ଚାଷଜମି ଓ ଘରଡିହର ପଟ୍ଟା ଯୋଗାଇଦେବା,ସମସ୍ତ ଗ୍ରାମକୁ ପାନୀୟ ଜଳ ଓ ବିଦ୍ୟୁତ କରଣ ଆଦି ଦାବିରେ ତେଲକୋଇ ବ୍ଲକ ଅଫିସ ସମ୍ମୁଖରେ ବିକ୍ଷୋଭ-ଏସ୍ ୟୁ ସି ଆଇ (କମ୍ୟୁନିଷ୍ଟ)

Jajpur Date 01.03.2023 : ଏସ୍ ୟୁ ସି ଆଇ (କମ୍ୟୁନିଷ୍ଟ) ପକ୍ଷରୁ ଜନଜୀବନର ଜ୍ୱଳନ୍ତ ସମସ୍ୟାର ସମାଧାନ କରିବା ପାଇଁ ୯ଦଫା ଦାବିରେ ଆଜି ତେଲକୋଇ ବ୍ଲକ ଅଫିସ ସମ୍ମୁଖରେ ଏକ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି।ବିକ୍ଷୋଭ ପୂର୍ବରୁ ଏକ ସୁଶୋଭିତ ପଟୁଆରରେ ବ୍ଲକର ବିଭିନ୍ନ ଅଞ୍ଚଳରୁ ଆସିଥିବା ବହୁ ସଂଖ୍ୟକ ଚାଷୀ, ମୂଲିଆ ଓ ମହିଳା ହାତରେ ବ୍ୟାନର ପ୍ଲାକାର୍ଡ ଧରି ସାମକୋଇ ନଦୀ କୂଳରୁ ଶୋଭାଯାତ୍ରାରେ ସମସ୍ତ ଯୋଗ୍ୟ ହିତାଧିକାରୀ ଙ୍କୁ ଚାଷଜମି ଓ ଘରଡ଼ିହର ପଟ୍ଟା ଯୋଗାଇଦେବା, ସମସ୍ତ ଗ୍ରାମକୁ ପକ୍କା ରାସ୍ତା, ପାନୀୟ ଜଳର ସୁବନ୍ଦୋବସ୍ତ କରିବା, ଗରିବ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ଯୋଗାଇ ଦେବା, ତେଲକୋଇ ଡାକ୍ତର ଖାନାରେ ବିଭିନ୍ନ ବିଭାଗରେ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ସହିତ ବ୍ଲକର ବିଭିନ୍ନ ଡାକ୍ତର ଖାନାରେ ସ୍ଥାୟୀ ଡାକ୍ତର ନିଯୁକ୍ତି କରିବା ଓ ସମସ୍ତ ଗ୍ରାମକୁ ବିଦ୍ୟୁତ ସଂଯୋଗ କରିବା ଆଦି ସ୍ଲୋଗାନ ମାନ ଦେଇ ବଜାର ପରିକ୍ରମା କଲା ପରେ ବ୍ଲକ ଅଫିସ ସମ୍ମୁଖରେ ପହଞ୍ଚିଥିଲେ।ସେଠାରେ ବିଶିଷ୍ଟ ସଙ୍ଗଠକ ବିଜୟାନନ୍ଦ ମଲ୍ଲିକଙ୍କ ସଭାପତିତ୍ୱ ରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା।ଏହି ସଭାରେ ପାର୍ଟିର ରାଜ୍ୟ ସମ୍ପାଦକ ମଣ୍ଡଳୀର ବରିଷ୍ଠ ସଦସ୍ୟ ତଥା ଅଲ ଇଣ୍ଡିଆ କିଷାନ କ୍ଷେତ ମଜଦୂର ସଂଗଠନ ର ରାଜ୍ୟ ସମ୍ପାଦକ କମ୍ରେଡ଼ ରଘୁନାଥ ଦାଶ ଯୋଗଦେଇ ବିକ୍ଷୋଭ ପ୍ରଦର୍ଶନ କାରିଙ୍କୁ ଉଦବୋଧନ ଦେଇ କହିଥିଲେ ଯେ ଆମର ନାର୍ଯ୍ୟଦାବି ଗୁଡିକ ହାସଲ କରିବାକୁ ହେଲେ ଶକ୍ତିଶାଳୀ ଗଣ ଆନ୍ଦୋଳନ ହିଁ ଏକମାତ୍ର ରାସ୍ତା।ସରକାର ଯଦି ଆମର ଦାବି ଗୁଡିକୁ ପୂରଣ ନକରନ୍ତି ଅଗାମୀ ଦିନରେ ବୃହତ୍ତର ଆନ୍ଦୋଳନ ପାଇଁ ସଂଗଠନ କୁ ଶକ୍ତିଶାଳୀ କରିବା ପାଇଁ ବିକ୍ଷୋଭ କାରୀଙ୍କୁ ଆହ୍ୱାନ ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ପାର୍ଟିର କେନ୍ଦୁଝର ଜିଲ୍ଲା ସମ୍ପାଦକ ପ୍ରକାଶ ମଲ୍ଲିକ ତାଙ୍କର ବକ୍ତବ୍ୟ ରଖିଥିଲେ। ସଙ୍ଗଠକ ଅପି ମହାନ୍ତ, ରଘୁନାଥ ହେମ୍ବ୍ରମ, କାରୁ ହେମ୍ବ୍ରମ, ଲଷ୍ମୀଧର ନାୟକ, ବାଗୁନ ମୁଣ୍ଡା, ରତ୍ନାକର ହେମ୍ବ୍ରମ, ଚରଣ ହେମ୍ବ୍ରମ, ଦୁଃଶାସନ ମହାନ୍ତ ଆଦି ଏହି ବିକ୍ଷୋଭ କାର୍ଯ୍ୟକ୍ରମ ରେ ସକ୍ରିୟ ଭୂମିକା ପାଳନ କରିଥିଲେ।ସର୍ବଶେଷରେ ବି ଡି ଓ ଙ୍କୁ ୯ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା।ଦାବି ଗୁଡିକର ଯଥାର୍ଥତା ବିଚାର କରି ପଦକ୍ଷେପ ନିଆଯିବ ବୋଲି ବି ଡି ଓ ଆନ୍ଦୋଳନ କାରୀଙ୍କୁ କହିଥିଲେ।ଏହାପରେ ବିକ୍ଷୋଭ କାର୍ଯ୍ୟକ୍ରମ ଶେଷ ହୋଇଥିଲା।

Leave a Reply

Your email address will not be published. Required fields are marked *