ଜଙ୍ଗଲ ସଂରକ୍ଷଣ ସଂଶୋଧାନ ବିଲ-୨୦୨୩କୁ ବାତିଲ କର
Sarbaharakranti Dated 15.07.2023 –
ଚୂଡାନ୍ତ ଭାବରେ ଜନବିରୋଧି ଜଙ୍ଗଲ ସଂରକ୍ଷଣ ସଂଶୋଧନ ବିଲ-୨୦୨୩ ଇତି ମଧ୍ୟରେ ଲୋକସଭାରେ ଉପସ୍ଥାପିତ ହୋଇଛି । ଜନମତର ଚାପରେ ଏହି ବିଲକୁ ତର୍ଜମା କରି ଏହା ଉପରେ ରିପୋର୍ଟ ଦେବାପାଇଁ ଜଙ୍ଗଲ ସଂପର୍କିତ ମିଳିତ ପାର୍ଲାମେଣ୍ଟାରୀ କମିଟିକୁ ପଠାଇ ଦିଆଯାଇଥିଲା । ସାଂସଦ ଗଜେନ୍ଦ୍ର ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟି ଗତ ମଇ ୩ତାରିଖରେ ଦେଶର ଜନସାଧାରଣ, ବିଭିନ୍ନ ସଂଗଠନ ଓ ଅନୁଷ୍ଠାନ, ବିଶେଷଜ୍ଞ ଓ ଏନ୍ଜିଓ ମାନଙ୍କଠାରୁ ବିଲ ସଂପର୍କରେ ମତାମତ ଆହ୍ୱାନ କରିଛି । ମଇ ୧୮ତାରିଖ ସୁଦ୍ଧା ମତାମତ ଦେବାପାଇଁ କମିଟି ପକ୍ଷରୁ କୁହାଯାଇଛି । ଏତେ କମ୍ ସମୟ ମଧ୍ୟରେ କୋଟି କୋଟି ଲୋକଙ୍କର, ବିଶେଷକରି ଆଦିବାସୀ ମାନଙ୍କର ଜୀବନ ଜୀବିକାକୁ ସିଧାସଳଖ ପ୍ରଭାବିତ କରୁଥିବା ଏହି ବିଲକୁ ପୁଙ୍ଖାନୁପୁଙ୍ଖ ଭାବରେ ତର୍ଜମାକରି ଏହା ଉପରେ ମତାମତ ଦେବା ଅତ୍ୟନ୍ତ ଦୂରୁହ କାର୍ଯ୍ୟ । ତା’ ସତ୍ତ୍ୱେ ମଧ୍ୟ ‘ଅଲ୍ ଇଣ୍ଡିଆ ଜନ ଅଧିକାର ସୁରକ୍ଷା କମିଟି’ ପକ୍ଷରୁ ଏକ ସ୍ମାରକପତ୍ର ମିଳିତ ସଂସଦୀୟ କମିଟି ନିକଟକୁ ପଠାଇ ଦିଆଯାଇଛି । ସଂପୂର୍ଣ୍ଣ ଭାବରେ ଜନବିରୋଧୀ ଜଙ୍ଗଲ ସଂରକ୍ଷଣ ସଂଶୋଧାନ ବିଲ ୨୦୨୩କୁ ସଂପୂର୍ଣ୍ଣ ପ୍ରତ୍ୟାହାର କରିବା ଓ ଜଙ୍ଗଲ ଅଧିକାର ଆଇନ ୨୦୦୬କୁ ଯଥାଯଥ ଭାବରେ ଲାଗୁ କରି ଜଙ୍ଗଲ ଅଧିବାସୀମାନଙ୍କୁ ଚାଷ ଜମି ଓ ଘର ଡିହର ପଟ୍ଟା ଦେବାକୁ ଦାବି କରାଯାଇଛି । ଏହାବ୍ୟତୀତ ବିଲ ଉପରେ ବ୍ୟାପକ ଚର୍ଚ୍ଚା ପାଇଁ ଅନ୍ୟୁନ ୧ବର୍ଷ ସମୟ ଦିଆଯିବାପାଇଁ ମଧ୍ୟ ଦାବି କରାଯାଇଛି ।
କେନ୍ଦ୍ର ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଦ୍ୱାରା ସଂସଦରେ ଉପସ୍ଥାପିତ ହୋଇଥିବା ଏହି ବିଲର ଘୋଷିତ ଉଦ୍ଦେଶ୍ୟ ହେଉଛି ୨୦୭୦ ମସିହା ସୁଦ୍ଧା ଅଙ୍ଗାରକାମ୍ଳ ଗ୍ୟାସ ନିର୍ଗମନକୁ ଶୂନ୍ୟ ସ୍ତରକୁ ଆଣିବା । ଏହାକୁ ସରକାର ଜାତୀୟ ଲକ୍ଷ୍ୟ ଭାବରେ ଘୋଷଣା କରିଛନ୍ତି । ଏହା ବ୍ୟତୀତ ଦେଶରେ ବୃକ୍ଷ ଆଚ୍ଛାଦିତ ଅଂଚଳକୁ ଦେଶର ମୋଟ୍ ବର୍ଗଫଳର ଶତକଡା ୩ଭାଗରୁ ୧ଭାଗକୁ ହ୍ରାସ କରିବା, ୧୯୨୭ ମସିହା ଭାରତୀୟ ଜଙ୍ଗଲ ଆଇନ ଅନୁଯାୟୀ ବିଭିନ୍ନ କିସମର ଜଙ୍ଗଲ ଭାବରେ ଘୋଷିତ ଓ ବିଜ୍ଞପିତ ସମସ୍ତ ଅଂଚଳକୁ ନୂତନ ଆଇନ ଅଧିନକୁ ଆଣିବା ପାଇଁ ଏହି ବିଲରେ ବ୍ୟବସ୍ଥା ରହିଛି । ଏହା ବ୍ୟତୀତ ବିଲ ଆଇନରେ ପରିଣତ ହେଲେ, ରେଳ ଲାଇନ, ବଡ ବଡ ରାସ୍ତା, ଖଣି ଖନନ, ପୋଲ, କଲଭର୍ଟ ନିର୍ମାଣ, ଚେକ୍ଡ୍ୟାମ ନିର୍ମାଣ, ଇକୋ ଟୁରିଜିମ୍ର ବିକାଶ, ବନୀକରଣ ପାଇଁ ଗଛ ଲଗାଇବା, ଚା, କଫି, ରବର, ଚାଷ, ହଟିକଲଚର, ଔଷଧିୟ ବୃକ୍ଷ ବଚିଚା ଭଳି ଅଣଜଙ୍ଗଲ କାର୍ଯ୍ୟକଳାପ ପାଇଁ କେନ୍ଦ୍ର ସରକାରଙ୍କଠାରୁ ଅନୁମତି ଆଣିବାକୁ ହେବ ।
ତେବେ ଏହି ବିଲକୁ ଏହିଭଳି ତରବରିଆ ଭାବରେ ଗୃହୀତ କରିବାପାଇଁ ଉଦ୍ୟମ ପଛରେ କେନ୍ଦ୍ର ସରକାରଙ୍କର କି ଉଦ୍ଦେଶ୍ୟ ରହିଛି, ସେ ସଂପର୍କରେ ଆଲୋଚନାର ଆବଶ୍ୟକତା ରହିଛି । ଜଙ୍ଗଲ ଜମିରେ ସମସ୍ତ ପ୍ରକାର ଅଣଜଙ୍ଗଲ କାର୍ଯ୍ୟ କରିବାପାଇଁ ଦେଶର ବିଶାଳ ଜଙ୍ଗଲ ସଂପଦକୁ ଦେଶୀ ବିଦେଶୀ ଏକଚାଟିଆ ପୁଞ୍ଜିପତିମାନଙ୍କ ହାତକୁ ଟେକି ଦେବା ପ୍ରକ୍ରିୟାକୁ ସୁଗମ କରିବାପାଇଁ ଏହି ଆଇନ ପ୍ରଣୟନ କରାଯାଉଛି । ଆବାହମାନ କାଳରୁ ଜଙ୍ଗଲରେ ବସବାସ କରିଆସୁଥିବା କୋଟି କୋଟି ଦରିଦ୍ର ଆଦିବାସୀ ତଥା ନିପୀଡିତ ମଣିଷକୁ ସେମାନଙ୍କର ଭିଟାମାଟିରୁ ଅମାନୁଷିକ ଭାବରେ ଉଚ୍ଛେଦ କରି ଏକଚାଟିଆ ପୁଞ୍ଜିପତିମାନଙ୍କ ସ୍ୱାର୍ଥରକ୍ଷା କରାଯିବ । ସ୍ୱାଧୀନତା ପୂର୍ବରୁ ଓ ପରେ ଜଙ୍ଗଲ ଅଧିବାସୀ ମାନଙ୍କର ଦୀର୍ଘ ଦିନର ଆନ୍ଦୋଳନ ଫଳରେ କେନ୍ଦ୍ରସରକାର ଜଙ୍ଗଲ ଅଧିକାର ଆଇନ-୨୦୦୬ରେ ପ୍ରଣୟନ କରିଥିଲେ । ଏହି ଆଇନ ୨୦୦୭ ମସିହାରୁ କାର୍ଯ୍ୟକାରୀ ହୋଇଥିଲା । କିନ୍ତୁ ଏହାର ସୁଫଳରୁ ଜଙ୍ଗଲ ଅଧିବାସୀଙ୍କୁ ବଂଚିତ କରାଗଲା । ଲକ୍ଷ ଲକ୍ଷ ଆଦିବାସୀ ପରିବାର ଆବାହମାନ କାଳରୁ ଚାଷବାସ ଓ ବସବାସ କରୁଥିବା ଜମିର ପଟ୍ଟା ପାଇଲେ ନାହିଁ । ୨୦୧୯ ମସିହାରେ ସୁପ୍ରିମକୋର୍ଟ ୧୧ଲକ୍ଷ ଲୋକଙ୍କ ଜଙ୍ଗଲ ଜମି ପଟ୍ଟା ସଂକ୍ରାନ୍ତ ଆବେଦନକୁ ଖାରଜ କରିଦେଇଛି । ଏହା ସହିତ ଏହି ଆବେଦନକାରୀ ମାନଙ୍କୁ ସାଟେଲାଇଟ୍ ସହାୟତାରେ ଚିହ୍ନଟକରି ତୁରନ୍ତ ଜଙ୍ଗଲରୁ ଉଚ୍ଛେଦ କରିବାପାଇଁ ସଂପୃକ୍ତ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
କେନ୍ଦ୍ର ବିଜେପି ସରକାର ଏହି ଦରିଦ୍ର ଆଦିବାସୀଙ୍କ ଭୋଟ ହାତେଇବାପାଇଁ ସେମାନଙ୍କୁ ବହୁ ଲୋଭନୀୟ ପ୍ରତିଶୃତି ଦେଉଛନ୍ତି । ଆଦିବାସୀମାନଙ୍କ ସ୍ୱାର୍ଥ ଓ ପ୍ରଗତି କଥା କହୁଛି । ମାତ୍ର ବାସ୍ତବରେ ଏହି ଧରଣର ମାରାତ୍ମକ ଆଇନ ପ୍ରଣୟନ କରି ଆଦିବାସୀମାନଙ୍କୁ ବାସଚ୍ୟୁତକରି ଦାଣ୍ଡର ଭିକାରିରେ ପରିଣତ କରିବାପାଇଁ ଉଦ୍ୟମ କରୁଛି । ସେଥିପାଇଁ ଏହି ବିଲ ବିରୁଦ୍ଧରେ ଦେଶବ୍ୟାପୀ ଗରିବ, ଖଟିଖିଆ, ଆଦିବାସୀ ତଥା ଜଙ୍ଗଲ ଅଧିବାସୀମାନଙ୍କର ସଂଗଠିତ ଓ ଦୀର୍ଘସ୍ଥାୟୀ ଆନ୍ଦୋଳନ ଅତ୍ୟନ୍ତ ଜରୁରୀ ।
ବିଶିଷ୍ଟ ଆଦିବାସୀ ନେତା ତିଲକା ମାଝୀ, ସିଦ୍ଧୁ, କାହ୍ନୁ ଓ ବିର୍ଶା ମୁଣ୍ଡାଙ୍କ ନେତୃତ୍ୱରେ ବହୁ ରକ୍ତକ୍ଷୟୀ ଆନ୍ଦୋଳନ ଫଳରେ ବ୍ରିଟିଶ ସରକାର ଶାସନ କାଳରେ ଓ ସ୍ୱାଧୀନତା ପରେ ଭାରତ ସରକାରଦ୍ୱାରା ଛୋଟନାଗପୁର ଟେନାନ୍ସି ଆଇନ ଓ ସାନ୍ତାଳ ପ୍ରଗଣା ଟେନାନ୍ସି ଆଇନ ପ୍ରଣୀତ ହୋଇଥିଲା । ଏହି ଆଇନ ଆଦିବାସୀମାନଙ୍କ ଜମିର ସୁରକ୍ଷା ପାଇଁ ଉଦ୍ଦିଷ୍ଟ ଥିଲା । ସଂପ୍ରତି ରାଜ୍ୟ ସରକାରମାନେ ଏହି ଆଇନକୁ ପରିବର୍ତ୍ତନ କରି ଆଦିବାସୀମାନଙ୍କ ଜମିକୁ ଏକଚାଟିଆ ପୁଞ୍ଜିପତିମାନଙ୍କ ହାତକୁ ଟେକିଦେବାପାଇଁ ଷଡଯନ୍ତ୍ର କରୁଛନ୍ତି । ଏହା ବିରୁଦ୍ଧରେ ଦୁର୍ବାର ଆନ୍ଦୋଳନ ସମୟର ଜରୁରୀ ଆହ୍ୱାନ ।