ମହାନ ମଇଦିବସ ସଂଗ୍ରାମର ଇତିହାସରୁ ଶିକ୍ଷାନେଇ ସଚେତନ ସଂଗଠିତ ଦୀର୍ଘସ୍ଥାୟୀ ଆନ୍ଦୋଳନ ଗଢିତୋଳନ୍ତୁ ।
Sarbaharakranti Dated 15.05.2023 –
ମଇ ପହିଲା ହେଉଛି ମହାନ ଆନ୍ତର୍ଜାତିକ ଶ୍ରମିକ ଦିବସ । ୧୮୮୬ ମସିହାରେ ଆମେରିକାର ଚିକାଗୋ ସହରରେ ମଇ ପହିଲାରୁ ମଇ ୪ତାରିଖ ପର୍ଯ୍ୟନ୍ତ ଦୈନିକ ୮ଘଣ୍ଟା କାର୍ଯ୍ୟ ଦିବସ ଦାବିରେ ସଂଗଠିତ ଶ୍ରମିକ ଧର୍ମଘଟରୁ ଏହି ଐତିହାସିକ ଦିବସର ସୃଷ୍ଟି । ୧୮୮୬ ମସିହାରେ ଚିକାଗୋ ସହର ଏହି ଶ୍ରମିକ ଆନ୍ଦୋଳନ ଗୋଟିଏ ଦିନରେ ସୃଷ୍ଟି ହୋଇନଥିଲା । ଫରାସୀ ରାଷ୍ଟ୍ର ବିପ୍ଳବର ମାଧ୍ୟମରେ ପ୍ରଥମ ସାମନ୍ତତାନ୍ତ୍ରିକ ବ୍ୟବସ୍ଥାର ପତନର ମଧ୍ୟ ଦେଇ ସୃଷ୍ଟି ହେଲା ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା । ଯାହା ବାସ୍ତବରେ ବୁର୍ଜୁଆ ଗଣତାନ୍ତ୍ରିକ ବ୍ୟବସ୍ଥା ବା ପୁଞ୍ଜିବାଦୀ ବ୍ୟବସ୍ଥା । ଇଂଲଣ୍ଡରେ ଶିଳ୍ପବିପ୍ଳବ ମାଧ୍ୟମରେ ପୁଞ୍ଜିବାଦ ଆହୁରି ସଂହତ ହେଲା । ବିଶ୍ୱର ବଭିନ୍ନ ଦେଶରେ ସାମନ୍ତତାନ୍ତ୍ରିକ ସମାଜବ୍ୟବସ୍ଥାକୁ ଭାଙ୍ଗି ପୁଞ୍ଜିବାଦୀ ସମାଜ ବ୍ୟବସ୍ଥା ପ୍ରତିଷ୍ଠା ହେଲା । ପୁଞ୍ଜିବାଦୀ ଉତ୍ପାଦନ ବ୍ୟବସ୍ଥାକୁ କେନ୍ଦ୍ର କରି ମୁଖ୍ୟ ଦୁଇଟି ଶ୍ରେଣୀ-ମାଲିକଶ୍ରେଣୀ ଓ ଶ୍ରମିକ ଶ୍ରେଣୀର ଅର୍ବିର୍ଭାବ ଘଟିଲା । ମାଲିକମାନେ ତାଙ୍କର ଲାଭ ବୃଦ୍ଧି କରିବାପାଇଁ ଶ୍ରମିକକୁ କମ୍ ମଜୁରୀ ଦେଇ ବେଶୀ ସମୟ ଖଟାଇବାକୁ ନେବାକୁ ଚେଷ୍ଟାକଲେ ।
ଏହି ପରିସ୍ଥିତିରେ କାମ କରିବା ସମୟ ହ୍ରାସ କରିବା ଦାବିରେ ବିଶ୍ୱର ବିଭିନ୍ନ ସ୍ଥାନରେ ଶ୍ରମଜୀବୀ ଜନସାଧାରଣ ଆନ୍ଦୋଳନ ଗଢି ତୋଳିଥିଲା । ଏହି ଦାବିରେ ୧୮୦୬ ମସିହାରେ ଫିଲାଡେଲଫିଆ ତିଆର ଜୋତା କାରଖାନାର ଶ୍ରମିକମାନେ ପ୍ରଥମେ ଧର୍ମଘଟ କରିଥିଲେ । ଏହି ଦାବିରେ୧୮୨୦ ମସିହାଠାରୁ ଗୋଟିଏ ପରେ ଗୋଟିଏ ଶିଳ୍ପରେ ଶ୍ରମିକମାନେ ଧର୍ମଘଟ ଆରମ୍ଭ କରିଥିଲେ । ଶ୍ରମିକମାନଙ୍କର ସଂଗଠନ ଅର୍ଥାତ୍ ୟୁନିୟନ ଖୁବ୍ ଶକ୍ତିଶାଳୀ ନଥିବା ଫଳରେ ଲଢେଇ ଦାବି ଆଦାୟ କରିବା ଭଳି ଦୀର୍ଘସ୍ଥାୟୀ ହୋଇ ନଥିଲା । ଶ୍ରମିକମାନେ କାର୍ଯ୍ୟ କରିବାର ସମୟକୁ ୧୦ଘଣ୍ଟା କାର୍ଯ୍ୟ ଦିବସର ଦାବି ଉଠାଇଥିଲେ । ଆମେରିକାର ବିଭିନ୍ନ ସ୍ତରରେ ୧୦ଘଣ୍ଟା କାର୍ଯ୍ୟଦିବସର ଦାବିରେ ଆନ୍ଦୋଳନ ପ୍ରବଳ ଆକାର ଧାରଣ କଲା । ୧୮୩୬ ମସିହାରେ ସରକାରୀ କର୍ମଚାରୀମାନଙ୍କ ପାଇଁ ଆମେରିକାର ରାଷ୍ଟ୍ରପତି ୧୦ଘଣ୍ଟାର ଦାବି ମାନି ନେବାକୁ ବାଧ୍ୟ ହୋଇଥିଲେ । ଏହି ଆଇନକୁ ସମସ୍ତ ଶିଳ୍ପରେ ପ୍ରୟୋଗ କରିବା ପାଇଁ ପ୍ରବଳ ଶ୍ରମିକ ଆନ୍ଦୋଳନ ଆରମ୍ଭ ହୋଇଥିଲା । ଶ୍ରମିକ ଆନ୍ଦୋଳନର ଚାପରେ କେତେକ ସଂଗଠିତ ଶିଳ୍ପର କର୍ତ୍ତୃପକ୍ଷ ୧୦ଘଣ୍ଟା ଶ୍ରମଦିବସର ଦାବିକୁ ମାନି ନେଇଥିଲେ । ଏଥିରେ ଉତ୍ସାହିତ ହୋଇ ବିଭିନ୍ନ ବର୍ଗର ଶ୍ରମିକମାନେ ଟ୍ରେଡ୍ ୟୁନିୟନ୍ରେ ନିଜକୁ ସଂଘବଦ୍ଧ କରିଥିଲେ । ୧୮୪୮ ମସିହାରେ ମହାନ କାର୍ଲ ମାର୍କ୍ସ ଓ ମହାନ୍ ଫେଡେରିକ ଏଙ୍ଗେଲ୍ସ୍ “କମ୍ୟୁନିଷ୍ଟ ପାର୍ଟିର ଇସ୍ତାହାର” ମାଧ୍ୟମରେ ସାରା ବିଶ୍ୱର ଶ୍ରମିକ ଶ୍ରେଣୀକୁ ସମସ୍ତ ଶୃଙ୍ଖଳରୁ ମୁକ୍ତିର ସଠିକ୍ ପଥ ଦେଖାଇଲେ । ଶ୍ରମିକମାନେ ମାଲିକଶ୍ରେଣୀର ଶୋଷଣ ଶାସନ ବିରୁଦ୍ଧରେ ଲଢେଇର ବିଜ୍ଞାନ ସମ୍ମତ ଯୁକ୍ତିଧରା ଓ ପ୍ରେରଣା ପାଇଲେ । ୧୮୫୦ ମସିହାଠାରୁ ଦେଶେ ଦେଶେ ଟ୍ରେଡ୍ ୟୁନିୟନ ଗଠନ ଓ ଶ୍ରମିକମାନଙ୍କର ସଂଗଠିତ ଆନ୍ଦୋଳନର ଜୁଆର ଆସିଲା ।୮ଘଣ୍ଟା ଶ୍ରମ ଦିବସର ଦାବି ସାରା ବିଶ୍ୱର ଶ୍ରମିକମାନଙ୍କ ଦାବିରେ ପରିଣତ ହେଲା ।
୧୮୬୬ ମସିହାରେ ଆମେରିକାର ବିଭିନ୍ନ ଶିଳ୍ପର ଶ୍ରମିକମାନେ ଐକ୍ୟବଦ୍ଧ ଭାବେ ଜାତୀୟ ସ୍ତରରେ ଏହି ଦାବି ଉଠାଇଲେ । ଯୁକ୍ତ ରାଷ୍ଟ୍ର ଆମେରିକାର ୬୦ଟି ଟ୍ରେଡ୍ ୟୁନିୟନ ପ୍ରତିନିଧିମାନେ ୨୦ ଅଗଷ୍ଟ ୧୮୬୬ରେ ବାଲ୍ଟିମୋର ସହରରେ ମିଳିତ ହୋଇ “ନେସନାଲ ଲେବର ୟୁନିୟନ” ଗଠନ କଲେ । ଏହି ୟୁନିୟନ ୮ଘଣ୍ଟ ଶ୍ରମ ଦିବସ ଦାବିରେ ଆନ୍ଦୋଳନର ଡାକରା ଦେଲା । ୧୮୬୬ ମସିହା ସେପ୍ଟେମ୍ବର ମାସରେ ମହାନ କାର୍ଲ ମାର୍କ୍ସଙ୍କ ନେତୃତ୍ୱରେ ଗଠିତ ପ୍ରଥମ ଆନ୍ତର୍ଜାତିକର ଜେନେଭା ଅଧିବେଶରନରେ ପ୍ରସ୍ତାବ ଗ୍ରହଣ କରାଗଲା-ବିଶ୍ୱର ସମସ୍ତ ଶ୍ରମିକମାନଙ୍କ କାର୍ଯ୍ୟ ଦିବସର ସମୟ ହେବ ୮ଘଣ୍ଟା । ଏହି ପ୍ରସ୍ତାବ ଭିତ୍ତିରେ ଯୁକ୍ତରାଷ୍ଟ୍ର ଆମେରିକା ସମେତ ବିଶ୍ୱର ବିଭିନ୍ନ ଦେଶରେ ବ୍ୟାପକ ଶ୍ରମିକ ଆନ୍ଦୋଳନ ଗଢି ଉଠିଲା । ଶ୍ରମିକ ଆନ୍ଦୋଳନକୁ ଆଗେଇ ନେବା କ୍ଷେତ୍ରରେ ପ୍ରଥମେ ୱିଲିୟମ୍ ଏଚ୍. ସିଲଭିସ୍ଙ୍କ ନେତୃତ୍ୱରେ ନେସନାଲ ଲେବର ୟୁନିୟନ ବିଶେଷ ଭୂମିକା ପାଳନ କଲା । ମହାନ କାର୍ଲମାର୍କ୍ସଙ୍କ ପ୍ରତିଷ୍ଠିତ ପ୍ରଥମ ଆନ୍ତର୍ଜାତିକ ସହିତ ଏଚ୍. ସିଲଭିସଙ୍କ ଗଭୀର ସଂପର୍କ ଥିଲା । ବ୍ୟାପକ ଶ୍ରମିକ ଆନ୍ଦୋଳନ ଚାପରେ ଯୁକ୍ତରାଷ୍ଟ୍ର ଆମେରିକାର ଆଇନ ସଭା ୧୮୬୮ ମସିହାରେ ସରକାରୀ କର୍ମଚାରୀଙ୍କ ପାଇଁ ଦୈନିକ ୮ଘଣ୍ଟା କାର୍ଯ୍ୟ ଦିବସର ଆଇନ ପ୍ରଣୟନ କଲା । ଶ୍ରମିକ ଆନ୍ଦୋଳନର ଆଂଶିକ ବିଜୟ ହେଲା । ମାତ୍ର ସିଲ୍ଭିସ୍ଙ୍କ ମୃତ୍ୟୁ ଶ୍ରମିକ ଆନ୍ଦୋଳନ ଶିଥିଳ ହେବାରୁ ସରକାରୀ କର୍ମଚାରୀଙ୍କ ପାଇଁ ଦୈନିକ ୮ଘଣ୍ଟା କର୍ମ ଦିବସର ଆଇନକୁ ୧୮୭୬ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକାର ସୁପ୍ରିମ କୋର୍ଟ ବାତିଲ କରିଦେଲା ।
ସିଲ୍ଭିସ୍ଙ୍କ ମୃତ୍ୟୁପରେ ନେସନାଲ ଲେବର ୟୁନିୟନ ଧ୍ୱଂସ ହେଲେବି ଉନବିଂଶ ଶତାବ୍ଦୀର ସତୁରୀ ଦଶକରେ ଆମେରିକାର ବିଭିନ୍ନ କ୍ଷେତ୍ରରେ ଶ୍ରମିକ ଆନ୍ଦୋଳନର ଜୁଆର ସୃଷ୍ଟି ହେଲା । ୧୮୭୧ ମସିହାରେ ଫ୍ରାନ୍ସର ଶ୍ରମିକମାନଙ୍କର “ପ୍ୟାରି କମ୍ୟୁନ” ଗଠନ ପୃଥିବୀ ଇତିହାସରେ ଏକ ନୂତନ ଅଧ୍ୟାୟ ଚରନା କଲା । ଆମେରିକାର ଶ୍ରମିକ ଆନ୍ଦୋଳନ ଉପରେ ଏହାର ଗଭୀର ପ୍ରଭାବ ପଡିଲା । ବିଭିନ୍ନ ଶିଳ୍ପରେ ଗୋଟିଏ ପରେ ଗୋଟିଏ ଶ୍ରମିକ ଆନ୍ଦୋଳନ ଆରମ୍ଭ କଲେ ଶ୍ରମିକମାନେ । ୧୮୭୫ ମସିହାରେ ପେନସିଲ୍ଭାନିଆର କୋଇଲା ଖଣି ଶ୍ରମିକମାନଙ୍କ ଆନ୍ଦୋଳନକୁ ଧ୍ୱଂସ କରିଦେବା ପାଇଁ ୧୦ ଜଣ ଖଣି ଶ୍ରମିକଙ୍କୁ ଫାଶୀ ଦିଆଗଲା । କିନ୍ତୁ ଆନ୍ଦୋଳନ ବନ୍ଦ ହେଲା ନାହିଁ । ପୁଣି ୧୮୭୭ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକାରେ ବିରାଟ ଶ୍ରମିକ ଆନ୍ଦୋଳନ ହେଲା । ଲକ୍ଷ ଲକ୍ଷ ରେଳ ଓ ଇସ୍ପାତ କାରଖାନାର ଶ୍ରମିକମାନେ ଧର୍ମଘଟ କଲେ । ଧର୍ମଘଟ ଭାଙ୍ଗିବାପାଇଁ ସରକାର ସେନାବାହିନୀକୁ ଲଗାଇଲେ । ଦେଶବ୍ୟାପୀ ଏହି ଶ୍ରମିକ ଆନ୍ଦୋଳନ ବ୍ୟାପକ ପ୍ରଭାବ ବିସ୍ତାର କଲା । ୧୮୭୭ ମସିହାରେ ଜନ୍ମ ନେଲା ଆମେରିକାର ବିଖ୍ୟାତ ଶ୍ରମିକ ସଂଗଠନ “ନାଇଟସ୍ ଅଫ ଲେବର” । ଏହି ସଂଗଠନ ୮ଘଣ୍ଟା କାର୍ଯ୍ୟ ଦିବସ ଆନ୍ଦୋଳନରେ ବିଶେଷ ଭୂମିକା ପାଳନ କରିଥିଲା । ୮ଘଣ୍ଟା କାର୍ଯ୍ୟ ଦିବସର ଲଢେଇରେ ସଂଗଠନ ଗତ ଭାବେ ଯୁକ୍ତରାଷ୍ଟ୍ର ସର୍ବାପେକ୍ଷା ଉଦ୍ୟୋଗୀ ଭୂମିକା ପାଳନ କରିଥିବା ସଂଗଠନ “ଆମେରିକାନ ଫେଡେରେସନ୍ ଅଫ ଲେବର” ୧୮୮୧ ମସିହାରେ ପ୍ରତିଷ୍ଠା ହେଲା । ମୁଖ୍ୟତଃ ଏହି ଦୁଇଟି ଶ୍ରମିକ ସଂଗଠନର ଉଦ୍ୟୋଗରେ ୧୮୮୬ ମଇ ପହିଲାର ଆନ୍ଦୋଳନର ଡାକରା ଦିଆଯାଇଥିଲା ଏବଂ ପରବର୍ତ୍ତୀ ସମୟରେ ଦେଶର ଅନ୍ୟାନ୍ୟ ଶ୍ରମିକ ସଂଗଠନମାନଙ୍କୁ ମିଳିତ କରି ‘୮ଘଣ୍ଟା ଶ୍ରମ ସମିତି’ମାନ ଗଠନ କରି ଆନ୍ଦୋଳନର ପ୍ରସ୍ତୁତି ଚାଲିଲା ।
୮ଘଣ୍ଟା କାର୍ଯ୍ୟ ଦିବସ ଦାବିରେ ମଇ ପହିଲା ୧୮୮୬ରେ ସମଗ୍ର ଯୁକ୍ତରାଷ୍ଟ୍ର ଆମେରିକାରେ ଶ୍ରମିକ ଧର୍ମଘଟ ଆରମ୍ଭ ହେଲା । ଏହି ଧର୍ମଘଟ ସବୁଠାରୁ ବେଶୀ ଲଢୁଆ ରୂପ ନେଇଥିଲା ବାମପନ୍ଥୀ ଆନ୍ଦୋଳନର କେନ୍ଦ୍ର ଚିକାଗୋ ସହରରେ । ୪ଲକ୍ଷରୁ ଅଧିକ ଶ୍ରମିକ ଏହି ଧର୍ମଘଟରେ ଅଂଶଗ୍ରହଣ କରିଥିଲେ । ଜାତି, ଧର୍ମ, ବର୍ଣ୍ଣ, ଭାଷାର ପ୍ରାଚୀର ଭାଙ୍ଗି ସମସ୍ତ ବର୍ଗର ଶ୍ରମିକ ଏହି ଧର୍ମଘଟରେ ସାମିଲ ହୋଇଥିଲେ । ମଇ ପହିଲାରେ ଏହି ଧର୍ମଘଟ ଶେଷ ହୋଇନଥିଲା । ମଇ ୩ତରିଖରେ ଧର୍ମଘଟକାରୀ ଶ୍ରମିକମାନେ ଏକ ବିଶାଳ ସମାବେଶରେ ମିଳିତ ହୋଇଥିଲେ । ଏହି ସମାବେଶ ଶେଷର ପର୍ଯ୍ୟାୟରେ ଆତର୍କିତ ଭାବେ ୨୦୦ଜଣ ପୋଲିସର ଏକ ବାହିନୀ ଶ୍ରମିକମାନଙ୍କ ଉପରକୁ ନିର୍ବିଚାରରେ ଗୁଳିଚାଳନା କରିଥିଲା । ଏଥିରେ ୬ଜଣ ଶ୍ରମିକ ମୃତ୍ୟୁବରଣ କରିବା ସଙ୍ଗେ ସଙ୍ଗେ, ବହୁ ଶ୍ରମିକ ଆହତ ହେଲେ । ପୋଲିସର ଏହି ବର୍ବରୋଚିତ ଅକ୍ରମଣ ଓ ଶ୍ରମିକ ହତ୍ୟା ପ୍ରତିବାଦରେ ମଇ ୪ତାରିଖରେ ଚିକାଗୋ ସହରରେ ହେ ମାର୍କେଟରେ ଏକ ପ୍ରତିବାଦ ସଭା ସଂଗଠିତ ହେଲା । ଏହି ସଭାରେ ଶ୍ରମିକ ନେତା ଅଗଷ୍ଟ ସ୍ପାଇସ୍, ଏଲବର୍ଟ ପାର୍ସନ୍ସ, ସାମୁଏଲ ଫିଲଡେନ୍ ଉଦ୍ବୋଧନ ଦେଇଥିଲେ । ସଭାର ଶେଷ ଆଡକୁ ପ୍ରବଳ ବର୍ଷାଯୋଗୁ ଅଧିକାଂଶ ହେବାରୁ ବେଶୀ ଭାଗ ଶ୍ରମିକ ସଭାସ୍ଥଳ ଛାଡି ଚାଲିଯାଉଥିଲେ । ଏହି ସମୟରେ ହଠାତ୍ ପୁଲିସ ବାହିନୀ ସଭାସ୍ଥଳରେ ଥିବା ପ୍ରାୟ ୨୦୦ ଜଣ ଶ୍ରମିକଙ୍କ ଉପରେ ଆକ୍ରମଣ ଆରମ୍ଭ କଲେ । ପୋଲିସ ଏଜେଣ୍ଟ ପୋଲିସ ଉପରକୁ ବୋମା ନିକ୍ଷେପ କଲା । ଏଥିରେ ଜଣ ପୋଲିସ୍ର ମୃତ୍ୟୁ ହେଲା । ସଙ୍ଗେ ସଙ୍ଗେ ଶ୍ରମିକଙ୍କ ଉପରେ ପୋଲିସ ବେପରୁଆ ଲାଠି-ଗୁଳି ଚଳାଇବାକୁ ଆରମ୍ଭ କଲା । ପୋଲିସ ଗୁଳରେ ୪ଜଣ ଶ୍ରମିକ ମୃତ୍ୟୁବରଣ କଲେ । ଦୈନିକ ୮ଘଣ୍ଟା ଶ୍ରମଦିବସର ଦାବିରେ ଐକ୍ୟବଦ୍ଧ ଲଢେଇକୁ ଧ୍ୱଂସ କରିଦେବା ପାଇଁ ଏହା ମାଲିକଶ୍ରେଣୀ ଓ ସରକାର ମିଳିତ ଯୋଜନା ଥିଲା । ସରକାର ପୋଲିସ ହତ୍ୟା ଅଭିଯୋଗରେ ୩୧ଜଣଙ୍କୁ ଗିରଫ କଲା । ତା’ ମଧ୍ୟରେ ଶ୍ରମିକ ନେତା ଅଗଷ୍ଟ ସ୍ୱାଇଜ୍, ଏଲବର୍ଟ ପାର୍ସନ୍ସ, ସାମୁଏଲ ଫିଲଡେନ୍, ଏଡଲଫ ଫିସାର, ଜର୍ଜ ଏଙ୍ଗେଲ, ମାଇକେଲ ସ୍କ୍ୱାବ, ଲୁଇସ ଲିଙ୍ଗ ଓ ଓସ୍କାର ନିକ୍ ଙ୍କୁ ପୋଲିସ ଗିରଫ କଲା । ଏହି ୮ଜଣ ଶ୍ରମିକ ନେତାଙ୍କ ମଧ୍ୟରୁ ମାତ୍ର ୩ଜଣ ହେ ମାର୍କେଟ ସଭାରେ ଉପସ୍ଥିତ ଥିଲେ । ଏହାପରେ କୋର୍ଟରେ ବିଚାରର ପ୍ରହସନ ଚାଲିଲା । ୧୯ ଅଗଷ୍ଟ ୧୮୮୬ ମସିହାରେ ଓସ୍କାର ନିବ୍ଙ୍କୁ ୧୫ବର୍ଷ କାରାଦଣ୍ଡ ଓ ଅନ୍ୟଜଣଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରାଗଲା । ଏହାପରେ ଫାଶୀଦଣ୍ଡର ଆଦେଶକୁ ରଦ୍ଦ କରିବା ପାଇଁ ବ୍ୟାପକ ଆନ୍ଦୋଳନ ଆରମ୍ଭ ହେଲା । ଦେଶର ବହୁ ବିଚାରପତି, ସିନେଟ୍ ସଦସ୍ୟ, ଆଇନଜୀବୀ, ଡାକ୍ତର, ଶିଳ୍ପୀ, ଲେଖକଙ୍କ ସହ ବିଭିନ୍ନ ଶ୍ରମିକ ସଂଗଠନର ନେତାମାନେ ରାଷ୍ଟ୍ରପତିଙ୍କୁ ଅନୁରୋଧ କଲେ । ଆମେରିକା ସମେତ ଦେଶେ ଦେଶେ ଶ୍ରମିକ ବିକ୍ଷୋଭ ଆରମ୍ଭ ହେଲା । ବିଭିନ୍ନ ବର୍ଗର ବୁଦ୍ଧିଜୀବୀ ଏହି ଆନ୍ଦୋଳନରେ ସାମିଲ ହେଲେ । ଜର୍ଜ ବର୍ଣ୍ଣାଡ୍ ଶ ଏବଂ ୱିଲିୟମ ମୋରିସ ଲଣ୍ଡନରେ ପ୍ରତିବାଦ ସଭା କଲେ । ଏହି ଆନ୍ଦୋଳନ ଓ ପ୍ରତିବାଦ ପଳରେ ଶେଷ ପର୍ଯ୍ୟନ୍ତ ମାଇକେଲ ସ୍କ୍ୱାବ୍ ଓ ସାମୁଏଲ୍ ଫିଲଡେନଙ୍କ ମୃତ୍ୟୁଦଣ୍ଡ ରଦ୍ଦ କରି ଯାବତଜୀବନ କାରାଦଣ୍ଡ ଆଦେଶ ଦିଆଗଲା । ୧୧ ନଭେମ୍ବର୧୮୮୭ରେ ପାର୍ସନ୍ସ, ସ୍ଫାଇ୍ଜ୍, ଫିସାର ଓ ଏଙ୍ଗେଲ୍ଙ୍କୁ ଫାସି ଦିଆଗଲା । ଏହା ପୂର୍ବରୁ ୧୦ ନଭେମ୍ବର ୧୮୮୭ରେ କାରାଗାର ମଧ୍ୟରେ ଲୁଇସ୍ ଲିଙ୍ଗଙ୍କର ରହସ୍ୟ ଜନକ ଭାବେ ମୃତ୍ୟୁ ହେଲା । ଏହି ୫ଜଣ ଶହୀଦଙ୍କ ମୃତ ଶରୀରକୁ ନେଇ ଚିକାଗୋ ସହରରେ ଆୟୋଜିତ ଶୋଭାଯାତ୍ରାରେ ୬ଲକ୍ଷରୁ ଅଧିକ ଶ୍ରମିକ ଅଂଶଗ୍ରହଣ କରିଥିଲେ ଏବଂ ଓସ୍କାର ନିବ୍, ମାଇକେଲ ସ୍କ୍ୱାବ୍, ଓ ସାମୁଏଲ ଫିଲଡେନ୍ଙ୍କ ମୁକ୍ତି ଦାବି କରିଥିଲେ । ୧୮୯୩ ମସିହାରେ ୨୬ଜୁନରେ ନୂତନ ଗଭର୍ଣ୍ଣର ଅଲଟ୍ଗୋଲ୍ଡ କାରାଦଣ୍ଡରେ ଦଣ୍ଡିତ ୩ଜଣଙ୍କୁ ମୁକ୍ତ କଲେ । ଦେଶ ଭିତରେ ଓ ବାହାରର କ୍ରମବର୍ଦ୍ଧମାନ ଆନ୍ଦୋଳନ ଚାପରେ ଗଣର୍ଣ୍ଣର ସ୍ୱୀକାର କଲେ ଯେ ସରକାର ଏହି ଅପରାଧୀମାନଙ୍କର କୌଣସି ଦୋଷ ପ୍ରମାଣ କରିପାରିନାହାନ୍ତି । ସେ ଆହୁରି କହିଥିଲେ ଯେ, କୌଣସି ସଭ୍ୟ ଦେଶରେ ବିଚାରକମାନେ ଏଭଳି ରାୟ ଦେଇ ପାରନ୍ତିନାହିଁ । ମାଲିକ ଶ୍ରେଣୀର ଷଡଯନ୍ତ୍ରର ଶୀକାର ସେହି ୫ଜଣ ବୀର ଶହୀଦଙ୍କ ଫାଶୀ ଆଦେଶ ପରେ ସେମାନଙ୍କର ବକ୍ତବ୍ୟ ଆଜି ସଂଗ୍ରାମୀମାନଙ୍କୁ ପ୍ରେରଣା ଦେଉଛି ।
ଯୁକ୍ତରାଷ୍ଟ୍ର ଆମେରିକାର ମାଲିକଶ୍ରେଣୀ ଓ ତା’ର ସରକାର ୮ଘଣ୍ଟା ଶ୍ରମ ଦିବସର ଲଢେଇକୁ ବନ୍ଦ କରିଦେବା ପାଇଁ ୧୮୮୬ ମସିହାରେ ଚିକାଗୋ ସହରରେ ଷଡଯନ୍ତ୍ର କରି ଯେଉଁ ଘଟଣା ଘଟାଇଲା ତାହା ଶ୍ରମିକ ଆନ୍ଦୋଳନକୁ ଧ୍ୱଂସ କରିବା ତ ଦୂରର କଥା ବରଂ ଏହା ଆନ୍ତର୍ଜାତିକ ଆନ୍ଦୋଳନର ରୂପ ଦେଲା । ଶ୍ରମିକମାନଙ୍କ ମଧ୍ୟରେ ଏକ ନୂତନ ଆନ୍ଦୋଳନର ଜୁଆର ସୃଷ୍ଟି ହେଲା । ୧୪ ଜୁଲାଇ ୧୮୮୯ରେ ଫରାସୀ ରାଷ୍ଟ୍ରବିପ୍ଳବର ଶତବାର୍ଷିକୀ ଓ ବାସ୍ତାଇଲ ଦୁର୍ଗ ପତନ ଦିବସରେ ପ୍ୟାରିସ୍ଠାରେ ବିଶ୍ୱ ସାମ୍ୟବାଦୀ ଆନ୍ଦୋଳନର ନେତା ମହାନ କାର୍ଲମାର୍କ୍ସଙ୍କ ସହଯୋଦ୍ଧା ଫ୍ରେଡେରିକ୍ ଏଙ୍ଗେଲ୍ସଙ୍କ ନେତୃତ୍ୱରେ ଅନୁଷ୍ଠିତ ଦ୍ୱିତୀୟ ଆନ୍ତର୍ଜାତିକ ସମ୍ମିଳନୀରେ ମଇ ପହିଲାକୁ ଆନ୍ତର୍ଜାତିକ ଶ୍ରମିକ ସଂହତି ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଗଲା । ୧୮୯୦ ମସିହା ମଇ ପହିଲାଠାରୁ ସାରାବିଶ୍ୱରେ ମଇ ପହିଲା ଆନ୍ତର୍ଜାତିକ ଶ୍ରମିକ ଦିବସ ଭାବେ ପାଳିତ ହୋଇଆସୁଛି ।
ମହାନ ମଇ ଦିବସ ସୃଷ୍ଟି କରିଥିବା ସେହି ଗୌରବଜ୍ଜ୍ୱଳ ଶ୍ରମିକ ଆନ୍ଦୋଳନ ଫଳରେ ସାରା ବିଶ୍ୱରେ ଦୈନିକ ୮ଘଣ୍ଟା କର୍ମ ଦିବସ ଆଇନଗତ ଭାବେ ସ୍ୱୀକୃତ ହେଲା । ୧୯୧୭ମସିହାରେ ଶ୍ରମିକ ଶ୍ରେଣୀ ନେତୃତ୍ୱରେ ସମାଜତାନ୍ତ୍ରିକ ରାଷ୍ଟ୍ର ସୋଭିଏତ୍ ୟୁନିୟନ୍ ପ୍ରତିଷ୍ଠା ପରେ ବିଶ୍ୱବ୍ୟାପୀ ଶ୍ରମିକ ଆନ୍ଦୋଳନ ତୀବ୍ରତର ହୋଇଥିଲା । ପୂର୍ବ ୟୁରୋପରେ ଅନେକ ଦେଶରେ ସମାଜତନ୍ତ୍ର ପ୍ରତିଷ୍ଠା ହୋଇଥିଲା । ଏହାର ପ୍ରଭାବରେ ଅନ୍ୟାନ୍ୟ ପୁଞ୍ଜିବାଦୀ ଦେଶ ଗୁଡିକରେ ଶକ୍ତିଶାଳୀ ଶ୍ରମିକ ଆନ୍ଦୋଳନ ଗଢି ଉଠିବାଯୋଗୁଁ ଶ୍ରମିକ କର୍ମଚାରୀଙ୍କ ସ୍ୱାର୍ଥରେ ଅନେକ ଶ୍ରମଆଇନ ପ୍ରଣୟନ ହୋଇଥିଲା ।
ଦୁଃଖ ଓ ବେଦନା ଦାୟକ ବିଷୟଯେ ବିଂଶ ଶତାବ୍ଦୀର ନବେ ଦଶକରେ ସମାଜତାନ୍ତ୍ରିକ ସୋଭିଏତ୍ ୟୁନିୟନ୍ର ପତନ ପରେ ବିଶ୍ୱବ୍ୟାପୀ ଶ୍ରମିକ ଶ୍ରେଣୀ ଉପରେ ପୁଞ୍ଜିବାଦୀ-ସାମ୍ରାଜ୍ୟବାଦୀମାନଙ୍କର ବାଧାହୀନ ଆକ୍ରମଣ ବୃଦ୍ଧି ପାଇବାକୁ ଆରମ୍ଭ ହେଲା । ବିଭିନ୍ନ ଦେଶରେ ପୁଞ୍ଜିବାଦୀ ଜଗତିକରଣ ନୀତି ଲାଗୁ ହେବାପରେ ଶ୍ରମିକ ଶ୍ରେଣୀ ସ୍ୱାର୍ଥରେ ଥିବା ସମସ୍ତ ନୀତି ନିୟମକୁ ସରକାରମାନେ ଉଚ୍ଛେଦ କରିଚାଲିଛନ୍ତି । ଏପରିକି ଶ୍ରମିକ ଶ୍ରେଣୀର ଐତିହାସିକ ରକ୍ତକ୍ଷୟୀ ସଂଗ୍ରାମ ଫଳରେ ଲାଗୁ ହୋଇଥିଲା ଦୈନିକ ୮ଘଣ୍ଟା କର୍ମ ଦିବସକୁ ଅବଜ୍ଞା କରି ବିଭିନ୍ନ କ୍ଷେତ୍ରରେ ଦୈନିକ ୧୨ଘଣ୍ଟା କର୍ମ ଦିବସକୁ ଲାଗୁ କରିଦେଇଛନ୍ତି । ଏହାକୁ ଆଇନଗତ ସ୍ୱୀକୃତି ଦେବାପାଇଁ ଚକ୍ରାନ୍ତ ଚାଲିଛି । ୨୦୧୪ ମସିହାରେ କେନ୍ଦ୍ରରେ ବିଜେପି କ୍ଷମତାସୀନ ହେବାପରେ ଶ୍ରମଜୀବୀ ଜନସାଧାରଣଙ୍କ ଉପରେ ଆକ୍ରମଣ ଆହୁରି ଅଧିକ ତୀବ୍ରତର ହେଲା । ଶ୍ରମିକ କର୍ମଚାରୀଙ୍କ ସଂଗ୍ରାମଲବ୍ଧ ୪୪ଟି ଶ୍ରମ ଆଇନ ମଧ୍ୟରୁ ୨୯ଟି ଶ୍ରମ ଆଇନକୁ ଉଚ୍ଛେଦ କରି କେନ୍ଦ୍ରର ବିଜେପି ସରକାର ୪ଟି ଶ୍ରମ କୋର୍ଡ ପ୍ରଣୟନ କରି ଏକ ଅର୍ଥରେ ଶ୍ରମିକ କର୍ମଚାରୀଙ୍କୁ ଆଧୁନିକ କ୍ରୀତଦାସରେ ପରିଣତ କରିଛନ୍ତି । ସରକାର ଶିଳ୍ପ, ଖଣି, ଖାଦାନ ଓ ସରକାରୀ ଅଫିସ୍ ଦପ୍ତରରେ ସ୍ଥାୟୀ ନିଯୁକ୍ତି ବନ୍ଦ କରି ଦେଇଛନ୍ତି । ଅସ୍ଥାୟୀ, ଚୁକ୍ତିଭିତ୍ତିକ ଓ ଠିକାରେ ଶ୍ରମିକ କର୍ମଚାରୀ ନିଯୁକ୍ତ କରି ବର୍ଷ ବର୍ଷ ଧରି କମ୍ ମଜୁରୀ ଦେଇ ଶୋଷଣ ନିର୍ଯ୍ୟାତନା କରାଯାଉଛି । ସ୍ଥାୟୀ କର୍ମଚାରୀ ନିଯୁକ୍ତି ପରିବର୍ତ୍ତେ ନିର୍ଦ୍ଦିଷ୍ଟ ସର୍ତ୍ତ ଅନୁଯାୟୀ ନିର୍ଦ୍ଦିଷ୍ଟ ସମୟପାଇଁ ଶ୍ରମିକ-କର୍ମଚାରୀ ନିଯୁକ୍ତି ନିମନ୍ତେ କେନ୍ଦ୍ରର ବିଜେପି ସରକାର ଫିକ୍ସଡ୍ ଟର୍ମ ଏମ୍ପେ୍ଲାୟମେଣ୍ଟ(ୠସଙ୍ଘରୟ ଞରକ୍ସଜ୍ଞ ଋଜ୍ଞକ୍ଟ୍ରକ୍ଷକ୍ଟଚ୍ଚଜ୍ଞବଦ୍ଭରଗ୍ଧ) ନୀତି ପ୍ରଣୟନ କରିଛନ୍ତି । ଯାହାଫଳରେ ଶ୍ରମିକ କର୍ମଚାରୀଙ୍କୁ ବ୍ୟବହାର କି ଫିଙ୍ଗି ଦିଅ(ଐସକ୍ସର ବଦ୍ଭୟ ୠସକ୍ସର) ନୀତିରେ ବେଶୀ କାମରେ ଲଗାଇ ଶୋଷଣ କରାଯାଇ ପାରିବ ।
ଏଭଳି ପରିସ୍ଥିତିରେ ୮ଘଣ୍ଟା କାର୍ଯ୍ୟଦିବସ ଦାବିରେ ମଇ ଦିବସ ସଂଗ୍ରାମର ଇତିହାସରୁ ଶିକ୍ଷା ନେଇ ଦେଶର ଜନସାଧାରଣଙ୍କ ସଚେତନ ସଂଗଠିତ ଦୀର୍ଘ ସ୍ଥାୟୀ ଆନ୍ଦୋଳନ ସଂଗଠିତ କରିବା ସଙ୍ଗେ ସଙ୍ଗେ ଶୋଷଣ ବିହୀନ ସମାଜ ବ୍ୟବସ୍ଥା ପ୍ରତିଷ୍ଠା ପାଇଁ ଶ୍ରମଜୀବୀ ଜନସାଧାରଣ ସଂଗ୍ରାମକୁ ତୀବ୍ରତର କରି ବିଶ୍ୱ ଶ୍ରମିକ ଶ୍ରେଣୀର ସଂହତିକୁ ସୁଦୃଢ କରିବା ଆଜି ସମୟର ଆହ୍ୱାନ ।