ପାଠ୍ୟକ୍ରମରୁ ଡ଼ାରୱିନ୍‌ଙ୍କର ବିବର୍ତ୍ତନବାଦ ତତ୍ତ୍ୱ ବାଦଦେବା ପ୍ରତିବାଦରେ ଦେଶର ୪୦୦୦ରୁ ଉର୍ଦ୍ଧ୍ୱ ବୈଜ୍ଞାନିକମାନଙ୍କର ଆବେଦନ

Sarbaharakranti Dated 15.05.2023 –

(ସଂପ୍ରତି କେନ୍ଦ୍ର ବିଜେପି ସରକାରଙ୍କର ପରିଚାଳନାଧିନ ଏନ୍‌ସିଇଆରଟି(NCERT) ଦଶମ ଶ୍ରେଣୀ ପାଠ୍ୟକ୍ରମରୁ ଡାରୱିନ୍‌ଙ୍କ ବିବର୍ତ୍ତନବାଦ ତତ୍ତ୍ୱକୁ ବାଦ ଦେବା ପାଇଁ ନିଷ୍ପତ୍ତି କରିଛି । ଏହି ନିଷ୍ପତ୍ତି ପ୍ରତିବାଦରେ ଦେଶର ୪୦୦୦ରୁ ଉର୍ଦ୍ଧ୍ୱ ଖ୍ୟାତନାମା ବୈଜ୍ଞାନିକ ଏକ ମିଳିତ ଆବେଦନ ପତ୍ର ଜାରୀ କରିଛନ୍ତି । ସର୍ବହାରର ପାଠକମାନଙ୍କ ଅବଗତି ନିମନ୍ତେ ଏହି ଆବେଦନ ପତ୍ରର ଓଡ଼ଆ ଅନୁବାଦ ଏଠାରେ ସ୍ଥାନିତ କରାଯାଉଛି । ସଂପାଦକ-ସର୍ବହରା କ୍ରାନ୍ତି)
ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ଶ୍ରେଣୀ ପାଇଁ ସିବିଏସ୍‌ସି(Central Board for Secondary Education-CBSE) ପାଠ୍ୟକ୍ରମରେ ବ୍ୟାପକ ପରିବର୍ତ୍ତନ କରାଯାଉଛି ବୋଲି ଆମେ ନିମ୍ନ ସ୍ୱାକ୍ଷରକାରୀମାନେ ଜାଣିବାକୁ ପାଇଛୁ । ପ୍ରଥମେ କରୋନା ମହାମାରୀ ସମୟରେ ଅସ୍ଥାୟୀ ଭାବରେ କରାଯାଇଥିବା ଏହିସବୁ ପରିବର୍ତ୍ତନକୁ ବିଦ୍ୟାଳୟରେ ସ୍ୱାଭାବିକ ଶିକ୍ଷାଦାନ ଆରମ୍ଭ ହେବାପରେ ମଧ୍ୟ ବଳବତ୍ତର ରଖାଯାଇଛି । ବିଶେଷ ଭାବରେ ଏନ୍‌ସିଇଆରଟି(NCERT) ଦ୍ୱାରା ଦଶମ ଶ୍ରେଣୀ ପାଠ୍ୟକ୍ରମରୁ ଡାରୱିନ୍‌ଙ୍କ ବିବର୍ତ୍ତନବାଦ ତତ୍ତ୍ୱ ବାଦ ଦିଆଯିବା ପ୍ରସଙ୍ଗରେ ଆମେମାନେ ଅତ୍ୟନ୍ତ ଉଦ୍‌ବିଘ୍ନ ।
ବର୍ତ୍ତମାନର ଶିକ୍ଷା ବ୍ୟବସ୍ଥାରେ ଖୁବ୍ ଅଳ୍ପ ସଂଖ୍ୟକ ଛାତ୍ରଛାତ୍ରୀ ଏକାଦଶ ଓ ଦ୍ୱାଦଶ ଶ୍ରେଣୀରେ ବିଜ୍ଞାନ ଅଧ୍ୟୟନ କରନ୍ତି ଏବଂ ସେମାନଙ୍କ ମଧ୍ୟରୁ ଆହୁରି ସ୍ୱଳ୍ପ ସଂଖ୍ୟକ ଛାତ୍ର ଛାତ୍ରୀ ଅନ୍ୟତମ ବିଷୟ ଭାବରେ ଜୀବବିଜ୍ଞାନ ଅଧ୍ୟୟନ କରନ୍ତି । ସେଥିପାଇଁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟକ୍ରମରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଗୁଡିକୁ ବାଦ୍‌ଦେଲେ ବ୍ୟାପକ ସଂଖ୍ୟକ ଛାତ୍ରଛାତ୍ରୀ ଅତ୍ୟାବଶ୍ୟକ ଶିକ୍ଷାର ଗୁରୁତ୍ୱପୂର୍ଣ୍ଣ ଦିଗଗୁଡିକର ଅଧ୍ୟୟନର ସୁଯୋଗରୁ ବଂଚିତ ହେବେ । କେବଳ ମାତ୍ର ଜୀବବିଜ୍ଞାନର ଏକ ଶାଖା ଭାବରେ ନୁହେଁ, ଆମ ଚାରିପାଖରେ ଥିବା ବିଶ୍ୱକୁ ଭଲଭାବରେ ଜାଣିବାପାଇଁ ବିବର୍ତ୍ତନବାଦୀ (Evolutionary) ଜୀବବିଜ୍ଞାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବିବର୍ତ୍ତନବାଦୀ ଜୀବବିଜ୍ଞାନ ((Evolutionary Biology) ବିଜ୍ଞାନର ଏପରି ଏକ କ୍ଷେତ୍ର ଯାହାର ଆମେ ଗୋଟିଏ ଜାତି ଓ ସମାଜ ଭାବରେ ସମ୍ମୁଖୀନ ହେଉଥିବା ନାନାବିଧ ସମସ୍ୟାର ସମାଧାନ କରିବା କ୍ଷେତ୍ରରେ ଏବଂ ଚିକିତ୍ସା ବିଜ୍ଞାନ, ବିଭିନ୍ନ ଔଷଧର ଆବିଷ୍କାର, ସଂକ୍ରାମକ ରୋଗ ବିଜ୍ଞାନ, ପରିବେଶ ସଂବନ୍ଧୀୟ ବିଜ୍ଞାନ ଏବଂ ପରିବେଶରୁ ଆରମ୍ଭ କରି ମନସ୍ତତ୍ୱ ପର୍ଯ୍ୟନ୍ତ ଏପରିକି ବିବିଧତା ପୂର୍ଣ୍ଣ ପ୍ରକୃତି ଜଗତରେ ମଣିଷ ସ୍ଥାନ ସଂପର୍କିତ ପ୍ରଶ୍ନଗୁଡିକୁ କିଭଳି ବିଚାର କରିବୁ ସେସବୁ ଉପରେ ବ୍ୟାପକ ପ୍ରଭାବ ରହିଛି । ଆମ ମଧ୍ୟରୁ ଅଧିକାଂଶ ସ୍ପଷ୍ଟ ଭାବରେ ହୃଦୟଙ୍ଗମ କରି ନପାରିଲେ ମଧ୍ୟ ଅନ୍ୟାନ୍ୟ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ(Critical Issue) ସମେତ ଯେକୌଣସି ମହାମାରୀର ଗତି ପ୍ରକୃତି ବା କାହିଁକି କେତେକ ପ୍ରଜାତି ଅବଲୁପ୍ତ ହୋଇଯାଆନ୍ତି, ସେସବୁ ବିଷୟରେ ପ୍ରାକୃତିକ ନିର୍ବାଚନ(Natural Selection)ର ମୌଳିକ ସିଦ୍ଧାନ୍ତ ଗୁଡିକ ଆମକୁ ବୁଝିବାରେ ସାହାଯ୍ୟ କରେ ।
ବିଜ୍ଞାନ ସମ୍ମତ ମାନସିକତା ଏବଂ ଯୁକ୍ତି ସମ୍ମତ ବିଶ୍ୱ ଦୃଷ୍ଟିଭଙ୍ଗୀ ଗଢିତୋଳିବା ପାଇଁ ବିବର୍ତ୍ତନର ପ୍ରକ୍ରିୟା ସଂପର୍କିତ ବୁଝାମଣା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଡାରୱିନ୍‌ଙ୍କ କଷ୍ଟ ସହିଷ୍ଣୁ ନିରୀକ୍ଷଣ ଏବଂ ତାଙ୍କର ତୀକ୍ଷ୍ମ ଅର୍ନ୍ତଦୃଷ୍ଟି ଯେଭଳି ତାଙ୍କୁ ବିବର୍ତ୍ତନବାଦ ତତ୍ତ୍ୱ ଉପସ୍ଥାପନାର ପଥ ପ୍ରଦର୍ଶନ କରିଥିଲା ତା’ ଛାତ୍ରଛାତ୍ରୀମାନଙ୍କୁ ବୈଜ୍ଞାନିକ ପ୍ରକ୍ରିୟା ଏବଂ ଯୁକ୍ତି ସମ୍ମତ ଚିନ୍ତାପ୍ରକ୍ରିୟା ସଂପର୍କରେ ଶିକ୍ଷିତ କରେ । ଦଶମଶ୍ରେଣୀପରେ ଯେଉଁ ଛାତ୍ରମାନେ ଜୀବବିଜ୍ଞାନ ଅଧ୍ୟୟନ କରନ୍ତି ନାହିଁ ସେମାନଙ୍କୁ ଏହିଭଳି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଶିକ୍ଷାକ୍ଷେତ୍ର ସହିତ ଘନିଷ୍ଠ ପରିଚିତିରୁ ବଂଚିତ କରିବା ଶିକ୍ଷା କ୍ଷେତ୍ରରେ ବିଡମ୍ବନା ବ୍ୟତୀତ ଅନ୍ୟକିଛି ନୁହେଁ ।
ଆମେ ନିମ୍ନ ସ୍ୱାକ୍ଷରକାରୀ ବୈଜ୍ଞାନିକ, ବିଜ୍ଞାନ ଶିକ୍ଷକ, ଶିକ୍ଷା ପ୍ରଦାନକାରୀ, ବିଜ୍ଞାନକୁ ଲୋକପ୍ରିୟ କରିବା ପାଇଁ କର୍ତ୍ତବ୍ୟରତ ବ୍ୟକ୍ତି ଏବଂ ଚିନ୍ତିତ ନାଗରିକମାନେ ସ୍କୁଲସ୍ତରରେ ବିଜ୍ଞାନ ଶିକ୍ଷା କ୍ଷେତ୍ରରେ ଏହି ଧରଣର ବିପଦଜନକ ପରିବର୍ତ୍ତନ ସହିତ ଏକମତ ହେଉନାହୁଁ ଏବଂ ଉଚ୍ଚ ମାଧ୍ୟମିକ ସ୍ତରରେ ଡାରୱିନ୍‌ଙ୍କ ବିବର୍ତ୍ତନବାଦ ତତ୍ତ୍ୱ ପୁନର୍ବାର ସାମିଲ କରିବାକୁ ଦାବି କରୁଛୁ ।

Leave a Reply

Your email address will not be published. Required fields are marked *