ଏକକ ନାଗରିକ ସଂହିତା ପ୍ରସଙ୍ଗରେ ୨୨ତମ ଆଇନ କମିଶନ ନିକଟରେ ଏସ୍ୟୁସିଆଇ(କମ୍ୟୁନିଷ୍ଟ)ର ପ୍ରତିବେଦନ
Sarbaharakranti Dated 25.08.2023 –
ପ୍ରାପ୍ତେଷୁ,
ସଦସ୍ୟ ସଚିବ
ଭାରତର ଆଇନ କମିଶନ, ଲୋକନାୟକ ଭବନ
ଖାନ ମାର୍କେଟ୍, ନୂଆଦିଲ୍ଲୀ
ମହାଶୟ,
ଆପଣଙ୍କ ଆହ୍ୱାନ ଅନୁଯାୟୀ ଭାରତର ସାଂପ୍ରତିକ ପରିସ୍ଥିତିରେ ଏକକ ନାଗରିକ ସଂହିତା(Uniform Civil Code) ଲାଗୁକରିବା ସଂକ୍ରାନ୍ତରେ ଆମର ମତାମତ ଉପସ୍ଥାପନ କରୁଛୁ ।
ମାର୍କ୍ସବାଦୀ ଭାବେ ଆମେ ଆନ୍ତରିକଭାବେ ଚାହୁଁ, ଗୋଟିଏ ଏକକ ନାଗରିକ() ସମସ୍ତଙ୍କ ପାଇଁ ସମାନଭାବରେ ପ୍ରଯୁଜ୍ୟ ହେଉ । ତେବେ ଏକମାତ୍ର ସେତେେଳେ ହିଁ ଏହା ପ୍ରଯୁଜ୍ୟ ହୋଇପାରେ ଯେତେବେଳେ ତା’ ସମାଜର ଗଣତାନ୍ତ୍ରିକରଣର ବୈଜ୍ଞାନିକ ପ୍ରକ୍ରିୟା ମାଧ୍ୟମରେ ଦେଶର ସମସ୍ତ ଶ୍ରେଣୀର ଜନଗଣଙ୍କର ସମ୍ମତିକ୍ରମେ ଗୃହୀତ ହେବ ।
ଗୋଟିଏ ପ୍ରକୃତ ଧର୍ମନିରପେକ୍ଷ ଗଣତାନ୍ତ୍ରିକ ରାଷ୍ଟ୍ର ଏହାହିଁ ଆବଶ୍ୟକ କରେ । ମାତ୍ର ଗୋଟିଏ ଅନୂକୂଳ ସାମାଜିକ-ସାଂସ୍କୃତିକ ପରିବେଶ ସୃଷ୍ଟି କରାଯିବା ଉପରେ ଏହାର ପ୍ରଚଳନ ନିର୍ଭର କରୁଛି । ଭାରତର ବର୍ତ୍ତମାନର ପରିସ୍ଥିତି କଣ ଏକକ ନାଗରିକ ସଂହିତା ଲାଗୁ କରିବାପାଇଁ ଉପଯୁକ୍ତ? ବାସ୍ତବତା ହେଉଛି-ନା । ସାମାଜିକ-ସାଂସ୍କୃତିକ ବିବିଧତାରେ ପରିପୂର୍ଣ୍ଣ, ବହୁଧର୍ମୀୟ, ବହୁ ଜାତୀୟତା ଏବଂ ବହୁ ଧରଣର ଜନଗୋଷ୍ଠିର ଦେଶ ଭାରତରେ ଧର୍ମୀୟ ବିଶ୍ୱାସ ଏବଂ ଜନଗୋଷ୍ଠିଗତ ସାଦୃଶ୍ୟ ଭିତ୍ତିରେ ଆମର ଭିନ୍ନ ଭିନ୍ନ ଧରଣର ବିବାହ, ବିବାହ ବିଚ୍ଛେଦ, ପୋଷ୍ୟ ସନ୍ତାନ ଗ୍ରହଣ ଏବଂ ଉତ୍ତାରାଧିକାର ଆଇନ ରହିଛି । ଜନସାଧାରଣଙ୍କୁ ସେମାନଙ୍କର ଧର୍ମ, ଜାତି, ଆସ୍ଥା ଏବଂ ବିଶ୍ୱାସ ଭିତ୍ତିରେ ପରିଚାଳନା କରୁଥିବା ଆଇନ ହେଉଛି ସେମାନଙ୍କର ବ୍ୟକ୍ତିଗତ ଆଇନ(Personal Law) । ହିନ୍ଦୁ ବିବାହ ଆଇନ, ମୁସଲମାନ ବ୍ୟକ୍ତିଗତ ଆଇନ ପ୍ରଭୃତି ଆଇନ ଗୁଡିକ ମୂଳ ଧର୍ମୀୟ ରଚନାବଳୀ(Religious Text) ଏବଂ ରୀତିନୀତି ଉପରେ ଭିତ୍ତିକରି ପ୍ରସ୍ତୁତ ହୋଇଛି । ବୌଦ୍ଧ, ଶିଖ, ଖ୍ରୀଷ୍ଟିୟାନ, ମୁସଲମାନ, ପାର୍ଶୀ ଏବଂ ହିନ୍ଦୁ ଧର୍ମାବଲମ୍ବୀ ଏବଂ ବିଭିନ୍ନ ଆଦିବାସୀ ସଂପ୍ରଦାୟ(Tribe)ର ଜନସଧାରଣ ସେମାନଙ୍କର ବିବାହ, ବିବାହ ବିଚ୍ଛେଦ, ପୋଷ୍ୟ ସନ୍ତାନ ଗ୍ରହଣ, ଉତ୍ତରାଧିକାର, ସଂପତ୍ତି ଉପରେ ଉତ୍ତରାଧିକାର ଇତ୍ୟାଦି କ୍ଷେତ୍ରରେ ନିଜ ନିଜର ପୃଥକ ଏବଂ ସ୍ୱତନ୍ତ୍ର ପାରିବାରିକ ଆଇନ ବା ପ୍ରଥା ଅନୁସରଣ କରନ୍ତି । ଏପରିକି ହିନ୍ଦୁ ଧର୍ମାବଲମ୍ବୀ ହେଲେ ମଧ୍ୟ ଦେଶର ବିଭିନ୍ନ ଅଂଚଳରେ ବସବାସ କରୁଥିବା ବହୁ ସଂପ୍ରଦାୟ ବିବାହ ଓ ବିବାହ ବିଚ୍ଛେଦ କ୍ଷେତ୍ରରେ ଏକାପ୍ରକାର ପ୍ରଥା ଅନୁସରଣ କରନ୍ତି ନାହିଁ । ଏହା ସଙ୍ଗେ ସଙ୍ଗେ ଦେଶର ବିଭିନ୍ନ ଆଦିବାସୀ ସଂପ୍ରଦାୟ ମଧ୍ୟରେ ବିବାହ, ବିବାହ ବିଚ୍ଛେଦ ଓ ଉତ୍ତରାଧିକାର କ୍ଷେତ୍ରରେ ବିଭିନ୍ନ ଲୋକାଚାରଭିତ୍ତିକ ଆଇନ ରହିଛି । ଆହୁରି ମଧ୍ୟ ଦଣ୍ଡବିଧି ଆଇନ-୧୯୭୩(Crpc-1973) ଭଳି କେନ୍ଦ୍ରୀୟ ଆଇନର କେତେକ ବ୍ୟବସ୍ଥା(Provision) ମଧ୍ୟ ଦେଶର ଉତ୍ତରପୂର୍ବାଂଚଳ ପାଇଁ ପ୍ରଯୁଜ୍ୟ ନୁହେଁ । ଗୋଆରେ ମୁସଲମାନମାନେ ପର୍ତ୍ତୁଗୀଜ ଆଇନ ସମେତ ଶାସ୍ତ୍ର ଭିତ୍ତିକ ହିନ୍ଦୁ ବ୍ୟକ୍ତିଗତ ଆଇନ ଦ୍ୱାରା ପରିଚାଳିତ ହୁଅନ୍ତି, ମୁସଲମାନ ବ୍ୟକ୍ତିଗତ ଆଇନ ଦ୍ୱାରା ନୁହେଁ । ମେଘାଳୟ ଓ ନାଗାଲ୍ୟାଣ୍ଡରେ ମଧ୍ୟ ସମାନ ପ୍ରକାର ବିବିଧତା ଦେଖିବାକୁ ମିଳେ । ଏପରିକି ଜାମ୍ମୁ-କାଶ୍ମୀରରେ ହିନ୍ଦୁମାନଙ୍କୁ ପରିଚାଳିତ କରୁଥିବା ସ୍ଥାନୀୟ ବିଧିବିଧାନ କେନ୍ଦ୍ରୀୟ ଆଇନ ଠାରୁ ଭିନ୍ନ । ଏହାର ଅର୍ଥ ହେଉଛି ସମସ୍ତ ପ୍ରାସଙ୍ଗିକ ଗୁରୁତ୍ୱପୂର୍ଣ୍ଣ ଦିଗଗୁଡିକ ସଂପର୍କରେ ସଚେତନ ନ ରହି ଆମେ ବଳପୂର୍ବକ ଗୋଟିଏ ତଥାକଥିତ ଏକକ ଆଇନ ପ୍ରଣୟନ କରିପାରିବା ନାହିଁ । ସେଥିପାଇଁ ଏହିଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିଷୟରେ କୌଣସି ସଂସ୍କାର ଆଣିବା ପୂର୍ବରୁ ଜନସାଧାରଣଙ୍କ ମଧ୍ୟରେ ରହିଥିବା ସମସ୍ତ ସାମାଜିକ-ସାଂସ୍କୃତିକ ବିବିଧତା ଗୁଡିକୁ ନିଶ୍ଚିତ ଭାବରେ ଦୃଷ୍ଟିରେ ରଖିବାକୁ ହେବ । ସଂପୃକ୍ତ ଜନସାଧାରଣଙ୍କର ସମ୍ମତି ଏବଂ ସଂପୂର୍ଣ୍ଣ ଐକ୍ୟମତକୁ ବାଦ ଦେଇ କୌଣସି ଅତି ଗୁରୁତ୍ୱପୂର୍ଣ୍ଣ ସଂସ୍କାର ଗୋଟିଏ ଗଣତାନ୍ତ୍ରିକ ବ୍ୟବସ୍ଥାରେ ପ୍ରତିବନ୍ଧିତ ।
ସ୍ୱାଭାବିକ ଭାବରେ ପ୍ରଶ୍ନ ଉଠୁଛି ସ୍ୱାଧୀନତାର ୭୫ ବର୍ଷପରେ ମଧ୍ୟ କାହିଁକି ଧର୍ମ, ଜନଗୋଷ୍ଠୀଭିତ୍ତିକ ସାଦୃଶ୍ୟ ଏବଂ ଅଂଚଳକୁ ଭିତ୍ତିକରି ଏହି ଧରଣର ବିଭାଜନ, ବିଭିନ୍ନତା ଓ ବିଭିନ୍ନ ଧର୍ମଭିତ୍ତିକ ରୀତିନୀତି ଆଜି ମଧ୍ୟ ଭାରତୀୟ ସମାଜରେ ବଳବତ୍ତର ରହିଛି? ବାସ୍ତବରେ ଏହା ପଛରେ ଏକ ନିର୍ଦ୍ଦିଷ୍ଟ ସାମାଜିକ-ଐତିହାସିକ କାରଣ ରହିଛି । ଆମ ସ୍ୱାଧୀନତା ଆନ୍ଦୋଳନ ଧର୍ମୀୟ ପ୍ରଭାବ, ବିଶେଷକରି ହିନ୍ଦୁ ଧର୍ମୀୟ ପ୍ରଭାବରୁ ମୁକ୍ତ ନଥିଲା, ଇତିହାସ ଏହାର ସାକ୍ଷ୍ୟ ବହନ କରେ । ଧର୍ମଭିତ୍ତିକ ଜାତୀୟତାବାଦ ବୃହତ୍ତର ମୁସଲମାନ ସଂପ୍ରଦାୟର ଜନସାଧାରଣଙ୍କୁ ସ୍ୱାଧୀନତା ଆନ୍ଦୋଳନରୁ ବିଚ୍ଛିନ୍ନ କଲା ଏବଂ ଗୋଟିଏ ଧର୍ମନିରପେକ୍ଷ ଗଣତାନ୍ତ୍ରିକ ସମାଜର ନୀତି ସହିତ ଅସଂଗତିପୂର୍ଣ୍ଣ ଇସଲାମୀୟ ଧର୍ମୀୟ ରୀତିନୀତିଗୁଡିକୁ ଅପରିବର୍ତ୍ତିତ ରଖିବା ଦିଗରେ ସେମାନଙ୍କୁ ପ୍ରୋତ୍ସାହିତ କଲା । ଏହା ମୁସଲମାନ ଜନସାଧାରଣ ଏବଂ ଜାତୀୟତାବାଦୀ ଶକ୍ତିମାନଙ୍କ ମଧ୍ୟରେ ବ୍ୟବଧାନକୁ ଆହୁରି ବୃଦ୍ଧି କଲା । ଆହୁରିମଧ୍ୟ, ସ୍ୱାଧୀନତା ଆନ୍ଦୋଳନର ନେତୃତ୍ୱରେ ଉଚ୍ଚବର୍ଣ୍ଣ ହିନ୍ଦୁମାନଙ୍କର ଆଧିପତ୍ୟ ରହିଥିଲା । ସେଥିପାଇଁ ବର୍ତ୍ତମାନ ଦଳିତ ଭାବରେ ପରିଚିତ ତଥାକଥିତ ନିମ୍ନ ଜାତିର ବ୍ୟାପକ ଅଂଶର ଜନସାଧାରଣ, ବିଭିନ୍ନ ଆଦିବାସୀ ସଂପ୍ରଦାୟର ଜନସାଧାରଣ ଓ ଖ୍ରୀଷ୍ଟ ଧର୍ମାବଲମ୍ବୀମାନଙ୍କ ସମେତ ବିଭିନ୍ନ ଧର୍ମରେ ବିଶ୍ୱାସ କରୁଥିବା ସମସ୍ତ ସୁବିଧା ସୁଯୋଗରୁ ବଂଚିତ ଜନସାଧାରଣ ସ୍ୱାଧୀନତା ସଂଗ୍ରାମର ମୁଖ୍ୟଧାରାରୁ ବିଚ୍ଛିନ୍ନ ରହିଥିଲେ । ଦ୍ୱିତୀୟତଃ, ବିଭିନ୍ନ ସଂପ୍ରଦାୟ ମଧ୍ୟରେ ଥିବା ସମସ୍ତ ବିବିଧତା ଏବଂ ପାର୍ଥକ୍ୟକୁ ସଂପୂର୍ଣ୍ଣ ଦୂର କରି ସମସ୍ତ ଜନସାଧାରଣଙ୍କୁ ଏକ ଏବଂ ଅଭିନ୍ନ ଭାରତୀୟ ଜାତୀୟ ପରିଚୟ ମଧ୍ୟରେ ବିଲୀନ କରିଦେବା ପାଇଁ ଆବଶ୍ୟକ ଥିବା ସମାଜର ଗଣତାନ୍ତ୍ରିକରଣ ସଂଗଠିତ ହୋଇନଥିଲା । ସାମନ୍ତବାଦୀ ରୁଢ଼ିବାଦରୁ ସୃଷ୍ଟି ହେଉଥିବା ଏବଂ ଏହାଦ୍ୱାରା ଲାଳିତ ପାଳିତ ହେଉଥିବା ଓ ସୁଦୀର୍ଘ କାଳ ଧରି ବଳବତ୍ତର ରହିଥିବା ଧର୍ମବିଶ୍ୱାସ, ସାମାଜିକ ପ୍ରଥା, ରୀତିନୀତି, ଧର୍ମୀୟ ନିଷେଧାଜ୍ଞା, ଧର୍ମୀୟ ପଶ୍ଚାଦପଦତା ଏବଂ ଅନ୍ଧ ବିଶ୍ୱାସରୁ ଭାରତୀୟ ଜନସାଧାରଣଙ୍କୁ ମୁକ୍ତ ହେବାରେ ସହାୟତା କରିବାପାଇଁ ଆବଶ୍ୟକ ସାମାଜିକ-ସାଂସ୍କୃତିକ ସଂସ୍କାର ସଂପାଦନ ନ କରି ଆମର ସ୍ୱାଧୀନତା ଆନ୍ଦୋଳନ ଅଧାପନ୍ତରିଆ ଓ ଅସଂପୂର୍ଣ୍ଣ ଭାବରେ ଶେଷ ହୋଇଥିବାରୁ ଏଭଳି ଘଟିଛି ।
ଏସବୁକୁ ଦୂର କରିବା ପାଇଁ ସ୍ୱାଧୀନ ଭାରତରେ ଶାସକମାନଙ୍କ ଦ୍ୱାରା କୌଣସି କାର୍ଯ୍ୟକାରୀ ସାମାଜିକ-ରାଜନୈତିକ-ସାଂସ୍କୃତିକ ଉଦ୍ୟୋଗ ଗ୍ରହଣ କରାଯାଇ ନଥିବାରୁ ଏ ସମସ୍ତ ପାର୍ଥକ୍ୟ, ବିରୋଧାଭାଷ, ଅନ୍ଧବିଶ୍ୱାସ ଏବଂ ପ୍ରାକଧାରଣା ଏବେବି ବଳବତ୍ତର ରହିଛି ଏବଂ ଭାରତୀୟ ସମାଜରେ ଜନସାଧାରଣଙ୍କ ମନର ଗଭୀରରେ ଆସ୍ଥାନ ଜମାଇଛି । ବରଂ ଆମେ ଦୁଃଖର ସହିତ ପ୍ରକାଶ କରୁଛୁ ଯେ, ସେ ଯେଉଁ ଦଳର ହୋଇଥାନ୍ତୁ ନା କାହିଁକି, ସମସ୍ତ ଶାସକ ଏହି ଧରଣର ପଶ୍ଚାଦପଦତା, ପୁରୁଣାକାଳିଆ ଏବଂ ପଶ୍ଚାଦଗାମୀ ଚିନ୍ତାଭାବନାକୁ ଲୋକଙ୍କ ମନରେ ଆହୁରି ଅଧିକ ଦୃଢ ଭାବରେ ପ୍ରଭାବ ବିସ୍ତାର କରିବାକୁ ଉତ୍ସାହିତ କରିଛନ୍ତି । ସୁତରାଂ, ଯଦିଓ ଆମେ ରାଜନୈତିକ ଦୃଷ୍ଟିରୁ ଗୋଟିଏ ଜାତି ଭାବରେ ଗଢିଉଠିଛୁ ତେବେ ବି ଆମେ ବିଭିନ୍ନ ଧର୍ମ, ଜାତି, ଭାଷା, ସଂପ୍ରଦାୟ ଓ ଜନଗୋଷ୍ଠି ଇତ୍ୟାଦି ଭିତ୍ତିରେ ବିଭାଜିତ ହୋଇ ରହିଛୁ । ଅନ୍ୟ ଭାଷାରେ କହିଲେ ସମାଜର ଗଣତାନ୍ତ୍ରିକରଣ ପାଇଁ ଆବଶ୍ୟକ ସାମାଜିକ-ସାଂସ୍କୃତିକ-ବିପ୍ଳବର ଅନୁପସ୍ଥିତି ଯୋଗୁ ବିଭିନ୍ନ ଧର୍ମ ବିଶ୍ୱାସକୁ ମାନି ଚଳୁଥିବା ଏବଂ ବିବିଧ ସାମାଜିକ ଲୋକାଚାର ଅନୁସରଣ କରୁଥିବା ବିଭିନ୍ନ ସଂପ୍ରଦାୟର ଜନସାଧାରଣଙ୍କୁ ଗୋଟିଏ ଐକ୍ୟବଦ୍ଧ(Homogeneous) ଜାତି(Nation) ଭାବରେ ଏକୀଭୂତ କରିବାର ସବୁଠାରୁ ମୁଖ୍ୟ କାମଟି ଅସଂପୂର୍ଣ୍ଣ ରହିଯାଇଛି । ଏହି ଧରଣର ଧର୍ମୀୟ-ଗୋଷ୍ଠିଗତ-ଜାତିବାଦୀ ବିଭାଜନଗୁଡିକ ହ୍ରାସ ପାଇବା ପରିବର୍ତ୍ତେ ବର୍ତ୍ତମାନର ଶାସକମାନଙ୍କର ତ୍ରୁଟିପୂର୍ଣ୍ଣ ନୀତି ଏବଂ କାର୍ଯ୍ୟକଳାପ ଦ୍ୱାରା ଏହା ଆହୁରି ଉତ୍କଟ ହେଉଛି ।
କେବଳ ସେତିକି ନୁହେଁ, ଧର୍ମ ଓ ଅନ୍ୟାନ୍ୟ ସମସ୍ତ ବିଭାଜନରୁ ଉର୍ଦ୍ଧ୍ୱକୁ ଉଠି ସମସ୍ତ ପ୍ରକାର ଧର୍ମୀୟ ଜଟିଳତାରୁ ମୁକ୍ତ ହେବା ପରିବର୍ତ୍ତେ ସ୍ୱାଧୀନ ଭାରତର ଶାସକମାନେ ହିନ୍ଦୁ ଧର୍ମୀୟ ମୂଲ୍ୟବୋଧର ଚର୍ଚ୍ଚା ଆଲୋଚନାକୁ ପ୍ରୋତ୍ସାହିତ କରିବାର ରାସ୍ତା ବାଛି ନେଇଥିଲେ ଏବଂ ଭାରତୀୟ ଜାତୀୟତାବାଦର ଭାବଗତ(Spiritual) ଭିତ୍ତି ଗଢିତୋଳିବା ପାଇଁ ପୌରାଣିକ ମହାକାବ୍ୟମାନଙ୍କର ପ୍ରଚାର କରିଥିଲେ । ହିନ୍ଦୁ ଧର୍ମୀୟ ନୀତି ନିୟମର ଉର୍ଦ୍ଧ୍ୱକୁ ଉଠିବା କ୍ଷେତ୍ରରେ ସେମାନଙ୍କର ବିଫଳତା କାରଣରୁ ଯାହା ସୃଷ୍ଟି ହୋଇଛି ତା’ ହେଉଛି ହିନ୍ଦୁ ଜାତୀୟତାବାଦ ।
ଆହୁରି ମଧ୍ୟ, ସମସ୍ତ ହିନ୍ଦୁ ଧର୍ମାବଲମ୍ବୀ ଜନସାଧାରଣ ଗୋଟିଏ ମାତ୍ର ବ୍ୟକ୍ତିଗତ ଆଇନଦ୍ୱାରା ପରିଚାଳିତ ହେଉଛନ୍ତି ବୋଲି ନ୍ୟସ୍ତସ୍ୱାର୍ଥ ଗୋଷ୍ଠିମାନଙ୍କ ଦ୍ୱାରା ଏକ ମନଗଢା କଥା ପ୍ରଚାର ହେଉଛି । ମାତ୍ର ଏହା ଆଦୌ ସତ୍ୟ ନୁହେଁ । ଇତିହାସରେ ଲିପିବଦ୍ଧ ଯେ, ସ୍ୱାଧୀନତା ପରେ, ୧୯୪୭ ମସିହାରେ ହିନ୍ଦୁ ଆଇନ କମିଟି(Hindu law Committee) ଦ୍ୱାରା ପ୍ରସ୍ତୁତ ହିନ୍ଦୁ ବୋର୍ଡ ବିଲ ଜରିଆରେ ସେହି ସମୟରେ ପ୍ରଚଳିତ ବହୁବିବାହ ଭଳି ପ୍ରଥା ଦୂର କରିବା ଏବଂ କନ୍ୟାମାନଙ୍କୁ ସଂପତ୍ତିରେ ଅଧିକାର ପ୍ରଦାନ କରିବା ଇତ୍ୟାଦି ସଂସ୍କାର ଆଣିବା ପାଇଁ ଉଦ୍ୟମ କରାଯାଇଥିଲା । ହିନ୍ଦୁ ବିବାହ ଆଇନ ଅନୁଯାୟୀ ସପ୍ତପଦୀ ବା ସାତଫେର(ଅଗ୍ନିକୁଣ୍ଡ ଚାରିପାଖରେ ବର କନ୍ୟାଙ୍କର ୭ଥର ପରିକ୍ରମା) ଭଳି କେତେକ ଅନୁଷ୍ଠାନ ସଂପାଦିତ ହେଲେ କୌଣସି ବିବାହ ପଞ୍ଜିକୃତ ନହେଲେ ମଧ୍ୟ ବୈଧ । ବହୁ ହିନ୍ଦୁ ପୁରୁଷ ଜାକଜମକରେ ଖୋଲାଖୋଲି ଭାବରେ ଦ୍ୱିତୀୟ ବିବାହ କଲାବେଳେ ଆଇନକୁ ଅକାର୍ଯ୍ୟକାରୀ କରିଦେବା ପାଇଁ ଏହି ଅନୁଷ୍ଠାନର କେତେକ ଅଂଶକୁ ଜାଣିଶୁଣି ବାଦ ଦେଇ ଦିଅନ୍ତି । ଏହା ସତ୍ତ୍ୱେ ଏହି ବିବାହକୁ ସାମାଜିକ ସ୍ୱୀକୃତି ମିଳେ । ସେଥିପାଇଁ ହିନ୍ଦୁ ବିବାହ ଆଇନରେ ବହୁ ବିବାହ ନିଷିଦ୍ଧ ହେଲେ ମଧ୍ୟ, ହିନ୍ଦୁମାନଙ୍କର ଗୋଟିଏ ବର୍ଗ ମଧ୍ୟରେ ଏହା ପ୍ରଚଳିତ । ସେହିଭଳି ଭାବରେ ସଂହିତା ଆକାରରେ ଲିପିବଦ୍ଧ(Codified) ହିନ୍ଦୁ ବିବାହ ଆଇନକୁ ଅଧିକାଂଶ ହିନ୍ଦୁ ଅନୁସରଣ କରନ୍ତି ନାହିଁ, ମାତ୍ର ସମାନ ଧର୍ମ ବା ଆତ୍ମୀୟତା ରହିଥିବା ଗୋଷ୍ଠୀମାନଙ୍କ ମଧ୍ୟରେ ପ୍ରଚଳିତ ପ୍ରଥାଗତ(Customary) ଆଇନକୁ ଅନୁସରଣ କରନ୍ତି । ଉଦାହରଣ ସ୍ୱରୂପ, ଉତ୍ତର ଭାରତରେ ଘନିଷ୍ଟ ସଂପର୍କୀୟମାନଙ୍କ ମଧ୍ୟରେ ବିବାହ ନିଷିଦ୍ଧ ମାତ୍ର ମୁସଲମାନ ଓ ଦକ୍ଷିଣ ଭାରତର କେତେକ ଅଂଚଳରେ ହିନ୍ଦୁମାନଙ୍କ ମଧ୍ୟରେ ଏହାକୁ ପବିତ୍ର ବୋଲି ବିଚାର କରାଯାଏ । ହିନ୍ଦୁ ଧର୍ମର ପବିତ୍ର ଏବଂ ତଥାକଥିତ ପରମ୍ପରା ରୀତିନୀତି ଓ ସାଂସ୍କୃତିକ ପବିତ୍ରତା ରକ୍ଷା କରିବା ଆଳରେ ପୁରୁଷତାନ୍ତ୍ରିକ ଆଧିପତ୍ୟ ଏବଂ ମହିଳାମାନଙ୍କର ଅଧିନତା ସଙ୍ଗେ ସଙ୍ଗେ ଅନ୍ଧ ଧର୍ମୀୟ ବିଶ୍ୱାସ ପ୍ରତି ପ୍ରଶ୍ନାତୀତ ସମର୍ଥନକୁ ଯୁକ୍ତିଯୁକ୍ତ ବୋଲି ପ୍ରଚାର କରାଯାଉଛି । ସର୍ବୋପରି, ସେମାନେ ଦାବି କରନ୍ତି ଯେ, ହିନ୍ଦୁ ଧର୍ମ ନାଁରେ ସେମାନେ ପ୍ରଚାର କରୁଥିବା ହିନ୍ଦୁତ୍ୱ ମତବାଦ ହେଉଛି ଅଲଂଘନୀୟ ଏବଂ ସର୍ବୋଚ୍ଚ । ସେଥିପାଇଁ ଏହାର ନିର୍ଦ୍ଦେଶାବଳୀକୁ ପ୍ରଶ୍ନ କରାଯାଇ ପାରିବ ନାହିଁ ।
ଅନ୍ୟଦିଗରେ ମୁସଲମାନ ମୌଳବାଦୀ ଏବଂ ଧର୍ମାନ୍ଧମାନେ ମୁସଲମାନ ବ୍ୟକ୍ତିଗତ ଆଇନର ଐଶ୍ୱରୀୟତ୍ୱ ସଂପର୍କରେ କରୁଥିବା ଦାବି ଓ ମୁଲ୍ଲା, ମୌଲବୀ ଏବଂ ସାମାଜିକ ଦଲାଲମାନଙ୍କର ଯୁକ୍ତି ମଧ୍ୟରେ ସମାନ ସ୍ୱର ଓ ସ୍ୱରୂପ ଦେଖିବାକୁ ମିଳେ । ମୁସଲମାନ ବ୍ୟକ୍ତିଗତ ଆଇନ କଣ କୋରାନରେ ଉଲ୍ଲେଖ ହୋଇଛି ବା ସାରିୟାରୁ ପ୍ରାପ୍ତ ହୋଇଛି? ସାରିୟା ଓ ପବିତ୍ର କୋରାନ କ’ଣ ଏକ ଓ ଅଭିନ୍ନ? ନା, ସାରିୟା “ଈଶ୍ୱରୀୟ ନିର୍ଦ୍ଦେଶ” ନୁହେଁ । ଆରବ ଭୂମିର ବାହାରେ ଇସ୍ଲାମ ଧର୍ମର ବିସ୍ତାର ଘଟିବା ସହିତ ଦେଖାଦେଇଥିବା ସାମାଜିକ ସମସ୍ୟା ଗୁଡିକର ସମାଧାନ ପାଇଁ ଜନସାଧାରଣ ପବିତ୍ର ଗ୍ରନ୍ଥମାନଙ୍କ ସଂପର୍କରେ ଗଭୀରତର ବୁଝାମଣା ସଂପନ୍ନ, ଜ୍ଞାନୀ ଗୁଣୀବ୍ୟକ୍ତି ଏବଂ ନୈତିକ ଚରିତ୍ରପାଇଁ ପରିଚିତ ବିଶିଷ୍ଟ ବ୍ୟକ୍ତିତ୍ୱ ମାନଙ୍କଠାରୁ ମତାମତ ଲୋଡୁଥିଲେ । ଇସ୍ଲାମ ଓ ଏହାର ନିର୍ଦ୍ଦେଶାବଳୀଗୁଡିକ ସଂପର୍କରେ ନିଜ ନିଜର ଉପଲବ୍ଧି ଅନୁଯାୟୀ ଏହି ବିଶିଷ୍ଟ ବ୍ୟକ୍ତିମାନେ ସେମାନଙ୍କର ନିଷ୍ପତ୍ତି ଦେଉଥିଲେ । ଏସବୁର ସାରାଂଶ ସାରିୟାରେ ଲିପିବଦ୍ଧ ହୋଇଛି, ଯାହା ସଂପର୍କରେ ସିହା ଓ ସୁନ୍ନି ମୁସଲମାନ ମାନଙ୍କ ମଧ୍ୟରେ ଭିନ୍ନମତ ରହିଛି ।
ଏଠାର ଉଲ୍ଲେଖଯୋଗ୍ୟ, ଧର୍ମୀୟ ନିର୍ଦ୍ଦେଶାବଳୀ, ରୀତିନୀତି ଏବଂ ଏହାର ଅପରିବର୍ତ୍ତନୀୟତାକୁ “ଈଶ୍ୱରଙ୍କ ଇଚ୍ଛା” ଭାବରେ ଯଥାର୍ଥ ପ୍ରତିପାଦନ କରିବା କ୍ଷେତ୍ରରେ ସଂପୃକ୍ତ ସମସ୍ତ ଆତ୍ମଘୋଷିତ ଧର୍ମ ରକ୍ଷକମାନେ ପରସ୍ପର ସହିତ ଅଦ୍ଭୁତ ଭାବରେ ଘନିଷ୍ଟ ସଂପର୍କଯୁକ୍ତ ବୋଲି ସ୍ପଷ୍ଟ ଭାବରେ ଦେଖିବାକୁ ମିଳୁଛି ।
ଏହା ବୁଝିବାକୁ ହେବ ଯେ, ସମାଜର ଗଣତାନ୍ତ୍ରିକରଣର ସ୍ୱାଭାବିକ ପରିଣାମ ଭାବରେ ଶୁଭବୁଦ୍ଧି ସଂପନ୍ନ ଜନସାଧାରଣଙ୍କ ମନରେ ଏକକ ନାଗରିକ ସଂହିତା ସଂପର୍କିତ ଧାରଣା ଗଢିଉଠିଥିଲା । ସୁତରାଂ ଗୋଟିଏ ଯଥାର୍ଥ ଧର୍ମନିରପେକ୍ଷ ରାଷ୍ଟ୍ରରେ ବିଭିନ୍ନ ବର୍ଗର ଜନସାଧାରଣଙ୍କୁ ପରିଚାଳିତ କରୁଥିବା ଦେୱାନୀ ଆଇନ ଗୁଡିକ ଏକ ଏବଂ ଅଭିନ୍ନ ହେବା ସ୍ୱାଭାବିକ । ଧର୍ମ ବ୍ୟକ୍ତିର ବ୍ୟକ୍ତିଗତ ବିଶ୍ୱାସର ବିଷୟ ହେବ ଏବଂ ରାଷ୍ଟ୍ରର ଆଇନ ବିଭିନ୍ନ ଧର୍ମରେ ବିଶ୍ୱାସୀ ନାରୀ ପୁରୁଷମାନଙ୍କ ମଧ୍ୟରେ କିମ୍ବା ଈଶ୍ୱର ବିଶ୍ୱାସ କରୁନଥିବା ଲୋକଙ୍କ ମଧ୍ୟରେ ଭେଦାଭେଦ କରିବ ନାହିଁ । ଜୀବନ ସଂପର୍କରେ ଗଣତାନ୍ତ୍ରିକ ଧାରଣା ଅନୁଯାୟୀ ବିବାହ ହେଉଛି ପାରସ୍ପରିକ ମୂଲ୍ୟବୋଧର ସ୍ୱୀକୃତିର ଭିତ୍ତିରେ ପରସ୍ପରର ମର୍ଯ୍ୟାଦାକୁ ବଜାୟ ରଖୁଥିବା ଜଣେ ପୁରୁଷ ଓ ନାରୀଙ୍କ ମଧ୍ୟରେ ସାମାଜିକ ସଂପର୍କ । ପାରଷ୍ପରିକ ସମ୍ମତି ବା ଜୀବନସାଥି ବାଛିବା ପାଇଁ ସ୍ୱାଧୀନତା ବୈବାହିକ ସଂପର୍କର ଭିତ୍ତି ହେବା ଉଚିତ । ଧର୍ମ, ଜାତି, ଗୋଷ୍ଠିଗତ ପରିଚିତି କିଛି ବି ଏହି ମିଳନ କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି କରିବା ଉଚିତ ନୁହେଁ । ମାତ୍ର ସମସ୍ତ ବର୍ଗର ଜନସାଧାରଣଙ୍କର ସ୍ୱେଚ୍ଛାକୃତ ସମ୍ମତି ଓ ବୁଝାମଣା ମଧ୍ୟଦେଇ ଏକକ ଆଇନ ଓ ବିଧିବ୍ୟବସ୍ଥା ଗଢି ନଉଠିଲେ, ଧର୍ମୀୟ ବିଶ୍ୱାସର ବାଧାବନ୍ଧନ ଓ ନିର୍ଦ୍ଦେଶାବଳୀରୁ ମୁକ୍ତ ବିଭିନ୍ନ ଧର୍ମ, ଜାତି, ଜନଗୋଷ୍ଠି ମଧ୍ୟରେ ବିବାହ, ପସନ୍ଦ କରିବାର ସ୍ୱାଧୀନତା, ଅନ୍ୟମାନଙ୍କର ମର୍ଯ୍ୟାଦାକୁ ସମ୍ମାନ ଓ ସୁରକ୍ଷା ଦେବା, ନାରୀ ଓ ପୁରୁଷ ମଧ୍ୟରେ କୌଣସି ପକ୍ଷପାତିତା ନ କରିବା, ବିଭିନ୍ନ ଧର୍ମବିଶ୍ୱାସୀ ଓ ଜନଗୋଷ୍ଠି ଭୁକ୍ତ ଜନସାଧାରଣଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ନ କରିବା ଇତ୍ୟାଦି ସୁନିଶ୍ଚିତ ହୋଇପାରିବ ନାହିଁ ।
ଏହିଭଳି ଏକ ପ୍ରାକସର୍ତ୍ତକୁ ଭାରତର ପ୍ରଚଳିତ ବାସ୍ତବତା ପୁରଣ କରୁଛି କି? ଯଦି ପ୍ରକୃତ ଏକକ ନାଗରିକ ସଂହିତାର ମଞ୍ଜିକଥାକୁ ସଠିକ୍ ଭାବରେ ବୁଝାଯାଏ, ତା’ହେଲେ ‘ଲଭ ଜିହାଦ’, ପାରିବାରିକ ସମ୍ମାନ ପାଇଁ ହତ୍ୟା(ଅନର କିଲିଂ), ଏପରିକି ରାଷ୍ଟ୍ରଦ୍ୱାରା ଭିନ୍ନ ଭିନ୍ନ ଧର୍ମବିଶ୍ୱାସୀ ମାନଙ୍କ ମଧ୍ୟରେ ବିବାହକୁ ବାଧା ଦେବା ଏବଂ ଗୋରକ୍ଷା ଆଳରେ ଲୋକଙ୍କୁ ପିଟିପିଟି ମାରିଦେବା ଭଳି ମାରାତ୍ମକ କାର୍ଯ୍ୟକଳାପ କ’ଣ ଅବାଧରେ ଚାଲିପାରେ? ଯେଉଁ ଏକକ ନାଗରିକ ସଂହିତା ଜାତି, ଧର୍ମ, ଜନଗୋଷ୍ଠି ଏବଂ ଲିଙ୍ଗ ନିର୍ବିଶେଷରେ ସମଗ୍ର ଭାରତର ସମସ୍ତ ନାଗରିକମାନଙ୍କ ପାଇଁ ଗୋଟିଏ ମାତ୍ର ବ୍ୟକ୍ତିଗତ ଆଇନ ପ୍ରଣୟନ କରିବା କଥା କହେ, ସେହି ଏକକ ନାଗରିକ ସଂହିତା ଲାଗୁ କରାଯାଇଥିବା ଗୋଟିଏ ଦେଶରେ ଧର୍ମୀୟ ସଂଖ୍ୟାଲଘୁ ମାନଙ୍କ ବିରୁଦ୍ଧରେ ଖୋଲାଖୋଲି ଘୃଣା ଉଦ୍ରେକକାରୀ ପ୍ରଚାର ଏବଂ ସେମାନଙ୍କ ଉପରେ ନିର୍ଯ୍ୟାତନା କ’ଣ ସମାନ୍ତରାଳ ଭାବରେ ବଳବତ୍ତର ରହିପାରେ? ଅନ୍ୟ ଭାଷାରେ କହଲେ ଏହି ମୁହୂର୍ତ୍ତରେ ବିବାହ, ବିବାହ ବିଚ୍ଛେଦ, ଉତ୍ତାରାଧିକାର ଏବଂ ପୋଷ୍ୟ ସନ୍ତାନ ଗ୍ରହଣ ଭଳି ସମସ୍ତ ବିଷୟରେ ସମସ୍ତ ଧର୍ମୀୟ ସଂପ୍ରଦାୟ ପାଇଁ ଗୋଟିଏ ଆଇନ କ’ଣ ପ୍ରଣୀତ ହୋଇପାରିବ? ଯେକୌଣସି ଦିଗରୁ ଚିନ୍ତାକଲେ ମଧ୍ୟ ଏହା କ’ଣ ଏକ ଯୁକ୍ତିଯୁକ୍ତ ପ୍ରସ୍ତାବ? ଏଭଳି ନୁହେଁ ବୋଲି ଆମେ ବିଶ୍ୱାସ କରୁ । ମଣିପୁର ଯେତେବେଳେ ରକ୍ତାକ୍ତ ଗୋଷ୍ଠିଗତ ହିଂସା ପ୍ରତ୍ୟକ୍ଷ କରୁଛି ଏବଂ ଦେଶର ବିଭିନ୍ନ ଅଂଚଳରେ ବିକ୍ଷିପ୍ତ ଭାବରେ ସାଂପ୍ରଦାୟିକ-ଜାତିବାଦୀ-ଗୋଷ୍ଠିଗତ ଉଗ୍ରତା ଦେଖିବାକୁ ମିଳୁଛି ସେତେବେଳେ ଏହା କ’ଣ ସମାନ ନାଗରିକ ସଂହିତା ପ୍ରଚଳନ ପାଇଁ ଉପଯୁକ୍ତ ସମୟ? ଦ୍ୱିତୀୟତଃ, ସାଧାରଣ ଭାବରେ ଲୋକମାନେ ମନେକରନ୍ତି ଯେ ସମାନ ନାଗରିକ ସଂହିତା ଅନ୍ୟ ସମସ୍ତ ବ୍ୟକ୍ତିଗତ ଆଇନ ଗୁଡିକୁ ସଂପୂର୍ଣ୍ଣ ଅକାର୍ଯ୍ୟକାରୀ କରିଦେବ । ବର୍ତ୍ତମାନର ଭାରତବର୍ଷ, ଯେଉଁଠି ମୌଳବାଦୀ-ଜାତିବାଦୀ-ସାଂପ୍ରଦାୟିକ-ଗୋଷ୍ଠିଗତ ସଂଘର୍ଷ ଏବଂ ଧର୍ମୀୟ କଟ୍ଟରବାଦ ସମସ୍ତ ଦିଗକୁ ସଂପୂର୍ଣ୍ଣଭାବରେ ନିୟନ୍ତ୍ରଣ କରୁଛି ସେଠାରେ କ’ଣ ଏହା ଘଟିପାରିବ? ସମାଜର ଗଣତାନ୍ତ୍ରିକରଣ ପ୍ରକ୍ରିୟାରେ ଏଭଳି ସମସ୍ତ ବ୍ୟାଧି, କଟ୍ଟରତା ଏବଂ ବିଭ୍ରାନ୍ତିଗୁଡିକୁ ପ୍ରଥମେ ଦୂରକରିବା ଉଚିତ ନୁହେଁ କି? ବଳପୂର୍ବକ ଜନସାଧାରଣଙ୍କର ଏକକୀକରଣ ଅର୍ଥ ସମାନତା ନୁହେଁ, ଏଥିପାଇଁ ଗଣତାନ୍ତ୍ରିକ ମୂଲ୍ୟବୋଧ, ନୀତି ନୈତିକତା ଭିତ୍ତିରେ ଜନସାଧାରଣଙ୍କୁ ଲଗାତର ବୁଝାସୁଝା କରିବା ଆବଶ୍ୟକ । ସେଥିପାଇଁ ରାଷ୍ଟ୍ର ଧର୍ମନିରପେକ୍ଷ ନୀତିକୁ ତୋଳିଧରିବା ଆବଶ୍ୟକ ଏବଂ ଏହି ନୀତି ଦ୍ୱାରା ପରିଚାଳିତ ହେବା ଆବଶ୍ୟକ ।
ସୁତରାଂ, ସମାଜରେ ଯେତେବେଳେ କ୍ରମବର୍ଦ୍ଧମାନ ଅନୈକ୍ୟର ପ୍ରାଧାନ୍ୟ ରହିଛି ସେତେବେଳେ ଗୋଟିଏ ଐକ୍ୟଭିତ୍ତିକ ଆଇନ ଲଦିଦେବା କେତେଦୂର ଦୂରଦୃଷ୍ଟିସଂପନ୍ନ ହେବ? ପ୍ରତିକ୍ରିୟାଶୀଳ ଶକ୍ତିମାନଙ୍କର ସମସ୍ତ କ୍ଷୁଦ୍ର ଗୋଷ୍ଠୀଗତ ସ୍ୱାର୍ଥକୁ ପରାହତକରି ପ୍ରଥମେ ଏକକ ନାଗରିକ ସଂହିତାର ଯଥାର୍ଥତା ଏବଂ ଏହାକୁ ଲାଗୁ କରିବାର ସମ୍ଭାବନାର ସାମାଜିକ ଆବଶ୍ୟକତାକୁ ବାସ୍ତବାୟିତ କରିବାକୁ ହେବ । ଏହି କାର୍ଯ୍ୟ ଅସଂପୂର୍ଣ୍ଣ ଥିଲାବେଳେ ଏକକ ନାଗରିକ ସଂହିତାକୁ ବଳପୂର୍ବକ ଲଦିଦେବା ଫଳରେ ଭାରତୀୟ ନାଗରିକମାନଙ୍କର ବିଭିନ୍ନ ଗୋଷ୍ଠି ମଧ୍ୟରେ ବିଭେଦ, ବିଭାଜନ, ଅବିଶ୍ୱାସ ଏବଂ ଅସଙ୍ଗତି ଆହୁରି ବୃଦ୍ଧି ପାଇବ ।
ଏହା ସ୍ମରଣ କରିବା ପ୍ରଯୁଯ୍ୟ ହେବ ଯେ, ଭାରତୀୟ ସମ୍ବିଧାନର ରଚୟିତାମାନେ ଏକକ ନାଗରିକ ସଂହିତା ଲାଗୁକରିବା ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ ଏବଂ ଅନୁଭବ କରିଥିଲେ ଯେ କେବଳ ମାତ୍ର ସଂବିଧାନ ପ୍ରଣୟନ ସଭାରେ ଆଲୋଚନା କରି ଏବଂ ଭୋଟ ଜରିଆରେ ଏହିଭଳି ଏକ ନାଗରିକ ସଂହିତା ଲାଗୁ କରିବାପାଇଁ ସମୟ ଉପଯୁକ୍ତ ନୁହେଁ । ସେଥିପାଇଁ ସେମାନେ ସଠିକ୍ ଭାବରେ ଆଶଙ୍କା କରିଥିଲେ ଯେ ଏକକ ନାଗରିକ ସଂହିତା ଅକାର୍ଯ୍ୟକାରୀ ହୋଇଯିବ । ସାମଗ୍ରିକ ପରିସ୍ଥିତିକୁ ବିଚାରକୁ ନେଇ ସେମାନେ ଏହାକୁ ରାଜ୍ୟ ନୀତି ନିର୍ଦ୍ଦେଶାବଳୀ(Directive Principles of State Policy) ବିଭାଗରେ ସ୍ଥାନିତ କରିବା ପାଇଁ ନିଷ୍ପତ୍ତି କରିଥିଲେ । ସମ୍ବିଧାନ ରଚନା କରିବା ସମୟରେ ସମ୍ବିଧାନ ଲିଖନ କମିଟିର ଅଧ୍ୟକ୍ଷ ଡକ୍ଟର ବି.ଆର. ଆମ୍ବେଦକର କହିଥିଲେ ଯେ, ଅସୁରକ୍ଷିତ ଜନଗୋଷ୍ଠିମାନଙ୍କ ପ୍ରତି ହେଉଥିବା ଭେଦାଭେଦକୁ ଦୂର କରିବା ପରେ ଏବଂ ସଠିକ ପ୍ରକ୍ରିୟାରେ ବିବିଧ ଧର୍ମୀୟ-ଗୋଷ୍ଠିଗତ ଜାତିଗତ ଜନ ସମୁଦାୟଗୁଡିକୁ ସୁସଂଗତ କରିବା ପରେ ସମଗ୍ର ଦେଶରେ ସମାନ ନାଗରିକ ସଂହିତା ଲାଗୁକରିବା ଆବଶ୍ୟକ । ତଦାନୀନ୍ତନ ସମୟର ବାଧ୍ୟବାଧକତା ଯୋଗୁ ସମାନ ନାଗରିକ ଅଧିକାରର ଗ୍ୟାରେଣ୍ଟି ଭାବରେ ସମ୍ବିଧାନର ଧାରା-୪୪ର ସଂରଚନା କରାଯାଇଥିଲା । ମାତ୍ର ସ୍ୱାଭାବିକ କାରଣ ପାଇଁ ଏହାକୁ ଇଚ୍ଛାଧୀନ କରାଯାଇଥିଲା । ତା’ହେଲେ ଧାରା-୪୪କୁ ବାଧ୍ୟତାମୂଳକ କରିବା ପାଇଁ ଉପଯୁକ୍ତ ସମୟ ଆସିବା ପର୍ଯ୍ୟନ୍ତ ଏ ସଂପର୍କରେ କି ଧରଣର ଦୃଷ୍ଟିଭଙ୍ଗୀ ପୋଷଣ କରାଯିବା ଉଚିତ? ଏହି ସନ୍ଧର୍ଭରେ ଧାରା-୩୫ର କାର୍ଯ୍ୟକାରିତା ଦେଖିବାକୁ ମିଳିବ । ଏହି ଧାରା ଅନୁଯାୟୀ କେତେକ ନିର୍ଦ୍ଦିଷ୍ଟ ମୌଳିକ ଅଧିକାରକୁ କାର୍ଯ୍ୟକାରୀ କରିବା ଉଦ୍ଦେଶ୍ୟରେ ଆଇନ ପ୍ରଣୟନ କରିବାର ଅଧିକାର କେବଳ ମାତ୍ର ସଂସଦ ନିକଟରେ ରହିବ, ରାଜ୍ୟ ବିଧାନସଭାମାନଙ୍କ ନିକଟରେ ନୁହେଁ ।
ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଯେ, ୨୦୧୬ ମସିହାରେ ଗଠିତ ୨୧ତମ ଆଇନ କମିଶନ ସମାନ ନାଗରିକ ସଂହିତାକୁ କେବଳ ମାତ୍ର ‘ଦରକାରୀ ନୁହେଁ ବା କାମ୍ୟ ନୁହେଁ’ ବୋଲି କହିନଥିଲା । ଏହା ସଙ୍ଗେ ସଙ୍ଗେ ପ୍ରଥମେ ଲିଙ୍ଗଗତ ପକ୍ଷପାତିତାର ପରିସମାପ୍ତି ଘଟାଇବା ଓ ଅସମାନତା ଦୂର କରିବା ପାଇଁ ସୁପାରିଶ କରିଥିଲା । କମିଶନ ଉଲ୍ଲେଖ କରିଥିଲା ଯେ, “ସେଥିପାଇଁ ଏହି କମିଶନ ବର୍ତ୍ତମାନ ପରିସ୍ଥିତିରେ ଅନାବଶ୍ୟକ ଏବଂ ଅବାଞ୍ଛନୀୟ ଏକକ ନାଗରିକ ସଂହିତା ପ୍ରଣୟନ ପରିବର୍ତ୍ତେ ଭେଦାଭେଦ ପୂର୍ଣ୍ଣ ଆଇନ ସଂପର୍କରେ ତର୍ଜମା କରିଛି । ପ୍ରାୟ ସମସ୍ତ ଦେଶ ବର୍ତ୍ତମାନ ବିବିଧତାକୁ ସ୍ୱୀକାର କରିବା ଦିଗରେ ଅଗ୍ରସର ହେଉଛନ୍ତି । କେବଳ ମାତ୍ର ପାର୍ଥକ୍ୟ(Difference)ର ଉପସ୍ଥିତି ଭେଦାଭେଦକୁ ସୂଚୀତ କରେ ନାହିଁ, ବରଂ ଏହା ହୃଷ୍ଟପୃଷ୍ଟ ଗଣତନ୍ତ୍ରର ସଂକେତ ବହନକାରୀ ।” ଏହା ସଙ୍ଗେ ସଙ୍ଗେ ଏହାର ସୁପାରିଶ ଦସ୍ତାବିଜର ପ୍ରଥମ ପୃଷ୍ଠାରେ ହିଁ ୨୧ତମ ଆଇନ କମିଶନ ଏହା ସ୍ପଷ୍ଟ କରିଦେଇଥିଲା ଯେ, ଏକକ ନାଗରିକ ସଂହିତା ପ୍ରସଙ୍ଗରେ କୌଣସି ସହମତି ଗଢିଉଠି ପାରିଲା ନାହିଁ, ସେଥିପାଇଁ ମୌଳିକ ଅଧିକାରଗୁଡିକୁ ଖଣ୍ଡିତ(Contradict) ନକରି ବିବିଧତାକୁ ସୁରକ୍ଷିତ କରିବା ହିଁ ସମୟର ଆବଶ୍ୟକତା ।” ଏହି ସୁପାରିଶ ଦସ୍ତାବିଜରେ ଉଲ୍ଲେଖ ରହିଛି ଯେ, ‘ଏକକ ନାଗରିକ ସଂହିତା ଉପରେ କୌଣସି ପ୍ରକାର ସହମତି ଗଢିଉଠି ନ ପାରିବାରୁ କମିଶନ ଅନୁଭବ କରୁଛି ଯେ, ବ୍ୟକ୍ତିଗତ ଆଇନଗୁଡିକର ବିବିଧତାକୁ ସୁରକ୍ଷିତ କରିବା ଏବଂ ଏହା ସଙ୍ଗେ ସଙ୍ଗେ ଭାରତର ସଂବିଧାନ ଗ୍ୟାରେଣ୍ଟି କରୁଥିବା ମୌଳିକ ଅଧିକାରକୁ ଯେଭଳି ଏହି ବ୍ୟକ୍ତିଗତ ଆଇନ ଗୁଡିକ ଖଣ୍ଡିତ ନକରେ ତା’ ସୁନିଶ୍ଚିତ କରିବା ଆବଶ୍ୟକ ।’ ଆମେ ମନେକରୁ ଯେ, ୨୧ତମ ଆଇନ କମିଶନର ଏହି ମନ୍ତବ୍ୟ ଯୁକ୍ତିଯୁକ୍ତ । ତା’ହେଲେ ୨୧ତମ ଆଇନ କମିଶନ ଉପସ୍ଥାପନ କରିଥିବା ମତାମତ ଉପରେ କୌଣସି ଆଲୋଚନା କାହିଁକି କରାଯାଇ ନାହିଁ? କେବଳ ମାତ୍ର ଏହି ସୁପାରିଶ ଦସ୍ତାବିଜ ୩ବର୍ଷରୁ ଅଧିକ ପୁରୁଣା ହୋଇଛି ବୋଲି କହି ଏହାକୁ ସଂପୂର୍ଣ୍ଣ ଏଡାଇ ଯାଇ ଆଉ ଏକ ନୂଆ କମିଶନ ଗଠନ କରିବା ପଛରେ କି ଜରୁରୀ ଆବଶ୍ୟକତା ଥିଲା? ୨୧ତମ ଆଇନ କମିଶନ ବିଷଦ ତର୍ଜମା କରି ଉପସ୍ଥାପନ କରିଥିବା ଅଭିମତ ତ୍ରୁଟିପୂର୍ଣ୍ଣ ଥିଲାବୋଲି ଯୁକ୍ତିସିଦ୍ଧ ଭାବରେ ପ୍ରମାଣିତ କରିବାକୁ ସରକାରଙ୍କୁ କ’ଣ ବାଧାଦେଲା? ପୂର୍ବ କମିଶନକୁ ଏଡାଇଯାଇ ୨୨ତମ ଆଇନ କମିଶନ ଗଠନ କରିବା ପାଇଁ ସରକାରଙ୍କୁ କ’ଣ ପ୍ରୋତ୍ସାହିତ କଲା? ୨୨ତମ ଆଇନ କମିଶନ ୨୦୨୩ ଜୁନ ୧୪ତାରିଖରେ ଏକ ନୋଟିସ ଜାରୀ କରି ପୁନର୍ବାର ଏକକ ନାଗରିକ ସଂହିତା ଉପରେ ମତାମତ ଆହ୍ୱାନ କରିଛି ।
ଏଭଳି କେତେକ ଲୋକ ଅଛନ୍ତି ଯେଉଁମାନେ ଏହି ଧରଣର ବିବିଧତା ଓ ଧର୍ମ ସଂପର୍କିତ ସମସ୍ୟାର ଆଇନଗତ ସମାଧାନ ଚାହୁଁଛନ୍ତି । ଏହି ସମସ୍ୟାକୁ ଯେହେତୁ କୌଣସି ଧର୍ମୀୟ-ଜନଗୋଷ୍ଠିଗତ ପରିଚିତିକୁ ସୁରକ୍ଷିତ ରଖିବାର ଦୃଷ୍ଟିକୋଣରୁ ବିଚାର କରିବା ଉଚିତ ନୁହେଁ, ସେଥିପାଇଁ ଏହା ଏକ ନିଚ୍ଛକ ଆଇନଗତ ଲଢେଇ ମଧ୍ୟ ହେବା ଉଚିତ ନୁହେଁ । ଗୋଟିଏ ଆଇନ ପ୍ରସ୍ତୁତ କରି ଏହାକୁ ଯଦି ବଳପୂର୍ବକ ଲଦି ଦିଆଯାଏ ତା’ହେଲେ ଏହି ଆଇନ ଧର୍ମପାଳନର ଅଧିକାର(Right to religion)କୁ କ୍ଷୁର୍ଣ୍ଣ କରିବା ପାଇଁ ଉଦ୍ଦିଷ୍ଟ ବୋଲି ପ୍ରଚାର କରିବା ପାଇଁ ଏବଂ ଧର୍ମୀୟ ଆବେଦନକୁ ଭିତ୍ତିକରି ଜନସାଧାରଣଙ୍କୁ ଉତ୍ତେଜିତ କରିବା ପାଇଁ ଏହା ମୌଳବାଦୀମାନଙ୍କ ହାତରେ ଏକ ହତିଆରରେ ପରିଣତ ହୋଇପାରେ । ପରିବର୍ତ୍ତନର ଦାବି ନିପୀଡିତ ଜନସାଧାରଣଙ୍କ ମଧ୍ୟରୁ ହିଁ ଏକ ସଚେତନ ଆକାଂକ୍ଷା ଭାବରେ ଉପସ୍ଥାପିତ ହେବା ଆବଶ୍ୟକ । ଏହା ଆମେ ସମସ୍ତେ ହୃଦୟଙ୍ଗମ କରିବା ନିଶ୍ଚିତ ଭାବରେ ଆବଶ୍ୟକ ଯେ, ଯୁକ୍ତିଯୁକ୍ତତା(Legitimacy) ଆଇନ ସର୍ବସ୍ୱତା(Legality) ଉପରେ ପ୍ରଭାବ ବିସ୍ତାର କରିବା ଆବଶ୍ୟକ । ସମସ୍ତ ଆଇନ ମଣିଷ ଦ୍ୱାରା ସୃଷ୍ଟି ହୋଇଛି । ସାମାଜିକ ପ୍ରଗତି ପାଇଁ ଏହି ଆଇନ ମଧ୍ୟରୁ କେତେକ ପ୍ରବର୍ତ୍ତିତ ହୋଇଛି । ମାତ୍ର ସମୟର ଗତିପଥରେ ପରିବର୍ତ୍ତିତ ପରିସ୍ଥିତିରେ ସୃଷ୍ଟି ହୋଇଥିବା ସାମାଜିକ ଆବଶ୍ୟକତା ସହିତ ସାମଞ୍ଜସ୍ୟ ରକ୍ଷାକରି ଏଭଳି ବହୁ ଆଇନରେ ପରିବର୍ତ୍ତନ ସାଧିତ ହୋଇଛି କିମ୍ବା ବହୁ ଆଇନ ବାତିଲ ହୋଇଛି । ଅନ୍ୟଭାଷାରେ କହିଲେ ଯାହା ଯୁକ୍ତିସିଦ୍ଧ ତାକୁ ହିଁ ଆଇନସିଦ୍ଧ କରାଯାଇଛି । ସୁତରାଂ କୌଣସି ଆଇନକୁ ଆମେ କାହିଁକି ପବିତ୍ର ବା ଅପରିବର୍ତ୍ତନୀୟ ବୋଲି ବିଚାର କରିବା?
ଉପରେ ଯାହା କୁହାଯାଇଛି ସେଥିରୁ ଏହା ସ୍ପଷ୍ଟ ହେବା ଉଚିତ ଯେ, ଏକକ ନାଗରିକ ସଂହିତା ପ୍ରବର୍ତ୍ତନ କରିବା ସଂପର୍କରେ ଚିନ୍ତା କରିବା ସମୟରେ ହିଁ ସମସ୍ତ ବିବିଧତା, ଅନ୍ଧବିଶ୍ୱାସ, ଧର୍ମୀୟ-ଜନଗୋଷ୍ଠିଗତ ଅପରିବର୍ତ୍ତନୀୟତାକୁ ଜାବୁଡି ଧରିବାର ପ୍ରବୃତ୍ତି, ପରଷ୍ପରିକ ଘୃଣା ଏବଂ ଅବିଶ୍ୱାସକୁ ଧିରେ ଧିରେ ଦୂର କରିବା ପାଇଁ ଗୋଟିଏ ବିଜ୍ଞାନ ସମ୍ମତ ପ୍ରକ୍ରିୟା ଗ୍ରହଣ କରିବା ହେଉଛି ଏକ ଜରୁରୀ ପ୍ରାକସର୍ତ୍ତ । ବର୍ତ୍ତମାନର ପ୍ରଚଳିତ ମତଭେଦ ଗୁଡିକର ପରିସମାପ୍ତ ପାଇଁ, ଗୋଷ୍ଠିଗତ ସ୍ୱାତନ୍ତ୍ର୍ୟର ମାନସିକ ବନ୍ଧନରୁ ମୁକ୍ତି ପାଇଁ ଏବଂ ସଠିକ୍ ଦୃଷ୍ଟିଭଙ୍ଗୀ ଗ୍ରହଣ କରିବା ପାଇଁ ଜନସାଧାରଣଙ୍କୁ ସକ୍ଷମ କରିବା ଆବଶ୍ୟକ । ଏହା ସହିତ ସମସ୍ତ ବର୍ଗର ଜନସାଧାରଣଙ୍କର ସ୍ୱେଚ୍ଛାକୃତ ଗ୍ରହଣୀୟତା ଓ ସମ୍ମତି ହାସଲ କରିବା ଉଦ୍ଦେଶ୍ୟରେ ବ୍ୟାପକ ଆଳାପ ଆଲୋଚନା, ବୁଝାସୁଝା କରିବା ଏବଂ ସଠିକ୍ ଯୁକ୍ତିଦ୍ୱାରା ସମସ୍ତଙ୍କ ମନକୁ ସ୍ପର୍ଶ କରିବାର କଷ୍ଟସାଧ୍ୟ ପ୍ରକ୍ରିୟାକୁ ଏଡାଇ ଯାଇ ଏକକ ନାଗରିକ ସଂହିତା ପ୍ରଚଳନ ପାଇଁ ଉପଯୁକ୍ତ ପରିବେଶ ସୃଷ୍ଟି କରିବା କଦାପି ସମ୍ଭବ ନୁହେଁ ।
ବାସ୍ତବରେ କେବଳମାତ୍ର ମୁସଲମାନ ଓ ଖ୍ରୀଷ୍ଟିୟାନ ସଂପ୍ରଦାୟ ନୁହେଁ, ଏପରିକି ଜୈନ, ପାର୍ଶୀ, ଶିଖ ଏବଂ ଆଦିବାସୀ ଜନସାଧାରଣ ବର୍ତ୍ତମାନର ଘଡିସନ୍ଧି ମୁହୂର୍ତ୍ତରେ ଏକକ ନାଗରିକ ସଂହିତାକୁ ଦୃଢଭାବରେ ବିରୋଧ କରୁଛନ୍ତି । ଆମେ ପୂନର୍ବାର ଉଲ୍ଲେଖ କରୁଛୁ ଯେ, ଏକକ ନାଗରିକ ସଂହିତା ବିବାହ, ବିବାହ ବିଚ୍ଛେଦ, ପୋଷ୍ୟ ସନ୍ତାନ ଗ୍ରହଣ ଓ ଉତ୍ତରାଧିକାର ଭଳି ବ୍ୟକ୍ତିଗତ ଲୋକାଚାର ଓ ଆଚାର ଆଚରଣ କ୍ଷେତ୍ରରେ ଜାତି, ଜନଗୋଷ୍ଠି, ସଂପ୍ରଦାୟ, ଧର୍ମ ବା ଲିଙ୍ଗ ଭିତ୍ତିରେ ନାଗରିକମାନଙ୍କ ମଧ୍ୟରେ ଭେଦାଭେଦ କରେ ନାହିଁ । ବରଂ ସମସ୍ତଙ୍କ ପାଇଁ ସାମାଜିକ-ରାଜନୈତିକ-ସାଂସ୍କୃତିକ କାର୍ଯ୍ୟକଳାପ କ୍ଷେତ୍ରରେ ସମାନ ଅଧିକାର ସୁନିଶ୍ଚିତ କରେ । ସୁତରାଂ ସେହିଭଳି ଗୋଟିଏ ଏକକ ନାଗରିକ ସଂହିତାର ଅବାଧ ଓ ଗ୍ରହଣଯୋଗ୍ୟ କାର୍ଯ୍ୟକାରୀତା ପାଇଁ ସମସ୍ତ ଆବଶ୍ୟକ ସର୍ତ୍ତ ପୂରଣ କରିବାକୁ ହିଁ ଏହା ଲାଗୁ କରିବାକୁ ଉପଯୁକ୍ତ ବୋଲି ବିଚାର କରାଯିବ । ଜନସାଧାରଣଙ୍କ ମଧ୍ୟରେ ଐକ୍ୟ, ସଂପ୍ରଦାୟିକ-ଜନଗୋଷ୍ଠିଗତ-ଜାତିଗତ ସାଂପ୍ରଦାୟିକତାର ବିଲୋପ ସାଧନ ଇତ୍ୟାଦି ହେଉଛି ସେହି ପ୍ରାକ ସର୍ତ୍ତ ଯାହା ପୂରଣ ହେବା ଆବଶ୍ୟକ । ଏକକତା ଜନସାଧାରଣଙ୍କର ବଳପୂର୍ବକ ଏକୀକରଣକୁ ବୁଝାଏ ନାହିଁ । ଇତିହାସସମ୍ମତ ପଥରେ ଦୃଢ ଅଗ୍ରଯାତ୍ରା ଜରିଆରେ ସେହି ଆକାଂକ୍ଷିତ ଐକ୍ୟବଦ୍ଧତା ଗଢିଉଠିବା ଆବଶ୍ୟକ ।
ଆମର ଅନ୍ତିମ ନିବେଦନ ହେଉଛି ବିଭିନ୍ନ ବର୍ଗର ଜନସାଧାରଣଙ୍କ ମଧ୍ୟରେ ସାମ୍ୟ, ଏକ୍ୟ ଏବଂ ମୈତ୍ରୀ ପ୍ରତିଷ୍ଠା କରିବାର ପ୍ରକୃତ ଅଭିଳାଷରୁ ଏହାକୁ କାର୍ଯ୍ୟକାରୀ କରିବାକୁ ଚାହୁଁନଥିବା ଏବଂ “ଗୋଟିଏ ଦେଶ, ଗୋଟିଏ ଭାଷା ଏବଂ ଗୋଟିଏ ଆଇନ”ର ଆକର୍ଷଣୀୟ ସ୍ଳୋଗାନର ଆଢୁଆଳରେ ‘ହିନ୍ଦୁରାଷ୍ଟ୍ର’ ପ୍ରତିଷ୍ଠା କରିବା, ମୁସଲମାନ ଓ ଖ୍ରୀଷ୍ଟିୟାନ ଧର୍ମାବଲମ୍ବୀ ମାନଙ୍କର ହିନ୍ଦୁକରଣର ହତିଆର ଭାବରେ ଉଗ୍ର ହିନ୍ଦୁ ସାଂପ୍ରଦାୟିକ ଶକ୍ତିମାନଙ୍କର ଅନ୍ୟତମ ମୂଳ କର୍ମସୂଚୀକୁ ଆଇନସିଦ୍ଧ କରିବା ପାଇଁ ଏକକ ନାଗରିକ ସଂହିତା କାର୍ଯ୍ୟକାରୀ କରାଯିବା ଉଚିତ ନୁହେଁ । କମିଶନ ଦେଶର ପରିସ୍ଥିତି ସଂପର୍କରେ ଏକ ବାସ୍ତବବାଦୀ ଆଭିମୁଖ୍ୟ ଗ୍ରହଣ କରିବ, ଏହାର ସମସ୍ତ ଦିଗ ଏବଂ ବାଧା ପ୍ରତିବନ୍ଧକକୁ ବିଚାରକୁ ନେବ, ଉପରେ ଉପସ୍ଥାପିତ ଯୁକ୍ତିଗୁଡିକୁ ଆବେଗମୁକ୍ତ ଭାବରେ ସମୟପରିକ୍ଷିତ ଯୁକ୍ତି ଏବଂ ସତ୍ୟର କଷଟି ପଥରେ ପରୀକ୍ଷା କରି ଦେଖିବ ଏବଂ ସମସ୍ତ ବାହ୍ୟ ଶକ୍ତିର ପ୍ରଭାବରୁ ମୁକ୍ତ ହୋଇ ଗୋଟିଏ ଯୁକ୍ତିଯୁକ୍ତ ଉପସଂହାରରେ ଉପନୀତ ହେବ ବୋଲି ଆନ୍ତରିକତା ସହିତ ଆମେ ବିନୀତ ଅନୁରୋଧ କରୁଛୁ ।
ପ୍ରଭାସ ଘୋଷ
ସାଧାରଣ ସଂପାଦକ
ସୋସାଲିଷ୍ଟ ୟୁନିଟି ସେଣ୍ଟର ଅଫ ଇଣ୍ଡିଆ(କମ୍ୟୁନିଷ୍ଟ)