“ଇତିହାସର ଫାସୀବାଦୀକରଣ” ଉଗ୍ରତା, ଧର୍ମାନ୍ଧତା ସୃଷ୍ଟିି କରିବାର ହୀନ ପ୍ରଚେଷ୍ଟା ପ୍ରତିହତ ପାଇଁ ଆଗେଇ ଆସନ୍ତୁ

Sarbaharakranti Dated 15.07.2023 –

          କେନ୍ଦ୍ର ସରକାର କରୋନା ମହାମାରୀର ସୁଯୋଗ ନେଇ ୨୦୨୦ ମସିହା ଜୁଲାଇ ୨୯ ତାରିଖ ଦିନ ଜାତୀୟ ଶିକ୍ଷାନୀତି-୨୦୨୦କୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରି ଦେଶବାସୀଙ୍କ ଉପରେ ଲଦି ଦେଇଥେô ଲ । ନୂତନ ଶିକ୍ଷାନୀତି ଆଧାରରେ କେନ୍ଦ୍ର ସରକାର ଏକତରଫା ଭାବେ ସମସ୍ତ ସ୍ତରର ଜନସାଧାରଣ, ଶିକ୍ଷକ, ଛାତ୍ର ଓ ଶିକ୍ଷାବିତ୍‌ମାନଙ୍କ ସହିତ ଚର୍ଚ୍ଚା, ଆଲୋଚନା ନ କରି ଶିଶୁଶ୍ରେଣୀ ଠାରୁ ଆରମ୍ଭ କରି ଶିକ୍ଷାର ସର୍ବୋଚ୍ଚ ସ୍ତର ଶିକ୍ଷା ପାଠ୍ୟକ୍ରମ, ପରୀକ୍ଷା ପରିଚାଳନା ତଥା ଶିକ୍ଷା ବ୍ୟବସ୍ଥା ପରିଚାଳନା ଆଦି କ୍ଷେତ୍ରରେ ଅନେକ ପରିବର୍ତ୍ତନ କରିଛନ୍ତି । ସେହି କ୍ରମରେ ସଂପ୍ରତି ଏନ୍‌.ସି.ଇ.ଆର୍‌.ଟି (NCERT) ସମସ୍ତ ପାଠ୍ୟପୁସ୍ତକରୁ ବହୁ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ, ବିଷୟବସ୍ତୁକୁ ସମ୍ପୂର୍ଣ୍ଣ ବାଦ ଦେଇଛି । ୨୦୨୩/୨୪ ଶିକ୍ଷା ବର୍ଷରୁ ଛାତ୍ରଛାତ୍ରୀମାନେ ମୋଗଲ ଶାସନର ଇତିହାସ, ଗଣତନ୍ତ୍ର ଓ ବିବିଧତା ସଂକ୍ରାନ୍ତିୟ ବିଷୟ, ଡାରଉଇନଙ୍କ ବିବର୍ତ୍ତନ ବାଦ, ପର୍ଯ୍ୟାୟ ସରଣୀ, ଶିଳ୍ପ ବିପ୍ଳବ ଏହିଭଳି ଅନେକ କଥା ଆଉ ପଢିବେ ନାହିଁ । ଏହିଭଳି ବ୍ୟାପକ ପରିବର୍ତ୍ତନ ଲୋକଲୋଚନକୁ ଆସିଲାମାତ୍ରେ ହିଁ ଦେଶବ୍ୟାପୀ ଆଲୋଡନ ସୃଷ୍ଟି ହୋଇଛି । ବହୁ ସଂଖ୍ୟାରେ ବୁଦ୍ଧିଜୀବୀ, ଛାତ୍ର, ଅଭିଭାବମାନେ ଏହିଭଳି ପରିବର୍ତ୍ତନକୁ ଅଗ୍ରାହ୍ୟ କରିବା ସହ ଏହି ପଦକ୍ଷେପର ଦୃଢ ବିରୋଧ କରୁଛନ୍ତି । ତେବେ ଏହି ଲେଖାରେ ଆମେ ସମ୍ପ୍ରତି ଇତିହାସର ପୁର୍ନଲିଖନ ସଂକ୍ରାନ୍ତୀୟ ବିଷୟ ଉପରେ ସଂକ୍ଷିପ୍ତ ଆଲୋଚନା କରି ଦେଖିବା ଏଭଳି ପରିବର୍ତ୍ତନର ଅସଲ ଉଦ୍ଦେଶ୍ୟ କ’ଣ?

କ’ଣ ପରିବର୍ତ୍ତନ କରାଯାଉଛି
ଜାତୀୟ ଶିକ୍ଷାନୀତି-୨୦୨୦କୁ ଲାଗୁ କରିବାକୁ ଯାଇ ଏନ୍‌.ସି.ଇ.ଆର୍‌.ଟି (NCERT) ଇତିମଧ୍ୟରେ ୨୦୨୩-୨୪ ଶିକ୍ଷା ବର୍ଷ ପାଇଁ ସଦ୍ୟ ପ୍ରକାଶ କରିଥିବା ଷଷ୍ଠ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଇତିହାସ, ନଗର ବିଜ୍ଞାନ ଓ ରାଜନୀତି ବିଜ୍ଞାନ ପାଠ୍ୟପୁସ୍ତକରୁ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁକୁ ବାଦ ଦେଇଛି । ସପ୍ତମ ଶ୍ରେଣୀ ଇତିହାସ ବହିର ତୃତୀୟ ଅଧ୍ୟାୟରେ ଥିବା ଦିଲ୍ଲୀ ସୁଲତାନ ସମ୍ପର୍କିତ ଅଧ୍ୟାୟରୁ ତିନି ପୃଷ୍ଠା ହଟେଇ ଦିଆଯାଇଛି । ବାବର, ହୁମାୟୁନ,୍ ଆକବର, ଜାହାଙ୍ଗୀର, ସାହାଜାହାନ ଓ ଔରଙ୍ଗଜେବ ପ୍ରମୁଖଙ୍କ ସଂପର୍କରେ ପୂର୍ବରୁ ଯାହାସବୁ ଉଲ୍ଲେଖ ଥିଲା, ତାକୁ ବି ହଟେଇ ଦିଆଯାଇଛି । ଦ୍ୱାଦଶ ଶ୍ରେଣୀର ୨ୟଭାଗ ଇତିହାସ ବହିର ୯ମ ଅଧ୍ୟାୟରେ ଥିବା “ମୋଗଲ ଦରବାରରେ ରାଜା ଓ ଘଟଣାପଞ୍ଜି (ଷୋଡଶ ଶତାବ୍ଦୀରୁ ସପ୍ତଦଶ ପର୍ଯ୍ୟନ୍ତ)” ଶୀର୍ଷକ ଅଧ୍ୟାୟକୁ ସମ୍ପୂର୍ଣ୍ଣ ହଟେଇ ଦିଆଯାଇଛି । ସେହିପରି ଆକବରଙ୍କ ନୀତିଗୁଡ଼ିକ ସମ୍ପର୍କରେ ରହିଥିବା ଏକ ଅଧ୍ୟାୟକୁ ବି ହଟେଇ ଦିଆଯାଇଛି । ଯେଉଁଥିରେ ଆକବରଙ୍କ ପ୍ରଶାସନର ବିଶେଷତା ଏବଂ ସମାଜର ପୃଥକ ପୃଥକ ଲୋକଙ୍କ ସାମାଜିକ ରୀତିନୀତି, ଧର୍ମ ସଂପର୍କରେ ଉଲ୍ଲେଖଥିବା ବିଷୟକିୁ ବାଦ ଦିଆଯାଇଛି । ଏହାବ୍ୟତୀତ ଆକବର ସଂସ୍କୃତି ସଂପର୍କିତ ପୁସ୍ତକଗୁଡ଼ିକୁ ପାର୍ସିରେ ଅନୁବାଦ କରିବା ପ୍ରସଙ୍ଗକୁ ମଧ୍ୟ ବାଦ ଦିଆଯାଇଛି । ଇସଲାମର ଉଦ୍ଭବ ଓ ଭାରତରେ ଇସ୍ଲାମିକ ସଂସ୍କୃତିର ବିକାଶ ସମ୍ପର୍କିତ ଅଧ୍ୟାୟକୁ ହଟେଇ ଦିଆଯାଇଛି ।
ଦ୍ୱାଦଶ ଶ୍ରେଣୀର ରାଜନୀତି ବିଜ୍ଞାନ ପୁ୍‌ସ୍ତକରେ ଥିବା “ସ୍ୱାଧୀନତା ପରଠାରୁ ଭାରତର ରାଜନୀତି” ଶୀର୍ଷକ ଅଧ୍ୟାୟରେ ୨୦୦୨ର ଗୁଜରାଟର ମୁସଲମାନ ବିରୋଧୀ ଦଙ୍ଗା ସମ୍ପର୍କିତ ବିଷୟକୁ ହଟେଇ ଦିଆଯାଇଛି । ମାତ୍ର ୧୯୮୪ ମସିହାରେ ଘଟିଥିବା ଦିଲ୍ଲୀରେ ଶିଖ ବିରୋଧୀ ଦଙ୍ଗା ପ୍ରସଙ୍ଗଟି ପୂର୍ବ ପରି ରଖାଯାଇଛି । ଜରୁରୀ ପରିସ୍ଥିତି ଶୀର୍ଷକ ଅଧ୍ୟାୟକୁ ମଧ୍ୟ ବାଦ ଦିଆଯାଇଛି । “ଲୋକପ୍ରିୟ ଆନ୍ଦୋଳନର ଅଭ୍ୟୁଦୟ” ବିଷୟ ଯେଉଁଥିରେ ଜୟପ୍ରକାଶଙ୍କ ନେତୃତ୍ୱରେ ଗଢିଉଠିଥିବା ସଂପୂର୍ଣ୍ଣ କ୍ରାନ୍ତି ଆନ୍ଦୋଳନ, ଦଳିତ ଆନ୍ଦୋଳନ, ନକ୍‌ସାଲୱାଡି ଆନ୍ଦୋଳନ ଇତ୍ୟାଦି ଅନ୍ତର୍ଭୁକ୍ତ ଥିଲା ତାହାକୁ ସମ୍ପର୍ଣ୍ଣ ବାଦ ଦିଆଯାଇଛି ।
ସେହିପରି ଦ୍ୱାଦଶ ଶ୍ରେଣୀର ରାଜନୀତି ବିଜ୍ଞାନ ବହିରେ ଗାନ୍ଧିଜୀଙ୍କ ହତ୍ୟା ସମ୍ପର୍କିତ ପ୍ରସଙ୍ଗକୁ ହଟେଇ ଦିଆଯାଇଛି । ଦେଶରେ ହିନ୍ଦୁ ମୁସଲମାନ ଏକତା ପାଇଁ ଗାନ୍ଧିଜୀଙ୍କ ଭୂମିକା, ନାଥୁରାମ ଗୋଡ୍‌ସେ ନାମକ ଜଣେ ହିନ୍ଦୁ କଟ୍ଟରପନ୍ଥୀ ଦ୍ୱାରା ଗାନ୍ଧିଜୀଙ୍କୁ ହତ୍ୟା ଏବଂ ଏଥିପାଇଁ ତତ୍କାଳୀନ ଗୃହମନ୍ତ୍ରୀ ସର୍ଦ୍ଦାର ପଟେଲ୍‌ଙ୍କ ଦ୍ୱାରା ଦେଶରେ ସାମ୍ପ୍ରଦାୟିକ ବିଦ୍ୱେଷ ପ୍ରସାର କରୁଥିବା ଆର୍‌.ଏସ୍‌.ଏସ୍‌.କୁ ବେଆଇନ ଘୋଷଣା କରିବା ଆଦି ବିଷୟବସ୍ତୁକୁ ନୂତନ ପାଠ୍ୟପୁସ୍ତକରୁ ବାଦ ଦିଆଯାଇଛି ।
ଦ୍ୱାଦଶ ଶ୍ରେଣୀର ବିଶ୍ୱ ରାଜନୀତି ଶୀର୍ଷକ ବହିର ପ୍ରଥମ ଅନୁଚ୍ଛେଦରେ ଥିବା ‘ଶୀତଳ ଯୁଦ୍ଧ ଯୁଗ’ ଏବଂ ତୃତୀୟ ଅନୁଚ୍ଛେଦରେ ଥିବା “ବିଶ୍ୱ ରାଜନୀତିରେ ଆମେରିକାର ରାଜୁତି”କୁ ସମ୍ପୂର୍ଣ୍ଣ ବାଦ ଦିଆଯାଇଛି । ଦ୍ୱାଦଶ ଶ୍ରେଣୀ ଇତିହାସ ବହିରେ ତୃତୀୟ ଖଣ୍ଡରୁ ଭାରତ ପାକିସ୍ଥାନ ବିଭାଜନ ସମୟରେ ବହୁ ଘଟଣା, ରାଜନୀତି, ଅନୁଭୁତିଗୁଡ଼ିକ ମଧ୍ୟ ସମ୍ପୂର୍ଣ୍ଣ ବାଦ ଦିଆଯାଇଛି । ସେହିପରି ଦଶମ ଶ୍ରେଣୀ Contemporary India- ବହିରୁ ରାଷ୍ଟ୍ର ଅର୍ଥନୀତିରେ କୃଷିର ଅବଦାନ, କୃଷି ଉପରେ ଜଗତୀକରଣ ଅର୍ଥନୀତିର ପ୍ରଭାବ ସଂପର୍କିତ ବିଷୟକୁ ବାଦ ଦିଆଯାଇଛି । ଦଶମ ଶ୍ରେଣୀDemocratic Politics- II ବହିରୁ ‘ଗଣତନ୍ତ୍ର ଓ ବିବିଧତା’, ‘ଲୋକପ୍ରିୟ ଆନ୍ଦୋଳନ ଏବଂ ସଂଗ୍ରାମ’, ‘ବିଭିନ୍ନ ରାଜନୈତିକ ଦଳ ସମ୍ପର୍କରେ ଥିବା ବିଷୟ’, ‘ଗଣତନ୍ତ୍ରର ଆହ୍ୱାନ’ ଇତ୍ୟାଦି ବିଷୟଗୁଡ଼ିକୁ ସମ୍ପୂର୍ଣ୍ଣଭାବରେ ବାଦ ଦିଆଯାଇଛି । ନବମ ଶ୍ରେଣୀ Contemporary India – I ବହିରୁ ‘ପଶ୍ଚିମା ଝଡ୍‌’, ‘ଭାରତୀୟ ମୌସୂମୀ ବାୟୁ’, ‘ପ୍ରାକୃତିକ ବିବିଧତାକୁ କ୍ଷତି କରୁଥିବା କାରଣ’ ଇତ୍ୟାଦି ବିଷୟବସ୍ତୁକୁ ମଧ୍ୟ ବାଦ ଦିଆଯାଇଛି ।
ଏକାଦଶ ଶ୍ରେଣୀ ଭାରତୀୟ ଅର୍ଥନୀତି ବହିରୁ ‘ଦରିଦ୍ରତା’ ଶୀର୍ଷକ ବିଷୟକୁ ସମ୍ପର୍ଣ୍ଣ ବାଦ ଦିଆଯାଇଛି । ସେହିପରି Political Theory ବହିରୁ ‘ଶାନ୍ତି’ (ଚରବମର), ‘ଉନ୍ନତି’ (Development) ଶୀର୍ଷକ ବିଷୟବସ୍ତୁକୁ ବାଦ ଦିଆଯାଇଛି । ସେହିପରି ବିଶ୍ୱ ଇତିହାସ ବହିରୁ ‘ଇସ୍‌ଲାମିକ ଦେଶ ସମୂହ’, ‘ସଂସ୍କୃତି’, ଯୁଗାନ୍ତକାରୀ ‘ଶିଳ୍ପ ବିପ୍ଳବ’ ହଟାଇ ଦିଆଯାଇଛି । ଏପରିକି ଦେଶର ପ୍ରଥମ ଶିକ୍ଷା ମନ୍ତ୍ରୀ ମୌଲାନା ଆବଦୁଲ୍ କାଲାମ୍ ଆଜାଦଙ୍କ ଉପରେ ଥିବା ବିଷୟକୁ ମଧ୍ୟ ବାଦ ଦିଆଯାଇଛି । ଏଠାରେ ପ୍ରକାଶ ଥାଉ କି, ମୌଲାନା ଆଜାଦଙ୍କ ନାମରେ ଏମ୍‌ଫିଲ୍‌, ପି.ଏଚ୍‌ଡି ପାଇଁ ପୂର୍ବରୁ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଦାନ କରାଯାଉଥିବା ଛାତ୍ର ବୃତ୍ତିକୁ ମଧ୍ୟ କେନ୍ଦ୍ର ସରକାର ଦୁଇବର୍ଷ ତଳେ ବନ୍ଦ କରିଦେଇଛନ୍ତି ।
ସରକାରଙ୍କ ଯୁକ୍ତି
ସଂପ୍ରତି ଏନ୍‌ସିଇଆରଟି ପକ୍ଷରୁ କରାଯାଇଥିବା ପରିବର୍ତ୍ତନ ସମ୍ପର୍କରେ ସରକାର କହିଛନ୍ତି ଯେ, କୋଭିଡ ମହାମାରୀ ଯୋଗୁ କରାଯାଇଥିବା ଲକ୍‌ଡାଉନ୍ ପାଇଁ ପାଠ ପଢା ବନ୍ଦ ହେବା ଯୋଗୁ ବର୍ତ୍ତମାନ ପିଲାମାନେ ଗୁରୁତର ମାନସିକ ଚାପ ଦେଇ ଗତି କରୁଛନ୍ତି । ପିଲାମାନଙ୍କ ମାନସିକ ଚାପ, ବୋଝ କମ୍ କରିବା ପାଇଁ ଏହିଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ଆହୁରି ମଧ୍ୟ ଜାତୀୟ ଶିକ୍ଷାନୀତି ୨୦୨୦ର ସୁପାରିଶ କ୍ରମେ ପାଠ୍ୟକମ୍ର କୁ କ୍ସବଗ୍ଧସକ୍ଟଦ୍ଭବକ୍ଷସଗ୍ଦବଗ୍ଧସକ୍ଟଦ୍ଭ ବା ପାଠ୍ୟକ୍ରମକୁ ଯୁକ୍ତିସଂଗତ କରିବା ପାଇଁ ଏହିଭଳି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି କୁହାଯାଉଛି । ଏନ୍‌.ସି.ଇ.ଆର୍‌.ଟି ପକ୍ଷରୁ ଘୋଷଣା ହେବା ମାତ୍ରେ ଉତ୍ତରପ୍ରଦେଶ ସରକାର ଏହାକୁ ଚଳିତ ଶିକ୍ଷାବର୍ଷ ଠାରୁ ନିଜ ରାଜ୍ୟରେ ଲାଗୁ କରିବା ପାଇଁ ଘୋଷଣା କରିଛନ୍ତି । ସତେ ଯେମିତି ଉତ୍ତରପ୍ରଦେଶ ସରକାର ଏନ୍‌ସିଆଇଟି ଘୋଷଣାକୁ କେବଳ ଅପେକ୍ଷା କରିଥିଲା! ଏପରିକି ଜଣେ ବି.ଜେ.ପି ନେତା କଣ୍ଠ ଫଟାଇ କହିବାକୁ ପଛାଇ ନାହାନ୍ତି ଯେ, ମୋଗଲମାନେ ସବୁ ଚୋର, ଲୁଟେରା, ଦୁଇ ଟଙ୍କିଆ ଦସ୍ୟୁ । ସେମାନଙ୍କ ସ୍ଥାନ ପାଠ ପୁସ୍ତକରେ ନୁହେଁ, ଅଳିଆ ଗଦାରେ ରହିବା ଦରକାର । ଏଭଳି ଯୁକ୍ତି ଉପସ୍ଥାପନ କରାଯାଇ ପାଠ୍ୟ ପୁସ୍ତକଗୁଡ଼ିକରୁ ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁକୁ ମନଇଚ୍ଛା ଏବଂ ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ବାଦ ଦେଇଛନ୍ତି । ଯାହାକୁନେଇ ଦେଶ ବ୍ୟାପୀ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଛି । ଦିଲ୍ଲୀ ବିଶ୍ୱବିଦ୍ୟାଳୟ, ହାଇଦ୍ରାବାଦ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, କଲମ୍ବିଆ ବିଶ୍ୱବିଦ୍ୟାଳୟ, ଯାଦବପୁର ବିଶ୍ୱବିଦ୍ୟାଳୟ ଏପରିକି ପ୍ରିନ୍ସଟନ୍ ବିଶ୍ୱବିଦ୍ୟାଳୟର ୨୫୦ରୁ ଉର୍ଦ୍ଧ୍ୱ ଇତିହାସବିତ୍ ସରକାରଙ୍କ ଏତାଦୃଶ୍ୟ ପଦକ୍ଷେପକୁ ଦୃଢ ବିରୋଧ କରିବା ସହ ଏହା ଇତିହାସର ସାମ୍ପ୍ରଦାୟିକରଣ, ଫାସିବାଦୀକରଣ ବୋଲି ବର୍ଣ୍ଣନା କରିଛନ୍ତି ।
ଇତିହାସର ଫାସିବାଦୀକରଣ
ପ୍ରଥମତଃ କୋଭିଡ ଜନିତି ଚାପକୁ ହ୍ରାସ କରିବା ପାଇଁ ସରକାର ୩୦ ପ୍ରତିଶତ ପାଠ୍ୟକ୍ରମ ବାଦଦେବା ସପକ୍ଷରେ ଯେଉଁ ଯୁକ୍ତି ଉପସ୍ଥାପନ କରିଛନ୍ତି ତାହା ସମ୍ପୂର୍ଣ୍ଣ ହାସ୍ୟାସ୍ପଦ । ବର୍ତ୍ତମାନ ଦେଶସାରା ପୂର୍ବଭଳି ସ୍ୱାଭାବିକ ପାଠ ପଢା ଚାଲିଛି । କୌଣସି ପ୍ରକାର କୋଭିଡ୍ ଜନିତ ଚାପ ନାହିଁ । ତେଣୁ ଏହିଭଳି ନିହାତି ହାଲୁକା କଥା କହି ସରକାର ଅସଲ ଉଦ୍ଦେଶ୍ୟକୁ ଲୁଚାଇ ପାରିବେ ନାହିଁ । ଏଠାରେ ପ୍ରକାଶ୍ୟଯୋଗ୍ୟ ୨୦୨୦ ମସିହାରେ କୋଭିଡ ଲକଡାଉନ ଯୋଗୁ ଶିକ୍ଷାନୁଷ୍ଠାନଗୁଡିକ ଦୀର୍ଘ ଦିନ ବନ୍ଦ ହେବା କାରଣରୁ ସମଗ୍ର ପାଠ୍ୟକ୍ରମରୁ ବାଛି ବାଛି ୩୦ପ୍ରତିଶତ କୋର୍ସ କମ୍ କରାଯାଇଥିଲା ଏବଂ ଅବସ୍ଥା ସ୍ୱାଭାବିକ ହେଲେ ପୁରା କୋର୍ସ ପଢା ହେବ ବୋଲି ଘୋଷଣା କରାଯାଇଥିଲା । ମାତ୍ର ପରିସ୍ଥିତି ସ୍ୱାଭାବିକ ହେବା ପରେ ମଧ୍ୟ ସେ ଉଚ୍ଛେଦ ପ୍ରକ୍ରିୟା ଅବ୍ୟାହତ ରହିଛି ।
ଦ୍ୱିତୀୟତଃ ପ୍ରଚଳିତ ପାଠ୍ୟ ଖସଡା ଯଦି ଛାତ୍ରଛାତ୍ରୀମାନଙ୍କ ଉପରେ ଚାପ ସୃଷ୍ଟି କରୁଛି ବୋଲି ସରକାର ମନେକରୁଛନ୍ତି ତେବେ ଏ ସକ୍ରାନ୍ତରେ ବିଭିନ୍ନ ବିଷୟରେ ଥିବା ଦକ୍ଷ ପ୍ରବୀଣ ଶିକ୍ଷାବିଦ୍‌ମାନଙ୍କୁ ନେଇ ତଳ ସ୍ତରରୁ ଉପର ସ୍ତର ପର୍ଯ୍ୟନ୍ତ ବ୍ୟାପକ ଚର୍ଚ୍ଚା ଆଲୋଚନା ମାଧ୍ୟମରେ ସେମାନଙ୍କ ସୁପାରିଶ କ୍ରମେ ପଦକ୍ଷେପ ଗ୍ରହଣ କରାଯିବା ଯୁକ୍ତିଯୁକ୍ତ ହୋଇଥାନ୍ତା ।ମାତ୍ର ତା’ ନକରି କୋଭିଡ ଆଳ ଦେଖାଇ ରାତି ଅଧିଆ କିଛି ବସମ୍ବଦମାନଙ୍କ ମତାମତ ନେଇ ମନଇଚ୍ଛା ବିଭିନ୍ନ ବିଷୟ ପାଠ୍ୟକ୍ରମରୁ ହଟାଇ ଦେବା ସମ୍ପୂର୍ଣ୍ଣ ଅବୈଜ୍ଞାନିକ, ଅଗଣତାନ୍ତ୍ରିକ, ଅପରାଧିସୁଲଭ ଏବଂ ସଂପୂର୍ଣ୍ଣ ହୀନ ଉଦ୍ଦେଶ୍ୟପ୍ରଣୋଦିତ । ତୃତୀୟତଃ ଏଭଳି ଆଂଶିକ ପାଠ୍ୟଦ୍ୱାରା ଛାତ୍ରଛାତ୍ରୀମାନେ ପୂର୍ଣ୍ଣାଙ୍ଗ ଇତିହାସ ଅଧ୍ୟୟନ କରିପାରିବେ ନାହିଁ । ଅର୍ଥାତ୍ ଅତୀତରେ ଘଟିଯାଇଥିବା ବିଭିନ୍ନ ଘଟଣାବଳୀ ସହିତ ଯୁକ୍ତକରି ସମାଜର କ୍ରମବିକାଶକୁ ଛାତ୍ରଛାତ୍ରୀମାନେ ଠିକ୍ ଭାବେ ଜାଣି ପାରିବେ ନାହିଁ ।
ଚତୁର୍ଥତଃ ଇତିହାସ କହିଲେ କେବଳ ଅତୀତର କିଛି ଘଟଣାବଳୀ, ଦିନ, ତାରିଖ, ନାମଗୁଡ଼ିକର ସମାହାରକୁ ବୁଝାଏ ନାହିଁ । ଇତିହାସ କହିଲେ ମାନବ ସମାଜର ବିକାଶ ଧାରା- ତା’ ସମାଜନୀତି ଠାରୁ ଆରମ୍ଭ କରି ଅର୍ଥନୀତି, ସଂସ୍କୃତି ଇତ୍ୟାଦିର ଏକ ବିଜ୍ଞାନସମ୍ମତ ସାମଗ୍ରୀକ ସୁସଂଯୋଜିତ ବିଶ୍ଳେଷଣକୁ ବଝୁ ।ଏ । ଅତୀତର ଘଟଣାବଳୀକୁ ବିଜ୍ଞାନସମ୍ମତ ପ୍ରକ୍ରିୟା ଅନୁଶୀଳନ କରି ତଥ୍ୟ ପ୍ରମାଣ ଭିତ୍ତିରେ ଇତିହାସ ଲେଖାଯାଇଥାଏ, ଯାହାକୁ historiography କୁହାଯାଏ । ଏହା କାହାର ମନଗଢା ଧାରଣା ଉପରେ, ଭଲ ଲାଗିବା ବା ମନ୍ଦ ଲାଗିବା ଉପରେ ନିର୍ଭର କରେ ନାହିଁ । ମାତ୍ର କେନ୍ଦ୍ର ସରକାର ଏସମସ୍ତ ବୈଜ୍ଞାନିକ ପଦ୍ଧତିକୁ ସମ୍ପୂର୍ଣ୍ଣ ଧ୍ୱଂସ କରି ନିଜର ହୀନ ରାଜନୈତିକ ସ୍ୱାର୍ଥ ହାସଲ କରିବା ପାଇଁ ଇତିହାସର ବିକୃତିକରଣ କରିବାକୁ ଚେଷ୍ଟା କରୁଛନ୍ତି ।
ପଞ୍ଚମତଃ ଭାରତ ଇତିହାସ କହିଲେ କେବଳ ବୈଦିକ ଯୁଗକୁ ବୁଝାଏ ନାହିଁ । ଏହା ସିନ୍ଧୁ ସଭ୍ୟତା ଠାରୁ ଆରମ୍ଭ କରି ବୈଦିକ, ମୋଗଲ, ଇଂରେଜ ଏବଂ ଦକ୍ଷିଣ ଓ ପୂର୍ବ ଭାରତର ଇତିହାସକୁ ମଧ୍ୟ ବୁଝାଏ । ଏ ସମସ୍ତ ଇତିହାସ ପରସ୍ପର ସହିତ ସମ୍ପର୍କ ଯୁକ୍ତ । ଯଦି ଗୋଟେ ଯୁଗର ଇତିହାସକୁ ବିଚ୍ଛିନ୍ନଭାବ, ଗୋଳିଆ ମିଶାକରି ଅଧ୍ୟୟନ କରାଯାଏ ତେବେ ତାହା ହେବ ବିଖଣ୍ଡିତ ଏବଂ ଆଂଶିକ ଇତିହାସ । ଆଂଶିକ ଜ୍ଞାନ ସର୍ବଦା ପୂର୍ଣ୍ଣାଙ୍ଗ ସତ୍ୟ ଜାଣିବାରେ ପ୍ରତିବନ୍ଧକ ସୃଷ୍ଟି କରେ । ପରିଣାମ ସ୍ୱରୂପ ଉଗ୍ରତା, ଅବିଶ୍ୱାସ, ଧର୍ମାନ୍ଧତା ଉଠିବାର କ୍ଷେତ୍ର ପ୍ରସ୍ତୁତ ହୁଏ । ଇତିହାସରେ ମୋଗଲ ଯୁଗର ଅବଦାନକୁ ଅସ୍ୱୀକାର କରିବା ଅର୍ଥ ଭାରତ ଭୂଖଣ୍ଡରେ ୧୫୨୬ ମସିହାରୁ ୧୮୫୭ ମସିହା ପର୍ଯ୍ୟନ୍ତ ଦୀର୍ଘ ୩୩୦ ବର୍ଷ ଧରି ବିକାଶଲାଭ କରିଥିବା ଏ ଦେଶର କଳା, ସାହିତ୍ୟ, ଭାଷ୍କର୍ଯ୍ୟ, ସ୍ଥାପତ୍ୟ କଳା, ସଂଗୀତ, ରାଜନୀତି, ଶାସନନୀତି ଓ ସଂସ୍କୃତି ଆଦି ଯାହା କିଛି ଘଟିଛି ବା ସୃଷ୍ଟି ହୋଇଛି ସେ ସବୁକୁ ଅସ୍ୱୀକାର କରିବା । ଗୋଟିଏ ପଟରେ ସେସବୁରୁ ଆଗାମୀ ପିଢିକୁ ବଂଚିତ କରିବା ଏବଂ ଅନ୍ୟପଟରେ କୋମଳମତି ଶିଶୁମାନଙ୍କ ମଧ୍ୟରେ ଧର୍ମୀୟ ବିଦ୍ୱେଷର ବିଷ ମଞ୍ଜି ଭର୍ତ୍ତିକରି ସମାଜରେ ଉତ୍‌ଶୃଙ୍ଖଳତାର ଜୁଆର ସୃଷ୍ଟି କରିବା ।
ଷଷ୍ଠତଃ ଛାତ୍ରଛାତ୍ରୀମାନଙ୍କୁ ଭାରତର ଗଣତାନ୍ତ୍ରିକ ବ୍ୟବସ୍ଥା, ବିବିଧତା, ଧାର୍ମିକ ଭାଇଚାରା ବିଷୟରେ ଜଣିବାକୁ ଦେବା, ବିଭିନ୍ନ ସମୟରେ ଓ ସ୍ୱାଧୀନ ଭାରତବର୍ଷରେ ଗଢି ଉଠିଥିବା ଲୋକପ୍ରିୟ ଜନଆନ୍ଦୋଳନ ଓ ସଂଗ୍ରାମର ଇତିହାସ ସମ୍ପର୍କରେ ନଜଣାଇବା ଅର୍ଥ ହେଉଛି ଭାରତବର୍ଷର ଆଗାମୀ ପିଢିକୁ ଅସହିଷ୍ଣୁ, ଗୋଡାଣିଆ ଓ ଭୀରୁ କରିବା ।
ସପ୍ତମତଃ ଗାନ୍ଧିଜୀଙ୍କ ହତ୍ୟା ପ୍ରସଙ୍ଗକୁ ସମ୍ପୂର୍ଣ୍ଣ ବାଦଦେବା ଏବଂ ଏହି ଘଟଣାକୁ ଭିତ୍ତି କରି ଆର୍‌.ଏସ୍‌.ଏସ୍‌କୁ ବେଆଇନ୍ ଘୋଷଣା କରାଯିବା ଓ ୨୦୦୨ ମସିହାରେ ଗୁଜୁରାଟ ସାମ୍ପ୍ରଦାୟିକ ଦଙ୍ଗା ଆଦି ଘଟଣାଗୁଡ଼ିକୁ ପାଠ୍ୟପୁସ୍ତକରୁ ବାଦ ଦେବା ଅର୍ଥ ଆର୍‌.ଏସ୍‌.ଏସ୍‌ର ନୀତି ଆଦର୍ଶରେ ଗଢା ବି.ଜେ.ପି ଦଳର ଅସଲ ଚେହେରା ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ଅନ୍ଧକାରରେ ରଖି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଉଗ୍ର ରାଷ୍ଟ୍ରୀୟତାବୋଧ ସୃଷ୍ଟି ପାଇଁ ଉଦ୍ୟମ କରିବା । ସୁତରାଂ ଉଦ୍ଦେଶ୍ୟମୂଳକଭାବେ ପାଠ୍ୟପୁସ୍ତକ ଗୁଡିକୁ ପାଠଶୂନ କରି ଛାତ୍ରଛାତ୍ରଙ୍କ ଭବିଷ୍ୟତକୁ ଧ୍ୱଂସ କରିବାସହ ସମାଜ ସଭ୍ୟତାର ବିକାଶଧାରାରୁ କଣ୍ଠରୋଧ କରିବାପାଇଁ ଏହା ଏକ ହୀନ ଅପରାଧିସୁଲୋଭ ପ୍ରଚେଷ୍ଠା ବୋଲି ଉପର ଆଲୋଚନାରୁ ସ୍ପଷ୍ଟ ହେଉଛି ।
ଆଜିର ଆହ୍ୱାନ
ଇତିହାସକୁ ବଦଳାଇବାର ଚେଷ୍ଟା ବିଭିନ୍ନ ସରକାରଙ୍କ ପକ୍ଷରୁ ସ୍ୱାଧୀନତା ପୂର୍ବରୁ ଏବଂ ପରେ ବହୁବାର ହୋଇଛି । ଯିଏ ଯେତେବେଳେ ଶାସନ କ୍ଷମତାରେ ରହିଛି ତାର ରାଜନୈତିକ ସ୍ୱାର୍ଥ ସିଦ୍ଧି ପାଇଁ ଇତିହାସର ପୁର୍ନଲିଖନ କରିବାର ଚେଷ୍ଟା କରିଛନ୍ତି । ବ୍ର ିଟିଶ ଔପନିବେଶିକ ଶାସନ ସମୟରେ ଔପନିବେଶିକ ଶାସନ ସ୍ୱାର୍ଥରେ ଶିକ୍ଷାନୀତି ଏବଂ ସେହି ଅନୁଯାୟୀ ପାଠ୍ୟଖସଡ଼ା ପ୍ରସ୍ତୁତ କରାଯାଇଥିଲା । ଯାହାକୁ ବିରୋଧ କରି ରାଜା ରାମମୋହନ ରାୟ, ବିଦ୍ୟାସାଗର, ଜ୍ୟୋତିବା ରାଓ ଫୁଲେ, ଫକୀରମୋହନ ସେନାପତି, ଗୋପବନ୍ଧୁଙ୍କ ସମେତ ବହୁ ମହାପୁରୁଷମାନେ ଗଣତାନ୍ତ୍ରିକ, ଧର୍ମନିରପେକ୍ଷ, ବୈଜ୍ଞାନିକ ଓ ସାର୍ବଜନୀନ ଶିକ୍ଷାନୀତି ପ୍ରଚଳନ କରିବା ସହିତ ଇଂରାଜୀ ଭାଷା ଶିକ୍ଷା ଦେବା ସହିତ ଫରାସୀ ରାଷ୍ଟ୍ର ବିପ୍ଳବ, ଶିଳ୍ପ ବିପ୍ଳବ ଏବଂ ବିଭିନ୍ନ ଦେଶରେ ଗଢି ଉଠିଥିବା ରାଜତନ୍ତ୍ର ବିରୋଧି ଗଣତାନ୍ତ୍ରିକ ବିପ୍ଳବର କଥା ଛାତ୍ରଛାତ୍ରୀମାନଙ୍କୁ ପଢାଇବାକୁ ଦାବି ଉଠାଇଥିଲେ । ଏହାଫଳରେ ଭାରତର ଜନଗଣଙ୍କ ମଧ୍ୟରେ ଗଣତାନ୍ତ୍ରିକ ମୂଲ୍ୟବୋଧ ଗଢିଉଠିବ ଏବଂ ଅନ୍ୟଦେଶର ମୁକ୍ତି ସଂଗ୍ରାମରୁ ଶିକ୍ଷାନେଇ ଇଂରେଜ ସାମ୍ରାଜ୍ୟବାଦ କବଳରୁ ଭାରତବର୍ଷକୁ ମୁକ୍ତ କରି ଏକ ଆଧୁନିକ ସ୍ୱାଧୀନ ରାଷ୍ଟ୍ରଭାବେ ପରିଣତ କରାଯାଇପାରିବ ବୋଲି ସେମାନେ ଆଶା କରିଥିଲେ ।
ମାତ୍ର ସ୍ୱାଧୀନତା ଆସିବା ମଧ୍ୟଦେଇ ଭାରତବର୍ଷରେ ଲାଭଭିତ୍ତିକ ପୁଞ୍ଜିବାଦୀ ବ୍ୟବସ୍ଥା ପ୍ରତିଷ୍ଠା ହେବା ପରେ ପୁଞ୍ଜିବାଦୀ ବ୍ୟବସ୍ଥାକୁ ସୁହାଇଲା ଭଳି ଇତିହାସ ରଚନାପାଇଁ ପ୍ରୟାସ ଆରମ୍ଭ ହୋଇଥିଲା । ସେହି ଅନୁଯାୟୀ ଏନ୍‌ସିଇଆର୍‌ଟି ଦ୍ୱାରା ପାଠ୍ୟ ପୁସ୍ତକ ରଚନା କରାଯାଇଥିଲା । ବିଶେଷକରି ୧୯୯୦ ମସିହା ପରେ ଚରମ ପ୍ରତିକ୍ରିୟାଶୀଳ ସାମ୍ରାଜ୍ୟବାଦୀ ଜଗତୀକରଣ ନୀତି କାର୍ଯ୍ୟକାରୀ କରାଗଲା ଏବଂ ତାର ଅନୁକୁଳ ଶିକ୍ଷାନୀତି ପ୍ରଚଳନ କରାଗଲା । ଆମେ ଜାଣନ୍ତି ଆଜି ପୁଞ୍ଜିପତିଶ୍ରେଣୀ ସାମ୍ରାଜ୍ୟବାଦୀ ଚରିତ୍ର ଅର୍ଜନ କରି ସମ୍ପୂର୍ଣ୍ଣ ପ୍ରତିକ୍ରିୟାଶୀଳ ଶକ୍ତିରେ ପରିଣତ ହୋଇଛି । ସମାଜରେ ଚରମ ସଂକଟ ସୃଷ୍ଟି କରିଛି । ଧନୀ ଦରିଦ୍ର ମଧ୍ୟରେ ଆକାଶ-ପାତାଳ ପ୍ରଭେଦ । ଦରଦାମ ବୃଦ୍ଧି, ବେକାରୀ ସମସ୍ୟା ଉତ୍କଟ ରୂପ ଧାରଣ କରିଛି । ଆଜି ଛାତ୍ର, ଯୁବକ, ମହିଳା, ଶ୍ରମିକ, ଚାଷୀ ତଥା ସମସ୍ତ ସ୍ତରର ଜନଗଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଓ କ୍ଷୋଭ । ଫଳରେ ଚତୁର୍ଦିଗ ଆଜି ସ୍ୱତସ୍ଫୃର୍ତ୍ତ ଆନ୍ଦୋଳନରେ ଫାଟି ପଡୁଛି । କାଳେ ଏହି ପୁଞ୍ଜିଭୁତ ଅସନ୍ତୋଷ ସଂଗଠିତ ରୂପ ନେଇ ଦେଶରେ ବିପ୍ଳବର ରାସ୍ତା ପ୍ରଶସ୍ତ କରିବ ସେଥିପାଇଁ ଶାସନଗାଦିରେ ଅଧିଷ୍ଠିତ ପୁଞ୍ଜିପତିଶ୍ରେଣୀ ଓ ପୁଞ୍ଜିବାଦୀ ବ୍ୟବସ୍ଥା ତାର ଶେଷ ରକ୍ଷାକବଚ ହିସାବରେ ଫାସୀବାଦ ପ୍ରତିଷ୍ଠା ପାଇଁ ଉଦ୍ୟମ କରୁଛି । ଆଜି ବିଶ୍ୱର ପ୍ରାୟ ସମସ୍ତ ଦେଶରେ ଫାସିବାଦର ଲକ୍ଷଣ ଦେଖାଦେଉଛି । ଭାରତବର୍ଷ ପୁଞ୍ଜିବାଦୀ ବ୍ୟବସ୍ଥାର ସେବାଦାସ ଓ ତା’ର ଅତ୍ୟନ୍ତ ବିଶ୍ୱସ୍ତ ଦଳ ଭାବେ ୨୦୧୪ ମସିହା ପରଠାରୁ ବି.ଜେ.ପି ଆଜି ପର୍ଯ୍ୟନ୍ତ ନିରକୁଂଶ ସଂଖ୍ୟାଗରିଷ୍ଠତା ସହ କେନ୍ଦ୍ର କ୍ଷମତାରେ ଅଧିଷ୍ଠିତ । ଏହି ସରକାର ସମସ୍ତ କ୍ଷେତ୍ରର କେନ୍ଦ୍ରୀକରଣ, ଫାସିବାଦୀକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛନ୍ତି । ଅର୍ଥାତ ପୁଞ୍ଜିପତି ଶ୍ରେଣୀ ସ୍ୱାର୍ଥରେ କେନ୍ଦ୍ର ସରକାରଙ୍କ ନର୍ଦ୍ଦେଶରେ ସବୁ କିଛି ପରିଚାଳିତ ହେବ । ସେହିକ୍ରମରେ ଇତିହାସ ଯାହା ଦ୍ୱାରା ଅତୀତକୁ ଠିକଭାବେ ଜାଣି ଆଗକୁ ବଢିବାରେ ସାହାଯ୍ୟ କରେ, ତା’ର ବିକୃତକରଣ କରିବା ପାଇଁ କେନ୍ଦ୍ର ସରକାର ପୁରାଦମରେ ଅଣ୍ଟାଭିଡି ବାହାରିଛନ୍ତି । ଏଠି ଉଲ୍ଲେଖଯୋଗ୍ୟ ଭାରତବର୍ଷର ଛାତ୍ରଛାତ୍ରୀ ଆଜି ବିଶ୍ୱର ସର୍ବବୃହତ ଯୁବଗୋଷ୍ଠୀ । ସେଥିପାଇଁ ସେମାନଙ୍କୁ ପ୍ରକୃତ ସତ୍ୟ ଜାଣିବାରୁ ଦୂରେଇ ରଖି ଜାତି, ଧର୍ମ, ବର୍ଣ୍ଣ ଏବଂ ଆଂଚଳିକ ବିଦ୍ୱେଷର ଚକ୍ରବ୍ୟୁହରେ ବାନ୍ଧି ସେମାନଙ୍କ ମଧ୍ୟରେ ଉଗ୍ରତା, ଧର୍ମାନ୍ଧତା, କୂପମଣ୍ଡୁକତା ସୃଷ୍ଟିକରି ସେମାନଙ୍କୁ ସାମାଜିକ ମୂଲ୍ୟବୋଧ ଶୂନ୍ୟ ଯନ୍ତ୍ରମାନବରେ ପରିଣତ କରିବା ପାଇଁ ଇତିହାସର ବିକୃତିକରଣ କରାଯାଉଛି । ଯାହାଦ୍ୱାରା ପୁଞ୍ଜିବାଦୀ ଶାସନ ଶୋଷଣ ଦ୍ୱାରା ସୃଷ୍ଟ ଅର୍ଥନୈତିକ ସମସ୍ୟା ବିରୁଦ୍ଧରେ ଜନଗଣ ଆନ୍ଦୋଳନ ଗଢି ତୋଳିପାରିବେ ନାହିଁ । ପୁଞ୍ଜିବାଦୀ ସାମ୍ରାଜ୍ୟବାଦୀ ଶାସନ ବ୍ୟବସ୍ଥା ଦୀର୍ଘ ଦିନ ପର୍ଯ୍ୟନ୍ତ କାଏମ ରହିବ । ଏଯୁଗର ବିଶିଷ୍ଟ ମାର୍କ୍ସବାଦୀ ଦାର୍ଶନିକ କମ୍ରେଡ ଶିବଦାସ ଘୋଷ କହିଥିଲେ “ଗୋଟିଏ ଜାତି ଖାଇବାକୁ ନ ପାଇ ମଧ୍ୟ ମେରୁଦଣ୍ଡ ସିଧା କରି ଠିଆ ହୋଇ ପାରିବ, ଯଦି ତା’ର ମନୁଷ୍ୟତ୍ୱ ଥାଏ । ଯଦି ମନୁଷ୍ୟତ୍ୱ ଚାଲିଯାଏ, ତେବେ ସେ ଜାତିର ଆଉ କିଛି ବାକି ନଥାଏ ।”
ତେଣୁ ଏହି ଭୟଙ୍କର ଆକ୍ରମଣ ବିରୁଦ୍ଧରେ ଆଜି ଜନସାଧାରଣ ବିଶେଷକରି ଛାତ୍ର ସମାଜ, ଶିକ୍ଷକ, ବୁଦ୍ଧିଜୀବୀମାନଙ୍କୁ ଦୃଢଭାବେ ଛିଡ଼ା ହେବାକୁ ପଡ଼ିବ । ସରକାରଙ୍କ ଏତାଦୃଶ୍ୟ ହୀନ ଘୃଣ୍ୟ ଉଦ୍ଦେଶ୍ୟପ୍ରଣୋଦିତ ଚକ୍ରାନ୍ତକୁ ସମସ୍ତ ଶକ୍ତି ଦେଇ ପ୍ରତିରୋଧ କରିବାକୁ ପଡିବ । ଏହା ହିଁ ହେଉଛି ଆଜି ସମୟର ଜରୁରୀ ଆହ୍ୱାନ ।

Leave a Reply

Your email address will not be published. Required fields are marked *