ଉଦ୍ଧାରକାର୍ଯ୍ୟରେ ସାମିଲ ଜନସାଧାରଣଙ୍କୁ ଏସ.ୟୁ.ସି.ଆଇ(କମ୍ୟୁନିଷ୍ଟ)ର ଅଭିନନ୍ଦନ

Sarbaharakranti News Date 04.06.2023 –

ଭୟାବହ ରେଳ ଦୁର୍ଘଟଣା ସ୍ଥଳରେ ସ୍ଥାନୀୟ ଜନସାଧାରଣ ଓ ଯୁବକମାନେ ଯେଉଁଭଳି ଭାବେ ଅସାଧାରଣ ବିରତ୍ୱ, ଗଭିର ଦରଦବୋଧ ଓ ମାନବିକତାର ପରିଚୟ ଦେଇ ଉଦ୍ଧାର କାର୍ଯ୍ୟ କଲେ ଓ ହଜାର ଯାତ୍ରୀଙ୍କୁ ନିଶ୍ଚିତ ମୃତ୍ୟୁରୁ ବଂଚାଇଲେ, ବଂଚିଯାଇଥିବା ଯାତ୍ରୀମାନଙ୍କୁ ଆଶ୍ରୟ, ଖାଦ୍ୟ-ପାନୀୟ ଆଦିର ବନ୍ଦୋବସ୍ତ କଲେ ତା’ ବାସ୍ତବିକ ନଜିରବିହୀନ, ଆଶାବ୍ୟଞ୍ଜକ ଓ ଅନୁକରଣୀୟ ଦୃଷ୍ଟାନ୍ତ । ପୁଣି ଦୁର୍ଗତ ଯାତ୍ରୀଙ୍କ ଜୀବନ ରକ୍ଷା ପାଇଁ ଲୋକଙ୍କର ଯେଉଁଭଳି ଦେଖିବାକୁ ମିଳୁଛି ତା ମଧ୍ୟ ଅତୀବ ପ୍ରେରଣାଦାୟୀ । ଏସ୍‌.ୟୁ.ସି.ଆଇ(କମ୍ୟୁନିଷ୍ଟ) ଓଡିଶା ରାଜ୍ୟ କମିଟି ସମ୍ପାଦକ ତଥା କେନ୍ଦ୍ରୀୟ କମିଟି ସଦସ୍ୟ ଶ୍ରୀ ଶଙ୍କର ଦାସଗୁପ୍ତ ଏହି ଦରଦୀ ଜନସାଧାରଣଙ୍କୁ ଅଭିନନ୍ଦନ ଓ କୃତଜ୍ଞତା ଜଣାଇଛନ୍ତି । ଅନ୍ୟପଟରେ ଏହି ଘୋର ଦୁର୍ଦିନରେ ପ୍ରଧାନମନ୍ତ୍ରୀ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉଚ୍ଚପଦସ୍ତ ଅଫିସରମାନଙ୍କ ସୁରକ୍ଷା ଓ ଅଭ୍ୟର୍ଥନା କାର୍ଯ୍ୟରେ ସମସ୍ତ ସରକାରୀ କଳ, ସେନାବାହିନୀ, ଅଗ୍ନିସମ କର୍ମଚାରୀ ମାନଙ୍କୁ ବ୍ୟସ୍ତ ରଖି ଉଦ୍ଧାର କାର୍ଯ୍ୟକୁ ବନ୍ଦ କରିଦେବାର ଚରମ ଅପରାଧୀସୁଲଭ ନୀତିକୁ ସେ ଦୃଢ ନିନ୍ଦା କରିଛନ୍ତି । ଜନସାଧାରଣ ନିଜ ଜୀବନକୁ ପାଣିଛଡାଇ ଦୁର୍ଗତ ଯାତ୍ରୀମାନଙ୍କୁ ବଂଚାଇବା ପାଇଁ ରାତି ଦିନ ଲାଗିପଡିଥିବା ବେଳେ ଭୋଟସର୍ବସ୍ୱ ରାଜନୈତିକ ଦଳମାନେ ନିଜର ନିର୍ବାଚନୀ ଫାଇଦା ହାସଲ ପାଇଁ ଯେଉଁ ନାଟକବାଜି ଚଳାଇଛନ୍ତି ତା’ ଏହି ଦଳମାନଙ୍କର ଘୃଣ୍ୟ ଅମାନବିକ ଚରିତ୍ରକୁ ପ୍ରକଟିତ କରିଛି ବୋଲି ମଧ୍ୟ ସେ କହିଛନ୍ତି । ଏହି ଦୁଃସମୟରେ ଏସ୍‌.ୟୁ.ସି.ଆଇ(କମ୍ୟୁନିଷ୍ଟ) ଓଡିଶା ରାଜ୍ୟ କମିଟି ପକ୍ଷରୁ ଗତ ଜୁନ ୩ ତାରିଖ ଦିନ ଶୋକ ଦିବସ ପାଳନ କରାଯିବା ସହିତ ରାଜ୍ୟ କମିଟି ତଥା ମେଡିକାଲ ଫ୍ରଣ୍ଟ ପକ୍ଷରୁ ଏକ ପ୍ରତିନିଧି ଦଳ ଘଟଣାସ୍ଥଳକୁ ଯାଇ ପାର୍ଟିର ସ୍ୱେଚ୍ଛାସେବକ ଓ ସ୍ଥାନୀୟ ଜନସାଧାରଣଙ୍କ ସହିତ ଉର୍ଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି । ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସାଧୀନ ଆହତମାନଙ୍କୁ ଭେଟିଛନ୍ତି, ମେଡିକାଲ ଫ୍ରଣ୍ଟର ଡାକ୍ତର, ନର୍ସ ଓ ସ୍ୱେଚ୍ଛାସେବକମାନେ ରକ୍ତ ସଂଗ୍ରହ କରୁଛନ୍ତି ଓ ଚିକିତ୍ସା କାର୍ଯ୍ୟରେ ସାମିଲ ହୋଇଛନ୍ତି । ଡାକ୍ତରଖାନା ମାନଙ୍କରେ ଦେଖା ଦେଇଥିବା ଚରମ ଅବ୍ୟବସ୍ଥାକୁ ଦୂରକରି ସମସ୍ତ ଆହତମାନଙ୍କୁ ଉପଯୁକ୍ତ ଓ ଉନ୍ନତମାନର ଚିକିତ୍ସାସେବା ଯୋଗାଇଦେବାକୁ ସେ ସରକାରଙ୍କ ନିକଟରେ ଦୃଢ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *