । ନିର୍ବାଚନ ପୂର୍ବରୁ ବିଭିନ୍ନ ରାଜନୈତିକ ଦଳ ଯେ ବାପାଙ୍କୁ ନେଇ ସକ୍ରିୟ ହୁଅନ୍ତି, ତାଙ୍କ ଛବି ବ୍ୟବହାର କରନ୍ତି ଏସବୁ ମୁଁ ଜାଣେ । ଏ ସଂପର୍କରେ ମୋର ବିଶେଷ କିଛି କହିବାର ନାହିଁ । ସୁଭାଷ ଚନ୍ଦ୍ର ବୋଷଙ୍କୁ ତ ତାଙ୍କ ଦେଶର ଲୋକ ଶ୍ରଦ୍ଧା ଜ୍ଞାପନ କରିବେ । ରାଜନୈତିକ ଦଳଗୁଡିକ ଦେଶର ହିଁ ଅଂଶ । ତେବେ ଏହି ଶ୍ରଦ୍ଧା ନିବେଦନ ଯେଭଳି ପ୍ରକୃତରେ ହିଁ ହୁଏ । ମୋ ବାପା କଂଗ୍ରେସ ସଭାପତି ଥିଲେ, ଫରୱାର୍ଡ ବ୍ଲକ୍ ମଧ୍ୟ ଗଠନ କରିଥିଲେ । କଂଗ୍ରେସ ବିଭାଜିତ ହୋଇ ତୃଣମୂଳ କଂଗ୍ରେସ ଗଠିତ ହୋଇଛି । ତେବେ କଂଗ୍ରେସ ଯେ ସବୁ ସମୟରେ ସୁଭାଷ ଚନ୍ଦ୍ର ବୋଷଙ୍କ ଆତ୍ମତ୍ୟାଗର ସ୍ୱୀକୃତି ଦେବାପାଇଁ ଖୁବ୍ ଉତ୍ସାହି ସେଭଳି ମୋର ମନେ ହେଉନାହିଁ । ପୁଣି ଦିଲ୍ଲୀରେ ମୂର୍ତ୍ତି ଉନ୍ମୋଚନ କାର୍ଯ୍ୟକ୍ରମରେ ମୁଁ ଯୋଗ ଦେଇନାହିଁ । ୮ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀ ମୂର୍ତ୍ତି ଉନ୍ମୋଚନ କରିଥିଲେ । ମୁଁ ସେପ୍ଟେମ୍ବର ୩ତାରିଖରେ ନିମନ୍ତ୍ରଣ ପତ୍ର ପାଇଲି । ୮ସେପ୍ଟେମ୍ବର ଦିନଟିକୁ କାହିଁକି ସ୍ଥିର କରାଗଲା ତା’ ମୁଁ ବୁଝିପାରିଲି ନାହିଁ । ସେହି ଦିନଟି ସହିତ ସୁଭାଷ ଚନ୍ଦ୍ର ବୋଷଙ୍କର କୌଣସି ସଂପର୍କ ନାହିଁ ।
ଆଉ ଗୋଟିଏ କଥା କହିବାକୁ ଚାହୁଁଛି । ସୁଭାଷ ଚନ୍ଦ୍ର ବୋଷ ସ୍ୱାଧୀନ, ଧର୍ମନିରପେକ୍ଷ ଭାରତର ସ୍ୱପ୍ନ ଦେଖିଥିଲେ । ତାଙ୍କ ଆଜାଦ ହିନ୍ଦ୍ ବାହିନୀରେ କୌଣସି ସ୍ଥାନରେ ମଧ୍ୟ କୌଣସି ପ୍ରକାର ଧର୍ମୀୟ ଭେଦଭାବ ନଥିଲା । ସାଂପ୍ରଦାୟିକ ରାଜନୀତି ସହିତ ତାଙ୍କର ମତାଦର୍ଶ ଆଦୌ ମେଳ ଖାଏନାହିଁ । ଧର୍ମୀୟ ଭେଦଭାବର ରାଜନୀତି ଏବଂ ସୁଭାଷ ଚନ୍ଦ୍ର ବୋଷଙ୍କ ଆଦର୍ଶ ପରସ୍ପର ବିରୋଧୀ ।
ପ୍ରଶ୍ନ- ଅନେକ ଅଭିଯୋଗ କରିଛନ୍ତି ଯେ, ସାଂପ୍ରତିକ ସମୟରେ ଭାରତରେ ଧର୍ମନିରପେକ୍ଷତା ଉପରେ ଆକ୍ରମଣ ହେଉଛି। ଏ ବିଷୟରେ ଆପଣଙ୍କର ମତ କ’ଣ?
ପ୍ରଫେସର ଫାପ୍- ମୁଁ ଏହି ପ୍ରସଙ୍ଗରେ ମୋ ବାପାଙ୍କର ରାଜନୈତିକ ଓ ବ୍ୟକ୍ତିଗତ ଅନୁଶୀଳନ କଥା କହିପାରିବି । ପୂର୍ବରୁ କହିଛି, ସୁଭାଷ ଚନ୍ଦ୍ର ଯେଉଁ ସ୍ୱାଧୀନ ଭାରତର ସ୍ୱପ୍ନ ଦେଖିଥିଲେ, ତା’ ଏକ ଧର୍ମନିରପେକ୍ଷ ରାଷ୍ଟ୍ର । ଏହି ବିଷୟଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଧର୍ମୀୟ ଆଚରଣ ବ୍ୟକ୍ତିଗତ ବିଷୟ, କିନ୍ତୁ ରାଷ୍ଟ୍ରକୁ ଧର୍ମନିରପେକ୍ଷ ହେବାକୁ ପଡିବ । ସମସ୍ତ ନାଗରିକଙ୍କର ଅଧିକାର ଓ ମର୍ଯ୍ୟାଦା ରକ୍ଷା କରିବାକୁ ହେବ । ତା’ ଯଦି କୌଣସି ବି ଦେଶରେ ନହୁଏ ତା’ହେଲେ ଏହା ଦୁଃଖଜନକ । ବିଭାଜନର ରାଜନୀତି ମୋ ବାପାଙ୍କର ରାଜନୈତିକ ଅନୁଶୀଳନ ଓ ମତାଦର୍ଶର ପରିପନ୍ଥୀ । ସେ ଯେତେବେଳେ ବୁଡାଜାହାଜରେ ଅତ୍ୟନ୍ତ ବିପଦପୂର୍ଣ୍ଣ ଯାତ୍ରା କରିଥିଲେ ସେତେବେଳେ ଜଣେ ମୁସଲମାନ ତାଙ୍କ ସହିତ ଥିଲେ । ଶେଷ ବିମାନଯାତ୍ରାରେ ମଧ୍ୟ ଜଣେ ମୁସଲମାନ ତାଙ୍କର ସଙ୍ଗୀ ଥିଲେ । ଆଜାଦ ହିନ୍ଦ ଫୌଜରେ କୌଣସି ଧର୍ମୀୟ ସଂଭାଷଣର ସ୍ଥାନ ନଥିଲା, ଗୋଟିଏ ମାତ୍ର ସଂଭାଷଣ ‘ଜୟ ହିନ୍ଦ୍’ । ଏହି କଥାଗୁଡିକୁ ସ୍ମରଣ ରଖିବା ଜରୁରୀ ।
ପ୍ରଶ୍ନ- ଆପଣଙ୍କ ମାଆଙ୍କ ବିଷୟରେ କିଛି କୁହନ୍ତୁ । ସେମାନଙ୍କ ମଧ୍ୟରେ କିଭଳି ସଂପର୍କ ହେଲା?
ପ୍ରଫେସର ଫାପ୍- ମୋ ମାଙ୍କର ଜନ୍ମ ୧୯୧୦ ମସିହାରେ । ତାଙ୍କୁ ଯେତେବେଳେ ୨୪ବର୍ଷ ବୟସ, ସେତେବେଳେ ତାଙ୍କ ସହିତ ବାପାଙ୍କର ସାକ୍ଷାତ ହୋଇଥିଲା । ୧୯୩୪ ମସିହାରେ ବାପା ଚିକିତ୍ସା ପାଇଁ ଭିଏନାରେ ଥିଲେ । ମାଣ୍ଡାଲେ ଓ ବର୍ମାରେ ଜେଲ୍ରେ ଥିଲାବେଳେ ସେ ଅତ୍ୟନ୍ତ ଅସୁସ୍ଥ ହୋଇପଡିଥିଲେ । ବ୍ରିଟିଶ ସରକାର ତାଙ୍କୁ ଚିକିତ୍ସା ପାଇଁ ଭିଏନା ଆସିବାକୁ ସସର୍ତ୍ତ ଅନୁମତି ଦେଇଥିଲା । ଭିଏନାରେ ଥିବାବେଳେ ବାପା ଗୋଟିଏ ବହି ଲେଖୁଥିଲେ ଏବଂ ସେଥିପାଇଁ ଜଣେ ସେକ୍ରେଟାରୀ ଖୋଜୁଥିଲେ । ଜଣେ ଭାରତୀୟ ଛାତ୍ର ତାଙ୍କୁ ମୋ ମାଙ୍କ କଥା କହିଥିଲେ ଏବଂ ମା ସେକ୍ରେଟାରୀ ଭାବରେ କାମରେ ଯୋଗ ଦେଇଥିଲେ । କିଛିଦିନ ମଧ୍ୟରେ ହିଁ ସେମାନେ ପରସ୍ପର ପ୍ରତି ଆକୃଷ୍ଟ ହୋଇଥିଲେ ।
ତୃତୀୟ ଦଶକର ଦ୍ୱିତୀୟାର୍ଦ୍ଧରେ ପ୍ରାୟ ସମୁଦାୟ ସମୟ ବାପା ଭାରତରେ ରହିଥିଲେ । ୧୯୩୮ ମସିହାରେ ସେ ସଭାପତି ନିର୍ବାଚିତ ହୋଇଥିଲେ, ୧୯୩୯ ମସିହାରେ ମହାତ୍ମା ଗାନ୍ଧିଙ୍କ ସମର୍ଥିତ ପ୍ରାର୍ଥୀ ପଟ୍ଟାଭି ସୀତାରାମାୟାଙ୍କୁ ପରାସ୍ତ କରି ସେ ପୁନର୍ବାର ସଭାପତି ହୋଇଥିଲେ । ଏହାପରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହୋଇଥିଲା । ୧୯୪୧ ମସିହାରେ ବାପା ପୁନର୍ବାର ଜର୍ମାନୀରେ ପାଦ ଦେଇଥିଲେ । ୧୯୪୩ ମସହାରେ ସେ ବୁଡାଜାହାଜରେ ଜାପାନ ଯାତ୍ରା କରିଥିଲେ । ମୋ ଜନ୍ମ ହେଲା ୧୯୪୨ ମସିହାରେ ।
ପ୍ରଶ୍ନ- ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ସୁଭାଷ ଚନ୍ଦ୍ର ବୋଷଙ୍କର ରାଜନୈତିକ କାର୍ଯ୍ୟକଳାପ, ବିଭିନ୍ନ ଦେଶ ସହିତ ସଂପର୍କ ପ୍ରତିଷ୍ଠା କରିବା ବିଷୟରେ କିଛି କୁହନ୍ତୁ ।
ପ୍ରଫେସର ଫାପ୍- ମୋ ବାପାଙ୍କର ପ୍ରଥମ ଓ ଶେଷ ଲକ୍ଷ୍ୟ ଥିଲା ତାଙ୍କ ମାତୃଭୂମିର ସ୍ୱାଧୀନତା ଲାଭ । ବ୍ରିଟିଶ ଶାସନର ଅବସାନ ଘଟାଇବା ପାଇଁ ସେ ସବୁକିଛି କରିବାକୁ ପ୍ରସ୍ତୁତ ଥିଲେ । ବିଶ୍ୱଯୁଦ୍ଧ ଆରମ୍ଭ ହେବା ପରେ ସେ ଉପଲବ୍ଧି କରିଥିଲେ ଯେ ମାହେନ୍ଦ୍ରବେଳା ଉପସ୍ଥିତ ହୋଇଛି । କଣଠେସା ହୋଇପଡିଥିବା ବ୍ରିଟିଶ ହାତରୁ ସ୍ୱାଧୀନତା ଛଡାଇନେବାର ସମୟ ଉପସ୍ଥିତ । ସୁଭାଷ ଚନ୍ଦ୍ର ଆହୁରି ମନେ କରିଥିଲେ, ଦେଶରେ ରହି ଏହି କାମ କରିବା ସମ୍ଭବ ନୁହେଁ । ଦେଶ ବାହାରୁ ଧକ୍କା ଦେବାକୁ ହେବ ।
ସ୍ୱାଧୀନତା ସଂଗ୍ରାମର ଶେଷ ଲଗ୍ନରେ ସେ ବୈଦେଶିକ ସାହାଯ୍ୟର ପ୍ରୟୋଜନ ଉପଲବ୍ଧି କରିଥିଲେ । ତାଙ୍କର ପ୍ରଥମ ପସନ୍ଦର ଦେଶଥିଲା ସୋଭିଏତ୍ ୟୁନିୟନ୍ । ସ୍ମରଣ ରଖିବା ଆବଶ୍ୟକ ସେ ଜର୍ମାନୀ ଆସିଥିଲେ ସୋଭିଏତ୍ ୟୁନିୟନ ଉପର ଦେଇ । କିନ୍ତୁ ପରିସ୍ଥିତି ଦ୍ରୁତ ପରିବର୍ତ୍ତିତ ହେଉଥିଲା । ସୋଭିଏତ୍ ୟୁନିୟନ୍ ତାଙ୍କୁ ସାହାଯ୍ୟ କରିପାରିଲା ନାହିଁ । ଏହି ଅବସ୍ଥାରେ ଭାରତର ସ୍ୱାଧୀନତା ପାଇଁ ସେ ଜର୍ମାନୀ, ଜାପାନ ଏବଂ ଇଟାଲୀର ସାହାଯ୍ୟ ନେଇଥିଲେ । ନିଃସନ୍ଦେହରେ ଏହି ଦେଶମାନଙ୍କର ସାହାଯ୍ୟନେବା ତାଙ୍କ ପକ୍ଷରେ ‘ଗ୍ରେଟ ଚଏସ୍(Great Choice)’ ନ ଥିଲା । କିନ୍ତୁ ଆମେ ଯଦି ଇତିହାସ ଉପରେ ଦୃଷ୍ଟିପାତ କରୁ, ତା’ହେଲେ ଦେଖିବାକୁ ପାଇବା ଯେ, ଏହା ବ୍ୟତୀତ ଅନ୍ୟ କୌଣସି ଉପାୟ ନ ଥିଲା । ଭାରତର ସ୍ୱାଧୀନତା ପାଇଁ ସେ ବ୍ରିଟେନ୍ର ଶତ୍ରୁପକ୍ଷର ସାହାଯ୍ୟ ପାଇଥିଲେ । ଏହି ବିଶେଷ ସମୟରେ ତାଙ୍କୁ ବ୍ରିଟେନ୍ର ଶତ୍ରୁମାନଙ୍କର ସାହାଯ୍ୟ ନେବାକୁ ହୋଇଥିଲା ।
ସୁଭାଷ ଚନ୍ଦ୍ର ଯେ ଫାସିଷ୍ଟ ନଥିଲେ ତା’ ପୁଣିଥରେ କହିବାର ପ୍ରୟୋଜନ ନାହିଁ । ଜର୍ମାନୀ ଯେତେବେଳେ ସୋଭିଏତ୍ ୟୁନିୟନ ଉପରେ ଆକ୍ରମଣ କଲା, ବାପା ସେତେବେଳେ ଅତ୍ୟନ୍ତ ବିଚଳିତ ବୋଧ କରିଥିଲେ । ଏହା ଫଳରେ ତାଙ୍କର ବହୁ ପରିକଳ୍ପନା ଧକ୍କା ପାଇଥିଲା । ଜର୍ମାନୀରେ ଥିବା ଆଜାଦ ହିନ୍ଦ ବାହିନୀର ଶାଖାକୁ ସ୍ପଷ୍ଟ ନିର୍ଦ୍ଦେଶ ଥିଲା, ସେମାନେ କେବଳମାତ୍ର ବ୍ରିଟିଶ ବିରୁଦ୍ଧରେ ଲଢେଇ କରିବେ । ଏଥିପାଇଁ ସେମାନେ କେବେହେଲେ ଋଷିଆ ବିରୁଦ୍ଧରେ ଯୁଦ୍ଧ କରିବାକୁ ଯାଇନଥିଲେ । ଅତ୍ୟନ୍ତ ଜଟିଳ ଭୂ-ରାଜନୈତିକ(Geo-Political) ପରିସ୍ଥିତିରେ ଠିଆହୋଇ ବିଶ୍ୱଯୁଦ୍ଧ ଚାଲିଥିଲାବେଳେ ଭାରତର ସ୍ୱାଧୀନତା ପାଇଁ ସୁଭାଷ ଚନ୍ଦ୍ର କେତେକ ପଦକ୍ଷେପ ନେଇଥିଲେ ।
ପ୍ରଶ୍ନ- ଆଜିର ଭାରତରେ ସୁଭାଷ ଚନ୍ଦ୍ର ବୋଷଙ୍କର ରାଜନୈତିକ ମତାଦର୍ଶ କେତେଦୂର ପ୍ରାସଙ୍ଗିକ?
ପ୍ରଫେସର ଫାପ୍- ମୋ ବାପା ବାମପନ୍ଥୀ ଥିଲେ । ଏକଥା ଠିକ୍ ସେ କମ୍ୟୁନିଷ୍ଟ ନଥିଲେ, ସେ ଭାରତର କମ୍ୟୁନିଷ୍ଟ ପାର୍ଟି(CPI)ର ସଦସ୍ୟ ନଥିଲେ, ମାତ୍ର ମତାଦର୍ଶଗତ ଭାବରେ ସେ ଥିଲେ ବାମପନ୍ଥୀ । ବାପା ଧର୍ମନିରପେକ୍ଷତା ଆଦର୍ଶରେ ବିଶ୍ୱାସ କରୁଥିଲେ । ମହିଳାମାନଙ୍କର ସଶକ୍ତିକରଣ ଉପରେ ଜୋର ଦେଉଥିଲେ । ଗତ ଶତାବ୍ଦିର ୪ର୍ଥ ଦଶକରେ ସେ ଆଜାଦ ହିନ୍ଦ ଫୌଜର ମହିଳା ବାହିନୀ ଗଠନ କରିଥିଲେ, ଯାହାର ନେତୃତ୍ୱରେ ରହିଥିଲେ ଲକ୍ଷ୍ମୀ ସ୍ୱାମୀନାଥନ(ପରବର୍ତ୍ତୀ ସମୟରେ ଲକ୍ଷ୍ମୀ ସାଇଗଲ) । ଧର୍ମ ଧର୍ମ ମଧ୍ୟରେ ଭେଦଭାବ ନୁହେଁ, ସବୁପ୍ରକାର ଧର୍ମାବଲମ୍ବୀ ଲୋକମାନଙ୍କର ସମାନ ଅଧିକାର ରାଷ୍ଟ୍ରକୁ ନିଶ୍ଚିତ କରିବାକୁ ହେବବୋଲି ବାପା ବିଶ୍ୱାସ କରୁଥିଲେ । ମୁଁ ମନେ କରୁଛି, ଏ ସମସ୍ତ ବିଷୟ ହିଁ ବର୍ତ୍ତମାନର ଭାରତବର୍ଷ ପାଇଁ ଅତ୍ୟନ୍ତ ପ୍ରାସଙ୍ଗିକ ଓ ଗୁରୁତ୍ୱପୂର୍ଣ୍ଣ ।