ଏଆଇୟୁଟିୟୁସିର ସାଧାରଣ ସଂପାଦକ କମ୍ରେଡ୍ ଶଙ୍କର ଦାସଗୁପ୍ତଙ୍କର ବଙ୍ଗଳାଦେଶ ଗସ୍ତ

Sarbahrakranti Date 01.04.2023 –

ବଙ୍ଗଳାଦେଶ ଶ୍ରମିକ କର୍ମଚାରୀ ଫେଡେରେସନ୍‌ର ଦ୍ୱିତୀୟ କେନ୍ଦ୍ରୀୟ ସମ୍ମିଳନୀରେ ଯୋଗଦେବା ପାଇଁ ଏସ୍‌ୟୁସିଆଇ(ସି) କେନ୍ଦ୍ରୀୟ କମିଟି ସଦସ୍ୟ, ଓଡିଶା ରାଜ୍ୟ ସଂପାଦକ ତଥା ବିପ୍ଳବୀ ଟ୍ରେଡ୍ ୟୁନିୟନ ଏଆଇୟୁଟିୟୁସିର ସାଧାରଣ ସଂପାଦକ କମ୍ରେଡ୍ ଶଙ୍କର ଦାସଗୁପ୍ତ ଏବଂ ସ୍କିମ୍ ୱାର୍କସ ଫେଡେରେସନ୍ ଅଫ୍ ଇଣ୍ଡିଆର ସାଧାରଣ ସଂପାଦିକା କମ୍ରେଡ୍ ଇସ୍‌ମତ ଆରା ମଣ୍ଡଳ ମାର୍ଚ୍ଚ ୨ରୁ୬ତାରିଖ ପର୍ଯ୍ୟନ୍ତ ବଙ୍ଗଳାଦେଶ ଗସ୍ତ କରିଥିଲେ ।
ଇତି ପୂର୍ବରୁ ଫେବୃୟାରୀ ୩ ଓ ୪ ତାରିଖରେ ବଙ୍ଗଳାଦେଶ ଶ୍ରମିକ କର୍ମଚାରୀ ଫେଡେରେସନ୍‌ର ଦ୍ୱିତୀୟ କେନ୍ଦ୍ରୀୟ ସମ୍ମିଳନୀର ପ୍ରତିନିଧି ଅଧିବେଶନ ଅନୁଷ୍ଠିତ ହୋଇଥିଲା ଏବଂ ସଂଗଠନର ନୂତନ ନେତୃମଣ୍ଡଳୀକୁ ନିର୍ବାଚିତ କରାଯାଇଥିଲା । ମାର୍ଚ୍ଚ ୩ତାରିଖରେ ମେଡିକାଲ କଲେଜ ପାଶ୍ୱର୍ରେ ଏବଂ ଢାକା ବିଶ୍ୱବିଦ୍ୟାଳୟ ସମ୍ମୁଖସ୍ଥ କେନ୍ଦ୍ରୀୟ ଶହୀଦ ମୀନାରଠାରେ ସମ୍ମିଳନୀର ଖୋଲା ଅଧିବେଶନ ଅନୁଷ୍ଠିତ ହୋଇଥିଲା । ଏହା ହେଉଛି ସେହି ସ୍ଥାନ ଯେଉଁଠି ବର୍ତ୍ତମାନର ସ୍ୱାଧୀନ ବଙ୍ଗଳାଦେଶ ତଥା ତତ୍କାଳୀନ ପୂର୍ବ ପାକିସ୍ଥାନର ଐତିହାସିକ ଭାଷା ଆନ୍ଦୋଳନ ସମୟରେ ପୁଲିସ ଗୁଳିରେ ବହୁ ଛାତ୍ର ଶହୀଦର ମୃତ୍ୟୁବରଣ କରିଥିଲେ । ଖୋଲା ଅଧିବେଶନକୁ ବଙ୍ଗଳାଦେଶ ଜାହାଙ୍ଗୀର ନଗର ବିଶ୍ୱବିଦ୍ୟାଳୟର ପୂର୍ବତନ କୂଳପତି ତଥା ପ୍ରସିଦ୍ଧ ଅର୍ଥନୀତିବିଦ୍ ଡକ୍ଟର ଅନୁ ମହମ୍ମଦ ଉଦ୍‌ଘାଟନ କରିଥିଲେ । ସମ୍ମିଳନୀର ଖୋଲା ଅଧିବେଶନରେ କମ୍ରେଡ୍ ଶଙ୍କର ଦାସଗୁପ୍ତଙ୍କ ବ୍ୟତୀତ ବଙ୍ଗଳାଦେଶ ଶ୍ରମିକ କର୍ମଚାରୀ ଫେଡେରେସନ୍ କେନ୍ଦ୍ରୀୟ କମିଟିର ଉପସଭାପତି କମ୍ରେଡ୍ ଇସ୍‌ମତ ଆରା ଖାତୁନ୍ ଓ ମାନସ ନନ୍ଦୀ, ସଂଗଠନର କେନ୍ଦ୍ରୀୟ କମିଟିର ସାଧାରଣ ସଂପାଦକ କମ୍ରେଡ୍ ଉଜ୍ଜ୍ୱଳ ରାୟ, ବଙ୍ଗଳା ଦେଶ ସମାଜତାନ୍ତ୍ରିକ ଦଳ(ମାର୍କ୍ସବାଦୀ)ର କେନ୍ଦ୍ରୀୟ କାର୍ଯ୍ୟନିର୍ବାହୀ କମିଟିର ସଂଯୋଜକ କମ୍ରେଡ୍ ମାସୁଦ୍ ରାଣା ପ୍ରମୁଖ ବକ୍ତବ୍ୟ ରଖିଥିଲେ । ବଙ୍ଗଳାଦେଶ ଶ୍ରମିକ କର୍ମଚାରୀ ଫେଡେରେସନ୍‌ର କେନ୍ଦ୍ରୀୟ କମିଟିର ସଭାପତି କମ୍ରେଡ୍ ଜହିରୁଲ ଇସ୍‌ଲାମ ସମ୍ମିଳନୀରେ ସଭାପତିତ୍ୱ କରିଥିଲେ । ‘ଚାରଣ ସାଂସ୍କୃତିକ କେନ୍ଦ୍ର’ ପକ୍ଷରୁ ବିପ୍ଳବୀ ସଂଗୀତ ପରିବେଷଣ କରାଯାଇଥିଲା ।
ମୁଖ୍ୟବକ୍ତା କମ୍ରେଡ୍ ଶଙ୍କର ଦାସଗୁପ୍ତ ତାଙ୍କ ଅଭିଭାଷଣରେ କହିଥିଲେ ଯେ ପଙ୍ଗୁ (Outdated) ପୁଞ୍ଜିବାଦୀ ଉତ୍ପାଦନ ସଂପର୍କ ଓ କମ୍ରାଗତ ବିକାଶଲାଭ କରୁଥିବା ଉତ୍ପାଦିକା ଶକ୍ତି ସମୂହ ମଧ୍ୟରେ ରହିଥିବା ଅନ୍ତନିର୍ହିତ ଅମୀମାଂସନୀୟ ଦ୍ୱନ୍ଦ୍ୱ ଯୋଗୁ ବିଶ୍ୱ ପୁଞ୍ଜିବାଦ-ସାମ୍ରାଜ୍ୟବାଦ ସର୍ବବ୍ୟାପକ ଗଭୀର ଓ ଅଣଲେଉଟା(Irreversible) ସଂକଟରେ ନିମଜ୍ଜିତ ହୋଇଛି । ଦୀର୍ଘ ସମୟ ପୂର୍ବରୁ ମହାନ କାର୍ଲ ମାର୍କ୍ସ ଦର୍ଶାଇଥିଲେ ଯେ ଏହି ଅମୀମାଂସନୀୟ ଦ୍ୱନ୍ଦ୍ୱ ଯୋଗୁ ପୁଞ୍ଜିବାଦ ଏହାର କବର ଖୋଦନ କରୁଛି । ମାର୍କ୍ସ ବିଜ୍ଞାନ ସମ୍ମତ ଭାବରେ ବିଶ୍ଳେଷଣକରି ଦର୍ଶାଇଥିଲେ ଯେ ଏହି କ୍ରମବର୍ଦ୍ଧମାନ ସଂକଟର ଏକମାତ୍ର ସମାଧାନ ହେଉଛି ସର୍ବହରା ଶ୍ରେଣୀ ନେତୃତ୍ୱରେ ଶୋଷିତ ଜନସାଧାରଣଙ୍କ ବିପ୍ଳବୀ ଅଭ୍ୟୁତ୍ଥାନ ଜରିଆରେ ପୁଞ୍ଜିବାଦକୁ ରାଷ୍ଟ୍ର କ୍ଷମତାରୁ ଉଚ୍ଛେଦକରି ପ୍ରଥମେ ସମାଜବାଦୀ ସମାଜ ପ୍ରତିଷ୍ଠା ଏବଂ ଶେଷ ପର୍ଯ୍ୟନ୍ତ ମଣିଷ ଉପରେ ମଣିଷର ଶୋଷଣର ଅବସାନ ଘଟାଇବା ପାଇଁ ସାମ୍ୟବାଦ ପ୍ରତିଷ୍ଠା ଦିଗରେ ଅଗ୍ରସର ହେବା । କମ୍ରେଡ୍ ଦାସଗୁପ୍ତ କହିଥିଲେ ଯେ, ଉଭୟ ଭାରତ ଓ ବଙ୍ଗଳାଦେଶର ଜନସାଧାରଣ, ସେହି ଅର୍ଥରେ ପୃଥିବୀର ସମସ୍ତ ଦେଶର ଜନସାଧାରଣ ସେମାନଙ୍କର ସାଧାରଣ ଶତ୍ରୁ ପୁଞ୍ଜିବାଦ-ସାମ୍ରାଜ୍ୟବାଦ ବିରୁଦ୍ଧରେ ଲଢେଇ କରୁଛନ୍ତି । ଏହା ସଂଗେ ସଂଗେ ସେମାନେ ନିଜ ନିଜ ଦେଶରେ ଶୋଷଣ ମୂଳକ ପୁଞ୍ଜିବାଦୀ ବ୍ୟବସ୍ଥା ବିରୁଦ୍ଧରେ ସଂଗ୍ରାମ ମଧ୍ୟ କରୁଛନ୍ତି । ଏହାରି ମଧ୍ୟରେ ହିଁ ବଙ୍ଗଳାଦେଶ ଓ ଭାରତର ଶ୍ରମଜୀବୀ ଜନସାଧାରଣଙ୍କ ମଧ୍ୟରେ ଐକ୍ୟ ଓ ଭ୍ରାତୃତ୍ୱ ନିହିତ ରହିଛି, ଯାହାକୁ ଆମେ ସର୍ବହରା ଆନ୍ତର୍ଜାତୀୟତାବାଦ ବୋଲି କହୁ ।
କମ୍ରେଡ୍ ଦାସଗୁପ୍ତ ଆହୁରି ମଧ୍ୟ କହିଥିଲେ ଯେ, ଭାରତରେ କ୍ଷମତାସୀନ ହୋଇଥିବା ଗୋଟିଏ ପରେ ଗୋଟିଏ ସରକାର, ବିଶେଷକରି କେନ୍ଦ୍ରରେ କ୍ଷମତାସୀନ ବର୍ତ୍ତମାନର ସରକାର, ଭାରତରେ ଦ୍ରୁତ ବିକାଶ ଘଟୁଛି ବୋଲି ଆଧୁନିକ ବୁର୍ଜୁଆ ଗଣମାଧ୍ୟମ ଜରିଆରେ ପ୍ରଚାର କରୁଛି । ସେ କହିଥିଲେ ଯେ ମୁଷ୍ଟିମେୟ ଅତିଧନୀ ଓ ଜନସଂଖ୍ୟାର ସିଂହଭାଗ ଜନସାଧାରଣଙ୍କ ମଧ୍ୟରେ ବଢିଚାଲିଥିବା ବ୍ୟବଧାନ ଏବଂ ଅସମାନତା ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ଭାରତରେ ଚାଲିଥିବା ତଥାକଥିତ ବିକାଶ ବାସ୍ତବରେ ଦେଶର ବ୍ୟାପକ ସଂଖ୍ୟକ ଜନସାଧାରଣଙ୍କୁ ଚରମ ଦାରିଦ୍ର‌୍ୟ ମଧ୍ୟରେ ନିକ୍ଷେପକରି ଦେଶର ଜନସଂଖ୍ୟାର ଶତକଡା ୫ଭାଗ ଏକଚାଟିଆ ପୁଞ୍ଜିପତିଙ୍କ ସ୍ୱାର୍ଥରେ ହିଁ ହେଉଛି । ଏହି ପ୍ରସଙ୍ଗରେ ସେ ସଂପ୍ରତି ପ୍ରକାଶ ପାଇଥିବା ଅକ୍ସଫାମ୍ ରିପୋର୍ଟ ସଂପର୍କରେ ଉଲ୍ଲେଖ କରିଥିଲେ ଏବଂ କହିଥିଲେ ଯେ ଏହି ରିପୋର୍ଟ ଭାରତର ବହୁପ୍ରଚାରିତ ବିକାଶର କୁତ୍ସିତ ଦିଗକୁ ଉନ୍ମୋଚିତ କରିଛି । ଏଠାରେ କେବଳମାତ୍ର ଧନୀ ବରଂ ଅତି ଧନୀ ହିଁ ତିଷ୍ଠି ରହିପାରିବେ । ସେ କହିଥିଲେ ଯେ, ଗୋଟିଏ ପୁଞ୍ଜିବାଦୀ ଦେଶର ତଥାକଥିତ ବିକାଶ ଗୋଟିଏ ସମାଜବାଦୀ ଦେଶର ବାସ୍ତବ ବିକାଶର ସଂପୂର୍ଣ୍ଣ ବିପରୀତ । କେବଳ ମାତ୍ର ମୁନାଫା ଉଦ୍ଦେଶ୍ୟରେ ପରିଚାଳିତ ଗୋଟିଏ ପୁଞ୍ଜିବାଦୀ ଦେଶରେ ବିକାଶର ଅର୍ଥ ହେଉଛି ଜୀବନର ସମସ୍ତ କ୍ଷେତ୍ରରେ ଧନୀ ଓ ଦରିଦ୍ର ମଧ୍ୟରେ କ୍ରମବର୍ଦ୍ଧମାନ ବ୍ୟବଧାନ । ଏହାର ବିପରୀତରେ ଗୋଟିଏ ସମାଜବାଦୀ ବ୍ୟବସ୍ଥାରେ ସମାଜର ବିକାଶର ଅର୍ଥ ହେଉଛି ଜୀବନର ସମସ୍ତ କ୍ଷେତ୍ରରେ ସମାଜର ଉଚ୍ଚସ୍ତର ଓ ନିମ୍ନସ୍ତରରେ ଥିବା ଜନସାଧାରଣଙ୍କ ମଧ୍ୟରେ ବ୍ୟବଧାନ ଅଧିକରୁ ଅଧିକ ହ୍ରାସ ପାଇବା । ଏହା ଆମେ ସମାଜବାଦୀ ସୋଭିଏତ୍ ୟୁନିୟନ, ଚୀନ୍ ଓ ଅନ୍ୟାନ୍ୟ ସମାଜବାଦୀ ଦେଶରେ ଦେଖିବାକୁ ପାଇଛୁ । ଏହାହିଁ ଏକଦା ପୃଥିବୀର ସମସ୍ତ ସ୍ତରର ଜନସାଧାରଣଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲା । ସମସ୍ତ ଦେଶର ଶ୍ରମଜୀବୀ ଜନସାଧାରଣ ଗୋଟିଏ ବିଶେଷ ସମାଜ ବା ଦେଶର ପ୍ରକୃତ ବିକାଶ ସଂପର୍କରେ ବିଚାର କରିବା କ୍ଷେତ୍ରରେ ଏହି ମୌଳିକ ମାପକାଠି ସଂପର୍କରେ ସଚେତନ ରହିବା ଆବଶ୍ୟକ । ଅନ୍ୟଥା ସମସ୍ତ ପୁଞ୍ଜିବାଦୀ ଦେଶର ଶାସକ ପୁଞ୍ଜିପତି ଶ୍ରେଣୀ ଏବଂ ସେମାନଙ୍କର ସେବାଦାସ ସରକାରମାନେ ତଥାକଥିତ ବିକାଶ ଆଳରେ ଶୋଷିତ ଜନସାଧାରଣଙ୍କୁ ପ୍ରତାରିତ କରିବେ ।
ଏହା ସଙ୍ଗେ ସଙ୍ଗେ ଭାରତ ସରକାରଙ୍କ ପୃଷ୍ଠପୋଷକତାରେ ବଙ୍ଗଳାଦେଶର ଶ୍ରମଜୀବୀ ଜନସାଧାରଣଙ୍କୁ ଶୋଷଣ କରୁଥିବା ଭାରତୀୟ ଏକଚାଟିଆ ପୁଞ୍ଜିପତିମାନଙ୍କର ସାମ୍ରାଜ୍ୟବାଦୀ ଭୂମିକାକୁ କମ୍ରେଡ୍ ଦାସଗୁପ୍ତ ତୀବ୍ର ନିନ୍ଦା କରିଥିଲେ । ବଙ୍ଗଳାଦେଶର ଶସ୍ତା ଶ୍ରମଶକ୍ତି ଓ ପ୍ରାକୃତିକ ସଂପଦକୁ ନିର୍ମମ ଭାବରେ ଲୁଣ୍ଠନ କରିବାପାଇଁ ଭାରତୀୟ ଧନକୁବେର ଗୋଷ୍ଠୀଦ୍ୱାରା ବଙ୍ଗଳାଦେଶ ବଜାରକୁ ବିପୁଳ ପରିମାଣର ଲଗ୍ନିପୁଞ୍ଜିର ରପ୍ତାନୀ ଓ ବିନିଯୋଗ ଅତିଦ୍ରୁତ ବଢିଚାଲିଛି । ସେ ଯାହା ହେଉ, ବଙ୍ଗଳାଦେଶର ଜନସାଧାରଣ ଭାରତର ସାମ୍ରାଜ୍ୟବାଦୀ ଶାସକ, ଭାରତର ବୁର୍ଜୁଆ ଏବଂ ଭାରତର ଶୋଷିତ ସର୍ବହରା ଜନସାଧାରଣଙ୍କ ମଧ୍ୟରେ ଥିବା ପାର୍ଥକ୍ୟକୁ ସ୍ପଷ୍ଟ ଭାବରେ ବୁଝିବା ଉଚିତ । ସେ କହିଥିଲେ ଯେ ବଙ୍ଗଳାଦେଶର ଜନସାଧାରଣଙ୍କୁ ଭାରତର ସାମ୍ରାଜ୍ୟବାଦୀ ଶୋଷଣ ଏବଂ କେତେକ କ୍ଷେତ୍ରରେ ବଙ୍ଗଳାଦେଶରେ ଭାରତର ରାଜନୈତିକ ହସ୍ତକ୍ଷେପକୁ ଭାରତର ସର୍ବହରା ଶ୍ରେଣୀ ନିନ୍ଦା କରୁଛି ଏବଂ ଏହାର ଦୃଢ ପ୍ରତିବାଦ କରୁଛି ।
ଶେଷରେ କମ୍ରେଡ୍ ଦାସଗୁପ୍ତ କହିଥିଲେ ଯେ, ପ୍ରାୟ ୧୭୫ବର୍ଷ ପୂର୍ବରୁ ମାର୍କ୍ସ ଏବଂ ଏଙ୍ଗେଲ୍ସ ଗଭୀର ବିଜ୍ଞାନ ସମ୍ମତ ଦୂରଦୃଷ୍ଟି ସହିତ ‘କମ୍ୟୁନିଷ୍ଟ ପାର୍ଟିର ଇସ୍ତାହାରରେ’ ପୁଞ୍ଜିବାଦୀ ବ୍ୟବସ୍ଥାର ଅବଶ୍ୟମ୍ଭାବୀ ପତନକୁ ଦେଖି ପାରିଥିଲେ ଏବଂ ପୁଞ୍ଜିବାଦୀ ଶୃଙ୍ଖଳକୁ ଚ୍ଛିନ୍ନ କରିବାପାଇଁ ସମସ୍ତ ଦେଶର ଶ୍ରମଜୀବୀ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ । ସେମାନେ ଘୋଷଣା କରିଥିଲେ ଯେ ଏହି ଶୃଙ୍ଖଳ ବ୍ୟତୀତ ମେହେନତୀ ମଣିଷର ହରାଇବା ପାଇଁ କିଛି ନାହିଁ । ମାତ୍ର ତା ସାମନାରେ ଜୟ କରିବାକୁ ରହିଛି ସମଗ୍ର ବିଶ୍ୱ । ଆଜିର ପରିସ୍ଥିତିରେ ପୂର୍ବତନ ସମାଜବାଦୀ ଦେଶମାନଙ୍କରେ ସମାଜବାଦୀ ବ୍ୟବସ୍ଥା ଭାଙ୍ଗିଯିବା ପରେ ପ୍ରଚଳିତ ହୋଇଥିବା ଜଗତିକରଣ ଅର୍ଥନୀତିରେ ସମସ୍ତ ଦେଶର ପୁଞ୍ଜିବାଦୀ-ସାମ୍ରାଜ୍ୟବାଦୀ ଶାସକମାନେ ସମଗ୍ର ବିଶ୍ୱର ସର୍ବହରା ଶ୍ରେଣୀକୁ ନିର୍ମମ ଭାବରେ ଶୋଷଣ କରିବାପାଇଁ ଐକ୍ୟବଦ୍ଧ ହୋଇଥିଲାବେଳେ ମାର୍କ୍ସ ଓ ଏଙ୍ଗେଲ୍ସଙ୍କର ଏହି ଉଦ୍ଦାତ୍ତ ଆହ୍ୱାନ ଆହୁରି ଅଧିକ ପ୍ରାସଙ୍ଗିକ ।
ଏହାପରେ ମାର୍ଚ୍ଚ ୪ତାରିଖ ଅପରାହ୍ନରେ କମ୍ରେଡ୍ ଶଙ୍କର ଦାସଗୁପ୍ତ ବଙ୍ଗଳାଦେଶ ଶ୍ରମିକ କର୍ମଚାରୀ ଫେଡେରେସନ୍‌ର କର୍ମକର୍ତ୍ତାମାନଙ୍କର ଏକ ସଭାରେ ଉଦ୍‌ବୋଧନ ଦେଇଥିଲେ । ମୁଖ୍ୟତଃ ଭାରତର ଶ୍ରମଜୀବୀ ଜନସାଧାରଣଙ୍କ ସମସ୍ୟା, ଶ୍ରମିକ ଶ୍ରେଣୀର ଆନ୍ଦୋଳନ ଓ ଟ୍ରେଡ୍‌ୟୁନିୟନ ସଂଗଠନ ସଂପର୍କିତ ପ୍ରଶ୍ନ ଉପରେ କମ୍ରେଡ୍ ଦାସଗୁପ୍ତ ଆଲୋଚନା କରିଥିଲେ ।
ସେଦିନ ଅପରାହ୍ନରେ ବଙ୍ଗଳାଦେଶର ୬ଟି ଟ୍ରେଡ୍‌ୟୁନିୟନ୍‌ର ନେତାମାନଙ୍କ ସହିତ ପାରସ୍ପରିକ ମତର ଆଦାନ ପ୍ରଦାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ଅବସରରେ ବଙ୍ଗଳାଦେଶର ଟ୍ରେଡ୍‌ୟୁନିୟନ ନେତାମାନେ ସେମାନଙ୍କ ଦେଶର ଶ୍ରମଜୀବୀ ଜନସାଧାରଣଙ୍କ ଅବସ୍ଥା ଏବଂ ସେଠିକାର ଟ୍ରେଡ୍‌ୟୁନିୟନ ଆନ୍ଦୋଳନ ସଂପର୍କରେ ବର୍ଣ୍ଣନା କରିଥିଲେ । କମ୍ରେଡ୍ ଶଙ୍କର ଦାସଗୁପ୍ତ ମଧ୍ୟ ଏସବୁ କ୍ଷେତ୍ରରେ ଭାରତର ଅବସ୍ଥା ସଂପର୍କରେ ଆଲୋଚନା କରିଥିଲେ । ଏହି ଆଲୋଚନାର ସାରାଂଶ ଭାବରେ ଉଭୟ ଦେଶର ମେହେନତୀ ମଣିଷଙ୍କର ସାଧାରଣ ଶତ୍ରୁ ପୁଞ୍ଜିବାଦ ବିରୁଦ୍ଧରେ ଦୁଇଦେଶର ଶ୍ରମଜୀବୀ ଜନସାଧାରଣଙ୍କ ମଧ୍ୟରେ ଐକ୍ୟ ପ୍ରତିଷ୍ଠା ପାଇଁ ସମସ୍ତେ ଏକମତ ହୋଇଥିଲେ ।

Leave a Reply

Your email address will not be published. Required fields are marked *