ସର୍ବହରାର ମହାନ୍ ନେତା କମ୍ରେଡ୍ ଶିବଦାସ ଘୋଷଙ୍କ ଜନ୍ମ ଶତବର୍ଷ ଅବସରରେ ଏସ୍‌.ୟୁ.ସି.ଆଇ(କମ୍ୟୁନିଷ୍ଟ) ପ୍ରତିଷ୍ଠା ଦିବସର ଆହ୍ୱାନ

Sarbaharakranti Date 01.04.2023 –

ଦୁଇ ଶହ ବର୍ଷର ବ୍ରିଟିଶ ଶାସନ ୧୯୪୭ ଅଗଷ୍ଟ ୧୫ ତାରିଖରେ ଏ ଦେଶରୁ ହଟିଛି । ମାତ୍ର କୋଟି କୋଟି ମଣିଷର ଜୀବନର ଗୋଲାମୀ, ଶୋଷଣ, କଷଣ ଓ ନିର୍ଯ୍ୟାତନା ହଟି ନାହିଁ । ବରଂ ଦେଶର ଶ୍ରମିକ, ଚାଷୀ-ମୂଲିଆ, ଛାତ୍ର-ଯୁବକ, ମହିଳା, ଶିକ୍ଷକ, ସରକାରୀ କର୍ମଚାରୀ, ଛୋଟ ବେପାରୀ, ମଧ୍ୟବିତ୍ତ ଓ ସାଧାରଣ ମଣିଷ ଉପରେ ଶୋଷଣ, ଜୁଲୁମ, ଅତ୍ୟାଚାର ନୂଆ ନୂଆ ଓ ଆହୁରି ଭୟଙ୍କର ରୂପରେ ସ୍ୱାଧୀନ ଭାରତ ସରକାରମାନଙ୍କ ଦ୍ୱାରା ଚାଲୁ ହୋଇଛି । ଖୋଦ କେନ୍ଦ୍ର ସରକାରଙ୍କର ରିପୋର୍ଟ ଅନୁଯାୟୀ କାମ ନପାଇ ୧ ଲକ୍ଷ ୧୨ ହଜାର ଦିନମଜୁରିଆ ଆତ୍ମହତ୍ୟା କରିଛନ୍ତି ଓ ଖାଇବାକୁ ନପାଇ ୧୭ ଲକ୍ଷ ଲୋକ ମୃତ୍ୟୁବରଣ କରିଛନ୍ତି । ବାସ୍ତବ ସ୍ଥିତି ଆହୁରି ସାଂଘାତିକ । ନିକଟରେ ଅକ୍ସଫାମ ରିପୋର୍ଟ ଅନୁସାରେ ଆମ ଦେଶର ସବା ଉପରେ ଥିବା ୧୦ ପ୍ରତିଶତ ଧନୀ ଦେଶର ୮୦ ଭାଗ ସମ୍ପତ୍ତିର ମାଲିକ । ତା’ ପରେ ମଧ୍ୟ ସରକାର ସେମାନଙ୍କୁ କୋଟି କୋଟି ଟଙ୍କା ଟିକସ ଛାଡ଼ୁଛନ୍ତି । ଆଉ ନିଃଶ୍ୱ ଜନତା ଉପରେ ଟିକସର ଭାର ବୃଦ୍ଧି କରି ଚାଲିଛନ୍ତି । ଏହା କ’ଣ ନେତାଜୀ, ଗୋପବନ୍ଧୁ, ଖୁଦୀରାମ, ଭଗତ ସିଂ, ବାଜି ରାଉତ, ଚନ୍ଦ୍ରଶେଖର ଆଜାଦ୍‌, ଶାନ୍ତି, ସୁନୀତି ଓ ପ୍ରୀତିଲତା ଇତ୍ୟାଦି ସ୍ୱାଧିନତା ଆନ୍ଦୋଳନର ବୀର ଓ ବୀରଙ୍ଗନାମାନଙ୍କର ସ୍ୱପ୍ନର ସ୍ୱାଧୀନ ଭାରତ?
ବାସ୍ତବରେ ସ୍ୱଦେଶୀ ଖୋଳପା ପିନ୍ଧା, ପୁଞ୍ଜିପତି, ଶିଳ୍ପପତି, କଳାବଜାରୀ, ମୁନାଫାଖୋର, ଲୁଟିଖିଆମାନେ, ଖଣି, ପାଣି ଜଙ୍ଗଲ ଜମି, ରାସ୍ତାଘାଟ, ରେଳ, ବ୍ୟାଙ୍କ ବୀମା, ସ୍ୱାସ୍ଥ୍ୟ, ଶିକ୍ଷା, ଖୁଚୁରା ବେପାରୀ ଇତ୍ୟାଦି ସମସ୍ତ କିଛିର ମାଲିକ ଓ ଅସଲ ଶାସକ । ଏହା ଆଜି ସାଧାରଣ ମଣିଷ ଜଳ ଜଳ ହୋଇ ଦେଖୁଛି ଓ ହିଣ୍ଡେନବର୍ଗ ରିପୋର୍ଟ ଏହି ସତ୍ୟକୁ ଆଖିରେ ଆଙ୍ଗୁଳି ଗେଞ୍ଜି ଦେଖାଇ ଦେଉଛି । ଦେଶପ୍ରେମ, ଜାତୀୟତା, ଦେଶର ସ୍ୱାର୍ଥ, ଜାତିର ସ୍ୱାର୍ଥ ନାମରେ ତୁମ୍ଭିତୋଫାନ କରି ପୁଞ୍ଜିପତିଙ୍କ ସ୍ୱାର୍ଥରେ ନୂଆ ନୂଆ ଯୋଜନା, କଳାକାନୁନ୍ ସବୁକିଛି ତିଆରି ହେଉଛି । କିନ୍ତୁ ସାଧାରଣ ଜନତାଙ୍କ ଅବସ୍ଥା ଦିନକୁ ଦିନ ଆହୁରି ତଳିତଳାନ୍ତ ଓ ରସାତଳଗାମୀ ହେଉଛି । କାହିଁକି ଏମିତି ହେଉଛି? ଏଥିରୁ ମୁକ୍ତିର ପଥ କ’ଣ?
ଏହାର ଯଥାର୍ଥ ଉତ୍ତର ଦେଇଛନ୍ତି ସ୍ୱାଧୀନତା ଆନ୍ଦୋଳନର ମହାନ୍ କ୍ରାନ୍ତିକାରୀ ନେତା ମାର୍କ୍ସବାଦୀ ଚିନ୍ତାନାୟକ, ଶୋଷିତ ମଣିଷର ମୁକ୍ତି ଆନ୍ଦୋଳନର ପଥପ୍ରଦର୍ଶକ କମ୍ରେଡ୍ ଶିବଦାସ ଘୋଷ । କମ୍ରେଡ୍ ଶିବଦାସ ଘୋଷ ଦର୍ଶାଇଛନ୍ତି ଯେ- “ସ୍ୱାଧୀନତା ଆନ୍ଦୋଳନରେ ଜନସାଧାରଣ ଏଥିପାଇଁ ଲଢିଥିଲେ ଯେ, ଇଂରେଜକୁ ନତଡିଲେ ଏପରି ଏକ ସମାଜ ପ୍ରତିଷ୍ଠା ହୋଇ ପାରିବ ନାହିଁ, ଯେଉଁ ସମାଜରେ ପୁଞ୍ଜିବାଦୀ ଜୁଲୁମ, ଅନ୍ୟାୟ, ଜମିଦାରମାନଙ୍କର ଜୁଲୁମ, ଅମଲାତାନ୍ତ୍ରିକ ଅତ୍ୟାଚାରର ଚିର ଅବସାନ ଘଟିବ ଏବଂ ଶୋଷିତ ମଣିଷର ସର୍ବାଙ୍ଗୀନ ମୁକ୍ତିର ସୁଯୋଗ, ବ୍ୟକ୍ତିର ବିକାଶର ସୁଯୋଗ, ସମସ୍ତ ସନ୍ତାନ ସନ୍ତତିମାନଙ୍କର ଶିକ୍ଷାର ସୁଯୋଗ, ସ୍ୱାସ୍ଥ୍ୟର ସୁଯୋଗ ଏବଂ ସାମଗ୍ରିକ ପରିକଳ୍ପନା ଅନୁୁଯାୟୀ ଆର୍ôଥକ ଉନ୍ନୟନ ଦ୍ୱାରା ସମାଜର ସାମଗ୍ରିକ କଲ୍ୟାଣ ଅର୍ଥାତ୍ ଜନସାଧାରଣଙ୍କର ସାମଗ୍ରୀକ କଲ୍ୟାଣର ଦ୍ୱାର ଖୋଲି ଦେଇ ହେବ ।” “ଅପରଦିଗରେ ମାଲିକ ପୁଞ୍ଜିପତିଶ୍ରେଣୀ ଯେଉଁମାନେ ସ୍ୱାଧୀନତା ସଂଗ୍ରାମରେ ଥିଲେ ସେମାନଙ୍କର ଉଦ୍ଦେଶ୍ୟ ଥିଲା, ଲୁଟ ବଜାରର ରସତକ ଇଂରେଜ ସାମ୍ରାଜ୍ୟବାଦୀମାନେ ନିଗାଡ଼ି ନେଇ ଯାଉଥିଲେ ଓ ଦେଶୀ ପୁଞ୍ଜିପତିମାନେ ସେମାନଙ୍କର ଛୋଟ ଅଂଶୀଦାର ଭାବରେ ରହିଥିଲେ । ଇଂରେଜ ହାତରୁ ରାଷ୍ଟ୍ର କ୍ଷମତା ଦଖଲ କରିବା ସେମାନଙ୍କର ଏଥିପାଇଁ ଦରକାର ଥିଲା ଯେ- ବିଦେଶୀ ଶାସକ ଦେଶରୁ ହଟିଗଲେ ସାରା ଦେଶର ବଜାର ଓ ଧନ ସମ୍ପତ୍ତି ଲୁଟ କରି ଦେଶର ମାଲିକ ହୋଇ ପୁଞ୍ଜିବାଦକୁ ମଜଭୁତ ଭାବେ ଏଦେଶରେ ପ୍ରତିଷ୍ଠା କରି ପାରିବେ ।” ଏଣୁ ଏଦେଶର ପୁଞ୍ଜିପତି ଓ ମାଲିକମାନେ ସ୍ୱାଧିନତା ଆନ୍ଦୋଳନକୁ ସେଇ ରାସ୍ତାରେ ପୃଷ୍ଠପୋଷକତା କରିଛନ୍ତି, ଯେଉଁ ରାସ୍ତାରେ ଇଂରେଜ ହଟିବ କିନ୍ତୁ କ୍ଷମତା ଦେଶୀ ପୁଞ୍ଜିପତି ହାତକୁ ଆସିବ । ତାହା ହିଁ ହୋଇଛି ।
ଏହା ରୋକାଯାଇ ପାରିଥାନ୍ତା ଏବଂ କ୍ଷମତା ଦେଶର ଶ୍ରମିକଶ୍ରେଣୀ, ଚାଷୀ-ମୂଲିଆ, ସାଧାରଣ ମଣିଷ ହାତକୁ ଆସିପାରି ଥାନ୍ତା । ଶୋଷଣହୀନ ସମାଜ ପ୍ରତିଷ୍ଠା ହୋଇପାରିଥାନ୍ତା ଯଦି ସ୍ୱାଧୀନତା ଆନ୍ଦୋଳନରେ ଏକ ସଠିକ୍ ଓ ଯଥାର୍ଥ ଶ୍ରମିକଶ୍ରେଣୀର ଦଳ ବା କମ୍ୟୁନିଷ୍ଟ ପାର୍ଟି ରହିଥାନ୍ତା । ମାତ୍ର ତା’ ହୋଇନାହିଁ ।
କମ୍ରେଡ୍ ଶିବଦାସ ଘୋଷ ୧୩ ବର୍ଷ ବୟସରେ ୧୯୩୬ ମସିହାରେ ଅନୁଶୀଳନ ସମିତି ସହିତ ଯୁକ୍ତ ହୋଇ ସ୍ୱାଧୀନତା ଆନ୍ଦୋଳନରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ୧୯୪୨ ମସିହାରେ ସେ ଜେଲ ଯାଇ ସେଠାରେ ୩ ବର୍ଷ କଟାଇଲେ । ଜେଲରେ ଥିଲାବେଳେ ହୃଦୟଙ୍ଗମ କରିଥିଲେ ଯେ ଅବିଭକ୍ତ ସିପିଆଇ ଗୋଟିଏ ପ୍ରକୃତ କମ୍ୟୁନିଷ୍ଟ ପାର୍ଟି ହୋଇ ନଥିବାରୁ ଦେଶର ଛାତ୍ର, ଯୁବକ, ସାଧାରଣ ଲୋକଙ୍କର ଏତେ କୁର୍ବାନୀ, ଆତ୍ମତ୍ୟାଗ ମାଟିରେ ମିଶିଯାଉଛି । ୧୯୪୫ ମସିହାରେ ସେ ଜେଲରୁ ଖଲାସ ହେଲେ । ସେତେବେଳେ ସେ ୨୨ ବର୍ଷର ଯୁବକ । ଦେଶ ସ୍ୱାଧୀନତା ପାଇବାର ଦ୍ୱାର ଦେଶରେ । ମାତ୍ର ସେ ବୁଝିଥିଲେ ଏଯୁଗରେ ମାର୍କ୍ସବାଦର ବୈଜ୍ଞାନିକ ଆଦର୍ଶ ଛଡ଼ା ସମାଜର ମୁକ୍ତି ଅସମ୍ଭବ । ଏହି ବୈଜ୍ଞାନିକ ମତବାଦ ଓ ଲେନିନ୍ ନିଦ୍ଦେର୍ଶିତ ପଥରେ ହିଁ ଏକ ସଠିକ୍ କମ୍ୟୁନିଷ୍ଟ ପାର୍ଟି ଗଠନ କରିବାକୁ ହେବ । ସାଥୀମାନଙ୍କୁ ଏକଥା ବୁଝାଇଲେ । କେହି ବୁଝିଲେ । କେହି ଟାହିଟାପରା କଲେ । ଶୁଭାକାଂକ୍ଷୀ ବୟସ୍କ ସ୍ୱାଧୀନତା ସଂଗ୍ରାମୀମାନଙ୍କ ମଧ୍ୟରୁ କେହି କେହି କହିଲେ “ଏତେ ବଡ଼ ଦେଶରେ ତୁମେ କ’ଣ ନୂଆ ପାର୍ଟି ଗଢି ବିପ୍ଳବ କରି ପୁଞ୍ଜିବାଦ ହଟାଇ ପାରିବ?”
ଏସ୍‌.ୟୁ.ସି.ଆଇ(କମୁୁ୍ୟନିଷ୍ଟ) ଦଳ ଗଠନର ସୂଚନାପର୍ବର ଏହି କଠୋର ଓ କଠିନ ସଂଗ୍ରାମ ସମ୍ପର୍କରେ ସେ କହିଥିଲେ- “ପ୍ରଥମେ ଯେତେବେଳେ ଏହି ଦଳ ଆରମ୍ଭ ହୁଏ, ସେତେବେଳେ ଆମର କ’ଣ ଥିଲା? କିଛି ହିଁ ନଥିଲା । ଟଙ୍କା ନାହିଁ, ପଇସା ନାହିଁ, ଲୋକ ବଳ ନାହିଁ, ରହିବାର ଜାଗା ନାହିଁ, କେହି ଚିହ୍ନନ୍ତି ନାହିଁ, ଜାଣନ୍ତି ନାହିଁ । ଆଉ ଆମ୍ଭମାନଙ୍କର ବୟସ ବା ସେତେବେଳେ କେତେ? ମୁଁ ସେତେବେଳେ ଅଳ୍ପ ବୟସର ଜଣେ ଯୁବକ, ଯିଏ କହୁଛି ଭାରତବର୍ଷରେ କୌଣସି ଯଥାର୍ଥ ବିପ୍ଳବୀ ଦଳ ନାହିଁ, ଦଳ ଗଠନ କରିବାକୁ ହେବ । ଅନେକ ହିଁ ଯୁକ୍ତି ଶୁଣି କୁହନ୍ତି, ହଁ, ଏହାତ କରିବା ଉଚିତ୍ । ଯୁକ୍ତିଗୁଡ଼ିକ ତ ଭଲ । ମାତ୍ର ଏହା ପାଗଳ ଭଳି କଥା । ଗୋଟିଏ ଦଳ କରିବା ସହଜ କଥା ନା କଣ? ଏତେଗୁଡ଼ିଏ ବଡ଼ ବଡ଼ ଦଳ ରହିଛନ୍ତି । ସେମାନେ ଘାଏଲ୍‌୍ ହୋଇ ଯାଉଛନ୍ତି, ଭାଙ୍ଗି ପଡ଼ୁଛନ୍ତି, କେତେ କାଣ୍ଡ ହେଉଛି । ଆଉ ଯେଉଁମାନଙ୍କୁ କେହି ଚିହ୍ନନ୍ତି ନାହିଁ, ଜାଣନ୍ତି ନାହିଁ, ଅଭିଜ୍ଞତାସମ୍ପନ୍ନ ଲୋକ ନାହିଁ, ନାଁ କରା ନେତା ନାହିଁ, ପ୍ରେସ୍ ପବ୍ଲିସିଟି ନାହିଁ, ସେମାନେ କ’ଣ କରିବେ? କିଛି କହିଲେ ଲୋକେ ଥଟ୍ଟା କରୁଥିଲେ, ହସୁଥିଲେ । ପୁଣି କହୁଥିଲେ ଦେଖ, କୁହା ନାହିଁ, ବୋଲା ନାହିଁ, ଆମ ଦେଶର କିଛି ପାଗଳ ପିଲା ବାହାରିଛନ୍ତି, କହୁୁଛନ୍ତି କ’ଣ ନା ଦଳ ଗଠନ କରିବେ! ଏହା ଅସମ୍ଭବ ବ୍ୟାପାର, ଏହା ହୋଇ ପାରେ ନା । ପାର୍ଟି ଗଢିବା କ’ଣ ଏତେ ସହଜ କଥା? ଏସବୁ ଅବାସ୍ତବ କଳ୍ପନା, ଏସବୁୁ କିଛି ହେବ ନାହିଁ । ହଁ, ଆପଣ ଯାହା କହୁଛନ୍ତି ତା’ଠିକ୍ କିନ୍ତୁ କିଛି ହେବ ନାହିଁ । ମୁଁ ମଧ୍ୟ ସଙ୍ଗେ ସଙ୍ଗେ ବେଶୀ ତର୍କ କରି ନାହିଁ । ମୁଁ ସେମାନଙ୍କୁ ପାଲଟା ଉତ୍ତର କରିଛି- ହଁ ହେବ ନାହିଁ ମାନି ନେଲି । ତର୍କ ମଧ୍ୟକୁ ନଯାଇ ଏକଥା ସିଧା ମାନି ନେଲି, ହଁ କିଛି ହେବ ନାହିଁ, ତା’ ବୁଝିଲି, କିଛି କରି ପାରିବି ନାହିଁ, ତା’ହେଲେ କ’ଣ କରିବାକୁ ହେବ କୁହନ୍ତୁ? ଗୋଲାମୀ କରିବି, ଦଲାଲି କରିବାକୁ ହେବ? ବିବେକ ବିକ୍ରୀ କରିବାକୁ ହେବ? ଯାହା ବୁଝିଛି, ତା’ ନକରି ଅନ୍ୟ ପ୍ରକାର ଆଚରଣ କରିବାକୁ ହେବ, ମୁଁ ପାରିିବି ନାହିଁ ।….. ମୁଁ ଯଦି ଖାଇବାକୁୁ ନପାଇ ରାସ୍ତାରେ ପଡ଼ି ମରିଯାଏ ତଥାପି ମୁଁ ମୋର ମଥା ଉଚ୍ଚ କରି ସମ୍ମାନର ସହିତ ମରିବି । ମୁଁ ଯେଉଁ ଦିନ ରାସ୍ତାରେ ନଖାଇ ମରିବି, ସେଦିନ ମଧ୍ୟ ମୁଁ ଯେକୌଣସି ଅନ୍ୟାୟର ପ୍ରତିବାଦ କରି ମରିବି । ମୋତେ ଗୁଳି କରି ମାରି ଦିଆଯାଇ ପାରେ କିନ୍ତୁ କିଣା ଯାଇ ପାରିବ ନାହିଁ ।”
ସେ ଉପଲବ୍ôଧ କରିଥିôଲେ ସତ୍ୟ ସବୁଦିନ ତ ଅଳ୍ପ ଲୋକ ଆରମ୍ଭ କରନ୍ତି, ପରେ ପୁରା ସମାଜ ସତ୍ୟକୁ ଗ୍ରହଣ କରେ । ଭାରତରୁ ଇଂରେଜ ହଟିବ, ଏ ବିଶ୍ୱାସ ଅଧିକାଂଶ ଲୋକଙ୍କର ନଥିଲା । ମାତ୍ର ଇଂରେଜ ସାମ୍ରାଜ୍ୟବାଦ ଭଳି ମହାପରାକ୍ରମଶାଳୀ ଶକ୍ତି ବି ପରାଜିତ ହୋଇଛି; ଏଦେଶରୁ ହଟିଛି । ସେହିଭଳି ପୁଞ୍ଜିବାଦ ଆଜି କ୍ଷମତାରେ ବସି ଯେତେ ରାଷ୍ଟ୍ର ଶକ୍ତିକୁ ମଜଭୁୁତ୍ କରୁ, ଯେତେ ମିଥ୍ୟା ପ୍ରଚାର କରୁ, ଅବୈଜ୍ଞାନିକ ଚିନ୍ତା ଓ ଭାଗ୍ୟବାଦର ପ୍ରସାର ପ୍ରଚାର କରୁ, ଯେତେ ଅପସଂସ୍କୃତିର ବନ୍ୟା ବୁହାଇ ନୈତିକ ଅଧଃପତନ ଆଣୁ, ଶୋଷିତ ମଣିଷକୁ ଜାତି, ଧର୍ମ ନାମରେ ଭାଗ ଭାଗ କରି ଶାସନ ବ୍ୟବସ୍ଥାକୁ ସ୍ଥାୟୀ କରିବାକୁ ଚେଷ୍ଟା କରୁ, ଏହାର ପତନ ଅବଶ୍ୟମ୍ଭାବୀ । ସମାଜରେ ପରିବର୍ତ୍ତନ ଓ ବିପ୍ଳବ ଅନିବାର୍ଯ୍ୟ । ମାତ୍ର ପୁଞ୍ଜିିବାଦ ଆପେ ଆପେ କ’ଣ ହଟିଯିବ? ନା, ଏଥିପାଇଁ ଦରକାର ବିଜ୍ଞାନ ଓ ଇତିହାସ ନିର୍ଦ୍ଧାରିତ ସଠିକ୍ ବିପ୍ଳବୀ ଆଦର୍ଶ ଓ ଏହାକୁ ଭିତ୍ତିକରି ଶ୍ରମିକଶ୍ରେଣୀ ବା କମ୍ୟୁନିଷ୍ଟ ଦଳ । ସେହି କମ୍‌ୁ୍ୟନିଷ୍ଟ ପାର୍ଟି ନେତୃତ୍ୱରେ ସଚେତନ ସଂଗଠିତ ଗଣ ଅଭ୍ୟୁଥାନ ବା ବିପ୍ଳବ । ସଦ୍ୟ ସ୍ୱାଧୀନତା ପ୍ରାପ୍ତ ଭାରତବର୍ଷରେ ସମସ୍ତେ ଯେତେବେଳେ ଆନନ୍ଦ ଓ ଉତ୍ସାହରେ ମସଗୁଲ, ସେତେବେଳେ ଅନାମଧେୟ କେତେ ଜଣ ଯୁବକଙ୍କୁ ନେଇ କମ୍ରେଡ୍ ଶିବଦାସ ଘୋଷ ଦୃଢ କଣ୍ଠରେ କହୁଛନ୍ତି ଗଣମୁକ୍ତି ଆସି ନାହିଁ । ପ୍ରଚଣ୍ଡ ପ୍ରତିକୂଳ ପରିସ୍ଥିତିରେ କଠୋର କଠିନ୍ ଆଦର୍ଶଗତ ସଂଗ୍ରାମ କରି ସେ ୧୯୪୮ ମସିହା ଏପ୍ରିଲ ୨୪ ତାରିଖ ଦିନ ଭାରତବର୍ଷ ମାଟିରେ ପ୍ରତିଷ୍ଠା କଲେ ସଠିକ ଶ୍ରମିକଶ୍ରେଣୀର ଦଳ ଏସ୍‌.ୟୁ.ସି.ଆଇ (କମ୍ୟୁନିଷ୍ଟ) ପାର୍ଟି । କିନ୍ତୁ ସି.ପି.ଆଇ, ପରବର୍ତ୍ତୀ ସମୟରେ ସି.ପି.ଆଇ(ଏମ୍‌) ଓ ନକ୍ସଲପନ୍ଥୀ ଗୋଷ୍ଠିଗୁଡିକ ଯେ ପ୍ରକୃତ କମ୍ୟୁନିଷ୍ଟ ପାର୍ଟି ନୁହନ୍ତି ସେ ସମୟରେ ଏହା ଜନଗଣଙ୍କୁ ବୁଝାଇବା ଖୁବ୍ କଠିନ୍ କାମ ଥିଲା । କାରଣ ଆନ୍ତର୍ଜାତିକ କମ୍ୟୁନିଷ୍ଟ ନେତୃତ୍ୱ ଏହି ଦଳମାନଙ୍କୁ ସ୍ୱୀକୃତ ଦେଇଥିଲା ।
ପାର୍ଟି ଗଠନର ଏହି ପ୍ରକ୍ରିୟାରେ ସେ ଭାରତବର୍ଷ ମାଟିରେ ମାର୍କ୍ସବାଦ ଓ ଲେନିନ୍‌ବାଦକୁ ବିଶେଷିକୃତ, ଉନ୍ନତ ଓ ସମୃଦ୍ଧ କରିଛନ୍ତି । ସେ ଶିକ୍ଷା ଦେଇଛନ୍ତି, ମାର୍କ୍ସବାଦ ଏକ ନିଛକ ରାଜନୈତିକ-ଅର୍ଥନୈତିକ ତତ୍ତ୍ୱ ନୁହେଁ, ବିଜ୍ଞାନ ଓ ବୈଜ୍ଞାନିକ ସତ୍ୟକୁ ଆଧାର କରି ଗଢି ଉଠିଥିବା ଏକ ସାମଗ୍ରିକ ଜୀବନ ଦର୍ଶନ । ଯେଉଁମାନେ ନିଜକୁ କମ୍ୟୁନିଷ୍ଟଭାବରେ ଗଢି ତୋଳିବାକୁ ଚାହିଁବେ, କମ୍ୟୁନିଷ୍ଟ ଆଦର୍ଶର ମର୍ମବସ୍ତୁ ବୁୁଝିବାକୁ ଚାହିଁବେ ସେମାନେ ଆଗେ ନିଜକୁ ପରିବର୍ତ୍ତନ କରିବେ ।
କମ୍ରେଡ୍ ଘୋଷ ଦର୍ଶାଇଛନ୍ତି ଯେ, ସୋଭିଏତ୍ ବା ଚୀନ ବିପ୍ଳବ ସମୟରେ କମ୍ୟୁନିଷ୍ଟ ଚରିତ୍ରର ସର୍ବୋଚ୍ଚ ମାନ ଥିଲା, ବ୍ୟକ୍ତି ସ୍ୱାର୍ଥକୁ, ପାର୍ଟି ଓ ଶ୍ରମିକଶ୍ରେଣୀ ସ୍ୱାର୍ଥ ନିକଟରେ ଗୌଣ କରିବା । ମାତ୍ର ପରିବର୍ତ୍ତିତ ପରିସ୍ଥିତିରେ ଆଜିକାର ଜଟିଳ ଶ୍ରେଣୀ ସଂଗ୍ରାମ ଯୁଗରେ ବ୍ୟକ୍ତି ସ୍ୱାର୍ଥକୁ ଗୌଣ କରିବା ପ୍ରଶ୍ନଟି ବିପ୍ଳବୀ କମ୍ୟୁନିଷ୍ଟ ହେବାର ସଂଗ୍ରାମର ଆରମ୍ଭ ହୋଇପାରେ । ମାତ୍ର ଯେପର୍ଯ୍ୟନ୍ତ ବ୍ୟକ୍ତି ସ୍ୱାର୍ଥକୁ ବିପ୍ଳବ, ଶ୍ରମିକଶ୍ରେଣୀ ଓ ବିପ୍ଳବୀ ଦଳ ସ୍ୱାର୍ଥ ସହ ଏକାତ୍ମ କରାଯାଇ ନପାରୁଛି, ସେପର୍ଯ୍ୟନ୍ତ ଉନ୍ନତ କମୁୁ୍ୟନିଷ୍ଟ ଚରିତ୍ର ଅର୍ଜନ କରିବା ସମ୍ଭବ ନୁହେଁ । ତେଣୁ ଆଜି ଶ୍ରମିକଶ୍ରେଣୀର ବିପ୍ଳବକୁ ଯେଉଁମାନେ ନେତୃତ୍ୱ ଦେବେ, ଯେଉଁମାନେ ବିଭିନ୍ନ ଦେଶରେ ପୁଞ୍ଜିବାଦ ବିରୋଧି ସମାଜତାନ୍ତ୍ରିକ ବିପ୍ଳବକୁ ନେତୃତ୍ୱ ଦେବେ, ସେମାନଙ୍କୁ ନିଜର ବ୍ୟକ୍ତି ସ୍ୱାର୍ଥକୁ ସାମାଜିକ ସ୍ୱାର୍ଥ ଓ ବିପ୍ଳବର ସ୍ୱାର୍ଥ ସହ ବିଲୀନ କରିବାକୁ ହେବ । ସେମାନେ କେବଳ ସ୍ଥୂଳଭାବରେ ବ୍ୟକ୍ତି ସମ୍ପତ୍ତିରୁ ମୁକ୍ତ ହେବେ ନାହିଁ, ବ୍ୟକ୍ତି ସମ୍ପତ୍ତିକୁ ଭିତ୍ତିକରି ଗଢି ଉଠିଥିବା ସମସ୍ତ ପ୍ରକାର ବ୍ୟକ୍ତିବାଦୀ ମାନସିକ ଜଟିଳତାରୁ ମଧ୍ୟ ମୁକ୍ତ ହୋଇ ବିପ୍ଳବ ସହ ନିଜକୁ ଏକାତ୍ମ କରିବାର ସଂଗ୍ରାମରେ ଲିପ୍ତ ହେବେ । ଆଜିକାର ପରିସ୍ଥିତିରେ କମ୍ରେଡ୍ ଘୋଷଙ୍କର ଏହି ବ୍ୟାଖ୍ୟା ହିଁ ଆନ୍ତର୍ଜାତିକ କମ୍ୟୁନିଷ୍ଟ ଆନ୍ଦୋଳନର ପଥ ପ୍ରଦର୍ଶନ କରିବାକୁ ସକ୍ଷମ ।
କୌଣସି ପ୍ରଚାର ନାହିଁ, ଅର୍ଥବଳ ନାହିଁ, କୌଣସି ବ୍ୟାକିଙ୍ଗ ନାହିଁ, ଅଥଚ, ଏସ୍‌.ୟୁ.ସି.ଆଇ(କମ୍ୟୁନିଷ୍ଟ) କେତେକ ମୁଷ୍ଟିମେୟ ବିପ୍ଳବୀଙ୍କ ଦ୍ୱାରା ଆରମ୍ଭ ହୋଇ ଆଜି ସାରା ଭାରତବର୍ଷର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ତା’ର କାୟା ବିସ୍ତାର କରିଛି, ବଡ଼ ହୋଇଛି । କମ୍ରେଡ୍ ଶିବଦାସ ଘୋଷ ମାର୍କ୍ସବାଦୀ, ଲେନିନ୍‌ବାଦୀ ଆଦର୍ଶ, ନୀତି, ନୈତିକତା, ମୂଲ୍ୟବୋଧ ଓ ସର୍ବହରା ସଂସ୍କୃତି ଭିତ୍ତିରେ ଏକ ବିକଳ୍ପ ବିପ୍ଳବୀ ଧାରା ସୃଷ୍ଟି କରିଛନ୍ତି ଓ ଦେଶରେ ପୁଞ୍ଜିବାଦ ବିରୋଧି ସମାଜତାନ୍ତ୍ରିକ ବିପ୍ଳବର ଭିତ୍ତିଭୂମି ରଚନା କରିଛନ୍ତି । ଏସ୍‌.ୟୁ.ସି.ଆଇ(କମ୍ୟୁନିଷ୍ଟ) ଦେଶ ବ୍ୟାପୀ ବହୁ ଶକ୍ତିଶାଳୀ ଆନ୍ଦୋଳନ ଗଢି ତୋଳିଛି । ନିକଟରେ ୨୯ ସେପ୍ଟେମ୍ବର ୨୦୨୨ରେ ହୋଇଥିବା ବିଶାଳ ଗଣ ବିକ୍ଷୋଭକୁ ଓଡ଼ିଶାର ଜନସାଧାରଣ ପ୍ରତ୍ୟକ୍ଷ କରିଛନ୍ତି ।
କମ୍ରେଡ୍ ଶିବଦାସ ଘୋଷ ୧୯୨୩ ମସିହା ଅଗଷ୍ଟ ୫ ତାରିଖରେ ପରାଧିନ ଭାରତବର୍ଷର ଢାକା ସହର ନିକଟବର୍ତ୍ତୀ ଏକ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ଏବଂ ୧୯୭୬ ମସିହା ଅଗଷ୍ଟ ୫ ତାରିଖରେ ମୃତ୍ୟୁବରଣ କରିଥିଲେ । ଇତି ମଧ୍ୟରେ କମ୍ରେଡ ଶିବଦାସ ଘୋଷଙ୍କ ଜନ୍ମର ଶହେ ବର୍ଷ ବିତିଯାଇଛି । ତାଙ୍କ ହାତ ଗଢା ଦଳ ଏସ୍‌ୟୁସିଆଇ(କମ୍ୟୁନିଷ୍ଟ) ପକ୍ଷରୁ ବର୍ଷବ୍ୟାପୀ ଯଥାଯୋଗ୍ୟ ମର୍ଯ୍ୟାଦାର ସହିତ ଏହି ମହାନ ନେତାଙ୍କର ଜନ୍ମ ଶତବର୍ଷ ପାଳିତ ହେଉଛି । ପୁଣି ପ୍ରତିବର୍ଷ ପରି ଏବର୍ଷ ଆସୁଛି ସୁମହାନ୍ ଏପ୍ରିଲ-୨୪, ଏସ୍‌.ୟୁ.ସି.ଆଇ(କମ୍ୟୁନିଷ୍ଟ)ର ପ୍ରତିଷ୍ଠା ଦିବସ । କିନ୍ତୁ ଏଥର ଆସୁଛି ଏକ ନୂତନ ତାତ୍ପର୍ଯ୍ୟ ଓ ସ୍ୱତନ୍ତ୍ରତା ନେଇ । ଏହା ହେଉଛି କମ୍ରେଡ୍ ଶିବଦାସ ଘୋଷଙ୍କ ଜନ୍ମ ଶତବର୍ଷର ଏପ୍ରିଲ-୨୪ । ଆସନ୍ତୁ, ବନ୍ଧୁଗଣ ଓ କମ୍ରେଡ୍‌ସ୍ ଏହି ପ୍ରତିଷ୍ଠା ବାର୍ଷିକୀ ଓ ଜନ୍ମଶତବର୍ଷ ଉପଲକ୍ଷେ ଅଙ୍ଗୀକାରବଦ୍ଧ ହେବା । ପାର୍ଟି ଭିତରେ ଓ ପାର୍ଟି ବାହାରେ ସାରା ଭାରତବର୍ଷର ସର୍ବସ୍ତରର ଜନସାଧାରଣଙ୍କୁ ଜଡ଼ିତ କରି ଉଭୟ ଆଦର୍ଶଗତ ଓ ସାମାଜିକ ଆନ୍ଦୋଳନର ଜୁଆର ସୃଷ୍ଟି କରିବା । ଆସନ୍ତୁ, କମ୍ରେଡ୍ ଶିବଦାସ ଘୋଷ ଓ ତାଙ୍କ ମହାନ୍ ଚିନ୍ତା ଓ ଆଦର୍ଶକୁ ଘରେ ଘରେ ପହଞ୍ଚାଇ ଦେବା । ଆସନ୍ତା ୨୦୨୩ ଅଗଷ୍ଟ ୫ ତାରିଖରେ କଲିକତାରେ କମ୍ରେଡ୍ ଶିବଦାସ ଘୋଷଙ୍କ ଜନ୍ମ ଶତବର୍ଷ ଉଦ୍‌ଯାପନୀ ସମାବେଶରେ ଲକ୍ଷ ଲକ୍ଷ ସଂଖ୍ୟାରେ ସାମିଲ ହେବା । ଏହା ମଧ୍ୟଦେଇ ଭାରତବର୍ଷରେ ପୁଞ୍ଜିିବାଦ ବିରୋଧି ସମାଜତାନ୍ତ୍ରିକ ବିପ୍ଳବ ପ୍ରସ୍ତୁତିକୁ ତ୍ୱରାନ୍ୱିତ କରିବା । ଏହା ହିଁ କମ୍ରେଡ୍ ଶିବଦାସ ଘୋଷଙ୍କ ଜନ୍ମ ଶତବର୍ଷରେ ୨୪ ଏପ୍ରିଲର ଆହ୍ୱାନ ।

Leave a Reply

Your email address will not be published. Required fields are marked *