ଜଳୁଛି ମଣିପୁର : ମୌନ କେନ୍ଦ୍ର ଓ ରାଜ୍ୟ ସରକାର

Sarbaharakranti Dated 25.08.2023 –

ଭାରତର ପ୍ରଧାନମନ୍ତ୍ରୀ କଣ ମଣିପୁର ରାଜ୍ୟର ଘଟଣା ସଂପର୍କରେ ଜାଣନ୍ତି ନାହିଁ? ପ୍ରଧାନମନ୍ତ୍ରୀ ଦିଲ୍ଲୀରେ ବସି ମଧ୍ୟ ମଣିପୁରର ଏକାଧିକ ପ୍ରତିନିଧି ଦଳମାନଙ୍କ ସହିତ ଦେଖାକରିବା ପାଇଁ ପାଂଚ ମିନିଟ ସମୟ ଦେଇପାରନ୍ତି ନାହିଁ ? ତାଙ୍କର ମନ୍ କି ବାତ୍ ମଧ୍ୟରେ ମଣିପୁର କି ବାତ୍‌ର କ’ଣ କୌଣସି ସ୍ଥାନ ନାହିଁ? ମଇ ୩ ତାରିଖଠାରୁ ସେହି ରାଜ୍ୟରେ ମଇତେଇ ଏବଂ କୁକି ସଂପ୍ରଦାୟର ଲୋକଙ୍କ ମଧ୍ୟରେ ଅବିରାମ ଦଙ୍ଗା, ରକ୍ତପାତ, ମୃତ୍ୟୁ ଦେଖି ମଧ୍ୟ ସେ ଏତେ ନିର୍ବିକାର ରହିପାରୁଛନ୍ତି କେମିତି?
ଗୋଟିଏ ଛୋଟ ରାଜ୍ୟରେ ତିନି ମାସରୁ ଅଧିକ ସମୟ ଧରି ଚାଲିଥିବା ଦଙ୍ଗାରେ କେତେ ଯେ ପ୍ରାଣ ହରାଇଛନ୍ତି ତାର ସଠିକ ଖବର କେହି ରଖନ୍ତି କି ନାହିଁ ସନ୍ଦେହ ଅଛି । ସରକାରୀ ହିସାବରେ ତାହା ୧୭୫ । ୬୦ ହଜାରରୁ ବେଶୀ ନିରାଶ୍ରୟ । ଦୁଇ ସଂପ୍ରଦାୟ ମଧ୍ୟରେ ଘୃଣା ଏବଂ ବିଦ୍ୱେଷ କେତେ ଯେ ତୀବ୍ର ହୋଇପାରେ ତାର ଏକ ଜ୍ଜ୍ୱଳନ୍ତ ଉଦାହରଣ ହେଲା ମଇ ୪ ତାରିଖରେ ଘଟିଥିବା ଏକ ଲୋମହର୍ଷଣକାରୀ ଘଟଣାର ଭିଡିଓ ପ୍ରଚାରିତ ହେଲାପରେ ସମଗ୍ର ଦେଶ ସ୍ତବ୍ଧ ହୋଇଗଲା । ଦୁଇଜଣ ମହିଳାଙ୍କୁ ସଂପୂର୍ଣ୍ଣ ବିବସ୍ତ୍ର କରି ହଜାରରୁ ଅଧିକ ଲୋକ ସେମାନଙ୍କୁ ଶାରୀରିକ ନିର୍ଯ୍ୟାତନା ଦେଉଥିବାର ଦୃଶ୍ୟ ମଣିପୁରରେ ଚାଲିଥିବା ପୈଶାଚିକ କାଣ୍ଡକୁ ଲୋକଲୋଚନକୁ ଆଣିଲା । ମଣିପୁର ଜଳୁଥିବାବେଳେ ଦେଶ ଆଉ ଏକ ନାଟକ ଦେଖିଲା । ମଣିପୁରର ବିଜେପି ମୁଖ୍ୟମନ୍ତ୍ରୀ ଏନ. ବିରେନ ସିଂ ହଠାତ୍ ପଦତ୍ୟାଗ କରିବାପାଇଁ ୩୦ ଜୁନ ରାଜଭବନକୁ ଯିବା ପାଇଁ ଉଦ୍ୟତ ହେଉଥିଲେ । ଦେଖିବାକୁ ମିଳିଲା ସରକାରଙ୍କ ସମର୍ଥିତ ମହିଳାବାହିନୀ ତାଙ୍କ ପଥ ଅବରୋଧ କଲେ । ବିଜେପିର ଜଣେ ଏମଏଲଏ ପ୍ରକାଶ୍ୟରେ ପଦତ୍ୟାଗ ପତ୍ରକୁ ଛିଡାଇ ତାଙ୍କୁ ପଦତ୍ୟାଗ କରିବାରୁ ବିରତ କଲେ । କିନ୍ତୁ ଏହି ବ୍ୟକ୍ତିଗତ ସିଦ୍ଧାନ୍ତର କଥା ମହିଳାମାନେ ଜାଣିଲେ କେମିତି? ପଦତ୍ୟାଗ ନକରିବାର ଆବଦେନ ଜଣାଇବାର ବ୍ୟାନର ପ୍ରସ୍ତୁତ କରି ସେମାନେ ଖୁବ୍ ସକାଳୁ ସେଠାରେ ପହଂଚି ଗଲେ କେମିତି? ସମଗ୍ର ନାଟକଟି ଯେ ସଂପୂର୍ଣ୍ଣ ପ୍ରାୟୋଜିତ ସେକଥା ବୁଝିବାରେ କାହାରି ଅସୁବିଧା ହେଉନାହିଁ ।
ଯେଉଁ ପ୍ରଧାନମନ୍ତ୍ରୀ ପ୍ରତିଦିନ ଭାଷଣ ଦିଅନ୍ତି, ସେ ମଣିପୁର ଘଟଣା ବିଷୟରେ ପାଟିରେ ତାଲା ଲଗାଇ ବସିଛନ୍ତି କାହିିଁକି? ମଣିପୁର ଉପରେ ୧୪ସେକେଣ୍ଡ ପାଇଁ ମୁହଁ ଖୋଲିବାକୁ ତାଙ୍କୁ ସେହି ହୃଦୟ ବିଦାରକ ଭିଡିଓ ସାର୍ବଜନୀନ ହେବାପାଇଁ ଅପେକ୍ଷା କରିବାକୁ ପଡିଲା କାହିଁକି? କାହିଁକି ରାଜ୍ୟ ମୁଖ୍ୟମନ୍ତ୍ରୀକୁ ପଦତ୍ୟାଗର ନାଟକ କରିବାକୁ ହେଉଛି? ମଣିପୁର ଘଟଣାର ତର୍ଜମା କରିଦେଖିଲେ କାରଣଟି ପରିଷ୍କାର ହୋଇଯାଉଛି । ଆଜି ମଣିପୁର କୁକି ଓ ମଇତେଇ ଉଭୟ ସଂପ୍ରଦାୟର ଲୋକ ଏହି ଜାତିଗତ ଦଙ୍ଗା ପାଇଁ ବିଜେପି ସରକାରକୁ କାଠଗଡାରେ ଛିଡା କରିଛନ୍ତି । ଗୋଟିଏ ପଟରେ ବିଜେପି ର ଭୋଟ ରାଜନୀତିର ସ୍ୱାର୍ଥରେ ଜାତିଗତ ସଂଘର୍ଷକୁ ଉସକାଇବା, ଅନ୍ୟ ପଟରେ ବୃହତ ପୁଂଜି ମାଲିକମାନଙ୍କ ସ୍ୱାର୍ଥରେ ମଣିପୁରର ପାହାଡ, ଜଙ୍ଗଲ, ଜମିରୁ ଆଦିବାସୀମାନଙ୍କୁ ଉଛେଦ କରିବା ଭଳି ଷଡଯନ୍ତ୍ର ମଣିପୁରର ଲୋକଙ୍କ ଜୀବନକୁ ଦୁର୍ବିସହ କରିଛି । ମଣିପୁରର ଖଣିଜ ସଂପଦକୁ ଲୁଣ୍ଠନ କରିବା ପାଇଁ ସେଠାରେ ଗୃହଯୁଦ୍ଧ ପରିସ୍ଥିତି ସୃଷ୍ଟି କରାଯାଇଛି । ସାମ୍ରାଜ୍ୟବାଦୀ ବିଶ୍ୱାୟନର ପରିପୂରକ ‘ଲୁକ ଇଷ୍ଟ’ ନୀତି ସପକ୍ଷରେ ଯୁକ୍ତିବାଢି ମଣିପୁର ମଧ୍ୟ ଦେଇ ଦକ୍ଷିଣ-ପୂର୍ବ ଏସିଆର ରାସ୍ତାକୁ ଖୋଲିଦେବା ପାଇଁ ଭାରତରେ ନିଯୁକ୍ତ ମାର୍କିନ ରାଷ୍ଟ୍ରଦୂତଙ୍କ ଓକିଲାତି ଏ ପ୍ରସଙ୍ଗରେ ଅନେକ କିଛି ସୂଚନା ଦେଉଛି ।
ମଣିପୁରର ଉପତ୍ୟକା ଅଞ୍ଚଳରେ ବସବାସକାରୀ ମଇତେଇ ସଂପ୍ରଦାୟ ଜନସଖ୍ୟାର ୫୩ ଶତାଂଶ । ମୂଳତଃ ପାର୍ବତ୍ୟ ଅଂଚଳର ବାସିନ୍ଦା କୁକି ଗୋଷ୍ଠୀଭୁକ୍ତ ଜୋ, ହମାର, ଚିଂ ଇତ୍ୟାଦ୍‌ି ଜନଜାତିମାନେ ହେଉଛନ୍ତି ୨୮ ଶତାଂଶ । ଅବଶିଷ୍ଠାଂଶ ହେଲେ ନାଗା ସମେତ ଅନ୍ୟମାନେ । ବିଜେପି ଦେଖୁଛି ମଣିପୁରରେ କ୍ଷମତା ଦଖଲ କାରିବାକୁ ହେଲେ ସେମାନଙ୍କୁ ମଇତେଇ ମାନଙ୍କର ରକ୍ଷାକର୍ତ୍ତା ସାଜିବାକୁ ହେବ । ସେମାନଙ୍କୁ ଭୋଟବ୍ୟାଙ୍କ ହିସାବରେ ବ୍ୟବହାର କରିବାକୁ ହେବ । ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ବିରେନ ସିଂକୁ ସାମ୍ନାରେ ରଖି ବିଜେପି ସେହି କାମଟିକୁ କରିବାକୁ ଚାହୁଁଛି । ଏଥିପାଇଁ ସେମାନେ ମଇତେଇମାନଙ୍କ ମଧ୍ୟରେ ପାହାଡ ନିବାସୀ ଜନଜାତି ବିଶେଷକରି କୁକିମାନଙ୍କ ବିରୁଦ୍ଧରେ ଦୀର୍ଘଦିନ ଧରି ପ୍ରଚାର କରିଆସୁଛନ୍ତି । ଅନ୍ୟପଟରେ କୁକି ସଂଗଠନଗୁଡିକ କହିଛନ୍ତ ଯେ, ଗତ ଲୋକସଭା ଓ ବିଧାନସଭା ନିର୍ବାଚନ ସମୟରେ ସେମାନଙ୍କର ସୁଶାସନର ଦାବିକୁ ପୂରଣ କରିବାପାଇଁ ପ୍ରତିଶୃତି ଦେଇ ବିଜେପି ମଣିପୁରର ପାହାଡି ଅଚଂଳରେ ଭୋଟ ପାଇଛି । ଅଥଚ ବର୍ତ୍ତମାନ କୁକି ଗୋଷ୍ଠିଭୁକ୍ତ ସମସ୍ତ ଜନଜାତିମାନଙ୍କ ଦେହରେ ବହିରାଗତର ଛାପଲଗାଇ ଦେଇଛି ।
ମଣିପୁରର ୬୦ ଆସନରୁ ୩୯ ଟି ଆସନ ଉପତ୍ୟକାର ଭାଗରେ ପଡିଛି । ପାହାଡରେ ମାତ୍ର ୧୧ ଟି । ଯାହା ମଧ୍ୟରୁ ୧୦ଟି ଜନଜାତିମାନଙ୍କ ପାଇଁ ସଂରକ୍ଷିତ । ଭାରତର ସ୍ୱାଧୀନତା ପରଠାରୁ ମଣିପୁରରେ ଏପର୍ଯ୍ୟନ୍ତ ଯେତେଜଣ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ସେମାନେ ସମସ୍ତେ ଉପତ୍ୟକାବାସୀ ମଇତେଇ ଗୋଷ୍ଠୀର । ପାହାଡି ଜନଜାତିର ସାମାନ୍ୟ କେତେ ଜଣ ଏସ.ଟି ଦୃଷ୍ଟିରୁ ଶିକ୍ଷା ଓ ଚାକିରିର ସୁଯୋଗ ପାଇଲେବି ବିରାଟ ଅଂଶର ମଣିଷ ପୁରାପୁରି ବଂଚିତ । ମଇତେଇମାନଙ୍କ ମଧ୍ୟରେ କ୍ଷମତାଶାଳୀ ଗୋଷ୍ଠୀଙ୍କ ହାତରେ ରାଜନୈତିକ କ୍ଷମତା ରହିଲେ ବି ବିରାଟ ଏହି ଗୋଷ୍ଠୀର ସାଧାରଣ ମଣିଷ ମଧ୍ୟରେ ଦାରିଦ୍ର‌୍ୟ ଓ ବେକାରୀ ଭୟାବହ । ବିଜେପି ମଇତେଇମାନଙ୍କୁ ବୁଝାଇବାକୁ ଚାହେଁ ଅନୁସୂଚିତ ଜାତି ମାନ୍ୟତା ପାଇଲେ ମଇତେଇମାନେ ଚାକିରୀ ପାଇବେ, ଦାମି ଶିକ୍ଷାନୁଷ୍ଠାନରେ ପଢିବାର ସୁଯୋଗ ପାଇବେ, ସେମାନଙ୍କ ଜମି ସମସ୍ୟାର ମଧ୍ୟ ସମାଧାନ ହେବ । ଏହି ପରିସ୍ଥିତିରେ ମଣିପୁର ହାଇକୋର୍ଟର ଏକ ଜଣିକିଆ ପୀଠ ମଇତେଇମାନଙ୍କୁ ଅନୁସୂଚିତ ଜାତିଭାବରେ ଗଣ୍ୟ କରିବାପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିବାକୁ ମଣିପୁର ସରକାରକୁ ନିର୍ଦ୍ଦେଶ ଦେଇଛି । ମଣିପୁର ହାଇକୋର୍ଟର ଏହ ରାୟକୁ ସୁପ୍ରିମକୋର୍ଟ ସମାଲୋଚନା କରିଛି । ମଣିପୁରର ଅଧିକାଂଶ ଲୋକଙ୍କ ମଧ୍ୟରେ ଦାରିଦ୍ର‌୍ୟ ଏତେ ଅଧିକ ଯେ , ସେମାନଙ୍କ ମଧ୍ୟରୁ ମଇତେଇ ମାନଙ୍କୁ ବିଜେପି ଉନ୍ନତ କରିବ ବୋଲି ଆଶା ସଂଚାର କରିଛି । ଅନ୍ୟ ପକ୍ଷରେ କୁକିମାନଙ୍କର ଯାହା କିଛି ଅଛି ତାହା ହରାଇବାର ଭୟ ଦେଖାଇ ସେମାନଙ୍କୁ ଉତ୍ତେଜିତ କରିଛି । ବିଜେପି ଚାହୁଁଛି କୁକି ଓ ମେଇତେଇମାନଙ୍କ ମଧ୍ୟରେ ଏହି ଭଳି ତିକ୍ତ ପରିବେଶ ସୃଷ୍ଟି ହେଉ, ଯାହାଦ୍ୱାରା ସେମାନେ ନିଜର ଦୁର୍ଭାଗ୍ୟ ପାଇଁ ପରଷ୍ପରକୁ ଦାୟୀ କାରିବେ । ଏଥିପାଇଁ ୨୦୧୭ରେ କ୍ଷମତାରେ ବସିବା ପୂର୍ବ ପର୍ଯ୍ୟନ୍ତ ସେମାନେ ପ୍ରଚାର କରିଛନ୍ତି ଯେ, କୁକିମାନେ ହେଉଛନ୍ତି ଅନୁପ୍ରବେଶକାରୀ । କୁକିମାନେ ହିଁ ବେଆଇନ ଅଫିମ ଚାଷୀ ଓ ଡ୍ରଗ ବ୍ୟବସାୟୀ ବୋଲି ପ୍ରଚାର କରିଛି ।
ଦ ଟେଲିଗ୍ରାଫ୍ ପତ୍ରିକାର ସମ୍ବାଦିକଙ୍କ ନିକଟରେ ଅର୍ନ୍ଧସାମରିକ ବାହୀନିର ଜଣେ ଅଫିସର କହିଛନ୍ତି ଯେ, ମଇ ମାସ ୩ ତାରିଖଠାରୁ ଆରମ୍ଭକରି ଜୁନ ମାସ ମଧ୍ୟରେ ୨୦୦ରୁ ଅଧିକ କୁକିଗ୍ରାମକୁ ଉଚ୍ଛେଦ କରାଯାଇଛି । ଏଥିପାଇଁ ମଇତେଇ ଆତଙ୍କବାଦୀ ଗୋଷ୍ଠି ମଇତେଇ ଲିପୁନ ଏବଂ ଆରାମବାଇ ତେଙ୍ଗଲ ହାତରେ ଅସ୍ତ୍ର ଧରେଇ ଦେଇ ପରୋକ୍ଷରେ ସରକାର ଏଥିରେ ସାହାଯ୍ୟ କରିଛନ୍ତି । ସେମାନେ ପୋଲିସ ଓ ଅର୍ଦ୍ଧସାମରିକ ବାହିନୀର ଅସ୍ତ୍ରାଗାର ଲୁଟ କଲେବି ପୋଲିସ ବାଧା ଦେଇନାହିଁ । ସଂବାଦପତ୍ର ମାନଙ୍କରେ ପ୍ରକାଶିତ ଖବର ଅନୁଯାୟୀ ଚୁରାଚନ୍ଦପୁର ଠାରେ ମେ ୩ରେ ଅଲ ଟ୍ରାଇବାଲ ଷ୍ଟୁଡେଣ୍ଟସ୍ ୟୁନିୟନର ଡାକରାରେ ଆଦିବାସୀ ଛାତ୍ରମାନଙ୍କର ଶୋଭାଯାତ୍ରା ଉପରକୁ ଆରାମବାଇ ତେଙ୍ଗଲ ଯେଉଁ ହାମଲା କରିଥିଲା ତାହା ସରକାର ଓ ପୋଲିସକୁ ଅଜଣା ନଥିଲା । କିନ୍ତୁ ସେମାନେ ତାକୁ ଅଟକାଇବା ପାଇଁ କୌଣସି ପ୍ରଚେଷ୍ଟା କରିନାହାନ୍ତି । ଏହା ପରେ ଗୋଟିଏ ପରେ ଗୋଟିଏ ଚର୍ଚ୍ଚରେ ନିଆଁ ଲଗାଇ ବିଷୟଟିକୁ ହିନ୍ଦୁ ବନାମ ଖ୍ରୀଷ୍ଟିୟାନ କରିବା ପାଇଁ ଚାହିଁଛନ୍ତି । ତେବେ ବାସ୍ତବରେ ଦେଖାଯାଇଛି କୁକିମାନେ ମଧ୍ୟ ସଶସ୍ତ୍ର । ସେମାନେ ଯେମିତି ପ୍ରାଣ ହରାଇଛନ୍ତି, ସେମିତି ସେମାନଙ୍କ ଗ୍ରାମରକ୍ଷୀ ବାହୀନୀର ହାତରେ ମଇତେଇ ଯୁବକମାନେ ପ୍ରାଣ ହରାଉଛନ୍ତି ।
ବିଜେପି ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ବୀରେନ ସିଂଙ୍କୁ ମଇତେଇ ଜାତିର ପ୍ରତୀକ ହିସାବରେ ତୋଳିଧରି ପ୍ରଚାର ଚଳାଉଛି । ରାଜ୍ୟ ସରକାରଙ୍କ ଏହି ସାଂପ୍ରଦାୟିକ ଭୂମିକା ଦୁଇ ଜନଗୋଷ୍ଠୀ ମଧ୍ୟରେ ବିଭେଦ ବଢାଇବାକୁ ଆହୁରି ବେଶୀ ସାହାଯ୍ୟ କରିଛି । ଏହି ପ୍ରସଙ୍ଗରେ ଉଲ୍ଲେଖଯୋଗ୍ୟ ଯେ, ୧୯୪୯ରେ ଭାରତରେ ଅର୍ନ୍ତଭୁକ୍ତ ହେବା ପରଠାରୁ କେନ୍ଦ୍ର ଓ ରାଜ୍ୟରେ କଂଗ୍ରେସ ଅଧିକ ସମୟ କ୍ଷମତାରେ ରହିଥିଲା । ୨୦୧୭ ମସିହା ଠାରୁ ରାଜ୍ୟ ସରକାରରେ ବିଜେପି ଅଛି । ଏହି ଉଭୟ ଦଳ ହିଁ ମଣିପୁରରେ ସଧାରଣ ଲୋକଙ୍କ ସହିତ ବିଶ୍ୱାସଘାତକତା କରିଛନ୍ତି । ସମ୍ବିଧାନର ୩୭୧(ସି) ଧାରା ଅନୁସାରେ ମଣିପୁରର ପାହାଡି ଅଂଚଳର ଅଧିବାସୀମାନଙ୍କ ଉପରେ କେନ୍ଦ୍ରୀୟ ଆଇନ ପ୍ରୟୋଗ କ୍ଷେତ୍ରରେ ପାହାଡ ଅଂଚଳରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କର ମତାମତ ନେବା ଆବଶ୍ୟକ । ଆଦିବାସୀମାନଙ୍କର ଜମି କୌଣସି ବାହାରର ଲୋକ ଖରିଦ କରିପାରିବ ନାହିଁ କିମ୍ବା ଲିଜ୍ ଆକାରରେ ନେଇ ପାରିବ ନାହିଁ । କୁକିମାନଙ୍କର ଐତିହ୍ୟ ଅନୁଯାୟୀ ଜମି ଉପରେ ସେମାନଙ୍କର ଅଧିକାର ଗୋଷ୍ଠିଗତ, ବ୍ୟକ୍ତିଗତ ନୁହେଁ । ନାଗା ଗୋଷ୍ଠିଗୁଡିକର ମଧ୍ୟ ଅଧିକାଂଶ ଜମି ଗୋଷ୍ଠିଗତ ମାଲିକାନାରେ ରହିଛି । ସେମାନଙ୍କର କିଛି ବ୍ୟକ୍ତିଗତ ଜମି ମଧ୍ୟ ଅଛି । ୧୯୬୦ ମସିହାର ମଣିପୁର ଲ୍ୟାଣ୍ଡ ରେଭିନ୍ୟୁ ଆଣ୍ଡ ରିଫର୍ମ ଆଇନରେ ବନଜ ଓ ପ୍ରାକୃତିକ ସଂପଦର ବ୍ୟବହାର ଉପରେ ମଣିପୁରରେ ସ୍ଥାୟୀ ବାସିନ୍ଦାଙ୍କର ଅଧିକାର ସୁନିଶ୍ଚିତ କରାଯାଇଥିଲା । କିନ୍ତୁ ରାଜ୍ୟର କଂଗ୍ରେସ ସରକାର ୨୦୧୫ ମସିହାରେ ଜମି ଆଇନର ପରିବର୍ତ୍ତନ ଆଣି ପାହାଡି ଅଂଚଳରେ ମଧ୍ୟ ଆଦିବାସୀମାନଙ୍କ ଜମିକୁ ବହିରାଗତ ବୃହତ ବ୍ୟବସାୟମାନଙ୍କୁ ହସ୍ତାନ୍ତର କରିବାର ସୁଯୋଗ ଦେଇଥିଲା । ଉଲ୍ଲେଖନୀୟ ଯେ, ୨୦୧୫ ମସିହାରେ ରାଜ୍ୟର କଂଗ୍ରେସ ସରକାରଙ୍କ ଏହି ଆଇନ ସପକ୍ଷରେ ବିଜେପି ନେତୃତ୍ୱାଧିନ କେନ୍ଦ୍ର ସରକାରଙ୍କ ମନ୍ତ୍ରୀ ରାଜନାଥ ସିଂହ ଯୁକ୍ତି ବାଢିଥିଲେ । ବର୍ତ୍ତମାନ ବିଜେପି ଆଦିବାସୀମାନଙ୍କର ଅଧିକାରକୁ ସଂପୂର୍ଣ୍ଣ ବାତିଲ କରିବାକୁ ସାରା ଭାରତବର୍ଷରେ ଚେଷ୍ଟା କରୁଛି । ମଣିପୁରର ସମସ୍ତ ବନାଞ୍ଚଳକୁ ରିଜର୍ଭ ଫରେଷ୍ଟ ଘୋଷଣା କରି ଆଦିବାସୀମାନଙ୍କୁ ଉଚ୍ଛେଦ କରିବାକୁ ଉଦ୍ୟମ କରୁଛି । ଏହି କାମ ସହିତ କୁକିମାନଙ୍କର ନୂତନ ଗ୍ରାମକୁ ଅନୁପ୍ରବେଶକାରୀମାନଙ୍କ ଗ୍ରାମ ବୋଲି ଚିହ୍ନିତ କାରିବା ପାଇଁ ବିଜେପି ଚାହୁଁଛି, ଯେଉଁ କାମଟି କଂଗ୍ରେସ ଆରମ୍ଭ କରିଥିଲା । କୁକି ଗୋଷ୍ଠୀଗୁଡିକ ଆଜି ବି ପୋଡୁ ଚାଷ କରନ୍ତି । ସେଥିପାଇଁ ପାହାଡ ମଝିରେ ନୂତନ ଗ୍ରାମ ବସାଇ ପୁରାତନ ଗ୍ରାମକୁ ପରିତ୍ୟାଗ କରନ୍ତି । ଏହାଛଡା ୧୯୯୩ ନାଗା–କୁକି ଦଙ୍ଗା ପରେ ସେମାନେ ନୂତନ କରି ୩୬୦ ଟି ଛୋଟ ବସ୍ତି ସ୍ଥାପନ କରିଛନ୍ତି, ଯାହା ସରକାରଙ୍କୁ ଅଜଣା ନୁହେଁ । ସରକାରଙ୍କୁ ଆହୁରିମଧ୍ୟ ଜଣାଅଛି ଯେ, ମିଜୋରାମ, ତ୍ରିପୁରା ଏପରିକି ମିୟାମାର ଓ ବଙ୍ଗଳାଦେଶର ଚଟ୍ଟଗ୍ରାମ ପାହାଡରେ ବ୍ୟାପିଯାଇଥିବା କୁକି ଟ୍ରାଇବ ମାନଙ୍କ ମଧ୍ୟରେ ପାରଷ୍ପରିକ ନିବିଡ ସଂପର୍କ ରହିଛି । ମିୟାମାରରେ ଅଶାନ୍ତି ଫଳରେ ସେଠାରୁ କିଛି ଶରଣାର୍ଥୀ ମଣିପୁରକୁ ଚାଲିଆସିଛନ୍ତି । ଏହା ସତ୍ୟ । କିନ୍ତୁ ସେମାନଙ୍କ ସହିତ ସମଗ୍ର କୁକି ଜନଗଣଙ୍କୁ ବହିରାଗତ ବୋଲି ଆଖ୍ୟା ଦେବା ଅନୈତିହାସିକ । ବିଜେପି ଆଶାନ୍ତି ସୃଷ୍ଟି କରିବା ପାଇଁ ସେହି କାମଟି କରୁଛି ।
ବିରେନ ସିଂ ବିଜେପିରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ପଦ ଲାଭ କରିବା ପରେ କଂଗ୍ରେସ ଆଣିଥବା ଜମି ଆଇନ ବଳବତ୍ତର ରହିଛି । ନରେନ୍ଦ୍ର ମୋଦିଙ୍କ ଅନୁଗାମୀ ଭାବରେ ସେ ଭିଜନ-୨୦୪୭କୁ ଚାଲୁକରିବା ପାଇଁ ବ୍ୟସ୍ତ । ସେହି ଭିଜନ ଦ୍ୱାରା ପାହାଡରେ ଗୋଷ୍ଠୀଗତ ଜମିର ମାଲିକାନାକୁ ଉଛେଦ କରି ବ୍ୟକ୍ତିଗତ ମାଲିକାନା ପ୍ରତିଷ୍ଠା କରିବାକୁ ବିଜେପି ଚାହେଁ । ସେମାନେ ପ୍ରଚାର କରୁଛନ୍ତି କୁକିମାନଙ୍କୁ ଜମିର ମାଲିକ ହେବାର ସୁଯୋଗ କରିଦେବା ହେଉଛି ଏହାର ଉଦ୍ଦେଶ୍ୟ । ଅନ୍ୟ ପଟରେ ମଇତେଇମାନଙ୍କୁ ଅନୁସୂଚୀତ ଜାତିର ମାନ୍ୟତା ଦେଇ ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଦେବା କଥା ବିଜେପି ପ୍ରଚାର କରୁଛି । ବିଜେପିର ଅନ୍ୟତମ ଉଦ୍ଦେଶ୍ୟ ହେଲା ପାହାଡରେ ଅଣଅଦିବାସୀ ମାନଙ୍କର ଜମି କିଣି ପାରିବାର ସୁଯୋଗ ସୃଷ୍ଟି କରିବା । ବାସ୍ତବରେ ଦକ୍ଷିଣ-ପୂର୍ବ ଏସିଆର ବଜାରରେ ଚୀନ ସହିତ ଟକ୍କର ଦେଇ ମାଲ ବିକ୍ରୀ କରିବା ପାଇଁ ମଣିପୁରର ଜମି ବୃହତ ପୁଂଜିପତିମାନଙ୍କ ନିକଟରେ ଖୁବ ଗୁରୁତ୍ୱପୁର୍ଣ୍ଣ । ଏହି ଅଚଂଳରେ ସମୃଦ୍ଧ ବନଜ ଓ ଖଣିଜ ସଂପଦ ଉପରେ ନିଜର ଆଧିପତ୍ୟ ବିସ୍ତାର କରିବା ସେମାନଙ୍କର ଦରକାର । ସାମ୍ରାଜ୍ୟବାଦୀ ସ୍ୱାର୍ଥରେ ଭାରତୀୟ ପୁଂଜିମାଲିକ ଓ ମାର୍କିନ ଏକଚାଟିଆ ମାଲିକମାନଙ୍କର ଆହୁରି ଜମି ଦରକାର । ସାମ୍ରାଜ୍ୟବାଦୀ ଚୀନର ଓାନ ବେଲ୍ଟ ଓାନ ରୋଡ ବା ଓବର ସହିତ ଟକ୍କର ଦେଇ ଦକ୍ଷିଣ ଓ ଦକ୍ଷିଣ ପୁର୍ବ ଏସିଆ ବଜାରରେ ପ୍ରବେଶ କରିବା ପାଇଁ ଭାରତୀୟ ଏକଚାଟିଆ ମାଲିକମାନଙ୍କ ସହିତ ମେଣ୍ଟବାନ୍ଧି ମାର୍କିନ ସାମ୍ରାଜ୍ୟବାଦୀ ଏକଚାଟିଆ ପୁଞ୍ଜି ଚେଷ୍ଟା କରୁଛି । ସେଥିପାଇଁ ମଣିପୁରର ଆଦିବାସୀମାନଙ୍କୁ ଜମିରୁ ହଟାଇବାର ପରିକଳ୍ପନା ସେମାନଙ୍କର ଅଛି । ଏହିସବୁ ଘଟଣା ପ୍ରବାହକୁ ମିଶାଇ ଦେଖିଲେ ବୁଝାପଡେ ମଣିପୁରର ଦୁଇଗୋଷ୍ଠୀର ଖଟିଖିଆ ମଣିଷଙ୍କ ଲଢେଇରେ ଫାଇଦା ବୃହତ ପୁଂଜିପତି ଗୋଷ୍ଠିର । ସେମାନଙ୍କର ସେବାଦାସ ବିଜେପି ମଧ୍ୟ ଭୋଟରେ ଫାଇଦା ଦେଖୁଛି । ସେହି କାରଣରୁ କଣ ପ୍ରଧାନମନ୍ତ୍ରୀ ମଣିପୁର ନିଆଁକୁ ଜଳାଇ ରଖିବାକୁ ଚାହୁଁଛନ୍ତି?

Leave a Reply

Your email address will not be published. Required fields are marked *