ଦେଶର ସାମ୍ପ୍ରତିକ ପରିସ୍ଥିତିର ପୃଷ୍ଠଭୂମିରେ ମହାନ ନେତା କମ୍ରେଡ୍ ଶିବଦାସ ଘୋଷଙ୍କ ଜନ୍ମ ଶତବର୍ଷ
Sarbaharakranti Dated 15.07.2023 –
ଦେଶରେ “ଆଚ୍ଛେ ଦିନ” ଆଣିବାର ସ୍ଲୋଗାନ ଦେଇ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପରିଚାଳିତ ବିଜେପି ଦଳ ଏକଚାଟିଆ ପୁଞ୍ଜିପତିମାନଙ୍କ ମଦଦ୍ରେ ୨୦୧୪ ସାଧାରଣ ନିର୍ବାଚନରେ କେନ୍ଦ୍ରରେ କ୍ଷମତାସୀନ ହୋଇଥିଲା । ବିଦେଶରୁ କଳାଟଙ୍କା ଫେରାଇ ଆଣି ପ୍ରତ୍ୟେକ ଲୋକଙ୍କ ବ୍ୟାଙ୍କ ଖାତାରେ ୧୫ଲକ୍ଷ ଲେଖାଏଁ ଟଙ୍କା ଜମା କରିବା, ଦରଦାମ ହ୍ରାସ କରିବା, ପ୍ରତିବର୍ଷ ୨କୋଟି ଲୋକଙ୍କୁ ଚାକିରି ଦେବା, ଚାଷୀମାନଙ୍କ ପାଇଁ ସ୍ୱାମୀନାଥନ କମିଟି ରିପୋର୍ଟ ଲାଗୁ କରିବା, ଦୁର୍ନିତୀମୁକ୍ତ ଓ ସାଧାରଣ ଲୋକମାନଙ୍କ ନିକଟରେ ଉତ୍ତରଦାୟୀ ସରକାର ପ୍ରତିଷ୍ଠା କରିବା ଇତ୍ୟାଦି ଥିଲା ବିଜେପି ଦଳର ନିର୍ବାଚନୀ ପ୍ରତିଶୃତି । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଫୁଲୱାମାଠାରେ ସୈନିକ ମାନଙ୍କ ମୃତ୍ୟୁକୁ ହତିଆର କରି, ସମଗ୍ର ଦେଶରେ ତୀବ୍ର ସାଂପ୍ରଦାୟିକ ବିଦ୍ୱେଶ ସୃଷ୍ଟିକରି ସମସ୍ତ କ୍ଷେତ୍ରରେ ଦୟନୀୟ ଭାବରେ ବିଫଳ ବିଜେପି ଦଳ ପୁନର୍ବାର କ୍ଷମତାସୀନ ହୋଇଥିଲା । ଇତି ମଧ୍ୟରେ କେନ୍ଦ୍ର ବିଜେପି ସରକାର ଏହାର ୯ବର୍ଷର କାର୍ଯ୍ୟକାଳ ପୂରଣ କରିଛି ଏବଂ ୨୦୨୪ ମସିହାରେ ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସାଧାରଣ ନିର୍ବାଚନ ଲଢିବାକୁ ସଜବାଜ ହେଉଛି । ମାତ୍ର ଆଚ୍ଛେଦିନର ସ୍ଲୋଗାନ ଆଉ ଶୁଣିବାକୁ ମିଳୁନାହିଁ । ୨୦୧୪ ନିର୍ବାଚନ ପାଇଁ ନୂଆ ସ୍ଲୋଗାନ ଓ ନୂଆ ରାଜନୈତିକ ପ୍ରସଙ୍ଗର ସନ୍ଧାନ ଚାଲିଛି । ତେବେ ସ୍ୱାଧୀନତାର ୭୫ତମ ବର୍ଷପୂର୍ତ୍ତିରୁ ଦେଶ ଅମୃତକାଳରେ ପ୍ରବେଶ କରିଛି ଏବଂ କେନ୍ଦ୍ର ବିଜେପି ସରକାର ନେତୃତ୍ୱରେ ଦେଶର ଜନସାଧାରଣ ଅମୃତ ମହୋତ୍ସବ ପାଳନ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ବାରବାର ଘୋଷଣା କରୁଛନ୍ତି । ଅର୍ଥତ୍ ବହୁ ପ୍ରଚାରିତ ଅମୃତକାଳରେ ହିଁ ୨୦୨୪ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି ।
ବର୍ତ୍ତମାନ ଦେଖାଯାଉ ଏହି ଅମୃତ କାଳରେ ଦେଶର ଅମୃତର ସନ୍ତାନମାନଙ୍କର ଅବସ୍ଥା କ’ଣ?
ଏହି ଅମୃତ କାଳରେ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ, ସମସ୍ତ ଖାଦ୍ୟ ସାମଗ୍ରୀ, ପନିପରିବା, ଔଷଧପତ୍ର, ବସ-ଟ୍ରେନ ଭଡା ଇତ୍ୟାଦି ପ୍ରତ୍ୟେକ ଜିନିଷର ଦର ହୁ ହୁ ହୋଇ ବଢିଚାଲିଛି । ଦରିଦ୍ର ଲୋକଙ୍କ କଥା ଦୂରେ ଥାଉ, ନିମ୍ନ ମଧ୍ୟବିତ୍ତ ଏପରିକି ମଧ୍ୟବିତ୍ତ ଲୋକଙ୍କ ପକ୍ଷରେ ମଧ୍ୟ ବଂଚିରହିବାର ସର୍ବନିମ୍ନ ଆବଶ୍ୟକ ସାଧନ ଯୋଗାଡ କରିବା କଷ୍ଟକର ହୋଇପଡୁଛି । ଅନ୍ୟଦିଗରେ ଦେଶର ସଂଖ୍ୟାଗରିଷ୍ଠ ଜନସାଧାରଣଙ୍କ ରୋଜଗାର କମି ଚାଲିଛି । ସଂପ୍ରତି ପ୍ରକାଶ ପାଇଥିବା ଅକ୍ସଫାମ୍ ରିପୋର୍ଟ ଅନୁଯାୟୀ ଦେଶର ଶତକଡା ୨୦ ଭାଗ ଦରିଦ୍ରତମ ଲୋକଙ୍କ ଆୟ ୨୦୨୧-୨୨ ମସିହାରେ ୨୦୧୫-୧୬ ତୁଳନାରେ ଶତକଡା ୫୩ଭାଗ ହ୍ରାସ ପାଇଛି । ଏହି ରିପୋର୍ଟ ଅନୁଯାୟୀ ନିମ୍ନ ମଧ୍ୟବିତ୍ତ ଲୋକଙ୍କ ଆୟ ଶତକଡା ୩୨.୪ ଭାଗ ହ୍ରାସ ପାଇଛି ଏବଂ ମଧ୍ୟବିତ୍ତମାନଙ୍କ ଆୟ ମଧ୍ୟ ଶତକଡା ୮.୯ ଭାଗ କମିଛି । ସରକାରୀ ଓ ବେସରକାରୀ ଉଭୟ କ୍ଷେତ୍ରରେ ନିଯୁକ୍ତିର ସୁଯୋଗ ହ୍ରାସ ପାଉଛି । ସ୍ଥାୟୀ କାମପାଇଁ ସ୍ଥାୟୀ ନିଯୁକ୍ତି ପରିବର୍ତ୍ତେ ଠିକା ଓ ନିର୍ଦ୍ଧିଷ୍ଟ ସମୟ ପାଇଁ ନିଯୁକ୍ତି(ୠସଙ୍ଘରୟ ଞରକ୍ସଜ୍ଞ ଋଜ୍ଞକ୍ଟ୍ରକ୍ଷକ୍ଟଚ୍ଚଜ୍ଞରଦ୍ଭଗ୍ଧ) ବ୍ୟାପକ ହେଉଛି । ସ୍ଥାୟୀ କାମକୁ ଆଉଟ୍ସୋର୍ସିଂ କରିଦିଆଯାଉଛି । ନିଯୁକ୍ତି ସୃଷ୍ଟିକାରୀ ଶ୍ରମଭିତ୍ତିକ କଳକାରଖାନା ବନ୍ଦ ହେଉଛି କିମ୍ବା ଆଧୁନିକିକରଣ ଆଳରେ ନିଯୁକ୍ତି ସୁଯୋଗ ସଂକୁଚିତ ହେଉଛି । କାଁ ଭାଁ ପୁଞ୍ଜିଭିତ୍ତିକ ଶିଳ୍ପ ପ୍ରତିଷ୍ଠା ହେଉଛି । ଫଳରେ ଇତିହାସରେ ସବୁଠାରୁ ଭୟାବହ ବେକାରୀ ଦେଖିବାକୁ ମିଳୁଛି । କଳକାରଖାନା ବନ୍ଦ ହେଉଛି ଏବଂ ଲଗାତର ଛଟେଇ ଚାଲିିଛି । ବହୁ ପ୍ରଚାରିତ ଆଇଟି କ୍ଷେତ୍ରରୁ ମଧ୍ୟ ଭୟଙ୍କର ଛଟେଇ ଚାଲିଛି । ବିମୁଦ୍ରିକରଣ, ଜିଏସ୍ଟି ପ୍ରଚଳନ ଓ କରୋନା ଜନିତ ଲକ୍ଡାଉନ ଫଳରେ ଛଟେଇ ଭୟାବହ ରୂପ ନେଇଛି । କେନ୍ଦ୍ର ବିଜେପି ସରକାର ସମସ୍ତ ଶ୍ରମ ଆଇନକୁ ଉଚ୍ଛେଦ କରି ଶ୍ରମ କୋର୍ଡ ପ୍ରଚଳନ କରିଛି । ଶ୍ରମିକମାନଙ୍କ ହାତରୁ ଟ୍ରେଡ୍ ୟୁନିୟନର ଅଧିକାର ଛଡେଇ ନେଇ ସେମାନଙ୍କୁ କାର୍ଯ୍ୟତଃ ମାଲିକ ମାନଙ୍କ କ୍ରୀତଦାସରେ ପରିଣତ କରାଯାଇଛି । ଗୋଟିଏ ଦିଗରେ ରକେଟ୍ ଗତିରେ ବଢିଚାଲିଥିବା ଦରଦାମ, ଅନ୍ୟପଟରେ କ୍ରମବର୍ଦ୍ଧମାନ ବେକାରୀ ଛଟେଇ, ମଜୁରୀ ହ୍ରାସ ଫଳରେ ସାଧାରଣ ଲୋକ ନାହିଁ ନଥିବା ଦୁର୍ଦ୍ଦଶାର ଶୀକାର ହୋଇଛନ୍ତି । ମଧ୍ୟବିତ୍ତ ଶ୍ରେଣୀ ଦ୍ରୁତ ସଂକୁଚିତ ହେଉଛି ।
ଚାଷୀ କୂଳର ଦୁର୍ଦ୍ଦଶା ବଢି ଚାଲିଛି ।୨୦୧୪ ନିର୍ବାଚନ ପୂର୍ବରୁ ଫସଲର ସର୍ବନିମ୍ନ ମୂଲ୍ୟ ନିର୍ଦ୍ଧାରଣ ପାଇଁ ସ୍ୱାମୀନାଥନ କମିଶନ ସୁପାରିଶ ଲାଗୁ କରିବା ପାଇଁ ବିଜେପି ଦଳର ଅଙ୍ଗୀକାର ପାଣିର ଗାର ପ୍ରମାଣିତ ହୋଇଛି । ୨୦୨୨ ମସିହା ସୁଦ୍ଧା ଚାଷୀମାନଙ୍କ ଆୟ ଦୁଇଗୁଣ କରିବାପାଇଁ କେନ୍ଦ୍ର ସରକାରଙ୍କ ଘୋଷଣା, ଘୋଷଣାରେ ରହିଯାଇଛି । ତା ବଦଳରେ ଦେଶର ସମସ୍ତ ଜମି ଓ ଉତ୍ପାଦିତ ଫସଲକୁ ଏକଚାଟିଆ ପୁଞ୍ଜିପତିମାନଙ୍କ ହାତକୁ ଟେକି ଦେବାପାଇଁ କେନ୍ଦ୍ର ବିଜେପି ସରକାର ପ୍ରଣୟନ କରିଥିବା ୩ଟି କଳା ଆଇନ ଓ ଜନବିରୋଧୀ ବିଦ୍ୟୁତ ଆଇନ ଐତିହାସିକ ଚାଷୀ ଆନ୍ଦୋଳନ ଫଳରେ ପ୍ରତ୍ୟାହୃତ ହୋଇଥିଲେ ମଧ୍ୟ ପଛଦ୍ୱାର ବାଟେ ଏହାକୁ ଲାଗୁ କରିବା ପାଇଁ ଉଦ୍ୟମ ଚାଲିଛି । କୃଷିପାଇଁ ଆବଶ୍ୟକ ବିହନ, ସାର, ପୋକମରା ଔଷଧ, କୃଷି ଯନ୍ତ୍ରପାତିର ଦର ଓ ବିଦ୍ୟୁତ ଶୁଳ୍କ ବଢିଚାଲିଛି । ଅନ୍ୟପଟରେ ଫସଲର ଦାମ ସେହି ଅନୁପାତରେ ବଢୁନାହିଁ । ଚାଷୀର ଆୟ କମି ଚାଲିଛି । ଏହାର ସିଧାସଳଖ ପରିଣାମ ହେଉଛି କ୍ରମବର୍ଦ୍ଧମାନ ଚାଷୀ ଆତ୍ମହତ୍ୟା । ଚାଷ ଛାଡି ଚାଷୀଘରର ପିଲା ଦାଦନ ଶ୍ରମିକରେ ପରିଣତ ହେଉଛି ।
ବାକ୍ ସ୍ୱାଧୀନତା, ଗଣତାନ୍ତ୍ରିକ ଅଧିକାର, ସାମ୍ବିଧାନିକ ଅଧିକାର, ନାଗରିକ ଅଧିକାର ଦ୍ରୁତ ସଂକୁଚିତ ହେଉଛି । ସରକାର ବିରୋଧକୁ ଦେଶର ବିରୋଧ, ଦେଶ ପ୍ରତି ବିଶ୍ୱାସଘାତକତା, ଦେଶର ସାର୍ବଭୌମତ୍ୱ ଉପରେ ଆକ୍ରମଣ ଭାବରେ ଚିତ୍ରଣ କରାଯାଉଛି । ବିଶ୍ୱ ବାକ୍ ସ୍ୱାଧୀନତା ଓ ପ୍ରେସ ସ୍ୱାଧୀନତା ସୂଚନାଙ୍କରେ ଭାରତ ତଳକୁ ତଳକୁ ଯାଉଛି । ବିରୋଧି ସ୍ୱରକୁ ସ୍ତବ୍ଧ କରିବାପାଇଁ କେନ୍ଦ୍ର ସରକାର ଦେଶଦ୍ରୋହ ଆଇନ, ୟୁଏପିଏ ଓ ମନି ଲଣ୍ଡରିଂ ଆଇନ ଭଳି ମାରାତ୍ମକ ସୌରାଚାରୀ ଆଇନ ମାନ ପ୍ରଣୟନ ଓ କାର୍ଯ୍ୟକାରୀ କରିଛନ୍ତି । ସରକାର ଓ ପ୍ରଚଳିତ ପୁଞ୍ଜିବାଦୀ ବ୍ୟବସ୍ଥା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁଥିବା ଏବଂ ଜଳ, ଜମି, ଜଙ୍ଗଲ, ଖଣିକୁ ଏକଚାଟିଆ ପୁଞ୍ଜିପତି ମାନଙ୍କ ହାତକୁ ଟେକି ଦିଆଯିବାର ପ୍ରତିବାଦ କରୁଥିବା ବ୍ୟକ୍ତିମାନଙ୍କୁ ବର୍ଷ ବର୍ଷ ଧରି ବିନା ବିଚାରରେ ଜେଲରେ ଭର୍ତ୍ତି କରାଯାଉଛି । ଏହା ସହିତ ଉଗ୍ର ସାଂପ୍ରଦାୟିକ ପ୍ରଚାର ମାଧ୍ୟମରେ ଦେଶରେ ଭାତୃଘାତୀ ସଂଘର୍ଷ ସୃଷ୍ଟି କରିବାପାଇଁ ଅନବରତ ମିଥ୍ୟା ପ୍ରଚାର କରୁଥିବା ଗଣମାଧ୍ୟମ, ବ୍ୟକ୍ତିବିଶେଷ ଓ ଉଗ୍ର ସାଂପ୍ରଦାୟିକ ସଂଗଠନ ମାନଙ୍କୁ ଲଗାମଛଡା ସୁଯୋଗ ଦିଆଯାଇଛି । ସମଗ୍ର ଦେଶକୁ ସାଂପ୍ରଦାୟିକତାର ଦାବାଗ୍ନିରେ ନିକ୍ଷେପ କରିବାକୁ ଉଦ୍ୟମ କରାଯାଉଛି । ସାଧାରଣ ଲୋକଙ୍କ ଐକ୍ୟକୁ ଧ୍ୱଂସ କରି ସେମାନଙ୍କୁ ଭାତୃଘାତୀ ସଂଘର୍ଷରେ ଲିପ୍ତ କରିବାପାଇଁ ସରକାର ସିଧାସଳଖ ପ୍ରୋତ୍ସାହନ ଦେଉଛନ୍ତି । ସରକାରୀ ପୃଷ୍ଠପୋଷକତାରେ ବିଜେପି, ଆରଏସ୍ଏସ୍, ବଜରଙ୍ଗଦଳ ଭଳି ଉଗ୍ର ସାଂପ୍ରଦାୟିକ ଶକ୍ତିମାନେ ଦେଶରେ ସଂଖ୍ୟାଲଘୁ, ଦଳିତ ପ୍ରଗତିଶୀଳ ଶକ୍ତିମାନଙ୍କ ଉପରେ ଆକ୍ରମଣ କରୁଛନ୍ତି । ଭିଡ ହିଂସା ଉଦ୍ବେଗଜନକ ଭାବରେ ବଢିଚାଲିଛି । କେନ୍ଦ୍ର ଓ ରାଜ୍ୟ ବିଜେପି ସରକାରର ପ୍ରୋତ୍ସାହନରେ ଗତ ଦୁଇ ମାସ ଧରି ମଣିପୁରରେ ସାଂପ୍ରଦାୟିକ ହିଂସା ଚାଲିଛି । ଦେଶର ମରଣମୁଖୀ ଏକଚାଟିଆ ପୁଞ୍ଜିପତି ଶ୍ରେଣୀର ସାମଗ୍ରିକ ଶ୍ରେଣୀ ସ୍ୱାର୍ଥରେ ସର୍ବାତ୍ମକ ଫାସିବାଦ ପ୍ରତିଷ୍ଠାପାଇଁ ଉଦ୍ୟମ ଚାଲିଛି । ଏହା ହେଉଛି ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଉପଲକ୍ଷେ ମହାଆଡମ୍ବରରେ ପାଳିତ ହେଉଥିବା ତଥାକଥିତ ଅମୃତ କାଳରେ ଦେଶର ସାଧାରଣ ଲୋକଙ୍କର ପ୍ରକୃତ ଅବସ୍ଥା ।
ଗୋଟିଏ ଦିଗରେ ଦେଶର ସିଂହଭାଗ ଜନସାଧାରଣ ହାହାକାର କରୁଥିଲାବେଳେ ଅନ୍ୟପଟରେ ଦେଶର ମୁଷ୍ଠିମେୟ ଲୋକଙ୍କ ନିକଟରେ ପ୍ରାଚୁର୍ଯ୍ୟର ପାହାଡ । ଶତକଡା ୧ଭାଗ ଧନୀ ଲୋକଙ୍କ ହାତରେ ଦେଶର ୭୦ଭାଗ ସଂପଦ ଠୁଳ ହୋଇଛି । ଦରିଦ୍ର ଆହୁରି ଦରିଦ୍ର ହେଉଛି ଏବଂ ଅତି ଧନୀ(ଝଙ୍କକ୍ଟ୍ରରକ୍ସ ଜସମଷ)ମାନଙ୍କ ସଂପତ୍ତି ହୁହୁ ହୋଇ ବଢୁଚି । ସ୍ୱାଧୀନତା ପରଠାରୁ ଦେଶରେ କ୍ଷମତାସୀନ ହେଉଥିବା ସରକାରମାନେ ଗ୍ରହଣ କରିଥିବା ଆର୍ଥିକ ନୀତି ଫଳରେ ଆଜି ଦେଶରେ ଏକ କ୍ଷୁଦ୍ର ଅଥଚ ଅତ୍ୟନ୍ତ ବିତ୍ତଶାଳୀ ଧନକୁବେର ଗୋଷ୍ଠି ସୃଷ୍ଟି ହୋଇଛି । ଏହି ପ୍ରକ୍ରିୟା ୧୯୯୧ ମସିହାରେ ପ୍ରଣୟନ କାରାଯାଇଥିବା ଜଗତିକରଣ, ଉଦାରିକରଣ, ଘରୋଇକରଣ ନୀତିଫଳରେ ତ୍ୱରାନ୍ୱିତ ହୋଇଛି ଏବଂ ୨୦୧୪ ମସିହାରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଜେପି ଦଳ କ୍ଷମତାସୀନ ହେବାପରେ ଏହା ଦ୍ରୁତ ଗତିରେ ଆଗେଇ ଚାଲିଛି । ବ୍ୟାଙ୍କ, ବୀମାଠାରୁ ଆରମ୍ଭକରି ସମସ୍ତ ବିତ୍ତିୟ ଅନୁଷ୍ଠାନ ଓ ରାଷ୍ଟ୍ରାୟତ୍ତ କ୍ଷେତ୍ର ପୁଞ୍ଜିପତିମାନଙ୍କ ହାତକୁ ଟେକି ଦିଆ ଯାଉଛି । ସରକାରଙ୍କ ସିଧାସଳଖ ପ୍ରୋତ୍ସାହନରେ ସରକାରୀ ସଂପତ୍ତି ଲୁଣ୍ଠନ କରି ଓ ଶ୍ରମିକମାନଙ୍କୁ ଅମାନୁଷିକ ଭାବରେ ଶୋଷଣ କରି ଦେଶରେ ଶତାଧିକ ଆରବପତି ସୃଷ୍ଟି ହୋଇଛନ୍ତି । କରୋନା ମହାମାରୀ ସମୟରେ ଦେଶର ସାଧାରଣ ଲୋକ ଖାଦ୍ୟ ମୁଠିଏ ପାଇଁ ହାହାକାର କରୁଥିବାବେଳେ ଏବଂ ପ୍ରବାସୀ ମଜଦୁରମାନେ ଲକ୍ଷ ଲକ୍ଷ ସଂଖ୍ୟାରେ ଆକୁମାରୀ ହିମାଚଳ ହଜାର ହଜାର ମାଇଲ ପାଦରେ ଚାଲୁଥିଲାବେଳେ ଦେଶର ଏକଚାଟିଆ ପୁଞ୍ଜିପତିମାନଙ୍କର ସଂପଦ ଅକଳ୍ପନୀୟ ପରିମାଣରେ ବୃଦ୍ଧି ପାଇଛି । ସଦ୍ୟ ପ୍ରକାଶିତ ଅକ୍ସଫାମ୍ ରିପୋର୍ଟ ଅନୁଯାୟୀ ଦେଶର ୨୧ଜଣ ଆରବପତିଙ୍କ ସଂପତ୍ତି ୭୦କୋଟି ଲୋକଙ୍କର ମୋଟ ସମ୍ପତ୍ତିଠାରୁ ଯଥେଷ୍ଟ ଅଧିକ । ସରକାର କିଭଳି ଦେଶର ଏକଚାଟିଆ ପୁଞ୍ଜିପତିମାନଙ୍କୁ ସହାୟତା ହେଉଛନ୍ତି ସେକଥା ହିଣ୍ଡେନବର୍ଗ ରିପୋର୍ଟରେ ସ୍ପଷ୍ଟ ହୋଇଛି । ସରକାର ଏକଚାଟିଆ ପୁଞ୍ଜିପତିମାନଙ୍କପାଇଁ ଭଣ୍ଡାର ଖୋଲି ଦେଇଛନ୍ତି । ବ୍ୟାଙ୍କରୁ ଲକ୍ଷ ହଜାର ହଜାର କୋଟି ଟଙ୍କା ଋଣ ନେଇ ଏକଚାଟିଆ ପୁଞ୍ଜିପତିମାନେ ଇଚ୍ଛାକୃତ ଭାବରେ ଋଣ ପରିଶୋଧ କରୁନାହାନ୍ତି, ସରକାର ଏହି ଇଚ୍ଛାକୃତ ଋଣ ଖିଲାପକାରୀମାନଙ୍କୁ ବିପୁଳ ପରିମାଣର ଋଣ ଛାଡ କରୁଛନ୍ତି । ପ୍ରଧାନମନ୍ତ୍ରୀଙ୍କର ଘନିଷ୍ଟ ବହୁ ବଡ ବଡ ପୁଞ୍ଜିପତି ବ୍ୟାଙ୍କରୁ ବିପୁଳ ପରିମାଣର ଟଙ୍କା ହଡପ କରି ସାରକାରୀ କଳର ସହାୟତାରେ ବିଦେଶକୁ ପଳାଇ ସେଠାରେ ଅୟସ କରୁଛନ୍ତି । କେବଳ ଏତିକି ନୁହେଁ, ସଂପ୍ରତି ରିଜର୍ଭ ବ୍ୟାଙ୍କ ଏକ ବିଚିତ୍ର ନିର୍ଦ୍ଦେଶ ଜାରୀ କରିଛି । ଏହି ନିର୍ଦ୍ଦେଶ ଅନୁଯାୟୀ ଯେଉଁମାନେ ଜାଣିଶୁଣି ଋଣ ପରିଶୋଧ କରୁନାହାନ୍ତି କିମ୍ବା ବ୍ୟାଙ୍କକୁ ବିଭିନ୍ନ ଭାବରେ ଠକିଛନ୍ତି କିମ୍ବା ଯେଉଁମାନେ ଫେରାର ଅଛନ୍ତି ସେମାନଙ୍କ ସହିତ ବୁଝାମଣା କରାଯିବ, ସେମାନଙ୍କର ଋଣ ମାଫ କରାଯିବ ଏବଂ ସେମାନଙ୍କୁ ଆହୁରି ଋଣ ଦିଆଯିବ । କେବଳ ଏତିକି ନୁହେଁ, ଏକଚାଟିଆ ପୁଞ୍ଜିପତିମାନଙ୍କଠାରୁ ଆଦାୟ କରାଯାଉଥିବା କର୍ପୋରେଟ୍ ଟିକସ ହ୍ରାସ କରାଯାଇଛି । ଦେଶର ଦରିଦ୍ରତମ ଲୋକଙ୍କଠାରୁ ଆଦାୟ କରାଯାଉଥିବା କର ଟିକସ ପରିମାଣ ବଢିଚାଲିଛି । ଦେଶର ଦରିଦ୍ରତମ ଶତକଡା ୫୦ଭାଗ ଲୋକଙ୍କଠାରୁ ମୋଟ୍ କରର ସିଂହଭାଗ ଆଦାୟ କରାଯାଉଥିବାବେଳେ ଏକଚାଟିଆ ପୁଞ୍ଜିପତିମାନଙ୍କଠାରୁ ମାତ୍ର ଶତକଡା ୪ଭାଗ କର ଟିକସ ଆଦାୟ କରାଯାଉଛି । ସରକାରଙ୍କ ଯୁକ୍ତି ହେଉଛି କର୍ପୋରେଟ୍ ଟିକସ ହ୍ରାସ କଲେ, ଏକଚାଟିଆ ପୁଞ୍ଜିପତିମାନଙ୍କୁ ଆଖିବୁଜା ବ୍ୟାଙ୍କ ଋଣ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ଦେଲେ ଏକଚାଟିଆ ପୁଞ୍ଜିପତିମାନେ ବିଭିନ୍ନ କ୍ଷେତ୍ରରେ ପୁଞ୍ଜି ବିନିଯୋଗ କରିବେ, ଏହାଫଳରେ ନିଯୁକ୍ତି ସୃଷ୍ଟି ହେବ । ମାତ୍ର ସରକାରଙ୍କର ଏହି ଯୁକ୍ତି ସଂପୂର୍ଣ୍ଣ ଭ୍ରାନ୍ତ ପ୍ରମାଣିତ ହୋଇଛି ।
ପୁଞ୍ଜିବାଦର ନିଜର ନିୟମରେ ତୀବ୍ର ବଜାର ସଂକଟ ଫଳରେ ଦେଶୀ ବିଦେଶୀ ଏକଚାଟିଆ ପୁଞ୍ଜିପତିମାନେ ନୂତନ ପ୍ରକଳ୍ପରେ ପୁଞ୍ଜି ବିନିଯୋଗ କରୁନାହାନ୍ତି । ପୂର୍ବରୁ ଉଲ୍ଲେଖ କରାଯାଇଛି କଳକାରଖାନା ବନ୍ଦ ହେଉଛି । ଶ୍ରମିକ ଛଟେଇ ହେଉଛି । ଦେଶରେ ବେକାର ବାହିନୀର ଆକାର ବଢିଚାଲିଛି । ପୁଞ୍ଜି ଅଳସ ହେଉଛି । ଏହି ଅଳସ ପୁଞ୍ଜି ଶିକ୍ଷା, ସ୍ୱାସ୍ଥ୍ୟସେବା, ଗମନାଗମନ, ଖୁଚୁରା ବ୍ୟବସାୟ, ଖାଦ୍ୟ ଦ୍ରବ୍ୟର ବ୍ୟବସାୟ ଭଳି ନିଶ୍ଚିତ ମୁନାଫା ଥିବା କ୍ଷେତ୍ରରେ ଖଟୁଛି । ଲୋକଙ୍କର କ୍ରୟ କ୍ଷମତା ହ୍ରାସ ପାଉଛି, ବଜାର ସଂକଟ ମାରାତ୍ମକ ରୂପ ଧାରଣ କରୁଛି । ପୁଞ୍ଜିବାଦୀ ବ୍ୟବସ୍ଥାର ସଂକଟର ସମସ୍ତ ବୋଝକୁ ମେହେନତୀ ମଣିଷ କାନ୍ଧରେ ଲଦିଦେଇ ମେହେନତୀ ଶ୍ରମଜୀବୀ ମଣିଷକୁ ଅଧିକରୁ ଅଧିକ ନିର୍ମମ ଭାବରେ ଶୋଷଣକରି ଚୂଡାନ୍ତ ସଂକଟଗ୍ରସ୍ତ ପ୍ରତିକ୍ରିୟାଶୀଳ, ମରୁଣମୁଖୀ, ପଚମାନ ପୁଞ୍ଜିବାଦୀ ବ୍ୟବସ୍ଥାକୁ ବଂଚେଇ ରଖିବାପାଇଁ ଯତ୍ପରୋନାସ୍ତି ଉଦ୍ୟମ ଚାଲିଛି । ଏକଚାଟିଆ ପୁଞ୍ଜିପତି ମାନଙ୍କର ରାଜନୈତିକ ମ୍ୟାନେଜରରେ ପରିଣତ ହୋଇଥିବା କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପ୍ରକାର ଆଇନ କାନୁନ୍ ପ୍ରଣୟନ କରି, ରାଷ୍ଟ୍ରଶକ୍ତିକୁ ବ୍ୟବହାର କରି, ଏକଚାଟିଆ ପୁଞ୍ଜିପତିମାନଙ୍କ ଦ୍ୱାରା ଲଗାମଛଡା ଶୋଷଣର ରାସ୍ତା ପ୍ରଶସ୍ତ କରୁଛନ୍ତି । ଏହାର ଫଳଶୃତିରେ ଦେଶରେ ସରକାରଙ୍କ ଦ୍ୱାରା ମହାଆଡମ୍ବରରେ ଅମୃତ ମହୋତ୍ସବ ପାଳନ କରାଯାଉଥିବାବେଳେ ଏବଂ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚକରି ନୂତନ ସଂସଦ ଗୃହ ଉଦ୍ଘାଟିତ ହେଉଥିଲାବେଳେ ଦେଶର ୩ ଜଣରୁ ୨ଜଣ ଆଧୁନିକ ଦାସତ୍ୱର ଶିକାର ହେଉଛନ୍ତି ବୋଲି ସଦ୍ୟ ପ୍ରକାଶିତ ହୋଇଥିବା ଏକ ସର୍ଭେକ୍ଷଣରୁ ସ୍ପଷ୍ଟ ହୋଇଛି । ଆଧୁନିକ ଦାସତ୍ୱର ଅର୍ଥ ହେଉଛି ବାଧ୍ୟତାମୂଳକ ଶ୍ରମ, ଗୋତି ଶ୍ରମିକ ପ୍ରଥା, ଋଣଗ୍ରସ୍ତ ଅବସ୍ଥା, ଆର୍ଥିକ ସଂକଟ ଯୋଗୁ ଜମିବାଡି ବାସନ କୁସନ ବନ୍ଧା ପକାଇବା, ବଳପୂର୍ବକ ବ୍ୟବସାୟିକ ଯୌନ ଶୋଷଣ, ମାନବ ଚାଲାଣ, ଶିଶୁମାନଙ୍କର ଯୌନ ଶୋଷଣ ଓ ବିକ୍ରି, ବଳପୂର୍ବକ ବିବାହ ପ୍ରଭୃତିର ଶୀକାର ହେବା । ଏହା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦଙ୍କ ଦାବି ଅନୁଯାୟୀ ବିକାଶର ରାଜମାର୍ଗରେ ୫ଟ୍ରିଲିୟନ୍ ଅର୍ଥନୀତି ଆଡକୁ ଦ୍ରୁତ ଆଗେଇ ଚାଲିଥିବା ଭାରତର ଅସଲ ଚିତ୍ର ।
ତେବେ ଦେଶର ଏହି ପରିସ୍ଥିତି ଅପ୍ରତ୍ୟାଶିତ ନଥିଲା । ଅବିଭକ୍ତ ସିପିଆଇ ଦଳର ଅଣକମ୍ୟୁନିଷ୍ଟ ଚରିତ୍ର ଯୋଗୁ ଦେଶର ଗୌରବୋଜ୍ଜ୍ୱଳ ସ୍ୱାଧୀନତା ଆନ୍ଦୋଳନ ଉପରେ ଭାରତୀୟ ଜାତୀୟ ପୁଞ୍ଜିପତି ଶ୍ରେଣୀର ରାଜନୈତିକ ପ୍ରତିନିଧି କଂଗ୍ରେସ ଦଳର ନେତୃତ୍ୱ ପ୍ରତିଷ୍ଠା ହୋଇଥିଲା । ସାମ୍ରାଜ୍ୟବାଦୀ ବ୍ରିଟିଶ ସହିତ ଆପୋଷ ବୁଝାମଣା ମାଧ୍ୟମରେ ସ୍ୱାଧୀନତା ଅର୍ଜନ ଏବଂ ସ୍ୱାଧୀନ ଭାରତରେ କଂଗ୍ରେସ ଦଳ ନେତୃତ୍ୱରେ ସରକାର ପ୍ରତିଷ୍ଠା ଆଢୁଆଳରେ ଭାରତୀୟ ଜାତୀୟ ପୁଞ୍ଜିପତିମାନେହିଁ ରାଷ୍ଟ୍ର କ୍ଷମତା ଦଖଲ କରିଥିଲେ । ସ୍ୱାଧୀନତା ଅର୍ଜନ ମଧ୍ୟ ଦେଇ ରାଷ୍ଟ୍ର କ୍ଷମତା ଦଖଲ କରିଥିବା ଅପେକ୍ଷାକୃତ ଭାବରେ ଦୁର୍ବଳ ଭାରତୀୟ ଜାତୀୟ ପୁଞ୍ଜିପତି ଶ୍ରେଣୀ ସମାଜବାଦୀ ଢାଞ୍ଚାର ସମାଜ, ଗରିବି ହଟାଓ, ବ୍ୟାଙ୍କ ବୀମାର ସରକାରୀକରଣ ଓ ବହୁପ୍ରଚାରିତ ତଥାକଥିତ ମିଶ୍ର ଅର୍ଥନୀତି ଆଢୁଆଳରେ ରାଷ୍ଟ୍ରକ୍ଷମତାକୁ ବ୍ୟବହାରକରି ଦ୍ରୁତ ଶକ୍ତି ସଂଚୟ କରିଥିଲା ଏବଂ ବ୍ୟାଙ୍କପୁଞ୍ଜି ଓ ଶିଳ୍ପପୁଞ୍ଜିର ମିଶ୍ରଣ ଫଳରେ ଦେଶରେ ଏକ ଧନକୁବେର ଗୋଷ୍ଠି ସୃଷ୍ଟି ହୋଇଥିଲା । ଲଗ୍ନିପୁଞ୍ଜି ଗଢିଉଠିଥିଲା । ଏହି ପରିସ୍ଥିତିରେ ବିଗତ ଶତାବ୍ଦିର ୯୦ଦଶକର ପ୍ରାରମ୍ଭରେ ସମାଜବାଦୀ ସୋଭିଏତ୍ ୟୁନିୟନ ଏବଂ ଅତ୍ୟନ୍ତ ଶକ୍ତିଶାଳୀ ସମାଜବାଦୀ ଶିବିରରେ ବିଲୟ ଘଟିଲା । ଆମେରିକା ନେତୃତ୍ୱରେ ବିଶ୍ୱ ପୁଞ୍ଜିବାଦୀ ସାମ୍ରାଜ୍ୟବାଦୀ ଶକ୍ତିମାନେ ସମଗ୍ର ବିଶ୍ୱକୁ ନିରଙ୍କୁଶ ଭାବରେ ଲୁଟ କରିବାପାଇଁ ଜଗତିକରଣ ଉଦାରିକରଣ, ଘରୋଇକରଣ ନୀତି ପ୍ରବର୍ତ୍ତନ କଲେ । ଇତି ମଧ୍ୟରେ ଯଥେଷ୍ଟ ଶକ୍ତି ଅର୍ଜନ କରିଥିବା ଭାରତୀୟ ଏକଚାଟିଆ ପୁଞ୍ଜିପତି ଶ୍ରେଣୀ ଏହାର ସାମଗ୍ରିକ ଶ୍ରେଣୀ ସ୍ୱାର୍ଥରେ ବିଶ୍ୱର ଶକ୍ତିଶାଳୀ ପୁଞ୍ଜିବାଦୀ ସାମ୍ରାଜ୍ୟବାଦୀ ରାଷ୍ଟ୍ରମାନଙ୍କର କନିଷ୍ଠ ଅଂଶୀଦାର ଭାବରେ ଜଗତିକରଣ ପ୍ରକ୍ରିୟାରେ ସାମିଲ ହେଲା । ଏହା ପରଠାରୁ ଦେଶରେ ଲଗାମଛଡା ଶ୍ରମିକ ଶୋଷଣ ପ୍ରକ୍ରିୟା ତ୍ୱରାନ୍ୱିତ ହେଲା । ସମସ୍ତ ପ୍ରକାର ସବ୍ସିଡି ପ୍ରତ୍ୟାହାର ହେଲା । ଜନମଙ୍ଗଳ କ୍ଷେତ୍ରରୁ ସରକାର ଓହରିଗଲେ । ଭାରତୀୟ ରାଷ୍ଟ୍ର ଏହାର ସମାଜବାଦୀ ଓ ଜନମଙ୍ଗଳକାରୀ ମୁଖାଟିକୁ ପରିତ୍ୟାଗ କରି ଖୋଲାଖୋଲି ଭାବରେ ଦେଶୀ ବିଦେଶୀ ଏକଚାଟିଆ ପୁଞ୍ଜିପତିମାନଙ୍କର ସେବାରେ ଲିପ୍ତ ହେଲା । ଦେଶୀ-ବିଦେଶୀ ଏକଚାଟିଆ ପୁଞ୍ଜିପତି ଶ୍ରେଣୀ ନିରଙ୍କୁଶ ଭାବରେ ଶ୍ରମଜୀବୀ ଜନସାଧାରଣଙ୍କୁ ଶୋଷଣ କରି ମୁନାଫାର ପାହାଡ ସୃଷ୍ଟି କରିବା ପାଇଁ ଲଗାମହୀନ ସୁଯୋଗ ପାଇଲେ । ଏହାର ଫଳଶୃତିରେ ସ୍ୱାଧୀନତାର ୭୬ ବର୍ଷପରେ ଜଗତିକରଣର ୩୦ବର୍ଷପରେ ଦେଶର ସାଧାରଣ ଲୋକଙ୍କର ଏହି ଧରଣର ହାହାକାରମୟ ଅବସ୍ଥା ।
ବ୍ରିଟିଶ ସହିତ ଆପୋଷ ବୁଝାମଣା ଜରିଆରେ ସ୍ୱାଧୀନତା ଅର୍ଜନର ଏହି ଅବଶ୍ୟମ୍ଭାବୀ ପରିଣତି ସଂପର୍କରେ ୧୯୪୨ ମସିହାରେ ଭାରତଛାଡ ଆନ୍ଦୋଳନରେ ଯୋଗଦେଇ ବ୍ରିଟିଶ ଶାସିତ ଭାରତର କଲିକତା ଜେଲରେ ବନ୍ଦୀ ଜୀବନ ଯାପନ କରୁଥିବା ଜଣେ ୨୧/୨୨ବର୍ଷର ଯୁବକ ପୂର୍ବାନୁମାନ କରୁପାରିଥିଲେ । ସେହି ଯୁବକ ଜଣକ ହେଉଛନ୍ତି କମ୍ରେଡ ଶିବଦାସ ଘୋଷ । ଅବିଭକ୍ତ ଭାରତର ଢାକା ସହର ନିକଟବର୍ତ୍ତି ଏକ ଛୋଟ ଗ୍ରାମରେ ଗୋଟିଏ ନିମ୍ନ ମଧ୍ୟବିତ୍ତ ପରିବାରରେ ୧୯୨୩ ମସିହା ଅଗଷ୍ଟ ୫ତାରିଖରେ କମ୍ରେଡ୍ ଘୋଷ ଜନ୍ମ ଗ୍ରହଣ କରିଥିଲେ । ମାତ୍ର ୧୩ବର୍ଷ ବୟସରେ ସେ ସ୍ୱାଧୀନତା ଆନ୍ଦୋଳନର ଶସସ୍ତ୍ର ବିପ୍ଳବୀ ସଂଗଠନ ‘ଅନୁଶୀଳନ ସମିତି’ରେ ସାମିଲ ହୋଇଥିଲେ । ପରବର୍ତ୍ତି ସମୟରେ ସଂଗଠନର ଦାୟିତ୍ୱ ନେଇ କଲିକତା ଆସିଥିଲେ ଏବଂ ୧୯୪୨ ମସିହାରେ ଭାରତଛାଡ ଆନ୍ଦୋଳନରେ ଯୋଗଦେଇ କାରାରୁଦ୍ଧ ହୋଇଥିଲେ । କାରାରୁଦ୍ଧ ଅବସ୍ଥାରେ ହିଁ ସେ ବୁଝିପାରିଥିଲେ ଯେ ଦେଶରେ ଗୋଟିଏ ସଠିକ୍ କମ୍ୟୁନିଷ୍ଟ ପାର୍ଟିର ଅନୁପସ୍ଥିତି ଫଳରେ ସ୍ୱାଧୀନତା ଆନ୍ଦୋଳନରେ ଦେଶର ସାଧାରଣ ଲୋକଙ୍କର ସମସ୍ତ ଆତ୍ମବଳୀଦାନ ବିଫଳ ହେବାକୁ ଯାଉଛି । ବ୍ରିଟିଶ ଶାସକ ମାନଙ୍କ ସହିତ ଆପୋଷ ବୁଝାମଣା ଜରିଆରେ ଭାରତୀୟ ପୁଞ୍ଜିପତି ଶ୍ରେଣୀ ରାଷ୍ଟ୍ରକ୍ଷମତା ଅର୍ଜନ କରିବାକୁ ଯାଉଛି । ଯାହାର ଅବଶ୍ୟମ୍ଭାବୀ ପରିଣତିରେ ଦେଶର ଜନସାଧାରଣଙ୍କର ଅବସ୍ଥା ସଂକଟାପନ୍ନ ହେବାକୁ ବାଧ୍ୟ । ଆଜି ସ୍ୱାଧୀନତା ଅର୍ଜନର ୭୬ ବର୍ଷ ପରେ କମ୍ରେଡ ଶିବଦାସ ଘୋଷଙ୍କର ପୂର୍ବାନୁମାନ ଅକ୍ଷରେ ଅକ୍ଷରେ ସତ୍ୟ ପ୍ରମାଣିତ ହୋଇଛି ।
କମ୍ରେଡ୍ ଶିବଦାସ ଘୋଷ କେବଳ ସ୍ୱାଧୀନ ଭାରତରେ ଦେଶର ଜନସାଧାରଣଙ୍କର ଏହି ଧରଣର ବେଦନାଦାୟକ ପରିଣତି ସଂପର୍କରେ ପୂର୍ବାନୁମାନ କରିନଥିଲେ, ପୁଞ୍ଜିବାଦୀ ଶୋଷଣ ଅତ୍ୟାଚାରରୁ ଜନସାଧାରଣଙ୍କ ମୁକ୍ତିର ହତିଆର, ଏକ ସଠିକ୍ କମ୍ୟୁନିଷ୍ଟ ପାର୍ଟି ଗଢିତୋଳିବା ପାଇଁ କାରାରୁଦ୍ଧ ଅବସ୍ଥାରେହିଁ ନିଷ୍ପତ୍ତି କରିଥିଲେ । ୧୯୪୫ ମସିହାରେ ଜେଲରୁ ମୁକ୍ତ ହେବାପରେ କମ୍ରେଡ ଘୋଷ ତାଙ୍କର ମୁଷ୍ଠିମେୟ ଘନିଷ୍ଠ ସହଯୋଦ୍ଧାଙ୍କୁ ସାଙ୍ଗରେ ଧରି ଏକ କଠିନ, କଠୋର, ଅକଳ୍ପନୀୟ ଓ ନଜିରବିହୀନ ସମାଜବାଦୀ ସଂଗ୍ରାମ ଆରମ୍ଭ କରିଥିଲେ । ସଂପୂର୍ଣ୍ଣ ପ୍ରତିକୂଳ ପରିସ୍ଥିତିକୁ ସାମନାକରି ସହାୟ ସମ୍ବଳହୀନ ଅବସ୍ଥାରେ ମଧ୍ୟ ଅବିଚଳ ଦୃଢତା, ଅସୀମ ସାହାସ ଓ ଧୈର୍ଯ୍ୟ ସହକାରେ ସେ ଏହି ସଂଗ୍ରାମ ପରିଚାଳନା କରିଥିଲେ । ଏହି ସମାଜବାଦୀ ସଂଗ୍ରାମର ଏକ ବିଶେଷ ପର୍ଯ୍ୟାୟରେ, ୧୯୪୮ ମସିହା ଏପ୍ରିଲ ୨୪ତାରିଖରେ, ଦେଶ ସ୍ୱାଧୀନତା ଲାଭ କରିବାର ଠିକ୍ ୮ମାସ ୯ଦିନ ପରେ, ଦେଶର ସାଧାରଣ ଲୋକ ସ୍ୱାଧୀନ ଭାରତରେ ସୁନେଲି ଭବିଷ୍ୟତର ସ୍ୱପ୍ନରେ ଉର୍ଦ୍ଧ୍ୱବାହୁ ହୋଇ ନାଚୁଥିଲା ବେଳେ, ଭାରତର ଶୋଷିତ, ନିର୍ଯ୍ୟାତିତ, ବଂଚିତ ମଣିଷର ମୁକ୍ତିର ହତିଆର ଏକମାତ୍ର ସଠିକ୍ କମ୍ୟୁନିଷ୍ଟ ପାର୍ଟି ଏସ୍ୟୁସିଆଇ(କମ୍ୟୁନିଷ୍ଟ)କୁ ପ୍ରତିଷ୍ଠା କରିଥିଲେ । ଏହି ପ୍ରକ୍ରିୟାରେ କମ୍ରେଡ୍ ଘୋଷ ମାର୍କ୍ସବାଦୀ-ଲେନିନବାଦୀ ବିଜ୍ଞାନକୁ ଆହୁରି ବିକଶିତ ଓ ସଂମୃଦ୍ଧ କରିଥିଲେ ଏବଂ ଭାରତବର୍ଷର ବିଶେଷ ପରିସ୍ଥିତିରେ ବିଶେଷିକୃତ କରିଥିଲେ । ଏହି ଦଳ ଏହାର ଜନ୍ମଲଗ୍ନରୁ ନିରଳସ ଭାବରେ ଉଚ୍ଚ ସର୍ବହରା ନୀତି ନୈତିକତା ଓ ସଂସ୍କୃତି ଭିତ୍ତିରେ ଗଣ ଆନ୍ଦୋଳନ ଓ ଶ୍ରେଣୀ ସଂଗ୍ରାମ ପରିଚାଳନା କରିବା ମଧ୍ୟଦେଇ ଆଜି ସମଗ୍ର ଦେଶରେ ଏହାର ଉପସ୍ଥିତି ଜାହିର କରିଛି । ଏହା ସଙ୍ଗେ ସଙ୍ଗେ ଗଣ ଆନ୍ଦୋଳନର ଏକମାତ୍ର ନିର୍ଭରଯୋଗ୍ୟ ଶକ୍ତି ଭାବରେ ଜନସାଧାରଣଙ୍କ ଦ୍ୱାରା ଅଧିକରୁ ଅଧିକ ସ୍ୱୀକୃତ ହେଉଛି । ସମାଜର ବୈପ୍ଳବିକ ପରିବର୍ତ୍ତନ ସଂଗଠିତ କରିବାର ନିର୍ଭରଯୋଗ୍ୟ ହତିଆର ଭାବରେ ଚିହ୍ନିତ ହେଉଛି । ଦଳଟିକୁ ଗଢିତୋଳିବା, ସଂହତ କରିବା, ମାର୍କ୍ସବାଦୀ-ଲେନିନ୍ବାଦୀ ବିଜ୍ଞାନକୁ ଉତ୍ତରୋତ୍ତର ବିକଶିତ କରିବା ଏବଂ ଦଳର କାର୍ଯ୍ୟକଳାପକୁ ଦେଶର ବିଭିନ୍ନ ରାଜ୍ୟକୁ ସଂପ୍ରସାରିତ କରିବା ପାଇଁ ଦୀର୍ଘ ଅବିଶ୍ରାନ୍ତ ସଂଗ୍ରାମ ଚଳାଇ ୧୯୭୬ ମସିହା ଅଗଷ୍ଟ ୫ତାରିଖରେ ମହାନ ନେତା କମ୍ରେଡ୍ ଶିବଦାସ ଘୋଷ ମାତ୍ର ୫୩ବର୍ଷ ବୟସରେ ଶେଷନିଃଶ୍ୱାସ ତ୍ୟାଗ କରିଥିଲେ । ସେହି ମହାନ ନେତାଙ୍କର ଆବର୍ତ୍ତମାନରେ ତାଙ୍କ ପ୍ରଦର୍ଶିତ ରାସ୍ତାରେ ପାର୍ଟିର ଅଗଣିତ ନେତା, ସଂଗଠକ, କର୍ମୀ, ସମର୍ଥକମାନଙ୍କ ଦ୍ୱାରା ତାଙ୍କ ଚିନ୍ତା ଶିକ୍ଷାକୁ ଦେଶର କୋଣ ଅନୁକୋଣରେ ପ୍ରଚାର କରିବାପାଇଁ ଉଦ୍ୟମ ଜାରୀ ରହିଛି । ଦେଶବ୍ୟାପୀ ଜନସାଧାରଣଙ୍କର ଜ୍ୱଳନ୍ତ ସମସ୍ୟାର ସମାଧାନ ପାଇଁ ଗଣଆନ୍ଦୋଳନ ଗଢିତୋଳିବାପାଇଁ ଉଦ୍ୟମ ଚାଲିଛି । ଏହାବ୍ୟତୀତ ନିର୍ମମ ପୁଞ୍ଜିବାଦୀ ଶୋଷଣ ଫଳରେ ଦୁର୍ଦ୍ଦଶାଗ୍ରସ୍ତ ଜନସାଧାରଣଙ୍କ ପୁଞ୍ଜିଭୂତ ଅସନ୍ତୋଷକୁ ଭିତ୍ତିକରି ଗଢିଉଠୁଥିବା ସ୍ୱତଃସ୍ପୃର୍ତ୍ତ ଗଣଆନ୍ଦୋଳନକୁ ସଠିକ୍ ବିପ୍ଳବୀ ଆଭିମୁଖ୍ୟ ଓ ଲକ୍ଷ୍ୟରେ ପରିଚାଳିତ କରିବାପାଇଁ ଉଦ୍ୟମ କରାଯାଉଛି । ଏହି ଦଳ କ୍ରମଶଃ ମେହେନତୀ ମଣିଷର ଅଧିକରୁ ଅଧିକ ଆସ୍ଥା ଅର୍ଜନ କରୁଛି । ମାତ୍ର ବହୁପୂର୍ବରୁ ବିପ୍ଳବ ପାଇଁ ଦେଶ ଅଭ୍ୟନ୍ତରରେ ଅବସ୍ଥା ପରିପକ୍ୱ ହୋଇଥିଲେ ମଧ୍ୟ ଆଜିବି ଭାରତଭଳି ବିଶାଳ ଦେଶରେ ବିପ୍ଳବୀ ଅଭ୍ୟୁତ୍ଥାନରେ ନେତୃତ୍ୱ ଦେଲାଭଳି ଉପଯୁକ୍ତ ସାଂଗଠନିକ ଶକ୍ତି ଏସ୍ୟୁସିଆଇ(କମ୍ୟୁନିଷ୍ଟ) ଦଳ ଅର୍ଜନ କରିପାରିନାହିଁ ।
ଏହିଭଳି ଏକ ଘଡିସନ୍ଧି ମୂହୂର୍ତ୍ତରେ ମହାନ ନେତା କମ୍ରେଡ୍ ଶିବଦାସ ଘୋଷଙ୍କ ଜନ୍ମ ଶତବର୍ଷ ଆସିଛି । ତାଙ୍କର ହାତଗଢା ଦଳ ଏସ୍ୟୁସିଆଇ(କମ୍ୟୁନିଷ୍ଟ) ପକ୍ଷରୁ ଜନ୍ମଶତବର୍ଷ ଯଥାଯୋଗ୍ୟ ମର୍ଯ୍ୟାଦାର ସହିତ ପାଳିତ ହେଉଛି । ୨୦୨୨ ମସିହା ଅଗଷ୍ଟ ୫ତାରିଖରେ ଦିଲ୍ଲୀଠାରେ ଆୟୋଜିତ ଏକ ସାଧାରଣ ସଭା ଜରିଆରେ ବର୍ଷବ୍ୟାପୀ ଜନ୍ମ ଶତବର୍ଷ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଛି । ଜନ୍ମ ଶତବର୍ଷ ଅବସରରେ ଦଳର ପ୍ରତ୍ୟେକ ନେତା, କର୍ମୀ ଓ ସମର୍ଥକ କମ୍ରେଡ ଶିବଦାସ ଘୋଷଙ୍କର ଚିନ୍ତା ଶିକ୍ଷା ସଂପର୍କିତ ବୁଝାମଣାକୁ ଆହୁରି ଗଭୀର କରିବା, ଏହି ଗଭୀରତର ଉପଲବ୍ଧିର ଭିତ୍ତିରେ ନିଜକୁ ଆହୁରି ଉନ୍ନତ କମ୍ୟୁନିଷ୍ଟରେ ପରିଣତ କରିବା ଏବଂ ତାଙ୍କର ଚିନ୍ତା-ଶିକ୍ଷାକୁ ଦେଶର କୋଣ ଅନୁକୋଣରେ ପ୍ରସାର ଘଟାଇ ଦଳକୁ ଗୁଣଗତ ଓ ସଂଖ୍ୟାଗତ ଦୃଷ୍ଟିରୁ ଶକ୍ତିଶାଳୀ କରିବାପାଇଁ ଦଳର ପ୍ରିୟ ସାଧାରଣ ସଂପାଦକ କମ୍ରେଡ ପ୍ରଭାସ ଘୋଷ ଆହ୍ୱାନ ଦେଇଛନ୍ତି । ଦଳର ଆହ୍ୱାନରେ ସମଗ୍ର ଦେଶରେ କମ୍ରେଡ ଘୋଷଙ୍କର ଅସଂଖ୍ୟ ଅନୁଗାମୀ ଏହି ସଂଗ୍ରାମରେ ଲିପ୍ତ ରହିଛନ୍ତି । ଘୋଷିତ କାର୍ଯ୍ୟକ୍ରମ ଅନୁଯାୟୀ ୨୦୨୩ ଅଗଷ୍ଟ ୫ତାରିଖରେ କଲିକତା ବ୍ରିଗେଡ୍ ପ୍ୟାରେଡ୍ ପଡିଆରେ ଏକ ବିଶାଳ ଜନସମାବେଶ ମଧ୍ୟଦେଇ ଶତବର୍ଷିକୀ କାର୍ଯ୍ୟକ୍ରମ ଆନୁଷ୍ଠାନିକ ଭାବରେ ଉଦ୍ଯାପିତ ହେବ । ଏହି ସମାବେଶରେ ଓଡିଶା ସମେତ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରୁ ବିପୁଳ ସଂଖ୍ୟକ ଲୋକ ଯୋଗ ଦେବେ । ସମାବେଶକୁ ସର୍ବୋତ ଭାବରେ ସଫଳ କରିବା ମଧ୍ୟଦେଇ ଭାରତବର୍ଷର ଗଣମୁକ୍ତିର ଏକମାତ୍ର ହତିଆର ଏସ୍ୟୁସିଆଇ(କମ୍ୟୁନିଷ୍ଟ) ଦଳକୁ ଶକ୍ତିଶାଳୀ କରିବା ଏବଂ ମୁକ୍ତି ଆନ୍ଦୋଳନକୁ ତ୍ୱରାନ୍ୱିତ କରିବାପାଇଁ ଜନସାଧାରଣଙ୍କୁ ବିନୀତ ଅନୁରୋଧ ।